Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିଷମ ସମସ୍ୟା
ବିଷମ ସମସ୍ୟା
★★★★★

© Dr Subas Chandra Rout

Others

5 Minutes   2.6K    13


Content Ranking

ବିଷମ ସମସ୍ୟା (ସତ୍ୟ କାହାଣୀ)

ଜୀବନର ରଙ୍ଗମଞ୍ଚରେ ସୁଖ ଦୁଃଖ, ହସ କାନ୍ଦ, ଉତ୍ଥାନ ପତନ, ମିଳନ ବିଚ୍ଛେଦ ଆଦି ଲାଗି ରହିଥାଏ । ଦୋଷ ଥିଲେ ଦଣ୍ଡ ମିଳେ, ଭଲ କାମ କଲେ ପୁରସ୍କାର ମିଳିପାରେ ବା ନମିଳିପାରେ । କିନ୍ତୁ ବେଳେ ବେଳେ କୌଣସି କର୍ମରେ ସଂଶ୍ଳିଷ୍ଟ ନଥାଇ ମଧ୍ୟ ଟାଣି ଓଟାରି ହୋଇ ମଣିଷ ବିପର୍ଯ୍ୟୟର ସମ୍ମୁଖୀନ ହୋଇଯାଏ । ମୋ ଜୀବନରେ ଏହିଭଳି ଏକ ଘଟଣା ଘଟିଥିଲା ।

ଇଏ ସେଇଦିନମାନଙ୍କର କଥା ଯେତେବେଳେ ମୁଁ ସିଡିଏମଓ ବା ଜିଲ୍ଲା ମୂଖ୍ୟ ଚିକିତ୍ସକ ପଦବୀରେ ଗୋଟିଏ ଜିଲ୍ଲାର ସଦର ମହକୁମାରେ କାର୍ଯ୍ୟରତ ଥିଲି । ସେଇ ଜିଲ୍ଲାର କଲେକ୍ଟର ବହୁତ ସକ୍ରିୟ ଥିଲେ । ସେ ସ୍ଵୟଂ ବିଭିନ୍ନ ସ୍ଥାନରେ ବୁଲି ବୁଲି ଅପମିଶ୍ରଣକାରୀ, ମହଜୁଦକାରୀ, ଗୁଣ୍ଡା ଓ ଅସମାଜିକ ଭଳି ଅପରାଧୀମାନଙ୍କୁ ଏସ.ପି.ଙ୍କ ସାଥିରେ ଯାଇ ଧରୁଥିଲେ । ହାଟ ବଜାରରେ ଖରାପ ଖାଦ୍ୟ ବିକ୍ରି ହେଉଥିବା ଦେଖିଲେ ଫୋପାଡ଼ି ଦେଉଥିଲେ । ଜିଲ୍ଲାରେ ଗୋଟିଏ ଚହଳ ପଡ଼ିଗଲା । ଅନେକ ଲୋକ ତାଙ୍କର ବହୁତ ପ୍ରଶଂସା କଲେ ।

` ସେହି ଜିଲ୍ଲାର ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଜଣେ ସ୍ୱାସ୍ଥ୍ୟ କର୍ମୀ କାମ କରୁଥିଲେ ଯିଏ ସେଇ ଇଲାକାର ଏମ.ପିଙ୍କର ବନ୍ଧୁ ଥିଲେ ଓ ସେଇ କାରଣରୁ ସ୍ୱାସ୍ଥ୍ୟ କର୍ମୀ ଜଣକ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ବେଳେବେଳେ ବଦଳି କରିଦେବି କହି ଧମକ ଚମକ କରୁଥିବା ଶୁଣାଯାଉଥିଲା । ଏମିତ କହୁ କହୁ କୌଣସି ଏକ ସମୟରେ ସେ ସେଠାକାର ଲୋକଙ୍କ ଆଗରେ କଲେକ୍ଟରଙ୍କ ବିରୁଦ୍ଧରେ କହିଥିଲେ, “ମୁଁ ଇଚ୍ଛା କଲେ କଲେକ୍ଟରଙ୍କୁ ଚୁଟକି ମାରି ବଦଳିକରିଦେବି ।” ଏହିଭଳି ବାରମ୍ବାର କହୁଥିବାରୁ ସେ କଥା ଦୈବାତ୍ କଲେକ୍ଟରଙ୍କ କାନରେ ପଡ଼ିଗଲା । ଏ କଥା ଶୁଣି ଯେ କେହି କ୍ରୋଧରେ ନିଶ୍ଚୟ ଅସ୍ଥିର ହୋଇଯିବ ।

ଦିନେ ସେହି କର୍ମୀ ରହୁଥିବା ସ୍ଥାନକୁ କଲେକ୍ଟର ଟୁର୍‌ରେ ଯାଇଥିଲେ । ସେଇ ଗ୍ରାମର ଛକରେ ରହି ସେଇ କର୍ମୀଙ୍କୁ ଡକେଇପଠେଇଲେ । କର୍ମୀ ଆସି ତାଙ୍କ ସାମନାରେ ନମସ୍କାର କରି ଠିଆ ହେଲେ । ଗ୍ରାମର ସବୁ ଲୋକମାନେ କଥା କଅଣ ଜାଣିବାକୁ ଠିଆହୋଇରହିଲେ । କଲେକ୍ଟର କହିଲେ, “ତୁମେ କୁଆଡ଼େ କହୁଛ, ମୋତେ ଇଚ୍ଛା କଲେ ବଦଳି କରିଦେବ ? ତୁମେ କଅଣ କରିପାରିବ ମୁଁ ଜାଣିନି, କିନ୍ତୁ ତୁମେ ବୋଧେ ଜଣେ କଲେକ୍ଟରଙ୍କ କ୍ଷମତା କେତେ, ସେ କଥା ଜାଣିନ । ଏଇଠି ମୁଁ ତୁମକୁ କେଉଁ ସ୍ତରକୁ ନେଇ ଦଣ୍ଡ ଦେଇପାରିବି ତାହା ତୁମେ ଚିନ୍ତା କରିପାରିବନି । ତୁମକୁ ଏବେ ଆରେଷ୍ଟ କରି ନେଇଗଲେ କେହି ପିଠିରେ ପଡ଼ିବେନି ।” ଏହିଭଳି ବହୁତ ଅପମାନିଆ କଥା କହି ଫେରିଗଲେ । କର୍ମୀକୁ ଘୋର ଅପମାନ ହୋଇଗଲା, କାରଣ ଗ୍ରାମରେ ତାର ତଥାକଥିତ ବହୁତ ଇଜ୍ଜତ ଥିଲା ଯାହା ମାଟିରେ ମିଶିଗଲା ।

କଲେକ୍ଟରଙ୍କ ଦୁର୍ଭାଗ୍ୟକୁ ସେହି କର୍ମୀକୁ ଅପମାନର ପ୍ରତିଶୋଧ ନେବାର ସୁଯୋଗ କିଛି ମାସ ମଧ୍ୟରେ ଆସିଗଲା । ସେହି ସ୍ଥାନରେ ଗୋଟିଏ ଦମକଳ କେନ୍ଦ୍ର ଖୋଲିବାକୁ ପୂର୍ବରୁ କଲେକ୍ଟର ପ୍ରତିଶ୍ରୁତି ଦେଇଥିଲେ । ହଠାତ୍ ସେଠାରୁ ୮ କିଲୋମିଟର ଦୂରରେ ସେହି ଦମକଳ କେନ୍ଦ୍ର ଖୋଲିବା ନିଷ୍ପତ୍ତି ନିଆଯାଇସାରିଲାଣି ବୋଲି ଗ୍ରାମର ଲୋକମାନେ ଶୁଣିବାକୁ ପାଇଲେ । ସ୍ଥାନୀୟ ଲୋକମାନଙ୍କର ମନରେ ନିଆଁ ଲାଗିଗଲା । ଏହି ନିଆଁରେ କର୍ମୀଜଣକ କଲେକ୍ଟରଙ୍କ ବିରୁଦ୍ଧରେ ଅପପ୍ରଚାର ଘିଅ ଢାଳି ଲୋକଙ୍କୁ ଉସ୍କେଇବାକୁ ଲାଗିଲେ । ଏହି ଗୋଟିଏ ଘଟଣାରେ ଲୋକଙ୍କ ମନରେ କଲେକ୍ଟରଙ୍କ ପ୍ରତି ଥିବା ଶ୍ରଦ୍ଧା କୁଆଡ଼େ ଉଭେଇଗଲା ।

ଏହାର କିଛି ମାସ ଅନ୍ତରରେ ଏସ.ପି.ଙ୍କୁ ନେଇ କଲେକ୍ଟର ସେହି ସ୍ଥାନ ପାଖରେ ଥିବା ଏକ ଥାନାକୁ ଯାଇଥିଲେ । ଏହି ଖବର ପାଇ ସେହି କର୍ମୀ ଜଣକ ଲୋକମାନଙ୍କୁ ଏକତ୍ରିତ କରି ଥାନା ବାହାରେ ରହି କଲେକ୍ଟର ବିରୁଦ୍ଧରେ ନାରା ଲଗେଇଲେ । କଲେକ୍ଟର ହାଏ, ହାଏ, ଆମର ଦାବି ପୂରଣ ହେଉ ଇତ୍ୟାଦି ବଡ଼ ପାଟିରେ ଲୋକମାନେ କହିବାକୁ ଲାଗିଲେ । ପୋଲିସ ଏପରି କାମ କରିବାକୁ ବାଧା ଦେବାରୁ ଲୋକମାନେ ଥାନା ଉପରକୁ ଢେଲା ପଥର ଫିଙ୍ଗିବାକୁ ଲାଗିଲେ । ସେଠାକାର ଥାନାବାବୁ ଏ ବିଷୟର ଆଭାସ ଆଗରୁ ପାଇଥିଲେ ମଧ୍ୟ କଥାଟା ଏତେଦୂର ଆଗେଇବ ବୋଲି ଭାବିନଥିଲେ । ଲାଠି ଚାର୍ଜ ବା ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ଯଥେଷ୍ଟ ପୋଲିସ ବଳ ବା ଜିନିଷ ନଥିଲା । ସୁତରାଂ ଅକଳରେ ପଡ଼ି କଲେକ୍ଟରଙ୍କୁ ଏକ ଛଦ୍ମ ବେଶରେ ସ୍ଥାନ ଛାଡ଼ି ବାହାରିଯିବାକୁ ଏସ.ପି. ଅନୁରୋଧ କଲେ । କିଂକର୍ତ୍ତବ୍ୟବିମୂଢ଼ କଲେକ୍ଟର ଗୋଟିଏ ହାଫ ପ୍ୟାଣ୍ଟ ଓ ଗେଞ୍ଜି ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧି ଥାନା ପଛପାଖରେ ଥିବା ଜଙ୍ଗଲ ମଧ୍ୟ ଦେଇ ଦୂରକୁ ଚାଲିଗଲେ । କିଛି ଦୁରରେ ଥିବା ଅନ୍ୟ ଏକ ଗ୍ରାମକୁ ଯାଇ ଜଣେ ସରପଞ୍ଚଙ୍କ ଘରେ ପହଞ୍ଚିଲେ । ସେ କଲେକ୍ଟରଙ୍କୁ ଏହି ବେଶରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସବୁ କଥା ଶୁଣିବା ପରେ ତାଙ୍କର ମଟର ସାଇକେଲ ସାହାଯ୍ୟରେ ସଦର ମହକୁମାରେ ସାର୍­ଙ୍କୁ ପହଞ୍ଚେଇଦେଲେ ।

ଏକଥା ଶୁଣି ସବୁ ଡିପାର୍ଟମେଣ୍ଟର ଅଫିସର ଓ ଅନ୍ୟ କର୍ମଚାରୀମାନେ ସମବେଦନା ଜଣେଇବାକୁ ତାଙ୍କ ପାଖକୁ ଗଲେ । କେବଳ ମୁଁ ଗଲିନି, କାରଣ ସେଇ ଏକା କାହାଣୀ କହି କହି ନିଶ୍ଚୟ ସେ ବିରକ୍ତ ହୋଇଯିବେ । ଉପଯୁକ୍ତ ସମୟ ଦେଖି ପରେ ଯିବି ଭାବି ଅପେକ୍ଷା

କଲି । ତିନି ଦିନ ପରେ କଲେକ୍ଟର ନିଜେ ମୋତେ ଫୋନ କରି ସବୁ କଥା କହିଲେ ଓ ସେ ଲୋକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ଆଦେଶ ଦେଲେ । “ହଁ ସାର, ମୁଁ ଦେଖୁଛି କଅଣ କରିହେବ,” କହି ଫୋନ ରଖିଦେଲି ।

ଏହାର ଦିନକ ପରେ ସେଇ ଇଲାକାର ଏମ.ପି. ନିଜେ ଫୋନ କରି ସେଇ କର୍ମୀ ବିରୁଦ୍ଧରେ କିଛି ନକରିବାକୁ ମୋତେ ତାଗଦା କରି କହିଲେ । “କଲେକ୍ଟରଟା ଅତି ବଦମାସ, ମିଛରେ ମୋ ଲୋକକୁ ହଇରାଣ କରୁଛି,” କହି ଫୋନରେ ଗାଳି କଲେ । ତାଙ୍କୁ ବି ମୁଁ “ହଁ ଆଜ୍ଞା କିଛି କରିବିନି,” କହି ଫୋନ ରଖିଦେଲି ।

ଏସ.ପି.ଙ୍କୁ ସେଇ ଲୋକ ସମ୍ପର୍କରେ ପ୍ରଶ୍ନ କରିବାରୁ କହିଲେ, “ସେ ଲୋକ ସେଇ ଘଟଣା ପରେ ଫେରାର ହୋଇଯାଇଛି । ତାର କୌଣସି ଖୋଜ ଖବର ନାହିଁ । ତା ଘରେ ଥିବା ଲୋକ ଓ ଗ୍ରାମର କିଛି ଲୋକଙ୍କୁ ଥାନାକୁ ଆଣି ପ୍ରଶ୍ନ କଲେ ମଧ୍ୟ ସୁରାକ ମିଳୁନି । ଆଉ ତାକୁ ଆରେଷ୍ଟ କେମିତି କରିବି ?” ଏସ.ପି. ତାକୁ ଆରେଷ୍ଟ କରିଥିଲେ ମୋ ମୁଣ୍ଡରୁ ଚାପ ଚାଲିଯାଇଥାଆନ୍ତା ଓ କର୍ମୀକୁ ସସପେଣ୍ଡ କରିଥାଆନ୍ତି । ସେ ଲୋକ କାମ କରୁଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ କର୍ମୀର କାର୍ଯ୍ୟକଳାପ ବିଷୟରେ ପଚାରିଲି । ଅଧିକାରୀ କହିଲେ, “ସାର, ସେ ଟାଉଟରୀ କରେ କିନ୍ତୁ ତାର କାମ ବହୁତ ଭଲ ଓ ତାର ଭୁଲ ଭଟକା ପାଇବାନି । ତାଙ୍କୁ ସସପେଣ୍ଡ କରିବାକୁ କିଛି ଜୋରଦାର କାରଣ ବା ତଥ୍ୟ ମିଳିବନି । ଯଦି ସେମିତି ସସପେଣ୍ଡ କରିବା, ଆମେ ନିଜେ ପରେ ହଇରାଣ ହେବା ।”

ଏଣେ କଲେକ୍ଟର, ତେଣେ ଏମ.ପି., ଅର୍ଥାତ ଏପାଖେ କୂଅ, ସେପାଖେ ଖାଇ । ଅବସ୍ଥା ଚକ୍ରରେ ମଝିରେ ମୁଁ ପେଶିହୋଇଗଲି । ସେଇ ପରିସ୍ଥିତିରେ ମୋର ମନର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଗଲା । ଏହାପରେ ମନକୁ ଶାନ୍ତ କଲି ଓ ଭଗବାନଙ୍କୁ ଡାକି ଏ ବିପଦରୁ ଉଦ୍ଧାର କରିବାକୁ ପ୍ରାର୍ଥନା କଲି ଓ ତାଙ୍କ ଛଡ଼ା କେହି ଏଇ ଅସୁବିଧା ପରିସ୍ଥିତିରୁ ରକ୍ଷାକରିପାରିବେନି ବୋଲି ମୋର ହୃଦ୍‌ବୋଧ ହେଲା । ଏହା ପରେ ମୋ ନିଜ ବୁଦ୍ଧି ପ୍ରୟୋଗ କରିବାକୁ ସ୍ଥିର କଲି । ଭାବିଲି, ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିହୁଏ । ମୁଁ ଏହାର ସମାଧାନ ନିଶ୍ଚୟ କରିବି ।

ଏଇଠି ପାଠକମାନଙ୍କୁ ଅନୁରୋଧ, ସେମାନେ କିଛି ସମୟ ଭାବନ୍ତୁ । ନିଜେ ଏଭଳି ପରିସ୍ଥିତିରେ ଥିଲେ କଅଣ କରିଥାଆନ୍ତେ ଭାବନ୍ତୁ ଓ ତାପରେ ପଢ଼ିବା ଆରମ୍ଭ କରନ୍ତୁ । ତା’ହେଲେ ମଜା ଲାଗିବ ।

ପ୍ରାୟ ୧୦ ଦିନ ପରେ ଗୋଟିଏ ମିଶ୍ରିତ ଡିପାର୍ଟମେଣ୍ଟାଲ ଭୋଜି ହେଲା । ସେଠାକୁ ମୁଁ ନିମନ୍ତ୍ରିତ ହୋଇ ଗଲି । ମୋତେ ଦେଖିବା ମାତ୍ରେ କଲେକ୍ଟର ମୋ ବାହୁ ଧରି ଟାଣି ଟାଣି ନେଇ ତାଙ୍କ ଚୌକି ପାଖରେ ବସେଇଲେ । ତା’ପରେ ମୋତେ ପ୍ରଶ୍ନ କଲେ, “ସେ କର୍ମୀ ବିରୁଦ୍ଧରେ କଅଣ ପଦକ୍ଷେପ ନେଲେ ?” ମୁଁ ଉତ୍ତର ଦେଲି, “ସାର୍, ଆପଣ ତାର ଲାଭ କରିବାକୁ ଚାହୁଁଛନ୍ତି ନା କ୍ଷତି କରିବାକୁ ଚାହୁଛନ୍ତି ?” ସେ ହଠାତ ଏ ପ୍ରଶ୍ନ ଶୁଣି କିଛି ବୁଝିପାରିଲେନି । ପ୍ରଶ୍ନୀଳ ଆଖିରେ ଅନେଇ କହିଲେ, “ଆପଣ ତାକୁ ଯେମିତି ହେଲେ ସସପେଣ୍ଡ କରନ୍ତୁ ।” ମୁଁ କହିଲି, “ତାହା ହେଲେ ଆପଣ ତାର ଉପକାର କରିବାକୁ ଇଚ୍ଛା କରୁଛନ୍ତି ।” ସେ ଟିକିଏ ବିରକ୍ତ ହୋଇ କହିଲେ, “କେମିତି ଉପକାର କରିବି ? ସସପେଣ୍ଡ କଲେ କଅଣ କାହାର ଉପକାର ହୁଏ ?” ଟିକିଏ ସ୍ମିତ ହସ ହସି କହିଲି, “ସାର୍, ଆପଣ ଗୋଟିଏ କଥା ଭୁଲିଯାଉଛନ୍ତି । ସେ ବର୍ତ୍ତମାନ ଫେରାର ଅଛି ତେଣୁ ତାକୁ ଦରମା ମିଳୁନି । ମୁଁ ସସପେଣ୍ଡ କଲା ମାତ୍ରେ ତାକୁ ଅଧା ଦରମା ଦେବାକୁ ପଡ଼ିବ । ତା’ହେଲେ ଆମେ ତାର କ୍ଷତି କଲେ ନା ଲାଭ କଲେ ? ସେ ଯେବେ ଫେରିବ, ତାକୁ ଆରେଷ୍ଟ କରିଦେବେ । ହେଲେ ଆମର ସସପେଣ୍ଡ କରିବାକୁ ସୁବିଧା

ହେବ ।”

ଏତେବେଳେକେ ତାଙ୍କର ଲାଇଟ ଜଳିଲା । ମୋତେ ପ୍ରଶଂସନୀୟ ଆଖିରେ ଦେଖି ମୋ ପିଠି ଥାପୁଡ଼େଇ କହିଲେ, “ବାଃ, ଆପଣ ଠିକ କହିଛନ୍ତି । ବହୁତ ଭଲ କଥାଟିଏ କହିଲେ । ସିଏ ସେମିତି ଜଙ୍ଗଲରେ ବୁଲୁଥାଉ । ଆସିଲା ମାତ୍ରେ ତାର ଚାକିରି ନେବା ବନ୍ଦବୋସ୍ତ କରିବା ।”

ମୋ ମନରେ ଥାଏ, ‘କାଲି’ କିଏ ଦେଖିଛି ! ଭବିଷ୍ୟତ କୋଳରେ କଅଣ ଅଛି କିଏ କହିପାରିବ । କିଏ ଜେଲରେ ରହିବ ବା କିଏ ବଦଳି ହେବ, କେହି ଭବିଷ୍ୟବାଣୀ କରିପାରିବେନି !

ଡାଃ ସୁବାସ ଚନ୍ଦ୍ର ରାଉତ

ଇ ମେଲ - subasmangal@yahoo.co.in

ସମସ୍ୟା କର୍ମୀ କଲେକ୍ଟର

Rate the content


Originality
Flow
Language
Cover design

Comments

Post

Some text some message..