ତ୍ରିବେଣୀ- ତୁମେ ବହୁତ ସୁନ୍ଦର
ତ୍ରିବେଣୀ- ତୁମେ ବହୁତ ସୁନ୍ଦର
ବସ୍ କୁ ଉଠୁଉଠୁ ଦୁଇଟି ନିରୀହ ଆଖିର ସାଦର ଆମନ୍ତ୍ରଣ। ସତେ କି ଏ ଆଖି ଦି’ଟା 'ଅନେକ ବେଳୁ ପ୍ରତୀକ୍ଷା କରିଛି ତ୍ରିବେଣୀକୁ।
ବସନ୍ତୁ ମେଡମ୍। ମୁଁ ଆଡ୍ ଜଷ୍ଟ କରିନେବି। ଭିଡ ଭିତରେ ସ୍ୱତଃ ଠେଲି ହୋଇ ବ୍ୟସ୍ତ ହୋଇ ବସି ପଡିଲା ତ୍ରିବେଣୀ। ସାମନା ସିଟରେ ଜଣକ ସହ ଚାରି ଆଙ୍ଗୁଳି ଯାଗାରେ ବସିଗଲେ ସିଟ୍ ଦେଇଥିବା ବ୍ୟକ୍ତି ଜଣକ।
ଗୋଟିଏ ସେମିନାର୍ ରେ ଜଜ୍ ଭାବରେ ଯୋଗ ଦେବାକୁ ଯାଇଥିଲା ତ୍ରିବେଣୀ। ଗଲାବେଳେ ଅବଶ୍ୟ କାର୍ ରେ ଯାଇଥିଲା ,ହଠାତ୍ ଡ୍ରାଇଭରର ଦେହ ଖରାପ ହେବାରୁ ଗାଡିଟା ଫେରେଇଦେଇ ବସ୍ ରେ ଚଢିଛି। ଦୀର୍ଘ ଦିନ ପରେ ଆଜିର ଏ ବସ ଜର୍ଣ୍ଣିଂ। ଚାହିଁଥିଲେ କଣ ଶୁଭମ୍ ଆସିପାରି ନଥାନ୍ତେ?
ସେ କଣ ଜାଣି ନାହାଁନ୍ତି ଡ୍ରାଇଭର ଫେରିଆସିଛି ବୋଲି?
ନିଶ୍ଚୟ ଜାଣିଛନ୍ତି। ଏମିତି ସବୁବେଳେ ବେପରୁୱା।
ଆଉ ତ୍ରିବେଣୀ ବି ନିଜ ସ୍ୱାଭିମାନକୁ ସମ୍ମାନ ଦେଇ ଆଗତୁରା କିଛି ଅଧିକାର ସାବ୍ୟସ୍ତ କରିନଥାଏ ସ୍ୱାମୀ ପାଖରେ।
ଅବଦମିତ ଇଚ୍ଛାଟିଏ ସମାଧି ନେଇଗଲେ, ମନ ବିଦ୍ରୋହୀ ହୋଇଉଠେ ନହେଲେ ସଂକୁଚିତ ହେଇଯାଏ। ତ୍ରିବେଣୀ ସବୁବେଳେ ସଂକୁଚିତ। ସେଇଥିପାଇଁ ସବୁବେଳେ ସ୍ୱାବଲମ୍ବୀ ହେବା ପାଇଁ ପ୍ରସ୍ତୁତ ଥାଏ।
ଝର୍କା କାଚଦେଇ ତ୍ରିବେଣୀ ଦେଖୁଥିଲା ଶରତର ଫର୍ଚା ଆକାଶ। ଅସ୍ତଗାମୀ ସୂର୍ଯ୍ୟଙ୍କର ଦୀପ୍ତି ହୀନ ନିଷ୍ପ୍ରଭ ଜ୍ୟୋତି,,ଠିକ ତା ମନ ପରି।
ପ୍ରାଚୁର୍ଯ୍ୟର ଝଲ୍ ମଲ୍ ପୃଥିବୀ ରେ କେଉଁଠି ଏ ଅଭାବ ପଣ???
ସେ ଏକ ପ୍ରଶ୍ନ ବାଚୀ।
ତ୍ରିତଳ ପ୍ରାସାଦ,ରାଜା ପରି ଅଫିସର ସ୍ଵାମୀ,ରାଜକୁମାର ପରି ସୁନ୍ଦର ସୁନ୍ଦର ଦୁଇ ପୁଅ,ଚାକର ବାକର ,ନାଲି ନେଳି ଫୁଲ ଭରା ସୁନ୍ଦର ଅଗଣା ସର୍ବୋପରି ଏକ ହସ ହସ ସଂସାର। ତାରି ଭିତରେ ଏକ ଦୀର୍ଘଶ୍ୱାସ!! ଏକ ହାସ୍ୟାସ୍ପଦ ଶବ୍ଦ ନୁହେଁ କି,,ଅଧ୍ୟାପିକା ତ୍ରିବେଣୀ ପାଇଁ?
ହେଲେ ଏହାତ ନିଛକ୍ ସତ୍ୟ।
ତା ଜୀବନରେ ଏଇ ଏକ ଅବୁଝା ପୃଷ୍ଠା। ଯେତେ ସାଉଁଟିଲେ ଚଉତିଲେ ସେମିତି ଲୋଚା କୋଚା।
ତା ହୃଦୟ ଫଟାଇ ବାହାରି ଆସେ ଏକ ଅଡୁଆ ପ୍ରଶ୍ନ।
ମୁଁ କଣ ସତରେ ସୁନ୍ଦରୀ ନୁହେଁ?
ବସ୍ ଭିତରେ ଉତ୍କଟ ଗନ୍ଧ,ସିଗାରେଟ କି ଝାଳ ଗନ୍ଧ ସହି ହୁଏ କୌଣସି ମତେ,ଏ ଦେଶୀ ମହୁଲି ଗନ୍ଧ ଭାରି ଅସହ୍ୟ ସତେ।
ମା’ କାଖରେ ଓହଳି ଥିବା ଛୁଆଟି ଅଃ ଅଃ କଲାଣି।
ସେଇ ସ୍ୱର,
ଦେଖନ୍ତୁ, ଆପଣଙ୍କ
ଶାଢୀ ଖରାପ ହେଇ ଯିବ।
ଛୁଆଟାକୁ ନିଜ ଆଡକୁ ମୁହାଁଇ ଦେଲେ ଛିଟିକି ପଡିଲା ବାନ୍ତି ଯାକ ତାଙ୍କ ଦେହରେ।
ଆଖିଟା ବୁଲେଇ ଆଣିଲା ତ୍ରିବେଣୀ ,ଲୋକଟା କାହିଁକି ତା ଉପରେ ଏତେ ଯତ୍ନଶୀଳ ଯେ?
ହାଡୁଆ ମୁହଁ,ପଶିପଶି ଯାଉଥିବା ଆଖି ମୁହଁରେ ଧଳା ଧଳା ଦାଢି,ଚିହ୍ନା ଚିହ୍ନା ସ୍ୱର।
ଆଜି କାହିଁକି କେଜାଣି ,ମନ ତଳର ଯନ୍ତ୍ରଣା ଗୁଡିକ ପୁନର୍ଜନ୍ମ ଲାଭ କରି ହନ୍ତସନ୍ତ କରୁଥିଲେ ତାକୁ।
ପଚିଶି ବର୍ଷ ତଳର ସ୍ମୃତି ସବୁ ଅଡୁଆ ତଡୁଆ ସୂତା ପରି ଗୁଡେଇ ହେଉଥିଲେ ଦେହଟା ସାରା ତାର।
ବସନ୍ତର ପ୍ରଥମ ପାହାଚରୁ ଅମୀର ସହ ନୀଡ ରଚନା କରିବାର ସ୍ଵପ୍ନ ଦେଖିଥିଲେ ଦୁହେଁ।
ଦୁହେଁ ଦୁହିଙ୍କୁ ଖୁବ ଚାହୁଁଥିଲେ।
ଅମୀର୍ ଙ୍କ ସେଇ ମିଠା ମିଠା କଥା।
ତ୍ରିବେଣୀ,
ହୁଁ।
ତୁମ ଆଖିରେ ଆକାଶର ନୀଳିମା…….।
ଶ୍ରୀମତୀ ଯାଜ୍ଞସେନୀ ହୋତା