Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Crime Others

3  

Seetaram Dash

Crime Others

ପରଦାର ଅନ୍ତରାଳେ

ପରଦାର ଅନ୍ତରାଳେ

4 mins
420


ରୁଦ୍ରପ୍ରତାପ' ଓରଫ ରୁଦ୍ର ଥିଲେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଅନେକ ଲୋକ କାମ କରନ୍ତି ତାଙ୍କ ବ୍ୟବସାୟ ଏବଂ ଫାର୍ମ ହାଉସରେ। ମାନସ ସ୍ଥାୟୀ ଭାବରେ କାମ କରନ୍ତି ରୁଦ୍ର ବାବୁଙ୍କ ଘରେ। ଫାର୍ମ ହାଉସର ସମସ୍ତ ଦାଇତ୍ୱ ନେବା ସହ ଚାଷବାସରେ ସାହାଯ୍ୟ କରେ ସେ, ଏବଂ ବର୍ଷକ ବାର ମାସ କାମ ବ୍ୟସ୍ତ ଯୋଗୁ ନିଜ ପରିବାରକୁ ନେଇ ସେଇ ଫାର୍ମ ହାଉସରେ ରୁହେ। ପରିବାର କହିଲେ ମାନସ ଏବଂ ତାର ସ୍ତ୍ରୀ, ଲିଲି । ଲିଲି ଶାନ୍ତ ସରଳ ଗାଉଁଲି ଝିଅ ଆଉ ମାନସ କର୍ତ୍ତବ୍ୟ ପରାୟଣ ଏବଂ ସ୍ୱାମୀ ଭକ୍ତ । ମାଲିକ ପାଖରେ ଖୁବ ବିଶ୍ୱାସୀ । ରୁଦ୍ରପ୍ରତାପ ବି ଉଭୟଙ୍କୁ ଖୁବ ଭଲ ପାଉଥିଲେ। ଅଭାବ ଅସୁବିଧାରେ ପାଖରେ ଛିଡା ହେଉଥିଲେ।

ସରଗ ସମାନ ଅଟେ ସେହି ଘର, ପରସ୍ପର ସ୍ନେହ ଯଦି ଥାଏ ନିରନ୍ତର। ସେହି ନ୍ୟାୟରେ ଖୁବ ହସ ଖୁସିରେ ଚଳୁଥିଲେ ମାନସ ଆଉ ଲିଲି । ବେଳେବେଳେ ପରିଶ୍ରମ ଅଧିକ ହୋଇଗଲେ ମାନସର ଗୋଡ଼ ହାତ ବିନ୍ଧା ଛିଟିକା ହୁଏ । ମାନସର କିଛି ଚିହ୍ନା ଜଣା ସାଙ୍ଗ ମଦ ପିଇବାକୁ ପରାମର୍ଶ ଦିଅନ୍ତି। ମାନସ ମନା କରେ, ବାଧ୍ୟ ବାଧକତାରେ ଠିପିଏ ପିଏ । ସେଥିରେ ମାନସର ମୁଣ୍ଡ ଘୁରେଇ ଦିଏ । ତଣ୍ଟି ଜଳିଯାଏ। ତାପରେ କିଛି ସମୟ ପାଇଁ ଟିକେ ହାଲକା ଲାଗେ। ତାପରେ ଧୀରେ ଧୀରେ ମଦ ନାମକ ରାକ୍ଷସ ସମ୍ପୂର୍ଣ୍ଣ କବଳିତ କରେ ମାନସକୁ। ଶେଷରେ ଏପରି ସମୟ ଆସେ ଠିପିଏ ପିଉଥିବା ମଣିଷଟାର ବୋତଲ ବୋତଲ ମଦ ବି କମ ପଡେ।

ଲିଲି ବହୁତ ବୁଝାଏ ଏସବୁ ବନ୍ଦ କରିବାକୁ । ହେଲେ ମଦର ନିଶା ଏମିତି, ଯିଏ ଥରେ ସେ ବାଟରେ ଯାଏ ଆଉ ଫେରେନା । ହସ ଖୁସିର ସୁନା ସଂସାର ଭାଙ୍ଗି ଯାଏ ଅକାରଣରେ । ଲିଲିର ଲୁହ ଗଡାଇବା ବ୍ୟତିତ ଆଉ କିଛି ଉପାୟ ନ ଥାଏ। ବେଶି କିଛି କହିଲେ ଘରେ ହୁଏ ଝଗଡ଼ା। ବେଳେବେଳେ ମାଡ଼ ମଧ୍ୟ ଖାଏ ବିଚାରି । ଧୀରେ ଧୀରେ କରଜ ଦାମ ବି ବଢେ। ସବୁ ପଇସା ଯାଏ ମଦ ଭାଟିକୁ। ବେଳେବେଳେ ଭୋକ ଉପାସରେ ଶୋଇବାକୁ ପଡେ।

ସମୟକ୍ରମେ ଅତ୍ୟଧିକ ମଦ ପିଇ ମାନସ ହୋଇଯାଏ ଅନେକ ରୋଗରେ ଆକ୍ରାନ୍ତ। ଶେଷରେ ହୃଷ୍ଟପୃଷ୍ଟ ଶରୀର ହୋଇଯାଏ ହାଡ଼ କଙ୍କାଳ। ଏସବୁ ସତ୍ତ୍ଵେ ରୁଦ୍ର ବାବୁ ସୁବିଧା ଅସୁବିଧାରେ କିଛି କିଛି ସାହାଯ୍ୟ ସହଯୋଗ କରନ୍ତି। ମଦ ନ ପିଇବା ପାଇଁ ତାଗିଦ କରନ୍ତି। ହେଲେ କିଛି ଲାଭ ହୁଏନି। ଦିନ ଆସେ ମାନସର ଦୁଇଟି ବୃକକ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ମାନସ ହୋଇଯାଏ ଦୁନିଆରେ ଦୁଇ ଦିନର ଅତିଥି । ଏବେ ସେ ଅନୁତାପ କରେ, ଲିଲିକୁ ଧରି ବହୁତ କାନ୍ଦେ। ଅତୀତର ହସ ଖୁସିର ଦିନକୁ ମନେ ପକାଇ ପଶ୍ଚାତାପ କରେ।

ଦିନେ ଲିଲିର ଭାଗ୍ୟ ଆକାଶରେ କଳା ବାଦଲ ମାଡ଼ିଆସେ । ସକାଳୁ ସକାଳୁ ମାନସ ସଂସାରରୁ ଚିର ବିଦାୟ ନିଏ । ଭାଙ୍ଗିଯାଏ ଲିଲିର ଶଙ୍ଖା, ଲିଭିଯାଏ ଲିଲିର ସିନ୍ଦୁର । ସାତ ଜନ୍ମର ସାଥିଟା ଗୋଟିଏ ଜନ୍ମ ବି ପୁରା କରିପାରେନି। ଚାରିଆଡେ ଖାଲି ଦୁଃଖ ଆଉ ଦୁଃଖ। ମାନସର ସମସ୍ତ କ୍ରିୟା କର୍ମ ରୁଦ୍ର ବାବୁ କରନ୍ତି। ଶେଷରେ ଲିଲି ହାତରେ କିଛି ଟଙ୍କା ଦେଇ ନିଜ ଗାଁକୁ ଫେରି ଯିବା ପାଇଁ କୁହନ୍ତି। କିନ୍ତୁ ଲିଲି "କୁଆଡେ ଯିବ" ବୋଲି ପ୍ରଶ୍ନ କରେ, କାରଣ ସେ ନିଜ ଘର ଲୋକଙ୍କ ବିରୁଦ୍ଧରେ ଭଲ ପାଇ ବିବାହ କରିଥିବାରୁ ଘର ଲୋକଙ୍କ ସହ ଶାଶୁ ଘର ବି ସବୁଦିନ ପାଇଁ ପର କରିଥିଲେ । ନିଜ ଭାଗ୍ୟକୁ ଆଦରି ସବୁ ଦୁଃଖକୁ ସହି ପଡି ରହେ ।

ଏକାକୀ ନାରୀଟିଏ ସମାଜରେ ବଞ୍ଚିବା କେତେ ଯେ କଷ୍ଟ, ଅନୁଭବ କରେ ଲିଲି । ଚିରା ଛିଣ୍ଡା ଲୁଗା ପିନ୍ଧିବାକୁ ପଡେ । କେବେ ଖାଏ ତ କେବେ ଉପାସ । ରୁଦ୍ର ବାବୁ କେତେ ବା ସାହାଯ୍ୟ କରିବେ? ନିଜର ନ ହେଲେ ବି ନିଜ ଠୁ ଅଧିକ କଲେଣି। ସେଥି ପାଇଁ ନିଜ ପରିବାର ଲୋକମାନେ ଖୁବ ବିରୋଧ କରନ୍ତି। ସବୁ ସତ୍ତ୍ୱେ ଯଥା ସମ୍ଭବ ସାହାଯ୍ୟ କରନ୍ତି ରୁଦ୍ରବାବୁ। ସେଥିପାଇଁ ଲିଲି ରୁଦ୍ରପ୍ରତାପଙ୍କୁ ଭଗବାନଙ୍କ ପରି ଆଦର ଆଉ ଭକ୍ତି କରେ। ଲିଲି ପାଇଁ ସେ ଜଣେ ଦେବଦୂତ।

ଦିନେ ରବିବାର ସନ୍ଧ୍ୟାରେ ପ୍ରବଳ ମେଘ ପବନ ହେଉଥାଏ । ରୁଦ୍ରବାବୁ ନିଜ ଗୋଦାମ ଘରେ ବସି ଥାନ୍ତି, ଫାଟକ ଅଧା ବନ୍ଧ କରି। ସମସ୍ତ କର୍ମଚାରୀ ଛୁଟିରେ ଥାଆନ୍ତି। ରୁଦ୍ରପ୍ରତାପଙ୍କ ସାମ୍ନା ଟେବୁଲରେ ଥାଏ ଗୋଟିଏ ମଦ ବୋତଲ ଆଉ କିଛି ସିଗାରେଟ। ଜଣେ ସୁନ୍ଦର ଆଉ ସାଧାରଣ ବ୍ଯକ୍ତି ହେଲେ ବି କେବେ କେମିତି ଦିନେ ଅଧେ ମଦ ପିଇବାର ଅଭ୍ୟାସ ରହିଯାଇଛି ରୁଦ୍ରପ୍ରତାପଙ୍କର। ଏ କଥା କେହିବି ଜାଣନ୍ତିନି। ଦୁଇ ପ୍ୟାକ ମାରିଦେଲା ପରେ ବାହାରର ତୁହାକୁ ତୁହା ଥଣ୍ଡା ପବନ ଆଉ ବର୍ଷା ଖୁବ ମତୁଆଲା ହୋଇ ପଡନ୍ତି ସେ। ହଟାତ କାହାର ଫାଟକ ବାଡ଼େଇବା ଶବ୍ଦରେ ପ୍ରକୃତିସ୍ଥ ହୁଅନ୍ତି। ଫାଟକ ଖୋଲି ଦେଖନ୍ତି ସାମ୍ନାରେ ଲିଲି। ଲିଲି କିଛି ପଇସାର ନିହାତି ଆବଶ୍ୟକ ବୋଲି କହି ନେହୁରା ହୁଏ। ମନା କରନ୍ତି ରୁଦ୍ର ବାବୁ। ବ୍ୟବସାୟର କ୍ଷତି ଯୋଗୁ ନିଜେ ଦେବାଳିଆ ହୋଇଥିବା କଥା କୁହନ୍ତି। ଲିଲି ଗୋଡ଼ ହାତ ଧରି ନେହୁରା ହୁଏ । ଶେଷରେ ଭିତରକୁ ଡାକି ନେଲେ ରୁଦ୍ର ବାବୁ।

ଟେବୁଲ ଉପରେ ବସି ପ୍ରଥମେ ଭଲ କରି ଲକ୍ଷ୍ୟ କଲେ ଲିଲିକୁ । ଲିଲିର ଭୟ ମିଶା ନିରୀହ ଚାହାଣୀ ସହିତ ଅପୂର୍ବ ସୌନ୍ଦର୍ଯ୍ୟ ତାଙ୍କୁ ଭାବ ବିହୋର କରେ । ଓଦା ଜୁଡୁବୁଡୁ ଲୁଗାରେ ଅସ୍ପଷ୍ଟ ଭାବରେ ଲୁଚିଥିବା ଲିଲି ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦେଖି ମଦ ନିଶାରେ ଭୁଲିଛନ୍ତି ସବୁ କିଛି। ନିଜର କାମନା ବାସନାକୁ ଚରିତାର୍ଥ କରିବାକୁ ଯାଇ କରିଛନ୍ତି ସୌଦା । ବାରଣ କରିଛି ଲିଲି । ଚାଲି ଯିବାକୁ ବାହାରିଛି ବାହାରକୁ। ଜବରଦସ୍ତି ହାତକୁ ଧରି ନେଇଛନ୍ତି ରୁଦ୍ର ବାବୁ। ଦେବଦୂତ ସାଜିଥିବା ମଣିଷଟି ଆଜି ରାକ୍ଷସ ପାଲଟି ଯାଇଛି। ଯେତେ ନେହୁରା ହେଲେ ବି କିଛି ଫରକ ପଡିନି ପାଷାଣ ସାଜିଥିବା ମଣିଷଟି ଉପରେ। ଖସି ଯିବାର କୌଣସି ବାଟ ବି ନାହିଁ। ଶାନ୍ତ ସରଳ ମଣିଷ ଭିତରେ ଲୁଚି ଥିବା ପଶୁତ୍ବ ବାହାରି ଆସିଛି ବାହାରକୁ। ଖିନିଭିନି କରିଦେଇଛି ଲିଲିର ଦେହ ଆଉ ମନକୁ। ଲିଲିର ଚିତ୍କାର ମେଘ ଆଉ ଘଡଘଡି ଶବ୍ଦରେ ହଜିଯାଇଛି।


ପରଦିନ ସକାଳେ ଲିଲିର ଶବ ଶୋଇବା ଘରର ପଙ୍ଖାରେ ଝୁଲୁଥିବାର ଦେଖି ଲୋକମାନେ ପୁଲିସକୁ ଖବର ଦେଇଛନ୍ତି। ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି ଆତ୍ମହତ୍ୟା । ଶବ ଉଦ୍ଧାର ବେଳେ ଲିଲିର ହାତରେ ଚିଠି ଖଣ୍ଡେ ମିଳିଛି। ଚିଠିଟି ନେଇ ପୁଲିସ ଆସିଛି ରୁଦ୍ର ବାବୁଙ୍କ ଘରକୁ । ଏକ ଶୋକାକୁଳ ପରିବେଶ। ରୁଦ୍ର ବାବୁଙ୍କ ମନରେ ଅନେକ ଶଙ୍କା। ପୁଲିସ ପଚାରିଛି ମିଲି ବିଷୟରେ ଏବଂ ବଢ଼ାଇ ଦେଇଛଛି ମିଲିର ଶେଷ ହାତ ଲେଖା ଚିଠିଟି। ଚିଠିଟି ପଢ଼ିଛନ୍ତି ରୁଦ୍ର ବାବୁ ,ସେଥିରେ ଲେଖା ଅଛି "ରୁଦ୍ରବାବୁଙ୍କ ନିକଟରେ ମୁଁ ଚିର ଋଣୀ। ସାତ ଜନ୍ମରେ ବି ତାଙ୍କ ଋଣ ଶୁଝି ପାରିବିନି"। ଶେଷରେ ପୋଲିସ ଅପମୃତ୍ୟୁର ଆରୋପ ଲଗାଇ ଶବ ଦାହ କରିବାକୁ କହିଛି । ଗାଁ ଲୋକେ ରୁଦ୍ର ବାବୁଙ୍କ ବହୁତ ପ୍ରଶଂସା କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ରୁଦ୍ର ବାବୁ କଣ ନ କରିଥିଲେ? ନିଜର ବାପା ଭାଇ ବି ଏତେ କରିବେନି । ପର ଦିନ ସକାଳେ ଗାଁର କିଛି ଛାତ୍ରଛାତ୍ରୀ ସ୍ଲୋଗାନ ଦେଉଥାନ୍ତି.....ମଦ ଛାଡ଼, ଗାଁ ଗଢ଼। ମଦ ଛାଡ଼, ଦେଶ ଗଢ। ଆମର ସଂକଳ୍ପ ମଦ ମୁକ୍ତ ଓଡିଶା।


Rate this content
Log in

Similar oriya story from Crime