Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାଜି
ବାଜି
★★★★★

© Santosh Kumar Misra

Inspirational

7 Minutes   13.7K    12


Content Ranking

ବାଜି

 

ସନ୍ତୋଷ କୁମାର ମିଶ୍ର

ଓଗାଳପଡା, ଖୋର୍ଦ୍ଧା 

 

                            ରାତି ବାରଟା୤ ଅରୁ ଆଖିରେ ନିଦ ନଥିଲାବିଛଣାଟା ଉପରେ ପଡିରହି ଖାଲି କଡ ଲେଉଟାଇ ଚାଲିଥିଲା ସେ୤ ତା’ ଆଗରେ ରହିଥିଲା ଅନେକ ପ୍ରଶ୍ନ ତା’ର ପିଲା ଦୁଇଟିର ଭବିଷ୍ୟତକୁ ନେଇ୤ ତା’ ମନରେ ଥିଲା ଅନେକ ଉତ୍କଣ୍ଠା, ଅନେକ ଉଦ୍‌ବିଗ୍ନତା୤ ମନ ଉତ୍କଣ୍ଠିତ ଥିଲେ  ଆଖିରୁ ନିଦ ହଜି ଯିବା ତ ଖୁବ୍‌ ସ୍ବାଭାବିକ୤ ଅରୁକୁ ବା ନିଦ ଲାଗନ୍ତା କିପରି? ଏହି ସମୟରେ ହଠାତ୍‌ ଟେଲିଫୋନଟି ବାଜି ଉଠିଲା ୤ ଚମକି ଉଠିଲା ଅରୁ୤ ଥୁ ଥୁ କରି ପୁଳାଏ ଛେପ ପକେଇ ନେଲା ନିଜ ଛାତିରେ୤ ନିଜକୁ ଟିକିଏ ସ୍ବାଭାବିକ କରିନେଲା ପରେ ସେ ଭାବିବାକୁ ଲାଗିଲା – ଏତେ ରାତିରେ କିଏ ବା ଫୋନ୍ କରୁଛି? ଏହି ସହରରେ ତ ତା’ର ଏମିତି କେହି ଆତ୍ମୀୟ ନାହାନ୍ତି ଯିଏ ମଝି ରାତିରେ ଟେଲିଫୋନ କରି ତାକୁ କିଛି ଜରୁରୀ ଖବର ଜଣେଇବାକୁ ଚାହିଁବେ୤ ଅରୁ ଭାବୁଥିଲା କିଏ ହେଇ ପାରେ ତେବେ? ଟେଲିଫୋନଟି ସେମିତି ବାଜି ଚାଲିଥିଲା୤ ଅରୁ କିନ୍ତୁ ରିସିଭରଟିକୁ ଉଠାଇବାକୁ ସାହାସ କରୁ ନଥିଲା୤ ମନଟା ତା’ର କ୍ରମଶଃ ଖୁବ୍‌ ବିବ୍ରତ ହୋଇ ଉଠୁଥିଲା୤

 

                             ଆଜିକାଲି ସହରରେ ଚର୍ଚ୍ଚା ଚାଲିଛି ଯେ କିଛି ଅସାମାଜିକ ଯୁବକ ରାତି ଅଧରେ ଟେଲିଫୋନ କରି ଖୁବ ଅଶ୍ଳୀଳ ଭାଷାରେ କଥା କହୁଛନ୍ତି୤ ସେମାନଙ୍କର ଟାର୍ଗେଟ୍ ରେ ଏକାକିନୀ ମହିଳାମାନେ ହିଁ ରହୁଛନ୍ତି୤ ଅରୁ ସେ କଥାର ଆଲୋଚନା ସ୍କୁଲରେ ଶୁଣିଥିଲା୤ ରାତି ଅଧରେ ଏପରି ଅସ୍ବାଭାବିକ ଭାବରେ ଟେଲିଫୋନଟି ବାଜିବାରୁ ସେ ଖୁବ୍‌ ଡରି ଯାଇଥିଲା୤ ଟେଲିଫୋନଟି ବାଜି ବାଜି କିଛି ସମୟ ପରେ ବନ୍ଦ ହେଇଗଲା୤ ଅରୁ ନିଜକୁ ସାନ୍ତ୍ବନା ଦେଲା୤ ଅରୁର ମନେ ପଡିବାକୁ ଲାଗିଲେ ତା’ର ଜଣେ ସହକର୍ମୀ ନମି ଦିଦି୤ ସ୍କୁଲ ଛୁଟି ପରେ  ସାଙ୍ଗ ହୋଇ ଘରକୁ ଫେରିବା ବାଟରେ ଦିନେ ନମି ଦିଦି କହୁଥିଲେ ତାକୁ:

----- ବୁଝିଲୁ ଅରୁ! କାଲି ରାତିରେ ଗୋଟେ କିଏ ଟେଲିଫୋନେ କରିଥିଲା୤ ମୁଁ ଘଣ୍ଟା ଦେଖିଲି ରାତି ଗୋଟାଏ ବଜିଥିଲା୤ ମୁଁ ଫୋନ ଟି ଉଠେଇବି ନଉଠେଇବି ଭାବି ଭାବି ଶେଷକୁ ଉଠେଇନେଲି୤

----- ତା ପରେ?

------ ତା ପରେ ଆଉ କଣ? ସେ ଯେଉଁ ଭାଷା କହିଲା ନା ମୋ କାନମୁଣ୍ଡ ଭାଁ ଭାଁ ହେଇଗଲା ୤ ମୁଁ ରିସିଭରଟିକୁ ଥୋଇଦେବାକୁ ତର ପାଇଲିନି୤ ଏମିତି ପୁଣି ବାଜେ ଲୋକ ଥାଆନ୍ତି ନା ଏ ଦୁନିଆରେ ୤

ଅରୁର ଦେହ ଶୀତେଇ ଉଠିଲା୤ ସେ ଟେଲିଫୋନଟି ନଉଠେଇ ଠିକ୍‌ କରିଛି ଭାବି ନିଜେ ପ୍ରକୃତିସ୍ଥ ହେବାକୁ ଚେଷ୍ଟା କଲା୤ ଅରୁ ଭାବୁଥିଲା ତା ପାଇଁ ବୋଧହୁଏ ସମୟ ଭଲ ନାହିଁ ଆଜିକାଲି୤ ଏବେ ଏବେ ତା ଘରକୁ ମାତ୍ରାଧିକ୍ୟ ବେନାମି ଟେଲିଫୋନ ଆସିବାକୁ ଲାଗିଲାଣି ୤ ଅବଶ୍ୟ ରାତି ଅଧରେ କେବେ ଫୋନ୍‌ ଆସିନଥିଲା୤ ରାତି ଅଧରେ ଫୋନ ଆସିବା ଏଇମାତ୍ର ପ୍ରଥମ ଘଟଣା୤ ବେନାମି ଫୋନ ବାବଦରେ ଅଭିଯୋଗ କରିକରି ଅରୁ ଥକି ଗଲାଣି ୤ କେହି ବି ଏଯାବତ୍ ଶୁଣି ନାହାନ୍ତି ତାର ଗୁହାରି୤ ଟେଲିଫୋନ ବିଭାଗରେ ସବୁ ହାକିମଙ୍କର ଗୋଟିଏ ଉତ୍ତର - ଆମେ ତଦନ୍ତ କରୁଛୁ୤

 

                             ଆଜିକାଲି ସହରୀ ବାବୁ ଭାୟାଙ୍କ ବ୍ୟବହାରରେ ଅରୁ ଖୁବ ମର୍ମାହତ୤ ସମସ୍ତଙ୍କ କଥା, ଚାହାଣି, ଭାଷା ସବୁ ଏକାପରି ଲାଗୁଛି ଅରୁକୁ୤ ସେ ଅନୁଭବ କରୁଥିଲା ସବୁଠି ଯେମିତି ଭରି ରହିଛି ମେଞ୍ଚା ମେଞ୍ଚା ଲମ୍ପଟତା୤ ତା’ ମନକୁ ଆସୁଥିଲା ଝିଅ ଜନ୍ମଟି ଗୋଟେ ଅଭିଶପ୍ତ ଜୀବନ ବୋଧେ୤ ଏମିତି ସବୁ ଲମ୍ପଟତାଭରା ମୃଦୁ ତାଚ୍ଛଲ୍ୟ ସର୍ବଦା ସହି ନେବାଟା ଯେମିତି ତା’ର ଧର୍ମ୤ ସେଥିପାଇଁ ବିଶେଷ କିଛି ଜରୁରୀ କାମ ନଥିଲେ ଅରୁ ଆଉ ବାହାରକୁ ଯାଉନି୤ ଘରୁ ସ୍କୁଲ ଏବଂ ସ୍କୁଲ ପରେ ଘର୤ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ସେ ମଗେଇ ନେଉଛି କାହା କାହା ହାତରେ୤ ତାର ଚିନ୍ତା ହେଲା ବହାରକୁ ଯାଇ ଏସବୁକୁ ସାମ୍ନା କରିବା ଅପେକ୍ଷା ଘରେ ଶାନ୍ତିରେ ବସି ଛୁଆଙ୍କ ସହିତ ସମୟ କାଟିବା ଭଲ୤ କାଲି ପରି ଲାଗୁଥିଲା ଅରୁକୁ୤ ସଞ୍ଜିବଙ୍କର ହାତରେ ହାତ ଥାପି ସେ ଆରାମରେ ବୁଲୁଥିଲା ଏ ସହରର ଗଳିକନ୍ଦିରେ୤ ହଜାରେ ଆଖି ବୁଲୁଥିଲା ତାଙ୍କ ଉପରେ୤ କିନ୍ତୁ ସେ ଚାହାଣିରେ ଥିଲା ଅନେକ ଭିନ୍ନ ସ୍ବାଦ୤ ଏବେ ଯେମିତି ସବୁ କିଛି ଓଲଟ ପାଲଟ ହେଇଯାଇଛି ସଞ୍ଜିବଙ୍କର ମୃତ୍ୟୁପରେ ୤ ଏ ସହରରେ ସେ ଏବେ ଜଣେ ଏକାକିନୀ ବିଧବା ସ୍ତ୍ରୀ୤ ଆହା କହିବା ବାହାନାରେ ବଢି ଆସୁଛି ତା’ ଆଡକୁ ଅନେକ ସମ୍ବେଦନଶୀଳ ହାତ୤ କିନ୍ତୁ ସେ ସବୁ ଅରୁକୁ ସହଜ କରିପାରୁ ନଥିଲା୤ ବରଂ ଆଞ୍ଜୁଳା ଆଞ୍ଜୁଳା କାମୁକତାରେ ଓଜନିଆ ହେଇ ଯାଉଥିଲା ତା’ର ଦେହ ଆଉ ମନ୤

 

                             ସଞ୍ଜିବଙ୍କର ମୃତ୍ୟୁ ହେବା ଚାରିବର୍ଷ ହେଇ ଗଲାଣି ଏ ଭିତରେ ୤ ଧିରେ ଧିରେ ଅରୁ ସ୍ବାଭାବିକ ହେଲାଣି୤ ପିଲା ଦୁଇଟା ସ୍କୁଲ ରେ ଭଲ ପଢାପଢି କରୁଛନ୍ତି ୤ ସହରରେ ସେ ଏକା ରହୁଛି ବୋଲି ମଝିରେ ମଝିରେ ବାପା କି ବୋଉ ଆସି ଘେରାଏ ବୁଲି ଯାଉଛନ୍ତି୤ ସ୍କୁଲର ସହକର୍ମୀ ଶିକ୍ଷୟତ୍ରୀମାନେ ମଧ୍ୟ ତାକୁ ଅନେକ ସହାୟତା କରନ୍ତି୤ ତଥାପି ତା ଭିତରେ ଗୁମୁରୁଥିବା ଦୁଃଖ ତା’ ମୁହଁରୁ ହସ ଉଭାନ କରିଦେଇଛି୤ ତା ସାଙ୍ଗକୁ ଆଜିର ଏ ଅସ୍ବାଭାବିକ ଘଟଣାଟିରେ ତା’ ଆଖିରୁ ନିଦ ହଜିଯାଇଛି ଅବଶିଷ୍ଟ ରାତି ପାଇଁ୤ ଶେଯ ଉପରେ  ପଡି ପଡି ଅରୁ ତା’ ନିଜକୁ ତର୍ଜମା କରିବାକୁ ଲାଗିଥିଲା୤ ସଞ୍ଜିବଙ୍କ ମୃତ୍ୟୁ ପରେ ସେ ଏହି ସହରରେ ତାର ପିଲା ଦୁଇଟି ସହିତ ଭଡା ଘରେ ରହି ଆସୁଛି ବିଗତ ଚାରି ବର୍ଷ ହେଲା, ହେଲେ ଆଜି ପରିକା ଅଘଟଣ ତା’ ସହିତ କେବେ ବି ଆଗରୁ ଘଟି ନଥିଲା୤ ସେ ଅବଶ୍ୟ ଶୁଣିଥିଲା ଅନ୍ୟମାନେ କଥାହେବା କି ଏପରି ସବୁ ଘଟୁଛି ଆଜିକାଲି ଏ ସହରରେ୤ ଅରୁ କିନ୍ତୁ କିଛି ଟେର୍‌ ପାଉନଥିଲା ଆଜିର ଦୁର୍ଘଟଣାର୤ ତା’ ଚିନ୍ତାର ପରିସର ଭିତରକୁ ଘନ ଘନ ପଶି ଆସୁଥିଲା ଗୋଟିଏ ନାଁ -  ରଜତ ମିଶ୍ର୤ ଏହି କେତେ ଦିନ ହେଲା ରଜତଙ୍କ ସହିତ ତାର ଘନିଷ୍ଠତା ଆବଶ୍ୟକତା ଠାରୁ ଟିକିଏ ଅଧିକ ବଢିଯାଇଛି ବୋଲି ସେଦିନ ସ୍କୁଲରୁ ଆସିଲାବେଳେ ନମି ମ୍ୟାଡାମ୍‌ ତାକୁ ଟାପରା କରୁଥିଲେ୤ ଅରୁ ମନକୁ ଆସୁଥିଲା ରଜତ ତେବେ କଣ ଏପରି ରାତି ଅଧରେ ଟେଲିଫୋନ୍‌ କରୁଛନ୍ତି୤ ସେ ମନେ ମନେ  ଠିକ୍‌ କଲା ଆସନ୍ତା କାଲି ଠାରୁ ଆଉ ରଜତଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ୤ ରଜତ ତା’ର ପଡୋଶୀ ୤ ସଞ୍ଜିବଙ୍କ ମୃତ୍ୟୁ ପରେ ସେ ତାକୁ ଅନେକ ଭାବରେ ସାହାଯ୍ୟ କରି ଆସିଛନ୍ତି୤ ରଜତଙ୍କ ଉପରେ କିଛି ମାତ୍ରାରେ ନିର୍ଭର କରିବାକୁ ଅରୁ ବାଧ୍ୟ ହେଇଛି୤ ଅରୁର ବିଶ୍ବାସ ଆସି ଯାଇଥିଲା କି ରଜତ ଜଣେ ଅତି ବିଶ୍ବସ୍ତ ବନ୍ଧୁ୤ କିନ୍ତୁ ଆଜି ତା’ ମନରେ ସନ୍ଦେହ ଜମାଟ ବାନ୍ଧିବାକୁ ଲାଗିଛି୤ ଅରୁ ସ୍ବୀକାର କରୁଥିଲା ଯେ ଯାହା ବି କିଛି ପ୍ରତିଷ୍ଠା ସେ ପାଇଛି ଏହି ସହରରେ ତାହା କେବଳ ସମ୍ଭବ ହେଇ ପାରିଛି ରଜତଙ୍କ ପୃଷ୍ଠପୋଷକତା ଯୋଗୁଁ୤ ଏ ସବୁ ସତ୍ବେ ସେ କିନ୍ତୁ ସନ୍ଦେହର ନିଆଁ ରେ ଜଳୁଥିଲା୤ ତା ମନରେ ଅନୁତାପର ଏକ କ୍ଷୀଣ ପ୍ରବାହ ତାକୁ ବିବ୍ରତ କରୁଥିଲା୤ ସେ ରହୁଥିବା ବସ୍ତିର ଲୋକମାନେ ମଧ୍ୟ ତାକୁ ଦେଖେଇ ସିଖେଇ କିଛି କଟାକ୍ଷ କରିବା ସେ  ବେଳେ ବେଳେ ଅନୁଭବ କରିଛି ଅବଶ୍ୟ୤ କିନ୍ତୁ ସେ ସବୁକୁ ସେ ଏତେ ଗମ୍ଭୀରତାର ସହିତ କେବେ ବି ବିଚାର କରିନଥିଲା୤ ମଝି ରାତିରେ ଟେଲିଫୋନ ବାଜିବାରେ କିନ୍ତୁ ତା’ ପାଦ ତଳୁ ମାଟି ଧସିବାକୁ ଲାଗିଲା୤

 

                             ଅରୁ ଭାବୁଥିଲା ରାତି ପାହିଲେ ସେ ରୋକଠୋକ୍ ଭାବେ ରଜତ ବାବୁଙ୍କୁ କହିଦେବ କି ସେ ତା ଠାରୁ ଦୂରେଇ ଯାଆନ୍ତୁ୤ ତା’ର ଭଲ ମନ୍ଦ ବୁଝିବାକୁ ସେ ଆଉ ଆଗ୍ରହ ପ୍ରକାଶ କରିବା ଉଚିତ୍ ହେବନି ଉଭୟଙ୍କର ସ୍ବାର୍ଥ ଦୃଷ୍ଟିରୁ୤ ତାଙ୍କର ସମ୍ପର୍କକୁ ଏବେ ସାହିଭାଇମାନେ ଆଉ ଭଲ ଆଖିରେ ଦେଖୁ ନାହାନ୍ତି୤ ପୁଣି ତା’ ମନକୁ ଆସୁଥିଲା ତାଙ୍କୁ ଏ ସବୁ କହିବା ଅପେକ୍ଷା ସେ ନିଜେ ନିଜେ ତାଙ୍କ ଠାରୁ ଆବଶ୍ୟକ ଦୂରତ୍ବ ବଜାୟ ରଖିଲେ କ୍ଷତି କଣ୤ କଥାରେ କହନ୍ତି ଆଲୋ ସଖି ଆପଣା ମହତ ଆପେ ରଖି୤ ଅରୁ କିନ୍ତୁ ନିଶ୍ଚିତ ଥିଲା ଯେ ସେ ଯେଉଁ ପ୍ରତିଷ୍ଠା ପାଇପାରିଛି ସମାଜରେ ରଜତ ବାବୁଙ୍କ ସାନ୍ନିଧ୍ୟ ଯୋଗୁଁ ହୁଏତ ତାହା ତଳିତଳାନ୍ତ ହେଇଯିବ ତାପରେ୤ ପୁଣି ଥରେ ତାକୁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ହେବ୤ ଏ ସବୁ କଣ ସମ୍ଭବ ହେଇ ପାରିବ ଏହି ସହରରେ, ନା ସେ  ଏହି ସହର ଛାଡି ଅନ୍ୟତ୍ର ଚାଲିଯିବ? ଯାହା ବି ହେଉ ଏ ଭଳି ଅଘଟଣ କୁ ଏଡେଇ ଯିବାକୁ ହେଲେ ତାକୁ କିଛି ରୋକଠୋକ ପଦକ୍ଷେପ ନେବାକୁ ପଡିବ୤ ଏଭଳି ଏକ ନିଷ୍ପତ୍ତି ନେବାରେ ସେ କିନ୍ତୁ ଖୁସି ନଥିଲା୤ କୋଉଠି ନା କୋଉଠି ତା’ର ମନରେ ରଜତଙ୍କ ପାଇଁ କିଛି ଦୁର୍ବଳତା ଅବଶ୍ୟ ରହିଥିଲା୤ ପରିସ୍ଥିତିର ତାଡନାରେ ହେଉ କି ନିଃସଙ୍ଗତାରୁ ହେଉ ରଜତଙ୍କ ସହିତ ବନ୍ଧୁତାରେ ସେ ଉତ୍ସାହିତ ହେଉଥିଲା୤ ଦେହ ଓ ମନ ର ଦାବୀ ପାଖରେ ସେ ହାର ମାନିଯିବାକୁ ବାଧ୍ୟ ହେଉଥିଲା୤ 

 

                             ସ୍ବାମୀର ମୃତ୍ୟୁ ପରେ ଜଣେ ବିଧବା ସ୍ତ୍ରୀର ଆର୍ଥିକ ଓ ସାମାଜିକ ସ୍ଥିତି ଯେ କିପରି ଅଚାନକ ଭାବରେ ବଦଳି ଯାଏ ତାର ଏକ ସଦ୍ୟତମ ଉଦାହରଣ ଥିଲା ଅରୁ୤ ଅବଶ୍ୟ ସେ ନିଜେ ଜଣେ ଶିକ୍ଷୟତ୍ରୀ ହୋଇଥିବା ଯୋଗୁଁ ତାର ଆର୍ଥିକ ଅବସ୍ଥା ନବଦଳିଥିଲେ ବି ବିଶେଷ ଭାବରେ, ତାର ସାମାଜିକ ସ୍ଥିତିରେ ଆକାଶ ପାତାଳ ଫରକ ଆସି ଯାଇଥିଲା୤ ସମାଜର ବଡପଣ୍ଡା ମାନେ ସବୁବେଳେ କହି ଆସିଛନ୍ତି ବିନା ଆଶ୍ରେ ନ ବର୍ତ୍ତନ୍ତି କବିତା ବନିତା ଲତା୤ ଏହାର ସତ୍ୟତା କୁ ସମସ୍ତଙ୍କୁ ସମାଜରେ ଉପଲବ୍ଧି କରାଇବା ପାଇଁ ସେମାନେ କାୟମନୋବାକ୍ୟରେ ଲାଗି ପଡନ୍ତି୤ ତେଣିକି କିଏ ମଲା ବା ଗଲା ସେଥିରେ ତାଙ୍କର ଯାଏ ଆସେ ନାହିଁ୤ ତେଣୂ ସମାଜରେ ଆତ୍ମ ମର୍ଯ୍ୟଦାର ସହିତ ବଞ୍ଚିବାକୁ ହେଲେ ଜଣେ ବିଧବା ସ୍ତ୍ରୀକୁ ଯେ ପ୍ରତି ମୁହୂର୍ତ୍ତରେ ଖଣ୍ଡାଧାରରେ ଚାଲିବାକୁ ପଡେ ବା ଅଗ୍ନି ପରୀକ୍ଷାର ସାମ୍ନା କରିବାକୁ ପଡେ ସେଥିରେ ଦ୍ବିମତ ନାହିଁ୤ ତା’ର ଇଚ୍ଛା , ତା’ର ନିଜସ୍ବତା ସବୁ କିଛି ଜଳି ଯାଇଥାଏ ତା’ର ବର୍ଦ୍ଧିଷ୍ଣୁ ନିସଙ୍ଗତାର ନିଆଁରେ୤ ଅରୁ ବା ବାଦ ପଡନ୍ତା କିପରି ଏ ବ୍ୟାଖ୍ୟାନ କି ପରିଭାଷାରୁ?

 

                             ଭୟାତୁର ଅରୁର ମନରେ ଆସୁଥିଲା ଅନେକ ପ୍ରଶ୍ନ୤ ଏମିତି ଏକ ବିଷମ ପରିସ୍ଥିତିରୁ ଉତ୍ପନ୍ନ ଦୁଃଖଦ ପରିଣାମ ସବୁକୁ ଭାବୁ ଭାବୁ ତା’ ଆଖିରେ  ନାଚି ଉଠୁଥିଲେ ତା’ର ଦୁଇ ପିଲା ଆଉ ସେମାନଙ୍କର ଭବିଷ୍ୟତ୤ ତା ଛଡା ସେମାନଙ୍କ କଥା ବା ଭାବିବ ଆଉ କିଏ? ବିବ୍ରତ ହେଇଉଠୁଥିଲା ଅରୁ୤ ଏକ ଅସୁରକ୍ଷିତ ଓ ଅନିଶ୍ଚିତ ଭାବିଷ୍ୟତର କ୍ରମବର୍ଦ୍ଧିଷ୍ଣୁ ଆଶଙ୍କା ଖିନ୍‌ଭିନ୍‌ କରି ପକାଉଥିଲା ତା’ ମନକୁ ୤ ଭୟ, ଖେଦ ଓ ବିରକ୍ତି ଫେଣ୍ଟା ମନରେ ଶେଯରେ ପଡି ରହି ଅରୁ ଚାହିଁ ରହିଥିଲା ଝରକା ଫାଙ୍କରେ ଉଙ୍କି ମାରୁଥିବା ପାହାନ୍ତି ଆକାଶର ଖଣ୍ଡିଆ ଜହ୍ନକୁ୤ ସେ ମନେ ପକାଉଥିଲା ପିଲାଦିନେ ମା’ କୋଳରେ  ବସେଇ ତାକୁ କହୁଥିବା କଥା:

--- ଦେଖ ଅରୁ! ଆଜି କେମିତି ଆକାଶରେ ଜହ୍ନଟା ଖଣ୍ଡିଆ ଦିଶୁଛି୤ କାଲି କିନ୍ତୁ ବେଶ୍‌ ବଢିଯାଇଥିବ୤ ଏମିତି ବଢି ବଢି ଗୋଲ ହେଇଗଲା ପରେ ପୁଣି ଛିଡିବାକୁ ଲାଗିବ୤ ଜୀବନ ରେ ଦୁଃଖ ସୁଖ ଯନ୍ତ୍ରଣା ଓ ଆମୋଦର ମଧ୍ୟ ଠିକ୍‌ ସେହିପରି ବଢାଛିଡାର ପ୍ରକ୍ରିୟା ଲାଗି ରହିଥାଏ୤ ଦୁଃଖ ନଥିଲେ ସୁଖର ମାତ୍ରା ମାପି ହୁଏନି୤ କଷ୍ଟ ନଥିଲେ ମନରେ ଆନନ୍ଦର ମାତ୍ରା ବି ଜାଣି ହୁଏନି୤ ଯିଏ ଜୀବନକୁ ବାଜି ମାରି ଜିଇବାକୁ ଚେଷ୍ଟାକରେ ଜୀବନ ହିଁ ତାରି ପାଖରେ ହାର ମାନିଥାଏ୤

ଅରୁ ଅନୁଭବ କରୁଥିଲା ତା’ ମନରୁ ଯେମିତି ସବୁ ଦୁର୍ବଳତା କୁଆଡେ ଠେଲି ହେଇଯାଉଛି୤ ତା’ର ଭାରାକ୍ରାନ୍ତ ମନ କ୍ରମଶଃ ହାଲୁକା ହେଇ ଆସୁଛି୤ ଦୁଃଖଦ ଏହି ପରିସ୍ଥିତିକୁ ସାମନା କରିବା ପାଇଁ ତା’ ଭିତରେ ଯେମିତି ଏକ ଅଦୃଶ୍ୟ ଶକ୍ତି ଜମାଟ ବାନ୍ଧୁଛି୤

 

                             ରାତି ପ୍ରାୟ ସରିବା ଉପରେ୤ ପୂର୍ବ ଆକାଶରେ ସିନ୍ଦୁରା ଫାଟିବାର ସୁଚନା ମିଳିବାକୁ ଲାଗିଲାଣି୤ ଅରୁ କିନ୍ତୁ ଅନ୍ୟଦିନ ପରି ଶେଯ ଛାଡି ପାରୁନଥିଲା ଆଜି୤ ସତେ ଯେପରି ସେ ଶୋଇଯିବାକୁ ଚହୁଁଥିଲା ଆହୁରି ଅଧିକ ସମୟ୤ କିନ୍ତୁ କଣ କରିବ? ପିଲାଙ୍କୁ ଉଠାଇ ସ୍କୁଲ ପାଇଁ ପ୍ରସ୍ତୁତ କରିବାକୁ ପଡିବ ଯେ୤ ପୂଣି ଥରେ ଟେଲିଫୋନ ବାଜି ଉଠିଲା୤ ଏଥର କିନ୍ତୁ ଅରୁକୁ  ଆଉ ଭୟ ଲାଗିଲାନି୤ ପରିସ୍ଥିତିକୁ ସାମନା କରିବାର ଏକ ସାହସ ତା’ ଭିତରେ ପ୍ରାୟତଃ ଅଙ୍କୁରିତ ହେଇ ସାରିଥିଲା୤ ସେ ଟେଲିଫୋନର ରିସିଭରଟି ଉଠାଇନେଲା:

----- ହାଲୋ

ଅପର ପାର୍ଶ୍ବରୁ ଶୁଭୁଥିଲା ଜଣେ କେହି ଅଜଣା ପୁରୁଷଙ୍କର ସ୍ବର୤ ଅରୁର ଓଠରେ ଧିରେ ଧିରେ ଆଙ୍କି ହେଇଯାଉଥିଲା ସ୍ବଳ୍ପ ସ୍ମିତ ହାସ୍ୟ୤ ସେ ଉତ୍ତର ଦେଲା:

---- ଓଃ , ରଙ୍ଗ୍‌ ନମ୍ବର୤

 

( ସମାପ୍ତ )

 

                              

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ଗଳ୍ପଟି ସହରରେ ରହୁଥିବା ଜଣେ ଏକାକିନୀ ମହିଳାଙ୍କର ସମସ୍ୟାକୁ ନେଇ ଏକ ଉପସ୍ଥାପନା ୤

Rate the content


Originality
Flow
Language
Cover design

Comments

Post

Some text some message..