ବ୍ଲୁ ହ୍ୱେଲ୍
ବ୍ଲୁ ହ୍ୱେଲ୍
ସୁନ୍ଦରତା ସହ ଟ୍ୟାଲେଣ୍ଟ୍ ମିଶିଗଲେ , ଆପେଆପେ ଏକ ଭିନ୍ନସ୍ଥାନ ତିଆରି ହୋଇଯାଏ । ଲିସା ସହ ସେଇମିତି କିଛି ହେଉଥିଲା । କେବଳ ବଡମାନଙ୍କ ସହ ପ୍ରତିଯୋଗିତାରେ ଆଗ୍ରହ ନୁହଁ , ପୁରସ୍କାର ଧରି ଘରକୁ ବି ଫେରୁଥିଲା ଲିସା । ନାଚ-ସଂଗୀତ, କବିତା - ଅଭିନୟ ଅବା ସୁନ୍ଦରୀ ପ୍ରତିଯୋଗିତା । ସବୁଥିରେ ପାରଙ୍ଗମ । ୱାନ୍ ପିସ୍ । ସମସ୍ତେ କୁହନ୍ତି ଚେହେରା ଟା ମା'ଠୁଁ , ଗୁଣବୁଦ୍ଧି ସବୁ ବାପାଠୁଁ ପାଇଛି ।
ଆଜିକାଲି ଯେନତେନ ଝିଅଟିଏ ହୋଇଗଲେ ଗଲା । ସତମିଛର ପ୍ରେମ କରିବାକୁ ତ ହଜାରେ ପ୍ରେମିକ ପହଞ୍ଚିଯିବେ । ଲିସା ପାଇଁ ହଜାରେ ନୁହେଁ ଲକ୍ଷେ କାଙ୍ଗାଳ ! ବଡସାନ ବାଛବିଚାର ନାହିଁ । ଲିସାକୁ ପ୍ରେମରେ ପଡିବାର ଥିଲା । ଏସବୁରୁ ବାଛିକୁଛି ଦୁଇଜଣଙ୍କ ପାଖରେ ଯାଇ ଠାକିଲା । ସୁରଜ୍ ଆଉ ପ୍ରୀତମ୍ । କିଏ ଅଧିକା ? ନିଷ୍ପତ୍ତି ନେବା ଦ୍ୱନ୍ଦ ଭିତରେ , ଦିନେ ସୁରଜ୍ ଏକ ଧାରୁଆ ବ୍ଲେଡରେ ନିଜ ହାତକାଟି 'ଲିସା' ଲେଖି ଦେଖାଇଲା । ସେଇଦିନୁ ପ୍ରୀତମକୁ ବାଦ୍ ଦେଇ ସୁରଜର ପ୍ରେମରେ ପଡିଗଲା ଲିସା ।
ରକ୍ତରେ ' ଆଇ ଲଭ୍ ୟୁ ' ଲେଖିବାର ପରମ୍ପରା ଢେର୍ ପୁରୁଣା ହେବାସତ୍ୱେ , ଆଜିଯାଏଁ ବି ପ୍ରେମିକାର ହୃଦୟ ତରଳାଇବାକୁ ଏଇ ସହଜପନ୍ଥା ଆପଣାଯାଏ ।
ଭାରି ଅବୁଝା ଲାଗେ , ଦିନେ ହାତ କାଟିଦେଉଥିବା ପ୍ରେମିକଟି କେମିତି ବେଳପଡିଲେ ପ୍ରେମିକାର ତଣ୍ଟି କାଟିଦିଏ ??
ହୃଦୟ ତରଳିବାକୁ ଅନ୍ୟ ଜଣକର ରକ୍ତ କାହିଁକି ଦରକାର ପଡେ ??
ଏଥର ସାରା କଲୋନୀ , ସାରା କଲେଜ୍ , ସାରା ସହର ଜାଣିନେଲା ଯେ ଲିସା ସୁରଜର । କେହିକେହି ମନେକରୁଥିଲେ ସୁରଜ୍ ଲିସାର !
ପ୍ରେମର ଗୋଟେ ଚମତ୍କାର ତାଜାବାସ୍ନା ଥାଏ ! ଆଗ ସାରା ସହରକୁ ମହକେ , ପରେପରେ ଯାଇ ନିଜ ଘରଲୋକଙ୍କ ନାକରେ ।
- ପୋଡ଼ାମୁହିଁ ! ଏସବୁ ପାଇଁ ତୋ' ବୟସ ହେଲାଣି ?
- ମାମା! ଗାଳି କରନା । ପ୍ରେମରେ ବୟସ ନଥାଏ । ନିଜେତ ଲଭ୍ ମ୍ୟାରେଡ୍ !
- ତୁ' ମୋତେ ପ୍ରେମ ଶିଖାଇବୁ ?
- ବୁଝିବାକୁ ଚେଷ୍ଟା କର ମାମା ।
- ବୁଝୁଛି ବୋଲି ତ ଆକଟୁଛି । ଗୋଟେ ଝିଅକୁ ତା' ମା ଛଡା ଅଧିକା ଆଉକିଏ ବୁଝିପାରିବ ?
- ତେବେ ??
- ତୁ ପ୍ରତିଦିନ ଦେଖୁଛୁ ନିଜଘରେ , ପ୍ରେମର ପରିଣତି ।
- ମାନେ ? ଏ ଘର , ମୁଁ , ବାବା ଏସବୁ ତୋ'ପାଇଁ ଗୋଟେ ଭୂଲ ନିଷ୍ପତ୍ତି ??
- ୟେସ୍ ! ଗୋଟେ ସୁନ୍ଦର ସ୍ଵପ୍ନରୁ ଆରମ୍ଭ ହୁଏ ପ୍ରେମ । ମୋ' ବୟସ ସରିଗଲା , ସ୍ଵପ୍ନସବୁ ଆଖିତଳ ନିଦରେ ହଜିଗଲା କେବଳ ।
- ଏତେ ଅସନ୍ତୁଷ୍ଟ ??
- ପ୍ରେମ ସବୁବେଳେ ଅସନ୍ତୋଷ ଦିଏ । ହାରିବା , ହରାଇବାର ସମ୍ପର୍କ । ଜିତାପଟ ବୋଲି କିଛି ନଥାଏ । କେବଳ ଭୁଲଟେ କରିଦେଇଥିବାରୁ , ଚିଲ୍ଲେଇ ଚିଲ୍ଲେଇ କହିବାକୁ ପଡେ , ଆମେ ଠିକ୍ , ଆମେ ଠିକ୍ !!!
- ଓଃ! ତୁମେ ଏମିତି କେମିତି କହିପାରୁଛ ?
- ଶୁଣ ! ଏକ ଧାରଣା , ପ୍ରେମବିବାହ ଗୋଟେ ବୁଝାମଣାର ପ୍ରତୀକ । ଭୁଲ୍ !
ସତତ ଏୟାଯେ , ଦୁହେଁ ଦୁହିଁକୁ ପୂର୍ବରୁ ଦେଖିପରଖି ସାରିଥାନ୍ତି ବୋଲି , ଅଜାଣତରେ ଅହଂକାରଟେ ଜନ୍ମ ନେଇସାରିଥାଏ । କେହିକାହାର ଭୁଲଟିକୁ ସହଜରେ ନନେଇ , ଯୁକ୍ତି କରେଯେ ' ଆଗରୁ ତ ସବୁ ଜାଣିଥିଲ , ଏବେ କାଇଁ କଷ୍ଟ ହେଉଛି ?'
ସେଇଠୁ ଆରମ୍ଭ ହୁଏ ଅସମ୍ମାନ !!!
- ମୁଁ ତୋ' କଥା କିଛି ବୁଝିପାରୁନି ମାମା ।
- ବୁଝିପାରିବାର ବୟସରେ ତୁ ନାହୁଁ ଲିସୁ । କେବଳ ବୁଝିନେ , ୟେ' ମାର ଉପଦେଶ । ନିଶ୍ଚୟ ସୁଖପାଇବୁ ।
- କିନ୍ତୁ ସୁରଜ୍ ?
- ପ୍ରେମ ବାରବାର ହୋଇପାରିବ । ଜୀବନ କିନ୍ତୁ ମାତ୍ରଟିଏ । ସ୍ୱାମୀ ବୋଲି ଯେଉଁ ଅଜଣା ଲୋକଟିଏକୁ ବି ମନଭରି ଭଲପାଇହେବ । କେବଳ ସେତେଯାଏଁ ନିଜକୁ ସୁରକ୍ଷିତ ରଖେଏ ।
- ମାମା! ଜାଣିନି ପଛକୁ ଫେରିବିକି ନାହିଁ । ତଥାପି ଏତିକି ବୁଝିନେଲି ଯେ ପ୍ରେମକୁ ଶେଷଯାଏଁ ଧରିରଖିବା ସହଜ ନୁହେଁ । ସମୟକ୍ରମେ ଫିକା ପଡିଆସେ । ଯେମିତି ବାବାଙ୍କ ପ୍ରତି ତୁମର ।
- ଆମେ ପରସ୍ପରକୁ ଭଲପାଉ । କିନ୍ତୁ ଭଲପାଇବାଟା ସୁଧମୂଳ ହୋଇ ବଢିବା ବ୍ୟତୀରକେ , କେବଳ ଅବସୋସ ବଢାଉଛି । ମୋ'ପରି ତୋ' ବାବା ବି ଯନ୍ତ୍ରଣା ଭୋଗୁଥିବେ ନିଶ୍ଚୟ । ଏପରି ଭାବୁଥିବେ , ଯଦି ସହଜ ବିବାହଟେ ହୋଇଥାନ୍ତା , ଏକ ଭିନ୍ନ ବାଟରେ ଚାଲୁଥାନ୍ତା ଜୀବନ !!
ଏବେଏବେ ଭାରି ପ୍ରଚାରିତ , ପ୍ରସାରିତ ହେଉଥିଲା ଗୋଟେ ଅନ୍ ଲାଇନ୍ ଖେଳ । ବ୍ଲୁହ୍ୱେଲ୍ । ନୀଳତିମି । ଏକ ବିଦେଶୀ ଆତ୍ମଘାତୀ ଖେଳ ।
କୌଣସିଥିରେ ବିଦେଶର ମୋହର ଲାଗିଗଲେ , ଭାରି ମୂଲ୍ୟବାନ ମନେହୁଏ । ସେ ମୃତ୍ୟୁମୁଖକୁ ନେଉପଛେ !
ଏ ଖେଳ , କିଶୋର ମାନଙ୍କ ଭିତରେ ବେଶି ପ୍ରସିଦ୍ଧ । ଏ ବୟସ ସେମିତି । ଭଲମନ୍ଦ ପରଖିବାରେ ଯୋଗ୍ୟ ହୋଇନଥାଏ । ଯାହା ସାମ୍ନାରେ ମିଳେ , ଆଗ୍ରହୀ ହୋଇପଡେ । ଭାଗଫଳ ଯାହା ହେଉନା କାହିଁକି ।
ଦୂରରେ ଥାଇ କେଉଁ ଅଜଣା ନିୟନ୍ତ୍ରକ , ଏ ଖେଳକୁ ପରିଚାଳନା କରୁଥାଏ । ପର୍ଯ୍ୟାୟକ୍ରମେ , ଖେଳାଳିର ମାନସିକ ଅବସାଦକୁ ସେଇଯାଗାରେ ପହଞ୍ଚାଇ ଦିଏ ଯେ , ଆତ୍ମହତ୍ୟା କରିବାକୁ ବାଧ୍ୟ !! ଏ ଖେଳରେ ଥରୁଟିଏ ପଶିଲେ , ସାରିବାକୁ ହେବ , ଫେରିହେବନି ।
ଲିସାକୁ ଲାଗେ ପ୍ରେମ ଗୋଟେ କମ୍ପ୍ଲିଟ୍ ଟାକ୍ସ୍ । ଅଧାରୁ ସମ୍ପର୍କ ଭାଙ୍ଗିବା , ଗୋଟେ ବିକୃତତା । ସୁରଜ୍ ତା' ସ୍ୱପ୍ନ । ଭରସା , ବିଶ୍ଵାସ । ସେଥିପାଇଁ ଖୁବ୍ କମ୍ ଦିନରେ ସେ ତା'ଠାରେ ପୂର୍ଣ୍ଣ ସମର୍ପଣ କରିଦେଇଛି । ତା' ପ୍ରତି କିଛି ସନ୍ଦେହ ବି ନାହିଁ । ସବୁଯାକ ସ୍ଵପ୍ନକୁ ସୁରଜ୍ ପୁରାକରିବାର ଦକ୍ଷତା ରଖିଛି ।
ମାମାର ଗୁଢତତ୍ତ୍ୱ ବୁଝିହେଉନଥିଲା । ହୁଏତ ସେ ତା' ଅଭିଭାବକତ୍ୱ ଜାହିର୍ କରୁଥାଇପାରେ । ମନରେ ଭୟଦେଇ ସୁରଜଠୁଁ ଦୂରେଇବାକୁ ପ୍ରବର୍ତ୍ତାଉ ଥିବ । ନିଜେ ପ୍ରେମତକ ଭୋଗିନେଇ , ତାକୁ ଦର୍ଶନ ବୁଝାଉଥିବ ! ମାମାପ୍ରତି ବିଦ୍ରୋହୀ ହୋଇଗଲା ମନ ।
ହୁଏତ ମାମା ଠିକ୍ କହୁଥାଇପାରେ !!!!!
ସେ କିନ୍ତୁ ଛାଡିବ କେମିତି ?? ଯେଉଁ ସମ୍ପର୍କର ଅନେକ ପଡାବ ପାର୍ କରିସାରିଲାଣି । ପଛକୁ ଫେରିବ ଅବା କେମିତି ? ତା' ପାଇଁ ହାତ କାଟିଦେଇଥିବା ପ୍ରେମିକ ରକ୍ତର କଣ କିଛି ମୂଲ୍ୟ ନାହିଁ ?
ଏକ ଦୋଛକିରେ ଲିସା । ମାମା ଆଉରି କହିଥିଲା _
କିଛି ଆଢୁଆଳରେ ନରହିଲେ , ଆଗ୍ରହ ବଢେନାହିଁ । ଅନାଗ୍ରହ ହେଲେ , ପ୍ରେମ ସରିଯାଏ !!
ସୁରଜର ଆଖିରେ , ମନଦେହରେ , ମୋବାଇଲ୍ ଭିତରେ , ସବୁଠାରେ , ଏବେ ଲିସାର ଠିକଣା । ସତରେ କଣ ଦିନେ ସୁରଜ୍ ତାଠୁଁ ମୁହଁ ଫେରାଇନାହିଁତ ? ନା ମାମାବାବାଙ୍କ ପରି ଗୋଟେ ସାଲିସ୍ କରା ଜୀବନରେ ବଞ୍ଚିବାକୁ ହେବ ସାରା ଜୀବନ ??
ମାମା ଏବେ ଲିସାପ୍ରତି ଢେର ସତର୍କ ହୋଇପଡିଛି ଯେମିତି । କେବେ ଯାଉଛି , କେବେ ଫେରୁଛିର ହିସାବ ବାବାଙ୍କୁ ଦେବାକୁ ପଡୁଛି । ମୋବାଇଲଟେର ନିହାତି ଆବଶ୍ୟକତା ଯେ ଅଛି , ସେକଥା ଦୁହିଁକୁ ଉଚିତ୍ ଲାଗୁନି । ସୁରଜ୍ ଠୁଁ ତାକୁ ଦୂରରେ ରଖିବାକୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ନିଜ ଅସଫଳତାର ଫଳକୁ ତା'ଠାରେ ପ୍ରୟୋଗ କରୁଛନ୍ତି ଦୁହେଁ । ଏଇ ଅବସାଦ ସମୟରେ ସୁରଜ୍ ଭିନ୍ନ ତା'ର ନିଜର ବୋଲି ଆଉ କେହି ମନେହେଲେନି । ସେହିଁ ଦେଇପାରିବ , ଜୀଇବାର ସାହାସ । ସେ ତାର ଉର୍ଯା ।
- ସୁରଜ୍ !
- ହଁ କୁହ ?
- ଖୁବ୍ କଷ୍ଟରେ ଅଛି । ଏମାନେ ତ ଅଲଗା କରିବାର ଯେମିତି ପଣ ଖାଇଛନ୍ତି ।
- ହଁ , ସେଥିଲାଗି ଦେଖୁଛି ଆଜିକାଲି ଖୁବ୍ ଖାପଛଡ଼ା ହେଉଛ !
- ବୁଝମୋତେ । ଦୋଷ ଦିଅନା ପ୍ଲିଜ୍ ।
- ମନେରଖିଥିବ ଲିସା , ମୋଠୁଁ ଅଲଗା ହେବାର ଫଳ ଖୁବ୍ ଭୋଗିବାକୁ ପଡିବ ତୁମକୁ ।
- ଏମିତି କୁହନି । ମୁଁ ସବୁବେଳେ ତୁମର ।
- ଆମ ଅନ୍ତରଙ୍ଗତାର ସବୁଯାକ ପ୍ରମାଣ ମୋ ଏଇ ଛୋଟିଆ ମୋବାଇଲ୍ ଗ୍ୟାଜେଟରେ ଭରିରହିଛି । ଏଇକଥାକୁ ତୁମ ହିତାକାକ୍ଷୀଂ ମାମାଙ୍କୁ ବୁଝାଇଦିଅ ।
- ହ୍ୱାର୍ଟ ! ତୁମେତ କହୁଥିଲ , ସେସବୁକୁ ଡିଲିଟ୍ ...?
- ଆରାମରେ ଶୋଇପଡ ଲିସା । ମୋ ବୁଦ୍ଧିମତାକୁ ପ୍ରଶ୍ନ କରନାହିଁ । କାଲି ସକାଳକୁ ନିଶ୍ଚେ ଦେଖାକରିବ । ଗୁଡନାଇଟ୍ ।
ସ୍ୱାମୀ ଟୁରରେ । ଘରେ ମାମା ଆଉ ଲିସା । ଛୁଟିଦିନ ବୋଲି ଶିଘ୍ର ଉଠିବାର ଦର୍କାର ନଥିଲା । ତଥାପି ଆଠଟା ହେଲାଣି । ଉଠାଇବାକୁ ହେବ ଲିସାକୁ । ଚା ପିଉପିଉ ଡାଇନିଂ ଟେବୁଲ୍ ଉପରକୁ ନଜର ଗଲା । ଚଉତା କାଗଜ ଟିଏ । ଖୋଲି ଦେଖିବାରୁ -
- " ମାମା ! ଏ ପ୍ରେମବି ବ୍ଲୁହ୍ୱେଲ୍ ଚ୍ୟାଲେଞ୍ଜ ପରି । ଖେଳିହେବ , କିନ୍ତୁ ମୁକୁଳିବା ଅସମ୍ଭବ ।"
ଧାଇଁଲେ ମାମା । ଲିସାର ଶୋଇବା ଘରକୁ । ଚା'କପ୍ ଫୋପାଡିଦେଇ !!!
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର