Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଶିଥ ସୂର୍ଯ୍ୟ
ନିଶିଥ ସୂର୍ଯ୍ୟ
★★★★★

© Kara Bijay

Classics Inspirational

15 Minutes   14.6K    18


Content Ranking

   ନିଶିଥ ସୂର୍ଯ୍ୟ
--------------------------------------କେ. ବିଜୟ
    
                               
ଦୀର୍ଘ ଦିନର ବ୍ୟବଧାନ ପରେ ମଧ୍ୟ ଅତନୁ ମୋତେ ଚିହ୍ନିପାରି ତାର ସ୍ୱଭାବ ସୁଲଭ ଢଙ୍ଗରେ ଉଚ୍ଚ ସ୍ୱରରେ ପାଟିକରି କହିଲା , " ଆରେ ଶାନ୍ତନୁ ତୁ !" ତା ମୁହଁରେ , ସ୍ୱରରେ ଏକ ଉଚ୍ଛ୍ୱସିତ ଭାବ ମୁଁ ସ୍ୱଷ୍ଟ ଲକ୍ଷ୍ୟ କରି ପାରିଥିଲି । ମୁଁ ତାକୁ ପ୍ରଥମେ ଚିହ୍ନି ନପାରିଲେ ବି , ତା' ସ୍ୱରରୁ ଚିହ୍ନି ନେଇ ବିସ୍ମିତ ହୋଇଉଠିଥିଲି । ମୋ ଝିଅ ବାହାଘରରେ ଅତନୁ ? ମୋର ବିଶ୍ୱାସ ହେଉନଥିଲା । ମୁଁ ଅବିଶ୍ୱାସ ଦୃଷ୍ଟିରେ ନିର୍ବାକ୍ ହୋଇ ଚାହିଁ ରହିଥିଲି । ମୋ ଚକ୍ଷୁ ବିଷ୍ଫୋରିତ ହୋଇ ମୋ ଦୃଷ୍ଟି ତା'ରି ମୁହଁରେ ନିବଦ୍ଧ ହୋଇ ରହିଯାଇଥିଲା ।
          ସେ ମୋତେ ଛାତିରେ ଭିଡ଼ି ଧରି କହିଲା , " ମୁଁ ପୂର୍ବରୁ ଜାଣିଥିଲି ତୋ ସଙ୍ଗେ ମୋର ଏଇଠି ହିଁ ଦେଖାହେବ । ସିଦ୍ଧାର୍ଥର ବାହାଘର ନିମନ୍ତ୍ରଣ ପାଇ ଯେତେବେଳେ ସେହି
      
         ନିମନ୍ତ୍ରଣ ପତ୍ରରେ ତୋରି ନାଆଁଟା ଦେଖିଥିଲି , ସେତେବେଳେ ଭାବିଥିଲି ସେ ଶାନ୍ତନୁ ତୋ ବ୍ୟତୀତ ଅନ୍ୟ କେହି ନୁହେଁ । ମୁଁ ପୂର୍ବରୁ ବେଶ୍ ଜାଣିଥିଲି ତୁ ଓଡ଼ିଶାର ବ୍ରହ୍ମପୁର ସହରରେ ରହୁ । କିନ୍ତୁ ପରେ ସିଦ୍ଧାର୍ଥ ଠାରୁ ତୋ ସମ୍ପର୍କରେ ସବୁକଥା ଜାଣିପାରି ନିଶ୍ଚିତ ହେଇଯାଇଥିଲି ଯେ ତୋରି ଝିଅ ସଙ୍ଗେ ସିଦ୍ଧାର୍ଥର ବାହାଘର ହେଉଛି । ସିଦ୍ଧାର୍ଥ ଠାରୁ ତୋ ଫୋନ୍ ନମ୍ବର ବି ସଂଗ୍ରହ କରି ନେଇଥିଲି । କିନ୍ତୁ ମୁ ତୋତେ ସରପ୍ରାଇଜ୍ ଦେବାପାଇଁ ଚାହିଁଥିଲି , ଏଣୁ ତୋ ସଙ୍ଗେ ଯୋଗାଯୋଗ କରିନଥିଲି । ଏହି ଦିନଟି ପାଇଁ ଉତ୍କଣ୍ଠାର ସହିତ ପ୍ରତୀକ୍ଷା କରୁିଥିଲି ।"
            ଅତନୁ ସଙ୍ଗେ ଦେଖାହେବ ମୁଁ ସ୍ଵପ୍ନରେ ସୁ୍ଧା କଳ୍ପନା କରିନଥିଲି । ମୋ ବାଲ୍ୟର ଘନିଷ୍ଠ ବନ୍ଧୁ ସଙ୍ଗେ ଜୀବନର ସାୟାହ୍ନରେ ଏଭଳି ଏକ ମୁହୂର୍ତରେ ଅପ୍ରତ୍ୟାଶିତ ଭାବେ ଦେଖା ହେଇଯିବ ମୁଁ କେବେବି ଆଶା କରିନଥିଲି । ଅତ୍ୟଧିକ ଆନନ୍ଦରେ ବିହ୍ୱଳ ହୋଇ ନିର୍ବାକ୍ ହୋଇ ଚାହିଁ ରହିଥିଲି । କିଛି ସମୟ ଚାହିଁ ରହିବା ପରେ ପ୍ରକୃସ୍ଥିତ ହୋଇ କହିଲି, "କହ ଶାନ୍ତନୁ ତୁ କେମିତି ଅଛୁ ?"
            ତା' ଓଠରେ ହସ ଫୁଟି ଉଠିଲା । କିନ୍ତୁ ସେ ହସରେ  ଚମକ୍ ନଥିଲା । କିଭଳି ଉଦାସୀନ ମଳିନ ମନେ ହେଉଥିଲା । ସେହି ମଳିନ ହସର ଅଭ୍ୟନ୍ତରରେ କେତେ ଯେ ଦୁଃଖ ଯନ୍ତ୍ରଣା ଓ ଦରଦ୍ ଖୁନ୍ଦି ହୋଇ ରହିଥିଲା , ମୁଁ ବିବାହ ଉସ୍ଛବର ଝାମେଲା ଝିଞ୍ଜଟ ମଧ୍ୟରେ ବାରି ପାରିନଥିଲି । ସମୟର ସ୍ୱଳ୍ପତା , ବାହାଘରର ଝିଞ୍ଜଟ ମଧ୍ୟରେ ଅତନୁ ସଙ୍ଗେ କେତୋଟି ନିରୋଳା ମୁହୂର୍ତ କଟାଇବା ଇଛାକୁ ସମ୍ବରଣ କରିଥିଲି ।
           ସେଦିନ ସେ ମୋ ଝିଅର ବିବାହ ଉସ୍ଛବରେ ସମସ୍ତ ସହଯୋଗ ସହାୟତା କରି ମୋ ଭାରାକ୍ରାନ୍ତ ମନକୁ ଲାଘବ କରି ଦେଇଥିଲା ।
            ବିବାହର ଝାମେଲା ତୁଟିବା ପରେ ଅତନୁ ମୋତେ ତା' ଘରକୁ ତା' ସଙ୍ଗେ  ମଧ୍ୟାହ୍ନ ଭୋଜନରେ ଯୋଗ ଦେବାପାଇଁ ନିମନ୍ତ୍ରିତ  କରିଥିଲା । ଆଉ ମୁଁ ବି ତା' ସଙ୍ଗେ କେଇଟି ନିରୋଳା ମୁହୂର୍ତ୍ତ କଟାଇବା ପାଇଁ ଚାହୁଁଥିଲି । ମୁଁ ତାର ଆମନ୍ତ୍ରଣକୁ ସାଦରେ ଗ୍ରହଣ କରିଥିଲି । ପରିଣତ ବୟସରେ ହଜିଲା ଅତୀତର ସ୍ମୃତି ଗୁଡିକୁ ବିସ୍ମୃତି ଭିତରୁ ସାଉଁଟି ଆଣିବା ପାଇଁ ମନଟା ଉତ୍କଣ୍ଠିତ ହୋଇ ଉଠୁଥିଲା ।
             ଅତନୁ ଆଉ ମୁଁ ବାଲ୍ୟରେ ଅତି ଘନିଷ୍ଠ ବନ୍ଧୁ ଥିଲୁ ।
              ତା' ପରିବାର ସଙ୍ଗେ ମୋ ପରିବାରର ଉତ୍ତମ ସମ୍ପର୍କ ରହିଥିଲା । ଆମର ଏଇ ଦୁଇ ପରିବାର ପୂର୍ବ ବଙ୍ଗରେ ଅତ୍ୟନ୍ତ ପ୍ରଭାବଶାଳୀ ଓ ପ୍ରତିଷ୍ଠିତ ଥିଲା ଓ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । କିନ୍ତୁ ଏପରି ଏକ ସମୟ  ଆସିଲା , ଆମର ପ୍ରଭାବ ,ପ୍ରତିଷ୍ଠା ଓ ସମ୍ମାନ ସବୁକିଛି ନିୟତିର କ୍ରୁର ପ୍ରହାରରେ ନିଶ୍ଚିନ୍ନ ହେଇଗଲା । ଆମେ ହେଇଗଲୁ ସର୍ବହରା ।
              ଦେଶ ସ୍ୱାଧୀନ ହେଲା ।
               ତା ସହିତ ବିଭାଜିତ ବି ହେଇଗଲା । ପୂର୍ବ ବଙ୍ଗ ହେଇଗଲା ପୂର୍ବ ପାକିସ୍ଥାନ୍ । ଲୋକଙ୍କ ମନରେ ସାମ୍ପ୍ରଦାୟିକତାର ବୀଜ ଅଙ୍କୁରିତ ହେଇଗଲା ।  ଏକ ମୁସଲମାନ ବହୁଳ ଦେଶରେ , ସଙ୍ଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ସୁରୁୱାତ୍ ହେଇଗଲା । ଏହି ସାମ୍ପ୍ରଦାୟିକତାର ଅର୍ଗଳିର ଯୁପ କାଠରେ କେତେଯେ ନିରୀହ ମଣିଷ ବଳି ପଡିଗଲେ ,ତାର କେହି ହିସାବ ରଖିନାହାଁନ୍ତି । କେତେ ଘର ଇମାରତ୍ ଭାଙ୍ଗି ଚୁର୍ ମାର ହେଇଗଲା , ଚାରିଆଡେ ଖାଲି ଧ୍ୱଂସର ତାଣ୍ଡବ । କେତେ ମଣିଷ ନିଃସହାୟ, ନିରାଶ୍ରିତ ହେଇଗଲେ । କେତେ ମଣିଷ ଚାଲିଗଲେ ନିଜ ନିଜର ଭୂସମ୍ପତି , ଭିଟାମାଟି ଘରଦ୍ୱାର ଓ ସର୍ବସ୍ୱ ତ୍ୟାଗ କରି । ରାଜ ରାସ୍ତା ସ୍ମଶାନରେ ପରିଣତ ହେଇଗଲା । ସଙ୍ଖ୍ୟାଲଘୁ ହିନ୍ଦୁ ପରିବାର ହେଲେ ସର୍ବହରା । ଯେଉଁମାନେ ଧର୍ମାନ୍ତର ହେଲେ ସେଇମାନେ ବର୍ତ୍ତିଗଲେ ।
               ପୂର୍ବ ପାକିସ୍ତାନର ତୃଣମୂଳ ଦେଶ ଭାରତ ।
                ଭାରତ ସରକାର ନିଜ ଦେଶରେ ଶରଣାର୍ଥୀ ଶିବିର ଖୋଲିଲେ । ଶହସ୍ର ଶହସ୍ର ବଙ୍ଗ ଶରଣାର୍ଥୀଙ୍କୁ ଆଶ୍ରୟ ଦେଲେ । ଦେଶରେ ସ୍ଥାୟୀ ବାସିନ୍ଦା ହୋଇ ରହିବାପାଇଁ ଅନୁମତି ଦେବା ସହ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଓ ସହଯୋଗ ଯୋଗାଇ ଦେଲେ ।  ଧୀରେ ଧୀରେ ସେମାନେ ଆଶ୍ରିତରୁ ସ୍ଥାୟୀ ନାଗରିକ ପାଲଟିଗଲେ । ଧନୀ ଗରୀବ ସମସ୍ତେ ସମାନ ହେଇଗଲେ । ଭାରତରେ ରହି ନିଜ ନିଜର ଭାଗ୍ୟ ଗଢିବା ପାଇଁ ଭିନ୍ନ ଭିନ୍ନ ରାସ୍ତା ଆପଣେଇଲେ ।
                  ଏହି ଶରଣାର୍ଥୀଙ୍କ ମଧ୍ୟରୁ ମୁଁ ବି ଜଣେ ନିଃସହାୟ ନିରାଶ୍ରିତ ଥିଲି । ମୋ ସଙ୍ଗେ ମୋର ହତଭାଗିନୀ ମାଆ । ବାଲ୍ୟରୁ ମୁଁ ପିତୃହୀନ ଥିଲି । ମୋ ପିତା ଜଣେ ପ୍ରତିଷ୍ଠିତ ଜମିଦାର ଥିଲେ । ସମାଜରେ ତାଙ୍କର ବେଶ୍ ସମ୍ମାନ ଖାତିର୍ ଥିଲା । ଅତ୍ୟନ୍ତ ସ୍ୱାଭିମାନୀ ବି ଥିଲେ ।
ଉତ୍ତରାଧିକାରୀ ସୁତ୍ରରେ ତାଙ୍କରି ଏହି ଗୁଣଟି ମୋ ରକ୍ତ କୋଷକୁ ସଞ୍ଚରି ଆସିଥିଲା।
                   ମୋର ଏହି ସ୍ୱାଭିମାନୀ ଗୁଣଟି ମୋତେ ଭାରତ ସରକାରଙ୍କ ସମସ୍ତ ସହାୟତା ଓ ଅନୁଗ୍ରହକୁ ଗ୍ରହଣ କରିବାରୁ ନିବୃତ କରୁଥିଲା । ନିଜ ଭାଗ୍ୟ ନିଜେ ଗଠନ କରି ପାରିଥିଲି । ସେ ସମୟରେ ଚାକିରୀ ସହଜଲବ୍ଧ ଥିଲା । ସାମ୍ବାଦିକତାରେ ଏମ.ଏ ପାସ୍ କଲାପରେ ପି.ଟି. ଆଇ. ରେ ଜଣେ ସାମ୍ବାଦିକ ଭାବେ ଯୋଗ ଦେଲି ।
                   ଦେଶ ବିଭାଜନ ପୂର୍ବରୁ ଅତନୁର ପିତା ହୁଏତ ସାମ୍ପ୍ରଦାୟିକତାର ଗନ୍ଧ ବାରିପାରିଥିଲେ । ସେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୀ କରି କୋଲକତା ଚାଲିଆସିଥିଲେ ।
                   ତା ପରଠାରୁ ମୋର ଅତନୁ ସଙ୍ଗେ କେବେ ସାକ୍ଷାତ୍ ହେଇନଥିଲା ।
                   କିନ୍ତୁ ମୋର ଅନ୍ୟ ସମ୍ପର୍କୀୟଙ୍କ ଠାରୁ ତା' ସମ୍ପର୍କରେ କିଛି କିଛି ଖବର ରଖିଥିଲି । ଶୁଣିଥଲି ତା'ର ଦୁଇଟି ଝିଅ , ଜଣେ ଆମେରିକାରେ ରହେ ଅନ୍ୟଟି କଲକୋତାରେ ହିଁ ବିବାହ କରିଥିଲା । ବାସ୍ ଏତକ ଖବର ବ୍ୟତୀତ ଅତନୁର ଅନ୍ୟ କୌଣସି ଖବର ମୋତେ ଜ୍ଞାତ ନଥିଲା ।
              ଅତନୁ ସଙ୍ଗେ ଦେଖା ହେବାପରେ ମୋ ମାନସରୁ ବିସ୍ମୃତ ହୋଇଯାଇଥିବା ଅତୀତର ମୃତ ସ୍ମୃତି ଗୁଡିକ ପୁଣିଥରେ ଜୀବନ୍ତ ହୋଇ ଉଠିଲେ । ବାଲ୍ୟର ସ୍ମୃତି ଯୋଗ୍ୟ ଘଟଣା ଗୁଡିକ ମୋ ମାନସରେ ଉଦ୍ଭାସିତ ହୋଇ ମୋ ଦେହ ମନରେ ରୋମାଞ୍ଚ ଭରିଦେଲେ ।
              ବାଲ୍ୟର ଚପଳତା , କୌଶରର ଉଦ୍ଦାମତା ମନେ ପଡିଯିବା କ୍ଷଣି ପରିଣତ ବୟସରେ ମଧ୍ୟ ମୋ ଶିଥିଳ ସ୍ନାୟୁ ପୁଞ୍ଜରେ ଏକ ଅପୂର୍ବ ପୁଲକ ଅନୁଭୂତ ହେବାକୁ ଲାଗିଲା ।
               ବିଚିତ୍ର ଭଗବାନଙ୍କର ଏହି ସୃଷ୍ଟି । ବୟସର ତାଳେ ତାଳେ , ମଣିଷର ବ୍ୟବହାରରେ ବିବିଦ୍ଧତା ପରିଲକ୍ଷିତ ହୋଇଥାଏ । କେତେବେଳେ ଚପଳତା, କେତେବେଳେ ଉଦ୍ଦାମତା ତ ପୁଣି କେତେବେଳେ ଗାମ୍ଭୀର୍ଯ୍ୟ , ପରିଶେଷରେ ହତାଶା ଓ ଅବସାଦଗ୍ରସ୍ତ ଜୀବନ । ଏହାହିଁ ଚିରାଚରିତ ଓ ବିଧି ନିର୍ଦ୍ଧିଷ୍ଟ । ଏହି ବିଧିର ବିଧାନରରୁ କେହି ବି ବିଚ୍ୟୁତ୍ ହେଇପାରେ ନାହିଁ । ସମସ୍ତେ ନିୟତିର ନିର୍ଦ୍ଦେଶରେ ପରିଚାଳିତ । ଯେଉଁ ବୟସରେ ଯାହା ହେବାକଥା ତାହାହିଁ ହୁଏ ।
              କିନ୍ତୁ ବାର୍ଦ୍ଧକ୍ୟର ଯନ୍ତ୍ରଣା , ମାନସିକ ଅବସାଦ , ଜରାଜୀର୍ଣ ଶରୀର ଓ ପ୍ରତ୍ୟେକ କାର୍ଯ୍ୟ ପ୍ରତି ନିଃସ୍ପୃହତା , ଏ ସବୁ ଅତ୍ୟନ୍ତ ଦାରୁଣ ଓ ମର୍ମନ୍ତୁଦ । ମଣିଷ ପ୍ରତି ଯୌବନ ଭଗବାନଙ୍କର ଆଶିର୍ବାଦ ଓ ଶ୍ରେଷ୍ଠ ଅବଦାନ , ଠିକ୍ ସେପରି ବାର୍ଦ୍ଧକ୍ୟ ଏକ ଚରମ ଅଭିଶାପ । ସ୍ନେହ , ପ୍ରେମ , ମମତା , ମାୟା, ଲୋଭ, କ୍ରୋଧ, କାମନା, ଅହଙ୍କାର , ଚପଳତା , ଉଦ୍ଦାମତା, ସହିଁଷ୍ଟୁତା , ରୋଗ , ଶୋକ, ସୁଖ, ଦୁଃଖ , ଜରା,  ଓ ବାର୍ଦ୍ଧକ୍ୟ ମଣିଷର ସହଚର । ମଣିଷ ଜୀବନରେ ଏ ଗୁଡିକ ବ୍ୟତୀତ ଆଉ କଣ ବା ଥାଏ ?
            ବାହାଘର ଝାମେଲା ତୁଟିବା ପରେ ଅତନୁ ଘରକୁ ଯାଇଥିଲି । ସେ ମୋ ପାଇଁ ପ୍ରତୀକ୍ଷା କରୁଥିଲା । ମୋତେ ଦେଖି ଅତ୍ୟଧିକ ଖୁସିରେ ବିହ୍ଵଳ ହୋଇଯାଇଥିଲା । ମୋତେ ଦେଖୁ ଦେଖୁ ପାଟିକରି କହିଲା , " ଆରେ ଶାନ୍ତନୁ ଆ , ମୁଁ ତୋର ହିଁ ପ୍ରତୀକ୍ଷା କରୁଥିଲି ।" ମୁଁ ଅତନୁ ସାମନାରେ ବସି ତା ମୁଁହକୁ ଚାହିଁ ହସି କହିଲି , " ଆରେ, ମୁଁ ପରା ଚାହିଁ ବସିଥିଲି କେତେବେଳେ ଏଇ ଝାମେଲା ତୁଟିବ ଆଉ ତୋ ନିକଟକୁ ଛୁଟି ଆସିବି ।" ଦିହେଁ ହସିଉଠିଲୁ । ମୁଁ ବୈଠକ ଘରର ଚତୁର୍ଦିଗକୁ ଦୃଷ୍ଟି ବୁଲାଇ ଆଣିଲି । ବିରାଟ ହଲ୍ । ଆସବାବ୍ ପତ୍ର ସବୁ ପୁରୁଣା ହେଲେବି ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ । ମୋଟାମୋଟି ଏକ ଜମିଦାରୀ ଅବହାୱା । ପୁରୁଣା ଶିଶୁ କାଠର ସୋଫା, ମେଜ୍, ବହି ଷ୍ଟାଣ୍ଡ ସବୁ ଅତି ଋଚିକର ଓ ପରିଚ୍ଛନ୍ନ ସାଜ ସଜ୍ଜା । ମୁଁ ବିସ୍ମିତ ହେଲି , ଏ ବୟସରେ ବି ଅତନୁ ଏତେଟା କର୍ମଠ ! ସବୁ ନିଜେ ଦେଖା ଶୁଣା କରେ ?
         "ଆରେ ଏମିତି ଜଳକା ହୋଇ ଚାହିଁଛୁ କଣ ? କଣ ନେବୁ ଥଣ୍ଡା ନା ଚାହା ? "
           " ଏକ୍ଷଣି ମୁଁ କପେ ଗରମ୍ ଚାହା ଆବଶ୍ୟକ କରୁଛି ।" ମୁଁ ସଂକ୍ଷିପ୍ତ ଉତ୍ତର ଦେଲି ।
           " ଆରେ ମାଆ ଅସୀମା ଦେଖିଲୁ କିଏ ଆସିଛି " ଉଚ୍ଚ ସ୍ୱରରେ ଡାକ ଦେଲା ଅତନୁ । ଛୋଟବେଳୁ ସେ ଏପରି ଉଚ୍ଚ ସ୍ୱରରେ ହିଁ କଥା ବାର୍ତ୍ତା କରେ ।
             ଅନ୍ୟ ଏକ କୋଠରୀରୁ ଯୁବତୀ ଟିଏ ବାହାରିଆସିଲା । ବୟସ ତିରିଶ୍ ପଞ୍ଚତିରିଶ୍ ମଧ୍ୟରେ ହେବ । ସୁଠାମ ଚେହେରା ମଧ୍ୟମ ସ୍ୱାସ୍ଥ୍ୟ । ଓଠରେ ଲିପ୍ ଷ୍ଟିକର  ବହଳିଆ ପ୍ରଲେପ । ଦେହରେ ଉଗ୍ର ଆଧୁନିକତାର ଛାପ । ମୋ ନିକଟକୁ ଆସି ମୋତେ ନମସ୍କାର କଲା । ମୁଁ ପ୍ରତି ନମସ୍କାର କରି ପ୍ରଶ୍ନିଳ ଦୃଷ୍ଟିରେ ଅତନୁ ମୁଁହକୁ ଚାହିଁଲି ।
            ମୋ ମୁଁହରେ ପ୍ରଶ୍ନବାଚୀ ଦେଖି ଅତନୁ ଯୋରରେ ହସୁ ହସୁ କହିଲା , " ଆରେ ଚିହ୍ନିପାରୁଛୁ ଏ ଝିଅଟି କିଏ ? ହଁ , ତୁ କେମିତି ଚିହ୍ନି ପାରିବୁ ? ଆରେ ତୋ ସଙ୍ଗେ ଦୀର୍ଘ ପଚାଶ୍ ବର୍ଷ ପରେ ପରା ମୋର ଦେଖା ହେଲା । ତୁ ଯେ ମୋତେ ଚିହ୍ନି ପାରିଲୁ ସେଇଟା ହିଁ ବଡ କଥା । " କହି ପୁଣିଥରେ ହସି ଉଠିଲା । ସେମିତି ହସୁ ହସୁ କହିଲା, " ଇଏ ପରା ମୋ ସାନ ଝିଅ ଅସୀମା ।"
            କିଛି ସମୟ ନିରବ ରହି ଅସୀମାକୁ ଚାହିଁ ପ୍ରଶ୍ନ କଲା , " ଆରେ ମା ଏ କିଏ ଚିହ୍ନି ପାରିଲୁ ?"
             ଅସୀମା ସଲ୍ଲଜ ହସଟିଏ ହସି କହିଲା , " ଉଁ . . . ମୋର ଅନୁମାନ୍ ଯଦି ଭୂଲ୍ ନହୁଏ , ତେବେ ଶାନ୍ତନୁ କାକା  ନିଶ୍ଚୟ ।"
              "ତୁ ଠିକ୍ ଚିହ୍ନି ପାରିଲୁ । ଏ ସେହି ଶାନ୍ତନୁ କାକା ଯାହା କଥା ସବୁବେଳେ ମୁଁ ତୋତେ କହେ । ଆମେ ଦିହେଁ ପୂର୍ବ ବଙ୍ଗରେ ଥିଲାବେଳେ ବହୁତ୍ ଦୁଃଷ୍ଟାମି କରିଛୁ , ବହୁତ୍ ମଜ୍ଜା ବି କରିଛୁ । କିନ୍ତୁ ନିୟତିର ନିର୍ଦ୍ଦେଶ ଅଲଗା ଥିଲା । ଆମେ ଦିହେଁ ପରସ୍ପର ଠାରୁ ଅଲଗା ହେଇଗଲୁ ଯେ , ପୁଣି ପଚାଶ ବର୍ଷ ପରେ ଦେଖା ହେଲା , ଅପ୍ରତ୍ୟାଶିତ ଭାବେ । କିନ୍ତୁ ମୁଁ ଭାବିଥିଲି ହୁଏତ ଆମ ଦିହିଁଙ୍କ ଆଉ କେବେ ଦେଖା ହେଇ ପାରିବନି ।" କହି ଦୀର୍ଘ ପ୍ରଶ୍ୱାସଟିଏ ନେଲା ଶାନ୍ତନୁ ।
                ଅସୀମା ପୁଣିଥରେ ମୋ ପାଦ ଛୁଇଁ ପ୍ରଣାମ କଲା ।
               " ଯାଆ ମା କାକାଙ୍କ ପାଇଁ ଚାହା କପେ ନେଇ ଆସିଲୁ ।"  ଅସୀମା ଚାହା ଆଣିବା ପାଇଁ ଚାଲିଗଲା । କିଛି ସମୟ ନିରବତାରେ କଟିଗଲା ମୁଁ ପ୍ରଥମେ ନିରବତା ଭଙ୍ଗ କରି କହିଲି , " ଆଉ ତୋ ଖବର କଣ ଅତନୁ ? ମୁଁ ଦେଖୁଛି ସବୁ କିଛି ଠିକ୍ ଠାକ୍ ଚାଲିଛି । ବେଶ୍ ଆରାମରେ ତୋ ଦିନ ଗୁଡିକ ବିତି ଯାଉଛି । ବୋଝ ନାହିଁ , ଚିନ୍ତା ବି ନାହିଁ । ପୁରାପୁରି ବିନ୍ଦାସ୍ । "
              ମୋ କଥା ଶୁଣି ଅତନୁର ମୁଖମଣ୍ଡଳରେ ଏକ ବିଷାଦର କାଳିମା ଲେପି ହେଇଗଲା । ଭଗ୍ନ ସ୍ୱରରେ କହିଲା , " ନା' ରେ ଶାନ୍ତନୁ କିଛି ଠିକ୍ ଚାଲିନିରେ ।  ଜୀବନର ସବୁ ଅଙ୍କକସା  ଭୂଲ୍ ଭାଲ୍ ହେଇଗଲା । ସବୁ ହିସାବ ବେହିସାବ ହେଇଗଲା । ଦୁନିଆ ଯାକର ଯେତେ ସବୁ ଦଃଶ୍ଚିନ୍ତା ମୁଣ୍ଡରେ ବସା ବାନ୍ଧି ରହିଗଲା । ଆଜି ସବୁକିଛି ଥାଇବି ନିଃଶ୍ୱ ହେଇଯାଇଛି । ଏକ ନିଃଶ୍ୱତାର ଅନୁଭବ ଦିନରାତି ଖାଇ ଗୋଡାଉଛି । ଜୀବନ ଯୁଦ୍ଧରେ ଅତି ଦାରୁଣ ଭାବେ ହାରି ଯାଇଛି । ବଞ୍ଚି ରହିଛି ମନରେ ଏକ ପରାଜିତ ସୈନିକର ଗ୍ଳାନି ନେଇ । ମୋ ଚତୁର୍ଦ୍ଦିଗରେ ଏକ ଅନ୍ଧକାରର ଉଁଆସ । ଏ ଅନ୍ଧକାର ଆଉ ଦୂର ହେବନି । ଆଉ ସକାଳ ହେବନି । ମୋ ଜୀବନରେ ଆଉ ସୂର୍ଯ୍ୟ ଉଁଇବନି । ଖାଲି ବଞ୍ଚିବା ପାଇଁ ବଞ୍ଚିଛି ରେ । " ଅତନୁର ସ୍ୱର ଏକ ଅବ୍ୟକ୍ତ ବିଷର୍ଣତାରେ ସଜଳ ହେଇ ଆସିଲା ।
                 ମୁଁ ଠିକ୍ ବୁଝିପାରୁ ନଥିଲି , କେଉଁ କାରଣରୁ ଅତନୁ ଜୀବନରେ ଅନ୍ଧକାର ଛାଇ ଯାଇଛି ! ଦି ଦିଇଟା ଝିଅଙ୍କ ଉତ୍ତର ଦାୟୀତ୍ୱରୁ ମୁକ୍ତ । ମୋଟା ଅଙ୍କର ପ୍ୟାନସନ୍ । ସ୍ୱଛନ୍ଦ ଚଳଣି । ତଥାପି ସେ ଦୁଃଖୀ ?  ତେବେ ସୁଖର ସଜ୍ଞା କଣ ? ମନରେ ପରାଜୟର ଗ୍ଳାନି କାହିଁକି ? ମୋ ମନରେ ଅସଙ୍ଖ୍ୟ ପ୍ରଶ୍ନବାଚୀ ।
             ମୋ ମନ କଥା ହୁଏତ ସେ ବୁଝି ପାରିଲା ।
               ସ୍ୱରକୁ ସ୍ୱାଭାବିକ କରି କହିଲା , " ତୁ ଜାଣିନୁ ଶାନ୍ତନୁ ସବୁ ଥାଇବି ଆଜି ମୁଁ ନିଃସ୍ୱ । ଏକାକୀ ହେଇଯାଇଛି । ମନ ତଳର ଦୁଃଖ ଗୁଡିକ ଅପ୍ରକାଶିତ ରହି ମନ ଭିତରେ ହିଁ ଗୁମୁରି ଉଠି ବହୁତ କଷ୍ଟ ଦିଅନ୍ତିରେ । ଏସବୁ ପ୍ରକାଶ କରିବା ପାଇଁ ନିଜର କେହି ନାହାଁନ୍ତି । କୋଲକତା ପରି ମହାନଗରୀରେ ପ୍ରତ୍ୟେକ ମଣିଷ କାର୍ଯ୍ୟ ବ୍ୟସ୍ତ । କାହାରି ମନରେ ଆବେଗ ନାହିଁ , ଭାବ ପ୍ରବଣତା ନାହିଁ , କେହି କାହାପାଇଁ ସମୟ ଦେଇ ପାରନ୍ତି ନାହିଁ । ସମସ୍ତେ ଯେମିତି ଯନ୍ତ୍ର ମାନବ ପାଲଟି ଯାଇଛନ୍ତି । ଦୁଃଖ, ଯନ୍ତ୍ରଣା ଓ ବାର୍ଦ୍ଧକ୍ୟର ବୋଝ ବୋହି ବୋହି ଥକି ଗଲିଣିରେ । ଭଗବାନ୍ କେବେ ମୁକ୍ତି ଦେବେ କେଜାଣି ! " ଦୀର୍ଘଶ୍ଵାସ ଟିଏ ତ୍ୟାଗ କଲା ଅତନୁ ।
                ମୁଁ ସେ ଯାଏଁ ବୁଝି ପାରୁନଥିଲି ତା'ର ଦୁଃଖ କଣ । ଅସୀମା ଚାହା ନେଇ ଆସିଲା । ଦିହେଁ ନିରବରେ ଚାହା ପିଇଲୁ । ଅସୀମା କାନ୍ଧରେ ଭ୍ୟାନିଟି ବ୍ୟାଗ୍ ଝୁଲାଇ ହାତରେ ମୋବାଇଲ୍ ଧରି ଘରୁ ବାହାରି ଯାଉ ଯାଉ କହିଲା " ପାପା ମୁଁ ଅଫିସ୍ ଯାଉଛି । ସୁନନ୍ଦାକୁ କହି ଦେଇଛି ଲଞ୍ଚ ପାଇଁ କେଉଁ କେଉଁ ଖାଦ୍ୟ ପ୍ରସ୍ତୁତ ହେବ । ତର ତର ହୋଇ ଦ୍ରୁତ ପଦରେ ସେଠାରୁ ନିଃଷ୍କ୍ରାନ୍ତ ହେଲା । ଅପୂର୍ବ ଭାବେ ନିଜକୁ ସଜାଇ ଥିଲା । ଅଭିସାରିଣି ପରି । ଯାଉ ଯାଉ ମୋତେ ଲକ୍ଷ୍ୟ କରି କହିଲା , " କାକା ମୋର ଅଫିସ୍ ଯିବା ଡେରି ହେଲାଣି , ଆପଣମାନେ ଲଞ୍ଚ ଖାଇ ନିଅନ୍ତୁ , ରାତିରେ ଡ଼ିନର୍ ଏକାଠି ଖାଇବା । ମୁଁ ଆସେ , ବାଏ କାକା । "
             ମୁଁ ତା' ଦୃଷ୍ଟି ଫେରାଇ ଆଣି ଅତନୁକୁ ପ୍ରଶ୍ନ କଲି ' " ଏ ସୁନନ୍ଦା କିଏ ।
              ଅତନୁ ହୁଏତ , ଟିକିଏ ଅନ୍ୟମନସ୍କ ଥିଲା , ମୋ ପ୍ରଶ୍ନରେ ପ୍ରକୃତିସ୍ଥ ହୋଇ କହିଲା , " କଣ କହିଲୁ ସୁନନ୍ଦା ? ସେ ଆମ ସଙ୍ଗେ ରହେ । ଘରର ଯାବତୀୟ କାମ କରେ , ମୋର ଦେଖା ଶୁଣା କରେ ଠିକ୍ ଯେମିତି ଝିଅଟିଏ । ବିଚାରି ବାପ ମାଆ ଛେଉଣ୍ଡ ଝିଅଟିଏ । ଛୋଟ ବେଳୁ ମୋରି ପାଖରେ ରହିଛି । ଶାନ୍ତ , ସରଳ , ଅମାୟିକ ଝିଅଟିଏ । ଆଜି ସେ ଅଛି ତ ସବୁ ଠିକ୍ ଠାକ୍ ଚାଲିଛି । ସେ ଯଦି ଚାଲିଯାଏ ତେବେ ଏ ଘର ଆଉ ଘର ହେଇ ରହିବନି , ନର୍କରେ ପରିଣତ ହେଇଯିବ । "
             " କାହିଁକି , ସେ ଚାଲିଗଲେ କଣ ଚାକରାଣୀ ପାଇବୁନି ? " ମୁଁ ପ୍ରଶ୍ନ କଲି ।
              " ହଁ , ଚାକରାଣୀ ତ ମିଳିଯିବ , କିନ୍ତୁ ଝିଅଟିଏ କାହୁଁ ମିଳିବ ? ମୁଁ ତାକୁ ଆଜିଯାଏଁ କେବେ ଚାକରାଣୀ ବୋଲି ମନେ କରି ନାହିଁ । ନିଜ ଓୌରଷରୁ ଜନ୍ମିତ ଝିଅ ପରି ହିଁ ମନେକରେ । ଭାବୁଛି ଉତ୍ତମ ପାତ୍ରଟିଏ ଦେଖି ତାକୁ ବାହା କରିଦେବି ।"
              କଥା ମଝିରେ ସୁନନ୍ଦା ଆସି କପ୍ ପ୍ଳେଟ୍ ଉଠାଇ ନେଲା । ଯାଉ ଯାଉ କହିଲା , " ବାବା ମୋ ବାହାଘର କଥା ବାରମ୍ବାର କାହିଁକି କୁହ ଯେ ? ମୁଁ ଚାଲିଗଲେ ତମ କଥା ବୁଝିବ କିଏ ? ମୁଁ କେବେ ମୋ ବବା ମାଆଙ୍କୁ ଦେଖିନି , ଜ୍ଞାନ ପାଇଲାଠୁ ତୁମକୁ ହି ମୋ ବାବା ମାଆ ରୁପେ ଜାଣିଛି । ଆଉ ଦିନେ ଯଦି ଏପରି ଶୁଣେ , ତେବେ ସତରେ ତୁମକୁ ଛାଡି ଚାଲିଯିବି । ହାଁ । " ତା କଣ୍ଠ ଆର୍ଦ୍ର ହୋଇ ଆସିଲା ।
             ଅତନୁ ହସି ହସି କହିଲା , " ତୁ କଣ ସବୁବେଳେ ଏମିତି ଅଭିଆଡି ରହିଯିବୁ ? ଦୁନିଆ ମୋତେ କଣ କହିବ ? ଲୋକେ ମୋତେ ସ୍ୱାର୍ଥପର କହିବେନି ?"
             ଅତନୁର କଥା ଶୁଣି ନ ଶୁଣିଲା ପରି ଚାଲି ଯାଉଥିଲା , ପୁଣି ଫେରିପଡି ଜିଭ କାମୁଡି କହିଲା , "ଆରେ ବାବା ମୁଁ କେଡ଼େ ଭୂଲା , ଶାନ୍ତନୁ କାକାଙ୍କୁ ମୁଁ ପ୍ରଣାମ ହେଇନି ଯେ ।" ଦୌଡି ଆସି ଝୁଙ୍କି ପଡି ମୋ ପାଦ ଛୁଇଁ ପ୍ରଣାମ କରି ଚାଲିଗଲା । କ୍ଷୀଣ ହସଟିଏ ମୋ ମୁଁହରେ ଖେଳଗଲା ।
              " ଭାରି ଭଲ ଝିଅଟିଏ ।" ।ମୋ ମୁହଁରୁ ଆପେ ଉଚ୍ଚାରିତ ହେଇଗଲା ।
              "ବାସ୍ତବିକ୍ ଭଲ ଝିଅଟିଏ ।" ଅତନୁ କହିଲା ।
              " କିନ୍ତୁ , ମୁଁ ଏ ଯାଏଁ ବୁଝି ପାରୁନି , ସବୁକିଛି ଥାଇ ବି ତୁ ଦୁଃଖୀ କାହିଁକି ?" ମୁଁ ବିସ୍ମିତ କଣ୍ଠରେ ପ୍ରଶ୍ନ କଲି ।
                ଦୀର୍ଘ ନିଃଶ୍ଵାସ ଟିଏ ତ୍ୟାଗ କରି ଅତନୁ ଏକ ଶୂନ୍ୟ ଦୃଷ୍ଟିରେ ମୋତେ ଚାହିଁ କହିଲା , " ଅସୀମାର ବିବାହ ହେବା ଦୁଇ ମାସ ମଧ୍ୟରେ ତା'ର ବିବାହ ବିଚ୍ଛେଦ ହେଇଗଲା । ଆଉ ଏଇଥିପାଇଁ ମୁଁ ନିଜକୁ ହିଁ ଦୋଷୀ ମନେକରେ । ଅର୍ପିତା , ମୋ ବଡ଼ ଝିଅ , ତା'ର ବିବାହ ପରେ , ଅସୀମା ପାଇଁ ଗୁଡିଏ ଉତ୍ତମ ପ୍ରସ୍ତାବ ଆସିଥିଲା । କିନ୍ତୁ ସେ ପ୍ରତ୍ୟେକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ସେ ଆଶାତୀତ ଭାବେ ସ୍ୱାଧୀନ ଚେତା ଥିଲା । ତା' ର ମତ ଥିଲା , ଝିଅଟିଏ ସ୍ୱାବଲମ୍ବୀ ନ ହୋଇ ବିବାହ କଲେ ସେ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇଯିବ । ତାର ବ୍ୟକ୍ତିତ୍ଵର ବିକାଶ ହେଇ ପାରିବନି । ଏଣୁ ସେ ଚାକିରୀ କଲାପରେ ହିଁ ବିବାହ କରିବ । ମୋତେ ବି କାହିଁକି ଯେ ସେତେବେଳେ ତା' କଥା ଠିକ୍ ଲାଗିଥିଲା । ଯେହେତୁ ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ଝିଅ ସ୍ୱାବଲମ୍ବୀ ହେବା ନିହାତି ଆବଶ୍ୟକ । ନିଜର ସୁରକ୍ଷା ,ପାରିବାରିକ ଆର୍ଥିକ ସମସ୍ୟା ତଥା,  ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ମୁଁ ବି ସେତେବେଳେ ପସନ୍ଦ କରି ନଥିଲି । ସର୍ବୋପରି ଏପରି କରିବା ଦ୍ୱାରା ନାରୀର ବ୍ୟକ୍ତିତ୍ୱର ବିକାଶ ବି ହେଇ ପାରିବ ନାହିଁ । ଏଭଳି ଏକ ଧାରଣା ମୋ ମନରେ ବଦ୍ଧମୁଳ ହୋଇ ରହିଥିଲା ଏବଂ ରହିଛି ମଧ୍ୟ । କିନ୍ତୁ ନାରୀ ଯଦି ନିଜର ଆର୍ଥିକ ସ୍ୱାଧୀନତାର ଦୂରୁପଯୋଗ କରେ ତେବେ ତାର ଅଧୋପତନ ସୁନିଶ୍ଚିତ , ଏହା ଏକ୍ଷଣି ମୁଁ ହାଡେ ହାଡେ ଉପଲବ୍ଧି କରି ପାରୁଛି । ସେ ଆଗକୁ ବଢିବାକୁ ଚାହୁଁଥିଲା , ମୁଁ ତାକୁ ସୁଯୋଗ ବି ଦେଇଥିଲି । ମ୍ୟାନେଜମେଣ୍ଟ ସରିବା ପରେ ସେ ଓ.ଏନ୍.ଜି.ସି. ଉତ୍ତମ ପଦବୀରେ ଚାକିରୀ ଟିଏ ପାଇଗଲା । ତାପରେ , ମୁଁ ତା'ର ବିବାହ କଥା ଚିନ୍ତା କଲି । କିନ୍ତୁ ସେ ମୋତେ ଚିନ୍ତା କରିବା ପାଇଁ ସମୟ ଦେଇନଥିଲା । ନିଜେ ନିଜେ ତା' ମନଲାଖି ପାତ୍ରଟିଏ ଠିକ୍ କରିଥିଲା । ସେ ବି ତା'ର ସହକର୍ମୀ ଥିଲା । ଉତ୍ତମ ଦରମା , ପ୍ରତିଷ୍ଠିତ ପରିବାର , ଶାନ୍ତ ଶିଷ୍ଠ , ଉତ୍ତମ ସଂସ୍କାର ସବୁକିଛି ଥିଲା । ମୋର ଅସମ୍ମତ ହେବାର କିଛି କାରଣ ନଥିଲା । ବିବାହର କିଛିଦିନ ସବୁ ଠିକ୍ ଠାକ୍ ଚାଲିଥିଲା । ୟା ପରେ ମୁଁ ଆଉ ତୋର ବୋଉଦି ଦିହେଁ ଆମେରିକା ଚାଲିଗଲୁ । କାରଣ ଅର୍ପିତା ସେତେବେଳେ ସନ୍ତାନ ସମ୍ଭବା ଥିଲା । ଏଣୁ ତାର ଦେଖା ଶୁଣା କରିବା ପାଇଁ କୌଣସି ଆତ୍ମୀୟଙ୍କ ଉପସ୍ଥିତି ନିହାତି ଜରୁରୀ ଥିଲା । ତା'ର ଡେଲିଭେରି ପରେ ଆମେ ଭାରତ ଫେରି ଆସିଲୁ । କିନ୍ତୁ ବିଦେଶରୁ ଫେରୁ ଫେରୁ ତୋ ବଉଦି ସାଙ୍ଘାତିକ ଅସୁସ୍ଥତାର ଶିକାର ହୋଇଗଲା । ଅତି ଛୋଟବେଳୁ ଅସୀମା ବ୍ୟକ୍ତିଗତ ଭାବେ ଆମ ସହିତ ବେଶି ସଂଶ୍ଳିଷ୍ଟ ଥିଲା । ଏଣୁ ସେ ବ୍ୟସ୍ତ ହେବା ସ୍ୱାଭାବିକ୍ । ସେ କିଛିଦିନ ଆମ ସହିତ ରହି  ବୋଉଦି ସୁସ୍ଥ ହେବା ପରେ   ପୁଣି ଫେରିଯିବା ପାଇଁ ଆସି ଆମ ସଙ୍ଗେ ରହିଲା । ଯେହେତୁ ଆମର ପୁଅ ନଥିଲେ , ଅର୍ପିତା ବିଦେଶରେ ରହିଥିଲା , ଆମର ସେବା ସୁଶ୍ରୁସା କରିବା ତା'ର ପ୍ରଥମ କର୍ତ୍ତବ୍ୟ ମନେ କରିଥିଲା । ଏହି ଅତ୍ୟଧିକ କର୍ତ୍ତବ୍ୟ ବୋଧତାର  ମାନସିକତା ହେତୁ ସେ ତା' ସ୍ୱାମୀ ପ୍ରତି ଉଦାସୀନ ହେଇ ଉଠିଥଲା । ୟାରି ମଧ୍ୟରେ ତୋ ବଉଦି ଆମକୁ ସବୁଦିନ ପାଇଁ ଛାଡ଼ିଗଲା । ମୁଁ ହତୋସ୍ଚାହିତ ହୋଇଗଲି । ଏକ ଏକାକିନତାର ଅନୁଭବ ଦିନରାତି ମୋତେ ଖାଇ ଗୋଡାଉଥିଲା । ସୁନନ୍ଦା ମୋର ଯଥେଷ୍ଟ ଯତ୍ନ ନେଉଥିଲା । ଏଣୁ ମୁଁ ଅସୀମକୁ ତା' ସ୍ୱାମୀ ନିକଟକୁ ଫେରି ଯିବାପାଇଁ କହିଲି । ସାର୍ଥକ୍ ମାନେ ମୋ ଜ୍ୱାଇଁ ମୋ ପ୍ରତି ଯଥା ସମ୍ଭବ ଧ୍ୟାନ ଦେଉଥିଲେ । ମଝିରେ ମଝିରେ ମୋ ଶରୀର ବି ଅସୁସ୍ଥ ହେଇ ଯାଉଥିଲା । ଏଣୁ ଅସୀମା ବ୍ୟସ୍ତ ବିବ୍ରତ ହେଇ ଯାଉଥିଲା । ସେ ତା' ସ୍ୱାମୀ ଅପେକ୍ଷା ମୋ ପ୍ରତି ବେଶି ଧ୍ୟାନ ଦେବାକୁ ଲାଗିଲା । ସାର୍ଥକ ହୁଏତ ନିଜକୁ ଅବହେଳିତ ମନେକରୁଥିଲେ । କ୍ରମେ ଅସୀମା ମୋ ନିକଟରେ ଅଧିକାଂଶ  ସମୟ ରହିବାକୁ ଲାଗିଲା । ସାର୍ଥକ ଅସହିଁଷ୍ଟୁ ହୋଇ ଉଠୁଥିଲେ । ଅସୀମା ମୋର ଓୌଷଧ ଖର୍ଚ୍ଚ ଅଯାଚିତ ଭାବେ ବହନ କରୁଥିଲା । ମୋର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ଥିଲା, ଏଣୁ  ଅସୀମାର ଅଯାଚିତ ଆର୍ଥିକ ସହାୟତା ମୁଁ ଗ୍ରହଣ କରିବା ପାଇଁ ଅନିଚ୍ଛୁକ ଥିଲେ ବି ସେ ସେଥିରୁ କ୍ଷାନ୍ତ ହେଉନଥିଲା । କ୍ରମେ ଏହାକୁ ନେଇ ଅସୀମା ଆଉ ସାର୍ଥକ୍ ମଧ୍ୟରେ ଫାଟ ସୃଷ୍ଟି ହେଲା । ପରିଶେଷରେ ଏହା ବିବାହ ବିଚ୍ଛେଦର ରୁପ ନେଲା । ମୁଁ ଦିହିଁଙ୍କ ମଧ୍ୟରେ ରହିଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲି । ସାର୍ଥକ ବି ବୁଝାମଣା କରିବା ପାଇଁ ପ୍ରସ୍ତୁତ ଥିଲେ । ଅସୀମା ଅତ୍ୟଧିକ ସ୍ୱାଭିମାନୀ ଥିଲା , କିନ୍ତୁ ଏତେ ମାତ୍ରାରେ ସ୍ୱାଭିମାନୀ ଥିଲା ଯେ , ତାହା ତା'ର ଅହଂ ଭାବକୁ ହିଁ ସୁଚାଉଥିଲା । ପରିଶେଷରେ , ବୁଝାମଣାକୁ ପ୍ରତ୍ୟାଖ୍ୟାନ କରି ସାର୍ଥକ୍ ଠାରୁ ଡିଭର୍ସ୍ ଚାହିଁଲା । ପରିଶେଷରେ ଏପରି ହିଁ ହେଲା । ତା'ର ଜିଦ୍ ଓ ଅହଂ ନିକଟରେ ମୋତେ ନତ ହେବାକୁ ପଡିଲା । ନିରବ ରହିବା ବ୍ୟତୀତ ମୋର ଅନ୍ୟ ଉପାୟ ନଥିଲା । ବିବାହ ପୂର୍ବରୁ ସେ ସ୍ୱେଚ୍ଛାଚାରୀଣି ଥିଲା । ବିବାହ ପରେ ମଧ୍ୟ ତା'ର ସ୍ୱେଚ୍ଛାଚାରିତା ଜାରି ରହିଥିଲା । କାହାର ସ୍ୱେଚ୍ଛାଚାରୀତାକୁ କେବେ କୌଣସି ସ୍ୱାମୀ ବରଦାସ୍ତ କରିପାରେ ? ଅସୀମାର ଏକାଧିକ ପୁରୁଷ ବନ୍ଧୁ ଥିଲେ । ସେ ଚାହୁଁଥିଲା ନିତ୍ୟ ନିୟମିତ ନୂତନ ପୁରୁଷର ସାନ୍ନିଧ୍ୟ । ସାର୍ଥକକୁ ଉପେକ୍ଷା କରି ଅନ୍ୟ ପୁରୁଷଙ୍କ ସଙ୍ଗେ ମୌଜ ମସ୍ତି କରିବାରେ ସେ ଅଭ୍ୟସ୍ତ ହେଇ ଯାଇଥିଲା । ସେ କେବେ ସାର୍ଥକର ମାନସିକତାକୁ ବୁଝିବାପାଇଁ ଚାହିଁ ନଥିଲା । ତା'ର ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ପ୍ରତି ଦୃଷ୍ଟି ଦେଇନଥିଲା । ନିଜ ମନ ମୁତାବକ ଘୁରି ବୁଲୁଥିଲା । ସାର୍ଥକ ପ୍ରତି ଉଦାସୀନତା , ପରିବାର ପ୍ରତି ଅବହେଳା ଏବଂ ଦିହିଁଙ୍କର ମତ ପାର୍ଥକ୍ୟ ହେତୁ ସାର୍ଥକ୍ ଅତିଷ୍ଠ ହେଇ ଯାଇଥିଲା । ଏଣୁ ସେ ଅସୀମାର ବନ୍ଧନରୁ ମୁକ୍ତି ଚାହୁଁଥିଲା । ଏହା ସତ୍ଵେ ମୁଁ ତାଙ୍କୁ ବୁଝାମଣା ପାଇଁ ରାଜି କରାଇଥିଲି । କିନ୍ତୁ ଅସୀମା ପ୍ରତ୍ୟାଖ୍ୟାନ କରିଥିଲା । ନିଜ ନିଃଷ୍ପତ୍ତିରେ ଅଟଳ ଥିଲା । ପରିଶେଷରେ ଯାହା ଆଶା କରିଥିଲି ତାହା ହିଁ ହେଲା । ମୋର ସେଦିନ ଦୃଢ ବିଶ୍ୱାସ ହେଇଗଲା , ନାରୀ ଯେତେଦିନ ଯାଏଁ ପରାଧୀନ ଥାଏ ସେ ଠିକ୍ ଥାଏ । ସେ ଯଦି ସ୍ୱବଲମ୍ବୀ ହେଇଯାଏ କେତେକ କ୍ଷେତ୍ରରେ ଏପରି ହିଁ ହେଇଥାଏ । ଅବଶ୍ୟ ସବୁ କ୍ଷେତ୍ରରେ ଏଭଳି ହେଇ ନଥାଏ । ଉଦ୍ଧତ ନାରୀକୁ ସ୍ୱାବଲମ୍ବୀ ହେବାକୁ ଦେବା ଉଚିତ୍ ନୁହେଁ । ଓୌଦ୍ଧତ୍ୟ ସେଭଳି ନାରୀର ଚରିତ୍ର , ସମ୍ମାନ ସବୁକିଛି ନଷ୍ଟ କରିଦିଏ । ସେ କେବେ ଅନୁତପ୍ତ ହୁଏନାହିଁ କିମ୍ବା ପଶ୍ଚାତାପ କରେ ନାହିଁ । "
           ଅତନୁ ଦୀର୍ଘ ସମୟ ଧରି ତା' ଅନ୍ତରରେ ଗୁମୁରି ଉଠୁଥିବା ଦୁଃଖ ଓ ଯନ୍ତ୍ରଣା ଗୁଡିକୁ କହି ଦେଇ ଦୀର୍ଘ ନଃଶ୍ୱାସ ଟିଏ ତ୍ୟାଗ କଲା । କେମିତି ଥକ୍କା ଥକ୍କା ଲାଗୁଥିଲା । ମୋ ମନଟା ଶାନ୍ତନୁ ପ୍ରତି ଗଭୀର ସମ ବେଦନାରେ ସଜଳ ହୋଇ ଉଠିଲା ।
            ମୁଁ ଭାବୁଥିଲି ସହଭାଗିତାରୁ ହିଁ ଦାମ୍ପତ୍ୟ ଜୀବନ ସୁଖମୟ ହେଇଥାଏ । ଯେଉଁଠି ସହଭାଗିତା ନଥାଏ, ସ୍ୱାମୀ ସ୍ତ୍ରୀଙ୍କର ପରସ୍ପର ପ୍ରତି ସ୍ନେହ ସହାର୍ଦ୍ଦ୍ୟ , ଆନୁଗତ୍ୟ ଓ ସମର୍ପିତ ଭାବ ନଥାଏ , ସେଠାରେ ଦାମ୍ପତ୍ୟ ଜୀବନରେ ଅନ୍ଧକାର ଛାଇ ଯାଏ । ସମ୍ପର୍କର ସେତୁ , ପରସ୍ପର ପ୍ରତି ଅନାସ୍ଥା ଓ ଅବିଶ୍ୱାସର ବନ୍ୟାର ପ୍ଳାବନରେ ଧୋଇ ହୋଇଯାଏ ।
             ଆଜି ଅସୀମା ସ୍ୱବାଞ୍ଛିତ ଜୀବନ ଜୀଇଁବା ପାଇଁ ସ୍ୱାର୍ଥକ୍ ଠାରୁ ବିଛିନ୍ନ ହେଇଗଲା । ଅସଙ୍ଖ୍ୟ ପୁରୁଷଙ୍କ ସଖ୍ୟରେ ନିଜ ଜୀବନରେ ଯେଉଁ ଫଗୁଣର ରଙ୍ଗ ବୋଳିବା ପାଇଁ ଚାହୁଁଛି , ଦିନେ ସେହି ରଙ୍ଗ ମଳିନ ପଡିଯିବ , ସେତେବେଳେ ସେ ରୁକ୍ଷ ମରୁଭୂମିର କଣ୍ଟକିତ କ୍ୟାକଟସ ପରି ନିଃସହାୟ ଭାବେ ଟୋପାଏ ପାଣି ଆଶାରେ ଆକାଶକୁ ଚାହିଁ ରହିଥିବ । ସେତେବେଳେ ସ୍ୱଗତୋକ୍ତି କରିବା ବ୍ୟତିତ ଅନ୍ୟ ଉପାୟ ନଥିବ । ସେତେବେଳେ ଆକାଶରେ ମେଘର ଚିହ୍ନ ବର୍ଣ୍ଣ ନଥିବ କିମ୍ବା ପାଣି ନଥିବ । ଖାଲି ଥିବ ନିଦାରୁଣ ନିଦାଘର ଉଷ୍ମତା ।
            ଏହା ସେ ଏବେ ଅନୁଭବ କରି ପାରିବ ନାହିଁ । ଏକ୍ଷଣି ତା' ଦେହରେ ତରଙ୍ଗିତ ଯୌବନର ଢେଉ ଖେଳୁଛି । ଏକ ଖର ସ୍ରୋତା ନଦୀର ବନ୍ୟାର ପ୍ଳାବନ ପରି ଉଦ୍ଦାମ ଯୌବନ ଉସ୍ଛୃଙ୍ଖଳତାର କୁଳ ଲଙ୍ଘି ଯାଉଛି । ଯେତେବେଳେ ତା' ଦେହରେ ସାଗରର ଜଳ ପରି ନୀଳ ଛଳ ଛଳ ଯୌବନ ଶିଥିଳ ହୋଇଯିବ , ଆଉ କୌଣସି ପୁରୁଷର ଦୃଷ୍ଟି ତା ଆଡକୁ ଆକର୍ଷିତ ହେବନାହିଁ , ସେତେବେଳେ ସେ ଉପଲବ୍ଧି କରି ପାରିବ ରୂପ ଯୌବନ ଚିରସ୍ଥାୟୀ ନୁହେଁ । ଶିଥିଳ ଅଙ୍ଗ , ମଳିନ ରୂପ ଯୌବନରେ ମାଦକତା ରହେ ନାହିଁ । କୌଣସି ପୁରୁଷର ଲୋଭାତୁର ଦୃଷ୍ଟି ତା ଆଡକୁ ଆକର୍ଷିତ ହେବନାହିଁ । ସେତେବେଳେ ତାକୁ ଏକ ନିଃସଙ୍ଗତା ଓ ଏକାକିନତା ଖାଇ ଗୋଡାଇବ , ସେତେବେଳେ ସେ ଅନୁଭବ କରିବ ଜୀବନ ଯାତ୍ରାରେ ସହଯାତ୍ରୀଟିଏ ନିହାତି ଜରୁରୀ । ସହଭାଗୀ ହେବା ପାଇଁ ମନର ମଣିଷଟିଏ ଆବଶ୍ୟକ । କିନ୍ତୁ ଜୀବନର ଅପରାହ୍ନରେ ସାଥୀଟିଏ କେଉଁଠୁ ଖୋଜି ପାଇବ ? କେବଳ ସ୍ୱଗତୋକ୍ତି କରିବା ବ୍ୟତୀତ ଅନ୍ୟ ଉପାୟ ନଥିବ ।
          ଜୀବନର ସାୟାହ୍ନରେ ଅତନୁ ଯେଉଁ ସୁଖୀ ଜୀବନର ସମ୍ଭାବନାଟିଏ ମନରେ ପରିପୋଷଣ କରିଥିଲା , ତାହା ଯେ ମରୀଚିକାଟିଏ ଥିଲା , ଏକଥା ତା'ର ହୃଦବୋଧ ହେଲା ବେଳକୁ ସେ ବାସ୍ତବିକ ନିଃଶ୍ୱ ହେଇ ଯାଇଥିଲା ।
          ଏକ୍ଷଣି ଅତନୁର ଜୀବନରେ ନିଶିଥର ଅମା ଅନ୍ଧକାର ଘୋଟି ଆସିଛି । ସେ ଚାହିଁ ରହିଛି ଏହି ନିଶିଥର ଅନ୍ଧକାର ବୁକୁ ଚିରି କେବେ ସୂର୍ଯ୍ୟ ଉଁଇବ ।
             ମୁଁ ସେଦିନ ଅତନୁ ଠାରୁ ଛାତିରେ ଛାତିିଏ ଯନ୍ତ୍ରଣା ନେଇ ବିଦାୟ ନେଇ ଆସୁଥିଲି । ଆସୁ ଆସୁ ଭାବୁଥିଲି , ଅତନୁର ନିଶିଥ ଜୀବନରେ ଆଉ ସୂର୍ଯ୍ୟ ଉଁଇବ ? ହୁଏତ ନୁହେଁ ।

ଅସୀମା ଅତନୁ ଶାନ୍ତନୁ

Rate the content


Originality
Flow
Language
Cover design

Comments

Post

Some text some message..