Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହେଇ କଇଁ ଫୁଲ ଫୁଟିଲାଣି
ହେଇ କଇଁ ଫୁଲ ଫୁଟିଲାଣି
★★★★★

© ସତ୍ୟବତୀ ସ୍ୱାଇଁ

Tragedy

5 Minutes   500    18


Content Ranking

ମୁଁ ମାନବ,ମନୁ;ସାରା ବିଶ୍ୱ ମୋତେ ଭଲ ପାଏ।ମୁଁ କିନ୍ତୁ ବନ୍ଧା ପଡିଛି 'ଆଶା' ପାଖରେ।ତା ପାଇଁ ମନ ମୋ ଝୁରେ,ସମୟ ସରେ।ମନରେ କ୍ୟାନସର, ହୃଦୟରେ କଣା, ଶରୀର ପକ୍ଷଘାତ ତା ପାଇଁ।ମୁଠା ମୁଠା ଯନ୍ତ୍ରଣାକୁ ପ୍ରତି କ୍ଷଣ ତା ପାଇଁ ପିଏ ମୁଁ।ସିଏ ମୋତେ ଅସମ୍ଭବ ଭାବେ ଭଲ ଲାଗେ।ଉଜୁଡା ଶୈଶବ,କ୍ଷତାକ୍ତ କୈଶୋର,ଆକ୍ତାମାକ୍ତା ଯୌବନର ସାଙ୍ଗ ମୋର ସିଏ।ସେଇ "ହେଇଟି ବାଇଆ ଆସିବ ଶୋଇପଡ" ବୟସରୁ ମୁଁ ଆଶା ପଛରେ ଧାଇଁଛି ଯେ ଧାଇଁଛି ବଡ଼ ହେବା ଯାଏ।ଆଶା ମୋ ବଞ୍ଚିବା, ପଥ,ପାନ୍ଥଶାଳା,କୋଣାର୍କ ଓ ବଢି଼ବା ପୂଣ୍ୟର ଗଙ୍ଗା।

ମନରେ ନିଆଁ ଲଗାଇ କେଉଁଠି ଲୁଚିଛ ତୁମେ!ଥରେ ହେଲେ ତ ମିଳିଯାଅ ଜାଵ ପକେଇ ରଖିବି ତୁମକୁ।ଆଶା!କୁଆଡେ ହଜି ଗଲା ତୁମେ।ଖୋଜି ଖୋଜି ନୟାନ୍ତ ହେଲିଣି।ଯଦିଓ ତୁମେ ଏବେ କେଡ଼େଟିଏ କେମିତି ହୋଇ ଯିବଣି ମୁଁ ଜାଣିନି,ତେବେ ବି ତୁମ କଥା ଭାବିଲେ ବେପଥୁ,ଶିହରଣ ଜାତହୁଏ ପକ୍ଷଘାତ ଶରୀରରେ ମୋର।ତୁମେ ମୋ ପାଇଁ ସୁନା ହରିଣ,କି ନୂଆ ପୃଥିବୀର ଗୋଟିଏ ପ୍ରୀତିଜହ୍ନ।

ମନେ ପଡୁଛି ବାପା ପଡିଶା ଘର ସିଲୁ ନାନୀ ସାଙ୍ଗେ ନଟର ପଟର ହୋଇ ମୋ ବୋଉକୁ ଅଣ ଦେଖା କଲେ ବୋଲି ବୋଉ ଦଉଡ଼ି ଦେଇ ଆତ୍ମହତ୍ୟା କଲା।ଏଇ ବୋଉ ମାନଙ୍କ କଥା ମୁଁ ବୁଝି ପାରେନି।ବାପା ମାନେ ଯଦି ଆଉ କାହା ସଙ୍ଗେ ଭାଵ ରଖିଲେ ବୋଉମାନେ ଅସହିଷ୍ଣୁ ହୋଇ ଯାଆନ୍ତି କାହିଁକି?ବାପା କଣ ଏମିତି ବୋଉକୁ ଦିଅନ୍ତି ଯାହା ଆଉ କାହା ପାଖରେ ମିଳେନା?ନିଜ ସନ୍ତାନ କଥା ବି ଭାବନ୍ତିନି ବୋଉ ମାନେ!ମରଣ କଣ ସବୁ ସମସ୍ୟାର ସମାଧାନ!!ଥରେ ଟିକେ ବଡ଼ ହେଲା ପରେ ମୋ ଜେଜୀ ମା କୁ ଏକଥା ପଚାରିଥିଲି।ସେ କହିଲେ" ମନୁରେ!ତୁ ଛୋଟ ପିଲା ଏସବୁ ବୁଝି ପାରିବୁ ନାହିଁ?ନାରୀ ପାଇଁ ତା ପୁରୁଷ ସବୁକିଛି।ତା ଜୀବନ,ଜୀଇଁବା,ପରିଚୟ,ପ୍ରତିଷ୍ଠାସୁଖ,ଶାନ୍ତି,ସେହ୍ନ ,ପ୍ରେମ,ଗର୍ବ,ଗୌରବ ଓ ସମ୍ମାନ।ନାରୀ ପାଇଁ ପୁରୁଷଟି ଜଣେ ବ୍ୟକ୍ତି ନୁହେଁ ଗୋଟିଏ ପୃଥିବୀ।ସେଇ ପୃଥିବୀର ଏକଚାଟିଆ ସାମ୍ରାଜ୍ଞି ହୋଇ ବଂଚିବାରେ ତାର ଅଫୁରନ୍ତ ଆନନ୍ଦ।ସେଇତକ କାହା ସଙ୍ଗେ ଭାଗ ବାଣ୍ଟି ପାରେନି ନାରୀଟିଏ।ଭାରି ସ୍ୱାର୍ଥ ପର ଏ କ୍ଷେତ୍ରରେ ଜଣେ ନାରୀ।ଏତେ ଟିକେ ସେହ୍ନ,ସୋହାଗ ତା ଭାଗର ସେ କାହାକୁ ଦେବାକୁ ଚାହେଁନି ଆଦୌ।

ପୁଣି ଯେଉଁ ନାରୀଟି ଅତି ମୋହାଚ୍ଛନ୍ନ ହୋଇ ତା ପୁରୁଷଟିକୁ ମାତ୍ରାଧିକ ପ୍ରାଣରୁ ଭଲ ପଉଥାଏ ଓ ଅନ୍ଧ ଭାବେ ବିଶ୍ୱାସ କରୁଥାଏ ସେଇ ନାରୀଟି ନିଜକୁ ସମ୍ଭାଳି ପାରେନି,ଜୀବନରୁ ଲୋଭ ତୁଟେଇ ଆତ୍ମହତ୍ୟା କରି ସବୁଦିନ ଜୀଇଁ ଜଳି ପୋଡି ମରିବା ଅପେକ୍ଷା ମରଣକୁ ଆଦରି ପୂର୍ଣଛେଦ ଟାଣିଦିଏ ସମସ୍ତ ଆଦେଖା କଷ୍ଟର।ଭାଵତୁରା ଗୋଟା ସୁଦ୍ଧା ମୋର ଭାବି କୁହୁଡି ପହଁରୁ ଥାନ୍ତି କେତୁଟା ସେହ୍ନ,ପ୍ରେମ,ଆଦର କାଙ୍ଗାଳୁଣୀ ନାରୀ।ଏସବୁ ବଡ଼ ହେଲା ପରେ ମୁଁ ବୁଝୁଛି।

ଏଇ ଦେଖୁନ ମୁଁ କେମିତି ଆଶା ପାଇଁ ପାଗଳ।ମାକୁ ଯେତେବେଳେ ମୋ ଆଖି ଆଗେ ପୋଡ଼ିଦେଲେ ମୁଁ ଭୋ ଭୋ ହୋଇ କାନ୍ଦିଲି ମୋ ଜେଜୀ କୋଳରେ ମୁହଁ ଗୁଞ୍ଜି।ସତୁରି ବର୍ଷର ଜେଜୀ ମୋର ନଇଁ ପଡ଼ିଥିବା ଅଣ୍ଟାକୁ ଟିକେ ସମକୋଣର ଲମ୍ବ ପରି ଅଧା ଟେକି ତା କୋଳରେ ମୋତେ ଆଉଜାଇ ନେଇ କହିଥିଲା"ମୋ ଧନ,ମୋ ଗୁଣ୍ଠୁଣି,ରାଇଜ ରଜାଟା କଣ କାନ୍ଦିବ।ତୁ ବା ଗୋଟିଏ ପୁଅ!!ଝିଅଙ୍କ ପରି କଣ କାନ୍ଦନ୍ତି!ଏଇ ଦେଖ ସୁନା ଇଏ ତୋସାଙ୍ଗ"ଆଶା"ୟା ସଙ୍ଗେ ଖେଳିବୁ,ବୁଲିବୁ ,ଗୀତ ଗାଇବୁ,ଚିତ୍ର ଆଙ୍କିବୁ,ବଇଁଶୀଫୁଙ୍କିବୁ,ପାଠ ପଢି ବଡ଼ ମଣିଷ ହେବୁ କିନ୍ତୁ ତୋ ବାପା ପରି ହେବୁନିରେ ଧନ।ଯାହା ଚାହିଁବୁ ଏ ସାଙ୍ଗଟି ତୋତେ ସେଇଠି ପହଞ୍ଚାଇ ଦେବା।ୟାକୁ କେବେ ବି ହତାଦର କରିବୁ ନାହିଁ।ବିଶ୍ୱାସୀ ମନ,ଏକାଗ୍ର ଭାଵ,ଅକ୍ଲାନ୍ତ ଉଦ୍ୟମ କରିବୁ ଏଇ ବନ୍ଧୁ ପାଇଁ।ଆଦର ସେହ୍ନ ମମତା ଢାଳିଲେ 'ଏ' ତୋର ନିଶ୍ଚୟ ହେବ।ଏ ତୋ ସାଥେ ରହିଲେ ଜୀବନ ତୋର ପୂର୍ଣ୍ଣତାରେ ଭରି ଯିବ ବାବା"।

ଜେଜୀ କଥା ଅନୁସାରେ ସ୍କୁଲ ଯାଏ ଆଶାକୁ ମୋ ସହ ନିବିଡ଼ ଭାବେ ବାନ୍ଧି ରଖିଥିଲି।ପଢା, ଖେଳ,ନଈ, ନାଳ,ଆକାଶ,ଜେଜୀ, ମୋ ଗାଁ,କଇଁ ଫୁଲ ଭର୍ତ୍ତି ଗଡ଼ିଆରେ ଆଶା ଥିଲ ମୋ ପାଖେ ପାଖେ।ଭାରି ଭଲ ଥିଲା ସେଇ ଦିନ।

ଗାଁରେ ଛାଡି ଆସିଲି ଆଶାକୁ,ବହୁତ ପଢି ବଡ଼ ବାବୁ ହେବା ନିଶାରେ।ଏଇ ବଡ଼ ହେବା କଥାଟା ମୋତେ ଆଶାଠାରୁ ଅଲଗା କଲା ପ୍ରଥମ ବାର ଜୀବନରେ।କଲେଜ ମାଟିରେ ପାଦ ନଡ଼ବଡ଼ କରି ଚାଲିଲା ବେଳେ ବହୁତ ମନେ ପଡ଼ିଲା ଆଶା।ହଷ୍ଟେଲ ବେଡ଼ରେ ମୁହଁ ମାଡି କାନ୍ଦିଲି ଏକା ଏକା ବହୁତ।

ସାଙ୍ଗ ମାନେ ହସିଲେ ଓ କହିଲେ ମାଇଚିଆ କୋଉଠିକାର...।ମୁଁ ତାଜୁବ ହେଲି ମା ମଲା ଦିନ କାନ୍ଦିଥିଲି ଢେର ବୋଲି ଜେଜୀ କହିଲା ପୁଅ ପିଲା କଣ ଏମିତି କାନ୍ଦନ୍ତି ! ଆଜି କାନ୍ଦିଲି ସାଙ୍ଗ ମାନେ ହେଁ ହେଁ ହୋଇ ହସୁଛନ୍ତି ଆଉ କହୁଛନ୍ତି ମାଇଚିଆ!ପୁଅ ହେଲେ କାନ୍ଦି ବି ପାରିବ ନାହିଁ ! ନିଜକୁ ପଚାରିଲି ମୁଁ।ଆଉ ଦେଖେଇ କାନ୍ଦିଲି ନାହିଁ ଆଖିରୁ ଲୁହ ଝରେଇ ସେବେଠୁ।ମନରେ କାନ୍ଦିଲି ବହୁତ।କାହିଁକିନା ମୁଁ ଗୋଟିଏ ପୁରୁଷ ପିଲା ନା...... ପୁରୁଷ ହେଲେ କାନ୍ଦିବା ମନା।

ଆଶା!ସହରରେ ବି ଅନେକ ଫୁଲ ତୁମ ପରି।ହେଲେ ନିଜସ୍ୱ କିଛି ନାହିଁ।କୃତ୍ରିମ ରଙ୍ଗ,ବାସ,ହସ ଓ ଭାବର ଗୋଟିଏ ଗୋଟିଏ ଜୀବନ୍ତ କଣ୍ଢେଇ।ମୋହିନୀ ବିଦ୍ୟାରେ ଧୁରନ୍ଧର।ସ୍ୱାର୍ଥ ଓ ଦେହର ଭୋକ ମେଣ୍ଟାଇବା ପାଇଁ କିଛି ବି କରି ପାରନ୍ତି।ଯୌବନକୁ ଅସ୍ତ୍ର କରି ,ଦେହ ଲୋଭ ଦେଖାଇ ଏମାନେ ଏଣ୍ଡୁଅ ପରି ରଙ୍ଗ ବଦଳାନ୍ତି ଜଣ ଜଣକୁ ଜାଲରେ ପକାଇ।ମନୁ ତୁମର ହ୍ୟାଣ୍ଡ୍ ସମ୍ ଭଲ ପଢେ,ଗୀତ ଗାଏ ଓ ଚିତ୍ର ଆଙ୍କେ।ଏଣୁ ସେଇ ସେକ୍ସି ଗାର୍ଲଙ୍କ ମୁଁ ପ୍ରଥମ ପସନ୍ଦ ଥିଲି।ପ୍ରଥମେ ପ୍ରଥମେ ଧରା ଦେଉ ନଥିଲି।ମାତ୍ର ଦୁରେଇ ରଖି ପାରିଲି ନାହିଁ ନିଜକୁ ସେମାନଙ୍କ ଠାରୁ।

ଗାଁରେ ତୁମକୁ ଛାଡି ଆସିଲା ପରି ମୋ ନିଷ୍ପାପ,ସରଳ, ସ୍ବପ୍ନ ଦେଖୁଥିବା ସୁନ୍ଦର ମନଟିକୁ ଛାଡି ଦେଇ ଆସିଲି।ସ୍ୱପ୍ନା,ମାୟା, କାମନା,ପିଆଲି,ଡିଜାଇନ ମୋ ଗାର୍ଲଫ୍ରେଣ୍ଡ ହୋଇଗଲେ।ଉତ୍ସୃଙ୍ଖଳତା,ନଗ୍ନତା,ସ୍ବେଚ୍ଛାଚା ରିତାର ସେମାନେ ଥିଲେ ଗୋଟେ ଗୋଟେ ଫୁଜିୟମା।କାମନାର ଲାଭା ଅନବରତ ଉଦ୍ଗିରଣ ହେଉଥିଲା ସେମାନଙ୍କ ଠାରୁ।ମୋତେ ସେମାନେ ଉପଭୋଗ କଲେ ପୁରୁଷ ଭାବେ।ମଦ ଓ ମୋ ସହ ରାତି ରାତି ଖେଲିଲେ ।ସୁନ୍ଦର,ସୁଠାମ,ନିରୀହ,ମେଣ୍ଡା ପୁରୁଷ ସହ ଖେଳି ବାରେ ସେମାନେ ଅପର୍ଯ୍ୟାପ୍ତ ଆନନ୍ଦ ପାଉଥିଲେ।

ଆଉ ମୁଁ ହାତଭାଗ୍ୟ ମାନବ,ମନୁ ସେମାନଙ୍କ ସଙ୍ଗ ପାଇ ସ୍ୱର୍ଗ ପାଇଲା ପରି ଲାଗୁଥିଲା।ମୁଁ ବି ମାତାଲ ହୋଇ ଖର୍ଚ୍ଚ କରୁଥିଲି ମୋ ପୁରୁଷତ୍ୱ।ସମୁଦ୍ର କୂଳ,ଝାଉଁବଣକୁ ଘୋଷାରି ନେଇ ମୋ ଶରୀର,ଉତ୍ତେଜନାକୁ ଉପଭୋଗ କରୁଥିଲେ ସେମାନେ।ମୁଁ କେଉଁ ଆୟତ୍ତରେ ଥିଲି କି??ମୁଁ ବି ଫଶୁ ପାଲଟି ଯାଇଥିଲି।ସେମାନେ ଯୌନ କ୍ଷୁଧା ମେଣ୍ଟାଇବା ନେଇ ମୁଁ ହୋଇଗଲି ଗୋଟିଏ ମାଧ୍ୟମ ବା ସେକ୍ସ ବଏ। ଏମିତି କି ପାଠ,ମୋ ଜେଜୀ,ମୋ ଆଶା ସବୁଙ୍କୁ ଭୁଲିଗଲି।ମୋତେ ଲାଗୁଥିଲା ମୁଁ ଗୋଟିଏ ବାର ନାରୀ ସହବାସ କରୁଥିବା ବାର ପୁରୁଷ,ସେକ୍ସ ବଏ।।କି ନିଶା ଇଏ ମାନବକୁ ଅମାନବ କରିଦେଲା!

ଦିନେ' ଲକ୍ଷ୍ୟ'ମୋ ବେଷ୍ଟ୍ ଫ୍ରେଣ୍ଡ ମୋତେ ଅର୍ଦ୍ଧନଗ୍ନ ବେହୋସ ଅବସ୍ଥାରେ କୋଣାର୍କ ପାଖ ଚନ୍ଦ୍ରଭାଗା କୂଳରୁ ଉଦ୍ଧାର କଲା।ନା ପାଖରେ ଥିଲେ ସ୍ୱପ୍ନା,ମାୟା,କାମାନା ନା ଡିଜାଇନ।ଖେଳେଇ ଖେଳେଇ ମନ ଭରି ଗଲା ପରେ ମୋତେ ଫିଙ୍ଗି ଦେଇ ଯାଇଥିଲେ ଅନାବଶ୍ୟକ ଆବର୍ଜନା ଭାବି।ସୁରା, ସାକୀ,ନାରୀ ମୋତେ ଟାଣି ନେଇଥିଲା ଅଧୋପତନର ଅଫେରା ଅନ୍ଧାରୀ ଗୁହାକୁ।ଇସ୍ କି ଆକର୍ଷଣ ଥିଲା ସେମାନଙ୍କ ଚାହାଣୀରେ,ଦେହରେ!!।ମୁଁ ଜାଣି ପାରୁଥିଲେ ବି ରୋକି ପାରୁ ନଥିଲି ମୋ ପାଦ।ଆପେ ଆପେ ଯେମିତି କିଏ କିମିଆଁ କରି ଟାଣି ନେଉଥିଲେ ମୋତେ,ମୋ ଶେଷ ହେବାକୁ।ବେଳେବେଳେ କଦର୍ଯ୍ୟ କାର୍ଯ୍ୟ ନ କରିବାର ସଂକଳ୍ପ କଲା ବେଳକୁ ସେମାନେ ମୋତେ ଅଭ୍ୟସ୍ତ କରାଇ ଦେଉଥିଲେ ଚରସ,ବ୍ରାଉନ ସୁଗାର ଭଳି ଜୀବନ ନେବା ଡ୍ରଗ୍ସ ଦେଇ।ଏତିକି ବୁଝିଛି କିନ୍ତୁ ଦେହ ଭୋକ ଠାରୁ ମାରାତ୍ମକ ଭୋକ କି ଯୌବନ ନିଆଁ ଠାରୁ ଆଉ କେଉଁ ନିଆଁ ଏତେ ଭୟାଭୟ ନୁହେଁ।

ଶେଷରେ ଶେଷ ହେବା ପୂର୍ବରୁ ମୋ ବିବେକଖୋଜୁଥିଲା ଜେଜୀର ସୁନା,ରାଜାକୁ।ଆଶାର ବନ୍ଧୁକୁ ,ଦେଶର ଗୋଟିଏ ନାଗରିକ, ଭାବିଷ୍ୟକୁ।ଲକ୍ଷ୍ୟ ମୋତେ ରସୁଲଗଡ଼ ସଂକଳ୍ପ ଡ୍ରଗ୍ସ ରିହାବିଟେସନ୍ ସେଣ୍ଟରରେ ଆଡ଼ମିଟ୍ କରିଦେଲା।ଆସ୍ତେ ଆସ୍ତେ ସବୁ ନିଶା ଛାଡ଼ିଗଲା ମୋର।ମୁଁ ନୂଆ ଜୀବନ ଆରମ୍ଭ କରିବା ନେଇ ପ୍ରସ୍ତୁତି କଲି ନିଜକୁ। ସଂକଳ୍ପରୁ ନୂଆ ଜୀବନ ପାଇ ସଂକଳ୍ପଟିଏ ବି କଲି।ଖୋଲିବି ଗୋଟିଏ ଅନୁଷ୍ଠାନ ମୋ ପରି ଗାଁଉଁଲି ମେଣ୍ଡା ମାନଙ୍କ ପାଇଁ।

ଏଣୁ ସିଧା ଦୌଡ଼ିଲି ଗାଁକୁ।ଏହା ଭିତରେ ଏଗାର ବର୍ଷ ଅତିବାହିତ ହୋଇ ଯାଇଛି କେତେବେଳେ।ଜେଜୀ ତିନି ବର୍ଷ ତଳୁ ଦୁନିଆଁ ଛାଡିଛି।ବାପା ତ ଆଉ ଗୋଟେ ପରିବାର ବସାଇ ଭୁଲି ଯାଇଥିଲେ ମନୁକୁ ଛୁଆ ବେଳୁ।ବାକି ଆଶା।ସେ କାଇଁ??ଲୋକେ କହୁଥିଲେ ମୋର ବିପଥଗାମୀ ଖବର ପାଇ ଆଶା ନିରୁଦ୍ଧିଷ୍ଟ କେବେଠୁ।

ଆଶା!ଆଶା ତମେ କେଉଁଠି?ଥରେ ହେଲେ ଦେଖାଦିଅ।ଅମାନବରୁ ମୁଁ ପୁଣି ମାନବ ହୋଇ ଆସିଛି।ବଞ୍ଚିବାକୁ ଚାହୁଁଛି ତୁମ ସହ ଏ ସୁନ୍ଦର ଦୁନିଆଁ ରେ।

ଆଶାର ଠିକଣା କି କୌଣସି ସନ୍ଧାନ ପାଇଁ ନଥିଲା ମାନବ।ଗାଁ ପୋଖରୀ ହୁଡାରେ ନିଇତି ସଂଜ ସକାଳେ ମାନବ ବସିଥିବାର ଦେଖାଯାଏ।କଇଁ ଫୁଲ ଭର୍ତ୍ତି ହେଲେ ମାନବ ଭାରି ଖୁସି ହୁଏ।ଆଶା କଇଁ ଫୁଲକୁ ବହୁତ ଭଲ ପାଉଥିଲା । କଇଁ ଫୁଲ ଫୁଟିଲାଣି,ଏଥର ବୋଧେ ଆଶା ଆସିବ ଆଉ କହିବ ମୋତେ ଦିଟା କିଇଁ ଫୁଲ ଆଣି ଦିଅ ନା ମାନବ। ବାର ବାର ଫୁଲ ଫୁଟେ ମଉଳେ ମାତ୍ର ଆଶା ଆସେନି।ମାନବ କିନ୍ତୁ ଅପେକ୍ଷା ରଖେ।କଇଁ ଫୁଟିବା ଦେଖି କୁହେ "ହେଇ ଦେଖ କଇଁ ଫୁଟିଲାଣି ଆଶା ଏଥର ଆସିବ"।

ବିପଥଗାମୀ ମଣିଷକୁ ଆଶା ମାନେ ବୋଧେ ଏମିତି ଛାଡି ଯାଆନ୍ତି ସବୁ ଦିନ।ଦିନେ ସକାଳୁ ଲୋକେ ଆବିଷ୍କାର କଲେ ପୁଳାଏ କଇଁ ଫୁଲ ହାତରେ ଧରି ପୋଖରୀ ତୁଠରେ ମରି ପଡିଛି ମାନବ।

ସେଇ ପୋଖରୀରେ ଯେବେ ଯେବେ କଇଁ ଫୁଲ ଫୁଟେ ଲୋକେ କୁହନ୍ତି "ହେଇ କଇଁ ଫୁଲ ପୁଟିଲାଣି ଆଶା ବୋଧେ ଆସିବ" ....ମାନବ କହୁଥିବା ବାକ୍ୟଟି।

Satyabati swain,balikuda,jagatsinghpur.

କଇଁ ଫୁଲ ଅସହିଷ୍ଣୁ ପ୍ରୀତିଜହ୍ନ

Rate the content


Originality
Flow
Language
Cover design

Comments

Post

Some text some message..