Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସାହିତ୍ୟିକ - ଏକ ରମ୍ୟ ରଚନା
ସାହିତ୍ୟିକ - ଏକ ରମ୍ୟ ରଚନା
★★★★★

© Banabihari Mishra

Others

4 Minutes   268    7


Content Ranking

ଦିନେ ସକାଳୁ ସକାଳୁ ବସି ଭାବିଲି ମୁଁ ଜଣେ ସାହିତ୍ୟିକ ହେବି। ଗପ ଲେଖିବି, ଗୀତ ଲେଖିବି। ନାଁ କମେଇବି। ସମସ୍ତେ ମୋତେ ଜାଣିବେ। ସମ୍ମାନ କରିବେ। ଗପର କଥାବସ୍ତୁ ବାଛିବା ଲାଗି ମୁଣ୍ଡ ଉପରେ ଖୁବ୍ ଜୋର୍ ଦେଲି। ୟା ଲେଖିବି ତା ଲେଖିବି। ଏମିତି ଆରମ୍ଭ କରିବି ଆଉ ସେମିତି ଶେଷ କରିବି। ଏଇମିତି ଭାବୁ ଭାବୁ ଗୋଟେ ଆଦବ କାଇଦାରେ ପଢା ଟେବୁଲରେ ବସି ପଡ଼ିଲି।

ଧାଡିଏ ଲେଖା ହେଲା। ପୁଣି ପସନ୍ଦ ହେଲାନି। ନାଃ, ଆଉ କିଛି ଲେଖିବି। ପୁଣି ଧାଡିଏ ଲେଖା। ଏଇମିତି ନୂଆ ଖାତାଟାର ଅଧା ଚିରା ହେଇ ଘରସାରା ଚିରା କାଗଜ ଗଦା ହେଇଗଲାଣି, ସେ ଆଡ଼କୁ କିନ୍ତୁ ମୋର ଧ୍ୟାନ ନାହିଁ। ଶ୍ରୀମତୀଙ୍କୁ କଡାକଡି ଆଦେଶ ଦେଇଦେଲି, ପ୍ରତି ଅଧଘଣ୍ଟାରେ କପେ ଲେଖାଁ ଚା' ଦରକାର। ମୁଣ୍ଡଟାକୁ ତାଜା ଆଉ ସୃଜନଶୀଳ କରିବା ପାଇଁ ଉଚିତ୍ ସମୟ ବ୍ୟବଧାନରେ କପେ ଲେଖାଏଁ ଚା ଦରକାର। ମୁଣ୍ଡ ଯଦି ଜାମ୍ ହେଲା ତେବେ ମୁଣ୍ଡକୁ ଗପ ଆଉ ତାର ଭାଷା ଆସିବ କୋଉଠୁ? ଶ୍ରୀମତୀ ମଧ୍ୟ ଆଜ୍ଞାବହ ପରି ଚା କପ୍ ପରେ କପ୍ ଦେଇ ଚାଲିଛନ୍ତି।

ମୁଁ ତାଙ୍କୁ ଭଲଭାବେ ବୁଝାଇ ଦେଇଥାଏ ଯେ ମୁଁ ଗାଳ୍ପିକ ହେଲେ ସିଏ ଗାଳ୍ପିକଙ୍କର ସ୍ତ୍ରୀ। ଯେତେସବୁ ମାନସମ୍ମାନ ମିଳିବ ସେଥିରେ ସିଏ ମଧ୍ୟ ସମାନ ଅଂଶୀଦାର। ସଭାସମିତିରେ ମୋତେ ଯୋଉଠିକି ଡକା ହେବ ସେଠି ସିଏ ବି ଉପସ୍ଥିତ ରହିବେ। ସମସ୍ତେ ତାଙ୍କୁ ଜାଣିବେ। କେତେ ସମ୍ମାନ ମିଳିବ। ପ୍ରଶଂସା ଆଉ ସମ୍ମାନର ସମସ୍ତେ ବଶ। ରାଜାଠାରୁ ରଙ୍କ ପର୍ଯ୍ୟନ୍ତ। ଇଏ ତ ସାଧାରଣ ସ୍ତ୍ରୀ ଲୋକଟିଏ। ସେଥିରୁ ବାଦ୍ ପଡନ୍ତା କିପରି? ଘରେ କାଗଜ ଚିରା ହେଇ ଫୋପଡା ହେଲେ ଅଳିଆ ସଫା କରିବାକୁ ପଡ଼ିବ। ତଥାପି ସେଇ ଅନାଗତ ପ୍ରଶଂସାର ଆଶାରେ ଶ୍ରୀମତୀ କାଗଜ ଚିରାହୋଇ ଫିଙ୍ଗା ହୋଇଥିବା ଦେଖି ମଧ୍ୟ ସହି ଯାଉଥିଲେ। ମୁଁ ମର୍ମେ ମର୍ମେ ଅନୁଭବ କରୁଥିଲି ଯେ ଏଇଟା ସେ ନିରୀହ ସ୍ତ୍ରୀ ଲୋକଟି ପ୍ରତି ଘୋର ଅନ୍ୟାୟ ହେଉଛି। ତଥାପି ସେଇ ପ୍ରଶଂସା ଆଉ ସମ୍ମାନ ପାଇବାର ଲୋଭର ମୁଁ ମଧ୍ୟ ବଶୀଭୂତ ହେଇ ଯାଇଥିଲି। ଆଉ ସେଇଥିପାଇଁ ଘର ଯେତେ ଅଳିଆ ହେଲେ ମଧ୍ୟ ଘର ଅଳିଆ ହେବା ଓ ତଜ୍ଜନିତ ଘରଣୀଙ୍କୁ ହେବାକୁ ଥିବା ଅସୁବିଧା ପ୍ରତି ନଜର ଯାଉନଥିଲା।

ହଁ, ଏଇଥର ହେଲା। ଏଇଥର ଚା' କପଟା ବୋଧେ ଠିକ୍ କାମ ଦେଇଛି। ଗପଟା ଅଧାଅଧି ହେଲା ପରି ଲାଗୁଛି। ଆଉ ଫାଳେ ଲେଖିଦେଲେ ଫେସବୁକରେ ପୋଷ୍ଟ କଲାଭଳି ହେଇଯିବ। ପୁଣି ଭାବିଲି। ଆଗକୁ କ'ଣ ହେବ? ଖାଲି ସବୁବେଳେ ମନକୁ ଆସୁଥାଏ, ଅମୁକ ଲେଖିପାରୁଛି, ସମୁକ ଲେଖିପାରୁଛି। ମୁଁ କ'ଣ ଲେଖିପାରିବିନି? କାହିଁକି? ସେମାନେ କ'ଣ ଭାତଗୁଣ୍ଡା ଖାଉଛନ୍ତି ଆଉ ମୁଁ ଖୁଦକୁଣ୍ଡା ଖାଉଛି? ମୋ ମୁଣ୍ଡରେ କ'ଣ ଭୁଷି ଭରା ହେଇଛି? ମୁଁ କ'ଣ ସେମାନଙ୍କ ଠାରୁ କିଛି କମ୍ କି? ମୁଁ ବି ପାରିବି। ନିଶ୍ଚୟ ପାରିବି।

ଏଇମିତି ନିଜକୁ ନିଜେ ବୁଝେଇ ଏକରକମ ଦୃଢନିଶ୍ଚୟ ହେଇ ପୁଣି ଭାବିଲି। ଏତିକି ବେଳକୁ ଭେଁ କିନା ରଡି ଶୁଣି ମୋର ଧ୍ୟାନ ଭାଙ୍ଗିଗଲା। ବୋଧେ ସାନପୁଅଟା କାନ୍ଦୁଛି। ତାକୁ ଏଇ କିଛିଦିନ ହେଲା ଥଣ୍ଡାସର୍ଦ୍ଦି ହେଇଛି। ସେଇଥିପାଇଁ ସିଏ ଖାଲି ଚିଡିଚିଡା ହେଇଯାଇଛି। ସେଇଥିପାଇଁ ସିଏ କାନ୍ଦୁଛି।

ମୁଁ ଅଧିକ କିଛି ଚିନ୍ତା କରିବା ପୂର୍ବରୁ ପୁଅଟା ସିଧା ଦୌଡ଼ି ଆସି ମୋ କୋଳରେ ବସି ପଡିଲା। ସେତିକିରେ ହେଲାନାହିଁ ଯେ ହା...ଛୁଁ କରି ଛିଙ୍କି ଦେଲା ଯେ ନାକରୁ ଥୋଲେ ସିଙ୍ଘାଣି ମୋ ଗପଲେଖା ଖାତା ଉପରେ ପଡ଼ିଲା। ଯାହା ବାକିଆ ଥିଲା, ସେ ଚଣ୍ଡ ବଡପୁଅଟା ସେତକ ବି ସାରିଦେଲା। ସିଧାସଳଖ ତା ରଙ୍ଗ ଡବାଟା ଆଣି ଖାତା ଉପରେ ରଖି ଚିତ୍ର କରିବା ଆରମ୍ଭ କରିଦେଲା। ଅକ୍ଳାନ୍ତ ପରିଶ୍ରମ ପରେ ଅଧାଲେଖା ପାଣ୍ଡୁଲିପି ଉପରେ ପ୍ରଥମେ ସିଙ୍ଘାଣି ଆଉ ତାପରେ ରଙ୍ଗ ପଡି ନଷ୍ଟ ହେଇଯାଇଥିବାରୁ ମୋର ରାଗ ଯାଇ ପଞ୍ଚମରେ। ମନ ହୋଉଥିଲା ଠାରେ କରି ଚଟକଣାଟାଏ ପକେଇ ଦିଅନ୍ତି। କିନ୍ତୁ ନାଃ, ସେତକ କରିପାରିଲିନି। ଉଞ୍ଚେଇଥିବା ହାତଟା ଅଟକି ଗଲା। ତା'ର ବା ଦୋଷ କ'ଣ? ତାକୁ ମାରିଲେ ବା ଲାଭ କ'ଣ। ସବୁ ଦୋଷ ତା ମା'ର। ମାର ମାର, ଭଣ୍ଡାରିଆକୁ ମାର୍। କାଣି ବିରାଡ଼ି କୁଜି ଅସରପା ଉପରେ ବାଇ ହେଲାପରି ସବୁ ରାଗ ଘରଣୀଙ୍କ ଉପରେ ସାରିଦେଲି।

"ଛୁଆପିଲାଙ୍କ ମା' ହେଲଣି। ପିଲା ଦି'ଟାଙ୍କୁ ସମ୍ଭାଳି ପାରୁନା?" ଚିତ୍କାର କରି ଉଠିଲି, "ଆସ ଦେଖିବ, ଏ ଛୁଆ ଦି'ଟା କ'ଣ କଲେ। ପୁରା ବରବାଦ କରିଦେଲେ। କ'ଣ କରୁଛ ବସି ବସି। ନିହାତି ଅଯୋଗ୍ୟ। ସେଃ.....।"

ବାସ୍, ଏତିକି। ସେଇ ଯେ ଯୋଗାପଣିଆକୁ ଆକ୍ଷେପ କରିଦେଲି, ସେଇଠି ବେଦ ଅଶୁଦ୍ଧ ହେଇଗଲା। ମୋର ସତେ ଯେମିତି ମସ୍ତବଡ ଭୁଲ୍ ହେଇଗଲା। କସାବ ପରି ଫାଶୀ ପାଇବା ପାଇଁ ମୁଁ ଯୋଗ୍ୟ ହେଇଗଲି। ଭିତରୁ ସିଂହୀ ପରି, ଆରେ ନା ନା, ରଣଚଣ୍ଡୀଟେ ପରି ମାଡିଆସିଲେ ଶ୍ରୀମତୀ। ଆଉ ବିନା ପୂର୍ଣ୍ଣଛେଦ ଅବା କମାରେ ଆରମ୍ଭ ହେଇଗଲା ଗଳ୍ପଲେଖାର ଅନ୍ତିମ ଦୃଶ୍ୟର ସଂଳାପ ସବୁ।

"ଯାଉନ, ଭାରି ଗୋଟେ ଗପଲେଖା ଚାଲିଛି। କବି ହବ ନା କୋବି। ତମ ଦିହକରେ କେବେ ଲେଖାଲେଖି ହେଇଛି ନା ଏବେ ହବ। ସେଇଥିପାଇଁ ପରା ସର୍ଟକଟ୍ ଉତ୍ତରବାଲା ବିଜ୍ଞାନ ପଢିଲ। କଳା ଯଦି ପଢିଥାଆନ୍ତ ତେବେ କେଜାଣି ଦି ଧାଡ଼ି ଲେଖି ପାରିଥାଆନ୍ତ। ସେଥିଲାଗି ମଗଜ ଦରକାର ଆଉ ସେଇଟା ତୁମର ନାହିଁ। ଯାଉନ ଦେଖିବ, ରାକେଶ ମିଶ୍ର, ସୁବଳ ମହାପାତ୍ର, ଅମୀୟ ବେଜ୍ ଆହୁରି କେତେସବୁ ଗାଳ୍ପିକ ଅଛନ୍ତି। କେତେ ସୁନ୍ଦର ସୁନ୍ଦର ଗପ ଲେଖୁଛନ୍ତି। ପାଠକ ମହଲରେ କେତେ ଆଦର। କେତେ ଲାଇକ, କେତେ ଭଲ ଭଲ କମେଣ୍ଟ ମିଳୁଛି। ପଢିଲେ ତୁମ ଡୋଳା ଖୋସି ହେଇଯିବ ତ। ଇଆଡେ ଘରେ ପରିବା ନାହିଁ। କେତେବେଳୁ କହୁଚି ହାଟରୁ ଯାଇ ପରିବା ଦି'ଟା ଆଣିବାକୁ। ସେତକ ହେଲାନି। ମୋ ଭାଇ ଭାଉଜ ଆସିବେ ବୋଲି ଖବର ଦେଇଛନ୍ତି। ଭଲ ମାଛ ଆଣିବା ପାଇଁ କହିଥିଲି, ସେତକ ବି ହେଲାନି। ସେଥିରେ ପୁଣି ମୋ ଉପରେ ରାଗି। କରିଧରିକି ଦେଲାଠୁ? କାହିଁକି ଔଷଧ ବିକଳରେ ତାଟିଆ କାମୁଡୁଛ? ଚୁଲି ରାଗ ହାଣ୍ଡି ଉପରେ ସାରୁଛ? ତମ ଦେଇ ଲେଖାଲେଖି ହବନି। ତମ ଅଫିସ ଠିକ୍ ତ ତମେ ଠିକ୍। ସେତକ ହେଲେ ଘର ବି ଠିକ୍। ଏତକ କହି ମୋତେ ଆଉ କିଛି ଭାବିବାକୁ ନ ଦେଇ ଚିଲପରି ଖାତାଟା ଝାମ୍ପି ନେଇଗଲେ। ଆଉ ଧରେଇ ଦେଲେ ପଇସା ଆଉ ପରିବା ଚିଠା। ଓଦା ସରସର ବିଲେଇଟିଏ ପରି ଡରିମରି ବାଧ୍ୟ ଶିଶୁଟିଏ ପରି ଉଠିଲି ଗପଲେଖାରେ ପୂର୍ଣ୍ଣଛେଦ ଦେଇ। ପୁଣି ଫେରିଲି ସେଇ ଗତାନୁଗତିକ ଧାରାକୁ। ଶଗଡଗୁଳାର ଜୀବନକୁ। ଆଉ ଏଥିରୁ ମୁକ୍ତି କାହିଁ ଯେ?

କବି ଘରଣୀ ଯୋଗ୍ୟ

Rate the content


Originality
Flow
Language
Cover design

Comments

Post

Some text some message..