Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -69
ଜହ୍ନମାମୁଁ -69
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    17


Content Ranking

ଦୁରାଶା 1

ନାଥିଆ ବଡ ଦରିଦ୍ର ଥିଲା । ଛିଣ୍ଡାକନ୍ଥା ପିନ୍ଧି ଘର ଘର ବୁଲି ସେ ଭିକ ମାଗେ । ତା’ ବେଶ ଦେଖି କୁକୁର ଭୁକନ୍ତି । କ୍ଷେତରେ ଥିବା ଚାଷୀମାନେ ଖାଇବା ପରେ ଯାହା ବଳକା ଥାଏ, ସେତକ ତାକୁ ସେମାନେ ଡାକି ଦେଇ ଦିଅନ୍ତି । ବେଳେବେଳେ ଦିନ ଦିନ ଧରି ତାକୁ କିଛି ଖାଇବାକୁ ମିଳେ ନାହିଁ । ଯେଉଁ ଦିନ ଯାହା ମିଳେ ତାହା ସେ ଖାଏ, ନହେଲେ ସେ ସେମିତି ଉପାସରେ ଶୁଏ ।

ଏଥର ଅନ୍ୟବର୍ଷ ପରି ଫସଲ ଭଲ ନ ହେବାରୁ ଭିକ୍ଷା ମିଳିବା ମଧ୍ୟ କଷ୍ଟ । ସେ ଗୋଟିଏ ଗ୍ରାମରୁ କିଛି ନ ପାଇବାରୁ ସେ ଗ୍ରାମ ଛାଡି ଆଗ ଗ୍ରାମରେ ଯାଇ ଭିକ୍ଷା ମାଗିଲା । ରାସ୍ତାରେ ଯାଉ ଯାଉ ଜଣେ ବୁଢାକୁ ସେ ଭେଟିଲା । ବୁଢା ତାକୁ କହିଲା, “ତୁମକୁ ଦେଖିଲେ ମୋତେ ଭାରି ଦୟା ଲାଗୁଛି । ତୁମ ପେଟ ତ ପିଠିରେ ଲାଗିଯାଇଛି । ଏ ନିଅ ଚଣା ।” ଏତିକି କହି ବୁଢା ଚଣାଟିଏ ତାକୁ ଦେଲା । ନାଥିଆ ପଚାରିଲା ଚଣାଟିଏ ନେଇ ମୁଁ କ’ଣ କରିବି? ଏଥିରେ ମୋ ପେଟ କିପରି ଭରିବ?”

ବୁଢାଟି କହିଲା “ଏଇଟି ଖାଇଦେଲେ ତୁମର ବେଶି କିଛି ଲାଭ ହେବ ନାହିଁ । କିନ୍ତୁ ଏଇଟି ତୁମ ପାଖରେ ଥିଲେ, ତୁମକୁ ସମସ୍ତେ ଅତିଥି ଭାବରେ ସତ୍କାର କରିବେ । ମୋ କଥା ଉପରେ ବିଶ୍ୱାସ ରଖ ।”

ଅନ୍ଧକାର ହେବା ପୂର୍ବରୁ ନାଥିଆ ଗୋଟିଏ ଗ୍ରାମରେ ଯାଇ ପହଁଚିଲା । ଗୋଟିଏ ଘର ପାଖରେ ଠିଆ ହୋଇ ବଡ ପାଟିରେ ସେ କହିଲା, “ଘର ମାଲିକେ, ମୁଁ କ୍ଷୁଧାର୍ତ୍ତ, କିଛି ଖାଇବାକୁ ଦିଅ ।”

ଘରର ମାଲିକ ବାହାରକୁ ଆସି ସେହି ଭିକାରୀକୁ ଦେଖିଲେ । ତା’ପରେ ସେ ତାକୁ ଭିତରକୁ ଡାକିନେଇ ପେଟ ପୂରାଇ ଖାଇବାକୁ ଦେଲେ । “ଆଜି ରାତିକ ପିଣ୍ଡାରେ ଶୋଇଯାଅ । ଏତେବେଳେ ତମେ ଆଉ କୁଆଡେ ବା’ ଯିବ?”

ନାଥିଆ ଖୁସି ହେଲା । ଆଜି ପ୍ରଥମ ଥର ପାଇଁ ସେ ଏପରି ଆଦର ଓ ସହାନୁଭୂତି ପାଇଲା । ସେ ଭାବିଲା ଏ ସବୁ ସେଇ ଚଣାରହିଁ ମହିମା ।

ସକାଳୁ ଘରବାଲାର କୁକୁଡା ନାଥିଆ ପାଖକୁ ଆସିଲା । କୁକୁଡା ତା’ର ଚଣାଟି ଖାଇ ଦେଉଛି ନାଥିଆ ଚିତ୍କାର କରି କହିଲା, “ହେ ଭଗବାନ୍, ମୋ ଚଣାକୁ କୁକୁଡା ଖାଇଗଲା ।”

ଘରର ମାଲିକ ବାହାରକୁ ଆସି କହିଲେ, “ଗୋଟିଏ ଚଣା କୁକୁଡା ଖାଇ ଦେଲା ତ ସେଥିପାଇଁ କାହିଁକି ଏତେ ଚିତ୍କାର କରୁଛ? ଯେତେ ଚଣା ଦରକାର ନେଇଯାଅ ।”

ନାଥିଆ କହିଲା “ମୋର ସେହି ଚଣାଟି ହିଁ ଦରକାର । ସେହି ଚଣାଟି ଜଣେ ଦୟାଳୁ ସିଦ୍ଧ ପୁରୁଷ ମୋତେ ଦେଇ ଥିଲେ ।”

ଘରମାଲିକ କହିଲେ “ତେବେ ମୁଁ ଆଉ କ’ଣ କରିବି? ସେହି ଚଣାଟି ତ କୁକୁଡାର ପେଟକୁ ଚାଲିଗଲାଣି । ଚାହଁ ତ ଏହି କୁକୁଡାଟିକୁ ନେଇ ଯାଅ ।”

ନାଥିଆ ଭାବିଲା କୁକୁଡାକୁ ସହରରେ ନେଇ ବିକିଲେ ଭଲ ଦିପଇସା ମିଳିବ । ସେ କୁକୁଡାଟିକୁ ଧରି ସହରକୁ ଗଲା । ସେଦିନ ସେ ଅର୍ଦ୍ଧେକ ରାସ୍ତା ଯିବା ପରେ ସଂଧ୍ୟା ହେଲା । ସେ ବାଟରେ, ଗୋଟିଏ ଗ୍ରାମରେ ଜଣକର ଘରେ ପହଁଚି ରାତିଟି ରହିବାକୁ ଘରବାଲାକୁ ଅନୁରୋଧ କଲା । ଘରବାଲା ତାକୁ ଖାଇବାକୁ ଦେଲା ଓ ଶୋଇବାକୁ ଜାଗା କରି ଦେଲା । ନାଥିଆ କୁକୁଡାଟିକୁ ହାତରେ ଜାକି ଧରି ଶୋଇଗଲା । ତାକୁ ନିଦ ହେବା ମାତ୍ରେ ହାତ ଟିକେ ହୁଗୁଳା ହୋଇଯିବାରୁ କୁକୁଡାଟି ସେଠାରୁ ଖସିଯାଇ ଘରବାଲାର କୁକୁଡାମାନଙ୍କ ସହିତ ଲଢେଇ କଲା । ସମସ୍ତେ ମିଶି ଚିତ୍କାର କଲେ । କୁକୁଡାଟି ସେମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଦୌଡି ପଳାଇ ଆସୁ ଆସୁ ବାଛୁରୀର ଗୋଡ ତଳେ ଦଳି ହୋଇ ସେ ମରିଗଲା ।

“ମୋର ସୁନାର କୁକୁଡା ମରିଗଲା । ମୋର ସର୍ବନାଶ ହୋଇଗଲା ।” ଏହା କହି ନାଥିଆ ଜୋର୍ରେ କାନ୍ଦିଲା । ଘରବାଲା ଦୁଇଟି କୁକୁଡା ଦେବ ବୋଲି କହିଲା । କିନ୍ତୁ ନାଥିଆ ସେଥିରେ ଯମାରୁ ମଙ୍ଗିଲା ନାହିଁ । ସେ କହିଲା, “ଯେଉଁ ବାଛୁରୀର ଗୋଡ ତଳେ ଦଳି ହୋଇ ମୋର କୁକୁଡା ମରିଛି ସେହି ବାଛୁରୀକୁ ମୋତେ ଦିଅ ।” ବିଚରା ଘରବାଲା ବାଧ୍ୟ ହୋଇ ତାକୁ ସେହି ବାଛୁରୀଟି ଦେଲା । ବାଛୁରୀଟି ଧରି ନାଥିଆ ପରଦିନ ସହରକୁ ଚାଲିଲା । ସହରରେ ପହଁଚିବା ବେଳକୁ ଆସି ସଂଧ୍ୟା ହେଲାଣି । ସହର ଭିତରକୁ ଯିବା ପୂର୍ବରୁ ସେ ଘରଟିଏ ଦେଖି, ସେଠାକୁ ଯାଇ ଘର ମାଲିକଙ୍କୁ କହିଲା, “ମହାଶୟ, ମୁଁ ଅନେକ ଦୂରରୁ ଆସିଛି । ଆଜି ରାତିକ ମୋତେ ଏଠାରେ ରହିବାର ଅନୁମତି ଦେବେ କି?” ଘରବାଲା ତା’ପ୍ରସ୍ତାବରେ ରାଜି ହେଲେ । ସେଦିନ ତାଙ୍କ ଘରେ କୌଣସି ଶୁଭକାର୍ଯ୍ୟ ସମ୍ପନ୍ନ ହେଉଥାଏ । ଏଣୁ ବଡ ଭୋଜି ମଧ୍ୟ ହେଉଥାଏ । ଅନ୍ୟମାନଙ୍କ ସହିତ ନାଥିଆ ମଧ୍ୟ ପେଟଭରି ଖାଇଲା । ରାତିରେ ବାଛୁରୀ ପଘା ଛିଣ୍ଡାଇ ଘରବାଲାର ଘୋଡା ପାଖକୁ ଦୌଡି ଗଲା ଓ ସେ ତା’ର ଘାସତକ ଖାଇବାକୁ ଲାଗିଲା । ଘୋଡା ଏଥିରେ ରାଗିଯାଇ ତାକୁ କସିକି ଏକ ନାତ ଦେଲା । ସେଥିରେ ସେହି ବାଛୁରୀଟି ମରିଗଲା ।

ନାଥିଆ ଘରବାଲା କୁକୁଡା

Rate the content


Originality
Flow
Language
Cover design

Comments

Post

Some text some message..