Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Inspirational

3  

Soumya Shubhadarshinee

Inspirational

ସ୍ବାଭିମାନ*

ସ୍ବାଭିମାନ*

4 mins
2.7K


ସମାଜର ନିମ୍ନତମ ମଣିଷଟି ଭିତରେ ବି ଥାଏ ଆତ୍ମ ସଚେତନା , ଯାହା ଆଜି ସମ୍ଭ୍ରାନ୍ତ ମଣିଷ ଭିତରେ ଖୋଜି ମିଳେନି !........

★★★★★★★

ଫୁର ଫୁର ଉଡୁଥିଲା ତା'ର ନୁଖୁରା କେଶ । ଗୋଟେ କଳା ରିବନ ବନ୍ଧା ସେଇ କେଶରୁ କେମିତି ଗୋଟେ ଫୁରୁକୁଟିଆ ଦୁର୍ଗନ୍ଧ

ଆସୁଥିଲା । ଅନେକ ଦିନ ହେବ ତେଲ କି ସାବୁନ ବାଜି ନଥିଲା ହୁଏତ । ତା'ର ଖୁବ୍ ନିକଟରେ , ଦେହକୁ ଆଉଜି ଛିଡା ହେଇଥିଲା ସେଇ ଛୋଟ ଝିଅଟି । ଆହୁରି ଦେହର ଶୁଷ୍କ ଚମ ଶୀତରେ ଫାଟି ଦିଶୁଥିଲା ଭାରି କଦର୍ଯ୍ୟ। ପିନ୍ଧା ପୋଷାକଟା ଥିଲା ଗୋଟେ ପୁରୁଣା ସ୍କୁଲ ଡ୍ରେସ୍ । ରଙ୍ଗ ଛାଡା ସେଇ ପୋଷାକ ଭିତରେ ସେ ଲାଗୁଥିଲା ବଡ଼ ବିକଳ । ରହି ରହି ଘୁମେଇ ପଡୁଥିଲା ଠିକ ଆନିର କାନ୍ଧ ଉପରେ । ଆଉ ତା' ଦେହର ତୀବ୍ର ଦୁର୍ଗନ୍ଧ ବ୍ୟସ୍ତ କରିଦେଉଥିଲା

ଆନିକୁ ।

ବସ୍ ରେ ଯଦି ଯିବାକୁ ହୁଏ ଏମିତି ସହଯାତ୍ରୀଙ୍କ ସହଚାର୍ଯ୍ୟ ମିଳେ । ପଛେ ବିରକ୍ତ ଲାଗୁ , କାହାରି ଦେହର ବିକୃତ ଗନ୍ଧ ବ୍ୟସ୍ତ କରୁ , କୌଣସି ଅସଭ୍ୟ ଭଦ୍ରବ୍ୟକ୍ତିଙ୍କ ଅଶାଳୀନ ବ୍ୟବହାର କଷ୍ଟ ଦେଉ ସହିବାକୁ ହୁଏ ସବୁକିଛି। ତେଣୁ ମମି ଆନିକୁ ବସ୍ ନୁହେଁ ଟ୍ରେନରେ ଯିବାକୁ କୁହେ । କିନ୍ତୁ ତା' ଘରଠୁ ରେଳ ଷ୍ଟେସନ ବହୁତ ଦୂର କିନ୍ତୁ ବସ୍ ମିଳେ ଠିକ ଘର ସାମ୍ନାରୁ । ସେଥିପାଇଁ ସେ ବସ୍ ଧରେ।

ଆନି ଗୋଟେ ଘରୋଇ ମହାବିଦ୍ୟାଳୟରେ ଗେଷ୍ଟ ଫ୍ୟାକଲ୍ଟି । ଦରମା ବହୁତ କମ କିନ୍ତୁ ଏକ୍ସପେରିଏନ୍ସ ମିଳିବାର ଲୋଭ କାମ କରିବାକୁ ପ୍ରବର୍ତ୍ତାଏ। ତେଣୁ ନିଜର ମାଷ୍ଟର ଡିଗ୍ରୀ ସରିବା ପରେ କେମିଷ୍ଟ୍ରି ଲେକ୍ଚର ଭାବେ କାମ କରୁଛି ।

ବସ୍ ରେ ବିଭିନ୍ନ ଯାତ୍ରୀଙ୍କ ଭିତରେ ଝିଅଟି ବାରି ହେଇଯାଏ ନିଜର ବିକ୍ଷିପ୍ତ ରୂପ ଲାଗି । ସବୁଦିନ ଦିଶେ ଝିଅଟି ସେଇ ନିର୍ଦ୍ଧିଷ୍ଟ ଭାବରେ ଆଉ ଟିକେ ବିରକ୍ତ କରେ ଅନିକୁ, କିନ୍ତୁ ଆନି କେବେ ଗାଳି ଦିଏନ ତାକୁ । କିନ୍ତୁ ଅନ୍ୟ ମାନେ ଦୁର୍ବ୍ୟବହାର କରନ୍ତି । ହୁଏତ ସେଥିପାଇଁ ଝିଅଟି ଆନିକୁ ଖୋଜି ଖୋଜି ଆସି ତା' ପାଖରେ ଠିଆ

ହୁଏ ।

ହେଲେ ଆନି ଆଜି ବିରକ୍ତ ହେଇଗଲା କାରଣ ଝିଅଟି ପୂରା ଶୋଇଯାଇଥିଲା ତା' ଉପରେ । ଆଉ ତା' ଦୁର୍ଗନ୍ଧରେ ନାକ ଫାଟି ଯାଉଥିଲା । ସେ ଆଉ ଅଧିକ ସମୟ ତାକୁ ଝେଲି ପାରିଲା ନାହିଁ । ଟିକେ ବିରକ୍ତ ହେଇ ଉଠେଇଦେଲା ତାକୁ।

ଝିଅଟା ହଡ଼ ବଡ଼ ହେଇଗଲା । ମସିଆ ହଳଦିଆ ଦାନ୍ତ ଦେଖେଇ ହସିବାର ଅପଚେଷ୍ଟା କଲା କିନ୍ତୁ ସେ ହସରେବି ଥିଲା ଦୁର୍ଗନ୍ଧ । ଆନି ରୁମାଲ ଦେଲା ନକରେ । ଝିଅଟି କିନ୍ତୁ ସେମିତି ହସି କହିଲା , " ଦିଦି ଦୁଇ ଦିନ ହେଲା ଜର ମୋତେ ସେଥିପାଇଁ ଭାରି ଦୁର୍ବଳ ଲାଗୁଛି , ଶୋଇଗଲି ଏମିତି ଠିଆ ଠିଆ ।''

ଆନି ଟିକେ ନିରିଖେଇ ଦେଖିଲା ଜର ହେଇଥିବା ଛୋଟ ଝିଅକୁ । ଭାବିଲା ମନେ ମନେ କେତେ ଅସହାୟ ଝିଅଟି ସତେ , ଦେହ ଖରାପ ପରେବି ଦାନା ମୁଠେ ପାଇଁ ଘରୁ ଗୋଡ଼ କାଢି ଆସିଛି ।

କାହିଁକି କେଜାଣି ଝିଅଟି ସହ କଥା ହେବାକୁ ଇଚ୍ଛା ହେଲା । ତା' ଭିତରେ ଗୋଟେ ସ୍ୱାବଲମ୍ବୀ ମଣିଷର ଉପସ୍ଥିତି ଅନୁଭବ

ହେଉଥିଲା ।

--'' ତୁ କୁଆଡେ ଯାଉଛୁ ?''

--'' ହେ ଅପା ଆଗ ମୋ ନାଁ ପଚାରୁନ , ତା' ପରେ ସିନା ଚିହ୍ନା ପରିଚୟ । ''

--'' ଆଛା ତୋ ନାଁ କ'ଣ ?''

--'' ରଙ୍ଗୀ , ବୁଝିଲ ଅପା କିନ୍ତୁ ମୋ ସାଙ୍ଗ ମାନେ ଡାକନ୍ତି ରିଲି । ତୁମେ ରିଲି ଡାକିବ ମୋର ରଙ୍ଗୀ ନାଁ ଜମା ପସନ୍ଦ ନୁହେଁ ।"

ଝିଅଟିର କଥାରେ ଆମୋଦିତ ହେଲା ଆନି । ଆତ୍ମୀୟତା ଭରା ନିଷ୍ପାପ ସଂଳାପ ସହ ଆଉ ଟିକେ ଯୋଡ଼ିଲା ଗପ ।

-- '' ହଉ ରିଲି ତୁ କୁଆଡେ ଯାଉଛୁ ?''

--'' ଏବେ ଠିକ ହେଲା , କେଡେ ନିଜର ନିଜର ଲାଗିଲା କହିଲ ଅପା । ମୁଁ ରିଲି ଆଉ ତୁମେ ଅପା । ଚିହ୍ନା ଚିହ୍ନା ନୁହେଁ !

--''ହଁ ଚିହ୍ନା ଚିହ୍ନା ।''

--'' ଅପା ମୁଁ ମେଡିକଲ ଯାଉଛି ।''

--'' କଣ ଓଷଦ ପାଇଁ ?''

--'' ନାଇଁ ଅପା ସେଇଠି କାମ କରୁଛି ପା' ମୋ ବା' ଯେଗାରେ । ମେହେନ୍ତର କାମ । ବା' ସରକାରୀ ଚାକିରୀ କରୁଥିଲା ତ' ,ଦିହ ବିଗିଡି ଗଲା ପରେ ମୁଁ ଯାଉଛି ସେଇ କାମକୁ । ବଡ଼ ହାକିମ କଥା କରିଛନ୍ତି ରଖେଇ ଦେବେ ସେଇଠି। ''

ଆନି ଭାବୁଥିଲା କେତେ ବୟସ ଝିଅଟିର ? କେତେ ଛୋଟ ଲାଗୁଛି , କିନ୍ତୁ ଜୀବନକୁ ବୁଝିବାର ଶକ୍ତି ତା'ର ଖୁବ୍ । ଘର ସମ୍ଭାଳୁଛି ବା' ଜାଗାରେ । ଭୋକ , ଶୋଷ , ଅସୁସ୍ଥତା ସହ ଜୁଝୁଛି କିନ୍ତୁ ତଥାପି ହସ ଧାରେ ଖେଳେଇ ପାରୁଛି ମୁହଁରେ । ନିଜକୁ ନିଜେ ସମ୍ଭାଳି ନେବାର ସାହସ କିଛି ଛୋଟ କଥା ନୁହେଁ କିନ୍ତୁ ଝିଅଟି ପାରୁଛି ।

ଆନି ପଚାରିଲା , " ତୁ ଖାଇଛୁ କିଛି ?''

ଝିଅଟି ମୁଣ୍ଡ ହଲେଇ ନାହିଁ କଲା ।

ଆନି ଝିଅଟିକୁ ଦଶ ଟଙ୍କା ଦେଲା ଆଉ କହିଲା , " ନେ କିଛି ଖାଇବୁ ଦେହ ଭଲ ନାହିଁ ତୋର "

ଝିଅଟି କିନ୍ତୁ ନେଲାନି ଟିକେ ଉଦାସ ଦିଶିଲା । ହସୁଥିବା ମୁହଁରେ ଯେମିତି କଳା ବାଦଲ ଛାଇ ଗଲା ।

କହିଲା , '' ମୁଁ କାମ କରି ରୋଜଗାର କରୁଛି ଅପା । ମୁଁ ଭିକାରୀ ନୁହେଁ !''......

ଆଜିର ସମୟରେ ଯେଉଁଠି ସବୁଠୁ ବିତ୍ତଶାଳୀ ମଣିଷ ଭିତରେବି ଲୋଭର ସୀମା ନାହିଁ , ଅର୍ଥ ଲାଳସାର ଅନ୍ତ ନାହିଁ । ସରକାରୀ ମେଡିକାଲ ନିକଟରେ ଥିବା ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ରରୁ ମାଗଣା ଖାଇବାକୁ ସ୍ୱଚ୍ଛଳ ଡାକ୍ତରବି ପଛଉ ନାହିଁ। ସେଇଠି ନିଶ୍ୱ ଝିଅଟି ଅତ୍ୟାବଶ୍ୟକ ଥିବା ସତ୍ତ୍ୱେ ଟଙ୍କା ନେଲାନି କାରଣ ସେ ଭିକାରୀ ନୁହେଁ ।

ବସ୍ ରୁ ବାହାରି ଚାଲିଗଲା ରିଲି ନିଜ ଗନ୍ତବ୍ୟ ସ୍ଥଳକୁ । କିନ୍ତୁ ଆନି ସେମିତି ବସି ଥିଲା ନୀରବରେ ଆଉ ସ୍ୱାଭିମାନର ସଜ୍ଞା ଖୋଜୁଥିଲା ଝିଅଟି ଭିତରେ ।

*ସୌମ୍ୟା*


Rate this content
Log in

Similar oriya story from Inspirational