ତିନୋଟି ଫୁଲର କାହାଣୀ
ତିନୋଟି ଫୁଲର କାହାଣୀ
ତିନୋଟି ଫୁଲ। ଗୋଟିଏ ଫୁଲ ରଜାଘର ବଗିଚାରେ ଫୁଟିଥିଲା। ନିଘଞ୍ଚ ଅରଣ୍ୟରେ ଫୁଟିଥିଲା ଗୋଟିଏ ଫୁଲ।
ଆଉ ଗୋଟିଏ ଫୁଲ ଫୁଟିଥିଲା ମାଳିଘର ବଗିଚାରେ। ରଜାଘର ବଗିଚାରେ ଫୁଟିଥିବା ଫୁଲଟିର ଆଖିରେ ଥିଲା ଅସରନ୍ତି ସ୍ବପ୍ନ।ମନରେ ଥିଲା ଅସୁମାର ଆଶା।ଖୁସିରେ ଫାଟି ପଡୁଥିଲା ସିଏ।ଗର୍ବ ଅନୁଭବ କରୁଥିଲା।ହସହସ ଦିଶୁଥିଲା।
ଦିନେ ରଜାପୁଅ ତା' ପାଖକୁ ଆସିଲା।ତାକୁ ତୋଳିନେଲା।ତା' ବାସ୍ନା ଶୁଙ୍ଘିଲା।ଯୁବରାଣୀଙ୍କୁ ଶୁଙ୍ଘାଇଲା।ତା'ପରେ ତାକୁ ଶେଜ କଡକୁ ଜୋରରେ ଫିଙ୍ଗିଦେଇ ଯୁବରାଣୀଙ୍କ ସହିତ ପ୍ରେମ ଖେଳରେ ମାତିଗଲା।
ଅଲୋଡ଼ା ଅଖୋଜା ହୋଇ ଶେଜ କଡରେ ପଡି ରହିଥିଲା ସିଏ।ରାଜା ରାଣୀଙ୍କ ଖେଳରେ ସେ ଦଳି ମକଚି ହୋଇଗଲା।ଶେଷରେ ଶେଜ ତଳକୁ ଖସି ପଡ଼ିଲା।ରାଜା କି ରାଣୀ କାହାରି ମନରେ ଆଉ ନଥିଲା ସେ।ଚୁନା ହୋଇଥିଲା ତା'ର ସ୍ବପ୍ନ, ଗର୍ବ।ଆଶା ନିରାଶରେ ପରିଣତ ହୋଇଥିଲା।ମନରେ ଖୁସି ନଥିଲା।ଦୁଃଖୀ ଦିଶୁଥିଲା ସେ।
ସାରା ରାତି ଯୁବରାଣୀଙ୍କ ସହିତ ଖେଳରେ ନିଜକୁ ହଜାଇ ରଖିଥିଲେ ରାଜା।ଉପଭୋଗରେ ମାତିଥିଲେ।
ନିଘଞ୍ଚ ଅରଣ୍ୟରେ ଫୁଟିଥିବା ଫୁଲଟି ମନେମନେ ଗୋଟିଏ ପ୍ରେମିକ ଅପେକ୍ଷାରେ ଥିଲା।ମନଜିଣା ରୂପ, ସୁନ୍ଦର ବାସ୍ନା - ଇଏ ଥିଲା ତା'ର ସର୍ବସ୍ବ।ମନରେ ଅନେକ ଅନେକ କଥାକୁ ସାଇତି ରଖିଥିଲା ସେ।ଦିଶୁଥିଲା ବେଶ୍ ହସହସ।ପ୍ରେମିକ ସହିତ ସ୍ବପ୍ନର ସହରକୁ ଚାଲି ଯିବାକୁ ମନେମନେ ଖୁବ୍ ଆଶା ବାନ୍ଧିଥିଲା।
ସକାଳେ ଫୁଟିଥିଲା।ସକାଳରୁ ପ୍ରେମିକର ବାଟ ଚାହିଁ ବସିଥିଲା।ଚାହିଁ ଚାହିଁ ଆଖି ପାଣି ଆଖିରେ ମଲା।ପ୍ରେମିକର ଦେଖା ନଥିଲା।ସଂଜ ହେଲା।ତା'ପରେ ରାତି।ରାତି ପାହି ସକାଳ ହେଲା।ମଉଳି ସାରିଥିଲା ସେ।ଝରାଫୁଲ ପାଲଟିଗଲା।
ମାଳିଘର ବଗିଚାରେ ଫୁଟିଥିବା ଫୁଲଟିର ମନରେ ନା ଥିଲା ଆଶା ନା ଥିଲା ସ୍ବପ୍ନ।ଜୀବନ କ୍ଷଣଭଙ୍ଗୁର - ଏଇ ଥିଲା ତା'ର ବଞ୍ଚିବା ପାଇଁ ଆଶ୍ବାସନା।ସୂର୍ଯ୍ୟାସ୍ତକୁ ଅପେକ୍ଷା କରୁଥିଲା ସେ।ମଉଳା ଫୁଲଟେ ହେବାକୁ ଇଚ୍ଛା ରଖୁଥିଲା।
ସେ ଏମିତି ଭାବୁଭାବୁ ତାକୁ ମାଳି ଆସି ତୋଳିନେଲା।ମାଳା ଗଢ଼ି ମନ୍ଦିରରେ ଦେଲା।ପୂଜାରୀ ସେଇ ମାଳାକୁ ଠାକୁରଙ୍କୁ ପିନ୍ଧେଇ ଦେଲେ।ଆଃ ! କି ଖୁସି ସେ ଫୁଲର !ପରଦିନ ଛଡାଫୁଲ ହୋଇଗଲା ସେ।
ଘଟଣାକ୍ରମରେ ତିନୋଟିଯାକ ଫୁଲ ଏକାଠି ହୋଇଗଲେ।
ମୁହଁ ଶୁଖାଇ ନିଜ ଭାଗ୍ୟକୁ ନିନ୍ଦିଲା ରଜାଘର ବଗିଚାର ଫୁଲ।କହିଲା - ' ଉପଭୋଗ କଲେ।ମୂଲ ବୁଝିଲେନି। '
ଲୁହ ନିଗାଡିଲା ନିଘଞ୍ଚ ଅରଣ୍ୟରେ ଫୁଟିଥିବା ଫୁଲଟି।କହିଲା - ' ଅଲୋଡ଼ା ହୋଇ ରହିଲି।ଝରାଫୁଲ ହେଲି। '
ହସହସ ଆଉ ବେଶ୍ ତୃପ୍ତ ଦିଶୁଥିଲା ମାଳିଘର ବଗିଚାର ଫୁଲଟି।ନିଜ ସୌଭାଗ୍ୟର କାହାଣୀ ବର୍ଣ୍ଣନା କରିବାକୁ ଯାଇ କହିଲା - ' କିଛି ପାଇବି ଭାବି ନଥିଲି।ବହୁତ ପାଇଲି। ଧନ୍ୟ ହୋଇଗଲି। '
ତିନୋଟି ଫୁଲ।ତିନୋଟି କାହାଣୀ।
କିଏ ଏଠି କାହା ପରି କି ! !