Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୨୭
ଶୁଆ ଶାରୀ କଥା - ୨୭
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.2K    9


Content Ranking

ଚାରୀ ସୁନ୍ଦରୀ ଓ ମେଣ୍ଢା କଥା

ଭାରତ ଦେଶରେ ଅବନ୍ତୀ ନଗ୍ର ନାମରେ ଗୋଟିଏ ଦେଶ ଥାଏ । ସେ ଦେଶରେ କନକ ବର୍ଦ୍ଧନ ନାମରେ ଜଣେ ରାଜା ରାଜତ୍ୱ କରୁ ଥାଆନ୍ତି । ରାଜାଙ୍କର ପୁଣି ଚାରି ପୁଅ । ସେ ଚାରି ପୁଅ ଯାକ ଯେମିତି ସୁନ୍ଦର ସେମିତି ବିଦ୍ୟାବନ୍ତ । ସେହି ପରି ଧନୁର୍ବିଦ୍ୟାରେ ଧନୁର୍ଦ୍ଧର । ଆଉ ଅଶ୍ୱ ଚାଳନାରେ ସେମାନେ ଏତେ ପାରଙ୍ଗମ ଯେ ତାଙ୍କ ତୁଲ୍ୟ ରାଜ କୁମାର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିବ ନାହିଁ ।

ଦିନକର କଥା ପାରିଧି କରିବାକୁ ରାଜା ପୁଅ ମାନଙ୍କର ଇଚ୍ଛା ହେଲା, ତହୁଁ ସେ ରାଜା ଓ ରାଣୀଙ୍କ ଠାରୁ ବିଦାୟ ନେଇ ପାରିଧିକୁ ବାହାରି ଗଲେ ।

ରାଜ୍ୟ ଜନ ବସତି ଏହା ମଧ୍ୟରେ ସରି ଯାଉଛି । ରାଜା ପୁଅ ମାନଙ୍କର ଅଶ୍ୱ ଗୁଡିକ ଏବେ ଅରଣ୍ୟ ରାସ୍ତାରେ ଚାଲିଲେ । ଅରଣ୍ୟ ମଧ୍ୟରେ କେଜାଣି ଦଶ କୋଷ ଚାଲି ଯିବା ପରେ ପଡିଲା ଖୁବ୍ ଘଂଚ ଅରଣ୍ୟ । ସେ ଏପରି ଅରଣ୍ୟ ଯେ ସତେ ଯେପରି ବାଛି ବାଛି ଭଗବାନ ସେହି ଅରଣ୍ୟକୁ ସମସ୍ତ ପଶୁ ମାନଙ୍କ ଲାଗି ବାଛି ଦେଇ ଥିଲେ ।

ହାତୀ ଠାରୁ ଯେତେ କ୍ଷୁଦ୍ର ପଶୁ, ସେହି ଅରଣ୍ୟରେ ଭରପୁର । କାରଣ ଏଭଳି ଭୟାତ୍ମକ ଅରଣ୍ୟରେ ପଶି ପଶୁ ଶିକାର କରିବାକୁ ସମସ୍ତଙ୍କ ମନରେ ଭୟ ଥାଏ ।

ଯୋଗକୁ ଏ ଚାରି ଜଣ ରାଜା ପୁଅ । ଚାରି ଭାଇ, ସବୁ ବିଦ୍ୟାରେ ପାରଙ୍ଗମ, ତେଣୁ ସେମାନଙ୍କର ଆଉ କାହାକୁ ଭୟ ନଥାଏ ।

ଯାଉ ଯାଉ ସେମାନେ ଅରଣ୍ୟ ମଧ୍ୟରେ ବହୁତ ଦୂରକୁ ଚାଲି ଗଲେ, କେତେ ବାଟ ଗଲା, ପରେ ସେମାନଙ୍କ ଆଗ ଦେଇ ଏକ ସୁନ୍ଦର ମୃଗ କୁଦା ମାରି ଚାଲି ଗଲା ।

ମୃଗଟିକୁ ଦେଖିବା ପରେ ରାଜା ପୁଅ ମାନେ କହିଲେ – ଯାହା ହେଉ ଆମ୍ଭ ମାନଙ୍କର ଆଜିର ଅନୁକୂଳଟା ଖୁବ୍ ଶୁଭରେ ହୋଇ ଥିଲା । ଏଥର ଆମକୁ ଦେଖା ଦେଇ ମୃଗଟି ଆଉ ଯିବ କୁଆଡେ ।

ଏହା ପରେ ଚାରି ଭାଇ ଚାରି ଦିଗରେ ଅଶ୍ୱ ଛୁଟାଇ ଦେଲେ । ମୃଗଟି କିନ୍ତୁ ଖୁବ୍ ଚାଲାଖ୍ । ସେ ଠିକ୍ ଜାଣି ପାରି ଥିଲା ଯେ ଏଇମାନେ ଅରଣ୍ୟ ମଧ୍ୟକୁ ଶିକାର କରିବାକୁ ଆସିଛନ୍ତି । ମୁଁ ଯେତେ ବେଳେ ଏମାନଙ୍କର ହାବୁଡରେ ଆଗ ପଡିଛି ଏମାନେ ମୋ ଉପରେ ନିଶ୍ଚୟ ନଜର ରଖି ଚାରି ଦିଗରେ ଗଲେଣି ।

ମୃଗଟିର ମନରେ ସେଥି ଲାଗି ଭୟ ସଂଚାର ହେଲା । ତେଣୁ ସେ ନିଜର ଜୀବନ ରକ୍ଷା କରିବା ଲାଗି ସେମାନଙ୍କର ଅଶ୍ୱ ଆଗରେ ଦୌଡିବାକୁ ଆରମ୍ଭ କରି ଦେଲା ।

ଏହି ପରି ଭାବରେ ରାଜା ପୁଅ ଚାରି ଭାଇଙ୍କ କବଳରୁ ରକ୍ଷା ପାଇବା ଲାଗି ମୃଗ ବହୁ ପରିଶ୍ରମ କରି ଏପରି ଦୌଡିଲା ଯେ ଏମାନଙ୍କର ଅଶ୍ୱ ମୃଗକୁ ଆଉ ଧରି ପାରିଲା ନାହିଁ । ମୃଗ ଏଣେ ତେଣେ ଦୌଡିବା ଦ୍ୱାରା ରାଜା ପୁଅ ମାନେ ବାଟ ବଣା ହୋଇ ଅରଣ୍ୟରେ ଦିଗ ହରା ହୋଇ ଗଲେ ।

ଚାରି ଭାଇ ଯାକ ହାଲିଆ ହୋଇ ଯାଇ ଥାଆନ୍ତି । ମୃଗକୁ ତ ଧରି ପାରିଲେ ନାହିଁ । ଏହା ପରେ ମନ ବିରଷରେ ଆସି ଅରଣ୍ୟ ଶେଷରେ ଥିବା ଏକ ପତ୍ର ଗହଳି ବୃକ୍ଷ ତଳେ ବିଶ୍ରାମ ନେଲେ ।

ଅରଣ୍ୟ ମଧ୍ୟରେ ସୁଲୁ ସୁଲିଆ ପବନ, ତହିଁ କି ବୃକ୍ଷର ଛାଇ, ସେମାନଙ୍କ ଆଖିରେ ନିଦ ଆସି ଗଲା । ସେଥି ଯୋଗୁଁ ସେମାନେ ନିଦରେ ଶୋଇ ପଡିଲେ ।

ସେ ଦିନ ଚାରି ଭାଇଙ୍କର ସେହି ଅରଣ୍ୟ ମଧ୍ୟରେ ହିଁ ରାତ୍ରି ପାହିଲା ।

ସକାଳ ହେଲା ତଥାପି ତାଙ୍କର ନିଦ ଭାଙ୍ଗିଲା ନାହିଁ । ଯେତେ ବେଳେ ଟାଣ ଖରା ଯାଇ ସେମାନଙ୍କ ଉପରେ ପଡିଲା । ସେତେ ବେଳେ ଯାଇ ଚାରି ଭାଇଙ୍କ ନିଦ୍ରା ଭାଙ୍ଗିଲା ।

ନିଦ ଭାଙ୍ଗିବାରୁ ସେମାନେ ତର ବର ହୋଇ ଉଠିଲେ । ରାତ୍ରି ସାରା ଓ ଦିନଟା ଉପାସରେ କଟାଇ ଥିବା କାରଣରୁ ସେମାନଙ୍କୁ ଖୁବ୍ ଭୋକ ହେଉ ଥାଏ । ଶିକାର ତ କରି ପାରିଲେ ନାହିଁ । ଭୋକ ହେବାରୁ ସେମାନେ ବିଚାର କଲେ ଏବେ ଆମେ ରାଜ ଉଆସକୁ ଫେରି ଯିବା ।

ଏହା ପରେ ରାଜା ପୁଅ ଚାରି ଭାଇ ନିଜର ରାଜ ଉଆସକୁ ବାହୁଡି ଯିବା ଲାଗି ଅଶ୍ୱ ମାନଙ୍କୁ ଦୌଡାଇ ଦେଲେ ।

ସେମାନଙ୍କର ସେଦିନ ଦୁର୍ଯୋଗ ଥିଲା, ଅଶ୍ୱ କିମ୍ବା ରାଜା ପୁଅ ମାନେ ନିଜ ରାଜ୍ୟକୁ ବାହୁଡିବା ରାସ୍ତା ଭୁଲି ଯାଇ ଅନ୍ୟ ଏକ ରାସ୍ତାରେ ଚାଲି ଗଲେ ।

ଅଶ୍ୱ ମାନେ ଯେ କେତେ ଦୂର ଚାଲି ଗଲେଣି ତାହା ରାଜା ପୁଅ ମାନଙ୍କୁ ଜଣା ପଡିଲା ନାହିଁ । ସେମାନେ ଏଭଳି ଯାଉ ଯାଉ ଅନ୍ୟ ଏକ ରାଜ୍ୟରେ ପହଁଚି ଗଲେ । ଭୋକ ତ ଭୋକ ସେତେ ବେଳକୁ ଏତେ ଜୋର୍ରେ ଶୋଷ ହେଉ ଥିଲା ଯେ ସେମାନେ କେଉଁ ଠାରେ ପାଣି ମୁନ୍ଦେ ପାଇବେ ସେହି ଲକ୍ଷରେ ଥାଆନ୍ତି ।

ଯୋଗକୁ ଗୋଟିଏ ଗାଁ ମୁଣ୍ଡରେ ଏକ କୂଅ ଦେଖିଲେ । ହେଲେ କ’ଣ ହେବ କୂଅ ମୂଳରେ ଗାଁଟା ସାରା ମାଇପେ ହାଣ୍ଡି କୁଣ୍ଡେଇ ଧରି ବସିଛନ୍ତି । ଜଣଙ୍କ ପରେ ଜଣେ ସେ କୂଅରୁ ପାଣି ନେଉଛନ୍ତି ।

ଚାରି ଭାଇଙ୍କୁ ତ ଖୁବ୍ ଶୋଷ ହେଉ ଥାଏ, ସେମାନେ ମଧ୍ୟ ପାଣି ପିଇବା ଲାଗି ସେହି କୂଅ ପାଖକୁ ଯାଇ ପିଇବାକୁ ପାଣି ମାଗନ୍ତେ ସେଥି ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ମାଠିଆରେ ମାଠିଏ ପାଣି ଆଣି ସେମାନଙ୍କୁ ପିଇବାକୁ ଦେଲା ।

ରାଜା ପୁଅ ମାନେ ପାଣି ପିଇ ସାରିବା ପରେ ପୁଣି ଅଶ୍ୱ ପୃଷ୍ଠରେ ବସି ଆଗକୁ ଚାଲିଲେ । ଯାଉ ଯାଉ ସେମାନେ ଗୋଟିଏ ନୂଆ ସହରରେ ପହଁଚି ଗଲେ । ସେହି ସହରରେ ଅନେକ ଗୁଣିଆ ଥିଲେ । ଏହା କିନ୍ତୁ ରାଜ ପୁଅ ମାନଙ୍କୁ ଅଜଣା ଥିଲା ।

ରାଜା ପୁଅ ମାନେ ସହରଟିର ଶୋଭା ଦେଖି ଖୁବ୍ ଆନନ୍ଦ ହୋଇ ଯାଇ ସହର ବୁଲି ଯିବାକୁ ଇଚ୍ଛା କରି ଅଶ୍ୱ ମାନଙ୍କୁ ସହରର ଆରମ୍ଭରେ ବାନ୍ଧି ଦେଇ ସହର ମଧ୍ୟରେ ବୁଲିବା ନିମନ୍ତେ ବାହାରି ଗଲେ ।

ରାଜା ପୁଅ ଚାରି ଜଣ ଏହି ଭାବରେ ସହର ପରିଭ୍ରମଣ କରୁ ଥାଆନ୍ତି । ସହର ମଝିରେ ଗୋଟିଏ ସୁନ୍ଦର ଭୋଜନାଳୟ ଦେଖିଲେ । ସେତେ ବେଳକୁ ତାଙ୍କୁ ବହୁତ ଭୋକ ହେଉ ଥିଲା । ସେଥି ଲାଗି ସେମାନେ ସେହି ଭୋଜନାଳୟ ଭିତରେ ପଶି ଗଲେ ।

ଭୋଜନାଳୟ ଭିତରେ ରାଜା ପୁଅ ମାନେ ପଶି ଯିବା ପରେ ଯାହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇ ଗଲେ । ସେମାନେ ଯାହା ଦେଖିଲେ ସେଥିରୁ ସେ ଅନୁମାନ କରି ନେଇ ଥିଲେ । ଭୋଜନାଳୟଟି ଯାହାର ସେ ନିଶ୍ଚୟ ଜଣେ ଖୁବ୍ ଧନୀ ଲୋକ, ପୁଣି ଭୋଜନାଳୟ ମଧ୍ୟରେ ଖୁବ୍ ସୁନ୍ଦରୀ ଚାରି ଗୋଟି ଝିଅକୁ ଦେଖିଲେ । ସୁନ୍ଦର ପଣରେ ସମସ୍ତେ ସୁନ୍ଦରୀ, ସେମାନଙ୍କର ଖୁଣ ବାଛିବାର ନାହିଁ । ସେମାନେ ପୁଣି ସେହି ଭୋଜନାଳୟ ମଧ୍ୟରେ ଚାରି ଜଣଙ୍କର ଚାରି ଗୋଟି କୋଠରି ମଧ୍ୟ ଥାଏ ।

ରାଜା ପୁଅ ମାନେ ଯେତେ ବେଳେ ଭୋଜନାଳୟ ମଧ୍ୟରେ ପ୍ରବେଶ କରିଲେ ସେହି ସୁନ୍ଦରୀ ଝିଅ ମାନେ ରାଜା ପୁଅ ମାନଙ୍କୁ ଦେଖି ଦେଲେ । ସେମାନେ ମନେ ମନେ ଭାବିଲେ ଏହି ଚାରି ଯୁବକ ମାନେ କେବଳ ସାଧାରଣ ଘର ପିଲା ପରି ଜଣା ଯାଉ ନାହାଁନ୍ତି । ଏମାନେ ନିଶ୍ଚୟ ଖୁବ୍ ଧନୀ ଘରର ପିଲା । କାରଣ ଏତେ ସୁନ୍ଦର ପଣର ଯୁବକ ସେମାନେ ଆଗରୁ କେବେ କେଉଁ ଠାରେ ଦେଖିବାକୁ ପାଇ ନଥିଲେ ।

ରାଜା ପୁଅ ଚାରି ଜଣ – ଭୋଜନାଳୟ ମଧ୍ୟରେ ବସି ଥାଆନ୍ତି । ଏହା ମଧ୍ୟରେ ସାନ ଭଉଣୀ ଜଣଙ୍କ ଚାରି ଭାଇଙ୍କର ସୁନ୍ଦର ଚେହେରା ଦେଖି ଆସକ୍ତ ହୋଇ ପଡିଲା । ଆଉ ମଧ୍ୟ ଅନ୍ୟ ତିନି ଭଉଣୀଙ୍କୁ କହିଲା – ତମେ ମାନେ ଭାବନା ଯେ ଏମାନେ ସାଧାରଣ ଘରର ପୁଅ । ଏମାନେ ନିଶ୍ଚୟ କୌଣସି ରାଜାଙ୍କର ପୁଅ । ପଥ ଭୁଲି ଏ ସହରକୁ ପଳାଇ ଆସି ଛନ୍ତି ।

ସାନ ଭଉଣୀର କଥା ଶୁଣି ସମସ୍ତଙ୍କର ମଧ୍ୟ ସେହି ପରି ମନେ ହେଲା ସେମାନେ ତ ଗୁଣି, ଯନ୍ତ୍ର, ମନ୍ତ୍ର, ତନ୍ତ୍ର ବିଦ୍ୟାରେ ପାରଙ୍ଗମ, ତେଣୁ ବଡ ତିନି ରାଜା ପୁଅଙ୍କୁ ତିନି ବଡ ଭଉଣୀ ନିଜ କୋଠରିକୁ ମେଣ୍ଢା କରି ନେଇ ଗଲେ ।

ସେମାନେ ତିନି ରାଜା ପୁଅଙ୍କୁ ଦିନ ବେଳା କୋଠରି ମଧ୍ୟରେ ମେଣ୍ଢା କରି ରଖୁ ଥିଲେ ପୁଣି ରାତି ହେଲେ ମଣିଷ କରି ଦେଉ ଥିଲେ । ତା’ପରେ ଚାରି ଭାଇଙ୍କ ସହିତ କାମନା ବାସନାରେ ମାତି ଆନନ୍ଦ କରୁଥିଲେ । ସେହି ପରି ସାନ ଭଉଣୀ ସାନା ରାଜା ପୁଅକୁ ନିଜର ଆୟତରେ ରଖି ନେଲା, ତାଙ୍କୁ ନିଜର ସ୍ୱାମୀ ଭାବେ ଖୁବ୍ ସେବା ଯତ୍ନ କରୁ ଥାଏ । ସାନ ଭଉଣୀର ଏପରି ବ୍ୟବହାର ଦେଖି ରାଜାଙ୍କର ସାନ ପୁଅ ମଧ୍ୟ ସେହି ଝିଅକୁ ଭଲ ପାଇ ବସିଲା । ସେ କିନ୍ତୁ ସାନ ପୁଅକୁ ମେଣ୍ଢା କରି ରଖିଲା ନାହିଁ । ସାଧାରଣତ ମନୁଷ୍ୟ ଭାବରେ ପାଖରେ ରଖି ଭଲ ପାଇଲା । ସେଥି ଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଏପରି ନିଗୂଢ ହୋଇ ଗଲା ଯେ ଏବେ କେହି କାହାକୁ ଛାଡି ରହି ପାରିଲେ ନାହିଁ ।

ଏହି ଭଳି ଭାବରେ ଚାରି ଭାଇ ଚାରି ଭଉଣୀଙ୍କ ପାଖରେ ରହି ଥାଆନ୍ତି । ଦିନେ ରାଜାଙ୍କର ସାନ ପୁଅର ପିତା ମାତା ଓ ତାର ରାଜ ଉଆସ କଥା ମନେ ପଡିଲା । ସେ ସ୍ଥାନରେ ଆଉ ତାକୁ କିଛି ଭଲ ଲାଗିଲା ନାହିଁ । ସଦା ସର୍ବଦା ମନ ମାରି ଯେଉଁଠି ବସିଲା ସେଠାରେ ଆଖିରୁ ଲୁହ ଗଡିଲା ।

ଏକଥା ଦେଖି ସାନ ଭଉଣୀର ମନରେ ଖୁବ୍ ଦୁଃଖ ସନ୍ତାପ ଆସିଲା । ସେ ତହୁଁ ରାଜା ପୁଅର ମନରେ ଆନନ୍ଦ ଆଣିବା ଲାଗି ଗଳାରେ ଦୁଇ ବାହୁ ଛନ୍ଦି ଗଣ୍ଡ ଦେଶରେ ଚୁମ୍ବନଟିଏ ଦେଇ କହିଲା – ତମର ଏବେ କ’ଣ ହୋଇଛି, ଏପରି ବିଷାଦ ମନରେ ଯେଉଁଠି ପାରୁଛ ସେଠାରେ ବସି ଯାଉଛ କାହିଁକି?

ସାନ ଭଉଣୀ ଠାରୁ ରାଜା ପୁଅ ଏପରି କଥା ଶୁଣି କହିଲା – ପ୍ରିୟେ ତୁମକୁ ସତ କହି ବିନିତ ଆଉ କାହା ପାଖରେ ସତ କହିବି । ଏବେ ମୋର ମାତା ପିତାଙ୍କ କଥା ଖୁବ୍ ମନେ ପଡୁଛି । ଚାରି ଭାଇ ଆମେ ସାଥି ହୋଇ ଆସି ଥିଲୁ ଆଜି ଯାଏଁ କେହି ହେଲେ ଜଣେ ଘରକୁ ଫେରିଲୁ ନାହିଁ । ପିତା ମାତା ବୃଦ୍ଧ ଅବସ୍ଥା ତାଙ୍କର ଆମ ଲାଗି ସେମାନେ ଖୁବ୍ ବ୍ୟସ୍ତ ହେଉ ଥିବେ । ତା’ପରେ ସେହି ତିନି ଭାଇ ଯାକ ବିବାହିତ, ଘରେ ସେମାନଙ୍କର ସ୍ତ୍ରୀ ମାନେ କେତେ ଯେ ଭାବୁ ଥିବେ । ସ୍ୱାମୀ ମାନଙ୍କ ଚିନ୍ତାରେ ସେମାନେ ହତଶିରୀ ହୋଇ ଯିବେଣି । ତୁମକୁ ମୋର ଅନୁରୋଧ, ତୁମେ ଏହାର କିଛି ବ୍ୟବସ୍ଥା କର । ଯେମିତି ହେଉ ସେମାନଙ୍କୁ ଉଦ୍ଧାର କରି ରାଜ୍ୟକୁ ପଠାଅ ।

ସାନ ରାଜା ପୁଅ ଠାରୁ ଏକଥା ଶୁଣି ସାନ ଝିଅ ବଡ ଅଡୁଆରେ ପଡି ଗଲା । ସେ କ’ଣ କରିବ କିଛି ବି ଭାବି ପାରିଲା ନାହିଁ । ଗୋଟେ ପଟେ ତିନି ଭାଇଙ୍କୁ ଉଦ୍ଧାର କରି ପଠାଇ ଦେଲେ ତିନି ଭଉଣୀଙ୍କ ମନରେ ଦୁଃଖ ହେବ । ଯଦି ତାହା କରି ନପାରିଲି ତାହା ହେଲେ ସ୍ୱାମୀଙ୍କ ମନକୁ ଦାରୁଣ ଦୁଃଖ ଆସିବ ।

ଏହା ପରେ ସାନ ଭଉଣୀ ମୁଣ୍ଡରେ ଗୋଟିଏ କଥା ତିନି ଭାଇଙ୍କୁ ଖସାଇ ଦେଲେ ଭଉଣୀ ମାନେ ଏବେ ଦୁଃଖରେ ଘାରି ହେବେ । ଯଦି ଖସାଇ ନଦେବି ମୋର ଏହି ପ୍ରିୟ ପୁରୁଷ ମୋତେ ଭୁଲ୍ ବୁଝିବେ । ଏହି ଭଳି ଚିନ୍ତା କରି କରି ଶେଷରେ ସାନ ଭଉଣୀ ଚିନ୍ତା କଲା ଯେ କେବଳ ମୋର ପୁରୁଷଙ୍କ ପାଇଁ ଯାହା କରିବାର କଥା କରି ଦେବି ।

ଶୁଆ ଶାରୀ ସୁନ୍ଦରୀ ମେଣ୍ଢା

Rate the content


Originality
Flow
Language
Cover design

Comments

Post

Some text some message..