କେବଳ ଗୋଟିଏ
କେବଳ ଗୋଟିଏ
ଜଣେ ଧନୀ ବ୍ୟବସାୟୀ ଥରେ ଦୁଇଟି ଆମ୍ବ କିଣିଲେ । ସେ ତାକୁ ତାଙ୍କର ରାନ୍ଧୁଣିଆକୁ ଦେଇ କହିଲେ - “ମୁଁ ମୋର ବନ୍ଧୁମାନଙ୍କୁ ଚା ପିଇବା ପାଇଁ ନିମନ୍ତ୍ରଣ କରିଛି । ତୁ ଏହାକୁ ନେଇଯା । ଏହାର ଚୋପା ଛଡାଇ ଖଣ୍ଡ ଖଣ୍ଡ କରି କାଟିଦେବୁ । ଯେତେବେଳେ ମୋର ସାଙ୍ଗମାନେ ଆସିବେ, ତାଙ୍କୁ ଦୁଇ କପ ଚା ଏବଂ ଏଇ ଆମ୍ବତକ ଖାଇବାକୁ ଦେବୁ ।”
ରାନ୍ଧୁଣିଆ ଆମ୍ବ ଦୁଇଟିକୁ ରୋଷେଇଘରକୁ ନେଇଗଲା । ତାର ଚୋପା ଛଡାଇ ଖଣ୍ଡ ଖଣ୍ଡ କରି କାଟିଲା । କିନ୍ତୁ ଆମ୍ବ ଗୁଡିକ ଏତେ ପାଚିଲା ଏବଂ ସୁଗନ୍ଧଯୁକ୍ତ ଥିଲା ଯେ ତାକୁ ଦେଖି ରାନ୍ଧୁଣିଆ ଲୋଭ ସମ୍ବରଣ କରିପାରିଲା ନାହିଁ ସେ ସେଥିରୁ ଖଣ୍ଡେ ଚାଖିଲା । ଦେଖିଲା ସେ ଆମ୍ବଟି ଭାରି ସ୍ୱାଦୁ । ଆଉ ଖଣ୍ଡିଏ ଚାଖିଲା । ତା’ପରେ ତୃତୀୟ ଖଣ୍ଡ, ତା’ପରେ ଚତୃର୍ଥ ଖଣ୍ଡ, ଏପରି ଭାବେ କିଛି ନଭାବି ଗୋଟିଏ ପରେ ଗୋଟିଏ ଖଣ୍ଡ ଖାଇ ଚାଲିଲା । ଶେଷରେ ସବୁ ସରିଗଲା । ସେ ଦେଖିଲା ଯେ ପାତ୍ରରେ ଆଉ ଖଣ୍ଡେ ସୁଧା ଆମ୍ବ ନାହିଁ । ନିଜର ନିର୍ବୋଧତାକୁ ସେ ଅନୁଭବ କଲା । ମାଲିକଙ୍କ କଥା ଭାବି ଡରିଗଲା । ଏଥିରୁ କିପରି ରକ୍ଷା ପାଇବ ଏହା ତା’ର ଚିନ୍ତା । ସେହି ସମୟରେ ମାଲିକ ତାକୁ ଡାକିଲେ ଏବଂ କହିଲେ - “ଆମ୍ବ କାଟି ସାରିଛୁ ?”
ନାଇଁ ହଜୁର, ମୁଁ ଏବେ ରନ୍ଧାରନ୍ଧିରେ ବ୍ୟସ୍ତ ଅଛି । ଆମ୍ବ କାଟିବା ପାଇଁ ଛୁରୀକୁ ଦାଢ କରିବାକୁ ପଡିବ । କିଛି ସମୟ ଲାଗିବ । ତେଣୁ ମୁଁ ରନ୍ଧାସରିବା ମାତ୍ରେ ଛୁରୀ ଦାଢ କରିବି । ଏବଂ ଫଳ କାଟିବି । ରାନ୍ଧୁଣିଆ ଉତ୍ତର ଦେଲା ।
“ଠିକ୍ ଅଛି । ମତେ ଛୁରୀଟି ଦେ ମୁଁ ଦାଢ କରି ଦେଉଛି ।“ ଏହା କହି ବ୍ୟବସାୟୀ ଜଣକ ଛୁରୀଟି ଧରି ବଗିଚାକୁ ଗଲେ । ସେଠାରେ ସେ ଛୁରୀକୁ ଗୋଟିଏ ପଥରରେ ଘଷି ଶାଣ କଲେ ।
ରାନ୍ଧୁଣିଆ କିଂକର୍ତ୍ତବ୍ୟବିମୂଢ । ସେ ଶୁଣିଲା ଯେ, କିଏ ଦୁଆର ମୁହଁରେ ଠିଆ ହୋଇ କବାଟ ଖଟ୍ ଖଟ୍ କରୁଛି । ସେ କବାଟ ଖୋଲିଲା । ଦେଖିଲା ତାର ମାଲିକର ସାଙ୍ଗ ଦୁଇ ଜଣ ଦ୍ୱାର ମୁହଁରେ ଠିଆ ହୋଇଛନ୍ତି ।
ରାନ୍ଧୁଣିଆ ମନକୁ ଗୋଟିଏ ଉପାୟ ଜୁଟିଲା । ସେ ମାଲିକଙ୍କ ସାଙ୍ଗମାନଙ୍କୁ କହିଲା - “ହଜୁର କ’ଣ ମୋ ମାଲିକ ଆଉ ଆପଣଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇଯାଇଛି । ଆପଣମାନଙ୍କର କାନ କାଟିବା ପାଇଁ ମାଲିକ ମୋର ଛୁରୀ ଦାଢ କରୁଛନ୍ତି ।”
“କ’ଣ ଆମମାନଙ୍କର କାନ କାଟିବେ ? ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।” ଆମେମାନେ ତାଙ୍କର କ’ଣ କରିଛୁ ? ସେ ନିଶ୍ଚୟ ଆମମାନଙ୍କ ବିରୁଦ୍ଧରେ ଭୁଲ ମତ ପୋଷଣ କରିଛନ୍ତି । ଆଉ କ’ଣ ସେଥିପାଇଁ ସେ ଆମକୁ ନିମନ୍ତ୍ରଣ କରିଛନ୍ତି ।”
ଭୟଭୀତ ହୋଇ ସେମାନେ ସେଠାରୁ ଦୌଡିବାକୁ ଲାଗିଲେ । ସାଙ୍ଗେ ସାଙ୍ଗେ ରାନ୍ଧୁଣିଆ ବଗିଚାକୁ ଦୌଡିଲା । ଏବଂ ବଡ ପାଟିରେ ଚିତ୍କାର କଲା - “ହଜୁର ତମ ସାଙ୍ଗମାନେ ଆମ୍ବ ଦୁଇଟିକୁ ଧରି ଦୌଡିଲେ ମୁଁ ତାଙ୍କୁ ଅଟକାଇ ପାରିଲିନାହିଁ । ହଜୁର ତାଙ୍କୁ ଧରନ୍ତୁ । ତାଙ୍କୁ ଧରନ୍ତୁ ।”
ମାଲିକ ଛୁରୀଟିକୁ ହାତରେ ଧରି ଗଳି ଆଡକୁ ଦୌଡିଲେ । ଦେଖିଲେ ତାଙ୍କର ସାଙ୍ଗମାନେ ଆଗକୁ ଦୌଡୁଛନ୍ତି । ସେ ତାଙ୍କୁ ଧରିବା ପାଇଁ ତାଙ୍କ ପଛରେ ଧାଉଁଥାନ୍ତି ଏବଂ ଚିତ୍କାର କରି କହୁଥାନ୍ତି - “କେବଳ ଗୋଟିଏ ଦିଅ କେବଳ ଗୋଟିଏ ଦିଅ । କେବଳ ଗୋଟିଏ ଦିଅ ।”
ସାଙ୍ଗମାନଙ୍କ କାନରେ ତାଙ୍କ କଥା ପଡିଲା । ସେମାନେ ଭାବିଲେ ଯେ ତାଙ୍କ ସାଙ୍ଗମାନେ ତାଙ୍କୁ ଗୋଟିଏ ଲେଖାଏଁ କାମ ଦେବାକୁ କହୁଛନ୍ତି । ତେଣୁ ସେମାନେ ପୂର୍ବାପେକ୍ଷା ଆହୁରି ଜୋରରେ ଦୌଡିବାକୁ ଲାଗିଲେ । ଟିକିଏ ହେଲେ ପଛକୁ ଚାହିଲେ ନାହିଁ ।
ମାଲିକ ଆଉ ତାଙ୍କ ପଛରେ ଦୌଡି ପାରିଲେ ନାହିଁ । ସେ ଖାଲି ହାତରେ ଘରକୁ ଫେରିଲେ ।
ଲକ୍ଷ୍ମୀଧର ମହାନ୍ତି
ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି