Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Kumar Jena

Abstract Others

3  

Pramod Kumar Jena

Abstract Others

ଖୁସି

ଖୁସି

2 mins
420


  ଆଗେ ଏଠିକୁ କୌଣସି ବସ୍ ଚଳାଚଳ କରୁନଥିଲା । ଲୋକେ ପାଖ ସହରକୁ ଟ୍ରେକରରେ ଯିବା ଆସିବା କରୁଥିଲେ । ତିନି ଚାରିଟା ମିନି ବସ୍ ଦିନ ସାରା ଚାଲୁଥିଲା । ଏମିତି କିଛି ଗୋଟେ ସମୟ ନିର୍ଘଣ୍ଟ ବି ନଥିଲା । ଯେତେବେଳେ ପୁରା ଲୋକ ହୋଇଯାଆନ୍ତି, ଗାଡି ଛାଡେ । ତେଣୁ ହୁଏ ତ ଦଶ ମିନିଟ୍ ହୋଇପାରେ, ନ ହେଲେ ଦୁଇ ଘଣ୍ଟା । ଯାତ୍ରୀଙ୍କ ଭାଗ୍ୟ ଉପରେ ନିର୍ଭର କରେ । ଏମିତି ଅନେକ ବର୍ଷ ତଳେ ଗୋଟିଏ ମିନି ବସ୍ ଭିତରେ ମୁଁ ବସିଥାଏ । ମନେ ମନେ ଭାବୁଥାଏ, ଦଶ ମିନିଟରେ ଛାଡିବ ନା ଦୁଇ ଘଣ୍ଟା ପରେ । ଝର୍କା ପାଖରେ ହାତ ରଖି ଶୋଇବାକୁ ଚେଷ୍ଟା କରୁଥିଲି । ହଠାତ୍ କାହାର ପାଟି ଶୁଣି ଆଖି ଖୋଲିଲି ।

ମୁକ ନୁହେଁ କି ଖନା ନୁହେଁ । କିନ୍ତୁ ସ୍ୱର ସ୍ପଷ୍ଟ ନୁହେଁ । ମୁଣ୍ଡ ନୁଖୁରା । ହାତରେ ଗୋଟିଏ ବାଡି । ବୁଝିବାକୁ ଡେରି ହେଲାନି, ଲୋକଟା ଖନା ଆଉ ଛୋଟା ମଧ୍ୟ । ବାରମ୍ବାର ମୋତେ ଏଁ ଏଁ କହି ହାତ ପତେଇ ମାଗୁଥିଲା । ପକେଟ୍ ଦରାଣ୍ଡିଲି । ଖୁଚୁରା ବି ନ ଥିଲା । ପର୍ସ୍ ଖୋଲିଲି । ପୁରୁଣା ଟଙ୍କିକିଆ ନୋଟ୍ ଗୋଟିଏ ଥିଲା । ହାତକୁ ତା’ର ବଢେଇ ଦେଲି । ଦଶ ପଇସା କି ପଚିଶି ପଇସା ଜାଗାରେ ଟଙ୍କାଟିଏ ପାଇ ଖୁସିରେ ଦଉଡିଲା ଚାହା ଦୋକାନ ଆଡକୁ । ଯେମିତି ତା’ର ସାରା ଦିନର ପାରିଶ୍ରମିକ ମିଳିଗଲା । କିଛି ଗୋଟେ ଖାଇ ନେବ । ମୁଁ ଏପଟକୁ ମୁହଁ ବୁଲେଇ ପୁଣି ଶୋଇବାକୁ ଚେଷ୍ଟା କଲି ।


ହଠାତ୍ ଜୋରରେ ପାଟି ଶୁଣାଗଲା । ସେଇ ଖନା ଆଁ ଆଁ କରି କ’ଣ ଗୋଟେ ଚିତ୍କାର କରୁଛି । ଜାଣିବାକୁ ପାଇଲି, ସେ ଦୋକାନୀ ଟଙ୍କାଟିକୁ ଫେରେଇ ଦେଇଛି । ପୁରୁଣା ନୋଟ୍ ଚଳିବନି । ତା’ ହାତରୁ ଚାହା ବିସ୍କୁଟ୍ ଛଡେଇ ନେଲା । ସେଇ ପୁରୁଣା ନୋଟ୍ ଧରି ହିଂସ୍ର ଜଙ୍ଗଲୀ ଜାନୁଆର୍ ଭଳି ମୋ ଆଡକୁ ମାଡି ଆସିଲା । ଆଉ ସେହି ଦୁର୍ବୋଧ୍ୟ ଭାଷାରେ ଚିତ୍କାର କରି ଇଙ୍ଗିତରେ କହିବାକୁ ଚାହୁଁଥିଲା, “ଆରେ ମୋତେ ଏଇଟା କ’ଣ ଦେଲୁ ? କାହିଁକି ଦେଲୁ ? ତୁ ଗୋଟେ ବଦମାସ୍.... ତୁ ଗୋଟେ ଠକ....ତୋ ଯୋଗୁଁ ମୋ ହାତରୁ ସେ ବିସ୍କୁଟ୍ ଚାହା ଛଡେଇ ନେଲା ।” ଟିକିଏ ବିବ୍ରତ ହୋଇ ପର୍ସ୍ ଖୋଲିଲି । ଆଉ ଟଙ୍କିକିଆ ବି ନାହିଁ । ଅନନ୍ୟୋପାୟ ହୋଇ ତା’ ହାତରେ ପାଞ୍ଚ ଟଙ୍କିଆ ନୋଟ୍ ଗୋଟିଏ ଧରେଇଦେଲି । ପାଞ୍ଚ ଟଙ୍କିଆ ନୋଟ୍ ଦେଖି ତା’ ଆଖି ଖୁସିରେ ଚମକି ଉଠିଲା । ଯେମିତି ସେ ବିଶ୍ୱାସ କରିପାରୁ ନ ଥିଲା । ସେଇଟାକୁ ମୁଣ୍ଡରେ ଧରି ନାଚିବାକୁ ଲାଗିଲା । ଯେମିତି ତା’କୁ ସାରା ସ୍ୱର୍ଗଟା ମିଳିଗଲା । ସେହି ଖନା ଖନା ସ୍ୱରରେ ଚିତ୍କାର କରି ବସ୍ ଷ୍ଟାଣ୍ଡ୍ ସାରା ଘୁରି ବୁଲିଲା । ସେତେବେଳକୁ ତା’ ହାତରେ ବାଡି ବି ନ ଥିଲା । ଏତେ ଖୁସି ମୁଁ ମୋ ଜୀବନରେ କାହାକୁ କେବେ ବି ଦେଖି ନ ଥିଲି । ଖୁସିର ବିବିଧ ସ୍ତର ମୁଁ ସେ ଦିନ ଅନୁଭବ କଲି । ଯେମିତି ଲାଗିଲା, ସେଟା ପାଞ୍ଚ ଟଙ୍କିଆ ନୋଟ୍ ନୁହେଁ, ପାଞ୍ଚ ଲକ୍ଷ ଟଙ୍କାର ଲଟେରୀ ।



Rate this content
Log in

Similar oriya story from Abstract