Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫେସବୁକ୍
ଫେସବୁକ୍
★★★★★

© Laxman Kumar Behera

Tragedy

5 Minutes   7.1K    16


Content Ranking

ଲକ୍ଷ୍ମଣ କୁମାର ବେହେରା (ଯତି)

ଏ ମାଆ ••• ମାଆ, ତୁ କଉଠି ଅଛୁ । ହଁ ଏଇଠିରେ ମୋନା, ରୋଷେଇ ଘରେ । କ'ଣ ହେଲା ଯେ' ଚିଲ୍ଲୋଉଛୁ । ମାଆକୁ ଗେଲରେ ଭିଡିଧରି ••• ମୁଁ ସେ ପିଲାକୁ ବାହା ହେବିନି । ବାପାଙ୍କୁ କହିଦେବୁ । କାହିଁକି ? ସେ ତ ଭଲ ପିଲାଟା । ସରକାରୀ ଚାକିରୀ କରୁଛି । ରାଉରକେଲା କଲେଜରେ ଓଡିଆ ଅଧ୍ଯାପକ । ନାମ ତା'ର କାର୍ତ୍ତିକ, ସେ ଭଲ ଲେଖାଲେଖି କରେ କବିତା ଆଉ ଗଳ୍ପ । ଗଳ୍ପ ବହିଟେ ମୋତେ ଉପହାର ଦେଇଛି । ନେ ପଢ । ତୁ ଖୁସିରେ ରହିବୁ । ମୋର ଆଉ ତୋ ବାପାର ପସନ୍ଦ ଅଛି । ତୁ ବି ତ ହଁ କଲୁ ପିଲାକୁ ଦେଖି । ପୁଣି କ'ଣ ହେଲା ? ମୁଁ ତୋ ବାପାଙ୍କୁ କହି ପାରିବିନି । ତୁ କହିବୁ ହେଲେ କହ । ବାହାଘର କଥା ସରିଛି ଆସନ୍ତା ମାସରେ ବାହାଘର ହେବ । ଏକଥା ସାହି ପଡିଶା, ବନ୍ଧୁ ବାନ୍ଧବ, ସମାଜ ଲୋକ ସମସ୍ତେ ଜାଣି ସାରିଲେଣି । ତତେ ଏତେ ବଡ କଲୁ, ପାଠ ପଢାଇଲୁ । ତୁ ଶାଶୁ ଶ୍ବଶୁର ଘରେ ସୁଖରେ ରହିଲେ ଆମେ ଶେଷ ସମୟରେ ଶାନ୍ତିରେ କାଟିବୁ ଲୋ ମାଆ । ତୋର ସୁଖ ପାଇଁ ତ ଏସବୁ କରୁଛୁ । ଆମର ଆଉ କିଏ ଅଛି ଯେ' କହିଲୁ । ମୋନାଲିସା ଟିକିଏ ନିରବ ରହି କହିଲା ••• ହଉ ହଉ ଠିକ୍ ଅଛି ବାପାଙ୍କୁ କିଛି କହିବୁ ନାହିଁ ।

ବାପା ସୁଶିଲ ମହାନ୍ତିଙ୍କୁ ଛୋଟ ସମୟରୁ ବହୁତ ଡରୁଥାଏ ମୋନାଲିସା । ମାଆ ବାପାଙ୍କର ଏକମାତ୍ର ଅଲିଅଳି କନ୍ଯା ସିଏ । ଏ ବର୍ଷ ବିଏ•ବିଇଡି• ସରିଲା । ଭଲ ପ୍ରସ୍ତାବଟେ ଆସିଛି । କିନ୍ତୁ ମୋନାଲିସା ଯେ' ଆଉ କାହାକୁ ଭଲପାଏ ଏକଥା ତା' ବାପାଙ୍କୁ ସେ କେବେବି ପାଟି ଫିଟେଇ କହି ପାରିବ ନାହିଁ, କାରଣ ତା'ର ବାପା ସମାଜର ଜଣେ ପ୍ରତିଷ୍ଠିତ ବ୍ଯକ୍ତି । ସରଳ ଆଉ ହୃଦୟବାନ୍ ବ୍ଯକ୍ତି ହେଲେ ମଧ୍ୟ ଭାରି କଠୋର ତେଣୁ ଭୟ କରେ ସେ । ଛୋଟ ସମୟରୁ ସବୁକଥା କେବଳ ତା' ମାଆକୁ ହିଁ ସେ କହେ ।

ମୋନାଲିସାର ପ୍ରଚୁର ଭଲପାଇବା ଥାଏ ଜଣେ ସୁସ୍ଥ ସବଳ, ଗୋରା ତକ ତକ, ଡେଙ୍ଗା ଯୁବକ ପ୍ରତି । ଫେସବୁକ୍ ରେ ବର୍ଷେ ହେଲା ଚିହ୍ନାଜଣା । ନାମ ତା'ର ସଂଜୟ । ଦୁହେଁ ପରସ୍ପରକୁ ଭେଟି ଅନେକ ଥର ଲୁଚିଲୁଚି ସଂପର୍କ ରଖିଲେଣି । ମୋନା କେବେବି କହିପାରିନି ନିଜ ଭଲପାଇବା କଥା, ବାପା ମାଆଙ୍କୁ । ସେମାନେ ହେଲେ କେମିତି ଜାଣିବେ ଝିଅର ମନ କଥା ।

ଆଖିରେ ଲୁହ ଆଉ ଛାତିରେ କୋହ ଭର୍ତ୍ତି ମନରେ ନିଜକୁ ନିଜେ ପ୍ରଶ୍ନ କରୁଥାଏ ମୋନା, " ବିବାହ ଠିକ୍ କରିବା ଆଗରୁ ଥରୁଟେ ହେଲେ ବାପା ମୋତେ ପଚାରିଥାନ୍ତେ । " ମୁଁ କାହା କଥା ରଖିବି ?

ସଂଜୟ ଆଉ ନିଜ ବାପା ମାଆଙ୍କୁ ସେ କାହାକୁ ବି ନିଜ ଜୀବନ ବାଟରୁ ଦୂରେଇବାକୁ ଚାହୁଁ ନଥିଲା ।

ଦେଖୁ ଦେଖୁ ବିବାହ ପାଖେଇ ଆସିଲା । ଧୁମଧାମ୍ ରେ ବିବାହ ହେଲା । ମୋନାଲିସା ମନରେ ଟିକିଏ ବି ଖୁସି ନଥାଏ ସେଦିନ । ସେ ହସୁଥାଏ ହେଲେ ସେଇ ହସ ଭିତରେ ବିରାଟ ଯନ୍ତ୍ରଣା ଲୁଚି ରହିଥିବାର ଅନୁଭବ କରୁଥାଏ କାର୍ତ୍ତିକ । ସେ କବି ନା ! ବୋଧେ ସେଥିପାଇଁ ଅନୁଭବ କରୁଥିଲେ । ହେଲେ ପଚାରି ପାରୁ ନଥିଲେ । ମୋନାଲିସାର ହୃଦୟରେ ଅନେକ କଥା ଆଉ ବ୍ଯଥା ଭର୍ତ୍ତି ଥାଏ । ଭାବୁଥାଏ ଗୁଜୁରାଟରୁ ସଂଜୟ ଫେରିଲେ କ'ଣ ଭାବିବେ ମୋତେ, କ'ଣ କହିବେ ? କ'ଣ ଉତ୍ତର ଦେବି ତାଙ୍କୁ । କେବେ ତ ଆଗରୁ ଜଣାଇ ପାରିଲିନି । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ତଥାପି ସେ ହସୁଥାଏ ।

ତା' ଆର ଦିନ ଝିଅ ବିଦା ହେବା ବେଳ ଆସିଲା । ବାପା ମନ ଖୁସିରେ ନାଚି ଉଠୁଥାଏ । ମାଆ ସକେଇ ସକେଇ କାନ୍ଦୁଥାଏ । ଝିଅକୁ ଭିଡି ଧରିଥାଏ, ଜମାରୁ ଛାଡୁ ନଥାଏ । ସାହି ପଡିଶା ସମସ୍ତଙ୍କ ଆଖିରୁ ଲୁହ ଝରାଇ ମୋନାଲିସା ବାପଘରୁ ବିଦାୟ ନେଲା ।

ସେଦିନ ଥିଲା ଚଉଠି ରାତି । କାର୍ତ୍ତିକ ସବୁ କୋଠରୀରେ ଖୋଜିଲେ ମୋନାଲିସାକୁ, ହେଲେ କୌଣସି ଠାରେ ପାଇଲେ ନାହିଁ । ଘରର ସମସ୍ତଙ୍କୁ ଜଣାଇବା ସହିତି ଝିଅର ବାପା ମାଆଙ୍କୁ ଖବର ଦେଲେ । ସମସ୍ତେ ସବୁଆଡେ ପଚାରି ବୁଝିଲେ । କିଛି ସୁରାକ୍ ମିଳିଲା ନାହିଁ । ଶେଷରେ ସମସ୍ତେ ମିଶି ରାଉରକେଲା ପୋଲିସ ଥାନାରେ ଲିଖିତ ଅଭିଯୋଗ କଲେ । ସମସ୍ତେ ଦୁଃଖରେ ଥାଆନ୍ତି । କାହାରି ଆଖିରେ ନିଦ ନାହିଁ । ଆର ଦିନ ସକାଳ । ଠିକ୍ ଆଠଟା ସମୟକୁ ଏକ ଅଜଣା ନମ୍ବରରୁ ସୁଶୀଳ ମହାନ୍ତି ଙ୍କ ଫୋନରେ ରିଂ ହେଲା । ଫୋନ୍ ଉଠାଇଲେ,

- ହେଲୋ, ହଁ, କିଏ କହୁଥିଲେ ?

- ମୁଁ ସଂଜୟ, ନମସ୍କାର ବାପା । ମୋନାଲିସା ମୋ ପାଖରେ ଅଛି । ନିଅନ୍ତୁ କଥା ହୁଅନ୍ତୁ ।

- ବାପା ନମସ୍କାର । ମୁଁ ଭଲରେ ଅଛି । ଏବେ ଆମେ ପୁରୀରେ ଅଛୁ । ମନ୍ଦିରରେ ବିବାହ କଲୁ । ମୋତେ ଆଉ ଖୋଜିବେ ନାହିଁ । ସମୟ ଆସିଲେ ମୁଁ ଆଉ ସଂଜୟ ଘରକୁ ଯିବୁ ।

ସେଦିନ ଅନେକ ସାହସ ଜୁଟାଇ ମୋନାଲିସା ତା'ର ବାପାଙ୍କୁ ସବୁ କହି ଯାଉଥାଏ, ହେଲେ ବାପା କିଛି ବି ନକହି କେବଳ ଶୁଣୁଥିଲେ । ଯେତେବେଳେ କିଛି କଥା ମୋନାକୁ କହିବାକୁ ଚାହିଁଲେ, ସେତେବେଳେ ଫୋନ କଟି ସାରିଥିଲା ।

ସେଦିନ ସୁଶୀଳ ମହାନ୍ତିଙ୍କ ଲୁହ ଶୁଖୁ ନଥାଏ । ଦୁଃଖ ମନରେ ସମସ୍ତେ ଫେରି ଆସିଲେ ନିଜ ନିଜ ଘରକୁ । ଗାଆଁ ଲୋକେ ଅନେକ କଥା କହୁଥାନ୍ତି । କାହାରି କଥା ନଶୁଣି ଘରେ ଚୁପଚାପ ବସିଥାନ୍ତି ସୁଶୀଳ ମହାନ୍ତି ଆଉ ତାଙ୍କ ସ୍ତ୍ରୀ ।

ବାପା ମାଆଙ୍କ ସହ ସବୁଦିନେ ଭଲ କଥାବାର୍ତ୍ତା ଚାଲିଥାଏ । ଭଲରେ ଅଛୁ ବୋଲି କହେ । କାଲି ପୁରୀରେ ଥିଲୁ, ଆଜି ଭୁବନେଶ୍ବରରେ, କାଲିକି ଗୁଜୁରାଟ ଯିବୁ ••• ଏମିତି ଅନେକ କଥା ।

ପ୍ରାୟ ମାସେ ହେବ ସଂଜୟ ସହିତ ବାହାରେ ରହିବା ପରେ, ଦିନେ ହଠାତ୍ ସକାଳୁ ସକାଳୁ ମୋନାଲିସା ନିଜ ବାପ ଘରକୁ ଫେରି ଆସିଛି । ବାପା ଝିଅକୁ ପଚାରିଲେ ମା' ଜ୍ବାଇଁ କାହିଁ ? ଟିକିଏ ବାରଣ୍ଡାକୁ ବାହାରି ଆସି, ସଂଜୟ କୁଆଡେ ଗଲେ, ବାହାରେ ତ ନାହିଁ ? କିଛି ବି ଉତ୍ତର ନଥାଏ ମୋନାଲିସା ପାଖରେ । ଝିଅର ନିରବତାରୁ ବାପା କିନ୍ତୁ ସବୁ ବୁଝି ପାରିଲେ ସେଦିନ । ମୋ ଝିଅ ଠକିଗଲା ଭାବି ଅନେକ କାନ୍ଦିଲେ ଦୁଇ ପରାଣୀ । ନିଜ ଘର କଥା କାହାକୁ କହିବେ, କିଏ ବା ଶୁଣିବ ?

ସେଦିନ ତା' ବାପାଙ୍କୁ କ'ଣ ଅବା କହି ବୁଝାଇଥାନ୍ତା ମୋନାଲିସା । ଯାହାକୁ ସେ ଫେସବୁକ୍ ରେ ସଂପର୍କ ବଢାଇ ହୃଦୟର ମନ ମନ୍ଦିରରେ ପୂଜା କରୁଥିଲା, ପ୍ରଚୁର ଭଲ ପାଉଥିଲା । ସେ ଏତେ ବଡ ଠକ ବୋଲି କ'ଣ ସେ ଆଗରୁ ଜାଣିଥିଲା ? ଯିଏ ସଫ୍ଟୱେର ଇଞ୍ଜିନିୟର ବୋଲି କହି ଠକିଦେଲା, ତା'ର ଜୀବନକୁ ପୁରା ବରବାଦ କରିଦେଲା । ସେମିତି ଜଣେ ଠକ, ଧୋପାବାଜ୍, ବେଇମାନ୍, ଟାଉଟର ପିଲାର ନାମ କେମିତି ବା ପାଟିରେ ଧରିଥାନ୍ତା ସେ । ଫେସବୁକ୍ ରେ ଯେଉଁ ଠିକଣା ସେ ଦେଇଥିଲା, ଯେଉଁଠି ସେ ରହୁଥିଲା, ଯେଉଁ ପରିବାର ସହିତ ତା'କୁ ମିଶେଇଲା, ଯାହା କହୁଥିଲା, ସବୁ ମିଛ । ନା ସେ ଘର ତା'ର ନା ସେ ପରିବାର ।

ସେଦିନ ଫେସବୁକ୍ ନିଶାରେ ସଂଜୟକୁ ସିନା ଆପଣାର କଲା, ହେଲେ; ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହେଲା ନିଜକୁ ସେ କେବେ କ୍ଷମା କରି ପାରୁ ନଥାଏ । ସେଇ ଦିନଠାରୁ ସେ ଫେସବୁକ୍ ଠାରୁ ଏତେ ଦୂରକୁ ଚାଲିଗଲା ଯେ' ନା ଫୋନ୍ ଧରିଲା ନା ଫେସବୁକ୍ ଖୋଲିଲା । କେବଳ ଅତୀତର ଦିନ ଗୁଡିକୁ ମନେ ପକାଇ କୋଠରୀ ଭିତରେ କବାଟ ଦେଇ ନିରବରେ କାନ୍ଦୁଥାଏ ଯେ' କାନ୍ଦୁଥାଏ ।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍- ୭୬୮୧୦୮

ଭ୍ରାମ୍ଯଭାଷ- ୦୯୬୬୮୨୪୨୭୨୦

ମୋନା ସଂଜୟ ଫେସବୁକ୍

Rate the content


Originality
Flow
Language
Cover design

Comments

Post

Some text some message..