Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Romance

3  

Paramita Mishra

Romance

ବର୍ଷା ମୋ ପ୍ରେମିକା

ବର୍ଷା ମୋ ପ୍ରେମିକା

5 mins
7.8K


 

ବର୍ଷା ମୋ ପ୍ରେମିକା

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।

ପିଲାଟିଦିନୁ ତାକୁ ଦେଖି ଆସୁଛି ଏଯାଏଁ ମନ ଭରେନି। ନିଇତି ସେ ନୂଆଁ ହିଁ ଦିଶୁଛି। ତା ଆଖିରେ ମୋ ଚିତ୍ର ଦେଖିଲେ ଲାଗେ ମୁଁ ପୂର୍ଣ୍ଣ ହୋଇଗଲି। ଗୋଟିଏ ଗାଁ ,ଗୋଟିଏ ସ୍କୁଲରେ ,ଏକା ସହ ଖେଳି ବୁଲି ଆମ ଦିନ କଟିଛି । କେବଳ ଗୋଟିଏ କାନ୍ଥର ଫରକ ଆମ ଭିତରେ । ମୁଁ ସାତ ବର୍ଷର ଥିଲି ବାପା,ମାଁଙ୍କ ଦେହାନ୍ତ  ପରେ ମୁଁ ମାମୁଁ ଘରେ ରହିବାକୁ ଚଲିଗଲି। ମାମୁଁଙ୍କୁ ଭାରି ଭୟ ଥିଲା ମୋ କକା ଖୁଡୀ ବାପାଙ୍କ ସବୁ ସମ୍ପତ୍ତି ନେଇ ମୋତେ ଠିକରେ ଦେଖ ରେଖ କରିବେନି କିନ୍ତୁ ମାଇଁ ଉପରେ ପୁରା ବିଶ୍ୱାସ ଥିଲା । ମାମୁଁ କ୍ଷେତକୁ ଯାଆନ୍ତି ଆଉ ତାପରେ ମାଇଁ ଘରଟା ଯାକର କାମ ମୋ ଦେଇ କରାନ୍ତି । ଦିନେ ମାଇଁ ମତେ ଖୁବ ଗାଳି ଦେଇଥିଲେ,ଆମ ବାଡିପଟେ ଋଷିକୁଲ୍ୟା ନଦୀର ଧାରଟିଏ ବହିଯାଇଛି, ମୁ ସେଠି ବସି ମୋ ମାଁକୁ ମନେପକାଉଥିଲି ।  ପଛରୁ ଏକ ସୁନ୍ଦର ଗୁଲୁଗୁଲିଆ ହାତ ମତେ ଧରିନେଲା ।  ସେ ଛୁଆଁ ମୁ ଆଜି ଯାକେ ଭୁଲିନି। ସେ ଚେହେରା ଦେଖି ଦୁଃଖି ଦୁଃଖ ପାସୋରି ଯିବ । କାଚ କେନ୍ଦୁ ପରି ଆଖି ଏକ ଦମ ଧଳା ଖିର ପରି ରଙ୍ଗ। ଆଖିରେ ଆଖିଏ ରସ ।  ମାଁକୁ ଖୋଜୁଥିଲା ସେ ମୁ ତାକୁ କୋଳେଇ ନେଲି ,ତୋତଲା କଥାରେ କହିଲା ମୋ ନାଁ ମେଘା ।  ସେଦିନଠୁ ଆମର ଏକ ସମ୍ପର୍କର ଡୋରି ବାନ୍ଧି ହୋଇଗଲା । ମାମୁଁ ମତେ ସ୍କୁଲରେ ଭର୍ତ୍ତି କରେଇ ଦେଲେ। ମେଘା ଆଉ ମୁ ଗୋଟିଏ ସ୍କୁଲରେ ପଢିଲୁ । ମେଘାର ମାଁ ମତେ ବହୁତ ଆଦର କରନ୍ତି । ସେ ବେଶ୍‍ ଜାଣନ୍ତି ମୋ ପେଟ କଥା ତାଙ୍କ ଘର ସହ ଆଉ ମେଘା ସହ ଏକ ଆତ୍ମୀୟତା ଗଢି ଉଠିଲା ମୋର। ଧିରେ ଧିରେ ସେଇ ଆତ୍ମୀୟତା ମୋର ଦୁର୍ବଳତାରେ ବଦଳି ଗଲା।

 ବୟସର ଟିକି ଚଢେଇରେ ଡେଣା ଲାଗି ସାରିଥିଲା ।ସମୟର ହାଲୁକା ହାଲୁକା ପବନ ସ୍ପର୍ଶରେ ସେ ଉଡିବାକୁ ଚେଷ୍ଟା କଲାଣି।ବର୍ତମାନ ସେ ଖୋଜି ବୁଲୁଥିଲା ଏକ ଖୋଲା ଆକାଶ । ଯେଉଁଠି କିଛି ବାଧା ନଥିବ କେହି ଟୋକୁ ନଥିବେ। ଷୋଳଟି ଫଗୁଣର ରଙ୍ଗରେ ମନ ଏକ ବାରେ ରଙ୍ଗୀନ । ମନ ଓ ଦେହ ସତେଜ ହୋଇଜାଏ ଯେତେବେଳେ ଦଲକାଏ ପବନ ଦେହକୁ ଛୁଇଁ ଦେଇ ଚାଲିଯାଏ। ଆଉ ବର୍ଷା! ବର୍ଷା ତ ଦେହକୁ ଓଦା କରି ଯାଏ ସତେ ଯେପରି ସେ ଏ ବୟସ ଆଗମନକୁ ସ୍ୱାଗତ ଜଣେଉଛି। କେହି ନ ଦେଖିଲେ ବି ଲୋକଙ୍କ ଆଖି କହିଦିଏ। କେବେ ଚାହୁନଥିବା ଲୋକ ବି ତାକୁ ଘଡିଏ ଚାହିଁ ଦିଅନ୍ତି। ଆଉ ମୋ ଦେହରେ ନିଆଁ ଲାଗିଯାଏ।

 ହଳଦି ରଙ୍ଗର ଓଢଣିରେ ଜେତେବେଳେ ସେ ଘରୁ ବାହାରେ ମୋ ହୃଦୟରେ ଏକ ଅଜିବ ଯନ୍ତ୍ରଣା ଅନୁଭବ ହୁଏ,ମିଠା ମିଠା ଯନ୍ତ୍ରଣା । ହଳଦି ରଙ୍ଗରେ ମେଘାର ମୁଖମଣ୍ଡଳ ଲାଗେ ସତେ ଚନ୍ଦ୍ରମାରୁ ଚାନ୍ଦିନୀ ବିଞ୍ଚି ହୋଇପଡୁଚି ପୃଥିବିରେ । ମୋ ଆଖି ମୋ ବୋଲ ମାନିବାକୁ ନାରାଜ । ତାର ସିମା ଲାଂଘିବାକୁ ଉଦ୍ୟମ କରେ ,ବହୁତ କଷ୍ଟରେ ମୁଁ ତାକୁ ସମ୍ଭାଳେ  ଆଉ ଆଖି ଫେରେଇନିଏ।

ସ୍କୁଲ ପର୍ଯ୍ୟନ୍ତ ଆମେ ଏକାଠିି ପାଠ ପଢିଲୁ ।  କିନ୍ତୁ କଲେଜରେ ଆମେ ଅଲଗା ପଢିଲୁ। କିନ୍ତୁ କଲେଜରୁ ଘରକୁ ଆସିବା ମତ୍ରେ ସେ ମୋ କାନ ପାଖେ ଗାଇବା ଆରମ୍ଭ କରିଦିଏ ତାର ଦିନ ସାରାର ଗାଥା । ସେ କହି କହି ଥକି ଯାଏ କିନ୍ତୁ ମୁଁ ଥକେ ନା । ମୁଁ ତ ତାକୁ ଦେଖିଚାଲେ, ମନରେ ଭାବେ,ଗୋଧୁଳିର ଏ ସଂଧ୍ୟା ,ଚଗଲି ପବନ ,ଆକାଶରୁ ଝରି ପଡୁଥିବା ଚାନ୍ଦିନୀ ବି ଆମକୁ ଦେଖି ବୁଝିଯାଉଥିବେ ମୋ ମନ କଥା ତେବେ ମେଘା କଣ ବୁଝି ପାରୁନି ? ନା ବୁଝିବାକୁ ଚାହୁନି । କାଶ୍‍ ଭାବନାରେ ପକ୍ଷୀ ଲାଗି ଯାଆନ୍ତା କି,ଆପଣା ଛଏଁ ଉଡି ଯାଆନ୍ତା ତାର ମନର ମଣିଷ ପାଖକୁ,ଆଉ ଗଢି ଦେଇ ଆସନ୍ତା ପ୍ରେମର ବସା । ଭଲପାଉଥିବା ମଣିଷଟିକୁ ଆଉ ଏତେ କଷ୍ଟ ହୁଅନ୍ତାନି ।କିନ୍ତୁ ପ୍ରେମର ଅନ୍ୟ ନାମ ଯେ ଯନ୍ତ୍ରଣା।

   ମୁଁ ଜାଣି ସାରିଥିଲି ଯେ ମୋ ଭାଗ୍ୟରେ ପ୍ରେମ,ସ୍ନେହ ଏଭଳି ଶବ୍ଦର କୌଣସି ଅର୍ଥ ନାହି । ପିଲା ବେଳୁ ଏ ଦୁର୍ଭାଗ୍ୟ ନେଇ ମୁଁ ବଞ୍ଚୁଛି। ଛୋଟ ବୟସରୁ ବାପା,ମାଁ ସ୍ନେହ ପାଇଲିନି ଆଉ ବଡ ହେଉ ହେଉ ମୋ ପଖରେ ରହି ଜାଇଥିଲା କେବଳ ମେଘାର ଆତ୍ମିୟତା । ମୁଁ ତାକୁ କୌଣସି ମୁଲ୍ୟରେ ହରେଇବାକୁ ଚାହୁନଥିଲି।

  ପେଟ ପୋଷିବାକୁ ପଢିବା ସାଂଗେ ସାଂଗେ ମତେ କାମ କରିବାକୁ ପଡେ କିନ୍ତୁ ମେଘା ପାଇଁ ମୁଁ ସବୁବେଳେ ହାଜିର ହୋଇଯାଏ। ଦିନେ  ମେଘା  ଛାତର ଏକ କୋଣରେ ଉଦାସ ହୋଇ ବସିଥିଲା । ମୁଁ ଯାଇ ତା ପାଖରେ ଠିଆ ହୋଇସାରିଲିଣି ଅଥଚ ସେ ଜାଣି ବି ପାରିଲାନି। ଚମକି ପଡି କହିଲା ତୁଷାର ଏତେ ବେଳେ ମୋ କଥା ମନେ ପଡିଲା । ମୋ ଦେହରୁ ଯେମିତି ପ୍ରାଣ ଚାଲିଗଲା । ମୋ ଖୁସରେ ଅତ୍ମହରା ହୋଇ ପଡିଲି । ଆଜି ସବୁ ଯନ୍ତ୍ରଣାର ଅନ୍ତ ହୋଇଯିବନି ତ ।ଏତେ ଦିନରେ ଯାଇ ମୋ ମେଘା ମୋ ମନକୁ ପଢି ନେଇଛି। ମୁଁ ତାକୁ ସାନ୍ତ୍ୱନା ଦେବାକୁ ଆଗକୁ ବଢିଲା ବେଳେ ସେ ଆଗୁଆ ମୋ ଆଡକୁ ଚାହିଲା,ଏତେ ବଡ ବଡ ଅଶ୍ରୁର ଧାର ମୁଁ ଦେଖି ତଟସ୍ଥ ହୋଇ ଗଲି କଣ ସତରେ ସେ ଏତେ ଭଲ ପାଏ ମତେ ?ମେଘା ମୁହଁରୁ ଗୋଟିଏ ଶବ୍ଦ ବାହାରିଲା,ରତନ !

ରତନ୍?

ମୋ ପାଦ ତଳୁ ମାଟି ଖସିଗଲା,ମତେ କେବଳ ରତନର ପ୍ରତିଧ୍ୱନି ବରମ୍ବାର ଶୁଭିଜାଉଥିଲା ମୁଁ କାନକୁ ବିସ୍ୱାସ କରିପାରୁନଥିଲି,ମେଘା ସେ ରତନ କଥା କହୁଚି।

 ରତନ ମେଡିକାଲରେ ।  ମତେ ତାକୁ ଦେଖିବାକୁ ଯିବାର ଅଛି । କାଲି କିଛି ଲୋକ ତାକୁ ବହୁତ ମାରିଛନ୍ତି । ମେଘା କହିଚାଲିଛି।

  ଇଏ ସେଇ ରତନ ,ବହୁତ ଦିନରୁ ଦେଖି ଆସୁଥିଲି ରତନ ଘର ପାଖେ ଠିଆ ହୋଇ ଘରକୁ ଉଣ୍ଡୁଥିଲା। କିନ୍ତୁ କାଲି ସକାଳେ ସେ ମେଘାର ସାଇକଲକୁ ଅନୁସରଣ କରିବାର ଦେଖି ମୋ ରାଗ ପଞ୍ଚମକୁ ଉଠିଗଲା । ତେଣୁ ମୋ ସାଙ୍ଗ ମାନେ ଯାଇ ତାକୁ ଉଚିତ ସବକ  ଶିଖେଇ ଆସିଥିଲେ । ମୁଁ ଭାବିଥିଲି ମେଘା ତାକୁ ଚିହ୍ନିବି ନଥିବ କିନ୍ତୁ ,ନା ମୁଁ ଆଉ କିଛି ଶୁଣିବା ଅବସ୍ଥାରେ ନଥିଲି ନିଜର ବାକ୍‍ ଶକ୍ତି ହରାଇବା ପୁର୍ବରୁ ମୁଁ ସେଠୁ ଚାଲିଗଲି।

ସାରା ରାତି ଖଟ ଉପରେ କଡ ଲେଉଟାଇ ଭାବୁଥିଲି ଶେଷକୁ ମୁଁ ମେଘା ଆଖିର ଲୁହ ହୋଇଗଲି। ସେଇ ମେଘା ଯେ ସୁଖ,ଦୁଃଖ ,ଭଲ ,ମନ୍ଦ ସବୁଥିରେ ମୋ ସହ ରହିଲା ଯାହାର ପରିବାର ମୋ ପରି ଅନାଥକୁ ନିଜର ପୁଅ ଭଳି ରଖିଲା ମୁଁ ତାଙ୍କରି  ଅହିତ କରିଦେଲି   । ମୁଁ କେମିତି ମୁହଁ ଦେଖେଇ ବି ମେଘାକୁ,ମୋର ସବୁ ଆଶା ସେ ସଂଧ୍ୟାର ଅନ୍ଧକାରରେ ଉଭେଇ ଗଲା ଆଉ ମୁଁ ହଜିଗଲି ପିଲାଦିନର ସବୁ ସୁନ୍ଦର ସ୍ମୁତି ଭିତରେ। ହଁ ମୁଁ ମେଘାର ଖୁସି ତାକୁ ଫେରେଇ ଦେବି । ରତନ ଯଦି ମେଘାର ଖୁସି ତାହେଲେ ମୁଁ ତାକୁ ତା ଖୁସି ଫେରେଇ ଦେବି। ଆଉ ଏଇଟା ହିଁ ମୋର ପଶ୍ଚାତାପ ହେବ।

  ବଡ ଧୁମ ଧାମରେ ମୋ ମେଘାର ବାହାଘର ହେଲା,ମୁଁ ଏକ ନିରବ ପ୍ରେମିକ ହୋଇ ଖାଲି ଦେଖି ରହିଗଲି ମୋ ଆଖି ସାମ୍ନାରେ ମେଘା ସବାରିରେ ବସି ଚାଲି ଗଲା ।ଆଉ ମୁଁ ପ୍ରେମିକରୁ କବି ପାଲଟି ଗଲି । ମେଘା ମୋ ହାତ ପହନ୍ତାରୁ ବହୁତ ଦୁରକୁ ଚାଲି ଜାଇଥିଲେ ବି ମୋ ଭିତରେ ରହି ଜାଇଛି ସବୁଦିନ ପାଇଁ । ତେଣୁ ମୁଁ ଆଉ କାହାକୁ ମୋ ଭିତରକୁ ପ୍ରବେଶ କରେଇ ପାରିଲିନି। କେଜାଣି ମେଘା ମନ ଭାବନାକୁ ପଢିପାରିଥିଲା କି ନାହିଁ କିନ୍ତୁ ମୋର ସବୁ କବିତାକୁ ପଢେ ଆଉ ତା ଉପରେ ଗୁଡାଏ କଥା କହେ । ମୋର କବିତା’’ବର୍ଷା ମୋ ପ୍ରେମିକା’’ବହୁତ ପ୍ରସଂଶିତ ହୋଇଥିଲା ଯାହା ମୋ ଭବନାକୁ ଗୋଟି ଗୋଟି କରି ବଖାଣୁ ଥିଲା,ମେଘା ପଚାରିଲା ତୁଷାର ତୁମେ ନିଶ୍ଚୟ କାହା ପ୍ରେମରେ ପଡିଚ,କିଏ ସେ ? ମୁଁ କହେ ‘’ବର୍ଷା ମୋ ପ୍ରେମିକା’’,ଆଉ ଭାବେ କିଛି ମିଛ କହିନି କାରଣ ମେଘାର ଅନ୍ୟ ନାମ ଯେ ବର୍ଷା। rm.ପରମିତା ମିଶ୍ର/8050874550


Rate this content
Log in

Similar oriya story from Romance