Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trupti Paikaray

Drama Inspirational

3.7  

Trupti Paikaray

Drama Inspirational

"ଦିଅଙ୍କ ଖେଚୁଡ଼ି,ରସାବଳି ଖିଆ"

"ଦିଅଙ୍କ ଖେଚୁଡ଼ି,ରସାବଳି ଖିଆ"

4 mins
21.6K


"ଦିଅଙ୍କ ଖେଚୁଡ଼ି,ରସାବଳି ଖିଆ”

ଗାଁରେ ସେଦିନ ଝାମୁଯାତ୍ରା ଚାଲିଥାଏ, ଆମ ଘରେ ସମସ୍ତେ ଉପବାସ ରଖିଥାନ୍ତି, ଛେପ ବି ଢୋକିବନି, ପୁରା କାଷ୍ଠା ସହକାରେ ଏ ପୂଜା ହୁଏ I ମୁଁ ବାହାହେଇ ଆସିବା ଦିନଠାରୁ ଏ ପୂଜା ଦେଖିଆସୁଛି, ଘରର ସବୁ ପୁରୁଷ ମହିଳା, ଛୋଟ ପିଲା, ବୁଢାବୁଢ଼ୀ ସମସ୍ତେ ମାନନ୍ତି I  ଗାଁରେ ଘରେ ଘରେ ସେଦିନ ପିଠାପଣା, ଧୂପଦୀପ, ଭଳିକି ଭଳି ଅଗରବତୀ, ଝୁଣା, କର୍ପୁର, ଅଗୁରୁ, ଚନ୍ଦନ ବାସ୍ନାରେ ପୁରା ଭକ୍ତିମୟ ପରିବେଶ ହେଇଯାଏ I ଆମଘରେ ସେଦିନ ବଡ଼ିଭୋରରୁ ସମସ୍ତେ ଉଠି ଗାଧେଇ ପୂଜା ପାଇଁ ପ୍ରସ୍ତୁତ ଅଛନ୍ତି, ଶାଶୁ, ଶଶୁର, ଦିଅର, ନଣନ୍ଦ, ପୁତୁରା, ଝିଆରିମାନେ ସମସ୍ତେ କାମରେ ଲାଗିପଡିଛନ୍ତି I କିଏ ଫୁଲମାଳ ତିଆରି କରୁଛି, କିଏ ଝୋଟି ପକାଉଛି, ଆଉ ଶାଶୁ ତାଙ୍କର ପୂଜା ସାମଗ୍ରୀ ସବୁ ଯୋଗାଡ଼ିବାରେ ବ୍ୟସ୍ତ, ଶଶୁର ବାହାର କାମରେ, ଆଉ ସେଦିନ ମୋର ରୋଷେଇ ଘରେ ବହୁତ କାମ, କାରଣ ସେଦିନ ଦିଅଙ୍କ ପାଖରେ ଭୋଗଲାଗିବ, ସେଥିପାଇଁ ମୁଁ ଖେଚୁଡ଼ି ଆଉ ରସାବଳି ତିଆରି କରୁଥାଏ I ଖାଣ୍ଟି ଛେନାରେ ରସାବଳି ଆଉ ସେପଟେ ଖେଚୁଡ଼ି ତିଆରି କରିବାରେ ମୁଁ ପୁରା ଲାଗି ପଡ଼ିଥିଲି, ସମସ୍ତେ କହନ୍ତି ସେଦିନ କୁଆଡେ ମାଆ ଠାକୁରାଣୀ, ମାନେ ଆମ ଗ୍ରାମଦେବୀ କୁଆଡେ ପ୍ରତ୍ୟକ୍ଷରେ ଦେଖା ଦିଅନ୍ତି, ଆଉ ସେମିତି ଭକ୍ତିରେ ପୂଜା କଲେ, ମାଆ ଆଶୀର୍ବାଦ ଦେଇ ସବୁ ମନବାଞ୍ଛା ପୂର୍ଣ୍ଣ କରନ୍ତି I କାହାର ବା ଇଚ୍ଛା ନଥାଏ ଠାକୁରଙ୍କ ଆଶୀର୍ବାଦ ନେବା ପାଇଁ I  ଘରେ ସେଦିନ ଶାଶୁଙ୍କ ତାଗିଦ କିଛି ବାସି ଆଉ ବଳକା ଖାଦ୍ୟ ବି ରହିବନି, କାଳେ ଛୁଆଁଛୁଇଁ ହେଇ ମାରା ହେଇଯିବ I

 

ମୁଁ ସବୁ ବଳକା ଖାଦ୍ୟ ସମସ୍ତଙ୍କୁ ତା ପୂର୍ବଦିନ ଦେଇ ସାରିଦେଇଥିଲି, କାରଣ ଖାଦ୍ୟ ନଷ୍ଟହେଲେ ମୋ ଦେହରୁ ଯେମିତି ପାଏ ରକ୍ତ ଶୁଖିଯାଏ I ରୋଷେଇଘର ମୁଁ ପୁରା ସଫା କରିଦେଇଥିଲି ଭୋଗ ତିଆରି ହେବ ବୋଲି I ମାଙ୍କ ପାଖରେ ଖେଚୁଡ଼ି ଆଉ ରସାବଳି ଭୋଗ ଲାଗିବା ବୋଲି ମୋ ଶାଶୁ ଦେଶୀ ଖାଣ୍ଟି ଗୁଆଘିଅ ଆଉ ଛେନା ବରାଦ ଦେଇଥାନ୍ତି, ଫଳମୂଳ ବି ସବୁ କିଣାହେଇଥିଲା I  ମୁଁ ପୁରା ମନ ଧ୍ୟାନ ଦେଇ ରୋଷେଇ କରୁଥାଏ, କାରଣ ସେଦିନ ପୂଜା ଶେଷରେ ମାଙ୍କୁ ଭୋଗ ଲାଗିଲା ପରେ ସମସ୍ତଙ୍କ ଘରେ, ମାନେ ଯେତେ ପଡୋଶୀ ଅଛନ୍ତି ସମସ୍ତଙ୍କୁ ପ୍ରସାଦ ବଣ୍ଟା ହେବ I ଗୋଡ଼େ ବଡ ହାଣ୍ଡିରେ ୧୦୦/୨୦୦ ଲୋକ ଖାଇଲା ଭଳି ଖେଚୁଡ଼ି ବସିଥାଏ, ସେ ଖେଚୁଡ଼ି ସୁଆଦିଆ ହେବା ଦରକାର ବୋଲି ଶାଶୁଙ୍କ ୫ ଦିନ ଆଗରୁ ତାଗିଦ, କାରଣ ଖରାପ ଲାଗିଲେ, ଗାଁ ଲୋକଙ୍କ ଆଗରେ ମୋ ଶାଶୁଶଶୁରଙ୍କ ଇଜ୍ଜତ ରହିବନି I ଆଉ ସେଥିପାଇଁ ମୋର ଭାରି ଡର, ଖେଚୁଡ଼ି ଟିକେ ଖରାପ ହେଇଗଲେ ଏବେ ବର୍ଷେ ଯାଏ ଇଆଡୁ ସିଆଡ଼ୁ ଶୁଣିବାକୁ ପଡିବ, ତେଣୁ ମୁଁ ମୋ ପ୍ରାଣ ପଣେ ଲାଗିପଡ଼ିଥାଏ ଖେଚୁଡ଼ି କରିବାରେ, ପରିବା କଟା, ଧୁଆ, କାଜୁ କିସମିସ ଭଜା, ନଡ଼ିଆ କୋରା ଏମିତି କେତେ ଟିକି ଟିକି କାମ ପଡିଥାଏ, ପୁଣି ରସାବଳି ତିଆରି ହେବ I  ମୁଁ ଟିକେ ସେଦିନ ସଅଳ ଚୁଲି ଲଗେଇ କାମ ଆରମ୍ଭ କରିଦେଲି କାରଣ ସବୁ କାମ, ଦିନ ଗୋଟାଏ ଭିତରେ ସାରିବାର ଅଛି, ତା ଭିତରେ ପୁଣି ଶାଶୁ ଆସି ଦଶ ଥର କହୁଥାନ୍ତି ଏମିତି କର, ସେମିତି କର, ହଜାର ତାଗିଦ I ଇଏ କିଛି ନୂଆ କଥା ନୁହେଁ, ତାଙ୍କର ଅଭ୍ୟାସ ଏମିତି କହିବା I ଯାହା ହେଉ, ମୋ କାମବି ଠିକ ସରିଆସୁଥାଏ, ଆଉ ୧୦ ମିନଟ ରେ ସବୁ ରେଡି ହେଇଯିବ I ଉପାସରେ ଟିକେ ମୁଣ୍ଡ ବୁଲାଉଥିଲା, ଖୋଲା ପବନ ଟିକେ ଖାଇବାକୁ ଦାଣ୍ଡ ଦୁଆର ପାଖକୁ ଗଲି, ବାଜା, ମାଇକ ରେ କିଛି ଶୁଣାଯାଉନଥିଲା I ହଟାତ ଅନେଇଲା ବେଳକୁ ଗୋଟେ ବୁଢ଼ୀ ମତେ ଦେଖି, ମୋ ଆଡକୁ ନଇଁ ନଇଁ ଆସୁଛି, ମୁଣ୍ଡ ନୁଖୁରା, ଚିରI ଲୁଗା ଗୋଟେ ପିନ୍ଧିଚି, ବୟସ ପ୍ରାୟ ୮୦ ଉପରେ ହେବ ନିଶ୍ଚୟ, ଚମ ଧୁଡୁଧୁଡୁ, ଖାଲି ବ୍ୟାଗ ଖଣ୍ଡେ ହାତରେ ଧରିଛି I ଆସି ମୋ ପାଖରେ ପହଁଚିଲା, ଟିକେ ଅଣ୍ଟା ସଳଖି ମୋ ମୁହଁକୁ ଚାହିଁଲା, ତାପରେ କହିଲା "ମାଆ କଣ ଗଣ୍ଡେ ଖାଇବାକୁ ଅଛି ଦେ, ୪ ଦିନ ହେବ ମୁଁ କିଛି ଖାଇନି, ତମ ଏଇ ଗାଁ ଠାକୁରଙ୍କ ପୂଜାରେ ମୁଁ କେବେ ମିଛ କହିବିନି ମାଆ, ମୋ ପେଟ ଭୋକରେ ଜଳୁଛି, ଗାଁ ସାରା ବୁଲି ବୁଲି ଆସିଲି ସମସ୍ତେ ପାଟି କରି ତଡ଼ିଦେଲେ, କହିଲେ ଆଜି ପୂଜା, ଭୋଗ ନହେବା ଯାଏ ଖାଇବା ମିଳିବନି, କେହି ଜଣେ ବି ଦେଲେନି, ମୁଁ ଆଜି ପ୍ରଥମ ଏଇ ଗାଁକୁ ଆସିଛି, ପାଖ ଗାଁ ରେ ବୁଲେ, ହେଲେ ଆଜି ଭୁଲରେ ବାଟ ପାଶୋରି ଏପଟେ ପଶି ଆସିଛି, ଏବେ ଆଉ ମୋ ଦେହରେ ବଳ ନାହିଁ  କୁଆଡେ ଯିବାକୁ, ମାଆ ତୋ ଧରମ ହେବ, ମତେ ଟିକେ ଖାଇବାକୁ ଦେ” I

ମୁଁ ତାକୁ ସେମିତି ଅନେଇଛି, କେତେବେଳେ ମୋ ଆଖିରୁ ଦି ଟୋପା ଲୁହ ଚାଲିଆସିଛି ମୁଁ ଜାଣିନି I ହେଲେ ଆମ ଘରେ ବି ପୂଜା, ଆଉ ଶାଶୁଙ୍କ କଥା ନ କହିଲେ ଭଲ, ହଜାର ନିୟମ, ଚାରବିଚାର ତାଙ୍କର, ସେଦିନ ଘରେ ଉଷୁନା, ପିଆଜରସୁଣ କେହି ଛୁଇଁବେନି, କିଛି ବଳକା ଖାଦ୍ୟ ବି ନାହିଁ, ବଡ ଦ୍ଵନ୍ଦ ରେ ପଡିଲି, କଣ ଦେବି ଏଇ ବୁଢ଼ୀ ମାଆ ଖାଇବାକୁ, ଶେଷରେ ବିସ୍କୁଟ ପ୍ୟାକେଟ ଥିଲା, ନେଇ ଦେଲି, ଦେଖୁଦେଖୁ ଖୋଲି ଖାଇ ପକେଇଲା, ହେଲେ ମୋ ମନ ଶାନ୍ତି ଲାଗୁନଥିଲା, ୪ ଦିନ ହେଲା ଖାଇ ନଥିବା ଗୋଟେ ଲୋକ ପେଟ କଣ ଏ ବିସ୍କୁଟ ରେ ପୁରିବ I ଖାଇ ସାରି ସେ ପୁଣି ମୋ ମୁହଁକୁ ଚାହିଁଲା, "ମାଆ ଆଉଟିକେ କଣ ଦେ, ପେଟ ପୁରିଲାନି", ଶେଷରେ ସାହସ ଜୁଟେଇ ଗଲି ରୋଷେଇ ଘରକୁ, ଦିଅଙ୍କ ପାଖରେ ଭୋଗ ଲାଗିବା ପାଇଁ ଗୋଟେ ବଡ ଥାଳିରେ ଖେଚୁଡ଼ି ଆଉ ରସାବଳୀ, ଫଳମୂଳ ସବୁ ସଜାଡି ରଖିଦେଲି I ତାପରେ, ଗୋଟେ କଂସାରେ ଖେଚୁଡ଼ି, ଆଉ ଗୋଟିଏ ଗିନାରେ ରସାବଳି, ହାତରେ ଗୋଟେ କଦଳୀ ପତ୍ର ନେଇ ସିଧା ସେଇ ବୁଢ଼ୀ ମାଆ ପାଖରେ ବାଢ଼ିଦେଲି, ଓହଃ ସତେ ଯେମିତି ତାକୁ ସବୁ ମିଳିଗଲା, କି ଖୁସିରେ ହସି ହସି ଖାଉଥାଏ, ଆଉ ମତେ ଗୋଟେ ପରେ ଗୋଟେ ଆଶୀର୍ବାଦ ଦେଇଚାଲିଥାଏ, “ମାଆ  ଠାକୁର ତୋର ସବୁ ଦୁଃଖ ଦୂର କରିବେ, ଆଜି ଏ ଠାକୁରାଣୀଙ୍କ ପାଖରେ ତୋ ପାଇଁ ପ୍ରାଥର୍ନ କରିଦେଇ ଯିବି, ଠାକୁରେ ତତେ ଖୁସିରେ ରଖିବେ, ଏତିକିବେଳେ ପଛପଟୁ ଶାଶୁ ଆସି ପହଞ୍ଚି ଗଲେ ସବୁ କାମ ସାରି ଆଉ ଏସବୁ ଦେଖିଦେଲେ I ତାପରେ ପରିସ୍ଥିତି ଅସମ୍ଭାଳ ହେଇପଡିଲା, ମତେ ଗାଳି ପରେ ଗାଳି, "ତୁ ଆମ ପୂଜା ମାରା କଲୁ, ତୁ ଅଲକ୍ଷଣୀ, ଏଥର ମାଙ୍କ ପୂଜା ଖରାପ କରିଦେଲୁ ତୁ, ସବୁ ଅମଙ୍ଗଳ ତୁ ଡାକି ଆଣିଲୁ, ଯାହା ମନଇଛା ଗାଳିଦେଇ ଗଲେ, ସାରାପରିବାର ସମସ୍ତେ ଆସି ସେଠି ହାଜର, ସମସ୍ତେ ମିଶି ମତେ ଗାଳି ଦେଲେ, କିଏ କହିଲା ତୁ ଦାୟିତ୍ୱହୀନ, କିଏ କହିଲା ଲକ୍ଷ୍ମୀଛଡା, କିଏ କହିଲା ଅମଙ୍ଗଳି ଅମଙ୍ଗଳ ଡାକି ଆଣିଲା, ହେଲେ ମୋ ପାଖରେ କିଛି ଭାଷା ନଥିଲା, ମୋ ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା ଆଉ ସେ ବୁଢ଼ୀ ମାଆ ସେମିତି ମୋ ମୁହଁକୁ ବିକଳରେ ଚାହୁଁଥିଲା, ଭାବୁଥିଲା ବୋଧେ  ତା ପାଇଁ ମୁଁ କେତେ ଗାଳି ଖାଉଛି, ହେଲେ କେହି ଟିକେ ବି ବୁଝି ପାରୁନଥିଲେ ଯେ ଦିଅଙ୍କ ପାଖରେ ଖେଚୁଡ଼ି ଆଉ ରସାବଳି ଭୋଗ କେତେଵେଳଠାରୁ ଲାଗି ସାରିଲାଣି, ଆଉ ମାଆ ଠାକୁରାଣୀ ଆସି ପ୍ରତ୍ୟକ୍ଷରେ ଆମ ଘର ବୁଲିକି ଯାଇସାରିଲେଣି I ଗୋଟେ ଭୋକିଲା ପେଟ ଭରିଲା ମାନେ ସେଇ ଠାକୁର ତାକୁ ସିଧା ଗ୍ରହଣ କରନ୍ତି ,ଏକଥା ଯେ କେହି ଭାବି ପାରୁନଥିଲେ I

(ତୃପ୍ତି ପାଇକରାୟ.....)

 


Rate this content
Log in

Similar oriya story from Drama