Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବେଲୁନ୍ ବୁଢା
ବେଲୁନ୍ ବୁଢା
★★★★★

© Dr Suniti Devi

Inspirational

5 Minutes   7.0K    6


Content Ranking

       ଶଶାଙ୍କ ସନ୍ତାନହୀନ । ସ୍ତ୍ରୀ ତାକୁ କେତେ ବୁଝାଏ, କହେ- 'କେତେ କେତେ ପରିବାରର ଏ ଦୁଃଖ ଦୂର ହେଇଛି, ଆମର କାହିଁକି ହଵନି ? ଟିକିଏ ବଡ଼ଡାକ୍ତରଙ୍କୁ ଦେଖାଇଲେ ହଅନ୍ତାନି ।' ସେ ରାଜି ହୁଏନା । ଏତେ ଗୁଡାଏ ଟଙ୍କା ଏ ବାଟରେ ଖର୍ଚ୍ଚ ହେଇଯିଵ ! ମୋଫତରେ ମିଳୁଛି ନା କ'ଣ । ଚିତ୍କାରକରେ ସ୍ତ୍ରୀ ଉପରେ । ଵଡ଼ କୃପଣ । ତା' ଦୂଆରକୁ କିଏ ମୁଠାଏ ଭିକ ମାଗିବାକୁ ଯାଆନ୍ତିନି । ପୂଜାପାର୍ଵଣରେ ପିଠାପଣା କଥା ଛାଡ, ଗଣି ଗଣି ଦି'ଟି କଦଳୀ ଆଣିବ ବଜାରରୁ, କହିଵ- 'ଏଇଥିରେ ଚଳାଇ ଦିଅ ।' ଭାତ ସାଙ୍ଗେ ଡାଲମା ଅଷ୍ଟକାଳି ବାରମାସୀ ।ମାଛମାଂସ ଆଣିଲେ ସ୍ତ୍ରୀ ଭାଗରେ ଫୁଟାଏ ପଡିଲେ ଯଥେଷ୍ଟ ।କ୍ଲାସ୍ ଓ୍ୟାନ୍ ଅଫିସର ହେଲେ ପୋଡାବୁଦ୍ଧି । ତା' ସ୍ତ୍ରୀ ମନିର ଭଲଶାଢୀ ଦୁଇଖଣ୍ଡରୁ ବେଶି ନାହିଁ । ସାହିସାରା ଆଣ୍ଠୁକୁଡା ତ କହନ୍ତି, କହନ୍ତି ଶଶାଙ୍କଟା ମଲେ ପ୍ରେତ ହଵ, ହଵ ଜଗନ୍ନାଥ କୁଣ୍ଡୁ । ମନିର ଯାହା ଦରକାର ତା' ଵଡ଼ଭାଇ ଆଣି ଦେଇଯାଏ ।ଏମିତିକି ଶଶାଙ୍କର ଯାହା ସଵୁ ଦାମି ପ୍ୟାଣ୍ଟସାର୍ଟ ସଵୁ ମନିର ବଡ଼ଭାଇ ପ୍ରଭୁ ଵିନା ଦ୍ବିଧାରେ ଘରେ ଥୋଇ ଦେଇଯାଏ । ବଡ଼ କଷ୍ଟରେ ମଟରସାଇକେଲ୍ ଖଣ୍ଡେ କରିଛି ଶଶାଙ୍କ । ସେଥିରେ ଅଧା ଟଙ୍କା ଶଳା ଦେଇଛି । ଅଥଚ ଅଧାଦିନ ଗାଡିରେ ତେଲ ନ ପକାଇ ସାଇକେଲ ପେଲିପେଲି ଅଫିସ୍ ଯିଵ । ଶିଘ୍ର ଘରକୁ ଫେରିଲେ ମନି କ'ଣ ଵଜାରରୁ ଵରାଦ କରିଦଵ ଆଣିବାକୁ ବୋଲି ଜାଣି ଜାଣି କୋଉ ଦୋକାନ ଆଗରେ ସାଇକେଲ କି ମଟରସାଇକେଲ୍ଟା ରଖିଦେଇ ଖଣ୍ଡେ ଦିଖଣ୍ଡ ସିଗାରେଟ୍ ଫୁଙ୍କିବ ।ଅନ୍ଧାରରେ ବେପରୁଆ ଭାବରେ ଠିଆ ହେଇ ହେଇ ରାତି ନଅଟା ହେଲେ ଘରମୁହାଁ ହେବ । ସେଦିନ ଅଫିସରୁ ସଅଳ ବାହାରି ଆସିଲା ସିନା ଯିଵ କୁଆଡେ । ସାଙ୍ଗସାଥି ମେଳରେ ରହିଲେ ପଇସା ଖର୍ଚ୍ଚହେଵ ଵୋଲି ସେ ଏକୁଟିଆ ଵୁଲେ । ଶଶାଙ୍କ ପୂର୍ଵପରି ଗୋଟାଏ ଦୋକାନ ଆଗରେ ମଟରସାଇକେଲକୁ ଥୋଇଦେଇ ତା' ଉପରେ ଵସି ଅନ୍ୟମନସ୍କ ଭାବରେ ସିଗାରେଟ୍ ଟାଣିବାରେ ଲାଗିଲା । ମନକୁ ହଠାତ୍ ଗୋଟେ କଥା ଆସିଲା ।ସମସ୍ତେ କହୁଛନ୍ତି ସେ କୃପଣ, ସତରେ କ'ଣ ସେ କୃପଣ ! କାହାକୁ କିଛିଦେଲେ କି ଆନନ୍ଦ ବା ମିଳେ । ସେ ତ ସେ ଆନନ୍ଦ କେଵେ ଚାଖିନି । ପକେଟ ଅଣ୍ଡାଳିଲା । ଶହେ ଟଙ୍କିଆ ନୋଟ ଚାରିଖଣ୍ଡ ଅଛି । ଆଉ ଦଶ ଟଙ୍କିଆ ଚାରି ପାଞ୍ଚଟି । ଦବ ଯଦି ଶହେଟଙ୍କା ଦବ । କାଇଁକି ନଦବ । ଶଶାଙ୍କ ମାଲହୋତ୍ରା ଦାନ ଵି ମୋଟା ଅଙ୍କରେ କରିପାରେ । ଶହେଟଙ୍କା, ଛାତି ଭିତରଟା କ'ଣ ହେଇଗଲା ତାର । ନାଁ ନାଁ ଏତେଗୁଡା ଟଙ୍କା ବଦଳରେ କି ଆନନ୍ଦ ମିଳିବ ଯେ । ନ ହେଲେ ନାଇଁ । ତାହାଲେ କେତେ ଦଵ, ପଚାଶ ଟଙ୍କା ? ନାଁ ପଚାଶ ବି ଖୁଵ୍ ବେଶି । ଏମିତି ଆସ୍ତେ ଆସ୍ତେ ଖସି ଖସି ଦଶଟଙ୍କାକୁ ଆସିଲା । ମାଛି ଅନ୍ଧାର ହେଲାଣି, ପାରୁ ଵୁଢାଲୋକଟାଏ ଚାରିପାଞ୍ଚଟା ବେଲୁନ୍ ଧରି ତା' ଆଗରେ ଠିଆହେଲା । ପେଜୁଆ ଆଖିରେ କରୁଣ ସ୍ବରରେ ତା' ଶିରାଳ ହାତ ବଢାଇ ଦେଇ କହିଲା-'ଵାବୁ ଵେଲୁନ୍ ନବ ।' ରାଗିଗଲା ଶଶାଙ୍କ, କହିଲା- 'ଆଵେ ଵୁଢା ! ମୋର ପିଲାପିଲି ନାହିଁ, ତୋ ଵେଲୁନ୍ ନେଇ କ'ଣ କରିବି, ଭାଗ୍ ଏଠୁ ।' ଏଥର ଝର ଝର ହେଇ କାନ୍ଦିପକାଇଲା ସେ । କହିଲା- 'ତୋର ପିଲା ନଥିଲେ ଭଲ ବାବୁ । ଆମର ପିଲାଥାଇ ଆମେ ହୀନିମାନ । ଛାଡ ସେ କଥା ତୋ ଦୟା, ମୋ ଭାଗ୍ୟକୁ ବଦଳାଇ ଦେଵନିରେ । ଦୟା ହେଲେ ଏ ଵେଲୁନ୍ ନେ । ତା' ବଦଳରେ କ'ଣ ଦଉଛୁ ଦେ ।' ଶଶାଙ୍କ ମନେ ମନେ ଚମକି ଗଲା, ଭାବିଲା ତା'ର ଦଶଟଙ୍କା ଦାନ କରିବାର ଅଛି, ପଛଘୁଞ୍ଚା ଦେଲେ ହଵନି । କହିଲା- 'ହଁ ଦେ, ଗୋଟେ ଵେଲୁନର ଦାମ୍ କେତେ ?'

     ତୁ ଯେତେ ଦବୁ, ସେତିକି ବାଵୁ । ନେ ଦଶଟଙ୍କା, ଶଶାଙ୍କ ଦଶଟଙ୍କା ନୋଟ୍ଟି ପକେଟରୁ ବାହାର କରି ବୁଢା ହାତରେ ଗେଞି ଦେଲା । କହିଲା, ତୁ ମୋଠୁ ଦଶଟଙ୍କା ପାଇଲୁ ମାନେ ଶହେଟଙ୍କା ପାଇଲୁ । ତମେ ସଵୁଯାକ ଵେଲୁନ୍ ନିଅ ବାବୁ ।ଶଶାଙ୍କର ଅନିଚ୍ଛା ସତ୍ତ୍ବେ ବେଲୁନ୍ ଵୁଢାଟା ତା' ହାତରେ ସୂତାବନ୍ଧା ଚାରି ପାଞ୍ଚଟା ଵେଲୁନ୍ ଧରେଇ ଦେଇ ଚାହୁଁଚାହୁଁ ଅଦୃଶ୍ୟ ହେଇଗଲା । ଏଵେଵି ଶଶାଙ୍କ ମନ ଵନ୍ଧା ହେଇଛି ପ୍ରଚଣ୍ଡ ଲୋଭ ଜାଲରେ । ସେ କିନ୍ତୁ ଖୁସି ହେଇଗଲା ଦଶଟଙ୍କା ନିର୍ଵିଘ୍ନରେ ଲୋଭ ନକରି ବୁଢାକୁ ଦେଇଛି ବୋଲି । ଧିରେଧିରେ ତା' ହାତରେ ରହି ବେଲୁନ୍ମାନେ ଯେମିତି ଛଟପଟ ହେଵାରେ ଲାଗିଲେ । ତାକୁ ଲାଗିଲା ସେମାନେ ଯେମିତି କହୁଛନ୍ତି, ଶଶାଙ୍କ ତୁ ନିଜକୁ ଧୋକା ଦଉଛୁ କାହିଁକି ଏ ଲୋଭୀ । ବୁଢାକୁ ଦେଲୁ କ'ଣ । ତୁ ତ ନେଲୁ ତାଠୁ । ନେଲି ! ସେ ଚମକି ପଡିଲା । ରାଗି କହିଲା- 'ମୋର କ'ଣ ଦରକାର ଥିଲା ବେଲୁନ୍ କିଣିବା, ଅଯଥାରେ ମୁଁ ଟଙ୍କା କାହିଁକି ଖର୍ଚ୍ଚ କରିଥାନ୍ତି ତା' ପିଛା, ଏଇଟା ମୋର ଦାନ ନୁହେଁତ ଆଉ କ'ଣ । ଠୋଠୋ ହେଇ ହସିଲା ସାନ ବେଲୁନ୍ ଟା । କହିଲା, ତୁ ଶଶାଙ୍କ ମାଲହୋତ୍ରା ଦାନ କ'ଣ ଜୀବନସାରା ବୁଝିପାରିଵନି । ଆମ ପରି ତୁ ଵି ବନ୍ଧା ହେଇଛୁରେ ଲୋଭର ଜାଲରେ । ଥରେ ସେ ଵେଲୁନ୍ ବୁଢାର ଆଖି ଦୁଇଟିକୁ ମନେପକା । ତା' ଆଖି ଜଗତର ଅନେକ ଦୃଶ୍ୟ ଦେଖିଛି ।ତୋତେ ସେ ଠିକ୍ ଵୁଝିଛିରେ । ସେ ତୋଠୁ ନେଇନାହିଁ କିଛି, ବରଂ ଦେଇଯାଇଛି । ମାନେ ? ତୁ ଦେଇଛୁ ଆମମାନଙ୍କର ଦାମ୍ । ତୁ ଆମକୁ କିଣିଛୁ । ଆମର ମାଲିକ ହେଇଛୁ, କ୍ରୀତଦାସମାନଙ୍କର ମାଲିକ୍ । କିନ୍ତୁ ତୋ ଭଳି ମାଲିକ ଆମର ଦରକାର ନାହିଁ, ତୁ ତୋ ଦଶଟଙ୍କା ପାଇଁ ଆମକୁ ପୁଣି ଵିକିବାକୁ ପଛାଇବୁ ନାହିଁ ଆଉ କାହାକୁ । ତୋର ଟଙ୍କା ଦରକାର,ଏଥିପାଇଁ ଦରକାର ପଡିଲେ ତୁ ଵି ତୋ ସ୍ତ୍ରୀକୁ ବିକିଦେଇ ପାରୁ । ହେଲେ ସେ ଵୁଢା ପିଲାପିଲି ଥାଇ ଘରୁ ତଡାଖାଇ ରୋଗିଣୀ ସ୍ତ୍ରୀକୁ କାନ୍ଧେଇ ବୁଲୁଛି ସିନା କା ଆଗେ ହାତ ପତାଇନି । ଵେଲୁନ୍ ବିକି ଚଳୁଛି । ସେ ଆମପରି କ୍ରୀତଦାସର ମାଲିକ୍ ଥିଲା । ଆମେ ବନ୍ଧନରେ ତା' ହାତ ମୁଠାରେ ଥାଇ ବି ସୁଖୀ ଥିଲୁ । ହେଲେ ତୁ ମଣିଷ ନୁହେଁରେ, ମଣିଷ ପୋଷାକରେ ଏକ ଇତର ଜୀବ । ମଲା ବେଳକୁ ତୁ କ'ଣ ଏମିତି ହାତମୁଠା କରି ମରିପାରିବୁ ।ଦଵୁନାହିଁ କାହାକୁ କିଛି ? ମଲାଵେଳେ କ'ଣ ନେଇକି ଯିବୁ ?
ହଠାତ୍ ଶଶାଙ୍କ ଭାଙ୍ଗି ପଡିଲା ଯେମିତି । ସତରେ ତ । ସେ କି ଅନୁକମ୍ପା କରିଛି । ବେଲୁନ୍ ନେଇ ତା' ବଦଳରେ ଦାମ୍ ଦେଇଛି । ଵୁଢାର ମାଗିବା ହାତଟି କେଡେ ଅଭିଜ୍ଞ ଆଉ ଶୃଙ୍ଖଳ, ଗରିବ ଵୋଲି ସେ ତା' ପାଖରେ ହାତପାତି ନାଇଁ । ଟଙ୍କାପାଇଁ ଆତ୍ମସମ୍ମାନକୁ ବିକିନାଇଁ । ଉଷୁମ ଲୁହ ଦି'ଧାର ଗଡି ଆସିଲା ତା' ଆଖିରୁ । ବେଲୁନମାନଙ୍କର ସେଇ କେଇପଦ କଥା ସେ ନେଇ ନାହିଁ କିଛି, ଵରଂ ଦେଇଦେଇ ଯାଇଛି, ତୁ ଦେଇନାହୁଁ କିଛି, ମଲାଵେଳେ କିଛି ନବୁ ନାହିଁରେ । ବରଂ ବିନିମୟରେ ନେଇଛୁ ପ୍ରତିଧ୍ବନି ସୃଷ୍ଟିକରୁଥିଲା ତା' କାନରେ । ତାକୁ ଲାଗିଲା ସଵୁ ବେଲୁନ୍ ଏକାଥରକେ ଚିତ୍କାର କରୁଛନ୍ତି, ମୁକ୍ତି ଦେ ମାଲିକ୍ ମୁକ୍ତି ଦେ । ତୋ ମୁଠା ଖୋଲିଦେ । ଶଶାଙ୍କ ଏକାଥରକେ ମୁଠା ଖୋଲିଦେଲା । ସଵୁତକ ବେଲୁନ୍ ଆକାଶମୁହାଁ ହେଇ ହଲି ଦୋହଲି ଉପରକୁ ଉଠୁଥିଲେ । ଏକ ଅଜଣା ପୁଲକରେ ଭରିଗଲା ତା' ଅନ୍ତର । ତାକୁ ଲାଗିଲା ତା'ଭିତରର ଲୋଭ ମୋହର ହିଁ ଏ ଚିତ୍କାର ଥିଲା । ମୁଠା ଖୋଲିଦେଲା ପରେ ତାକୁ ଲାଗିଲା ସେଇ ବେଲୁନ୍ ଗୁଡା କି ଦୁର୍ମୂଲ୍ୟ । ସେମାନେ ଏତେଦିନେ ତା ଅସ୍ମିତାକୁ ଜଗାଇ ଦେଇଯାଇଛନ୍ତି । ଆଉ ତା'ର ଲୋଭସଵୁ ଵେଲୁନ୍ ପରି ଆକାଶକୁ ଉଡି ଯାଇଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ଶିଖିନଥିଲା, ଗୋଟିଏ ମୁହୂର୍ତ୍ତରେ ସେଇ ଦୁଇଟି ପେଜୁଆ ଆଖି ତାକୁ ଶିଖେଇ ଦେଇଗଲା । ଶଶାଙ୍କ ରାତିକ ଭିତରେ ବଦଳିଗଲା କେମିତି, ସ୍ତ୍ରୀ ମନି ଭାବେ । ଏଵେ ମନି ଲକ୍ଷ୍ୟ କରେ ରାସ୍ତାରେ ଘାଟରେ ସେ ଓ ଶଶାଙ୍କ ଏକାଠି ବୁଲିଲା ବେଳେ ସେ କାହାକୁ ଖୋଜେ । ଵେଲୁନ୍ ବାଲା ଦେଖିଲେ ତା'ଠୁ ସଵୁ ବେଲୁନ୍ କିଣି ଆକାଶକୁ ଉଡାଇ ଦିଏ । ପଚାରିଲେ କହେ ମୋ ଲୋଭ ଆଉ ମୋହର କ୍ରୀତଦାସମାନଙ୍କୁ ମୁକ୍ତି ଦେଉଛି ମନି । ମନି କିଛି ବୁଝିପାରେନା । କେଵଳ ଅନୁଭଵ କରେ ତା ସ୍ବାମୀ ସେତେଵେଳେ ସଵୁଠୁ ସୁନ୍ଦର ଦିଶନ୍ତି ତାକୁ ।

ସୁନୀତି
୨୦.୧୨.୨୦୧୬
ମଣିପାଲ୍,କର୍ଣାଟକ

#ମୁଠା ଖୋଲିଦେଲା ପରେ ତାକୁ ଲାଗିଲା ସେଇ ବେଲୁନ୍ଗୁଡା କି ଦୁର୍ମୂଲ୍ୟ । ସେମାନେ ଏତେଦିନେ ତା' ଅସ୍ମିତାକୁ ଜଗାଇ ଦେଇ ଯାଇଛନ୍ତି ।

Rate the content


Originality
Flow
Language
Cover design

Comments

Post

Some text some message..