Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Tragedy

3  

srutakirti Tripathy

Tragedy

ପ୍ରତାରିତ

ପ୍ରତାରିତ

4 mins
1.2K


ଆଜି ଠାରୁ ପନ୍ଦର ଦିନ ଯାଏଁ ନିର୍ବାଚନ ପ୍ରଚାର ଚାଲିବ । ଭୋଟ ପାଇବାକୁ ହେଲେ ଭୋଟର ଙ୍କୁ ଖୁସି କରିବାକୁ ହେବ । ଖୁସି କରିବା ପାଇଁ ନେତା ମାନଙ୍କୁ ଅନେକ ପ୍ରକାର ପନ୍ଥା ଜଣା । ଭୋଟ ତ ନିହାତି ଦରକାର, ମାଧ୍ୟମ ଯାହା ହଉ ନା କାହିଁକି? କେଉଁ ନେତା ଭୋଟର ଙ୍କ ଘରକୁ ଅନ୍ଧାରି ବିଜେ କରି ଟଙ୍କା ଲାଞ୍ଚ ଦେବେ ତ କିଏ ଅନ୍ୟାନ୍ୟ ଉପହାର ପ୍ରଦାନ କରିବେ । ଅନେକ ଜାଗାରେ ରେ ତ ମଦ ମାଂସ ର ଶ୍ରୋତ ବି ଚାଲିବ । କେହି କେହି ଗରିବ ଜନବସତି କୁ ଯାଇ ଭୋକିଲା, ଲଙ୍ଗଳା ଛୁଆ ଙ୍କୁ କାଖେଇ ଗେଲ କରି ପକେଇବେ ତ କେହି ବୃଦ୍ଧ ବୃଦ୍ଧା ଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାକୁ ବି ପଛେଇବେନି । ସେମାନେ ଏତେ ତଳକୁ ଖସିଯିବାର କାରଣ, ଭୋଟର ମାନେ ଦୟାପରବଶ ହୋଇ ତାଙ୍କୁ ଭୋଟ ଦେବେ ବୋଲି ସେମାନେ ନିଶ୍ଚିତ ।

ଠିକ ସେୟା ହେଲା । ପନ୍ଦର ଦିନ ବ୍ୟାପୀ କୋଳାହଳ ପୂର୍ଣ୍ଣ ନିର୍ବାଚନ ପ୍ରଚାର ପରେ ଶେଷକୁ ବହୁ ଅପେକ୍ଷିତ ଦିନଟି ଆସି ଉପସ୍ଥିତ ହେଲା । ସବୁଠାରୁ ବେଶୀ ପଇସା ଖର୍ଚ୍ଚ କରିଥିବା ଦଳ ବିଜୟ ଲାଭ କରିବା ଯେପରି ପୂର୍ବ ନିର୍ଦ୍ଧାରିତ ଥିଲା । ମନ୍ତ୍ରୀ ମହାଶୟ ବିପୁଳ ଭୋଟ ପାଇ ବିଜୟୀ ଘୋଷିତ ହେଲେ । ହେଲେ ଗାଦି ରେ ବସିବା ମାତ୍ରେ ଜନସାଧାରଣ ଙ୍କ ଅଭାବ ଅସୁବିଧା ତ ଦୂରର କଥା, ଥରେ ଯାଇ ଯାହା ଯୋଗୁଁ ମନ୍ତ୍ରୀ ପଦ ର ଅଧିକାରୀ ସାଜିଥିଲେ, ତାଙ୍କୁ ଧନ୍ୟବାଦ ଦେବା ବି ଜରୁରୀ ମନେ କଲେ ନାହିଁ ।

ଲୋକ ଗୁଡିକ କେତେ ସରଳ ସତରେ !କେତେ ସହଜରେ ଥରକୁ ଥର ନିଜକୁ ମିଥ୍ୟାବାଦୀ, ସ୍ବାର୍ଥୀ, ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ କରିଥିବା ନିର୍ବାଚନ ପ୍ରାର୍ଥୀ ଙ୍କୁ ବିଶ୍ୱାସ କରିଯାନ୍ତି । ବିଶ୍ୱାସ ରେ ଭୋଟ ଦିଅନ୍ତି, ତାଙ୍କ ମିଛ ପ୍ରତିଶ୍ରୁତି ଗୁଡିକ ପୂରଣ ହୋଇଯିବ। ଆଶା ରେ । ବାରମ୍ବାର ପ୍ରତାରିତ ହୁଅନ୍ତି ଆଉ ପ୍ରତିବାଦ ବି କରନ୍ତି ନାହିଁ ।

ହେଲେ ସଉରା ଦେହରେ ଗଲାନି ସେ ଛଳନା । ବିଶାଳକାୟ ବପୁବନ୍ତ ଆଦିବାସୀ ପିଲାଟିଏ ସଉରା । ଯୌବନ ର ରକ୍ତ ଟକ ଟକ ହୋଇ ତାର ଶିରା ପ୍ରଶିରା ରେ ପ୍ରବାହିତ । ଶରୀର ଯେମିତି ଟାଣୁଆ ବୁଦ୍ଧି ରେ ମଧ୍ୟ ପ୍ରଖର । ପାଠ ଦି ଅକ୍ଷର ସିନା ପଢିନି ହେଲେ ଏ ନେତା ଙ୍କର ଷଡଯନ୍ତ୍ର ଏବଂ ଚାତୁରୀ ତା ଠାରୁ ଅଛପା ନ ଥିଲା । ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ଯେମିତି ପାଣି ଫୋଟକା ଭଳିଆ ଅଦୃଶ୍ୟ ହୋଇଗଲା ଗୋଟି ଗୋଟି ହୋଇ । ଗାଁ ଲୋକେ ଆଶା କରି ବସିଥିଲେ ହେଲେ ସଉରା ଜାଣି ସାରିଥିଲା ତାକୁ କଣ କରିବାର ଅଛି ।

ରାଗରେ ଅଗ୍ନିଶର୍ମା ହୋଇ ଧାନ କଟା ଦାଆ ଧରି ଦୌଡିଲା ସିଧା ମନ୍ତ୍ରୀ ଙ୍କ କୋଠାଘରକୁ । ମନ୍ତ୍ରୀ ମହାଶୟ ନିଜର ଆଠ ଦଶଟି ଚେଲା ଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ନିର୍ବାଚନ ଜିତିବାର ଉଲ୍ଲାସ ରେ ମଜ୍ଜି ଯାଇଥିଲେ । ଆଗକୁ କଣ କେମିତି କାମ ହବ ତାର କାର୍ଯ୍ୟସୂଚୀ ଉପରେ ଜୋରସୋର ରେ ଆଲୋଚନ। ଚାଲିଥାଏ । ସଉରା ଏକ ଆହତ ବ୍ୟାଘ୍ର ଭଳି ଲୁହା ଗେଟ କୁ ବାରମ୍ବାର ଦୋହଲେଇଦେଉଥାଏ । ଦେହରେ ତାର ଯେମିତି ଏକ ହସ୍ତୀ ର ବଳ । ମତ୍ତ ହସ୍ତୀ ଭଳି ଗର୍ଜନ କରି ପୂରା କୋଠାଘର ଟି କୁ କମ୍ପାଇ ଦେଉଥିଲା ସେ । ଶଙ୍କିତ ହୋଇଗଲେ ମନ୍ତ୍ରୀ, ଭାବିଲେ ବୋଧେ ତାଙ୍କର ଅନ୍ତିମ ସମୟ ଆସି ଉପସ୍ଥିତ । ହେଲେ ସଉରା ର ବଳ ଠାରୁ ଜିଣିଗଲା କପଟୀ ମନ୍ତ୍ରୀ ଙ୍କ ର କୂଟ ନୀତି । ସାଙ୍ଗେ ସାଙ୍ଗେ ତାଙ୍କ ର ଏକ ଭୃତ୍ୟ କୁ ଇସାରା କରିଦେଲେ ସଉରା କୁ ଶାନ୍ତ କରିବା ପାଇଁ ।

ସଉରା ରାଗ ରେ ଫଁ ଫଁ ହେଉଥାଏ । ଦୁଇ ତିନୋଟି ଚେଲା ଆସି ତାକୁ କାବୁ କରିନେଲେ । ତାକୁ ଗୋଟିଏ ଚଉକି ରେ ବସେଇ ତା ସହିତ କଥା ହେବାକୁ ଚେଷ୍ଟ। କଲେ । ମନ୍ତ୍ରୀ ଜଣକ ତାଙ୍କୁ ଟଙ୍କା ଯାଚିଲେ , କହିଲେ ଏତେ ଟଙ୍କା ଦିଆଯିବ ଯେ ତାର ଦୁଇ ତିନି ପିଢ଼ି ରେ ଆଉ କାହାକୁ ଖଟି ଖାଇବାକୁ ଦରକାର ହବ ନାହିଁ । ହେଲେ ସଉରା ଏକବାରେ ତା ଜିଦ ରେ ଅଟଳ । ନିର୍ଵାଚନ ପୂର୍ବ ରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି କୁ ମନ୍ତ୍ରୀ ଯେତେ ଶୀଘ୍ର ପୂରଣ କରନ୍ତୁ । ମନ୍ତ୍ରୀ ବର ଙ୍କ ମଧ୍ୟ ଆଉ ଜାଣିବାର ବାକି ନ ଥିଲା ଯେ ସଉରା କୁ ବୁଝେଇବା ଅସମ୍ଭବ । ତେଣୁ ଅନନ୍ୟୋପାୟ ହୋଇ ଶେଷକୁ ରାଜି ହେଲେ ସବୁ ପ୍ରତିଶ୍ରୁତି ପୂରଣ କରିବେ ଏବଂ ଭଲ ଭାବରେ ବୁଝା ସୁଝା କରି ସଉରା କୁ ଘରକୁ ପଠେଇଦେଲେ ।

ତା ପରଦିନ ମନ୍ତ୍ରୀ ମହାଶୟ ବିଜୟ ଶୋଭାଯାତ୍ରା ରେ ବାହାରି ପଡିଲେ ନିଜର ସୁସଜ୍ଜିତ ଜୀପ ରେ ନିଜର ଅନୁଗତ ଙ୍କ ସହିତ । ଗ୍ରାମଦେବୀ ଙ୍କ ପାଖରେ ଭୋଗଥାଳି ଅର୍ପଣ କରି ସେ ଫେରୁଥାନ୍ତି, ଜଣେ ଦୌଡ଼ି ଦୌଡ଼ି ଆସି ଖବର ଦେଲା ଯେ ସଉରା ର ମୃତଦେହ ନଦୀ ରେ ଭାସୁଛି । ଗତକାଲି ରାତି ରେ କେହି ଜଣେ ତାକୁ ଡାକି ନେଇଥିଲା ପାଖ ଗାଁ ର ମେଳଣ ଦେଖିବା ପାଇଁ । ସେଇଠି ବୋଧେ ମଦ୍ୟପାନ କରି ଆସିଥିବ । ନଈ କୁ ଧୁଆଧୁଇ ହେବ। ପାଇଁ ଯାଇଥିବ, ନିଶା ରେ ଗୋଡ ଖସି ସେଇଠି ହିଁ ସେ ସଲିଳ ସମାଧି ନେଇଯାଇଛି ।

ମନ୍ତ୍ରୀବର ଆହା !ଚୁ ଚୁ! ହୋଇ ଶୂନ୍ୟ କୁ ଅନେଇଲେ ଏବଂ ସଉରା ର ଆତ୍ମା ର ସଦଗତି ପାଇଁ ପ୍ରଣାମ କରି ଦୁଃଖ ପ୍ରକାଶ କଲେ । ଖୁବ ସହଜ ଭାବରେ ଜୀପ ରେ ଆସି ନିଜ ସ୍ଥାନରେ ବସିପଡ଼ିଲେ ଓ ନିଜ ଭୃତ୍ୟ ଟି ଆଡକୁ ଟିକେ ସନ୍ତର୍ପଣରେ ଦେଖିଲେ । ଏକ କୁଟିଳ ହସ ଖେଳିଗଲା ତାଙ୍କ ମୁଖମଣ୍ଡଳରେ । ସତେ କି ବିଜୟ ର ଆଉ ଗୋଟିଏ ସୋପାନ ଉଠିଯାଇଥିଲେ ମନ୍ତ୍ରୀ ମହୋଦୟ !

ପୁଣିଥରେ ଜନସାଧାରଣ ଙ୍କ ଆଖିରେ ଧୂଳିଦେଇ ନେତା ଶେଷ୍ଠ ନିଜର ସୁନା ର ଭବିଷ୍ୟତ ଗଢିବାର ପ୍ରସ୍ତୁତି ରେ ଲାଗିପଡ଼ିଲେ ଏବଂ ନିରୀହ ଜନତା ପୁଣି ଥରେ ପ୍ରତାରିତ ହୋଇ କଷ୍ଟ ଭୋଗିବାକୁ ଅଣ୍ଟା ଭିଡି ହଉଥିଲେ ଆଗାମୀ ପାଞ୍ଚ ବର୍ଷ ପାଇଁ ।

ସୃତକିର୍ତ୍ତୀ ତ୍ରିପାଠୀ


Rate this content
Log in

Similar oriya story from Tragedy