Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Children Stories Others

3  

Satyabati Swain

Children Stories Others

ପିଲାଦିନ ଓ ମନ

ପିଲାଦିନ ଓ ମନ

3 mins
374


ବିଳାସ ବ୍ୟସନର ଜୀବନ ଜୀଉଁଥିବା ମଣିଷ ଏବେ ଡହଳ ବିକଳ ଟିକେ ଆଲୁଅ ଓ ଟୋପେ ପାଣି ପାଇଁ । ଚାରିଆଡେ ଅନ୍ଧାର । କେବଳ ବିଜୁଳି ନାହିଁ ବୋଲି ଦୈନନ୍ଦିନ ଜୀବନ, ଘର ବାହାର, ସହର, ବଜାର ସବୁ ଆଡେ ଅନ୍ଧାରର ରାଜୁତି । ଅସହ୍ୟ ଗରମରେ ଅତିଷ୍ଠ ମଣିଷ । ବେଶୀ ପାଣି କଷ୍ଟ । ଗୁଳୁ ଗୁଳି ଗରମକୁ ପାଣିର ଅଭାବ ବେଦମ କରିଦେଲାଣି । ଶୋଇବା ଦୁଃଖ ତହୁଁ ଅଧିକ । ବିଞ୍ଚଣା ବୁଲାଇ ବୁଲାଇ ଖୁଆ ଦରଜ । ସପରିବାର ଛାତ ଉପରେ ମଶାଙ୍କ ସହ ଲାଗୁଛି ବାଡ଼ିଆ ପିଟା ।

ତତଲା ଛାତକୁ ମଶାଙ୍କ ଉତ୍ପାତ,ପୁଣି କାକର ର ଅଦଉତ । ନିକୁଞ୍ଜ ବାବୁ, ନିକୁଙ୍କୁ ଛାତ ଉପରେ ନିଦ ହେଉନି । ଆକାଶକୁ ଛାହିଛନ୍ତି । ଏପଟ ସେ ପଟ କଡ଼ ଲେଉଟାଉଛନ୍ତି । ଗୋଟିଏ ତାରା ଭିତରେ ଦିଶିଲା ବୋଉ ମୁହଁ । ପଇଁତିରିଶି ବର୍ଷ ତଳକୁ ଚାଲିଗଲା ନିକୁ ବାବୁଙ୍କ ମନ । ଏମିତି ଅନ୍ଧାର ରାତି । ହେଁସ ପାରି ବୋଉ ଶୁଆଇ ଦେଉଥିଲା ପାଞ୍ଚଟି ଛୁଆଙ୍କୁ । ନଡ଼ା ଜାଳି ରୋଷେଇ କରୁଥିଲା ଭାତ, ଡାଲି । ବଡ଼ ନାନୀ ତଳେ ନିକୁ । ପାଞ୍ଚଟି ଯାକ ଛୁଆ ଖରା ଦିନେ ଏମିତି ଦୁଆରେ ଶୋଇ ତାରା ଗଣୁ ଗଣୁ ଶୋଇ ପଡୁଥିଲେ । ବୋଉ ହଲେଇ ହଲେଇ ଡାକି ଡାକି ନୟାନ୍ତ ହେଉଥିଲା । ନିଦ ଭାଙ୍ଗି ଆଖି ମଳି ମଳି ଗୋଟିଏ ଥାଳିରେ ପାଞ୍ଚଟି ହାତ ହାପୁଡୁଥିଲେ ଡାଲି ପାଣି । କି ତୁପ୍ତି ଥିଲା ସେଇ ଛଡା ଛଡି ଖାଇବାରେ ! ଆଜି ଡାଇନିଂ ଟେବୁଲ ଉପରେ ଛ’ ତରକାରୀ ନଅ ଭଜା ସେଇ ଆନନ୍ଦ ଦେଉ ନାହିଁ ଜମା ।

ନିକୁ ବାବୁଙ୍କ ପୁଣି ମନେ ପଡ଼ିଲା ଏମିତି ଖରା ଦିନେ ସକାଳୁଆ ସ୍କୁଲରୁ ଆସି ସେ ଓ ତାଙ୍କ ସାଙ୍ଗ ବିଶୁ ଓ ପବି ଦୌଡ଼ନ୍ତି ପ୍ରଧାନ ପାଟ ଝରଣାକୁ । ଆଃ କି ଥଣ୍ଡା ଥଣ୍ଡା ପାଣି !ପାଣି ବେଶୀ ନଥାଏ । ଆଣ୍ଠୁ ଉପରକୁ ପାଣି, ପାହାଡ଼ କାଟି କାଟି ବହି ଆସିଥାଏ ଝରଣା ସାପ ଗତିରେ । ତିନି ବନ୍ଧୁଙ୍କ ଆରମ୍ଭ ହୋଇଯାଏ ଖେଳ । ଝରଣା କୂଳେ ଥିବା ଆମ୍ବ ଗଛରୁ କୁଦା ମରା ଯାଏ ପାଣିକୁ । ଝରଣା ଭିତରେ ବସି ଫୋପଡ଼ା ଫୋପଡ଼ି ଚାଲେ ପାଣି ପରସ୍ପର ଉପରକୁ । ଚିଲାଉ ବଡ଼ ପାଟିରେ । ହସରେ ଫାଟି ପଡେ ପାହାଡ଼,ପାଖ ଜଙ୍ଗଲ । ତାଙ୍କ ସହିତ ଝରଣା ବି ହସି ଦିଏ କୁଳୁ କୁଳୁ ଗୀତ ଗାଇ ।

ବିଶୁ ଉପରକୁ ପାଣି ପକାଇଲେ ସେ ଭାରି ଚିଡ଼େ । ତାର ସେଇ ଚିଡା ଗୁଣ ବେଶୀ ଆମୋଦ ଦିଏ ନିକୁ ଓ ପବିକୁ । ବେଶୀ ବେଶୀ ପାଣି ପକାନ୍ତି ବିଶୁକୁ ସେମାନେ । ବିଶୁ ବେଳେବେଳେ କାନ୍ଦେ, ବେଳେବେଳେ ତାଙ୍କ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ପାଣି ଛିଲକା ପକାଏ । ଓଃ ଝରଣା ପାଣିରେ ସେ କି ଖେଳ । ହୋ ହୋ ହସରେ ମେଦିନି କମ୍ପେ । ତିନି ବନ୍ଧୁ ହାତରେ ହାତ ଛନ୍ଦି ଗୋଲ ଗୋଲ ଝରଣା ପାଣିରେ ବୁଲନ୍ତି ଓ ଗାଅନ୍ତି ଗୀତ । ବୁଡି ବୁଡି ମୁଣ୍ଡ ଉପରକୁ ସୁର୍ଯ୍ୟ ଦେଖା ଗଲେ ଘରକୁ ଫେରନ୍ତି । ପାଣିରେ ବୁଡି ବୁଡି ଦେହରେ ବସି ଯାଇଥାଏ ବହଳେ ଶିଉଳି ।

ଆଜି ମାର୍ବଲ ଖଚିତ ଅତ୍ୟାଧୁନିକ ଗାଧୁଆ ଘରର ନିବୁଜ ଚାରି କାନ୍ଥ ଭିତରେ ଖୋଜନ୍ତି ନିକୁ ବାବୁ ସେଇ ଝରଣା, ସେଇ ଅପାସୋରା ପିଲା ଦିନ ଓ ମନ । ଟାଙ୍କିରୁ ଆସି ହଟ୍ ବା କୁଲ୍ ସାୱାର ପାଣି ଦେଇ ପାରେ କି ସେଇ ସ୍ବର୍ଗୀୟ ସୁଖ ! ଅପାସୋରା ନିଷ୍କପଟ ସରଳ ପିଲାଦିନ ଓ ମନକୁ ଆତୁରେ ଅଣ୍ଡାଳନ୍ତି ନିକୁ ବାବୁ ।

ସେ ଜଣେ ବଡ ଅଫିସର । ତାଙ୍କର ଏବେ ହାତ ପାଅନ୍ତାରେ ସବୁ । ନାହିଁ କେବଳ ପିଲାଦିନ ଖୁସି ମିଞ୍ଜା ସିଆ ଅଳ୍ପକେ ସନ୍ତୁଷ୍ଟ ମନ । ଆଉ ନାହିଁ ଝରଣା ପାଣିରେ ଚଵ ଚଵ ହେବା କି ପାଣି ପକା ପକି ହୋଇ ବିଶୁ ଓ ପବି ସହ ଗାଧୋଇବାର ପିଲା ଦିନ ନିରୋଳା ଆନନ୍ଦ ।

ଆଃ ଫେରି ଅସନ୍ତା କି ସେ ସୁନ୍ଦର ପିଲାଦିନ ଓ ମନ ! ଛାତ ଉପରେ ମନ କ୍ୟାମେରାରେ ପିଲା ଦିନ ଦେଖୁ ଦେଖୁ ଶାନ୍ତିରେ ଶୋଇ ପଡ଼ିଥିଲେ ନିକୁ ବାବୁ ।


Rate this content
Log in