Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

3  

Soumya Shubhadarshinee

ଅସାମାଜିକ

ଅସାମାଜିକ

9 mins
728


ସମାଜିକ ମଣିଷ କାହାକୁ କୁହାଯାଏ ?

ଯେ ଏଇ ସମାଜରେ ମୁକ୍ତ ଭାବରେ ରୁହେ ନା' ଯେ ସାମାଜିକ ନୀତି ନିୟମର ଶୃଙ୍ଖଳ ଭିତରେ ଆବଦ୍ଧ ହେଇ ବଞ୍ଚିବାର ସ୍ୱାଧୀନତା ଟିକକ ହରେଇ ଦିଏ ?

*************

ଜଙ୍ଗଲ ରାସ୍ତା ସବୁବେଳେ ଭୟ ତିଆରେ ତା' ମନରେ । ପିଲା ବେଳେ ଘଞ୍ଚ ବଣୁଆ ଲାଗୁଥିଲା ତାକୁ ମାମୁଁ ଘର ଗାଁ । କେତେ ବାଉଁଶ ବଣ ସେଠି ବାପରେ । ତାଳ , ଖଜୁରୀ ତୋଟା ଆଉ ଆମ୍ବ ବଗିଚା ଥିବା ଗାଁ ଟାକୁ ବଣୁଆ କହୁଥିଲା ସେ । ଡ଼ରିକି ଯାଉ ନଥିଲା ଜମା । ବୋଉ ଯେବେ ନେଉଥିଲା ସାଥିରେ , ସେ ଜାବୁଡି ଧରୁଥିଲା ତା' କାନୀ ପୂରା ଗଣ୍ଠି କରି । ଆଉ ଗାଉଥିଲା ହନୁମାନ ଚାଳିଶା ଗୁଣୁ ଗୁଣୁ ହେଇ । ବୋଉ ହସୁଥିଲା ଆଉ କହୁଥିଲା , '' କେଡେ ଡ଼ରୁଆଟା କିରେ ତୋତେ ଝୁଅ ପିଲା ହେବାର ଥିଲା ।''

ଖୁବ୍ ଜୋରରେ ବ୍ରେକ ଦେଲା ବସ୍ , ଓଃ ଆଗରେ ଗୋଟେ ବିରାଟ ଗଛ ଭାଙ୍ଗିପଡ଼ିଛି । ବସ୍ ରହିଗଲା ଆଉ ଅଂଶୁର ତନ୍ଦ୍ରା ଭାଙ୍ଗିଗଲା । ବୋଉର ହସ ପବନରେ ମିଳେଇ ଗଲା । କ୍ଲିନର୍ ଟା ଓଲ୍ହେଇ ପଡି ଦେଖିନେଲା ଗଛର ଦମ । ଆଉ ଜଣେଇଦେଲା ଚାରିଟା ଲୋକ ଦରକାର ଗଛଟା ଭାରି ଦମ୍ଭିଲା । ଆଦିବାସୀ ଲୋକ ଗୁଡା ହୋ ହା ହେଇ ଗାମୁଛା ଭିଡି ବାହାରିଗଲେ କାମକୁ । ନିଜ ସିଟ୍ ଉପରେ ବସି ଅଂଶୁ ସେଗୁଡାଙ୍କୁ ଦେଖିଲା ଘଡ଼ିଏ ଆଉ ବୁଝିଗଲା ଆଜି ଦିନଟା ଭଲ ନାହିଁ । ବାହାରୁ ବାହାରୁ ଦୁର୍ଘଟଣା ଧେତ୍ ।

ପିକାରେ ନିଆଁ ଧରେଇ ଦି ସୁଡୁକା ମାରିଲା ପାଖ ଲୋକଟା । ସେଇ ଉତ୍କଟ ନିକୋଟିନ୍ ଧୂଆଁ ଅଂଶୁକୁ ଭାରି ବିରକ୍ତ କଲା । ସେ ଗାରେଡେଇ ଅନେଇଲା ଲୋକଟାକୁ । ମଳିଛିଆ ଗାମୁଛାଟା ତା'ର ଦିଶୁଥିଲା ଭାରି କଦର୍ଯ୍ୟ । ଫୁଙ୍ଗୁଳା ଦେହରେ ଥିଲା ତା'ର ଗୋଟେ ରଙ୍ଗୀନ ମାଳି , କାନରେ ଗୋଟେ ନୋଳି ଆଉ ମୁହଁରେ ଚିତା । ପିକା ନିଶାରେ ଆଖି ଦୁଇଟା ଚୁର , ନାଲି ନାଲି ।

ଏଇ ଲୋକ ଗୁଡା କ'ଣ ବୁଝନ୍ତି ସମାଜ ଆଉ ସାମାଜିକ ପ୍ରଗତି ବିଷୟରେ ? ଘଡିଏ ଭାବିଲା ଅଂଶୁ । ଆଉ ହଜିଗଲା ନିଜ ଭିତରେ । ଏଇମାନେ କ'ଣ ପ୍ରତିବାଦ କରି ସଭ୍ୟ ସମାଜ ସହ ଟକ୍କର ଦେବାକୁ ଆଣ୍ଟା ଭିଡି ବାହାରିଛନ୍ତି । ଏମାନଙ୍କର ସତରେ ଏତେ ସାହସ , ଏତେ କୁଟିଳ ବୁଦ୍ଧି , ଏତେ ହିଂସ୍ରତା ??

ଲୋକଟା ସେମିତି ପିକା ଟାଣି ଖୁସି ହେଉଥିଲା ମନେ ମନେ ଆଉ ଗୁଣୁ ଗୁଣୁ କରି ଗାଉଥିଲା ଗୋଟେ ଗୀତ । ଅଂଶୁ ଜାଣିଛି କୁଇ ଭାଷା ଏଇ କନ୍ଧ ଲୋକକଙ୍କର । ଅବୁଝା ତା' ପାଇଁ ସେଇ ଭାଷା , ସେ ଚେଷ୍ଟା କରୁଛି ଶିଖିବାକୁ । ସେର୍ଭିସ ନିୟମ ଲୋକାଲ୍ ଲାଙ୍ଗୁଏଜ୍ ଶିଖିବା ଜରୁରୀ ସେଠି ଥିବା ମଣିଷ ଙ୍କ ସହ ଗୋଟେ ଭାଗବତ ସମ୍ପର୍କ ଯୋଡିବାକୁ ।

ଏମିତି ନିର୍ଦ୍ୱନ୍ଦ୍ୱ ମଣିଷ ଗୁଡା ଆଜି ସାରା ସମାଜର ଲୋକକଙ୍କ ନିଦ ଉଡେଇ ଦେଇଛନ୍ତି । ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗିଲା ଅଂଶୁକୁ । ମନେ ପଡ଼ିଲା ବୋଉର ହସ ପୁଣି ଥରେ । ବସ୍ ଠିଆ ହେଇଥିଲା ରାୟଗଡାର ଘଞ୍ଚ ଜଙ୍ଗଲ ଭିତରେ । ମୁନିଗୁଡା ଆହୁରି ଦୂର ଅଛି ଲାଗିବ ଘଣ୍ଟାଏ ଖଣ୍ଡେ ।

ନିଜ ଜିପ ନେଇ ଆସିବାକୁ ମନା କରିଥିଲା ଝୁଲୁ । ହୁଏତ ବୁଝେ ସେ ଏଇ ବସ୍ ଭିତରେ ସେ ସୁରକ୍ଷିତ , ସରକାରୀ ଜିପ ରେ ନୁହେଁ । ସେଗୁଡ଼ାକ ସବୁବେଳେ ଟାର୍ଗେଟ ଭିତରେ । ଜମା ଦୁଇ ଦିନ ହେଲା ଆସିଛି ଅଂଶୁ ଏଠିକୁ । ତେଣୁ ହୁଏତ ସେ ବୁଝି ପାରିବନି ଏଠିକାର ପରିସ୍ଥିତି ତେଣୁ ଝୁଲୁର ଏକଦମ ତାଗିଦ । "ଦେଖ ସାଧାରଣ ଲୋକ ଭଳି ବେଶ ଭୁଷା ହେଇ ବସ୍ ରେ ଆସିବୁ । ମୋର ଜରୁରୀ କଥା ଅଛି ତୋ ସହ । ସେ ସରକାରୀ ବାବୁ ହେଇ ଆସିବୁ ନାହିଁ ଜମା ମୋ ରାଣ ! "

**************

--'' ତୁ ଭାରି ମଜା କରୁଚୁ ବୁଝିଲୁ , ଆଜି ଦେବୁ ଟ୍ରିଟ୍ । କେତେ ଟଙ୍କା ପାଉଛୁ ବେ । ସ୍କଲାର୍ ତୁ ଆଉ ଆମେ ଗୁଡା ଭକୁଆ । ବାପାକୁ ରୋଜ୍ ଟଙ୍କା ପାଇଁ ହାତ ପତେଇବାକୁ ପଡୁଛି । ତୁ ପୁରା ରାଜା , ତୋ ପକେଟ ପୂରା ଗରମ ।''

-- '' ହେ , ଏଇଟା ସରକାରୀ ନିୟମ । ମୁଁ କ'ଣ ନିଜେ କରିଛି । ହଉ ଚାଲ ଖାଇବୁ ଗ୍ରୀନ ଚିଲ୍ଲୀ ରେ ବିରିୟାନି ।''

ୟିନିଭର୍ସିଟିରେ ଝୁଲୁ ଥିଲା ଅଂଶୁ ମହାପତ୍ରର ବେଷ୍ଟ ସାଙ୍ଗ । ଝୁଲୁ ଯେଉଁଦିନ ସ୍କଲାରସିପ୍ ପାଉଥିଲା ଅଂଶୁ ଏମିତି ଆକ୍ରମଣ କରୁଥିଲା ତାକୁ । ସେ ଆସିଥିଲା ସବୁଜ ଜଙ୍ଗଲରୁ ଆଉ ଅଂଶୁ ଆସିଥିଲା କଂକ୍ରିଟ ଜଙ୍ଗଲରୁ । ଦୁଇ ଜଙ୍ଗଲୀ ଭଲ ସମ୍ପର୍କଟେ ଗଢି ଥିଲେ ଖୁସି ଖୁସି । ଦୁଇଜଣ ପ୍ରଶାସନିକ ହେବାର ନିଶାରେ ପଢୁଥିଲେ କୋଚିଂ କ୍ଲାସ ଆଉ ଗପୁଥିଲେ ରାଜନୀତିରୁ ଦେଶ ପ୍ରୀତି ଯାଏଁ ।

ଝୁଲୁ ତାଙ୍କ ଗାଁର ପ୍ରଥମ ମଣିଷ ଯିଏ ଭୁବନେଶ୍ୱର ଆସିଥିଲା ପାଠ ପଢି , ହଁ ଏତେ ଦୂର ବାପରେ । ଆଉ ଅଂଶୁ ପ୍ରଥମ ମଣିଷ ଯେ ଝୁଲୁକୁ ଆବିଷ୍କାର କରିଥିଲା ଏଇ ସହରରେ ସାଙ୍ଗ ଭାବେ ।

ଦୁହେଁ ମାଷ୍ଟର ଡିଗ୍ରୀ ପାଇବା ପରେ କିନ୍ତୁ ଛାଡ଼ ବାଡ଼ ହେଇଗଲେ ଏମିତି ନିୟତିର ଚକରେ ଗଡି । ଅଂଶୁ ଦିଲ୍ଲୀ ଚାଲିଗଲା ସିଭିଲ୍ କୋଚିଂ ପାଇଁ ଆଉ ଝୁଲୁ ରହିଗଲା ଏଇଠି ।

*****************

ପେଁ' ପେଁ ' ବାଜିଲା ବସ୍ ର ହର୍ଣ୍ଣ ଆଉ ଜଣେଇଲା ଯିବାର ସମୟ ଆସିଗଲା । ବିରାଟ ଗଛଟା ବୋଧେ ଗତ କାଲି ରାତିର ବର୍ଷାରେ ଭାଙ୍ଗି ପଡିଥିଲା , କାଦୁଅ ହେଇଚି ସାରା ରାସ୍ତା । ପାହାଡ଼ି ଗଛ ଗୁଡା କିନ୍ତୁ ବର୍ଷାରେ ଧୋଇ ହେଇ ଲାଗୁଛନ୍ତି ସୁନ୍ଦରୀ । ଆଜି ବେଶ ନିରିଖେଇ ଦେଖିଲା ଅଂଶୁ ଶାଳ , ପିଆଶାଳ ଗଛ ମାନଙ୍କୁ । ସେଇ ସବୁଜ ଚାଦର ତଳେ କ'ଣ ରକ୍ତର ରଙ୍ଗ ଖେଳ ହେଉଛି ଏଠି ? ଭାବି ହେଉ ନଥିଲା ।ପାହାଡ଼ , ଜଙ୍ଗଲ , ଆକାଶ ସବୁ ଦିଶୁଥିଲେ ଶାନ୍ତ ସୁଧାର । ଯେମିତି ହଜିଛନ୍ତି ନିଜ ଭିତରେ , ସେମାନଙ୍କର ହିଂସ୍ରତା ସହ ଦୂର ଦୂର ଯାଏଁ ନାହିଁ ସମ୍ପର୍କ !.....

ମୁନିଗୁଡା ଆଉ କେତେ ଦୂର କେଜାଣି , ପଚାରିବାକୁ ପଡିବ । କିନ୍ତୁ କାହାକୁ ଏଇ ପିକା ପିଆ ବୁଢାକୁ ନା ପାଖ ସିଟ୍ ଉପରେ ଥିବା ଝିଅକୁ ? ଝିଅଟା ଦେଖିବାକୁ ଠିକ ମୁଗୁନି ପଥରର ମୂର୍ତ୍ତି ପରି । କୋଣାର୍କ ମନେ ପଡିଗଲା ଅଂଶୁର ।

***************

ଟିକେ ବେଶି ଭାଙ୍ଗ ପକେଇ ଦେଇଥିଲା ବୋଧେ ନାରଣ ନନା ସେଦିନ ବେଲ ପଣାରେ । ପିକନିକ୍ ପିଲାଏ କୋଣାର୍କରେ ପହଞ୍ଚି ପଣା ପିଇବାର ବନ୍ଦୋବସ୍ତ ଥିଲା ଅଂଶୁର । ଡ଼ିପାର୍ଟମେଂଟ ପିଲାଏ ସମୁଦ୍ର ଦେଖିବାକୁ ଇଚ୍ଛାରେ ଥିଲେ , କାରଣ ସେଇଟା ଭିତରେ ଆକର୍ଷଣର ଭାଗ ସବୁଠୁ ଅଧିକ । ଝୁଲୁ ଥିଲା ସବା ଆଗରେ ଏଇ ସମୁଦ୍ର ପ୍ରେମରେ । ପୁରୀରେ ପହଞ୍ଚି ଗଲାପରେ ସେ ପାଣିରେ ବୁଡ଼ିଲା ବୁଡ଼ିଲା ଆଉ ବୁଡ଼ିଲା , ଆଖି ନାକ ଶେଥା ହେଲା ଯାଏଁ । ସଭିଏଁ ସେଇଠୁ ବାହାରି ଚାଲିଲେ କୋଣାର୍କ। ରୋଷେଇ ସେଇଠି ହେବାର ଥିଲା । କିନ୍ତୁ ଆଗ ବେଲ ପଣା ପିଆ ହେଲା । କିଛି ପିଲାଏ ନାରଣ ନନାଙ୍କୁ ହାତ କରି ମଶଲା ବନ୍ଦୋବସ୍ତ କରିଥିଲେ ଦାସ ସାରଙ୍କ ଅଗୋଚରରେ ।

ଝୁଲୁ କିନ୍ତୁ ସଭିଙ୍କୁ ଜଣେଇ ଦେଲା ପଣା ପୁରାଣ ସେଇ ପଥର ନର୍ତ୍ତକୀ ସହ ନାଚି ନାଚି ନାଟ ମଣ୍ଡପ କଡ଼ରେ । ଖାଲି ନିଜ କୁଇ ଭାଷାର ଗୀତ ଗୋଟେ ଗାଇ ଗାଇ ଏମିତି ନାଚିଲା ବାପରେ , ଚାଲିଲା ଗୋଟେ ରୋଳା । ଆଉ ସାର୍ ପରେ ଅଫିସକୁ ଡାକି ଦେଲେ ପ୍ରଚଣ୍ଡ ଗାଳି । ଝୁଲୁ କିନ୍ତୁ କିଛି ମନେ ପକେଇ ପାରିନଥିଲା । ଲାଜୁଆ ଆଖିରେ ଖାଲି କହିଥିଲା , '' ସାର୍ ମୁଁ ଜାଣିନି !''

ଅଂଶୁ କିନ୍ତୁ ବେଯାଏ ଦିନ ସେଇ ନାଚ ଦୋହରେଇଥିଲା ବଡ଼ ଖୁସିରେ । ଆଉ ରୁମ୍ ରେ ଲଗେଇଥିଲା କଳା ମୁଗୁନି ପଥରର ସେଇ ନର୍ତ୍ତକୀ ଫୋଟୋ ।

ଆଦିବାସୀ ଝିଅଟା ଠିକ ସେମିତି ଲାଗୁଥିଲା ଅଂଶୁକୁ । ତା' ସୁରସୁରିଆ ମାଳି ହୀରା ନିଳାଠୁ କମ ନଥିଲା । ଆଉ ତା' ଚିତା କୁଟା ମୁହଁ ବି ଠିକ ସେଇ ନର୍ତ୍ତକୀ ମୁହଁ ଭଳି ଲାଗୁଥିଲା ସୁନ୍ଦର । ମୁଣ୍ଡରେ ଲଗେଇଥିବା ବଣୁଆ ଫୁଲର ବାସ୍ନାବି ଥିଲା ଖୁବ୍ ମିଠା । ଏଇ ନୀରିହ ଝିଅ ଗୁଡିକ ମଧ୍ୟ ହାତରେ ରକ୍ତ ମାଖି ପାରନ୍ତି । ବିଶ୍ୱାସ ହେଉନଥିଲା ଅଂଶୁର ।

***************

ସାର୍ ସେମାନେ ରେଳ ଲାଇନରୁ ପ୍ଲେଟ କାଢି ଦେଇଥିଲେ । ରେଳଟା ଲାଇନ ଚ୍ୟୁତ ହେଇ ଜୀବନ ନେଇଗଲା ନିରୀହ ଯାତ୍ରୀଙ୍କର । ଷ୍ଟେସନ ମାଷ୍ଟରକୁ ବାନ୍ଧି ପକେଇଥିଲେ ରାକ୍ଷସ ଗୁଡା । ପାଗଳ ଲୋକ ଏଠି ସବୁ , କିଛି ବୁଝନ୍ତି ନାହିଁ ଆପଣ ଯାଆନ୍ତୁ ନାହିଁ ସେଠିକୁ । ମୋ କଥା ମାନନ୍ତୁ !''

ଆସିଲା ବେଳେ କହିଥିଲା କୁଜୁରୁ ମୁଣ୍ଡା ଅଂଶୁ ଅଫିସର ବଡ଼ ବାବୁ । କଲେକ୍ଟର ଅଫିସର ସର୍ବେ ସର୍ବା । ଅଂଶୁ ମହାପାତ୍ର ନୂଆ କଲେକ୍ଟର , କିଛି ଜାଣିନି ଠିକ ଭାବେ । ଦୁଇଦିନ ହେଲା ଏଠି ତାକୁ , ଆସୁ ଆସୁ ସମାଜ ସୁଧାରରେ ଲାଗିଗଲା ।ନୂଆ ପିଲାଏ ଏମିତି ପାଗଳ ଧେତ୍ !

କିଏ ଗୋଟେ ତା'ର ସାଙ୍ଗ ଝୁଲୁ ମହନ୍ତ ତାରି କଥାରେ ବାହାରି ପଡିଛି ମୁନିଗୁଡା । କିଏ ବୁଝେଇବ ମରଣ ମୁହଁକୁ ଯାଉଛି ଏଇ ଲୋକଟା । ହୁମାଗୁଞ୍ଜି ଗାଁ କାହିଁକି ଯିବ ମଣିଷ ଏଇ ସମୟରେ । ସେ ରକ୍ତମୁଖା ରାକ୍ଷସଙ୍କ ହାତରେ କଣ ମରିବାକୁ ??

କିନ୍ତୁ ଅଂଶୁର କାମ ସେଇ ରାକ୍ଷସଙ୍କ ଭିତରେ ମଣିଷ ଖୋଜିବା । ସେ ଯେତିକି ବୁଝିଛି ଏଠି କେହି ସନ୍ତ୍ରାସବାଦୀ ନୁହଁନ୍ତି , ସଭିଏଁ କେବଳ ସାମାଜିକ ନିୟମ ଭିତରେ ନିଜ ଅସ୍ତିତ୍ୱ ଖୋଜୁଥିବା ଗୁଡ଼େ ଦିଗହରା । ପରିବର୍ତ୍ତିତ ସମାଜରେ ନିଜକୁ ନିଜେ ଖୋଜୁଥିବା ଦଳେ ସର୍ଵହରା । ଆଉ ଏମାନଙ୍କୁ ତିଆରି କରିଛୁ ଆମେ । ସଭ୍ୟ ସମାଜର ଲୋକେ ନିଜ ଭଦ୍ର ମୁଖା ପିନ୍ଧି ଲୁଟିଛୁ ସେମାନଙ୍କର ମାଟି , ପାହାଡ଼ , ଜଙ୍ଗଲ ଆଉ ଜୀବନ । ଏମାନେ କେବଳ ନିଜ ହକ ପାଇଁ ଲଢ଼ୁଛନ୍ତି ।

ଗାଡି ରହିଲା ବୋଧେ ବ୍ରେକ ଲାଗିଲା ଖୁବ୍ ଜୋରରେ । ଅଂଶୁ ଦେଖିଲା ମୁନିଗୁଡା ଆସିଗଲା । ଏବେ ଓଲ୍ହେଇବାର ଅଛି ଆଉ ସମ୍ନା କରିବାକୁ ଅଛି ଗୋଟେ ନଗ୍ନ ସତ୍ୟ ସହ । ସେଇ ରାକ୍ଷସ ମାନଙ୍କସହ । ହୁଏତ ସେ ବୁଝେଇ ପାରିବ ସେମାନଙ୍କୁ ଝୁଲୁର ସହାୟତା ନେଇ । ବା' ହାରିଯିବ ନିଜ ଆତ୍ମବିଶ୍ବାସ , ଆଉ ହୁଏତ ଜୀବନ ମଧ୍ୟ !

****************

'' ଅସୁବିଧା କିଛି ହେଇନି ତ?''

--'' ନା' ଭଲରେ ଆସିଗଲି ବୁଝିଲୁ । ହେଲେ ତୋତେ ଏମିତି ଦେଖିବି ଭାବି ନଥିଲି !''

--'' କେମିତି ଦେଖିଲୁକି ?''

--'' ହେ ତୁ ବଦଳି ଗଲୁ ପୂରା , ଏମିତି କ'ଣ ହେଲା ଯେ ?''

--'' କହିବି , ସେଇ ଇତିହାସ ତୋତେ କିନ୍ତୁ ଆଜି ଆଉ ଗୋଟେ କାମ ଅଛି ସେଇଟା ଆଗ କରିବା ଆସ ।''

ଅଂଶୁ ଝୁଲୁ ସହ ଚାଲିଥିଲା ଜଙ୍ଗଲୀ ରାସ୍ତାରେ । ଝୁଲୁ ଦିଶୁଥିଲା ସେଇ ପିକା ଟଣା ବୁଢା ଭଳି । ଏକଦମ ମଳିଛିଆ । ସେ ଜାଣିବାରେ ଝୁଲୁ ଓଏସ ଅଫିସର ହେଇଥିଲା ବେଶ ଭଲ ମାର୍କ ସ୍କୋର କରି । ସେ ଭାବୁଥିଲା ଦେଖିବ ଗୋଟେ ଅଫିସରକୁ !

ଜଙ୍ଗଲୀ ରାସ୍ତା ଦେଇ ଖୁବ୍ ଗୁଡ଼େ ବାଟ ଚାଲି ଚାଲି ପାଦ ବଥା ହେଲା ଅଂଶୁର । ଭୟଙ୍କର ଭାବେ ଭୋକ ମଧ୍ୟ ହେଉଥିଲା ତାକୁ । କିନ୍ତୁ ଝୁଲୁ ସେମିତି ଚାଲିଥିଲା ଡ଼ଗ ଡଗ । ହୁଏତ ସେ ବୁଝି ପାରୁନଥିଲା ଅଂଶୁର ସ୍ଥିତି । ସେ କଂକ୍ରିଟ ଜଙ୍ଗଲର ମଣିଷ ଏଠି କେତେ ଅସହାୟ !

ଅଂଶୁ ବାଧ୍ୟ ହେଇ କହିଲା କିଛି ଖାଦ୍ୟ ଆଉ କିଛି ପାନୀୟ ପାଇଁ। ସେତେବେଳେ ଝୁଲୁ ମୁଣ୍ଡକୁ ପଶିଲା କଥା , ଆରେ ସତେତ ପିଲାଟା ଭୋକିଲା ।

***************

ୟୁନିଭରସିଟିରେ ଥିଲାବେଳେ ଅନେକ ଥର ଭୋକ କଥା କହିଛି ଅଂଶୁ । ତାକୁ ସବୁବେଳେ ଚଟପଟା ଖାଇବାକୁ ମନ, ଖାସ କରି ଚାଓମିନ୍ । ଗ୍ରୀନ ଚିଲ୍ଲୀ ରେଷ୍ଟୁରାଣ୍ଟ ଚାଓମିନ୍ ମାଷ୍ଟର । ସବୁଠୁ ବେଷ୍ଟ ତା'ର ଏଗ୍ ଚାଓ । ଝୁଲୁକୁ ଧରି ସପ୍ତାହକୁ କମ ସେ କମ ଦୁଇଥର ସେଇଠି ଖଟି କରେ ଅଂଶୁ । ଆଉ ଯେଉଁଦିନ ଝୁଲୁକୁ ସ୍କଲାରସିପ୍ ଟଙ୍କା ମିଳେ ସେଦିନ ହୁଏ ବିରିୟାନି ପାର୍ଟି ।

ହେଲେ ଆଜି ଏଇ ଜଙ୍ଗଲରେ କ'ଣ ଖାଇବ ଅଂଶୁ । ଫଳ ଖାଇବ ହଁ ଜଙ୍ଗଲୀ କେନ୍ଦୁ ଆଉ କନ୍ଦା । ତା ଛଡା ଏବେ ଏଇ ମୁହୂର୍ତ୍ତରେ କିଛି ନାହିଁ । ସେ ରେଳ ବିସ୍ଫୋରଣ ପରେ ବାହାର ଜିନିଷ ମିଳିବା କାଠିକର ପାଠ । ଆତଙ୍କ ଏଠି ସାଧାରଣ ଜୀବନ ଚର୍ଯ୍ୟା ଧ୍ୱଂସ କରିଦେଇଛି । ମଣିଷ ନିଜ ଅସ୍ତିତ୍ୱ ହଜେଇ ସାରିଛି ।

ଅଂଶୁ କିଛି ଜଙ୍ଗଲୀ କୋଳି ଖାଇଲା । ଅଜଣା କୋଳି ଗୁଡା ଅଳ୍ପ ମିଠା କିନ୍ତୁ ବେଶ ଭଲ ଲାଗିଲେ ଭୋକର ପ୍ରକୋପରେ । ଆଉ କେନ୍ଦୁ , ଖୁବ୍ ମିଠା । ହେଲେ ମନ ମାନିଲା ନାହିଁ , ଭାତ ଖାଇବାକୁ ଇଚ୍ଛା ହେଉଥିଲା ବହୁତ କାହିଁକି କେଜାଣି ?

ଚାଲି ଚାଲି ସେମାନେ ପହଁଚିଲେ ଗୋଟେ ଗାଁରେ । ସେଇଟା ଗାଁ କୁହାଯିବ କି ନୁହେଁ କହିବା କଷ୍ଟ । କାରଣ ଖୁବ୍ ବେଶିରେ ଚାରି ପାଞ୍ଚଟି ଘର ଥିଲା ସେଠି । କିନ୍ତୁ ବହୁତ ଲୋକ ଗହଳି ଥିଲା । ଝୁଲୁ ସହ ତାକୁ ଦେଖି ସେମାନେ ଭାରି ଆତ୍ମୀୟତା ସହ ପାଛୋଟି ନେଲେ , କଲେକ୍ଟର ବାବୁକୁ କେହି ଜାଣି ନଥିଲେ । ତଥାପି ଝୁଲୁ ବେଶ ବଦଳେଇ ଆସିବାକୁ କହିଥିଲା ଅଂଶୁକୁ , ସେ ଆସିଥିଲା ଦାଢ଼ି ଭର୍ତ୍ତି ମୁହଁରେ । ତାକୁ କେହି ଚିହ୍ନିବାର ନୁହେଁ । ନା' ନା' କେବେ ନୁହେଁ ! କାରଣ ଏଇ ଧୋବ ଧୋବଳିଆ ବବୁଙ୍କୁ ଭୟଙ୍କର ଘୃଣା କରନ୍ତି ମାଟିର ମଣିଷ ଗୁଡା।ସେଇମାନେ ତ ତାଙ୍କ ଅସ୍ତିତ୍ୱର ଧ୍ଵଂସକାରୀ ।

ଝୁଲୁ ଡାକି ନେଲା ତାକୁ ଗୋଟେ ଚାଳ ଘରକୁ । ସେଇ ଘର ଭିତରେ ଥିଲେ ଗୁଡିଏ ଛୁଆ । ଝୁଲୁ ପିଲାଗୁଡିକୁ ଧରି ଆସିଲା

ସେଠୁ । ମା' ଗୁଡିକ ବୋଧେ କାନ୍ଦୁଥିଲା , କିନ୍ତୁ ଝୁଲୁ ଅଣଦେଖା କଲା ସେଇ ଲୁହର ଦୁର୍ବଳତାକୁ । କିନ୍ତୁ ଲୋକଗୁଡିକ ଉଜ୍ଜ୍ବଳ ଦିଶୁଥିଲେ । ଝୁଲୁ ସଭିଙ୍କୁ ପ୍ରବୋଧନା ଦେଉଥିଲା ଯେ ପିଲାଏ ସହରରେ ପାଠ ପଢିବାକୁ ଯାଉଛନ୍ତି । ବଡ଼ ମଣିଷ ହେବାକୁ ଯାଉଛନ୍ତି । ଖୁସିର କଥା , ଉନ୍ନତିର କଥା , ସମ୍ଭାବନାର କଥା ।.........

***************

ପିଲାଗୁଡିକ ଥିଲେ ଚୁପ ଚାପ ଆଉ ଝୁଲୁ ଚାଲୁଥିଲା ଖପଖାପ ଦୃତ ଗତିରେ ।

ଅଂଶୁ ଅଣନିଶ୍ୱାସୀ ହେଇ ଅନୁସରଣ କରୁଥିଲା କେବଳ । ସେମାନେ ସନ୍ଧ୍ୟାରେ ପହଁଚିଲେ ବସ୍ ଷ୍ଟାଣ୍ଡ । ଝୁଲୁ ପିଲାଗୁଡିକୁ ବଢ଼େଇ ଦେଲା ଅଂଶୁ ହାତକୁ ଆଉ କହିଲା ,

'' ଅସାମାଜିକ ମଣିଷ ପିଲାଗୁଡାକୁ ତୁ ନେଇଯା , ସାମାଜିକ ମଣିଷ କରିବୁ । ''

ଅଂଶୁ ଆଶ୍ଚର୍ଯ୍ୟ ହେଇ ପଚାରିଲା , " କାହା ପିଲା ଏମାନେ ? ସେ କେମିତି ନେଇଯିବ ?''

ଝୁଲୁ କହିଲା , '' ଯେଉଁ ଦୁର୍ଦ୍ଦାନ୍ତ ଅପରାଧି ମାନଙ୍କୁ ନିପାତ କରିବାକୁ ଆସିଛି ଅଂଶୁ ସେଇ ଅପରାଧିଙ୍କର ପିଲାଏ ଏସବୁ । '' ଝୁଲୁ ଚାହେଁ ଏମାନେ ସାମାଜିକ ମଣିଷ ହୁଅନ୍ତୁ ,ନିଜ ବାପାମାନଙ୍କ ପରି ନୁହେଁ !.....

କିନ୍ତୁ ଗଢିବାକୁ ହେବ ଏଇ ପିଲାଙ୍କୁ ଠିକ ଏଠିକାର ମଣିଷ ଭଳି । ଯେ ଫେରିବେ ପୁଣି ଏଇ ମାଟିକୁ , ନିଜର ଲୋକ ଭିତରଙ୍କୁ । ହେଲେ ସେମାନେ ହେଇଥିବେ ଶିକ୍ଷିତ ଆଉ ସମର୍ଥ , ବୁଝିବାକୁ ସତ୍ୟର ସ୍ୱରୂପ ,ଠିକ ଝୁଲୁ ପରି ।

ଝୁଲୁ ବୁଝେଇ କହୁଥିଲା , ସେ ଗୋଟେ ଏନ. ଜି .ଓ ସହ ସଂଶ୍ଲିଷ୍ଟ ହେଇ ଏଇ ଲୋକକଙ୍କ ପାଇଁ କାମ କରୁଛି । ଏତକ ବୁଝିଗଲାଣି ସେ, ଏଠି ସଭିଏଁ ଅନ୍ଧଗଳିରେ । ଏ ସଂଘର୍ଷ ସରିବାର ନୁହେଁ , ଅଧିକନ୍ତୁ ଏମିତି ଦିଶାହୀନ ଭାବେ ଚାଲିବ ଯୁଗପତ । ଏତକ କେହି ବନ୍ଦ କରିବାକୁ ସମର୍ଥ ନୁହଁନ୍ତି । କାରଣ ଏମାନେ ବୁଝିବାକୁ ଆସମର୍ଥ ଯେ ରାଜନୀତିର ପଶାପଲି ବିଛା ହେଇଛି ଏଠି । ଆଉ ନିରୀହ ଲୋକ ଗୁଡା କେବଳ ଗୋଟିଏ ଗୋଟିଏ ନିର୍ଜୀବ ଗୋଟି । ତେଣୁ ଝୁଲୁ ପ୍ରାଣପଣେ ଚେଷ୍ଟା କରୁଚି ଆଗାମୀ ବଂଶଧର ପାଇଁ । ହୁଏତ ସେମାନେ ଅସମାଜିକତ୍ୱର ପରିଚିୟରୁ ମୁକ୍ତ ହେଇଯିବେ !

ଅଂଶୁକୁ ବିଶ୍ୱାସ କରିପାରିବ ସେ , ତେଣୁ ଏମିତି ପଦକ୍ଷେପ । ଏଇଟି ଅୟମାରମ୍ଭ , ଆହୁରି ଆଗକୁ ଯିବାର ଅଛି । ସମ୍ପୂର୍ଣ୍ଣ ଅସାମାଜିକ ପରିଚୟ ନଷ୍ଟ ହେବା ଯାଏଁ ।

ଅଂଶୁ ଦେଖୁଥିଲା ସାମ୍ନାରେ ଜଣେ ଯୁଗପ୍ରବର୍ତ୍ତକ କୁ , ବିଶ୍ୱାସ ଅସୁନଥିଲା ତାକୁ , ଇଏ କଣ ସେଇ ଝୁଲୁ ?

ପାଠ ପଢ଼ା ସମୟରେ କେତେ ଲାଜୁଆ , ଡ଼ରୁଆ , ଚୁପ ଚାପ ପିଲାଟା ଥିଲା । ସିଭିଲ ପାଇଁ ସେ ଜମା ଫିଟ ନୁହେଁ ବୋଲି କମେଣ୍ଟ କରୁଥିଲା ଅଂଶୁ । କିନ୍ତୁ ଆଜି ସେ ସମାଜ ପାଇଁ ସମ୍ଭାବନା ସାଜିଛି । ସତରେ ଆଶ୍ଚର୍ଯ୍ୟ ଲାଗୁଥିଲା ଖୁବ୍ ।

ପିଲାଗୁଡିକୁ କାନ୍ଦୁଥିଲା ହୁଏତ ଭୋକରେ , ଅଂଶୁ ପାଖ ଦୋକାନକୁ ନେଇ ଖାଇବାର ବନ୍ଦୋବସ୍ତ କଲା । ପିଲାଗୁଡିକ କିନ୍ତୁ ଲାଗୁଥିଲେ ଖୁବ୍ ନୀରିହ , ବେଶ ସାମାଜିକ ! .......

ସୌମ୍ୟା ଶୁଭଦର୍ଶିନୀ


Rate this content
Log in