Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରୂପାଜହ୍ନ
ରୂପାଜହ୍ନ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

4 Minutes   7.3K    14


Content Ranking


ଶ୍ରୀମତୀ ସୁଷମା ରାଣୀ ରଥ

ଲନ୍ ରେ ବସି ଚା ପିଉଥିଲେ ଦିପିକା । ବୟସ ତାଙ୍କର ୬୫ ବର୍ଷ । ଅପରାହ୍ନରେ ବାହାରେ ବସି ଅତୀତକୁ ରୋମନ୍ଥନ କରିବାରେ ତାଙ୍କୁ ଆନନ୍ଦ ମିଳେ । ପଦି ଆସି ଡାକିଲା, “ମାଆ ଆସ ଆମ ଘରେ ସଂଧ୍ୟା ଦୀପ ଲାଗିଲାଣି, ପ୍ରାର୍ଥନା କରିବ” ଏହି ପଦି ହିଁ ତାଙ୍କର ଘର ସମ୍ଭାଳିଛି । ଘର ବାହାର ଦୋକାନ ବଜାର ସବୁ କିଛି ।

ଦିନ ଥିଲା ସେ ଦୂର ସହରରେ ରହି ପାଠ ପଢ଼ୁଥିଲେ । ପରେ ସରକାରୀ ଶିକ୍ଷୟିତ୍ରୀ ଚାକିରି, ବାପାଙ୍କର ପ୍ରାଇଭେଟ୍ ଚାକିରୀ । ବାପାଙ୍କର ଅବସର ପରେ ପରେ ଘରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା ।

ବାପା ବୋଉଙ୍କର ମେଡ଼ିସିନ୍, ଭାଇର କଲେଜ ପଢ଼ା, ଭଉଣୀର ସ୍କୁଲ ପଢ଼ା, ସବୁ କିଛି ସେ ସମ୍ଭାଳି ନେଲେ । ଭାଈ ପାଠ ପଢ଼ି ସାରି ଏବେ ସୁଦୂର ଦିଲ୍ଲୀରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟରତ । ଭଉଣୀ ବାହାଘର ପରେ ଏବେ ଆମେରିକାରେ । ବାପା ବୋଉଙ୍କର ବାରମ୍ବାର କହିବା ସତ୍ତ୍ୱେ ସେ ବିବାହ କରି ନଥିଲେ । କାହା ମୁଣ୍ଡରେ ଏ ପରିବାର ବୋଝକୁ ଲଦିଦେଇ ସେ ନିଜର ସୁଖୀ ସଂସାର ଗଢ଼ିଥାଆନ୍ତେ?

ଯୌବନ ବେଳେ ସେ ଖୁବ୍ ସୁନ୍ଦରୀ ନ ଥିଲେ ବି ଅସୁନ୍ଦର ନଥିଲେ । ସରକାରୀ ଚାକିରି ଲାଗି ସେ ବିଭିନ୍ନ ଜାଗାକୁ ବଦଳି ହୋଇଥିଲେ । ତାଙ୍କର ସମବୟସୀଗଣ ଏକ ଏକ କରି ସମେସ୍ତ ବାହା ହୋଇ ଗଲେ । ବେଳେବେଳେ ମନ ତଳର ନିଭୃତ କୋଣରେ ତାଙ୍କର ଉଙ୍କି ମାରେ ଏକ ସୁନାର ଛୋଟ ସଂସାରଟିଏ ।

ସ୍ୱାମୀ ପୁତ୍ର କନ୍ୟାଙ୍କୁ ନେଇ ସ୍ୱପ୍ନ ଦେଖନ୍ତି ଏକ ଭରପୁର ସଂସାରର ଦିପିକା କିନ୍ତୁ ବାସ୍ତବବାଦୀ ଦିପିକା କେବେ ସେ ସ୍ୱପ୍ନରେ ବିଭୋର ହୋଇ ନାହାନ୍ତି । ବେଳେବେଳେ ନିଭା, ତାଙ୍କ ପିଲା ବେଳର ସାଙ୍ଗ ତାଙ୍କୁ ଦେଖା କରିବାକୁ ଆସୁଥିଲା । ଅଯଥାରେ ଶିଶୁ ପୁତ୍ରକୁ ଗେଲ କରୁ କରୁ କହେ, “ଜାଣିଛୁ ଦିପିକା ଏ ପିଲା ବହୁତ ଦୁଷ୍ଟ ହୋଇଛି । ଜମା ଛାଡ଼ୁନି । କେମିତି କେମିତି ଯେ ମୁଁ ତାକୁ ସମ୍ଭାଳିଛି ମୁଁ ଜାଣେ । ଆଉ ତୁ କେବେ ସଂସାର କରୁଛୁ?” ନିଭା କାହିଁକି ପ୍ରତି ସାଙ୍ଗସାଥୀଙ୍କ ହସ, ଥଟ୍ଟା ମଜାକୁ ସେ ଅଳ୍ପ ହସି ଏଡ଼ାଇ ଦେଇଛନ୍ତି । କହିଛନ୍ତି “ମୋର ଏତେ ବଡ଼ ସଂସାର ଛାଡ଼ି ମୁଁ ଆଉ ସଂସାରୀ ହେବାକୁ ଚାହୁଁନି ।”

ଭାଈ ଭଉଣୀଙ୍କୁ ମଣିଷ କରି , ବାପା ବୋଉଙ୍କ ଦାୟିତ୍ୱ ସମ୍ଭାଳି କେତେବେଳେ ଯେ ତା ବୟସ ୨୪ ରୁ ୫୦ ଅତିକ୍ରମ କଲା ସେ ଜାଣି ପାରିଲେନି । ସଂସାରର ସିଡ଼ି ଚଢ଼ିବା ବେଳେ ସେ ପଛକୁ ଚାହିଁବାର ଅବକାଶ ପାଇନାହାନ୍ତି । ହଁ ରୁଟିନ୍ ବନ୍ଧା ଜୀବନରେ ନିଜକୁ ସାମିଲ୍ କରିନେଲେ । ସ୍କୁଲରୁ ଘର, ଘରୁ ସ୍କୁଲ, ଏବେ ବି ଶୁଭ୍ରକାନ୍ତଙ୍କ ଚେହେରା ତାଙ୍କ ମନ ଆଇନାରେ ଉଙ୍କି ମାରେ । ସେ ତାଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲା । ନିଜ ସଂସାରର ଦ୍ୱାହି ଦେଇ । କାଳକ୍ରମେ ଆଗେ ବାପା, ତାପରେ ମାଆ, ଜଣ ଜଣ କରି ଆର ପାରିକି ଚାଲିଗଲେ । ଭାଈ ଏବେ ଦିଲ୍ଲୀରେ ଓ ଭଉଣୀ ସୁଦୂର ଆମେରିକାରେ । ଯେଝାର ଘର ଜଂଜାଳରେ ବ୍ୟସ୍ତ । ଘର କାମ ବୁଝାସୁଝା କରିବା ପାଇଁ ଜଣେ ସାଙ୍ଗ ଜୁଟାଇ ଦେଲେ ପଦିକୁ । ପଦି ସ୍ୱାମୀ ପରିତ୍ୟକ୍ତା । ସ୍ୱାମୀ ଅନ୍ୟ ସ୍ତ୍ରୀ ସହିତ ସହର ଛାଡ଼ି ପଳାଇବା ପରେ ପଦି ଧୈର୍ଯ୍ୟ ହରା ନ ହୋଇ ବସ୍ତି ଅଂଚଳରେ ରହି ନିଜର ଗୁଜୁରାଣ ମେଂଟାଉଥିଲା ।

ଏବେ ସଂସାର କହିଲେ ସେ, ପଦି ଓ ତାର ଝିଅ ମନି । ରିଟାୟର୍ଡ଼ ପରେ ସେ ଏବେ ଘରେ ରହୁଛନ୍ତି । ପଦିର ଝିଅ ମନିକୁ ମଣିଷ କରିବାର ଦାୟିତ୍ୱ ସେ ନେଲେ । ସ୍ଥାନୀୟ ଇଂରାଜୀ ମାଧ୍ୟମ ସ୍କୁଲରେ ତାର ନାମ ଲେଖାଇଲେ । ସଂଧ୍ୟା ବେଳେ ତାକୁ ପାଠ ପଢ଼ାଇଲେ । ମନି ମେଧାବି । ସି.ବି.ଏସ୍.ଇ ବୋର୍ଡ଼ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ପାଇ ସେ କଲେଜ ଗଲା । ସରକାରୀ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ି ଏବେ ବାଙ୍ଗାଲୋରରେ ଏକ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ କାର୍ଯ୍ୟରତା । ମନେ ଅଛି ତାର ରାଉରକେଲା ରେ ଯାଇ ପାଠ ପଢ଼ିବା, ତାକୁ ସାଙ୍ଗରେ ନେଇ ଦିପିକା ରାଉରକେଲାରେ ଛାଡ଼ିଲେ । ଏବେ ସେ ନିଜେ ଯାଇ ତାର ଭଡ଼ା ଘରେ ରହି ଆସିଛନ୍ତି । ସେ କେମିତି ସୁବିଧାରେ ରହିବ, ତା’ର ବନ୍ଦୋବସ୍ତ କରି ଆସିଛନ୍ତି । ଆଜି ତାଙ୍କ ମନରେ କୌଣସି ଅବଶୋଷ ନାହିଁ । ମନି ତାଙ୍କୁ ବହୁତ ସ୍ନେହ କରେ । ଆଈ ଆଈ ବୋଲି ଗେହ୍ଲେଇ ହୁଏ ।

ଏବେ ମନି ଫୋନ୍ କରିଛି । କହିଛି ଆଉ ତୁମେ କେବେ ଆସିବ? ମୋର ଏଠି ଜମା ମନ ଲାଗୁନି । ତୁମେ ମୋ ମାଆକୁ ନେଇ ଆସ । ଆମେ ଏଠି ରହିବା । ନିତି ସେ ତାଙ୍କ ସାଙ୍ଗରେ ଫୋନ୍ ରେ କଥା ହୁଏ । ଗଲା ମାସରେ ଆସିଥିଲା ମନି । ତାଙ୍କ ପାଇଁ ବାଙ୍ଗାଲୋର ସିଲ୍କି ଶାଢ଼ୀ ଓ ନୂଆ ଶାଲ୍ ଆଣିଥିଲା । ବାହାଘର ବିଷୟରେ ପଚାରିବାରୁ କହିଲା “ନାଇଁ ଆଈ, ମୁଁ ଆଗେ ୫ ବର୍ଷ ଯାଏ ଜବ୍ କରି ସେଟେଲ୍ ହେଲା ପରେ ବାହାଘର ।”

ଏବେ ଦିପିକା ଶାନ୍ତିରେ ନିଶ୍ୱାସ ମାରୁଛନ୍ତି । ବିବାହ ନ କରି ମଧ୍ୟ ପଦି ଭଳି ଝିଅର ମାଆ ହୋଇଛନ୍ତି ଓ ମନି ଭଳି ସୁନ୍ଦରୀ ନାତୁଣୀ ପାଇଛନ୍ତି ।

“ଆଈ” ଫେରି ଚାହିଁଲେ ଦିପିକା, “ଆରେ ମନି ତୁ କେତେବେଳେ?” ଏଇ ସାଙ୍ଗେ ସାଙ୍ଗେ ପହଂଚିଲି ତୁମକୁ ସରପ୍ରାଇଜ୍ ଦେବି ବୋଲି । ତିନି ଦିନ ଛୁଟି ନେଇ ଆସିଛି । ସେ ଆନନ୍ଦରେ ମନିକୁ କୋଳେଇ ନେଲେ । ମନି କହିଲା “ଏଥର କିନ୍ତୁ ମୋ ଜନ୍ମ ଦିନଟା ମୁଁ ତୁମ ସହିତ ପାଳିବି । ଏଥର ମୋତେ କ’ଣ ଗିଫ୍ଟ ଦେବ କହିଲ? ତୁମର ବିନା ଆଶୀର୍ବାଦରେ ମୁଁ କେମିତି ସେଠି ମୋ ବାର୍ଥ ଡେ ମନାଇ ଥାଆନ୍ତି?

ଆଖିରୁ ଦୁଇଧାର ଆନନ୍ଦାଶ୍ରୁ ତାଙ୍କ ଗଣ୍ଡ ଦେଇ ବହିଗଲା । ସେ ନାତୁଣୀକୁ ଛାତିକୁ ଆଉଜାଇ ନେଲେ । ଦୂରରୁ ପଦିର ପ୍ରାର୍ଥନା ଶୁଭୁଥିଲା । ଆକାଶରେ ରୂପା ଜହ୍ନ ଖିଲି ଖିଲି ହୋଇ ହସୁଥିଲା ।

ଦିପିକା ସଂସାର ପଦି

Rate the content


Originality
Flow
Language
Cover design

Comments

Post

Some text some message..