Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prakas Tripathy

Others

3  

Prakas Tripathy

Others

ଯୌତୁକ

ଯୌତୁକ

3 mins
823


କାଲି ସନ୍ଧ୍ୟାରୁ ମିଶ୍ରବାବୁ ଭାରି ଖୁସି । ଖୁସିର କାରଣ ଥିଲା ତାଙ୍କ ବଡ ଝିଅର ବିନା ଯୌତୁକରେ ବାହାଘର ଠିକ୍ ହୋଇଯିବା । ମିଶ୍ର ବାବୁ କାହିଁକି, ଯେ କୌଣସି ବାପା ବି ଏଭଳି ପ୍ରସ୍ତାବରେ ଖୁସି ହେବା ସ୍ୱାଭାବିକ। ବାପା ମା'ଙ୍କର ଗୋଟିଏ ବୋଲି ପୁଅ । ଭୁବନେଶ୍ୱରରେ ତିନି ମହଲା ଘର,ତା ପୁଣି ରାଜଧାନୀର କେନ୍ଦ୍ରସ୍ଥଳ ନୂଆପଲ୍ଲୀରେ। ପୁଅ ଏକ ଘରୋଇ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର। ତା ବାଦ ନିଜର ଗୋଟେ କ୍ଲିନିକ ଅଛି।ବାପା ସଚିବାଳୟରେ ଡେପୁଟି ସେକ୍ରେଟାରୀ ଥିଲେ, ଗତ ବର୍ଷ ଅବସର ନେଇଛନ୍ତି । ମାଆ ଏବେ ବି ଗୋଟେ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି।ଦୁଇ ବର୍ଷ ପରେ ଅବସର ନେବେ।ମଝି ମହଲାରେ ପୁଅର ପରିବାର ରୁହନ୍ତି।ତଳ ଓ ଉପର ମହଲା ଘର ଭଡା ଲାଗିଛି। ଘର ଆଗରେ ଫୁଲ ବଗିଚା ଓ ଗାଡି ଗ୍ୟାରେଜ। ବିନା ଯୌତୁକରେ ଏହା ଠାରୁ ବଳି ଭଲ ପ୍ରସ୍ତାବ ଆଉ କଣ ଥାଏ ଯେ।

ସତ କଥା ହେଲା, ମିଶ୍ରବାବୁଙ୍କ ବଡ ଝିଅ ରୁବି ବାଣୀବିହାରରେ ଫିଲୋସଫିରେ ପିଜି କଲାବେଳେ ରାଜୀବ ସହ ଦେଖା ସାକ୍ଷାତ ଓ ତା ପରେ ପ୍ରେମ ହୋଇଥିଲା । ରୁବିର ପିଜି ସରିଲା ବେଳକୁ ରାଜୀବ ବି ଚାକିରୀ ପାଇଗଲା । ରୁବି ଯେତେବେଳେ ରାଜୀବକୁ ବିଭାହେବା କଥା ଘରେ କହିଲା, ସେତେବେଳେ ରୁବିର ବାପା ମାଆ ପ୍ରଥମେ ତ ରାଜି ହୋଇଗଲେ, ହେଲେ ପରେ ରାଜୀବ ର ଫ୍ୟାମିଲି ଷ୍ଟେଟସ ଜାଣିବା ପରେ ସେମାନଙ୍କ ମନ ମରିଯାଇଥିଲା। ଏତେ ବଡ଼ ଘରେ ସେ କେମିତି ବନ୍ଧୁ ବାନ୍ଧିବେ ?। ପୁଅ ଟି ଡାକ୍ତର। ତାକୁ ଚାହିଁ ସେ ଯୌତୁକ ଦେଇପାରିବେ ତ ? ଜଣେ ପ୍ରାଥମିକ ଶିକ୍ଷକ ଭାବେ ଯାହା କିଛି ସେ ସଞ୍ଚୟ କରିଥିଲେ, ଦୁଇ ଝିଅ ଓ ଗୋଟିଏ ପୁଅର ପଢ଼ାରେ ତାର ସିଂହ ଭାଗ ଖର୍ଚ୍ଚ ସରିଛି।ମଝିଆ ଝିଅର ବି-ଫାର୍ମା ର ଶେଷ ବର୍ଷ ଓ ସାନ ପୁଅ ବି ଟେକରେ ଏଇ ବର୍ଷ ନାମ ଲେଖାଇଛି। ଆଗକୁ ଆହୁରି ଚାରି ବର୍ଷରେ କେତେ ପଇସା ଖର୍ଚ୍ଚ ହେବ ତାର ହିସାବ ନାହିଁ।ଦୁଇ ଝିଅଙ୍କୁ ହିସାବକୁ ନେଇ ଯାହା କିଛି ସେ ଦେବେ।

ରାଜୀବ କାନରେ ରୁବି ବାପାଙ୍କ ସମସ୍ୟା ପଡିବାରେ ସମୟ ଲାଗିଲାନି। ରୁବି ଠୁ ସବୁ ଶୁଣି ରାଜୀବ ତା ବାପାଙ୍କୁ ସବୁ କହିଲା । ରାଜୀବଙ୍କ ବାପା ସବୁ ଶୁଣି ହସିଲେ । କହିଲେ - ମୋର ସମ୍ପୂର୍ଣ ବିଶ୍ୱାସ ଅଛି ଯେ, ତୁ ଯାହାକୁ ଠିକ୍ କରିଥିବୁ ସେ ନିଶ୍ଚିତ ଭଲ ଝିଅଟିଏ ହୋଇଥିବ। ଆଉ ରହିଲା ଯୌତୁକ କଥା। ମୋର କଣ ଅଭାବ ଅଛି ଯେ ତାଙ୍କୁ ମୁଁ ଯୌତୁକ ମାଗିବି?

ଗତ ସନ୍ଧ୍ୟାରେ ରାଜୀବ ନିଜ ବାପା- ମାଆଙ୍କୁ ନେଇ ରୁବି ଘରେ ପହଂଚି ଥିଲେ।ଗୋଟିଏ ଚାଉଳରେ ଗଢା ରୁବିକୁ ଦେଖି ରାଜୀଵ ବାପା ମାଆଙ୍କର ଖୁସି କହିଲେ ନସରେ। ବୋହୁ ଭଳି ବୋହୁଟିଏ । ସଂଗେ ସଂଗେ ମାଆ ନିଜ ହାତରୁ ମୁଦିଟିଏ କାଢି ରୁବିକୁ ପିନ୍ଧାଇ ଦେଲେ। ଠିକ୍ ମାସକ ପରେ ବିଭାଘର ହେବ ବୋଲି ନିର୍ଭର ପ୍ରତିଶୃତି ବି ଦେଇଦେଲେ।

ଆଜିସନ୍ଧ୍ୟାରେ ମିଶ୍ର ବାବୁ ସ୍କୁଲରୁ ଫେରିବା ପରେ ଟିଭି ଆଗରେ ବସି ନିଉଜ ଦେଖୁଥିଲେ । ମୋବାଇଲ୍ ରିଂ ହେଲା । ଦେଖନ୍ତି ତ ରାଜୀଵଙ୍କ ବାପାଙ୍କ ଫୋନ। ସଂଗେ ସଂଗେ ଫୋନ ଅନ କରି ସମୁଦୀଙ୍କୁ ପ୍ରଣାମ କଲେ । କିଛି ସମୟ ଦୁଃଖସୁଖ ହେଲେ। କଥା ପ୍ରସଙ୍ଗରେ ରାଜୀଵଙ୍କ ବାପା କହିଲେ- ସମୁଦୀ, ଆଜିକାଲି ଯେପରି ବିବାହ ମଣ୍ଡପ ସମସ୍ୟା ହେଲାଣି, ଛ ମାସ ପୂର୍ବରୁ ବୁକ ନକଲେ ମିଳୁ ନାହିଁ। ମୋର ଇଚ୍ଛା ରାଜୀଵର ବାହାଘର ଖୁବ ଧୁମଧାମରେ ହେଉ। ତେଣୁ ଆପଣ କାଲି ଯାଇ ହୋଟେଲ ଓବାରାଇ ଅବା ତାଜ ପ୍ଲାଯା ବୁକ କରିଦିଅନ୍ତୁ । ଡେକୋରସନ ଓ କ୍ୟାଟରିଂ ସେମାନେ ସବୁ କରିବେ। ଆପଣଙ୍କ ଗୋଡ଼ ହାତରେ ଲାଗିବନି। ମୋର କିଛି ଦରକାର ନାହିଁ । ମୋର ତ ବେଶି ସାଙ୍ଗ ନାହାନ୍ତି। ସବୁ ରାଜୀଵର। ଅତି ବେଶି ହେଲେ ୨୫୦ ବର ଯାତ୍ରୀ ଯିବେ। ସେମାନଙ୍କୁ ଟିକେ ଭଲ ଚର୍ଚା ଦରକାର। କାରଣ ସେମାନେ ସମସ୍ତେ ହାଇଫାଇ ଫ୍ୟାମିଲି ର୍।

ତା ପରଦିନ ମିଶ୍ରବାବୁ ସମୁଦୀଙ୍କ କଥା ଅନୁସାରେ ଦୁଇଟି ଯାକ ଫାଇବ ଷ୍ଟାର ହୋଟେଲ ଯାଇ ଯେତେବେଳେ ଘରକୁ ଫେରିଲେ, ସେବେଠାରୁ ମୁକ ହୋଇ ଘରେ ବସିଛନ୍ତି,ଆଉ ଭାବୁଛନ୍ତି ବିନା ଯୌତୁକରେ ରାଜୀଵ ସହ ରୁବିର ବାହାଘର କଥା।

ପ୍ରକାଶ ତ୍ରିପାଠୀ, କୋଣାର୍କ,ପୁରୀ


Rate this content
Log in