Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଃଶବ୍ଦ କୋଳାହଳ
ନିଃଶବ୍ଦ କୋଳାହଳ
★★★★★

© Soumya Shubhadarshinee

6 Minutes   15.0K    21


Content Ranking

ଘଟଣା କେଉଁ ମୁହୂର୍ତ୍ତରେ ଦୁର୍ଘଟଣାର ରୂପ ନେବ ଜାଣି ନଥାଏ କେହି । କେବଳ ଈଶ୍ୱର ଜାଣନ୍ତି , କିନ୍ତୁ ସେ ନିରବ ରୁହନ୍ତି ସବୁବେଳେ!!......

★★★★

" ଆସ ତୁମେ ପ୍ଲିଜ" .. କେବଳ ଏତିକି ଲେଖାଥିବା ଚିଠିଟିଏ , ବଡ଼ ବିଚିତ୍ର ନୁହେଁ?...

ତରଙ୍ଗୀଣୀ ବାରମ୍ବାର ପଢୁଥିଲା। ନା' ନା' ହୁଏତ ଅନୁଭବ କରିବାକୁ ଚେଷ୍ଟା କରୁଥିଲା ସେଇ ଚିଠିର ଅସ୍ତିତ୍ବ ! କେତେ ଓଜନ ଅଛି ସେଇ ତିନୋଟି ଶବ୍ଦର?, କେତେ ଅଛି ଆକର୍ଷଣ?, କେତେ ସମ୍ମୋହନ?, କେତେ ତୀବ୍ର ଆଲୋଡନ?

ହଁ ଏଇ ସବୁ ଅନୁତ୍ତରିତ ପ୍ରଶ୍ନର ଉତ୍ତର ଖୋଜୁଥିଲା ମନେ ମନେ । ପାଞ୍ଚ ହାତର ଶାଢ଼ୀ ଆଉ ହାଇନେକ୍ ବ୍ଲାଉଜ ଭିତରେ ଆବୃତ ହେଇବି ସାରା ଦେହ ହିମଶୀତଳ ହେଇଯାଇଥିଲା। ନିରବରେ ବସି ରହିଥିଲା ସେ। ଟିକି ନିଖି ଭାବେ ପ୍ରତ୍ୟକ ଶବ୍ଦକୁ ସ୍ପର୍ଶ କରି ଗୋଟେ କିଛି ବିଶେଷ ଅନୁଭବ କରୁଥିଲା ହୁଏତ। ବହୁଥର ସେଇ ଧାଡିକୁ ପଢ଼ିପଢି ହୁଏତ ଆନନ୍ଦିତ ହେଉଥିଲା ବା ଦୁଃଖିତ କିଛି ସଠିକ ବୁଝା ପଡୁ ନଥିଲା। କିନ୍ତୁ ତା'ର ଏଇ କାର୍ଯ୍ୟକ୍ରମ ଅନ୍ୟ ଅଫିସ କର୍ମଚାରୀ ଜାଣି ପାରୁନଥିଲେ ତିଳେ ମଧ୍ୟ । ନିଜ ଶୀତତାପ ନିୟନ୍ତ୍ରିତ ଚ୍ୟାମ୍ବର ଭିତରେ ସେ ସ୍ଥାଣୁ ହେଇ ବସି ଥିଲା ସଭିଙ୍କ ଅଲକ୍ଷ୍ୟରେ।

ଚିଠି ବୋଲି କୁହାଯିବ , ନା' ଗୋଟେ ଚିଟ୍ ବା ସ୍ଲିପ୍ ଏଇ ଦ୍ଵିବିଧାବି ଥିଲା ମନେମନେ। ନିଜ ଭାଷା ଜ୍ଞାନକୁ ଟିକିଏ ସତେଜ କଲା ସେ । ଚିଠି କାହାକୁ କୁହାଯାଏ? ଅତି କମରେ କେତେ ଶବ୍ଦ ରହିବା ଜରୁରୀ? କଣ ପ୍ରତ୍ୟକ ଚିଠିରେ ଗୋଟେ ସମ୍ବୋଧନ ରହିବା ଏକାନ୍ତ ଅପରିହାର୍ଯ୍ୟ ? ଚିଠି କ'ଣ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଲେଖା ଯାଏ ନା ବିନା କୌଣସି ଉଦ୍ଦେଶ୍ୟରେ?

ହଁ ଏସବୁ ବିଷୟରେ ଜାଣିବାର ଅଛି ତା'ର ନିହାତି ଭାବେ। କାରଣ ସେଇ ଅନୁସନ୍ଧାନ ତା' ଭିତରେ ଥିବା ଭୟଙ୍କର କୋଳାହଳକୁ ପ୍ରଶମିତ କରିବ ହୁଏତ। କିଛି ଗୋଟେ ସିଦ୍ଧାନ୍ତରେ ପହଞ୍ଚେଇ ଦେବ। ସେ ନିଜକୁ ବୁଝେଇ ପାରିବ, ଯେ " ନା ଏଇଟା ଚିଠି ନୁହେଁ କେବଳ ଗୋଟେ ଭ୍ରମ, ଗୋଟେ ଇନ୍ଦ୍ରଜାଲ , ଗୋଟେ ପ୍ରହେଳିକା, ଗୋଟେ ବହୁ ପରିଚିତ ପ୍ରତାରଣା। ଯାହା ସହ ସମ୍ପର୍କ ବହୁ ପୁରୁଣା।

********

ଅଧ ରାତିରେ , ସାରା ଘର ନିଘୋଡ଼ ନିଦରେ ଶୋଇଥିବା ସମୟରେ ବାହାରି ଆସିଲା ତରଙ୍ଗୀଣୀ । ଅଂଶୁ ଯେମିତି କହିଥିଲା ଠିକ ସେମିତି। ତା'ର ପ୍ରତ୍ୟକ କଥା ଅକ୍ଷରେ ଅକ୍ଷରେ ପାଳନ କରିବା ତରଙ୍ଗୀଣୀର ବିରାଟ ଦୁର୍ବଳତା। ସେ ଯେବେ ଅନୁରୋଧ କରିଛି କିଛି ବିଶେଷ ମୁହୂର୍ତ୍ତ ତା ସହ ଅତିବାହିତ କରିବାର ଆକର୍ଷଣ କେବେ ଏଡାଇ ପାରିବ ନାହିଁ ତରଙ୍ଗୀଣୀ । ଅଂଶୁର ଆମନ୍ତ୍ରଣର ଅଛି ଗୋଟେ ଭୟଙ୍କର ପ୍ରଭାବ। ଯାହା ତାକୁ ପ୍ରଭାବିତ କରେ ସବୁବେଳେ। 'ଓଃ ଅଂଶୁ ତୁମ ବିନା କି ବଞ୍ଚି ହୁଏ??'..

**********

ଫୁଲ ଠାରୁ ଅଧିକ କୋମଳ, ମହମ ପରି ତରଳି ପାରୁଥିବା ତା'ର ମନ କେବଳ ଅଂଶୁ ବୁଝେ। ବାପା ମା' ଉଭୟ ଆଧୁନିକ ସମୟର ନଷ୍ଟ ନୀଡ଼ରେ। ବାପା ନେଇନଥିଲେ କେବେ ଦାୟୀତ୍ୱ ଆଉ ମା ଦେଇନଥିଲା କେବେ ମମତ୍ୱ। ବାପା ନିଜ ପୃଥିବୀରେ ଆଉ ମା' ପୃଥିବୀ ବାହାରେ। ପ୍ରବଳ ଝଗଡା କରିବା ଥିଲା ସେମାନଙ୍କ ସମ୍ପର୍କର ପରିଭାଷା। ଉଡା କଥା କି ସତ ଜାଣୁ ନଥିଲା ତରଙ୍ଗୀଣୀ କିନ୍ତୁ ଶୁଣୁ ଥିଲା ଯେ ବାପାଙ୍କର ଅଛି ଅନ୍ୟ ଗୋଟେ ପରିବାର ,ସମାଜର ବିନା ସ୍ୱୀକୃତିରେ। ଆଉ ସେଥିପାଇଁ ମା' ଓ ସେ ଅବହେଳିତ ସବୁବେଳେ। ବାପା ଯେ କାହିଁକି ଏମିତି କରୁଛନ୍ତି ଏଇ ପ୍ରଶ୍ନର ଏକମାତ୍ର ଉତ୍ତର ଥିଲା ' ବାପା ଭଲ ପାଆନ୍ତି ନାହିଁ ମା' କୁ , ସେମାନଙ୍କର ଆରେଞ୍ଜ୍ ମ୍ୟାରେଜ୍ ଗୋଟେ ବିରାଟ ବିଫଳତା । ଗୋଟେ ସଫଳ ପରିବାର ଗଢିବାକୁ ଅସମର୍ଥ୍ୟ।

ସେଇ ଅନୁଭୂତି ସବୁବେଳେ ସମ୍ପର୍କରେ ପ୍ରେମ ଭାବ ସନ୍ଧାନରେ ଲିପ୍ତ। କେଉଁଠୁ ଆସେ ପ୍ରେମ?? କ'ଣ ବିଶେଷ ପଯତ୍ନ କଲେ ପ୍ରେମ ତିଆରି ହେବ ହୃଦୟରେ? କି କି ସାମଗ୍ରୀ ଲୋଡ଼ା ପ୍ରେମ ନାମକ ଅଦୃଶ୍ୟ ବସ୍ତୁର ପ୍ରସ୍ତୁତିରେ? କେଉଁଠି ମିଳେ ସେଇ ସୂକ୍ଷ୍ମ ଅନୁଭବର ସୂତ୍ର?

ବାପା ଆଉ ମା' ଗୋଟିଏ ଛାତ ତଳେ ଏକାଠି ରହୁଥିଲେ କିନ୍ତୁ ଅପରିଚିତ ଭାବରେ। ବାପା ଘରେ ଅଛନ୍ତି କି ନାହାନ୍ତି? କୁଆଡେ ଯାଇଛନ୍ତି ? କେତେବେଳେ ଫେରିବେ? କ'ଣ ଖାଇବେ? ଖାଇବେ ଘରେ ନା ବାହାରେ? କେଉଁ ରଙ୍ଗର ଡ୍ରେସ ଆଜି ପିନ୍ଧିଥିଲେ? ଏମିତି ସାଧାରଣ ପ୍ରଶ୍ନରବି କୌଣସି ଉତ୍ତର ମିଳେନି ମା' ଠାରୁ। ମା' କେବଳ ବିରକ୍ତ ହୁଏ କିଛି ପଚାରିଲେ ବାପାଙ୍କ ସଂକ୍ରାନ୍ତରେ। ଯେମିତି ସେ ଜମା ଚିହ୍ନି ନାହିଁ ତାଙ୍କୁ। ଯେମିତି ଗୋଟେ ନିହାତି

ଅବାନ୍ତର ପ୍ରସଙ୍ଗ ବାପା। ସେମିତି ଗୋଟେ ବିରକ୍ତି କର ଆଉ ବେପରୁଆ ସମ୍ବେଦନଶୀଳତା ମିଳେ ସବୁବେଳେ।

ସେଇ ତିକ୍ତ ଅନୁଭବ ପ୍ରେମର ଆଵଶ୍ୟକତା ସମ୍ପର୍କରେ ଗଭୀର ଭାବେ ଆନ୍ଦୋଳିତ କରେ ତରଙ୍ଗୀଣୀର ହୃଦୟକୁ।ସତେ କେତେ ଭଲ ନହେଇଥାନ୍ତା ଯଦି ବାପା ପ୍ରେମ ଆଉ ଶ୍ରଦ୍ଧା ପରି ଶବ୍ଦ ସବୁର ବିନିଯୋଗ କରୁଥାନ୍ତେ ତାଙ୍କ ଛୋଟ ପରିବାରରେ?....

ରାଶି ରାଶି ଅଶ୍ରୁ ସିକ୍ତ ରାତି ବଦଳରେ ପ୍ରୀତି ସିକ୍ତ ମୁହୂର୍ତ୍ତ ସବୁ ଥାନ୍ତା ମା ' ଲାଗି ରାତିର ନିର୍ଜନତାରେ। ମୁଠା ମୁଠା ହତାଶା ସ୍ଥାନରେ ଥାନ୍ତା ଅଜସ୍ର ପ୍ରତ୍ୟାଶାର ତାରା ଫୁଲ ତା' ଜୀବନ ଆକାଶରେ। ଏକମାତ୍ର ଝିଅ ଭାବେ ସେ ଉପେକ୍ଷା ନୁହେଁ ଅନନ୍ତ ଅପେକ୍ଷାର ଅନୁଭବ ପାଉଥାନ୍ତା। ବାପା ଗୋଟେ ସୁରକ୍ଷାର ବଳୟ ସାଜି ଜୀବନକୁ ସାଇତି ଦେଇଥାନ୍ତେ।

କିନ୍ତୁ ନିର୍ଲଜ ବାସ୍ତବତା ଥିଲା ଖୁବ୍ ହୃଦୟହୀନ , ପ୍ରେମ ଶୂନ୍ୟ,ନିଷ୍ଠୁର । ତରଙ୍ଗୀଣୀ ଗୋଟେ ପରିପୂର୍ଣ୍ଣ ଘର ଆଉ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ଝୁରିଥିଲା ସବୁବେଳେ।

ଖାସ ସେଥିପାଇଁ ଅଂଶୁର ଆକର୍ଷଣ ଥିଲା ଅପ୍ରତିହତ। ଯେବେ ଅଂଶୁ ଆସିଲା ତା' ଜୀବନରେ ସେ ସୁଖୀ ହେଇଥିଲା ବହୁତ ସୁଖୀ । ଆଜନ୍ମ ସନ୍ଧାନୀଥିବା ସେଇ ପ୍ରେମ ନାମକ ଦୁର୍ମୁଲ୍ୟ ବସ୍ତୁଟି

ହାତ ପାହାନ୍ତାରେ ଥିଲା। ଅତି ସୁନ୍ଦର ସେଇ ସମୟ ଆଉ ସଂଯୋଗ। ଅଂଶୁ ବି ଓଃ! କେତେ ଭଲ ପାଉଥିଲା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ପୁରା ପାଗଳା ଟେ ଥିଲା ସେ। କିଛି ବି କରୁଥିଲା ଏକଦମ ବିନା ଉପକ୍ରମରେ।

ଆଉ ସବୁଠୁ ଚମତ୍କାର ଥିଲା ତା' ଚିଠି । ଅଂଶୁର ଚିଠି , ଭାବିଦେଲେ ଶତ ସହସ୍ର ବଂଶୀ ଶୁଭେ ଆଜିବି।

କେତେ ରଙ୍ଗ, କେତେ ବାସ୍ନା, କେତେ ଆକାର ଆକୃତି, କେବେ ପ୍ରଜାପତି କେବେ ଜହ୍ନ ରାତି ସତେ ଅବର୍ଣ୍ଣନୀୟ। ଚିଠିର ମୋହ ଥିଲା ଅଂଶୁଠାରୁ ଅଧିକ ସବୁବେଳେ। କେତେ ସରାଗ , କେତେ ଶ୍ରଦ୍ଧା ସତେ ଆଜିର ଯନ୍ତ୍ର ଦୁନିଆରେ ମୋବାଇଲ୍ , କମ୍ପ୍ୟୁଟର ପରିବେଶରେ ସେ ଚିଠିର ଆକର୍ଷଣ ବୁଝେଇବା ଅସମ୍ଭବ।

**********

ସେଇ ଅଂଶୁ ଚିଠି ଦେଇ ଡକେଇ ଥିଲା ସେ ରାତିରେ। କେତେ ଥତ ମତ ହେଇ, ଡରି ଡରି , ଲୁଚି ଲୁଚି ଆସିଥିଲା ତରଙ୍ଗୀଣୀ। ବାପା ନଥିଲେ ଆଉ ମା' ସାରା ଦିନର ଅକ୍ଲାନ୍ତ ପରିଶ୍ରମର ପ୍ରଭାବରେ ଶୋଇଯାଇଥିଲା ନିଘୋଡ଼ ନିଦରେ। ଏଇ ସୁବର୍ଣ୍ଣ ସୁଯୋଗର ସୁବିନିଯୋଗ କରିଥିଲା ସେ। ଆଉ ଉନ୍ମାଦନାରେ ଘରର ଲକ୍ଷଣ ରେଖା ଲଙ୍ଘି ଆସିଯାଇଥିଲା। କିନ୍ତୁ ବିଚାରୀ ଜାଣିନଥିଲା ସେଇଟି ପ୍ରଥମ ଓ ଶେଷ ଉନ୍ମାଦନା!........

ଏକାକୀ ଶୁନଶାନ ରାତିରେ ଅଂଶୁ କହିଥିବା ନିର୍ଦ୍ଧିଷ୍ଟ ମନ୍ଦିରକୁ ଆସି ଅପେକ୍ଷା କରିଥିଲା ସେ ଅନୁଭବ କରିବାକୁ ଗୋଟେ ସୁନ୍ଦର ମୁହୂର୍ତ୍ତର କେଵଳ ଅଂଶୁ ସହ। ତା' ଲାଗି ସେଇ ଅଭୀସାର ଥିଲା ଗୋଟେ ଚିର ସ୍ମରଣୀୟ ଘଟଣା , ନିଜ ଇପ୍ସିତ ସହ ଏକାତ୍ମ ହେବାର ସଜଳ ସ୍ମୃତି। କିନ୍ତୁ ନିୟତିର ନିର୍ଦ୍ଦେଶ ଥିଲା ଭିନ୍ନ, ସେଇ ସୁଖଦ ଘଟଣାଟି ଗୋଟେ ଦୁର୍ଘଟଣାରେ ରୂପାନ୍ତରିତ ହେଇ ଯାଇଥିଲା ବିନା ପୂର୍ବ ସଂକେତରେ ଆଉ ପରିଚିତ ପାଦ ତଳର ମାଟି ଧସି ଯାଇଥିଲା ତରଙ୍ଗୀଣୀର।

ଆଜିବି ଜାଣେନା ସେ ସେଇ ରାତିରେ ତା' ସହ କେଉଁ ମାନେ ଦୁଷ୍କର୍ମ କରିଥିଲେ। ଏପରିକି ସେ କହି ପାରିବ ନାହିଁ କେତେ ଜଣ ଥିଲେ। କେବଳ ଏତିକି ଜାଣେ ସେ ଅସ୍ପୃଶ୍ୟ ହେଇଯାଇଥିଲା ଅଂଶୁ ପାଇଁ, ପରିବାର ପାଇଁ ଆଉ ସର୍ବୋପରି ସମାଜ ପାଇଁ। ପ୍ରେମର ଆମନ୍ତ୍ରଣରେ ନିଜ ସମଗ୍ର ସତ୍ତା ହରେଇ ନିଃସ୍ୱ ହେଇଯାଇଥିଲା ବିଚାରୀ। ପ୍ରେମ ପରି ସୁଖଦ ଅନୁଭବ ଟିଏ ଲେଖିବାର ପ୍ରଯତ୍ନ କରିନଥିଲେ ଈଶ୍ୱର ତା' ପାଇଁ ବୋଧେ। ଘରର ଚାରିକାନ୍ଥ ଭିତରେ ମିଳି ନଥିଲା କି ଘରର ଲକ୍ଷଣ ରେଖା ସେପାରେ ମିଳିବାର ସମ୍ଭାବନା ନଥିଲା ପ୍ରେମର କେଉଁଠିବି !!....

କି ଭୁଲ ଥିଲା ତା'ର ? ଅଂଶୁକୁ ଭଲ ପାଇବା କ'ଣ ଭୁଲ ନା' ଏମିତି ରାତିରେ ଘରୁ ବାହାରି ଆସିବା?..ଏଇ ଅସମାହିତ ପ୍ରଶ୍ନରୁ ଗୁଡିଏ କେବଳ ନିଶବ୍ଦରେ କୋଳାହଳ କରୁଥିଲେ କିନ୍ତୁ ଗୋଟିଏର ବି ଉତ୍ତର ନଥିଲା।ସେ ଅନେକ ଖୋଜି ଥିଲା କାରଣ , କିନ୍ତୁ ସବୁ ପ୍ରଶ୍ନର କ'ଣ ମିଳେ ସନ୍ତୋଷ ଜନକ ଉତ୍ତର???.

**********

ମା' ଆସିଥିଲା ମାତୃତ୍ୱର ତାଡନାରେ , ନେଇଥିଲା ଦାୟିତ୍ୱ ଆଉ ସୁସ୍ଥ କରେଇ ଥିଲା ହସ୍ପିଟାଲରେ ଅର୍ଥ ଶ୍ରାଦ୍ଧ କରି। ବାପା କିନ୍ତୁ ଆସି ନଥିଲେ । ଏଇ ଦୁର୍ଘଟଣା ତା'ର ଅପକର୍ମର ଫଳ ଭାବେ ବିବେଚନା କରି ତେଜ୍ୟ କରି ଦେଇଥିଲେ। ବଂଚି ଥାଉଁ ଥାଉଁ ପିଣ୍ଡ ଦାନ କରି ଦେଇଥିଲେ। ଘର ବୋଲି ଠିକଣା ବି ରହିନଥିଲା ତା'ର।

ସେ ଏକାକୀ, ଅସହାୟ , ଦୁସ୍ଥ , ଅବହେଳିତ ଭାବେ ନିଜ ସହ ନିଜେ ଲଢ଼ୁଥିବା ସମୟରେ ଅଂଶୁବି ଆସି ନଥିଲା ଥରେ ତା' ଲାଗି ହସ୍ପିଟାଲ୍। ଗୋଟେ ଫୋନ୍ ବି କରିନଥିଲା । ଯେମିତି ସେ ବିଲକୁଲ ଜାଣିନି କି ଚିହ୍ନିନି ତରଙ୍ଗୀଣୀକୁ। ଯେମିତି ସେ ଅପରିଚିତ।

ଅବିଶ୍ୱାସନୀୟ ଭାବେ ନିଷ୍ଠୁର ଆଉ ହୃଦୟହୀନ ହେଇଗଲା ଅଂଶୁ । ତା' ବାପାଙ୍କ ଅପେକ୍ଷା ବହୁତ ଅଧିକ ରୁକ୍ଷ ଥିଲା ସେଦିନ ତା' ସ୍ୱର। ହସ୍ପିଟାଲର ଲ୍ୟାଣ୍ଡ ଲାଇନ୍ ରୁ ସେ ଅଂଶୁର ଅଫିସକୁ ଫୋନ୍ କରିଥିଲା। କେତେ ଶକ୍ତ ଆଉ କେତେ ହୃଦୟହୀନ ଭାବେ କହିଦେଲା ଅଂଶୁ ," ମୁଁ ଆଉ କେବେବି ତୁମକୁ ଶୁଣିବାକୁ ଚାହେଁନି , ଭୁଲି ଯାଅ ମୋତେ"।

ଗୋଟେ ଭୟଙ୍କର ଭୂମିକମ୍ପର ଅନୁଭବ ଥିଲା ସେ ଶବ୍ଦ ସମ୍ଭାର। ଆଉ ସେଇ ଭୂମିକମ୍ପର ଆଘାତ ତରଙ୍ଗୀଣୀର ଦେହ ନୁହେଁ ଆତ୍ମାକୁ କ୍ଷତାକ୍ତ କରି

ଦେଇଥିଲା ସାରା ଜୀବନ ପାଇଁ। ଅଂଶୁ ନିଜକୁ ହୁଏତ ପ୍ରେମ ପାଇଁ ତିଆରି ନଥିଲା , ଯାହା ଥିଲା କେବଳ ଅଭିନୟ , ନହେଲେ କି ଏଇ ଅସହାୟ ମୁହୂର୍ତ୍ତରେ ହାତ ଛାଡି ଦେଇଥାନ୍ତା !.......

ଜୀବନର ସେଇ ଅଧ୍ୟାୟ ଥିଲା ସତରେ କାଳୀମାରେ ଲେଖା ଗୋଟେ ବିଷାକ୍ତ ଗାଥା ଯାହାର ପ୍ରଭାବ ଆଜିବି।

******

ତରଙ୍ଗୀଣୀ ସେମିତି ଦେଖୁଥିଲା ଅଂଶୁର ଏଇ ତିନି ଅକ୍ଷର ବିଶିଷ୍ଟ ଚିଠି। ଯାହା ତିରିଶ ବର୍ଷ ପରେ ଲେଖିଛି ସେ । ଆଜି ତରଙ୍ଗୀଣୀ ନିଜକୁ ଶୂନ୍ୟରୁ ଉଠେଇ ଗୋଟେ ସମ୍ମାନିତ ମଣିଷର ପରିଚୟ ଦେଇଛି। ନିଜ ଜୀବନର ସଂଗ୍ରାମ ନିଜେ ଏକାକୀ ଲଢ଼ିଛି। ଆଉ ନିଜକୁ ନିଜେ ସମ୍ଭାଳୁଛି । ସାରା ଜୀବନ ବିତିଗଲା ତା'ର ଗୋଟେ ଅବ୍ୟକ୍ତ ଯନ୍ତ୍ରଣା ଭିତରେ । ସତରେ ଆଜି ବୁଝିପାରୁନି ସେ ଏଇ ବୟସର ସୟାହ୍ନରେ କି ଲୋଡ଼ା ଏ ଆମନ୍ତ୍ରଣର ? ତା' ଜୀବନର ଅଗଣିତ ପାରିତ୍ୟକ୍ତ ମୁହୂର୍ତ୍ତ କ'ଣ ଏଇ ଆମନ୍ତ୍ରଣ ରେ ପୁଣି ସଜ୍ଜୀବିତ ହେଇପାରିବ? .....

କିନ୍ତୁ ଆସିଛି ତିନୋଟି ଶବ୍ଦ ସମ୍ବଳିତ ଗୋଟେ ନିମନ୍ତ୍ରଣ। ସେଇ ଛୋଟ କାଗଜ ଲେଖାଟି ନିଶବ୍ଦରେ ପ୍ରଚଣ୍ଡ କୋଳାହଳ କରୁଛି ତରଙ୍ଗୀଣୀର ସମଗ୍ର ସତ୍ତାରେ। ଆଉ ଗୋଟେ ବିରାଟ ପ୍ରଶ୍ନବାଚୀ ଆଙ୍କି ଦେଇଛି ତା'ର ସ୍ଥିତି ଉପରେ।

ସତେ କ'ଣ କରିବ ସେ ଯିବ ନା ଯିବନି ଏଇ ଚିଠିର ଆମନ୍ତ୍ରଣରେ?? ନା' ଯିବ ନିଶ୍ଚିନ୍ତ କାରଣ ସେତ ପ୍ରେମରେ ଅନନ୍ତ କାଳ ପର୍ଯ୍ୟନ୍ତ ପ୍ରତୀକ୍ଷାର ପ୍ରତିଶ୍ରୁତିରେ!........

*ସୌମ୍ୟା*

ନିଶବ୍ଦ ବିଚିତ୍ର ଚିଟ୍

Rate the content


Originality
Flow
Language
Cover design

Comments

Post

Some text some message..