Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନ୍ଧ ନର୍ସିସସ୍
ଅନ୍ଧ ନର୍ସିସସ୍
★★★★★

© Swapnajit Sahoo

Others Romance Tragedy

5 Minutes   558    22


Content Ranking

ଅକ୍ଷୟ ମହାନ୍ତି

“କିଏ କହେ ଖୋଜିବାରେ ଆନନ୍ଦ ! ମୁଁ ତାକୁ ପାଇବା ପରେ ବୁଝିଲି ଆନନ୍ଦର ମାନେ କ’ଣ । ତୁ ବୁଝିପାରିବୁନି ସେ ସୁଖ କଣ । ମୁହୂର୍ତ୍ତକ ମଧ୍ୟରେ ଅନୁଭବ କରିହେବ ଯେମିତି ସାରା ସ୍ବର୍ଗ- ତା’ର ଦେବତା, ତା’ର ପାରିଜାତ ନେଇ ତୁମ ହାତମୁଠାରେ ଓହ୍ଲେଇଆସିଛି ।”

“ମୁଁ ତୋ କଥା କିଛି ବୁଝିପାରୁନି । ଏଇ କେଇଦିନ ତଳେ ତୁ କହୁଥିଲୁ ତୋ ପସନ୍ଦର ଯୁବକ ଏ ସହରରେ ନାହାନ୍ତି । ଆଜି ତୋର କ’ଣ ହେଲା କିଲୋ ?”

“ସେଇ କଥା ତ କହୁଚି- ତୁ ବିଶ୍ବାସ କରିବୁନି- କେହି ବି ବିଶ୍ବାସ କରିବେନି । ମୁଁ ମଧ୍ୟ ତାକୁ ପାଇ ବିଶ୍ବାସ କରିନଥିଲି- ସତରେ କ’ଣ ମୋର ଏତେ ଭାଗ୍ୟ- ମୁଁ ଏତେ ସୁନ୍ଦର ଗୋଟେ ଯୁବକକୁ ଜୀବନର ସାଥୀ ରୂପେ ପାଇବି ?”

“କହ କହ, ଚଞ୍ଚଳ କହ । ମତେ ସସପେନ୍ସ ଭିତରେ ଆଉ ରଖନା ।”

“କହୁଛି କହୁଛି, ଟିକେ ଧୈର୍ଯ୍ୟଧର । ପ୍ରେମ ଦୁର୍ବଳତା ଜିନିଷଟା ଏମିତି ଶସ୍ତା ନୁହେଁ- ଶୁଣିବାକୁ ବି ଧୈର୍ଯ୍ୟ ଦରକାର; କହିବାକୁ ତା’ଠୁ ଆହୁରି ବେଶି । ଦେଖୁନୁ ମୋ କଥା, ମୁଁ କେତେ ଦିନ ଧୈର୍ଯ୍ୟ ଧରିଥିଲି ତାକୁ ପାଇବାକୁ ।”

“ମୁଁ ସହର ବଜାରରେ, ସ୍କୁଲ ଯିବା ବାଟରେ, କଲେଜ ଯିବା ବାଟରେ, ବାହାଘର ଭୋଜିମାନଙ୍କରେ, ଗୁରୁବାରିଆ ମନ୍ଦିର ଭିତରେ, ବାଲିଯାତ୍ରାରେ, ନଈକୂଳରେ ସବୁଠି ତାକୁ ଖୋଜିଥିଲି, କିନ୍ତୁ ସେ ମତେ ମିଳିନଥିଲା । ଅନେକ ମତେ ଚାହୁଁଥିଲେ ଲୋଭିଲା ଆଖିରେ- ସମସ୍ତଙ୍କ ମୁହଁରେ ଗୋଟେ ଆଶ୍ଚର୍ଯ୍ୟ ଚାହାଣି, ଯାହାର ଅର୍ଥ- ଏତେ ସୁନ୍ଦରୀ ଝିଅ କଣ ସହରରେ ଅଛନ୍ତି- ଇଏ ସିନେମାର ହିରୋଇନ୍ କାହିଁକି ହେଉନି- ଆଃ, କି ବଢ଼ିଆ ଟୋକୀଟା ! କାହା ଭାଗ୍ୟରେ ଅଛି କେଜାଣି ! ଆଉ ଏଇଟା ଥିଲା ମୋ ଜୀବନର ସବୁଠୁ ବଡ଼ ଟ୍ରାଜେଡ଼ି । ଯିଏ ଦେଖୁଥିଲା, ନିଜ ଆଶାର ଓଜନ କଳିବା ଆଗରୁ ନିଜର ଭାଗ୍ୟକୁ ଛୋଟ କରିଦେଉଥିଲା- ମୁଁ ତେବେ ପାଇବି କେମିତି ?”

“ଏମିତି ଦୁଇଦିନ ତଳେ ମୁଁ ଯାଇଥିଲି ନନ୍ଦନକାନନ । ମାଙ୍କଡ଼ଙ୍କୁ ଚିନାବାଦାମ ଦେଲି । ହରିଣକୁ ଦେଖି ଈର୍ଷ୍ୟା ହେଲା । ଗୋଟାଏ ସିଂହ ମତେ ଖୁବ୍ ନିରୀକ୍ଷଣ କରି ଚାହିଁଲା । ମତେ ତା ମୁହଁଟା ଗୋଟାଏ ରକମର ଭଲ ଲାଗିଲା । ସେ ସିଂହଟା ମତେ ଦେଖି ଓଠ ଚାଟୁଥିଲା । କିନ୍ତୁ ପୋଡ଼ାମୁହିଁ ସିଂହଟା ଆସି ତା ସ୍ବାମୀକୁ ଟାଣିନେଇଗଲା । ଓଃ, କି କପାଳ ମୋର; ଗୋଟେ ପଶୁ ବି ମତେ ଈର୍ଷ୍ୟା କରେ ।”

“ମୁଁ ବୁଲିବୁଲି ଥକିଗଲି । ଆସିଲି ହ୍ରଦ କୂଳକୁ । ମୋ ସାଥୀମାନେ ଅନେକ ଦୂରରେ ହାତୀ ଦେଖୁଥିଲେ । ମୁଁ ଆସି ହ୍ରଦ କୂଳରେ ବସିଲି- ପାଖରେ ଥିବା କୁମ୍ଭୀରକୁ ଦେଖି ମୁଁ ମୋ କଥା ଭାବୁଥିଲି । କେତେ କଦର୍ଯ୍ୟ ଜୀବଟାଏ । ନିଜକୁ ସୁନ୍ଦର ଭାବିବସିଛି । ପ୍ରତ୍ୟେକ ପୁରୁଷ କୁମ୍ଭୀରକୁ ପାଇଁ ଭଗବାନ ଗୋଟିଏ ସ୍ତ୍ରୀ ଯୋଡ଼ିଦେଇଛନ୍ତି । ଅଥଚ ମତେ କାହିଁକି ଏକା କଲେ ? ହଁ, ମୋର ଘରଲୋକେ ମତେ ବାହା କରେଇଦେବେ କେଜାଣି କାହାକୁ- କେମିତି ହୋଇଥିବ ସେ- ମତେ ପସନ୍ଦ ନ ହୋଇପାରେ- କିନ୍ତୁ ହୁଏତ ତା’ ଧନ, ତା’ ପଦବୀର ଆଶ୍ରାରେ ମୋ ହୃଦୟର ସମସ୍ତ ପ୍ରେମକୁ ବଳିଦେଇ ସାରା ଜୀବନ ରହିବାକୁ ପଡ଼ିବ ।”

“ନଜର ପଡ଼ିଲା ହ୍ରଦ କୂଳକୁ ଲାଗି ସେ ବସିଛି । ନଇଁପଡ଼ି କ’ଣ ଦେଖୁଛି । ମୁଁ ଭାବିଲି କିଛି ଗୋଟେ ମାଛ କିମ୍ବା ସାପ ହୋଇଥିବ । ମୁଁ ତା’ ପାଖକୁ ଯାଇ କହିଲି “କ’ଣ ଦେଖୁଛନ୍ତି ?” ସେ ନିରୁତ୍ତର । ମୁଁ ପାଣିକୁ ଅନେଇ ପ୍ରଥମେ ଧୀର ପାଣିରେ ମୋ ନିଜ ଛାଇ ଦେଖିଲି । କିନ୍ତୁ ତା ପାଖାପାଖି ଆଉ ଏକ ସୁନ୍ଦର ଛାଇ ମଧ୍ୟ ଦେଖିବାକୁ ପାଇଲି । ସେ ଛାଇ ମତେ ଅନେଇଥିଲା ।”

“ସେ ବୁଲିପଡ଼ି ମତେ ଅନେଲା ଓ ଛିଡ଼ା ହୋଇଗଲା । ଠିକ୍ ଅବିକଳ ଯେତିକି ଉଚ୍ଚତା ମୁଁ ମନେମନେ କଳନା କରିଥିଲି ସେତିକି ଉଚ୍ଚତାର ପୁରୁଷ ସିଏ । ମୋ ଚେହେରା ସହିତ ହୁବେ’ହୁ ମିଶୁଥିଲା ତା’ ଚେହେରା ।”

ମୁଁ ପଚାରିଲି-“ଆପଣଙ୍କୁ କୋଉଠି ଦେଖିଲା ପରି ମନେ ହେଉଛି ।” ସେ ଉତ୍ତର ଦେଲା- “ଅଇନାରେ ନିଜ ଛାଇରେ ମତେ ଦେଖିଥିବ ।” ଆଃ, କି ରୋମାଣ୍ଟିକ୍ ଉତ୍ତର-ମୁଁ ଏକବାରେ ପ୍ରେମରେ ପଡ଼ିଗଲି । କିନ୍ତୁ କହିବି କେମିତି ? କେମିତି ତାକୁ ଜଣେଇବି ଯେ, ମୁଁ ଏତେ ଦିନ ଧରି କେବଳ ତାକୁ ହିଁ ଖୋଜୁଥିଲି ।

“ନା, ମୁଁ କିଛି କହିପାରିବିନି । ସେ ବି କିଛି କହିଲାନି । କହିପାରିଲାନି ବୋଧହୁଏ । ଆମେ ଦୁହେଁ ମନେମନେ ବାକ୍ୟ ଗଠନ କରୁଥିଲୁ ବୋଧହୁଏ । କିନ୍ତୁ ଏଇ ନୀରବତା ମଧ୍ୟରେ ମୁଁ ବେଶ୍ ଅନୁଭବ କରୁଥିଲି- ଆମେ ଦୁହେଁ ଏକା ପରି- ନିଃସଙ୍ଗ । ମୁଁ ହିଁ ପ୍ରଥମେ ପଚାରିଲି, “ଆପଣଙ୍କ ସାଥୀମାନେ କେହି ନାହାନ୍ତି ?” ସେ ଉତ୍ତର ଦେଲା- “ନା, ଜୀବନରେ ମୋର କେହି ସାଥୀ ନାହାନ୍ତି ।” ମୋ ଦେହ ଉଲୁସିଉଠିଲା, “କିନ୍ତୁ ତମେ ଯେ ଏକା- ତମର କେହି କ’ଣ ସାଥୀ ନାହାନ୍ତି ? ତା ଆଖିରେ ସନ୍ଦେହ- ମୁଁ ତରତର ହୋଇ ଜବାବ ଦେଲି, “ଅଛନ୍ତି ଯେ ଅନେକ ବନ୍ଧୁ ପିକ୍ନିକ୍ କରି ଆସିଥିଲୁ; କିନ୍ତୁ ମୁଁ ସେମାନଙ୍କ ସହ ଖାପ ଖୁଆଇପାରେନା-ମୁଁ ଏକେବାରେ ନିଃସଙ୍ଗ ।” ସେ ମଧ୍ୟ ଭିଜା ଗଳାରେ କହିଲା-“ମୁଁ ବି ତମ ପରି ନିଃସଙ୍ଗ ।”

“ହଠାତ୍ ଅସରାଏ ବର୍ଷା ହେଲା- ଦୂରରୁ ଦେଖିଲି ସବୁ ପିକ୍ନିକ୍ ଭାଙ୍ଗିଗଲା । ପଶୁପକ୍ଷୀଙ୍କ ମଧ୍ୟରେ କୋଳାହଳ, ମଣିଷମାନଙ୍କ ମଧ୍ୟରେ ବ୍ୟସ୍ତତା- ନନ୍ଦନକାନନର ସବୁଠୁ ସନ୍ଦେହୀ ପଶୁ ଅର୍ଥାତ୍ ମନୁଷ୍ୟମାନେ କିଏ କେଉଁଠି ବର୍ଷାରୁ ନିଜ ନିଜକୁ ବଞ୍ଚେଇବା ପାଇଁ ଲୁଚିଗଲେ । ବାହାରେ ରହିଲୁ ଆମେ ଦୁହେଁ । ଦୁଇଟି ନିଃସଙ୍ଗ ପ୍ରାଣୀ ଯିଏ ପରସ୍ପରକୁ ଏତେ ଦିନ ଯାଏଁ ଖୋଜୁଥିଲେ । ମୁଁ ବୁଝେଇପାରୁନି- କେମିତି ଦିହ ମୋର ଶୀତେଇ ଉଠୁଥିଲା । ବର୍ଷା ଆସି ମୋ ମୁହଁଦେହକୁ ଭିଜାଇସାରିଲାଣି । ସେ ମଧ୍ୟ ତିନ୍ତିଗଲେଣି, କିନ୍ତୁ କେହି କାହାକୁ ଛାଡ଼ିକରି ଯିବାକୁ ନାରାଜ ।”

“ଆମେ ଅନୁଭବ କରୁଥିଲୁ- ଖୋଲା ଜାଗା ହେଲେ ବି ଆମେ ଆଢ଼ୁଆଳରେ– କୌଣସି ସନ୍ଦେହ ଦୃଷ୍ଟି ଆମ ଉପରେ ପଡୁନାହିଁ । ବର୍ଷା ତାର ରୂପେଲି ପର୍ଦ୍ଦା ତଳେ ଆମକୁ ଲୁଚେଇଦେଇଥିଲା । ଏତେ ଜୋର୍ରେ ବର୍ଷା ହେଲା ଯେ, ନନ୍ଦନକାନନ ମଧ୍ୟ ଦେଖାଗଲାନି । ହ୍ରଦ ମଧ୍ୟ ଅଦୃଶ୍ୟ ହୋଇଗଲା । ହାତପାଆନ୍ତାରେ ଦୁହେଁ ଦୁହିଁଙ୍କ ସ୍ବର୍ଗ ।”

“ସ୍ବତଃ ଦୁହେଁ ଦୁହିଁଙ୍କ ପାଖକୁ ଲାଗିଆସିଲୁ । ସେ ତାର ଥରିଲା ଥରିଲା ହାତ ମୋ ହାତ ପାପୁଲି ପାଖକୁ ନେଇଆସିଲା । ମୁଁ କେମିତି ବା ବାଧା ଦେବି- ଏତେ ଦିନ ପରେ ମନର ମଣିଷକୁ ପାଇ କେହି କଣ ଛାଡେ ? ମୁଁ ବି ହାତ ବଢେଇଦେଲି । ସେ ତାର ଡାହାଣ ହାତ ପାପୁଲି ମୋ ଓଦା ବାଁ ବାହୁ ଉପରେ ରଖିଲା । ଏତେ ଜୋର୍ରେ ସେ ଦାବିବାକୁ ଆରମ୍ଭ କଲା ଯେ, ମୋ ଦେହ ନିସ୍ତେଜ ହୋଇଉଠୁଥିଲା ।”

“ସେ ତାର ମୁହଁ ମୋ ପାଖକୁ ନେଇଆସୁଥିଲା । ତା ଦୁଇ ଆଖି ଦେଇ ମୋର ଖୋଲା ଦୁଇ ଆଖିକୁ ଗଭୀର ଭାବରେ ଚାହିଁଥିଲା । ମୋତେ ଏତେ ଭଲ ଲାଗୁଥିଲା ଯେ ଲାଜ ଲାଗୁଥିଲେ ବି ମୁଁ ଆଖି ବନ୍ଦ କରିପାରୁ ନଥିଲି । ସେ ବାସ୍ତବିକ କେତେ ସୁନ୍ଦର ! ତା ମୁହଁକୁ ନ ଅନେଇଲେ ଯେମିତି ମୁଁ ଗୋଟେ ଦୁନିଆ ହରେଇବସିବି । ”

“ମୁଁ ମନେ ମନେ ଠିକ୍ କଲି ତା ଓଠ ମୋ ଓଠକୁ ଛୁଇଁଲେ ମୁଁ ଲାଜରେ ଆଖି ବୁଜିଦେବି । ନହେଲେ ସେ କଣ ଭାବିବ- ଭାବିବ ଅସତୀଟାଏ ।”

“ କିନ୍ତୁ ନାଁ ଲୋ ନା, ତା ଓଠ ମୋ ଓଠ ପାଖକୁ ଆସୁ ଆସୁ ….”

“କହିଯା କହିଯା– ଅଟକିଗଲୁ କାହିଁକି?”

“ କହିବାକୁ ମୋତେ କାନ୍ଦ ଲାଗୁଚି ଲୋ । ସେତିକି ଦୂରରେ ସେ ରହିଲା । ମୁଁ ତାକୁ ପଚାରିଲି– “କଣ ଏତେ ଦେଖୁଛ ?” ସେ ଜବାବ୍ ଦେଲା- “ ତମ ଆଖି ଆଇନାରେ ନିଜକୁ ଦେଖୁଛି । ମୁଁ ଦୂରେଇଗଲି ଠିକ୍ ସେମିତି ସ୍ବତଃପ୍ରବୃତ ହୋଇ ।”

“ତାପରେ ତୁ କଣ କଲୁ ?”

“କରିବି ଆଉ କଣ – ମୋ ଆଖି ବୁଜିଦେଲି, ତା ଆଇନାକୁ ଘୋଡ଼େଇଦେଲି- ଆଖି ବୁଜି ତା ଚେହେରାକୁ ଭୁଲିବାକୁ ଚେଷ୍ଟା କଲି ଓ ମନେ ମନେ କାମନା କଲି– ଏହା ପରେ ମୁଁ ଅନ୍ଧ ହୋଇଯାଆନ୍ତି କି?”

“ସେ ଡରରେ ମୋତେ ଛାଡ଼ିଦେଲା । ମୋତେ କିଛି ବୁଝେଇବା ପୂର୍ବରୁ ମୁଁ ଚାଲିଆସିଥିଲି ।”

“ ତା ମାନେ ତାକୁ ତୁ ପାଇଲୁନି ତ ? ପାଇକରି ପୁଣି ହଜେଇଦେଲୁ?”

“ ହଁ ଲୋ, ପ୍ରଥମେ ଭାବିଥିଲି ଖୋଜିବାରେ ଆନନ୍ଦ ଅଛି । ତାକୁ ପାଇ ମନେ ହେଲା ପାଇବାରେ ହିଁ ଆନନ୍ଦ ଅଛି । ଆଉ ତାକୁ ହରେଇଲା ପରେ ବୁଝିଲି, ହଜେଇବା ହିଁ ପ୍ରକୃତ ଆନନ୍ଦ ।

ଖୋଜିବା କଥା ସହର

Rate the content


Originality
Flow
Language
Cover design

Comments

Post

Some text some message..