Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Comedy

3  

Lopamudra Mishra

Comedy

ଓଲଟ ଶ୍ରାଦ୍ଧ

ଓଲଟ ଶ୍ରାଦ୍ଧ

6 mins
15.6K


ଵାପିନା ଟା ଭାରି ଟାଉକା ଆଉ ଗୋଟେ ମସ୍ତବଡ ବୋକା ମଧ୍ୟ l ବାପ ଜୀଇଁ ଥାଉ ଥାଉ କିଛି ଵି ଟିକେ ଅକଲ ଶିଖି ପାରିଲାନାହିଁ ତାଙ୍କ ଠାରୁ l ଯେ କେହି ଵି ତାକୁ ସହଜରେ ଠକେଇ ଦେଇପାରିବ l ଏ ଦୁନିଆଁ ରେ ତ ଆଉ ସରଳ ହେଲେ ଚଳେନାହିଁ l ଲୋକେ କାହାର ସରଳପଣିଆ ରେ ଖୁସି ନହୋଇ ବରଂ ତାର ସରଳତାର ଫାଇଦା ଉଠାନ୍ତି l

ବୋକା ଵାପିନା ର ସ୍ତ୍ରୀ ଟା କିନ୍ତୁ ଖୁବ ବୁଦ୍ଧିମତୀ l

ଵାପିନା କୁ କେହି ଠକେଇଥିଲେ ଵାପିନାର ସ୍ତ୍ରୀ ଲଳିତା ତାକୁ ଠିକ ଜବାବ ଦେଇ ସବୁ ହିସାବ ଠିକ ଠିକ ଦେଖେଇ ଦିଏ l

ଟାଉକା ଵାପିନା ସବୁବେଳେ ଖାଇବା ଲୁଚେଇ ଖାଇଦିଏ l ମିଠା, ଖଟା, ପିତା, ରାଗ ସବୁ ପ୍ରକାର ସ୍ୱାଦର ଖାଦ୍ୟ ସହିତ ତାର ଗୋଟେ ନିଆରା ସମ୍ପର୍କ l ବେଳେ ବେଳେ ଲଳିତା ଭାବେ, "ୟାଙ୍କର ଜନ୍ମ ବୋଧେ କେବଳ ଖାଇବା ପାଇଁ l ଅକର୍ମା ଲୋକ କୋଉଠିକାର l"

ଵାପିନା ବାପାଙ୍କର ଶ୍ରାଦ୍ଧ ବାର୍ଷିକ ପାଖେଇ ଆସିଲା l ସେ ପୁରୋହିତ ଙ୍କୁ ଯାଇ ଖବର ଟା ଦେଇଆସିଲା l ଶ୍ରାଦ୍ଧ ଦିନ ଲଳିତା ପିଣ୍ଡ ରାନ୍ଧିଲା l ମୁଗ, ଅରୁଆ ଚାଉଳ,ମହୁ, କଞ୍ଚା କଦଳୀ,ଦେଶୀ ଆଳୁ, ସାରୁ ଓ ଦେଶୀ ଗାଈ ର ଘିଅ ପକାଇ ଲଳିତା ଖୁବ ସ୍ୱାଦିଷ୍ଟ ପିଣ୍ଡଭାତ ପ୍ରସ୍ତୁତ କଲା l ହାଣ୍ଡି ରୁ ମନମୁଗ୍ଧକର ବାସ୍ନା ବାହାରି ଆସୁଥାଏ l ଵାପିନା ପିଣ୍ଡ ଦାନ କରିବ l ସକାଳୁ ଉପବାସ ରେ ଅଛି l ସେ ଏତେସମୟ ଭୋକ ରେ ଆଦୌ ରହିପାରେନାହିଁ l ସେହି ମିଶା ମିଶି ଖେଚୁଡ଼ି ର ବାସ୍ନା ତାର ଭୋକ କୁ ଆହୁରି ବଢ଼େଇଦେଉଛି l

--ଲଳିତାଲୋ ! ମତେ ଭାରି ଭୋକ l ତୁ ଯାହାକୁ ରାନ୍ଧିଛୁ ଅଳପ ଗଣ୍ଡେ ଦିଅନ୍ତୁ ନି?

--ହା ତୁମ ମୁଣ୍ଡ ଖରାପ ହେଇଛି କି? ତୁମେ ବଞ୍ଚିଥାଉ ଥାଉ ପିଣ୍ଡ ଭାତ ଖାଇବ? ପିଣ୍ଡ ପଡିସାରିଲା ପରେ ୟାକୁ ସବୁ ଗୋରୁ ଗାଈ ଖାଇବେ ନହେଲେ ପାଣି ରେ ପଡିବ l

--ତୁ ଏତେ ଯତ୍ନ ରେ ରାନ୍ଧିଛୁ ମୁଁ ଟିକେ ଚାଖିବିନି?

--ହେ କେମିତିକା ଲୋକ ଵା ତୁମେ? ତୁମ ବାପା ଗୋଶାପ ଆଉ ସ୍ଵର୍ଗବାସୀ ଚଉଦପୁରୁଷ ଙ୍କ ପାଇଁ ଏସବୁ ରନ୍ଧା ହେଇଛି l ୟା ଉପରେ ନଜର ପକାନା l ଯାଅ ଦେଖିବ ନନା ଆସିଲେଣି କି ନାହିଁ l

ଵାପିନା ଦେଖିଲା ବଟିଆ ନନା ନିଜେ ନଆସି ତାଙ୍କ ପୁଅ କୁ ପଠେଇଛନ୍ତି l ବୁଢ଼ାହେଇଗଲେଣି ଦେହ ଆଉ ଭଲ ରହୁନି ତାଙ୍କର l ତାଙ୍କ ବେଉସା ଏବେ ପୁଅ ନଟ ସମ୍ଭାଳୁଛି l

ଶ୍ରାଦ୍ଧ କାର୍ଯ୍ୟ ଆରମ୍ଭ ହେଲା l ନଟନନା ଶ୍ଳୋକ ମନ୍ତ୍ର ସବୁ ପାଠ କଲେ l ବୋକା ଵାପିନା ମନରେ ଅନେକ ପ୍ରଶ୍ନ l ସେ ତା ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲା l

--ନନା ଏଯେଉଁ ପିଣ୍ଡ ଦିଆଯାଉଛି, ତାକୁ କଣ ମୋ ପୂର୍ବପୁରୁଷ ସତରେ ଖାଇବେ?

-- ନିଶ୍ଚୟ l ତାଙ୍କ ନାଁ, ଗୋତ୍ର ସବୁ ଧରିକି ମନ୍ତ୍ର ପଢା ହେଉଛି ମାନେ ସେ ହିଁ ଏସବୁ ପାଇବେ l

--ଅଚ୍ଛା ନନା ସେ ଯଦି ସତରେ ଖାଉଥାନ୍ତି ତାହେଲେ ଏଠି ଏସବୁ କେମିତି ପଡିରହିଥାଏ?

--ସେମାନେ ପରୋକ୍ଷ ରେ ଖାଆନ୍ତି l କିନ୍ତୁ ତୁମେ ଦେଉଥିବା ପିଣ୍ଡ ସେମାନେ ପାଆନ୍ତି ନିଶ୍ଚୟ l

--ସେମାନଙ୍କ ଭୋକ କଣ ସତରେ ମେଣ୍ଟିଯାଏ ? ପେଟ ପୁରି ଯାଏ?

--ନୁହେଁ ତ ଆଉ କଣ?ସେମାନେ ସମସ୍ତେ ପରା ବର୍ଷ ର ଏହିଦିନଟି କୁ ଅପେକ୍ଷା କରି ରହିଥାନ୍ତି l ପୁରା ବର୍ଷକର ଭୋକ ତାଙ୍କର ଆଜିର ପିଣ୍ଡଖାଇ ମେଣ୍ଟିଯାଏ l

ଵାପିନା ଦେଖିଲା ନଟନନା ପିଣ୍ଡ ଖେଚୁଡ଼ି କୁ ଗୁଳା ଗୁଳା କରି ରଖୁଛନ୍ତି l ପୁଣି ତାସହ ଛେନା,ଗୁଡ ଆଉ କଦଳୀ ଚକଟି ଥୋଉଛନ୍ତି l ଵାପିନା ଆଉ ସମ୍ଭାଳି ପାରୁନି l ପାଟିରେ ତାର ଲାଳ ଭର୍ତ୍ତି ହେଇଗଲାଣି l କୌଣସି ପ୍ରକାରେ ଲାଳତକ ଗଳାପାଖେ ଭିତରକୁ ନେଇ ଢ଼ୋକି ପକାଇଲା l

ଟାଉକା ଵାପିନା ଏକଧ୍ୟାନ ରେ ସେହି ପିଣ୍ଡଖାଦ୍ୟ କୁ ଚାହିଁରହିଛି, ନଟ ନନା ତା ବାପା ଗୋଶାପ ଙ୍କ ନାମ ପଚାରିଲେ l ସେ ଯେହେତୁ ଵାପିନା ଘରେ ନୂଆ ଶ୍ରାଦ୍ଧ କାର୍ଯ୍ୟ କରୁଛନ୍ତି ତାଙ୍କୁ ସମସ୍ତଙ୍କ ଶୁଭନାମ ଜଣା ନାହିଁ l ସେଇଟି ହେଲା ଵାପିନା ପାଇଁ ସୁବର୍ଣ୍ଣ ସୁଯୋଗ l ପିଣ୍ଡ ପଡ଼ିବାକୁ ଯାଉଥିବା ସ୍ୱାଦିଷ୍ଟ ଖାଦ୍ୟସବୁ କୁ ପାଟି ଭିତରକୁ ନନେଇ , ନଚୋବେଇ ଉଦରଗ୍ରସ୍ଥ କରି ଭୋକ ମେଣ୍ଟାଇବାର ସୁନ୍ଦର ଉପାୟଟିଏ ତାକୁ ମିଳିଗଲା l

ନନାଙ୍କୁ ଵାପିନା ତା ବାପା ନାଁ ଜାଗାରେ ନିଜ ଭଲ ନାଁଟା କହିଦେଲା l ନଟନନା ଵି ଜାଣିପାରିଲେନି, ଵାପିନା ନାଁରେ ପିଣ୍ଡ ଚଢେଇଦେଲେ l

ଶ୍ରାଦ୍ଧକାର୍ଯ୍ୟ ସମାପ୍ତ ହେଲା କିନ୍ତୁ ଵାପିନା ର ଭୋକମେଣ୍ଟିଲା ନାହିଁ l ଵାପିନା ଖୁବ ରାଗିଗଲା ନଟନନାଙ୍କ ଉପରେ l ରାଗିଯାଇ ପଚାରିଲା, "ହଇଓ ନନା ! ତୁମକୁ କଣ ଠିକ ମନ୍ତ୍ର ଜଣା ନାହିଁ ନାଁ କଣ? ପିଣ୍ଡ ତ କାହିଁ ଠିକ ଜାଗାରେ ପହଞ୍ଚୁନି? ଭୁଲ ଭାଲ ମନ୍ତ୍ରଗୁଡାକ ସବୁ କହୁଛ ଆଉ l"

ନନା ଵି କ୍ରୋଧିତ l ହେବେନି କେମିତି ତାଙ୍କ ପାରିଵାପଣିଆ ଉପରେ ପ୍ରଶ୍ନ ?? ଆରେ ଏତେ ସାହସ ଓଲା ଵାପିନା ର??

--ତୁ କେମିତି ଜାଣିଲୁ ପିଣ୍ଡ ଠିକ ଲୋକ ପାଖରେ ପହଞ୍ଚିନି? ତତେ କଣ ସିଏ କହିଲେ?

--କହିବା କଣ ଦରକାର? ମୁଁ ପା ନିଜେ ସେମାନଙ୍କ ଭିତରୁ ଜଣେ l ମୋ ପେଟ ପୁରିଲାନି ତ ତାଙ୍କର କେମିତି ପୁରିବ?

--ଓଲା କଣ ସବୁ କହୁଛୁ ରେ?

-- ତୁମେ ପିଣ୍ଡଦାନ ମନ୍ତ୍ର ପଢିଲା ବେଳେ ମୁଁ ତୁମକୁ ମୋ ନିଜ ନାଁ ଟା କହିଥିଲି l କାହିଁ ମୋ ଭୋକତ କମିଲାନି? ଯୋଉଆ କୁ ସେୟା ରହିଛି l ଉପାସ ରେ ପେଟ ମୋଡି ହେଲାଣି l

--ହଇରେ ଚଣ୍ଡାଳ ତୁ କଣ କଲୁ !! ଏବେ ଯାହା ହେବ ତୁ ବୁଝିବୁ l

ନନାଙ୍କ କଥା ଶୁଣି ଵାପିନା ଡରିଗଲା l ଲଳିତା ଵି ଦୌଡ଼ି ଆସିଲା ଶୁଣିବାକୁ l

ନଟନନା ପୁଣି କହିଲେ, "ଏ ପିଣ୍ଡ ବହୁ ଦୂରକୁ ପଠେଇବାର ଥିଲା l ସେଥିପାଇଁ ମନ୍ତ୍ର ଵି ସେହି ହିସାବ ରେ ପଢାଯାଇଛି l ଆଉ କିଛି ସମୟ ପରେ ପିଣ୍ଡଦାନ ନିର୍ଦ୍ଧିଷ୍ଟ ନାମଧାରୀ ଆତ୍ମା ପାଖକୁ ପହଞ୍ଚିଯିବ l ଆରେ ବୋକା ତୁ ତୋ ନାଁ କହି କେଡେ ଭୁଲଟାଏ ନକଲୁ ରେ ! ପିଣ୍ଡ ତୁ ଵି ପାଇବୁ l ତୋ ପେଟ ଫୁଲି ହାଣ୍ଡି ଭଳି ହେଇଯିବ l ପିଣ୍ଡଭାତ ଥରେ ପାଇଲେ ଆଉ ବର୍ଷ ଟେ ଭୋକ ଲାଗେନି l ଏବେ ତତେ ଆଉ କିଛି ଖାଦ୍ୟ ରୂଚିବନାହିଁ l ଲୋଭ କରି ଖାଇଦେଲେ ଖାଦ୍ୟ ହଜମ ନହେଇ ଅଜିର୍ଣ ହେବ l ତୋ ଅବସ୍ଥା ଏବେ ସଙ୍କଟାପନ୍ନ ହେଲାରେ ଵାପିନା ! ହଉ ମୋ ଦକ୍ଷିଣା ମତେ ଦିଅ ମୁଁ ମୋ ରାସ୍ତା ଦେଖେ l"

ଵାପିନା ଡରିମରି ଛାନିଆଁ l ନାଟନନା ଙ୍କ ଗୋଡ଼କୁ ଜାବୁଡି ପକେଇଲା l

--ନନା ! ମତେ ବଞ୍ଚେଇ ଦିଅ ନନା l କିଛି ଗୋଟେ ପ୍ରତିକାର ବ୍ୟବସ୍ଥା କର l ମୋ ଉପରେ ଟିକେ ଦୟାକର l

--ପ୍ରତିକାର ତ ଅଛି l ଅଧାଘଣ୍ଟା ସମୟ ଲାଗିବ l ଓଲଟ ଶ୍ରାଦ୍ଧ

କରି ପିଣ୍ଡ ଫେରେଇବାକୁ ପଡିବ l ସେଥିପାଇଁ ଅଲଗା ଦକ୍ଷିଣା l ଆହୁରି ପାଞ୍ଚଶହ ଟଙ୍କା ଅଧିକା ଦେବାକୁ ପଡିବ l ଗୋବିନ୍ଦପୁର ର ରବି ସାହୁ ର ଵି ଏମିତି ହୋଇଥିଲା l ସେ ଭୁଲ ରେ ବାପ ନାଁ ବଦଳ ରେ ନିଜ ନାଁଟି କହିଦେଇଥିଲା l ପେଟ ଫୁଲି ନାଗରା ହେଇଗଲା l ଓଲଟ ଶ୍ରାଦ୍ଧ କରି ତାକୁ ପୁଣି ମୁଁ ନିଜେ ବଞ୍ଚେଇଲି l

--କିନ୍ତୁ ନନା ପାଞ୍ଚଶହ ଟଙ୍କା ଟିକେ ବେଶୀ ହେଇଯାଉଛି l ଲଳିତା ଦେବାକୁ ରାଜି ହେବନି l

--ହଉ ତାହେଲେ ତୁ ସେହି ପିଣ୍ଡକୁ ପେଟରେ ରଖିଥା ବର୍ଷେ ଯାଏଁ l ମୁଁ ଭଗବାନ ଙ୍କୁ ଡାକୁଛି ତୁ ନଖାଇ ନପିଇ ସେତେଦିନ ପର୍ଯ୍ୟନ୍ତ ବଞ୍ଚିରହିଥା l

--ନାଇଁ ନନା ମୋର ଓଲଟ ଶ୍ରାଦ୍ଧ କର l ମୁଁ ନଖାଇଲେ ମରିଯିବି l

ଲଳିତା ସେତେବେଳେ ଯାଏଁ ଚୁପ ଥିଲା l ବାଧ୍ୟହୋଇ ପାଟି ଖୋଲିଲା, "ନନା !ଇଏ ସେ ପିଣ୍ଡ ପାଇନଥିବେ ମ l ୟାଙ୍କର ଓଲଟ ଶ୍ରାଦ୍ଧ କରିବା କିଛି ଦରକାର ନାହିଁ l ଆପଣ ଆପଣଙ୍କ ଦକ୍ଷିଣା ନେଇ ଯାଆନ୍ତୁ l "

ଵାପିନା ଆଜି ପ୍ରଥମଥର ପାଇଁ ଲଳିତା ର ନିଷ୍ପତି ରେ ଖୁସି ହେଇପାରିଲାନି l ଆହୁରି ଜିଦ୍ଦି କରି କହିଲା ତା ଭିତରୁ ପିଣ୍ଡ କୁ ବାହାର କରିବାଦେବାପାଇଁ l

ଲଳିତା କିନ୍ତୁ ଆଦୌ ରାଜି ନୁହେଁ ନଟକୁ ଟଙ୍କା ଦେଇ ଓଲଟ ଶ୍ରାଦ୍ଧ କରେଇବାକୁ l ଲଳିତାନନା ଙ୍କୁ ପଚାରିଲା, "ନନା ଆମେ କେମିତି ଜାଣିବା ଜଣେ ପିଣ୍ଡପାଇଲା? ତା ଶୁଭନାମ ଆଉ ଗୋତ୍ର ଟା ମନ୍ତ୍ର ସହ ପଢ଼ିଦେଲେ ତ ହେଇଯାଏ ପିଣ୍ଡଦାନ? "

ନଟନନା ମୁଣ୍ଡ ଟୁଙ୍ଗାରି ହଁ ମାରିଲାରୁ ଲଳିତା ପୁଣି କହିଲା, "ନନା ୟାଙ୍କ ଭଲ ନାଁଟା କଣ କେମିତି ଜାଣିବେ? ଇଏ ତ ସ୍କୁଲ କଲେଜ ଯାଇନାହାଁନ୍ତି l ତାଙ୍କର କିଛି ଵି ଗୋଟେ ସାର୍ଟିଫିକେଟ ମଧ୍ୟ ନାହିଁ l ଜାତକ ଵି କୋଉଠି ହଜେଇ ଦେଇଛନ୍ତି "l

ନଟ ଏଥର ଚଟାପଟ କହିପକେଇଲେ, "କାହିଁକି ଆଧାର କାର୍ଡ, ଭୋଟର କାର୍ଡ ସବୁତ ଥିବ?"

ଲଳିତା ଏଥର ଵାପିନା କୁ ଲକ୍ଷ୍ୟ କରି କହିଲା, "ହଇହେ ତୁମେ ନନାଙ୍କୁ କୋଉ ନାଁଟା କହିଥିଲ? "

ଵାପିନା ଉତ୍ତର ଫେରେଇଲା, "ବୀରକିଶୋର ପାତ୍ର" l

--ଆଉ ତୁମ ନାଁ ସବୁ କାର୍ଡ ଗୁଡ଼ାକରେ ଭୁଲ ହେଇଯାଇ କଣ ରହିଛି ?

--ବୀରକୁମାର ପାତ୍ର l

ଲଳିତା ନଟନନାଙ୍କୁ କହିଲା, "ଦେଖିଲେ ତ ନନା ! ୟାଙ୍କ ନାଁଟା ପା ଭୁଲ ପଢା ହେଇଛି l ୟାଙ୍କ ବାପମାଆ ଦେଇଥିବା ନାଁଟା ଏବେ ବଦଳିଯାଇଛି l ଇଏ ସିଏ ନୁହଁନ୍ତି ଯିଏ ପିଣ୍ଡ ଖାଇଲା l"

ଲଳିତା କଥା ଶୁଣି ନଟନନା ଆଉ ବେଶୀ କିଛି ନକହି ଦକ୍ଷିଣା ନେଇ ଚାଲିଗଲେ l ଵାପିନା ଵି ଟିକେ ଆଶ୍ଵସ୍ତ ହେଲା l ଲଳିତା କୁ ଚାହିଁ କହିଲା, "ଆଲୋ !ମୋର ସତରେ କିଛି ହେବନି ତ ? "

ଲଳିତା କହିଲା," ହଉ ଦେଖିବା l ଆଗ ତୁମ ପେଟ ଫୁଲୁ l ଖାଦ୍ୟ ନରୁଚୁ l ତାପରେ ଜଣାପଡ଼ିଯିବନି କି ସତରେ ପିଣ୍ଡ ଟା କିଏ ଖାଇଲା?ଠକ ନଟ କୁ ଆଗୁଆ କାହିଁକି ପଞ୍ଚଶ ଦେଇ ଶ୍ରାଦ୍ଧ ଓଲଟେଇବା? "

ଵାପିନା ପେଟ ଟା ସେତିକି ବେଳେ କଁ କଁ ଶବ୍ଦ କଲା ଆଉ ସେ ପେଟକୁ ଚାପି ଧରି କହିଲା, "ଲଳିତା ଲୋ ଭାରି ଭୋକ ହେଲାଣି l ଖାଇବା ଜଲଦି ବାଢେ l"

ସେଦିନ ଵାପିନାର ଶ୍ରାଦ୍ଧ ଓଲଟା ସିନା ସେଇଠି ରହିଲା କିନ୍ତୁ କଥାଟି ଆଉ ଵାପିନାର ଘର ଭିତରେ ସୀମିତ ହୋଇ ରହିଲାନାହିଁ l ଗାଁ ଗାଁ କୁ କଥାଟି ବ୍ୟାପି ଗଲା l ଅନେକ ଦିନ ପର୍ଯ୍ୟନ୍ତ ଲୋକେ ଓଲା ଵାପିନା କୁ ରାସ୍ତାରେ ଦେଖିଲେ ପଚାରନ୍ତି, " କିରେ ଵାପିନା ପିଣ୍ଡ ପାଇଲୁ କି ନାହିଁ? "

ଆଉ କେହି କେହି କହନ୍ତି, "ଵାପିନା ପିଣ୍ଡ ଓଲଟିଲା ନା ରେ "?

ଵାପିନା ଭାରି ଚିଡ଼େ l ଚିଡି ଉଠି ମାରିଗୋଡ଼ାଏ l

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର

ଦଶରଥପୁର, ଯାଜପୁର

*******************************


Rate this content
Log in

Similar oriya story from Comedy