Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Er. Bijaya Kumar Senapati

Inspirational

3  

Er. Bijaya Kumar Senapati

Inspirational

ଲୁଡୁପାଲି

ଲୁଡୁପାଲି

4 mins
11.9K


ଖେଳଟା ବଡ ମଜାଦାର୍। ଘର ଛାଇରେ ଖେଳ । ନାଁ ଧୂଳି ମଳି ଦେହରେ ଲାଗେ, ନାଁ ଦେହରୁ ଟୋପେ ଝାଳ ଗଡେ। ସାଂଗ ସାଥୀ ହୋଇ ବସିଥିବେ,ଖୁସି ଗପ ବି ଚାଲିଥିବ। ଯଦି ଗରମ ଗରମ ମୁଢି କି ବାଦାମ୍ ମିଳିଗଲା ପାଟିରେ ପକାଇବାକୁ, ତାହେଲେ ତାର ମଜ୍ଜା ନିଆରା ।

ସୁରେଶ କିନ୍ତୁ ଓଲଟା କହେ। ପାଖରେ ବସି ହଲୁନଥିଲେବି ପ୍ରତି ମୁହୂର୍ତ୍ତରେ ପ୍ରତିଦ୍ବନ୍ଦିତା,ଆଗକୁ ବଢିବାର। ସାଂଗକୁ ରାସ୍ତାରେ ଗୋଇଠା ମାରି ପଛକୁ ପକାଇ ନିଜେ ଆଗକୁ ବଢିବାର ଦୁସ୍ଥ ମାନସିକତା। ଏମିତି ଖେଳିଲେ କଣ ଚଳନ୍ତା ନି, ଯେ ଯିଏ ଆଗକୁ ଯାଉଛି ତାକୁ ବଢିବାକୁ ଦିଆଯାଉ! କାହାରିକୁ ପଛକୁ ଟଣା ନଯାଉ। ତା ଛଡା ଠିକ୍ ଦରକାର ବେଳେ ଦାନ ଧୋକା ଦେବ। ଛଅ ମାଗିଲେ ପୁଟ ତ କେବେ ଅଯାତିତ ଭାବେ ଛଅ ପଡିବ, ଯାହାର କିଛି ଦରକାର ନଥିବ ସେତେବେଳେ।

ଚାରିଜଣ ସାଂଗ ଏକା ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାଶ୍ କଲେ ଏକା କଲେଜ ରୁ। ସମସ୍ତେ ଫାଷ୍ଟ ଡିଭିଜନ୍ ପାଶ୍ । ମାର୍କ ବି ଉଣେଇସି ବିସ୍। ଜଣେ ଡାକ୍ତର,ଜଣେ ଇଂଜିନିୟର୍ ହେବାକୁ ସୁଯୋଗ ପାଇଲା ବେଳେ ରହିଗଲେ ସୁରେଶ ଓ ସଦାନନ୍ଦ।

ସେ ଦୁହେଁ ସେଇ କଲେଜରେ ଯୁକ୍ତ ତିନି ବିଜ୍ଞାନ ପଢିବାକୁ ରହିଲେ ଗୋଟିଏ ଛାତ୍ରାବାସରେ। ଛୁଟି ହେଲେ ଚାରିସାଂଗ ଏକାଠି ହୁଅନ୍ତି ସେଇ ଛାତ୍ରାବାସରେ।ଇଞ୍ଜିନିୟର୍ ଓ ଡାକ୍ତର ପଢୁଆ ଆସି ଯୋଗଦିଅନ୍ତି ସେଠି। ଭାରି ଜମେ। କେହି ଗାଁ ଯିବାକୁ ବାହାରନ୍ତି ନାହିଁ। ଜଣେ ଡାକ୍ତରୀ ବିଦ୍ୟାର ଝଲକ୍ ବିଷୟରେ ଗପେ ତ ଆଉ ଜଣେ ଇଂଜିନିୟରିଂ ହଷ୍ଟେଲ୍ ର ରେଗିଂ ବିଷୟରେ କୁହେ। ଦେଖୁଦେଖୁ ଛୁଟି ସରିଯାଏ।ବେଳେ ବେଳେ ଲାଗେନି କି ସୁଖର ସମୟ ଗୁଡା ଶିଘ୍ର ସରିଯାଏ ବୋଲି ?

x x x x

ଡାକ୍ତର ଓ ଇଂଜିନିୟର ସାଂଗ ତାଂକ ଲକ୍ଷ୍ୟସ୍ଥଳରେ ପହଞ୍ଚିସାରିଲେଣି । ଜଣେ ସରକାରୀ ଡାକ୍ତରଖାନାରେ ପୋଷ୍ଟିଂ ପାଇଛି ନିଜ ଗାଁ ପାଖରେ ତ ଆଉଜଣେ ଚାକିରୀ ପାଇଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ। ସିଏ ବି ଏକ ସରକାରୀ ଉଦ୍ୟୋଗ । ବାକି ସଦାନନ୍ଦ ଓ ସୁରେଶ ଏବେବି ପଢୁଛନ୍ତି ପିଏଚଡି। ଅନ୍ୟଦୁଇଜଣ ଲକ୍ଷ୍ୟରେ ସୁରକ୍ଷିତ ପହଞ୍ଚି ସାରିଥିବା ବେଳେ ଏମାନେ ଯୁଝୁଛନ୍ତି ନିଜ କ୍ୟାରିୟର ଗଢିବା ପାଇଁ।

ଅଧ୍ୟାପକ ପାଇଁ କଲେଜ୍ ରେ ଗୋଟିଏ ପଦବୀ ବାହାରିବା ର ସୂଚନା ମିଳିଲା। ଦୁଇଜଣ ପ୍ରବଳ ଦାବୀଦାର,ଅନ୍ୟ ପ୍ରାର୍ଥୀଂକ ତୁଳନାରେ। ସଦାନଂଦ କହିଲାଣି,ସୁରେଶ ଆବେଦନ କଲେ,ସେ କଦାପି ଆବେଦନ କରିବ ନାହିଁ। କିନ୍ତୁ ତାର ବଡ ଭଉଣୀ ବିବାହଯୋଗ୍ୟା ହୋଇ ଘରେ ବସିଛି। ବାପାଂକର ଯକ୍ଷ୍ମା ବେମାର। ମାଆ ଚାଲିଗଲେଣି କେବେଠୁଁ।

ତାର ଚାକିରୀ ନିହାତି ଦରକାର।

ସୁରେଶ ର ଘର ଅବସ୍ଥା କୋଉ ଭଲଯେ?ବାପା ମା ତ ପିଲାବେଳୁ ନଥିଲେ। ବଡଭାଇ ଜମି ଦିପାଆ ଚାଷକରି ବଡକଷ୍ଟରେ ଗୁଜୁରାଣ ମେଣ୍ଟାନ୍ତି। ତାଂକୁ ଭରସି କିଛି ମାଗିପାରେନି ସେ। ଭାଉଜଂକ ଧୁଣା କସ୍ତାଶାଢୀ ଦେଖିଲେ ତା ଛାତି ବିଦାରି ହୋଇଯାଏ। ପୁତୁରା ଝିଆରୀ କଲମଟିଏ ମାଗିଲେ,ତା ଅପାରଗ ପଣିଆ ତାକୁ ଧୀକ୍କାରେ। ସାଂକୁଡିଯାଏ ସେ ନିଜଭିତରେ। ଚାକିରୀଟିଏ ତା ପାଇଁ ଅପରିହାର୍ଯ୍ୟ। ହେଲେ ଏ କଥା ସେ ସଦାନଂଦକୁ କହିବାକୁ ଭରସି ପାରେନି। ନିଜ ବିବେକକୁ ଜଳାଞଳି ଦେଇ ସେ କପରି ଝାମ୍ପିନେବ ଚାକିରୀଟିକୁ ସୁରେଶ ହାତରୁ?

ଅତଏବ୍ ସେ ରୋକ୍ ଠୋକ୍ ଜଣାଇଦେଲା ଯେ ସେ ଆବେଦନ କରୁନି। ହସିଦେଲା ସଦାନଂଦ। "ବୋକା ଟା ନାଁ ଦୟା ଦେଖାଉଛୁ ବେ ? " କଣ ଭାବୁଛୁ ଯେ ତୁ ଆବେଦନ ନ କଲେ ମୁଁ କରିବି ବୋଲି? ନାଁ ତୋ ମୋ ଛଡା ଏ ଦୁନିଆଁରେ ଆଉ କେହି ଏମ୍ ଏସ୍ ସି ପାଠୁଆ ନାହାନ୍ତି? ବୋକା ! ଆଗେ ଫାଇନାଲ୍ ରାଉଣ୍ଡରେ ପହଞ୍ଚ!

ଶେଷରେ ନିଷ୍ପତ୍ତି ହେଲା,ଦୁଇ ଜଣ ଆବେଦନ କରିବେ।

କଲେବି! ରିଟନ୍ , ସାଇକୋଲୋଜି ସରିଲାପରେ କାଲି ଶେଷ ସାକ୍ଷାତକାର ର ପାଳି। ପୋଷ୍ଟ ଗୋଟେ କୁ ପ୍ରାର୍ଥୀ ଦୁଇ। ସଦାନଂଦର ପ୍ରଥମ ପାଳି। ସୁରେଶ ହାତମିଳାଇ ଅଭିନଂଦନ ଜଣାଇଲା ଓ କୁଣ୍ଢାଇ ପକାଇଲା ଭାବପ୍ରବଣ ହୋଇ। ଆଖିରୁ ଝରିପଡିଲା ଦୁଇବୁନ୍ଦା ଲୁହ। ସେ ଲୁହରେ ଥିଲା ନାଁ ହିଂସା,ନା ଦ୍ବେଷ, ନା ରୋଷ। ବରଂସେ ଥିଲା ଆତ୍ମତୃପ୍ତିର କେଇବୁନ୍ଦା ଲୁହ। ସାଂଗ ର ସଫଳତା ପାଇଁ ଶୁଭକାମନା। "ଯା ରେ ସଦାନଂଦ! ତୋର" ଛଅ " ଦାନ ପାଚିଲା। ଆଗକୁ ଚଲା ତାକୁ ।"

କିଛି ସମୟ ପରେ ଇଣ୍ଟରଭିୟୁ ସାରି ହସିହସି ସମ୍ମିଳନୀ କକ୍ଷରୁ ବାହାରିଲା, ସଦାନଂଦ। ଏ କଣ !ସୁରେଶ କାହିଁ? ତାର ମୁହଁରେ ବିସ୍ମୟର ଚିହ୍ନ। ଦରୁଆନ୍ କୁ ପଚାରିବାରେ ସେ କହିଲା,ବାବୁ ଜଣକ ହସପିଟାଲ୍ ଚାଲିଗଲେ। କିଏ ବେମାର ଥିବ ପରା ! ଯିବା ଆଗରୁ ଖାତାରେ ଲେଖିଦେଇଛନ୍ତି," ହି ଇଜ୍ ନଟ୍ ଇଣ୍ଟେରେସଟେଡ୍ ଫର୍ ଦିସ୍ ପୋଷ୍ଟ "।

ସଦାନଂଦ ଏକ ମୁହାଁ ହୋଇ ଦୌଡିଲା, ହସପିଟାଲ୍ କୁ। ଅଣନିଶ୍ବାସୀ ହୋଇ ଦରାଣ୍ଡିଦେଲା,ଓ୍ବାର୍ଡ ପରେ ଓ୍ବାର୍ଡ। କାହିଁ,କୋଉଠି ନାହିଁତ ସିଏ?

ସୁରେଶ କୁ ଖୋଜିଖୋଜି ସେ ତା ଘରେ ପହଂଚିଲା। ସଦାନଂଦକୁ ଦେଖୁ ଦେଖୁ

ସୁରେଶର ବଡ ଭାଉଜ ଓ ପୁତୁରା,ଝିଆରୀ ଘେରିଗଲେ ତାକୁ। "ସୁରେଶ କୁଆଡେ ଗଲା?କାହାର ଦେହ ଖରାପ ?କୁଆଡେ ଗଲା ଯେ ସେ?"

ସାନ ପୁତୁରା ଖୁସିରେ ନାଚି ନାଚିକହିଉଠିଲା,' କକା ଲେକ୍ଚର ଚାକିରୀ କରିବାକୁ ଯାଇଛନ୍ତି,ଫେରି ନାହାନ୍ତି।'

ଏକ ଅପରାଧବୋଧ ଆବୁରି ବସିଲା ତାର ମନ ଓ ମସ୍ତିଷ୍କକୁ।"ତାହେଲେ ସୁରେଶ କଣ ମୋ ପାଇଁ ନିଜର ସୁଖକୁ ଜଳାଞଳି ଦେଇଦେଲା ? "

ସ୍ବଭିମାନୀ ଲୋକ ସବୁ ସହ୍ୟ କରିପାରେ କିନ୍ତୁ କାହାର ଋଣୀହେବା ବରଦାସ୍ତ କରିପାରେନି। ସେଇଟା ହିଁ ତାପାଇଁ ସବୁଠୁ ବଡ ଶାସ୍ତି।

ତାହେଲେ ସୁରେଶ କଣ ତାକୁ ଶାସ୍ତି ଦେବାକୁ....! ନାଁ ଆଉ ଆଗକୁ ଭାବିପାରୁନଥିଲା ସେ।

ରାସ୍ତାକଡ ବରଗଛ ମୂଳେ ବସିପଡି,ସୁଇଚଅଫ୍ ଥିବା ମୋବାଇଲକୁ ସୁଇଚଅନ୍ କରିଲା ,ଅନ୍ୟମନସ୍କ ଭାବେ।

ହଠାତ୍ ଫୋନ୍ ରେ ଏକ ମସେଜ୍ ଆସିଲା ସୁରେଶ ଠାରୁ।

" ମୁଁ ଏବେବି ମନେରଖିଛି,ଆମେ ପିଲାଦିନେ ଖେଳୁଥିବା ଲୁଡୁଖେଳର ନିୟମ। କେହି କାହାର ଦାନ ମାରିବାନି। ଯିଏ ଆଗକୁ ଯାଉଛି ତାକୁ ବଢିବାକୁ ଦିଆଯାଉ।'

" କଣ ଭାବୁଛୁ ? ମୋ ଋଣ ସୁଝିବୁ ତ ? ଶୁଣ! ମୁଁ ରେଲ୍ଓ୍ବେ ଷ୍ଟେସନ୍ ଆସିଛି ଟିକେଟ୍ ପାଇଁ। ମୋର ଆଲେମ୍ବିକ୍ ଫାର୍ମା କଂପାନୀରେ ଚିଫ୍ କେମିଷ୍ଟ ପୋଷ୍ଟ ପାଇଁ ରିଟିନ୍ କ୍ଲିୟର୍ ହୋଇଛି। କାଲି ହିଁ ବାହାରିବାକୁ ହେବ ଇଣ୍ଟରଭିୟୁ ପାଇଁ। ହାଇଦ୍ରାବାଦ ଯିବାକୁ ହେବ। ଟିକେ ସାହାଯ୍ୟ କରିବୁ ତ ? କାଲି ରାତିରେ ମୋତେ ଆଣି ଟ୍ରେନ୍ ଚଢାଇଦେବୁ ! "

ସଦାନଂଦ ନିଜ ଚାକିରୀ ପାଇବାର ଖୁସି ଭୁଲିଯାଇ ତତ୍ କ୍ଷଣାତ୍ ଦୌଡିଲା ନିଜ ପଢା ଟେବୁଲ୍ ପାଖକୁ। ସେ ଖୋଜି ଚାଲିଥିଲା,ସୁରେଶ ପାଇଁ କେମିଷ୍ଟ୍ରୀ ର କିଛି ଫର୍ମୁଲା ବହି ଓ ନିଜ ହାତ ଲେଖା ନୋଟ୍ ବୁକ୍।

ଅନ୍ତରଙ୍ଗ ବନ୍ଧୁ ର ସାହାଯ୍ୟ ପାଇଁ ।

ବି.ଦ୍ର. ଆଜିଠାରୁ ଲୁଡୁଖେଳ ରେ ନୂଆନିୟମ ବଳବତ୍ତର ରହିବ। ଆଶା ସମସ୍ତ ଖେଳାଳୀ ସହଯୋଗ କରିବେ।

@ ବିଜୟ କୁମାର ସେନାପତି,ପୀରହାଟ,ଭଦ୍ରକ


Rate this content
Log in

Similar oriya story from Inspirational