Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାନ୍ଦେ ସମୟ ଗୁମୁରି ଗୁମୁରି
କାନ୍ଦେ ସମୟ ଗୁମୁରି ଗୁମୁରି
★★★★★

© Prakash Ranjan Parida

Drama

12 Minutes   12.1K    17


Content Ranking

….

ଆଦ୍ୟଭାଷ- ( ଯୁଗର ଧର୍ମ ‘ପରିବର୍ତ୍ତନ’ । ପୁରାତନ ଛାତି ଉପରେ ନୂତନର ଧୁର୍ମୂଷ ପ୍ରହାର, ପରିବର୍ତ୍ତନ ନାଁରେ ନୂତନର ଆଁ ଭିତରେ ଲୁପ୍ତ ମଣିଷପଣ, ଆବେଗ, ଆଦର୍ଶ, ମାନବିକତା ପୁଣି ଏ ନବ ଯୁଗରେ ଅର୍ଥଠୁ ବି ଅର୍ଥହୀନ ଜହ୍ନଁରାତିର ଶୀତଳ ଜ୍ୟୋସ୍ନା, ବନର ମର୍ମର, ଝରଣାର କୁଳୁକୁଳୁ ନାଦ । ପ୍ରକୃତି ଆଖିର ଲୁହ ପିଇ ପିଇ ନବ ଯୁଗ ମଣିଷ ମାତାଲ ହୋଇଛି । ଜୀବନକୁ ଉପଭୋଗ କରିବା ନା ରେ ସ୍ୱାର୍ଥପର, ହିଂସ୍ର ହୋଇଉଠିଛି ମଣିଷ । ବଦଳିଛି ଜୀବନର ସମୀକରଣ । ଜଟିଳ ଜୀବନ ଯଜ୍ଞରେ ସମର୍ପିତ ହେଉଛି ଲାଲ୍ ଟକ୍ ଟକ୍ ରକ୍ତର ନୈବେଦ୍ୟ । ମାନବିକତାର କବର ଉପରେ ରାଜନୀତିର ନେତ ଆକାଶ ଛୁଉଁଛି, ଏଣେ କିନ୍ତୁ ଗୁମୁରି ଗୁମୁରି ସମୟ କାନ୍ଦୁଛି )

ଦୃଶ୍ୟ-୧

(ପ୍ରଭାତ କାଳ, ପକ୍ଷୀଂକ କିଚିରି ମିଚିରି ଶବ୍ଦ, ବିଶ୍ୱ ବାବୁଂକ ସୁନା ନଈରେ ସ୍ନାନ ଅନ୍ତେ ସୂର୍ଯ୍ୟଦେବଂକୁ ଜଳ ଅର୍ପଣ)

ବିଶ୍ୱ-“ ଓଁ ଜବା କୁସୁମ ସଂକାଶଂ କାଶ୍ୟ ପେୟଂ ମହାଦ୍ୟୁତି, ଧ୍ୱାନ୍ତାରୀଂ ସର୍ବ ପାପଘ୍ନଂ ପ୍ରଣୋତୋସ୍ମି ଦିବାକରଂ”, (ଦୀର୍ଘଶ୍ୱାସ ) ଜଗତର କଲ୍ୟାଣ ହେଉ ପ୍ରଭୂ , ଓଁ ସର୍ବ ଦେବାୟଃ ନମୋନମଃ ।

ରଘୁ- ଦଣ୍ଡବତ ସାଆନ୍ତେ.. .. ( ଦୁଃଖଭରା କଣ୍ଠ ସ୍ୱର)

ବିଶ୍ୱ- ଆରେ ରଘୁ, ତୁ ତ ଏତେ ସକାଳୁ କେବେ ଆସୁନା, କଥା କଣ ?

ରଘୁ- ନାଇଁ ସାଆନ୍ତେ କଥା କଣ କି.. (ଛେପ ଢୋକି..)

ବିଶ୍ୱ- କ’ଣ ହେଇଛି କହ, ତୁ ଏତେ ଶୁଖିଲା ଦିଶୁଛୁ ? କହିଲୁ କଣ ହେଇଛି ?

ରଘୁ- ସାଆନ୍ତେ ଆଜି .... ଆଜି ଆମେ ଗାଁ ଛାଡି ଚାଲି ଯାଉଛୁ , ଆପଣଂକୁ କଥାଟା ନଶୁଣାଇଲେ ଅସୁନ୍ଦର ହବ ତ’ ସେଇଥିପାଇଁ .. ..

ବିଶ୍ୱ- କଣ କହୁଛୁ ରଘୁ, ତୁ ଗାଁ ଛାଡି ଚାଲିଗଲେ ତୋ ଉଜୁଡା ସଂସାର କଣ ଯୋଡି ହୋଇଯିବ? ତୋ ହଜିଯାଇଥିବା ପୁଅ କ’ଣ ଫେରିଆସିବ ? ବିପଦକୁ ଡରି ଚାଲିଗଲେ ବିପଦ ହଟିଯାଏନି ରଘୁ । ଆମେ ବି କାନ୍ଧରେ କାନ୍ଧ ମିଳେଇ ବିପଦକୁ ସାମ୍ନା କରିବା ।

ରଘୁ- କାଲି ରାତିରେ ସେମାନେ ଆମ ଘର ଭାଂଗି ଦେଇଛନ୍ତି, ଆମ ବାପ, ଝିଅ ଦୁହିଁଙ୍କୁ ଧମକ୍ ଦେଇଛନ୍ତି କାଲି ସୁଦ୍ଧା ଯଦି ଘର ନଛାଡିବୁ ସେମାନେ.. .. ..(କୋହ ରୁଦ୍ଧ କଣ୍ଠ) .. .. ମୁଁ ଆଉ ପାରୁନି ସାଆନ୍ତେ ସହି ପାରୁନି । ମତେ ଅଟକାନ୍ତୁନି ସାଆନ୍ତେ । ମୁଁ ତ ଯାଯାବରଟାଏ, ଖାଲି ଆପଣଂକ ଶରଧା ପାଇଁ ଏଇଠି ଅଟକିଯାଇଥିଲି । .. .. .. ..(ଦୀର୍ଘଶ୍ୱାସ).. ..ଆସୁଛି ସାଆନ୍ତେ, ସୁମୀ ସିଆଡେ ଏକୁଟିଆ ଥିବ ।

ବିଶ୍ୱ- ହଉ, ଯାଆ । ଭଗବାନଂକର ଯାହା ଇଚ୍ଛା । କଣ ଥିଲା କଣ ହେଲା ଏ ଗାଁ । (ଦୀର୍ଘଶ୍ୱାସ)

ଦୃଶ୍ୟ-୨

(ଝରଣାର କୁଳୁକୁଳୁ ନାଦ, ପକ୍ଷୀଂକ କିଚିରି ମିଚିରି ସହ ନୂପୁରର ନିକ୍ୱଣ)

ଅଂଶୁ- ମେ.. ..ଘି.. , ଏ ମେଘି.. ଓଃ.. ..କ’ଣ ମତେ ଶୁଣି ପାରୁନୁ ?

ମେଘି- ଉଁ.. ..ହୁଁ । ମୁଁ ଶୁଣିବିନି ।

ଅଂଶୁ- ବାପ୍ରେ, କି ରାଗ.. .. କ’ଣ ହୋଇଛି କହୁନୁ ?.. .. ହଷ୍ଟେଲରୁ କେବେ ଆସିଲୁ?.. .. ମତେ କାହିଁକି ଡାକିଥିଲୁ?

ମେଘି- ଜାଣିନି, ମୁଁ କିଛି ଜାଣିନି ।

ଅଂଶୁ- ଦେଖ୍ ମେଘି, ତୁ ନକହିଲେ ମୁଁ କେମିତି ଜାଣିବି କହିଲୁ? (ସାମାନ୍ୟ ହସ)ମେଘି ପରି ଝିଅ ରାଇଜେ ନାହିଁ, ଜାଣେ ପରା ଏବେ ତୁ ନିଶ୍ଚୟ କହିବୁ ।

ମେଘି- କହିଥିଲି ନା ସେ ରାଲି, ଫାଲିରେ ନ ଯିବା ପାଇଁ (କ୍ରୋଧିତ ସ୍ୱର) , ମୁଣ୍ଡ ଫାଟିଛି ଯେ ପଟି ଫିଟିନି ପୁଣି ଚାଲିଗଲେ ଜିନ୍ଦାବାଦ କରିବାକୁ ।.. ହୁଁ..

ଅଂଶୁ- ଓଃ ଏଇକଥା । ଆଛା ମେଘି ରାଲି କୁ କ’ଣ ମୁଁ ଏକୁଟିଆ ଯାଉଛି, ମୋ ପରି କେତେକେତେ ପିଲା ତ ଯାଉଛନ୍ତି, ସଭା କରୁଛୁ, ରାଲି କରୁଛୁ, ଲୋକଂକୁ ବୁଝାଉଛୁ, ଏସବୁ ତ ଆମ ସ୍ୱାର୍ଥର ସୁରକ୍ଷା ପାଇଁ । ଏଥିରେ ଭୁଲ କେଉଁଠି ରହିଲା ମେଘି ?

ମେଘି- ଏ ସମସ୍ୟାର କ’ଣ ଆଉ କିଛି ସମାଧାନ ନାହିଁ ? କେତେ ଦିନ ଏମିତି ଛକାପଞ୍ଝ୍ଥାର ଲଢେଇ ଚାଲିବ ? ମତେ ବହୁତ ଡର ଲାଗୁଛି ଅଂଶୁ ଭାଇ ।

ଅଂଶୁ –ଯେତେ ଦିନ ଯାଏ ଆମ ଘର, ଜମି ଉପରୁ ସେମାନଂକର ଲୋଭ ନ ତୁଟିଛି, ଯେତେ ଦିନ ପର୍ଯ୍ୟନ୍ତ ଆମ ଭିଟା ମାଟି ଉପରେ କାରଖାନା ଗଢିବାର ନିଶା ସେମାନଂକ ମନରୁ ନ ଯାଇଛି, ସେତେ ଦିନ ଯାଏ ଏ ଲଢେଇ ଜାରି ରହିବ । ଗଲେ ଯାଉ ରକ୍ତ, ଗଡିଲେ ଗଡୁ ମୁଣ୍ଡ, ହେଲେ ସେମାନଂକୁ ଏଠି ଇଂଚେ ବି ଜାଗା ମିଳିବନି । (ଦୃତ ଶ୍ୱାସ)

ମେଘି- ଗଲା ସପ୍ତାହରେ ପରା ମଣ୍ଡପରେ ମିଟିଂ ହୋଇଥିଲା । ତମେ ତ କହୁଥିଲ ଯାହା ହେଲେ ବି ସମାଧାନ ହୋଇଯିବ ବୋଲି !

ଅଂଶୁ- ନାଇଁଲୋ ମେଘି, ସେଇ ମିଟିଂରେ ହିଁ ଜଳୁଥିବା ନିଆଁରେ ଘିଅ ଢାଳିଦିଆଗଲା, ଯେଉଁ ବଡ ବଡ ଧଳାହସ୍ତି ମାନେ ଆସିଥିଲେ, ସେମାନେ ସମାଧାନ ପାଇଁ ନୁହେଁ, ଟଂକା ବଦଳରେ ମୁଣ୍ଡ କିଣିବାକୁ ଆସିଥିଲେ । କହିଲେ କ’ଣ ନାଁ- ତମ ମାନଂକୁ ଢେର ଟଂକା ମିଳିବ, ତମର ଏ ଦୋଫସଲି ଜମି, ଘର ଡିହ ଛାଡି ପାହାଡ ତଳକୁ ଚାଲିଯାଅ । ହୁଁ.. .. ଆଉ ଜାଣିଛୁ , ସେଇ ମିଟିଂରେ ସେ ଶଳା ଗଗନ ସ୍ୱାଇଁ, ନିର୍ବାଚନରେ ହାରିଥିବାରୁ, ବାପାଂକ ଉପରେ ଥିବା ପୁରୁଣା ରାଗ ବି ସୁଝେଇ ଦେଲା । ସରକାରୀ ଦଳରେ ଥାଇ ସରକାରଂକ ବିରୋଧରେ ମତ ରଖିଥିବାରୁ ବାପାଂକ ସରପଂଚ ପଦ ବି ଯାଇପାରେ ! ଆମ ମାନଂକ ଉପରେ ଜୋର୍, ଜୁଲମ୍ କରି ଜାଗା ଛଡାଇ ନେବାକୁ ସେମାନେ ସେଇ ରାତିରେ ପଂଚାୟତ ସାରା ମଦ,ମାଂସ ଆଉ ଟଂକା ବାଣ୍ଟିଛନ୍ତି । ଟଂକା ନରଖିବାରୁ ରଘୁ ମଉସାଂକୁ ନିର୍ଦ୍ଦୟ ଭାବେ ବାଡେଇଛନ୍ତି । ମୋ ଅବସ୍ଥା ତ ଦେଖୁଛୁ ।

ମେଘି- ଶୁଣିଥିଲି । ସୁମୀ କହୁଥିଲା , ସେଦିନ ରାତିରେ .. ..

ଅଂଶୁ- କ’ଣ ହେଲା ସେଦିନ ରାତିରେ ? (ଉତ୍କଣ୍ଠିତ ସ୍ୱର)

( ପ୍ରଚ୍ଛଦ ସ୍ୱର) ମେଘି.. ମେଘି..ଇ..ଇ...

ମେଘି- ଯାଉଛି ମାଉସୀ..ଇ.. । ଅଂଶୁ ଭାଇ, ମାଉସୀ ଡାକିଲେଣି, ଆସୁଛି ।

ଅଂଶୁ- (ବିରକ୍ତ) କହିଲୁନି ତ ସେଦିନ ରାତିରେ କ’ଣ ହେଲା ।

ମେଘି- ପରେ କହିବି, ଆସୁଛି.. ଇ..ଇ.. ।

ଅଂଶୁ- ଧେତ୍, ବାଜ୍ୟେ ଝିଅଟା । ମେଘ ପରି ଆସିବ, ପବନ ପରି ଚାଲିଯିବ । .. .. (ନିଜକୁ ନିଜେ) କ’ଣ ଘଟିଥାଇ ପାରେ ସେ ରାତିରେ, ଆଉ .. ..ଆଜି ସକାଳୁ ସୁମୀ ସହିତ ରଘୁ ମଉସା ଗାଁ ଛାଡିବାର ରହସ୍ୟଟା କ’ଣ ?

ଦୃଶ୍ୟ-୩

(ଗାଁ ମଣ୍ଡପରେ ସପକ୍ଷ ବାଦୀଂକ ମେଳି,– ମାଇକରେ ଉଦ୍ଘୋଷଣା ଚାଲୁ ରହିଛି-)

-ଭାଇମାନେ , ଆପଣମାନେ ଜାଣିଥିବେ ଶୀତଲ୍ କଂପାନୀ, ପୃଥିବୀ ର ଏକ ନମ୍ବର ଇସ୍ପାତ୍ କଂପାନୀ, ଏଇଠି ଆମରି ଗାଁରେ କାରଖାନା ହେଲେ (ପ୍ରଚ୍ଛଦରୁ- ହେଲେ ନୁହେଁ ହବ, ଅଲବତ୍ ହବ) ଗାଁରେ ଆଉ ବେକାରୀ ରହିବେ ନାହିଁ, ସମସ୍ତଂକୁ କାମ ମିଳିବ । ଏଇଠୁ ମାତ୍ର ଚାରି କିଲୋମିଟର ଦୂର ନନ୍ଦୀ ପାହାଡ ତଳେ, ସମସ୍ତଂକ ପାଇ କଂପାନୀ ତରଫରୁ କଂକ୍ରିଟ ଘର ଯୋଗାଇ ଦିଆଯିବ । ରାସ୍ତା ପକ୍କା ହେବ । (ପ୍ରଚ୍ଛଦରୁ- ଆଶ୍ରମ କଥାଟା କୁହହେ, ସାଃ ମୂଳ କଥାଟା କହୁନା) ହଁ , ଖୁସିର କଥା ହେଉଛି ଆମ ଗାଁମୁଣ୍ଡ ଝରଣା ପାଖରେ ଥିବା ନୀଳାଦ୍ରୀ ବାଳାଶ୍ରମ ଓ ସ୍କୁଲ ପାଇଁ ସ୍ୱତନ୍ତ୍ର ଭାବରେ ଗୃହନିର୍ମାଣ କରିବାକୁ କଂପାନୀ କର୍ତ୍ତୁପକ୍ଷଂକ ନିକଟରେ ଦାବିପତ୍ର ଦେଇଛୁ । (ତାଳି ଉପରେ ତାଳି)

ଗଗନ-ସ୍ୟା.. ଗଗନ ସ୍ୱାଇଁ ଯେଉଁ କାମରେ ହାତ ଦେବ ମାନେ ଜାଣ ସେ କାମ ହେଲା । ନାଁ କଣ କହୁଛ ତରାଇ ଏ..

ତରାଇ- ସେୟା ନୁହେଁ ଆଉ କଣ ! କାମ ହୁଏ ଯେ, ହେଲେ ମତେ ହାତ ବାରିସୀ ନକଲେ ସବୁ କାମ ଅଧାକୁ ଅଧେ ।(କୁଟିଳ ହସ)

ଗଗନ- କି..ରେ ହରିଆ, ମନ ମାରି ବସିଛୁ କଣ? ଯାଉନୁୁ ଝରଣା ଆଡୁ ଘେରାଏ ମାଡି ଆସିବୁ.. ଶଳା..ତୁ ଖାଲି ଦେଖୁଥା..

ଗଗ ସାରେ.., ୟେ ମାଡାମ୍ ଆପଣଂକୁ କେତୋଳୁ ଖୋଜୁଛନ୍ତି, ମୁଁ କ’ଣ କମ ଆଡେ ବୁଲିଲିଣି କି?

ଗଗନ-ଆରେ ତନୁ ମାଡାମ୍ ଆପଣ ଆସନ୍ତୁ । ଏଠିକାର ଅବସ୍ଥା ତ ଦେଖୁଛ, ଏଠି ଏ ଘୋ ଘା ଭିତରେ କଣ କଥା ହେବା, ଆସ ଏଇ କ୍ଲବ ଘରକୁ ।

ତନୁଶ୍ରୀ- ନାଇଁ, ବାସ୍ ଦୁଇ ପଦ କଥା ହୋଇ ମୁଁ ଚାଲିଯିବି । ଆପଣଂକ ବହୁମୂଲ୍ୟ ସମୟରୁ ମାତ୍ର ପାଂଚ ମିନିଟ୍ ନେବି ।

ଗଗନ- ଠିକ୍ ଅଛି, ଏଇଠି ଏଇ ଛାଇରେ ବସନ୍ତୁ ମାଡାମ୍ । ପଚାରନ୍ତୁ କଣ ପଚାରିବେ ।

ତନୁଶ୍ରୀ- ଗଗନ୍ ବାବୁ , ଆପଣଂକ ଏଇ ଗାଁର ଅନେକ ଗ୍ରାମବାସୀ ଶୀତଲ କଂପାନୀକୁ ବିରୋଧ କରିବାର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି ?

ଗଗନ- ମିଛକଥା ଆଜ୍ଞା, ପୁରା ମିଛ କଥା । ବିରୋଧ କରିବା କଥା ମିଛ, କେତେ ଜଣ ଲୋଭି ଶ୍ରେଣୀୟ ଲୋକ ଅଧିକ ଲାଭ ପାଇବା ଆଶା ରେ ହୀନ ରାଜନୀତି କରୁଛନ୍ତି । ଜମି ଏକରକୁ କୋଟିଏ ଦେଢ କୋଟି ହାଂକୁଛନ୍ତି । ଆମେ ଅକ୍ଳାନ୍ତ ପରିଶ୍ରମ କରି ଘର ଘର ବୁଲି ଲୋକଂକୁ ବୁଝାଉଛୁ , ଆଉ ଦିନ କେଇଟା ପରେ ସବୁ ଠିକ ହୋଇଯିବ ।

ତନୁଶ୍ରୀ- ଶୁଣିବାକୁ ମିଳୁଛି, ଲୋକଂକୁ ଘର ଓ ଜମି ଛାଡିବାକୁ ଭୟଭୀତ କରାଯାଉଛି, ଗତ ସାତ ଦିନ ମଧ୍ୟରେ ଏଇଭଳି ଦୁଇଟି କେଶ୍ ଥାନାରେ ଦାୟର ହୋଇଛି, ଏପରିକି ସଂଜୀବ ଦାଶ ମର୍ଡର କେସରେ ଆପଣଂକ ନାମରେ ମଧ୍ୟ ଅଭିଯୋଗ କରାଯାଇଛି, ଏ ବିଷୟରେ ଆପଣ କଣ କହିବେ ?

ଗଗନ- ଷଡଯନ୍ତ୍ର, ମୋ ବିରଦ୍ଧରେ ଷଡଯନ୍ତ୍ର କରାଯାଉଛି ମାଡାମ, ମୁଁ ଦଳ ବଦଳାଇବା କାରଣରୁ ଆଉ ମୋର ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ କେତେକ ମୋ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି । କିନ୍ତୁ ତାଂକର ଏ ଚକ୍ରାନ୍ତ କେବେ ସଫଳ ହେବନି । ଆଇନ୍ ଉପରେ ମୋର ବିଶ୍ୱାସ ଅଛି । ବଂଚିଥିବା ଯାଏ ଲୋକଂକର ସେବା କରିବି ।

ତନୁଶ୍ରୀ- ଜମି ଅଧିଗ୍ରହଣ ଉପରେ ଦୁଇ ଦିନ ପୂର୍ବରୁ କୋର୍ଟ ସ୍ଥଗିତା ଦେଶ ଜାରି କରିଛନ୍ତି । ଅଧିଗ୍ରହଣ ସମୟରେ ଅନିୟମିତତ୍ତା ହୋଇଥିବା ଦର୍ଶାଇ ଲୋକ ମାନଂକର ଜମି ଓ ଜୀବନ ଜୀବିକାକୁ ପୁନଃ ତର୍ଜମା କରିବାକୁ ସରକାରଂକୁ ନିର୍ଦ୍ଦେଶ ଦେଇଛନ୍ତି, ଶୁଣା ଯାଉଛି କଂପାନି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥାନ ପରିବର୍ତ୍ତନ କରିବାକୁ ରାଜି ଅଛି ?

ଗଗନ- ନାଇଁ, ଏପରି ହୋଇ ପାରିବ ନାହିଁ । ଏଇ ପ୍ରକଳ୍ପ ପାଇଁ ଆମେ ଆମ ଜୀବନକୁ ବାଜି ଲଗାଇ ଦେଇଛୁ । ଏଇଠି, ଏଇ ମାଟି ଉପରେ କାରଖାନା ହବ ହିଁ ହବ ।

ତନୁଶ୍ରୀ- ଧନ୍ୟବାଦ୍ ଗଗନ ବାବୁ , ସମୟ ଦେଇଥିବାରୁ । ଆସୁଛି । ନମସ୍କାର ।

ତରାଇ- ଯା..ବିଗାଡି ଦେଲ ହେ । ହେତ୍ ତେରିକି ଶେଷ ଧାଡିଟା ନକହିଥିଲେ କଁଟା ଓଲଟି ପଡିଥାନ୍ତା । ଗଗୁ ବାବୁ , କେତେ ଥର କହିଛି ଏ ମେଡିଆ, ଫେଡିଆ ବାଲାଂକୁ କଥା କହିବାବେଳେ ଜମାରୁ ହୁଗୁଳା ହବନି ।

ଗଗନ- ଖସି ଗଲାତ.. ..ଛାଡ ତରାଇଏ କିଛି ହବନି । ହଁ ଶୁଣ ସେ ଶଳା ଅଂଶୁଆ ଉପରେ ନଜର ରଖ, ମତେ ଲାଗୁଛି କିଛି ସୁରାକ୍ ପାଇଗଲାଣି । ସେ ଶଳା ବାପ ପୁଅ ଦିଟାଂକୁ.. ..

ତରାଇ- ଚୁଉପ୍, ପାଟି ଫିଟାଅନି, ସେ କଥା ମୁଁ ବୁଝିବି । ଚାଲ ଖାଇବା ଚାଲ.. ।

ଦୃଶ୍ୟ-୪

ଅଂଶୁ- ବାପା ରଘୁ ମଉସା ତାଂକ ନିଜ ଗାଁ ମଧୁପାଟଣା ଛାଡି ଆମ ଗାଁରେ ରହୁଥିଲେ କାହିଁକି?

ବିିଶ୍ୱ- ଆରେ ସିଏ ତ ପନ୍ଦର ବର୍ଷ ତଳ କଥା । ବନ୍ୟାରେ ତାଂକ ଘର ଭାଷି ଯାଇଥିଲା, ସୁମୀ ଜନ୍ମ ପରେ ପରେ ତା ମାଆ ଚାଲିିଗଲା । ଦିନେ ସକାଳୁ ଆସି ଆମ ଘରେ ପହଂଚିଲା । ସାରା ଗାଁ ଲୋକଂକ ସମ୍ମତି ପରେ ଗାଁ ମୁଣ୍ଡରେ ତାକୁ ଚାରି ଡିସିମିଲ ଜାଗା ଦିଆଯାଇଥିଲା । ଭାରି କଷ୍ଟରେ ପିଲା ଦୁଇଟିଂକୁ ବଢାଇଥିଲା ବିଚରା ।

ଅଂଶୁ- ଆଜି ତ ପେପର

ରେ ବାହାରିଛି ଖାଲି ଜଗନ ନୁହେଁ ରଘୁ ମଉସା ବି କୁଆଡେ ଅନେକ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ।

ବିିଶ୍ୱ- ମିଛ କଥା । ଜଗନ ଛୋଟ ବେଳୁ ଦୁଷ୍ଟ ଥିଲା , ସେଥିପାଇଁ ବାପ ପୁଅଂକ ଭିତରେ ପଟୁ ନଥିଲା । ରଘୁ ତାକୁ ଘରୁ ବାହାର କରି ଦେବା ପରେ ସେ ନକ୍ସଲ ଦଳରେ ମିଶି ଯାଇଥିଲା । ରଘୁ ତାକୁ ପୁଅ ବୋଲି ସ୍ୱୀକାର କରୁନଥିଲା ।

ଅଂଶୁ- ବାପା, ସଂଜୀବ ଦାଶ ସହିତ ଜଗନର ଶତୃତା କଣ ପାଇଁ ?

ବିିଶ୍ୱ- ରଘୁଠୁ ମୁଁ ଯାହା ଶୁଣିଛି, ଦୁହେଁ ମିଶି କରିଥିବା କୌଣସି ଗୋଟିଏ ଅପରାଧ ପାଇ ପରସ୍ପରକୁ ଦୋଷାରଫ କରୁଥିଲେ , ନିଶାଦ୍ରବ୍ୟ ଓ ଟଂକା ପଇସାକୁ ନେଇ ଦୁହିଁକ ଭିତରେ ଅନେକଥର ଝଗଡା ହୋଇଥିଲା ।

ଅଂଶୁ- ମତେ ଲାଗୁଛି, ସଂଜୀବ ଦାଶ କେସରେ ରଘୁ ମଉସା ବି ଆରେଷ୍ଟ ହୋଇ ପାରନ୍ତି କାରଣ ଜଗନ ଘରକୁ ଆସିଥିବା ବେଳେ ରଘୁ ମଉସା ବି ଘରେ ଥିଲେ । ସାଂଗ ମାନଂକଠୁ ଜାଣିଲି ସେଇ ରାତିରେ ହିଁ ଗଗନ ସ୍ୱାଇଁ ମଦ ଓ ଟଂକା ବାଣ୍ଟିବା ବେଳେ ରଘୁ ମଉସା ଉଚ୍ଚ ସ୍ୱରରେ ଚିତ୍କାର କରିଥିଲେ । ସେହି ସମୟରେ ସଂଜୀବ ଦାଶକୁ ଗୁଳି କରା ଯାଇଥିଲା । ତା ମାନେ ରଘୁ ମଉସା.. .. ..

ବିିଶ୍ୱ- ନା .. ନା.. ଘଟଣା ଘଟିବାର ଦେଢଘଣ୍ଟା ପୂର୍ବରୁ ମିଟିଂରେ ସଂଜୀବ ରଘୁ ସହିତ ହସି ହସି କଥା ହେବାର ମୁଁ ନିଜେ ଦେଖିଛି । ଯଦିଓ ଲୋକ ମାନଂକୁ ଠକୁଥିବା କାରଣରୁ ଅନ୍ୟ ମାନଂକ ପରି ରଘୁ ବି ତାକୁ ପସନ୍ଦ କରୁ ନଥିଲା । ରଘୁ ପରି ନିରିହ ମଣିଷ କାହାକୁ ବି ମାରି ପାରିବ, ମୁଁ କାହିଁ ବିଶ୍ୱାସ କରି ପାରୁନି ।

ଅଂଶୁ- ଛାଡ ସେକଥା ବାପା, କିଏ କଣ କରିଛି , ନ କରିଛି - ଆମେ ନୁହେଁ ପୋଲିସ୍ ବିଚାର କରିବ ।

ବିିଶ୍ୱ- (ସାମ୍ବାଦିକାଂକୁ ଦେଖି) ଆ ରେ ତନୁ ମାଡାମ ଆସି ଲେଣି –

ତନୁଶ୍ରୀ- ନମସ୍କାର, ସରପଂଚ ବାବୁ ।

ବିିଶ୍ୱ- ନମସ୍କାର, ନମସ୍କାର । ଅଂଶୁ ଗଲୁ ମାଆଂକୁ କହିବୁ ଚା ଆଣିବେ ।

ତନୁଶ୍ରୀ- ଏଇ ପଟେ ଯାଉଥିଲି ତ’ ଭାବିଲି ଆପଣଂକୁ ଦେଖା କରି ଚାଲିଯିବି । ଆଉ ଗାଁର ପରିସ୍ଥିତି କିପରି ଅଛି ?

ବିିଶ୍ୱ- ଯେଉଁ ଗାଁ କୁ ଚାରିପଟୁ ପୋଲିସ ଜଗନ୍ତି, ସେ ଗାଁ କଣ ଆଉ ଗାଁ ହୋଇ ଥାଏ ମାଡାମ । କୋର୍ଟର ହସ୍ତକ୍ଷେପ ପରେ ପରିସ୍ଥିତି ଟିକେ ଶାନ୍ତ ହୋଇଛି ।

ତନୁଶ୍ରୀ- ଆଛା ସରପଂଚ ବାବୁ, ଏଠି ଇସ୍ପାତ କାରଖାନା ହେଲେ ଯଦି ରାସ୍ତା, ଘାଟ, ବିଜୁଳି, ସ୍କୁଲ, ସମସ୍ତଂକୁ କାମ- ଏତେସବୁ ଲାଭ ମିଳିବ, ତାକୁ ଆପଣ ମାନେ ବିରୋଧ କରୁଛନ୍ତି କାହିଁକି ?

ବିିଶ୍ୱ- ନାଇଁ ତନୁ ମାଡାମ୍, ଆମେ କଂପାନୀକୁ ବିରୋଧ କରୁନୁ, ଯେଉଁ ସ୍ଥାନରେ ପ୍ରକଳ୍ପ କରିବାକୁ ନିଷ୍ପତି ନିଆଯାଇଛି , ସେ ସ୍ଥାନକୁ ବିରୋଧ କରୁଛୁ । ଆପଣ କୁହନ୍ତୁ ଥରେ ଆମେ ପୁରୁଷ ପୁରୁଷ ଧରି ଚାଷ କରିଆସୁଥିବା ଜମି ହରାଇଲେ ଆମକୁ ଆଉ ଜମି ମିଳି ପାରିବକି ? ଯେଉଁ କାମ ମିଳିବା କଥା କହୁଛନ୍ତି- ସରକାର କଣ ଚାହୁଁଛନ୍ତି ଆମେ ସମସ୍ତେ ଶ୍ରମିକ ବନିଯାଉଁ । ନିଜ ସ୍ୱାଭିମାନ କୁ ହରାଇ ପଇସା ପାଇଁ ସହଯୋଗୀ, କୁଲି, ଜଗୁଆଳି ହୋଇଯାଉଁ । କାରଖାନାର ନଳା ପାଣି ରେ ଆମ ପିଲାଛୁଆ ଖେଳନ୍ତୁ, ଶ୍ୱାସ ରୋଗରେ ଅଧା ବୟସରେ ଆମେ ମରୁ ।

କାଇଁ, କାରଖାନା ଗଢିବା ପାଇଁ କଣ ଜାଗାର ଅଭାବ ଅଛି ! ଚାଷ ଅନୁପଯୋଗୀ ଟାଂଗର ଜାଗା ନିଅନ୍ତୁ । ଭିତ୍ତିଭୂମୀ ତିଆରି କରନ୍ତୁ । ଲୋକଂକ ସମତଳ ଚାଷ ଜମିକୁ କିଣିବାକୁ ଟଂକା ଅଛି, ଅଥଚ ଅସମତଳ ଟାଂଗର ଭୂଇଁକୁ ସମତଳ କରିବାକୁ ବଡ କଂପାନୀର ଅର୍ଥାଭାବ । ଆପଣ କୁହନ୍ତୁ ମାଡାମ ଟଂକା ବିନିମୟରେ କେଉଁଠି ଭିଟାମାଟି ମିଳିବକି ? ମିଳିବ ଆମ ଷଠିଘର, ଏନ୍ତୁଡିଶାଳ ? ଏ ଝରଣା ପାଣି, ଜଂଗଲ ର ସୁଲୁ ସୁଲୁ ବାଆ ଆଉ କେଉଁଠି ମିଳିବ ?

ତନୁଶ୍ରୀ- ବୁଝୁଛି ସରପଂଚ ବାବୁ, ଆପଣଂକ ଦାବି ଗୁଡିକ ଯଥାର୍ଥ । ଅଯଥାରେ ଆପଣଂକୁ ଉତ୍ତେଜିତ କଲି, କ୍ଷମା କରିବେ ।

ବିିଶ୍ୱ- ମାଡାମ୍ ଚା ପିଇ ଦିଅନ୍ତୁ, ଥଣ୍ଡା ହୋଇଯିବ ।

ତନୁଶ୍ରୀ- (ହସି) ଆପଣଂକ କଥା ଶୁଣୁ ଶୁଣୁ ମୁଁ ତ ଭୁଲି ଯାଇଥିଲି ।

ତନୁଶ୍ରୀ- ହଁ ସରପଂଚ ବାବୁ.. ସଂଜୀବ ଦାଶ ମର୍ଡର କେସରେ ପୋଲିସ୍ ଆପଣଂକୁ ବି ସଂଦେହ କରୁଛି, ଯେଉଁ ଘରେ ମର୍ଡର ହୋଇଛି, ସେ ଘର ମାଲିକ ଯେହେତୁ ଆପଣଂକ ସହ ଘନିଷ୍ଠ ।

ବିିଶ୍ୱ- ମୋ ଜାଣିବାରେ ସଂଜୀବ ଦାଶ କୌଣସି ଦଳ ରେ ନଥିଲା, ଆଉ ଯଦି ପ୍ରକୃତରେ ମୁଁ ଅପରାଧରେ ଜଡିତ, ତେବେ ମତେ ଶାସ୍ତି ମିଳୁ ।

ତନୁଶ୍ରୀ- ଧନ୍ୟବାଦ ସରପଂଚ ବାବୁ , ଆସୁଛି । ନମସ୍କାର ।

ଦୃଶ୍ୟ-୪

(ପ୍ରଚ୍ଛଦରୁ)

ଭିଟା ମାଟି .. .. .. .. ଛାଡିବୁ ନାହିଁ

ମରିବୁ ପଛେ ଛାଡିବୁ ନାହିଁ

କଂପାନୀକୁ ଜମି ବିକିବୁ ନାହିଁ । ବିକିବୁ ନାହିଁ । ବିକିବୁ ନାହିଁ ।

ଅଂଶୁ- ବାପା.. ବାପା.. ..

ବିିଶ୍ୱ- କଣ ହେଲା.. ।

ଅଂଶୁ- ନିଅ, କୋର୍ଟ ନୋଟିସ୍ , ଆସନ୍ତା ପନ୍ଦର ତାରିଖରେ କୋର୍ଟ କୁ ଯିବାକୁ ପଡିବ ।

ବିିଶ୍ୱ- (ଦୀର୍ଘଶ୍ୱାସ) ଦେ, ଯିବାକୁ ତ ପଡିବ ।

ଅଂଶୁ- ବାପା, ଆଜି ପେପରରେ ଜଗନ ବିଷୟରେ ଯେଉଁସବୁ କଥା ବାହାରିଛି ସବୁ ମିଛ । (ବେପରୁଆ)

ବିିଶ୍ୱ- ମିଛ, ତା ମାନେ ଜଗନ ଆସିନଥିଲା?

ଅଂଶୁ- ଆସିଥିଲା ସତ କିନ୍ତୁ ତା ହାତରେ କିଛି ବି ଅସ୍ତ୍ର ନଥିଲା । ସିଏ କେବଳ ସୁମୀକୁ ଟଂକା ଦେବାକୁ ଆସିଥିଲା, ଆଉ ସେଇ ରାତି ରେ ହିଁ ଜଂଗଲକୁ ଚାଲିଯାଇଥିଲା

ବିିଶ୍ୱ- ତୁ କେମିତି ଜାଣିଲୁ ଏ କଥା ?

ଅଂଶୁ- ବାପା, ଅଂଶୁ କୁ ଚିହ୍ନି ପାରିଲନି ଏଯାଏଁ । ଅଂଶୁ ଡାଳରେ ନୁହେଁ ପତ୍ରେ ପତ୍ରେ ଯାଏ । ଡ୍ରାମା ଆରମ୍ଭ ହୋଇଗଲା । ମୁଁ ଚାଲିଲି..(ଦୂରନ୍ତ ଆଭାଷ) ହଁ ବାପା ତମେ ବି ଆସିବ ।

ବିିଶ୍ୱ- କ’ଣ କହୁଛି ଏ ପିଲା । କେଉଁଠୁ କଣ ଶୁଣି ,ପୁଣି ମେଳି ଆରମ୍ଭ କଲାଣି । ହେ ଭଗବାନ.. ସାହା ହୁଅ ପ୍ରଭୂ ।

ଦୃଶ୍ୟ-୫

( ଝରଣା ର କୁଳୁ କୁଳୁ ନାଦ)

ଅଂଶୁ- ହଉ ହେଲା, ଆଖି ବୁଜିଲି, ହାତ ପାତିଲି, କଣ ଦେଉଛ ଦିଅ ।

ମେଘି- ହେଇତ ଟିକେଟିକେ ଅନୋଉଛ, ହବନି । ଭଲକରି ବୁଜ । ବୁଜିଲ । ଉଁ.. .. ..ଏକ୍..ଦୁଇ..ତିନ୍ ..ଏବେ ଆଖି ଖୋଲ ।

ଅଂଶୁ- ଖୋଲିବି , ଖୋଲିବି ତ’ । କଣ ଗୋଟାଏ ଆୟତ କ୍ଷେତ୍ର । ୱା..ଓ.. ଚମତ୍କାର, ମୋ ନିଜ ପରି କେହିଜଣେ । ତୁ ଏତେ ସୁନ୍ଦର ଆର୍ଟ କରିପାରୁ , ମତେ ଜଣେଇ ନଥିଲୁ ତ ।

ମେଘି- ଏବେ ତ ଜଣେଇଲି ।

ଅଂଶୁ- ମେଘି ତତେ କେଉଁ ଭାଷାରେ ଧନ୍ୟବାଦ ଜଣାଇବି ଜାଣି ପାରୁନି, ତୋ ପାଇ ଆମ ପରିବାର ଉପରୁ ବିପଦର ବୋଝ ଓହ୍ଲେଇ ଗଲା, ସବୁକଥା ଯଦି ମତେ ଜଣେଇ ନଥାଆନ୍ତୁ କଣ ଯେ ହୋଇ ଥାଆନ୍ତା.. ..

ମେଘି- ମତେ ଏତେ ଧନ୍ୟବାଦ ଦିଅନି, କେଉଠି ରଖିବି ଯେ..ମୋର ଘର ନାହିଁ କି ଦ୍ୱାର ବି ନାହିଁ ।

ଅଂଶୁ- (ରାଗି ଯାଇ )ମେଘି, କେତେ ଥର ମନା କରିଛି ସେଇକଥା ନ କହିବା ପାଇଁ ।

ମେଘି- ସରି.. ।

ଅଂଶୁ- ଏ ପୃଥିବୀ କ’ଣ ଆମ ଘର ନୁହେଁ ମେଘି, ଆକାଶ କ’ଣ ଆମ ଛାତ ନୁହଁ । କୌଣସି ବି କାରଣରୁ ଇଶ୍ୱରଂକୁ ଦୋଷ ଦେବୁନି ମେଘି । ଆମ ପାଇଁ ଯାହା ସବୁଠୁ ଭଲ, ଇଶ୍ୱର ତାହା ହିଁ ଆମକୁ ଦିଅନ୍ତି ଏବଂ ଯାହା ଆମ ପାଇଁ ଅନାବଶ୍ୟକ ତାହାକୁ ଛଡାଇ ନିଅନ୍ତି । ସବୁବେଳେ ସନ୍ତୁଷ୍ଟ ରହ ଦେଖିବୁ କିଛିବି ଅଭାବ ରହିବନି ।

ମେଘି- କହିଲିନା ସରି ବୋଲି । ବୁଝିଗଲି । ପୁରା ବୁଝିଗଲି । ଆଉ କେବେ ବି ଏମିତି କଥା କହିବିନି, ପ୍ରମିଜ୍

ଅଂଶୁ- ମୁଁ ଆସୁଛି, ମେଘି । ଆଜି ରଘୁ ମଉସାଂକ ପାଖକୁ ଯିବାକୁ ପଡିବ ପୁଣି କାଲି ଯେମିତି ହେଲେ ଜଗନକୁ ଭେଟିବାକୁ ହେବ ।

ମେଘି- ଫେରିବା ପରେ ମତେ ଦେଖା କରିବାକୁ ଭୁଲି ଯିବନି ।

ଅଂଶୁ- ମେଘକୁ ସିନା ଭୁଲିଯିବି, ହେଲେ ମେଘିକୁ କେମିତି ଭୁଲିବି (ହସ)

ଦୃଶ୍ୟ-୬

ଜଗନ- ତୁମକୁ ଅନେକ ଅନେକ ଧନ୍ୟବାଦ ଅଂଶୁ । ତୁମ ସହ ଭେଟ ହୋଇ ନଥିଲେ ମୁଁ ଚିରଦିନ ଅନ୍ଧାରରେ ରହିଯାଇ ଥାଆନ୍ତି । ତୁମ କଥା ରଖିବି ଅଂଶୁ, ଖୁବ ଶିଘ୍ର ମୁଁ ଆତ୍ମ ସମର୍ପଣ କରିବି । ମୂଖା ପିନ୍ଧା ମଣିଷଂକ ମୂଖା ଖୋଲି ଦେବି ।

ଅଂଶୁ- ଉତେତ୍ତଜିତ ହୁଅନି ଜଗନ ଧୈର୍ଯ୍ୟ ଧର । ତମକୁ ସବୁ କାମ ସାବଧାନତାର ସହ କରିବାକୁ ପଡିବ,ଟିକେବି ଏପଟ୍ ସେପଟ୍ ହେଲେ ବିପଦ ।

ଜଗନ- ମରିବାକୁ ଯାଉଥିବା ମଣିଷ ର ପୁଣି ଭୟ କଣ ?

ଅଂଶୁ- ସେମିତି କୁହନି, ତୁମକୁ ବଂଚିବାକୁ ପଡିବ । ନହେଲେ ରଘୁ ମଉସା ଓ ସୁମୀ.. .. .

ଜଗନ- ଜାଣେ ଅଂଶୁ, ମତେ ଅନେକ କିଛି କରିବାକୁ ପଡିବ । ପୁଣିଥରେ ନୂଆ ଜୀବନ ଆରମ୍ଭ କରିବାକୁ ପଡିବ । ଯେଉ ଲକ୍ଷ୍ୟ ନେଇ ଘର ଛାଡିଥିଲି, ଆଜି ବି ଅପୂରଣୀୟ । ଏଠି ଏ କୁତ୍ସିତ ଜୀବନ ଜୀଇଁବାଠୁ ମରିଯିବା ଭଲ । ଫମ୍ପା ଆଦର୍ଶ କୁ କେତେ ଦିନ ନିରୀହ ଲୋକଂକୁ ଲୁଟିବି !

ଅଂଶୁ- ଆଛା ଜଗନ, ସେଦିନ ରାତିରେ କିଛି ବି ଅସ୍ତ୍ର ନ ନେଇ ତୁ ଘରକୁ ଯାଇଥିଲୁ ?

ଜଗନ- ଘରକୁ ଯିବା ବେଳେ ଅସ୍ତ୍ର ନେଇ ଯିବାର ଅଧିକାର ଆମର ନାହିଁ । କମାଣ୍ଡରଂକଠୁ ଅନୁମତି ନେଇ ଆଜି ପରି ସେଦିନ ଲୁଚି ଲୁଚି ଯାଇଥିଲି ।

ଅଂଶୁ- ମେଘିଠୁ ସବୁ ଶୁଣିଛି । ତୁମେ ପହଂଚିବା ବେଳେ ସୁମୀର ମୁହଁକୁ କେହି ଜଣେ ଚାପି ଧରିଥିଲା । ସଂଜୀବ ଦାଶକୁ ତମ ଘର ଭିତରେ..

ଜଗନ- ଗଗନ ସ୍ୱାଇଁ ଧରିଥିଲା, ବିନ ତରାଇ ହାଣୁଥିଲା । ଭାଗ୍ୟ ଭଲ, ସମସ୍ତେ ନିଶାରେ ଚୁର୍ ଥିଲେ । ସୁମୀକୁ ଧରିଥିବା ଲୋକଟାକୁ ଧକ୍କା ଦେଇ ତାକୁ ଘର ପଛକୁ ନେଇଗଲି, ତା ପରେ ବାପାଂକୁ କୌଶଳ ରେ ଟେକି ଆଣିବାବେଳେ ବାପା ବହୁତ ଜୋରରେ ପାଟି କରଥି ଲେ, ସେତେବେଳେ ବାପାଂକୁ ସେମାନେ ବହୁତ ପିଆଇ ଦେଇଥିଲେ ଓ ମାରିଥିଲେ ଖୁବ୍ । ନିଶାରେ ମତେ ବି ଚିହ୍ନି ପାରିଲେନି ବାପା । ତା ପରେ ଘର ପଛ ରେ ଥିବା ଲୁହା ପାଇପ୍ ଧରି ସାମ୍ନା ପଟ୍ଟକୁ ଆସିବା ବେଳେ , ଜହ୍ନ ଆଲୁଅରେ କେହି ଜଣେ ମତେ ଚିହ୍ନିପାରି ପାଟି କରିବାରୁ ମୁଁ ଦୌଡି ଦୌଡି ଆଶ୍ରମ ଭିତରେ ପଶି ଗଲି । ତାପରେ ଭେଟ ହୋଇଗଲା ମାଉସୀଂକ ସହ ।

……..

ଚରିତ୍ର

….

ବିଶ୍ୱମୋହନ ଗଡନାୟକ-ସରପଂଚ(ବିସ୍ଥାପନ ବିପକ୍ଷବାଦୀ)

ମେଘି-ଆଶ୍ରମରେ ରହି ନୂଆ କଲେଜ ଯାଉଥିବା ଝିଅ (ଅନାଥିନୀ)

ଅଂଶୁମାନ- ବିଶ୍ୱ ବାବୁଂକ ପୁତ୍ର ସୁମୀ- ରଘୁ ମଉସାଂକ ଝିଅ ( ଉଜ୍ୟ)

ରଘୁ- କୃଷକ ( ବିଶ୍ୱ ବାବୁଂକ ଭାଗ ଚାଷୀ) ତନୁଶ୍ରୀ- ସାମ୍ବାଦିକା

ଜଗନ୍- ରଘୁ ମଉସାଂକ ପୁତ୍ର (ନକ୍ସଲ)

ଗଗନ ସ୍ୱାଇଁ- ବିସ୍ଥାପନ ସପକ୍ଷବାଦୀ ନେତା

ବିନ ତରାଇ- ଗଗନ ର ସହଯୋଗୀ

….

Email: litp.ranjan@gmail.com

ସମୟ ଝରଣା ଭିଟା ମାଟି

Rate the content


Originality
Flow
Language
Cover design

Comments

Post

Some text some message..