Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ମାଛି ସନ୍ଦେଶ ଖାଉଛି

ମାଛି ସନ୍ଦେଶ ଖାଉଛି

3 mins
781


ଗୋପାଳ ଭାଣ୍ଡ ପଣରେ ଯେପରି ଅଦ୍ୱିତୀୟ, ପେଟୁ ପଣରେ ମଧ୍ୟ ଠିକ୍ ସେହି ପରି । ସେଦିନ ଦ୍ୱିପ୍ରହର ବେଳେ ଗୋପାଳ ତାର ବନ୍ଧୁ ଘରୁ ନିଜ ଘରକୁ ଫେରୁ ଫେରୁ ଗୋଟିଏ ଗୁଡିଆ ଦୋକାନ ଉପରେ ନଜର ପଡିଲା । ଦେଖିଲା ଯେ, ବଡ ଥାଳିରେ ଥାଳି ଥାଳି ସନ୍ଦେଶ, ଜଲବି, ମିଠାଇ ପ୍ରଭୁତି ସାଜସଜ୍ଜା ହୋଇ ଥୁଆ ହୋଇଛି । ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡା ଆଉ କେହି ନାହାଁନ୍ତି ।

ସନ୍ଦେଶ ଥାଳି ଦେଖି ଗୋପାଳ ପାଟିରୁ ଲାଳ ବୋହିଲା । ସେ କାଳ ବିଳମ୍ବ ନକରି ଦୋକାନ ପାଖକୁ ଯାଇ ପିଲାଟିକି ପଚାରିଲା, ତୋର ବାପା କାହିଁକିରେ? ପିଲାଟି କହିଲା ଘର ଭିତରେ ଭାତ ଖାଉଛନ୍ତି । ପୁଣି ଗୋପାଳ ପଚାରିଲା – କେତେ ବେଳୁ ତୋ ବାପା ଖାଇବାକୁ ଗଲେଣି । ପିଲାଟି କହିଲା – ଏହି କ୍ଷଣି ଗଲେ । ହୁଏତ ଗୁଣ୍ଡେ ଦି’ ଗୁଣ୍ଡା ଖାଇଥିବେ । ଗୋପାଳ କହିଲା – ବେଶ୍ ତ, ବାପ ତୋର ଭାତ ଖାଉଛନ୍ତି, ମୁଁ ସନ୍ଦେଶ ଖାଉଛି ।

ଗୋପାଳ ଏହା କହୁ କହୁ ଦୁଇଟା ସନ୍ଦେଶ ଆଣି ପାଟିରେ ପକାଇଲା । ପିଲାଟି ଚମକି ଉଠି ରାଗରେ କହିଲା – ତୁ କିଏବେ, ପଇସା ନଦେଇ ସନ୍ଦେଶ ଖାଉଛୁ । ଏଇନେ ମୋ ବାପା ଆସିଲେ ମତେ ମାରିବେ । ପିଲାଟିର କଥା ଶୁଣି ଗୋପାଳ କହିଲା ନାଁରେ ତୋ ବାପା ତୋତେ ମାରିବେନି । ସେ ମୋତେ ଚିହ୍ନନ୍ତି । ମୁଁ ପରା ନିତି ଆସି ଏଇ ସନ୍ଦେଶ ଖାଇ ଯାଏ । ମୋ ନାଆଁ ପରା ମାଛି । ଗୋପାଳର କଥା ଶୁଣି ପିଲାଟି କହିଲା – ଆଚ୍ଛା, ତୁ ଏଇଠି ଥା । ମୁଁ ଯାଉଛି ବାପାକୁ ପଚାରି ଆସେ । ଗୋପାଳ କହିଲା – ମୁଁ ଖାଉ ଥାଏ ତୁ ଏଇଠି ଥାଇ ଡାକି ପଚାରୁନୁ ।

ଗୋପାଳ ଏହା କହୁ କହୁ ସନ୍ଦେଶ ଖାଇବାରେ ଲାଗିଲା । ପିଲାଟି ଆଉ ସହି ନପାରି ତାର ବାପାକୁ ଡାକି ପଚାରିଲା, ବାପା ମାଛି ସନ୍ଦେଶ ଖାଇ ଯାଉଛି । ତାର ବାପା ଭାତ ଗୁଣ୍ଡାଟି ଗିଳି ଦେଇ କହିଲା ଶଳା ମାଛି ଗୁଡାକ ତ ସନ୍ଦେଶ ଥାଳିରେ ବସନ୍ତି, ସେହି ବୋଧ ହୁଏ ବସି ଥିବ ତେଣୁ ପୁଅଟା ଡାକ ପକାଇଛି । ଦୋକାନୀ ଏହା ଭାବି ମାଛି ମନେ କରି ପୁଅକୁ ଡାକି କହିଲା, ହଁ, ସେ ମାଛି ନିଇତି ଆସି ଖାଏ । ଆଜି ଖାଉଛି ଖାଉ । ତୁ ତାକୁ କିଛି ନକହି ମୁଁ ଯିବା ଯାଏଁ ଦୋକାନ ଜଗି ବସିଥା ।

ବାପର କଥା ଶୁଣି ପିଲାଟି ଗୋପାଳକୁ କିଛି କହିଲା ନାହିଁ । ଗୋପାଳ ଗୋଟିକ ପରେ ଗୋଟିଏ ସନ୍ଦେଶ ଖାଇ ଗର୍ଭସାତ୍ କରି ଚାହୁଁ ଚାହୁଁ ଥାଳିକ ଯାକ ସନ୍ଦେଶ ଖାଇ ଶେଷ କରି ଦେଲା । ଦୋକାନୀ ଆସିବାର ସମୟ ଜାଣି ସେ ସେଠାରୁ ଚମ୍ପଟ ମାଇଲା । କିଛି କ୍ଷଣ ପରେ ଦୋକାନୀ ଆସି ଦେଖିଲା ଯେ ସନ୍ଦେଶ ଥାଳିଟି ଖାଲି ପଡିଛି । ମୁଣ୍ଡରେ ହାତ ଦେଇ ବସି ପୁଅକୁ ପଚାରିଲା – କିରେ ସନ୍ଦେଶ ଥାଳିଟି କଣ ହେଲା? ପୁଅ ମାଡ ଡରରେ ଥରି ଥରି କହିଲା – ମାଛି ଖାଇ ଗଲା । ଦୋକାନୀ ରାଗି ଯାଇ ପୁଣି ପଚାରିଲା – ମାଛି କ’ଣ ଥାଳିକ ଯାକ ସନ୍ଦେଶ ଖାଇ ଗଲା ନା । ପିଲାଟି ଉତ୍ତର ଦେଲା ହଁ ମୁଁ ପରା ତୁମକୁ ପଚାରିଲି, ତୁମେ କହିଲ ସେ ନିତି ଆସି ଖାଇ ଯାଏ । ଦୋକାନୀ ହତ ବୁଦ୍ଧି ହୋଇ କହିଲା ଆରେ ସେ କିପରିକା ମାଛି? ପିଲାଟି କହିଲା – ଟାଙ୍ଗରା ମୁଣ୍ଡିଆ ବାଙ୍ଗରାଟିଏ ଗଣେଶ ପରି ପେଟ ।

ପୁଅର କଥା ଶୁଣି ଦୋକାନୀ ବିଚରା ଆଉ କଣ କରିବ । ସେ ବୁଝିଲା ଯେ, ଏହା କୌଣସି ଧୃତ ମଣିଷର କାମ । ଯା’ ହେଉ ସେ ତ ଖାଇ ଦେଇ ଚାଲି ଗଲାଣି । ପୁଅକୁ ମାଇଲେ କ’ଣ ହେବ । ସେ ଦୋଷ ତ ଏକା ତାର ନୁହେଁ, ମୋର ବି ଅଛି । ଦୋକାନୀ ଏପରି ଭାବି କାନମୁଣ୍ଡା ଆଉଁସି ରହିଲା ।


Rate this content
Log in

Similar oriya story from Children