Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆତ୍ମସନ୍ତୋଷ
ଆତ୍ମସନ୍ତୋଷ
★★★★★

© Minakshi Samal

Inspirational

6 Minutes   614    44


Content Ranking

ସରୋଜିନୀ ନିଜ ବଙ୍ଗଳା ର ସାମନା ଲନ୍ ରେ ବସି ଚା' ପିଉ ପିଉ ସକାଳର ସମ୍ବାଦପତ୍ର ଉପରେ ଆଖି ବୁଲାଉଥିଲେ।ଦିନର ଏଇ ସମୟଟି ତାଙ୍କର ସବୁଠାରୁ ପ୍ରିୟ।କର୍ମମୟ ଜୀବନର ଆରମ୍ଭରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ଏଇ ସମୟ ଟିକୁ ସେ ନିଜର ଏବଂ ଏକାନ୍ତ ନିଜର ଭାବେ କଟାଇବାକୁ ଭଲପା'ନ୍ତି।ଏକଦା ଏମିତି ଏକ ସକାଳେ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଯାହା ପାଇଁ ସେ ଆଜିବି ଗର୍ବିତ ଅନୁଭବ କରୁଥିଲେ।

ଶ୍ରୀମତୀ ସରୋଜିନୀ ଧଳ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ।ସ୍ବାମୀ ଅମରେଶ ଧଳ ସେଚ ବିଭାଗର ଅବସରପ୍ରାପ୍ତ ଯନ୍ତ୍ରୀ।ବଡ ପୁଅ ଅଭୟ ସି.ଇ.ଓ (ଟେକ୍ନୋ ଇଣ୍ଡିଆ)ଏବଂ ସାନ ପୁଅ ଓ୍ବିପ୍ରୋ ରେ ସଫ୍ଟଓ୍ବେର ଇଂଜିନିୟର।ଦୁଇଜଣ ନିଜ ନିଜର ପରିବାର ସହିତ ଯଥାକ୍ରମେ ହାଇଦ୍ରାବାଦ ଓ ୟୁ.କେ. ରେ ରହନ୍ତି।ମଝିରେ ମଝିରେ ଛୁଟିରେ ଫେରିଆସନ୍ତି ଜନ୍ମ ମାଟିକୁ।ପୁରୀ ସହରର ସମୁଦ୍ରର ଅନତି ଦୂରରେ ସରୋଜିନୀଙ୍କ ବଙ୍ଗଳାଟି ଅବସ୍ଥିତ।ଛାତ ଉପରକୁ ଉଠିଗଲେ ସମୁଦ୍ରର ଢେଉସବୁ କୂଳରେ ମଥା ପିଟୁଥିବାର ଦୃଶ୍ୟ ଉପଭୋଗ କରିହୁଏ।ବର୍ଷ ସାରା ସକାଳୁ ରାତି ଅଧ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କର ଆତଯାତ ସମୁଦ୍ର କୂଳରେ ଲାଗିଥାଏ।ବତୀଘରର ଆଲୁଅ ନିଶବ୍ଦ ରାତିର ବକ୍ଷ ଚିରି ନାବିକ ମାନଙ୍କୁ କୂଳର ଠିକଣା ଯୋଗାଇ ବାରେ କେବେବି ହେଳା କରେନା।ଦିଗବାରିଣୀ ଖୁଣ୍ଟିରେ ଲାଗିଥିବା ମୂର୍ତ୍ତୀ କୁକୁଡାଟି ପବନର ତାଳେ ତାଳେ ଘୂରିବୁଲେ ସିନା ଲୋକଙ୍କୁ ସଠିକ ଦିଗ ଦର୍ଶାଇବାକୁ କସ୍ମିନ୍ କାଳେ ଭୂଲେନା। ସ୍ବାମୀ ଅମରେଶ ଘର ତୋଳା ହେବା ସମୟରେ ସରୋଜିନୀଙ୍କ ଅନୁରୋଧ ରକ୍ଷା କରି ଏକ ସୁନ୍ଦର ରଙ୍ଗ ବେରଙ୍ଗୀ ସିମେଣ୍ଟ ଛତା ରାଜମିସ୍ତ୍ରୀକୁ କହି ବନାଇ ଥିଲେ।କେତେ ବେଳେ କେମିତି ଇଛା ହେଲେ ସେଇ ଛତାତଳେ ଫୋଲ୍ଡିଂ ଚେୟାରରେ ବସି ପତି ପତ୍ନୀ ଘଣ୍ଟା ଘଣ୍ଟା ଧରି ସମୁଦ୍ରର ଉତ୍ତାଳ ତରଙ୍ଗ ଗୁଡିକୁ ଦେଖୁଥିଲେ ଓ ଅତୀତକୁ ରୋମନ୍ଥନ କରୁଥିଲେ।

ବିବାହର ଚାଳିଶ ବର୍ଷ ପୁରିବା ପୁରିବା ହେଲାଣି।ଖୁବ୍ ଶୃଙ୍ଖଳିତ ଜୀବନ ଥିଲା ସେମାନଙ୍କର।ଦୁହିଁଙ୍କର ପସନ୍ଦ ନାପସନ୍ଦରେ ଆଶ୍ଚର୍ଯ୍ୟ ଜନକ ଭାବରେ ସାମଞ୍ଜସ୍ୟ ରହିଥିଲା ।ସେଥିପାଇଁ କଳହ ବା ମନୋମାଳିନ୍ୟ ନଥିଲା।ବିବାହର ଚାରିବର୍ଷ ପରେ ବଡପୁଅ ଅଭୟର ଜନ୍ମ ହୋଇଥିଲା।ସେତେବେଳେ ଅମରେଶଙ୍କ ମାତାପିତା ମଧ୍ୟ ସେମାନଙ୍କ ସହିତ ରହୁଥିଲେ।ନାତି ସହିତ ଖୁବ୍ ଆନନ୍ଦରେ ସମୟ କଟାଉଥିଲେ ଅମରେଶଙ୍କ ମାତା ପିତା। ଦୁଇବର୍ଷ ପରେ ସାନପୁଅ ଅଜୟର ଜନ୍ମ ହେବାପରେ ଅଭୟକୁ ଯେମିତି ଖେଳିବା ପାଇଁ ଏକ ଜୀବନ୍ତ ଖେଳଣା ମିଳିଗଲା।ବରଫ ପରି ଧଳା ରଙ୍ଗର ଗୋଟିଏ ପମେରିଆନ୍ ଥିଲା ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ।ସାରା ଦିନ ଏ ଘର ସେ ଘର ଘୁରି ବୁଲୁଥିଲା ଓ ଫାଟକ ଖୋଲି ଘରକୁ କିଏ ପଶିଲେ ସଙ୍ଗେ ସଙ୍ଗେ ଭୁକି ଭୁକି ଅନ୍ୟ ମାନଙ୍କୁ ଡାକି ଆଣୁଥିଲା।ମାଳୀ ସୁଦାମ ଗଛବୃଛଙ୍କ ଦେଖାଶୁଣା କରିବା ସହିତ ଘରର ଅନ୍ୟକାମ ଯଥା ଝାଡୁ ଦେବା,ବଜାରରୁ ପରିବାପତ୍ର ଆଣିଦେବା କାମସବୁ କରି ଦେଉଥିଲା।କାକଟପୁରରେ ତା'ର ଗାଁ।କେବେ କେବେ ଗାଁ କୁ ଗଲେ ସରୋଜିନୀ ତା'ର ପିଲାପିଲିଙ୍କ ପାଇଁ ଜାମାପଟା,ଆମ୍ପ୍ରୋ ବିସ୍କୁଟ ଆଠ ଦଶ ପ୍ୟାକେଟ୍,ସିଲଟ,ଖଡି,ଖାତା,ପେନସିଲ,ପୁରୀର ଖଜା,ଅବଢା ସବୁ ଯୋଗାଡି ଦିଅନ୍ତି।ନିଜର ଯୌଥ ପରିବାରରୁ ସେ ଏସବୁ କଥା ଶିଖିକରି ଆସିଥିଲେ।ତାଙ୍କ ମା' ସଦାବେଳେ କହୁଥିଲେ ଅନ୍ୟ ସହ ବାଣ୍ଟି ଖାଇଲେ ଖୁସି ଦୁଇଗୁଣା ହୋଇଯାଏ ।ଏଇ ମନ୍ତ୍ରକୁ ସରୋଜିନୀ ତାଙ୍କ ଜୀବନରେ ମଧ୍ୟ ଲଗାଇଥିଲେ।ଶାଶୁଙ୍କ ମନୋଭାବ ବି ଠିକ ସେମିତି ଥିଲା।ଅଭାବ ତ କିଛି ନଥିଲା ।ସେଥିପାଇଁ ଦେବାରେ ମଧ୍ୟ କୌଣସି ଅସୁବିଧା ନଥିଲା।

ସୁଦାମ ଗାଁ'ରୁ ଆସିବା ସମୟରେ ବାଡି ପଣସ କଠା,ମଦରଙ୍ଗା ଶାଗ,

ପାଣିକଖାରୁ ବଡି,ନିମ୍ବ କଢ,ପେଣ୍ଡି ଜନ୍ହିରୁ କିଛି ନିଜର ସାଧ୍ୟ ମତେ ନେଇଆସେ।କେବେ କେବେ ଗାଁ'ର କୋଠ ପୋଖରୀରୁ ମାଛ ଧରାହେଲେ ଦୁଇ ଚାରିଟା ଜିଅନ୍ତା ରୋହୀ,ମିଟିକାଳ ନହେଲେ କଳାବଇଁଶୀ ମାଛ ଆଲୁମିନିୟମ ଡେକଚିରେ ପୁରେଇ,ଅଳ୍ପ ପାଣି ଭରି,ଡେକଚି ମୁହଁକୁ ଭଲକରି କପଡାରେ ବାନ୍ଧି ନେଇଆସେ।ଅଭୟ ଓ ଅଜୟ ତ ତା' ଗଳାର ମାଳୀ।ତାଙ୍କ ପାଇଁ ପତ୍ନୀ ମାଳତୀ କରିଥିବା ଗୁଆଘିଅର ଛୋଟ ଡବାଟିଏ ଆଣିଥାଏ।ଏଇମିତି ସିଏ ବି ତାର ମଣିଷ

ପଣିଆ ଦେଖେଇବାକୁ ଭୂଲେନି।

ସୁଦାମକୁ ଛାଡିଦେଲେ ସରୋଜିନୀଙ୍କ ରୋଷେଇ ବାସରେ ସାହାଯ୍ୟ କରିବାକୁ ଝିଅଟିଏ ଥାଏ।ହରେକୃଷ୍ଣ ପୁର ସ୍କୁଲରେ ସେ ଯେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ,ଥରେ ସେହି ସ୍କୁଲର ପିଅନ ସନାତନ ଆସି ବଡ ନିଉନ ହୋଇ କହିଥିଲା ନିଜ ଘରର ଅଭାବ ଅସୁବିଧା କଥା।ଘରେ ଦୁଇଟି ବଢିଲା ଝିଅ।ଭଗବାନ ତାକୁ ଅପୁତ୍ରିକ କରିଥିଲେ ବୋଲି ସେଦିନ ଭାରି ଅଭିମାନ କରିଥିଲା।ଚୁପଚାପ ସରୋଜିନୀ ସେଦିନ ସବୁ ଶୁଣିଥିଲେ।ଦୁଇଦିନ ପରେ ସନାତନ ତାଙ୍କ ଟେବୁଲରେ ପାଣି ଗ୍ଲାସ୍ ଟି ରଖିବା ସମୟରେ ସେ ପଚାରିଲେ ତା'ର ବଡଝିଅ କଥା।ବଡଝିଅ କନକ ଷୋହଳ ବର୍ଷର।ଯଦି ଆପତ୍ତି ନଥାଏ ତେବେ ତାକୁ ତାଙ୍କ ଘରେ କାମଦାମରେ ସାହାଯ୍ୟ କରିବାକୁ ଛାଡିବା ପାଇଁ ପ୍ରସ୍ତାବ ରଖିଲେ ସରୋଜିନୀ।ଅରାଜି ହେବାର କିଛି ନଥିଲା।ପରଦିନ ସ୍କୁଲ ଛୁଟି ହେବାପରେ ସରୋଜିନୀ ନିଜ କକ୍ଷରେ ବସି ଅପେକ୍ଷା କରିଥିଲେ କନକ ପାଇଁ।ପ୍ରାୟ ଏକଘଣ୍ଟା ପରେ ସନାତନ ବଡଝିଅ କନକ କୁ ନେଇ ପହଞ୍ଚିଲା।ସାଙ୍ଗରେ ଥିଲେ ତା'ର ପତ୍ନୀ ବାସନ୍ତୀ ଓ ସାନଝିଅ ଲତିକା।ସମସ୍ତେ ସରୋଜିନୀଙ୍କ ପାଦଛୁଇଁ ପ୍ରଣାମ କଲେ।ମା'ରେ ମୋ ସାଙ୍ଗରେ ଯିବୁ ତ? ତଳକୁ ମୁହଁକରି ଛିଡା ହୋଇଥିବା କନକ ହଠାତ୍ ମା' ଡାକ ଶୁଣି ଉପରକୁ ଦେଖିଲା ଏବଂ ମୁଣ୍ଡ ଟୁଙ୍ଗାରି ସରୋଜିନୀଙ୍କୁ ସମ୍ମତି ଜଣାଇଲା।

ସେଇଦିନଠୁଁ କନକ ହୋଇଗଲା ସରୋଜିନୀଙ୍କ ଘରର ଆଉ ଜଣେ ସଦସ୍ୟ।ଗାଁ ଓ ସହରରେ ଏତେ ଫରକ ଥାଏ କନକ ଜାଣିନଥିଲା।ତାକୁ ମା'ନାଁ ରେ ଡାକିଥିବା ମା' ପରି ଚରିତ୍ର ଟିକୁ ସେ ମା' ଡାକୁଥିଲା।ଅମରେଶଙ୍କୁ ବାବୁ ,ଅଭୟ କୁ ବଡବାବୁ ଓ ଅଜୟକୁ ଛୋଟବାବୁ ଡାକୁଥିଲା।ଭାରି ସ୍ନେହୀ ଝିଅଟିଏ ହୋଇ ଥିବାରୁ ପିଲା ଦୁଇଟିଙ୍କୁ ନିଜର ସାନ ଭାଇ ପରି ମଣୁଥିଲା ସେ।ଅଭାଵୀ ଘରର ଝିଅଟି କିନ୍ତୁ ସରଳତାରେ ସମସ୍ତଙ୍କ ମନ ମୋହିନେଲା।ଏଥର ରୋଷେଇ ଘରୁ ସରୋଜିନୀଙ୍କୁ ଟିକେ ଫୁରୁସତ ମିଳିଲା।କନକ ଯାହା ଯେତିକି ରନ୍ଧାବଢା ଜାଣିଥିଲା କରୁଥିଲା।ତାକୁ ଧୀରେଧୀରେ ନୂଆ ନୂଆ ଖାଦ୍ୟ ବନାଇବା ଶିଖେଇ ଦେଉଥିଲେ ସରୋଜିନୀ।

ଦେଖୁ ଦେଖୁ ପୁଅ ଦୁଇଟିଙ୍କର ପଢା ଶେଷହେଲା।ଚାକିରୀ ଅନ୍ବେଷଣରେ ବେଶୀ ଦିନ ଲାଗିଲା ନାହିଁ।ପ୍ରଥମେ ଅଭୟର ପୋଷ୍ଟିଂ ଆସିଲା। ସେ ହାଇଦ୍ରାବାଦ ଚାଲିଗଲା ପରେ ଘରଟା ଏକ ରକମ ଖାଲିଖାଲି ଲାଗୁଥିଲା।ସମସ୍ତଙ୍କ ସାଙ୍ଗରେ ମଜାଗପ କରିବା,ସାନଭାଇକୁ ଚିଡାଇବା,କୁକୁର ରକି ପଛରେ ଗୋଡାଇ ଗୋଡାଇ ତାକୁ ହାଲିଆ କରିବା,ମା'ଙ୍କ ପାଖରେ ନାନା ରକମର ଖାଇବା ପାଇଁ ବରାଦ କରିବା ଆଉ ମା ନମାନିଲେ କନକ ଅପା ପାଖରେ ଅଳି କରିବା ଏସବୁ ଥିଲା ଅଭୟର ଗୁଣ।କିଛିଦିନ ପାଇଁ ଘରେ ଯେମିତି ଶୂନ୍ୟତା ଛାଇଯାଇଥିଲା।

ଅମରେଶଙ୍କ ବାପା ଓ ମା ମଧ୍ୟ ବଡ ନାତିର ଅନୁପସ୍ଥିତି ରେ ବଡ କଷ୍ଟ ଅନୁଭବ କରୁଥିଲେ। କନକ କୁ ସେତେବେଳକୁ ତେଇଶ ବର୍ଷ ହୋଇ ସାରିଲାଣି।ଅବସର ଗ୍ରହଣ କରିବା ପୂର୍ବରୁ ତାକୁ ହାତରୁ ଦିହାତ କରିବାର ଇଛା ମନରେ ବାନ୍ଧିଥିଲେ ସରୋଜିନୀ।ଏକଥା ସେ ପତି ଅମରେଶଙ୍କୁ ଜଣାଇଥିଲେ।ଦୁହେଁ ଏକଥା କନକର ପିତା ସନାତନ କାନରେ ପକାଇଥିଲେ।ସନାତନର ଗୋଡ ତଳେ ଲାଗୁନଥିଲା ଏହି ଖୁସି ଖବର ଶୁଣି।ଭଗବାନ କ'ଣ ସତରେ ତା ଡାକ ଶୁଣିଲେ?ସତରେ କ'ଣ ଗରୀବ ଘରର ଝିଅ ଉପରେ ବାଡୁଅ ପାଣି ପଡିବ,ଶଂଖା ସିନ୍ଦୁର ନାଇ ତା'କନକ ବୋହୁବେଶରେ ବେଦୀରେ ବସିବ?ସତରେ କ'ଣ ସେ ଆଉ ବାସନ୍ତୀ ଶାଶୁ, ଶ୍ବଶୁର ହେଇପାରିବେ?ମନ ଉଚ୍ଚାଟ ହେଉଥାଏ ସନାତନର।ଖାଲି ଗୋଟିଏ ଭଲ ପିଲା ଯଦି ଜୁଟି ଯାଆନ୍ତା ତେବେ ସରୋଜିନୀ ଦିଦିଙ୍କୁ ଯାଇ ଖବର ଦେଇ ଆସନ୍ତା ସେ।

ଏ ଭିତରେ ଅଜୟର ପ୍ରୋଜେକ୍ଟ ଟି ୟୁ.କେ. ର ଏକ ନାମୀ ସଂସ୍ଥା ଦ୍ବାରା ଚୟନ କରାଗଲା।ମାସକ ଭିତରେ ଭିସା,ପାସପୋର୍ଟ ଇତ୍ୟାଦି କରିବା ସହିତ ଫ୍ଲାଇଟ୍ ଟିକେଟ୍ ଇତ୍ୟାଦିର ବ୍ୟବସ୍ଥା ହୋଇଗଲା।

ଏଥର କାହିଁକି କେଜାଣି ସରୋଜିନୀଙ୍କ ମନଟା ଭାରି ଉଦାସ ହୋଇ ଯାଇଥିଲା।ଏକଦିଗରେ ପୁଅ ପାଇଁ ଖୁସିର ସୀମା ବନ୍ଧ ବାଡ ମାନୁନଥିଲା। ଅଭିନନ୍ଦନ କାର୍ଡ ଓ ମେସେଜ୍ ପଢି ସେ କୃତକୃତ୍ୟ ହୋଇଯାଉଥିଲେ।ଫୋନ୍ ରେ ନିକଟ ସମ୍ପର୍କୀୟ ମାନଙ୍କ ସହିତ କଥା ହେଲା ବେଳେ ଅଜାଣତରେ ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବହି ଯାଉଥିଲା।ଭଗବାନଙ୍କ ଉଦ୍ଦେଶ୍ୟରେ ତାଙ୍କର ହାତ ଯୋଡି ହୋଇଯାଉଥିଲା।ପିଲା ଦୁଇଜଣଙ୍କୁ ମଣିଷ କରିପାରିଛନ୍ତି ବୋଲି ଭାବୁଥିବା ସରୋଜିନୀଙ୍କ ମନରେ ଭୟର ଏକ ଅଜଣା ଆତଙ୍କ କିନ୍ତୁ ଧୀରେଧୀରେ ତା'ର ବୁଢିଆଣୀ ଜାଲ ବୁଣି ଚାଲିଥିଲା।

ଏ ଭିତରେ ପାଞ୍ଚ ବର୍ଷ ବିତିଯାଇଛି।ସରୋଜିନୀଙ୍କ ଅବସର ଜୀବନ ଆରମ୍ଭ ହୋଇ ଯାଇଛି।ଶାଶୁ ଶ୍ବଶୁର ଗୋଟିଏ ବର୍ଷ ବ୍ୟବଧାନରେ ଡକାଡକି ହେଲାପରି ଆରପାରିକୁ ଚାଲି ଯାଇଛନ୍ତି।ପୋଷା କୁକୁର ରକି ମଧ୍ୟ ସମସ୍ତଙ୍କୁ ପର କରି ଆଖି ବୁଜି ଦେଇଛି।ପୁଅ ଦୁଇ ଜଣ ନିଜ ପସନ୍ଦର ଝିଅଙ୍କ ସହିତ ବିବାହ କରିଛନ୍ତି।ସରୋଜିନୀ କୌଣସି ଥିରେ ବାଧା ଦେଇ ନାହାଁନ୍ତି।କନକ ସବୁ କାମରେ ଅଣ୍ଟା ଭିଡି ତାଙ୍କୁ ସାହାଯ୍ୟ କରିଛି।ଏପଟେ ମାଳି ସୁଦାମ ମଧ୍ୟ ପାରୁ ପର୍ଯ୍ୟନ୍ତ ନିଜର ଅନ୍ନଦାତାଙ୍କ ପାଖେ ପାଖେ ରହି ତାଙ୍କର ହୁକୁମ ମାନିଛି।ଗରୀବ ହେଲେ ମଧ୍ୟ ଏଇ ଦୁଇଟି ଲୋକ ତାଙ୍କର ଏତେ ଖିଆଲ ରଖିବେ ବା ମନକଥା ବୁଝି କାମ କରି ପାରିବେ ଏକଥା ସରୋଜିନୀ ଙ୍କ କଳ୍ପନାର ବାହାରେ ଥିଲା।ପୁଅମାନେ ନିଜ ନିଜର ନବ ବିବାହିତା ପତ୍ନୀ ମାନଙ୍କୁ ଧରି ଯେତେବେଳେ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ଅପେକ୍ଷା ନକରି ନିଜ ନିଜର କର୍ମସ୍ଥଳୀକୁ ଚାଲିଯାଉଥିଲେ, ସରୋଜିନୀଙ୍କ ଇଛା ହେଉଥିଲା ସେମାନଙ୍କୁ ଆକଟିବାକୁ,ବେଶୀ ନହେଲେ ବି ପନ୍ଦର ଦିନ ଖଣ୍ଡେ ତାଙ୍କ ପାଖରେ ରହିବାକୁ ଅଳି କରିବାକୁ।କିନ୍ତୁ କ'ଣ ଭାବି ମୁହଁ ଖୋଲି କିଛି କହିପାରିନାହାଁନ୍ତି।ସ୍ବାମୀ ଅମରେଶ କିନ୍ତୁ ସେମାନଙ୍କୁ ରହିବାକୁ ବାଧ୍ୟ ନକଲେ ମଧ୍ୟ ସେମାନଙ୍କ କାନରେ ପକାଇଛନ୍ତି ଏକଥା କିନ୍ତୁ ଲାଭ ହୋଇନି।ନିଜ ପତିଙ୍କୁ ଯେତେବେଳେ ପିଲାମାନେ ଅବମାନନା କରିଛନ୍ତି ଏଇଟା ସରୋଜିନୀଙ୍କ ଗାତ୍ରଦାହ ହୋଇଛି।ଖୁବ୍ ଆଘାତ ଲାଗିଛି ତାଙ୍କ ମନରେ।କେତେଯେ ବିନିଦ୍ର ରଜନୀ କଟାଇଛନ୍ତି ଓ ଆଖି ଲୁହରେ ତକିଆ ଭିଜାଇଛନ୍ତି ତା'ର ଠିକଣା ନାହିଁ।କନକ ବିବାହ ପରେ ମଧ୍ୟ ଦୁଇ ତିନି ଦିନରେ ଥରେ ଆସି ଘରର ସବୁ ପାଇଟି କରିଦିଏ।ମା'ଙ୍କୁ

ମୋଡାଘଷା କରିଦିଏ।ଦି ପହରେ ସମସ୍ତେ ମିଶିକରି ଖାଇବା ପରେ ସେ ନିକଟରେ ଥିବା ତା' ଘରକୁ ଫେରିଯାଏ।

ସେଦିନ ଥିଲା ଫେବୃୟାରୀ ମାସର ତିନି ତାରିଖ ।ଶୀତୁଆ ସକାଳର ସୁନେଲୀ ସୂର୍ଯ୍ୟକିରଣରେ ତାଙ୍କର ସବୁଜ ଘାସଗାଲିଚା ଟି ଭରିଯାଇଥାଏ।ସୁଦାମ ତାଙ୍କ ପ୍ରିୟ ଚେୟାରଟି ଆଣି ଲନ୍ ରେ ରଖିଲା।ଯୋଗକୁ ସେଦିନ କନକ କାହିଁକି କେଜାଣି ସଅଳ ସଅଳ ଆସିଯାଇଥିଲା।ଚା'କପ ସହିତ ପ୍ଲେଟ୍ ରେ ସଜାଇ ଦୁଇଟି ବ୍ରିଟାନିଆ ମେରୀ ବିସ୍କୁଟ ଆଣି ସରୋଜିନୀଙ୍କୁ ଦେଇ ଭିତରକୁ ଚାଲିଗଲା।ଖବରକାଗଜକୁ ପଢୁପଢୁ ସରୋଜିନୀ କିଛି ଗୋଟିଏ ଖୋଜି ପାଇଲେ।ସତେ ଯେମିତି ଲାଗିଲା ଅନ୍ଧାର ଭିତରେ ତାଙ୍କୁ ବଞ୍ଚିବାର ରାହା ମିଳିଗଲା।

ସରସ୍ବତୀ ପୂଜା ଆଉ ଦଶଦିନ ବାକିଥାଏ।ସୁଦାମ କୁ କହିଥାନ୍ତି ତା'ପରିବାରକୁ ପୁରୀକୁ ନେଇ ଆସିବାକୁ।ଏପଟେ କନକ ହାତରେ ସନାତନ ପାଖକୁ ଖବର ପଠାଇ ସାରିଥା'ନ୍ତି ସରସ୍ବତୀ ପୂଜା ଦିନ ସସ୍ତ୍ରୀକ ଆସିବା ପାଇଁ।ସେତେବେଳକୁ ସନାତନର ସାନଝିଅ ଲତିକା ମଧ୍ୟ ହାତରୁ ଦିହାତ ହୋଇ ସାରିଥାଏ।ଏହାଛଡ଼ା ପ୍ରତିଦିନ ନିଜ ପାଖ ପଡୋଶୀଙ୍କ ଘରକୁ ଯାଇ ସେମାନଙ୍କ ଘରେ କାମ କରୁଥିବା ଗରୀବ ପିଲା ମାନଙ୍କର ପଢିବା ବିଷୟରେ କ'ଣ ସବୁ ଆଲୋଚନା କରିବା ଆରମ୍ଭ କରିଦେଇଥାନ୍ତି।ସେମାନଙ୍କ ବାପା ମାଆଙ୍କ ସହିତ ଦେଖା ସାକ୍ଷାତ କରି କିଛି ଗୋଟାଏ ସିଦ୍ଧାନ୍ତରେ ଉପନୀତ ହେଲେ।

ସରସ୍ବତୀ ପୂଜାରେ ତାଙ୍କର ବଙ୍ଗଳାର ତଳ କୋଠରୀ ଗୁଡିକ ଶ୍ରେଣୀଗୃହରେ ପରିବର୍ତ୍ତିତ ହୋଇଯାଇଥିଲା।ସାମନାରେ ବାଗ୍ ଦେବୀ ସରସ୍ବତୀଙ୍କ ପ୍ରତିମୂର୍ତ୍ତି ସାମନାରେ ପୂଜାର୍ଚ୍ଚନା ଚାଲିଥିଲା।ନୂଆ ବହି,ଖାତା ର ପ୍ୟାକେଟ୍ ଗୁଡିଏ ସଜା ହୋଇ ରହିଥିଲା ଗୋଟିଏ ପଟକୁ।ସାହାଯ୍ୟର ହାତ ବଢାଇବାକୁ ଯାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସୃଜନୀ"ର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ସାରିଥିଲେ।ହୋମର ପବିତ୍ର ଅଗ୍ନିରେ ସରୋଜିନୀ ନିଜର ସମସ୍ତ ଦୁଃଖକୁ ସ୍ବାହା କରିଦେଉଥିଲେ। ପରିବେଶଟି ନୂତନ ଆଶାର କିରଣରେ ଝଲମଲ ହୋଇ ଉଠୁଥିଲା।ପିଲାମାନେ ପୁଷ୍ପାଞ୍ଜଳୀ ଦେବାପାଇଁ ପୂଜାରୀଙ୍କ ଠାରୁ ଫୁଲ ମାଗି ନେଉଥିଲେ।ଅମରେଶ ଗୋଟିଏ ବୋର୍ଡ ଆଣି ସାମନା କାନ୍ଥରେ ଲଗାଇବାକୁ ସୁଦାମକୁ କହିଲା ବେଳେ ପିଲା ମାନେ ପାଟିକରି ପଢିବାକୁ ଚେଷ୍ଟା କରୁଥିଲେ "ସରସ୍ବତୀ ବିଦ୍ୟା ମନ୍ଦିର"।ସରୋଜିନୀଙ୍କ ମୁଖମଣ୍ଡଳରେ ଏକ ଅପ୍ରକାଶିତ ଆତ୍ମସନ୍ତୋଷର ଆଭା ସ୍ପଷ୍ଟ ରୂପେ ବାରି ହୋଇ ପଡୁଥିଲା।

ମିନାକ୍ଷୀ ସାମଲ

minusamal1969@gmail.com

7980250037

ସରୋଜିନୀ ସନାତନ ସୁଦାମ

Rate the content


Originality
Flow
Language
Cover design

Comments

Post

Some text some message..