ମୁଁ କଣ ଆଉ ଶିଶୁ ନୁହେଁ
ମୁଁ କଣ ଆଉ ଶିଶୁ ନୁହେଁ
ସ୍କୁଲ ପ୍ରାଙ୍ଗଣଟି ଶିଶୁ ଦିବସ ପାଇଁ ଉତ୍ସବ ମୁଖର ହୋଇପଡିଛି। ସମସ୍ତେ ବହୁତ ଆନନ୍ଦର ସହ ଦିନଟିକୁ ସଫଳ କରିବାରେ ଲାଗି ପଡ଼ିଛନ୍ତି। କାହିଁ କେତେ ଦିନ ଆଗରୁ ପିଲାମାନେ ଏ ଦିନଟି ପାଇଁ ପ୍ରସ୍ତୁତ ହେଉଥିଲେ। ପୁଣି ମୁଖ୍ୟ ଅତିଥି ଯେ ଆମ ପୋଲିସ ଅଧିକାରୀ।
ଷଷ୍ଠ ଶ୍ରେଣୀର ପ୍ରତିଭା ଶ୍ରେଣୀରେ ପ୍ରଥମ ଥିଲା ସବୁଥିରେ। ଏ ବର୍ଷ ତାର ସପ୍ତମ ଶ୍ରେଣୀ। ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ସେ କିଛି ଭଲ କରି ପାରିନି। ଶ୍ରେଣୀର ଏକ କୋଣରେ ଗୁମସୁମ ହୋଇ ବସି ରହିଛି ସେ। ସବୁ ପିଲାମାନେ ଶିଶୁ ଦିବସ ପାଇଁ ପ୍ରସ୍ତୁତ ହେଲା ବେଳକୁ ପ୍ରତିଭା କିନ୍ତୁ ହଜି ଜାଇଛି ଅନ୍ୟ ଏକ ଦୁନିଆରେ। ଶେଫାଳି କହିଲା ଦେଖ ପ୍ରତିଭା ରାଜନ ସାର୍ ଙ୍କ ଏସବୁ ମତେ ଜମା ଭଲ ଲାଗୁନି। ମୁଁ ଏବେ ହାତରେ ଏତେ ସବୁ ଜିନିଷ ନେଇ ଯାଉଥିଲି ସେ ଜାଣି ଶୁଣି ମୋ ପିଠିରେ ହାତ ବୁଲାଇ ଗଲେ। ହେଲେ ମୁଁ କୋଉ ଛାଡିବା ଲୋକ ଯେ ନ ଜାଣିଲା ପରି ସବୁତକ ଜିନିଷ ତାଙ୍କରି ଉପରେ ଅଜାଡି ଦେଇଛି ଆଉ ତାପରେ ସରି କହିଦେଲି ହଁମ..... । ଏଡେ ଏଡେ ଆଖିରେ ଚାହୁଁଥିଲେ ମତେ। ଓଠରେ କ୍ଷୁଦ୍ର ହସଟିଏ ହସିଦେଲା ପ୍ରତିଭା।
ଏଥର ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ଜାଣି ଶୁଣି ମତେ ଗଣିତରେ ଅଙ୍କ କମ କରି ଦେଇଛନ୍ତି. ବାପା ମତେ ଯାହା ମାରିଲେ ହେଲେ ତାଙ୍କୁ କ'ଣ ଜଣା ଏ କେମିତିକା ଲୋକ। କହି ଚାଲିଥିଲା ଶେଫାଳି, ପ୍ରତିଭା ସ୍ଥାଣୁ ଭଳି ଶୁଣୁଥିଲା କେବଳ ।
ଏ ପ୍ରତିଭା କଣ କିଛି କହୁନୁ ଯେ ତତେ ସେ ବହୁତ୍ ଭଲ ପାଆନ୍ତି ନା ତୁ କାହିଁକି ତାଙ୍କୁ ଖରାପ କହିବୁ। ପ୍ରତିଭା କିଛି ନକହି ଚାହିଁ ରହିଲା ଶେଫାଳିକୁ। ଚାରି ଆଡକୁ ନଜର ପକାଇ ଦେଖିଲା କେହି କୁଆଡେ ନାହାନ୍ତି। କଣ କହିବ କହିବ ହେଉଥିଲା ସେ କିନ୍ତୁ ପାଟିରୁ କଥାଟି ବାହାରକୁ ଚାହିଁକି ବି ବାହାରୁ ନଥିଲା। ଆଉ ହଠାତ୍ ଚୁପ୍ ହୋଇଗଲା। ଶେଫାଳି କହିଲା, ଆରେ କଣ କହୁନୁ କଣ ହେଲା, ଚୁପ୍ କାହିଁ ହୋଇଗଲୁ। ମୁଁ ଦେଖୁଛି ତୁ ଆଜିକାଲି ବହୁତ୍ ବଦଳି ଗଲୁ ମୋ ସହ ବି ଭଲରେ କଥା ହେଉନୁ। ମୁଁ ସେଦିନ ବି ପଚାରିଥିଲି ତୁ କିଛି ନକହି ଦୌଡି ଚାଲିଗଲୁ। ଆରେ କହ ।ତୋର କଣ ମୋ ଉପରେ ବିଶ୍ୱାସ ନାହିଁ।
ଆଉ ସେତେବେଳେ ଦିପାକୁ ଦେଖି ପ୍ରତିଭା ନିଜକୁ ସଂଜତ କରି ଆଖିରୁ ଲୁହ ପୋଛିନେଲା ଯେମିତି କିଛି ହୋଇନି। ଦିପା କହିଲା, ମୁଖ୍ୟ ଅତିଥି ଆସିଗଲେଣି। ସଭା ଆରମ୍ଭ ହେଲାଣି ଯିଏ ଜା ଜାଗାରେ ବସିଯାଅ। ଶେଫାଳିକୁ ଦେଖି କହିଲା ଆରେ ତୁ ତ ବକ୍ତବ୍ୟ ପ୍ରତିଯୋଗିତାରେ ଭାଗ ନେଇଛୁ ନା ଦେଖ ସବା ଶେଷରେ ଅଛି ବକ୍ତବ୍ୟ ପ୍ରତିଯୋଗିତା ତୁ ସମୟରେ ଆସିଯିବୁ। ତୋର କଣ ହେଇଛି ପ୍ରତିଭା? ତୁ କୋଉଥିରେ ଭାଗନେଇଛୁ। ତାକୁ କିଛି ଉତ୍ତର ଦେବା ପୂର୍ବରୁ ହିଁ ସେ ଚାଲିଗଲା ସେଠୁ। ପ୍ରତିଭା ମଧ୍ୟ ଶେଫାଳି ଠୁ ଆଖି ଚୋରାଇ ସେଠୁ ଯିବାକୁ ଉଦ୍ୟତ ହେଉଥିଲା ଆଉ ପ୍ରତିଭାର ହାତକୁ ଧରିନେଲା ଶେଫାଳି। ନା ତୁ ଏମିତି ଯାଇପାରିବୁନି। ଆଜି ମତେ ସତ କହ। କହ କହ କହ।
ଅତିଷ୍ଠ ହୋଇ ପ୍ରତିଭା ଶେଫାଳି ହାତକୁ ଛିଟିକି ଦେଇ କହିଲା କଣ କହିବି ଶେଫାଳି, କଣ ଶୁଣିବୁ ତୁ? ରାଜନ ସାର ଜଣେ ରାକ୍ଷାସ। ମୁଁ ଯାହା କହିଲେ ବି ମୋ କଥା କିଏ ଶୁଣିବ। ସେ ଏତେ ବଡ ଲୋକ ସେ ଯାହା କହିବେ ତା ହିଁ ସତ। ଆଉ ନିରାସ ହୋଇ କଇଁ କଇଁ ହୋଇ କାନ୍ଦି ଉଠିଲା। ଶେଫାଳି ଜଣେ ପ୍ରକୃତ ବନ୍ଧୁ ପରି ପ୍ରତିଭାକୁ ଜାବୁଡି ଧରି ଆଶ୍ଵାସନା ଦେଲା। କହିଲା ଦେଖ ପ୍ରତିଭା ମୋ ଉପରେ ଭରସା କର। ମୁଁ ତତେ ନିଶ୍ଚୟ ସାହାର୍ଯ୍ୟ କରିବି। ତୁ କହ।
ପ୍ରତିଭା ଆଖିରୁ ଲୁହ ପୋଛି କହିଲା, ତୁ ତ ଜାଣିଛୁ ବାପା କେତେ କଷ୍ଟରେ ମତେ ପାଠ ପଢାଉଛନ୍ତି। ରାଜନ ସାରଙ୍କୁ ସେ ଦେବ ତୁଲ୍ୟ ମାନନ୍ତି। ଥରେ ଅଧେ ସେ ମୋର ସ୍କୁଲ ଶୁଳ୍କ ଦେବାରେ ସାହାର୍ଯ୍ୟ କରିଛନ୍ତି। ଆଉ ବଦଳରେ ମୋଠୁ ତାହା ଅସୁଲ କରିନେଇଛନ୍ତି। ବାପା କହିବାକୁ ବହୁତ ଚେଷ୍ଟା କଲି। ମାକୁ କହିବି ଭାବିଲି ହେଲେ ରାଜନ ଥରେ ବାପାଙ୍କୁ ମୋ ବିରୁଦ୍ଧରେ କିଛି କହିଥିଲେ ଆଉ ବାପା ମୋ ଉପରେ ବହୁତ ବିରକ୍ତ ହୋଇଥିଲେ। ମୋର ସାହସ ପାଇଲା ନାହିଁ ଆଉ କିଛି କହିବାକୁ। ସେଦିନ ରାଜନ ସାର୍ ଧମକ ଦେଲେ ଯଦି କାହାକୁ କହିବୁ ତତେ ଏ ସ୍କୁଲରୁ ବାହାର କରିଦେବି ଆଉ ତା ଛଡା ଯାହା ବଦନାମ କରିବି ତୁ ମରିବାକୁ ବି ବାଟ ପାରିବୁନି। ଏବେ ତୁ କହ ଶେଫାଳି ମୁଁ କଣ କରିବି। ତୁ ଜାଣିଛୁ ପରୀକ୍ଷାରେ ଫେଲ କରିଦେବେ କହିଛନ୍ତି। ମୁଁ ଫେଲ ହୋଇଗଲେ ମୋ ବାପା ମାଆଙ୍କ ସବୁ ସ୍ଵପ୍ନ ମାଟି ହୋଇଯିବ। ମୁଁ ଜାଣେ ତୁ ମୋର କିଛି ସାହାର୍ଯ୍ୟ କରିପାରିବୁନି, କିନ୍ତୁ ଗୋଟେ ଉପକାର କରିଦେ ଏ ବିଷୟରେ କାହାକୁ କିଛି କହିବୁନି।
ଶେଫାଳିର ମୁହଁ କିନ୍ତୁ ଉଜ୍ଜ୍ଵଳ ଦିଶୁଥିଲା,ଯେମିତି କୋହିନୂରର ମଣି ମିଳିଯାଇଛି। ମନେ ମନେ କିଛି ସ୍ଥିର କରିନେଇଛି ସେ। କହିଲା ଠିକ୍ ଅଛି ମୁଁ ତୋ କଥା କାହାକୁ କହିବିନି କିନ୍ତୁ ତତେ ମୋ ସହ ସଭାସ୍ଥ କୁ ଯିବାକୁ ପଡିବ। ଆଜି ମୋର ବକ୍ତବ୍ୟ ଦେବାର ଅଛି। ଆଉ ମୋ ପାଇଁ ତାଳି ବି ମାରିବାକୁ ପଡିବ। କହ ମୋ ସାଥ ଦେବୁ ତ? ଦୁଇ ବନ୍ଧୁ ସଭାସ୍ଥଳ ଆଡକୁ ଆଗେଇଲେ।
ସବୁ ସଭା ବୃନ୍ଦଙ୍କ ଅଭିଭାଷଣ ଚାଲିଛି। ସମସ୍ତେ ଶିଶୁ କଲ୍ୟାଣ, ଏବଂ ସମୃଦ୍ଧ ଉପରେ ଭାଷଣ ଦେଉଛନ୍ତି। ରାଜନ ସାର୍ ମେଧାବୃତ୍ତି ଉତ୍ତମ ଶିକ୍ଷାର ଅଭିଭାଷଣ ଦେଲେ। ମୁଖ୍ୟ ଅତିଥି ଶିଶୁ କଲ୍ୟାଣ ଏବଂ ଶିଶୁ ଆଇନ ବିଷୟରେ ବିଶେଷ ମନ୍ତବ୍ୟ ଦେଲେ। ଶେଫାଳି ଓ ପ୍ରତିଭା ମନଧ୍ୟାନ ଦେଇ ସବୁ ଶୁଣୁଥିଲେ। ଶେଫାଳି ଇସାରାରେ ପ୍ରତିଭା କିଛି କହିବାକୁ ଚାହୁଁଥିଲା। କିନ୍ତୁ ପ୍ରତିଭା କହିଲା ନା ଶେଫାଳି ଏସବୁ ନିୟମ ଆମ ପାଇଁ ନୁହଁ। ଏଇଟା ମୋ ଭାଗ୍ୟ. ମତେ ଏମତି ହିଁ ଭୋଗିବାକୁ ହେବ। କିନ୍ତୁ ଶେଫାଳିର ଆଖି ଉଜ୍ଜ୍ଵଳ ଦିଶୁଥିଲା। କହିଲା ଠିକ୍ ଅଛି ତୁ କିଛି କରନା କିନ୍ତୁ ମୋ ପାଇଁ ତାଳି ନିଶ୍ଚୟ ମାରିବୁ। ପ୍ରତିଭା କିଛି ବୁଝିପାରିଲାନି। ଆଉ ଶେଫାଳିର ବକ୍ତବ୍ୟର ପାଳି ଆସିଗଲା। ଶେଫାଳି ମଞ୍ଚ ଉପରକୁ ଗଲା।
ସମସ୍ତ ସଭା ବୃନ୍ଦଙ୍କୁ ପ୍ରଣାମ ଜଣାଇ ଶେଫାଳି ବକ୍ତବ୍ୟ ଆରମ୍ଭ କଲା।
ଆଜିର ଶୀର୍ଷକ ଯାହା ଥାଉ ନା କାହିଁକି ମୁଁ ଆଜି ଯାହା ବି କହିବି ତା ପରେ ହୁଏତ ମୋର ଏଇଠି ଶେଷ ଦିନ ହେବ। ହଠାତ ଏପରି କଥା ଶୁଣି ସଭାରେ ସମସ୍ତ ଆଖି ଶେଫାଳି ଉପରେ କେନ୍ଦ୍ରୀତ ହୋଇଗଲା ।
ପ୍ରଧାନ ଶିକ୍ଷକ ଶେଫାଳିକୁ ରୋକିବାକୁ ଉଦ୍ୟତ ହେଉଥିଲେ କିନ୍ତୁ ମୁଖ୍ୟ ଅତିଥି ଶେଫାଳିକୁ ଆଶ୍ଵାସନା ଦେଲେ ଆଗକୁ ବଢିବାକୁ।
ଆଗକୁ ଶେଫାଳି କହିଲା, ଆଜିର ବକ୍ତବ୍ୟରେ ସମସ୍ତ ସଭା ବୃନ୍ଦ ଶିଶୁ ମାନଙ୍କର ଭବିଷ୍ୟ ଏବଂ କଲ୍ୟାଣ ବିଷୟରେ ଅଭିଭାଷଣ ଦେଇଛନ୍ତି। କିନ୍ତୁ ମୁଖ୍ୟ ଅତିଥି ମହୋଦୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଏଇ ବିଦ୍ୟାଳୟରେ ମୁଁ ଯେ ଆଉ ଶିଶୁ ହୋଇ ନାହିଁ ।
ବୋଧେ ମୋର ଶିର୍ଷକ ମୁଁ କଣ ଶିଶୁ ନୁହେଁ?
ଆଜି ମୁଁ କେବଳ ମୋ ବିଷୟରେ କହିବି। ମୁଁ ଭୂମିଷ୍ଠ ହେବା ପରେ ପରେ ଝିଅଟିଏ ପାଇ ମୋ ବାପା ଖୁସି ଠୁ ବେଶୀ ଚିନ୍ତିତ ହୋଇଯାଇଥିଲେ। ଧିରେ ବଡ ହେବା ସହ ତାଙ୍କ ଚିନ୍ତା ଆହୁରି ବଢିଗଲା। ଠିକ୍ ରେ ବସ୍,ଫ୍ରକ୍ ଠିକ୍ କର,ଏତେ ହସେନି, ସଞ୍ଜତରେ କଥା କହ ଏମିତି ସବୁ କେତେ କଟକଣା ମୋ ଉପରେ ଲାଗେ। ଝିଅ ପିଲାଟା ଏମିତି କ ଣ ଦୌଡୁଛୁ ବୋଲି ମୋ ଜେଜିମା କହେ। ମୋ ବାପା ମାଆ ମତେ ବାକି ସାରା ଦୁନିଆକୁ ବିଶ୍ଵାସ କରନ୍ତି। ସ୍କୁଲରେ ଛାଡିଲା ପରେ ସେଠି କଣ ହୁଏ ସେ ସେଥିରେ ମୋ ବାପା ମାଆଙ୍କୁ କିଛି ଯାଏ ଆସେ ନାହିଁ କିନ୍ତୁ ପରିକ୍ଷାରେ ଭଲ ଅଙ୍କ ଥିବା ଦରକାର। ଆଉ ତାର ଫାଇଦା ଉଠାନ୍ତି ବିଦ୍ୟାଳୟର କିଛି ରାକ୍ଷାସ ରୁପି ଶିକ୍ଷକ। ମୋ ସହ ମଧ୍ୟ ଠିକ ତାହା ହେଲା। ଏହି ବିଦ୍ୟାଳୟରେ ମୋ ଶିକ୍ଷକ ମୋ ସହ ଅମାନୁଷିକତା କଲେ। ମୁଁ ତାର ବିରୁଦ୍ଧ କରିବା ଦ୍ଵାରା ମତେ ଚେତାବନୀ ଦେଲେ ମତେ ପରିକ୍ଷାରେ ବସିବାକୁ ଦେବେନି ବୋଲି। ମୋର ବୟସ ମାତ୍ର ୧୨ବର୍ଷ। କିନ୍ତୁ ମୁଁ ଏଠି ଶିଶୁରେ ଗଣା ଯାଉନି। ମୋ ଶିକ୍ଷକଙ୍କ ଆଖିରେ ମୁଁ ଯେମିତି ଏକ ସୁସ୍ୱାଦୁ ଖାଦ୍ୟ ଯାହାକୁ ସେ ଲାଳସାର ନଜରରେ ଚାହାଁନ୍ତି । ଆଉ ମତେ ଡର ଲାଗେ କାଳେ ସେ ପଛରୁ ଆସି ମତେ ଧରିନେବେ କି ଜାଣି ଶୁଣି ମୋ ଦେହରେ ହାତ ବୁଲାଇ ନେବେ। ଦିନ ଆସିଲା ସେ ଡର ବି ସତ ହେଲା ମୋତେ ବଦନାମ କରିବାର ଧମକ ଦେଇ ମୋ ଜୀବନକୁ ସେ ବରବାଦ କରିଚାଲିଲେ, ପ୍ରତିଦିନ, ପ୍ରତିକ୍ଷଣ। ଏମିତିକି ଆଜିବି ସେ ମତେ ଏଠିକି ଆସିବାକୁ ମନା କରିଥିଲେ କାରଣ ଯେତେବେଳେ ସମସ୍ତେ ସଭା କାର୍ଯ୍ୟରେ ବ୍ୟସ୍ତ ଥିବେ ଆଉ ସେ ତାର ଫାଇଦା ଉଠାଇପାରିବେ ଏବଂ ହଠାତ୍ ବୁଲିପଡ଼ି ଶେଫାଳି କହିଲା କଣ ମୁଁ ଠିକ୍ କହିଲି ନା ରାଜନ ସାର୍?
ରାଜନ ଏକବାରେ କାବା ହୋଇ ଚାହିଁ ରହିଲା। ମୁଣ୍ଡରୁ ବୋହିଜାଉଛି ଧାରଧାର ଝାଳ। କିନ୍ତୁ ଏବେବି ସେ ଦୃଢ଼ ଭାବେ କହିଲା କଣ କହୁଛ ତୁମେ, ସ୍ପଷ୍ଟ ଭାବେ କୁହ କାହା ବିଷୟରେ କହୁଛ ? ମୃଦୁ ହସ ଦେଇ ଶେଫାଳି କହିଲା ମୁଁ ଆପଣଙ୍କ ବିଷୟରେ କହୁଛି ସାର୍। ଭୁଲିଗଲେ ଆପଣ ମୋ ସହ କଣ କଣ କରିଛନ୍ତି। ଏବେ ରାଜନ ଆହୁରି ଦୃଢ ଭାବରେ କହିଲା ଏଇ ମୁହଁ ସମ୍ଭାଳି କଥା କୁହ। ସଭାରେ ବସିଥିବା ସମସ୍ତ ଲୋକ ଏକ ଲୟରେ ମଞ୍ଚ ଆଡକୁ ଚାହିଁରହିଥିଲେ ଓ ପ୍ରତିଭା ଦୁରରୁ ସ୍ତବ୍ଧ ହୋଇ ଚାହିଁ ରହିଥିଲା। ଶେଫାଳି ଗୋଟେ ପରେ ଗୋଟେ ଯୁକ୍ତି ବାଢି ଚାଲିଥିଲା ରାଜନ ଆଗରେ ଏବଂ ରାଜନ ଇତସ୍ତତଃ ଭାବରେ ଦେଖୁଥିଲା ଥରେ ପ୍ରତିଭାକୁ ପୁଣି ଶେଫାଳିକୁ ।ଏତେ ସବୁ ଯୁକ୍ତି ଆଗରେ ଏବଂ ଏତେ ଲୋକଙ୍କ ଆଖିରେ ଠିଆ ହୋଇ ବର୍ତ୍ତମାନ ରାଜନ ହଡବଡେଇ ଜାଣିଥିଲା। ଶେଷରେ ଶେଫାଳି କହିଲା ତେବେ ସାର ଆପଣ କାହିଁକି ଆଜି ମତେ ଶ୍ରେଣୀ ଗୃହରେ ରହିବାକୁ କହିଥିଲେ ହଠାତ୍ ରାଜନ ମୁହଁରୁ ବାହାରି ଆସିଲା ଆରେ ମୁଁ ତ ପ୍ରତିଭାକୁ କହିଥିଲି ତତେ ନୁହେଁ।
ଶେଫାଳିର କାମ ସରିଯାଇଥିଲା। ପ୍ରତିଭା ବସିବା ଜାଗାରୁ ଠିଆ ହୋଇଯାଇଥିଲା। ସଭାର ସବୁ ନଜର ପ୍ରତିଭା ଆଡକୁ। ଏବଂ ସଭାରେ ଗୁଞ୍ଜି ଉଠିଲା କରତାଳିର ଲହରୀ ।
---XXX---ଆମ୍ବପୁଆ, ବ୍ରହ୍ମପୁର -୧୦