Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିନ୍ନ ଏକ ପ୍ରେମ କାହାଣୀ
ଭିନ୍ନ ଏକ ପ୍ରେମ କାହାଣୀ
★★★★★

© Aravinda Das

Tragedy

3 Minutes   22.0K    19


Content Ranking

ଦୁନିଆର ସବୁ ପ୍ରେମ କାହାଣୀର ଅନ୍ତ ସୁଖଦ ହୋଇନଥାଏ।ପ୍ରେମିକ, ପ୍ରେମିକା ଏକାଠି ହୋଇପାରିଲେ ପ୍ରେମ ସଫଳ ହୁଏ ବୋଲି ଲୋକେ କହନ୍ତି।

କିନ୍ତୁ ପ୍ରେମ କଣ ଖାଲି ମିଳନ ବା ପାଇବାରେ ନିଜ ସଂଜ୍ଞାକୁ ସୀମିତ ରଖେ ?

ତ୍ୟାଗ, ବିଚ୍ଛେଦ ଭିତରେ ବି ଭଲ ପାଇବାର ବୀଜ କୁ ଉଜ୍ଜୀବିତ ରଖିଥିବା ଲୋକ ବି ପ୍ରେମରେ ବାଜି ମାରିନିଏ।

ରାଧା ଓ କିଶନଙ୍କର ପ୍ରେମ କାହାଣୀ ବି ଟିକେ ଭିନ୍ନ ଥିଲା।

"ଏମିତି ସୁନ୍ଦର ପାଦ ,ମୁଁ ଆଜି ଯାଏଁ କେଉଁଠି ଦେଖିନି।ଏକଦମ ଦେବୀ ପାଦ।ନୂଆ ରାଜସ୍ଥାନୀ ଡିଜାଇନର ମେହେନ୍ଦି ଲଗାଇଦେବି ଆଜି।ଶହେ ଟଙ୍କା ବଦଳରେ ପଚାଶ ଟଙ୍କା ଦେବ ।"

 " କିନ୍ତୁ ମୋ ପାଖରେ ମାତ୍ର ପାଞ୍ଚ ଟଙ୍କା ଅଛି।"ଝିଅଟି କହିଲା।"

  "ଠିକ ଅଛି।ତମ ଖୁସି।ସବୁ ମଣିଷଙ୍କ ସାଙ୍ଗରେ ବ୍ୟବସାୟ କରାଯାଏନା।"

   ଚମତ୍କାର ଡିଜାଇନ ଆଙ୍କିଥିଲା ତା ପାଦରେ।ତା ହାତରେ ଯାଦୁ ଥିଲା ବୋଧେ।

 ମେହେନ୍ଦି ଲଗାଉଥିବା ଟୋକାଟା ମନ୍ତମୁଗ୍ଧ ନୟନରେ ଚାହିଁ ରହିଥିଲା ତାକୁ।ଲାଜେଇ ଗଲା ସେ।ତା ଗାଲରେ ପଡ଼ିଲା ଦୁଇଟା ଭଉଁରୀ।

  "ଆରେ,ସିନେମା ହିରୋଇନ ପ୍ରୀତି ଜିଣ୍ଟା ଭଳି ତମର ବି ଭଉଁରୀ ପଡୁଛି।ବହୁତ ମାନୁଛି ତମକୁ।ସବୁବେଳେ ଏମିତି ହସୁଥା।"

ଘର ଭିତରୁ ଗୋଟେ ନାରୀ କଣ୍ଠ ଶୁଭିଲା,"ରାଧା, କୁଆଡେ ଗଲୁକି ?"

  "ତମ ପଇସା।ମା ଡାକିଲାଣି।"

"ମୋ ନାଁ କିଶନ୍।ଏଣିକି ତମ ଗାଁକୁ ବରାବର ଆସିବି ରାଧା।ମୋ ହାତରେ ମେହେନ୍ଦି ଲଗାଇଵ ତ ?"

ଫିକ୍ କିନା ହସିଦେଇ ଉଠିଗଲା ଝିଅଟା।

ଡମ୍ବରୁ ବଜାଇ କିଶନ ପ୍ରତି ସପ୍ତାହରେ ଏଣିକି ଆସୁଥିଲା ଗାଁକୁ।ବହୁତ ଲୋକପ୍ରିୟ ହୋଇଯାଇଥିଲା ସେ ଏ ଅଞ୍ଚଳରେ।ତେବେ ରାଧାକୁ ଦେଖାକରିବାକୁ ଜମା ଭୁଲୁନଥିଲା ସେ।ରାଧା ହାତ,ପାଦର ମେହେନ୍ଦି ଡିଜାଇନ ଅନ୍ୟ ଝିଅ,ବୋହୁ ମାନଙ୍କ ଠାରୁ ସବୁବେଳେ ସୁନ୍ଦର ଓ ଅଲଗା ହେଉଥିଲା ବୋଲି ଅନ୍ୟମାନେ ଅଭିଯୋଗ କରୁଥିଲେ।ରାଧାକୁ ଈର୍ଷା ବି କରୁଥିଲେ।

"ଏଇ ପାଉଁଜିଟା ତୁମ ସୁନ୍ଦର ପାଦ ପାଇଁ।ତମ ପାଦ ଉପରେ କାହାର ନଜର ନପଡୁ।"

   "ତୁମ ହାତ ଉପରେ ବି କାହାର ଖରାପ ଦୃଷ୍ଟି ନପଡୁ। ଗାଁ ଠାକୁରାଣୀଙ୍କ ଏଇ କଳା ଫିତାଟା ତମ ହାତରେ ବାନ୍ଧିଦିଅ।"

   ଏକ ଛୋଟ ପ୍ରେମକାହାଣୀ ଦୁହିଁଙ୍କ ଭିତରେ ଅଙ୍କୁରିତ ହେଉଥିଲା।ରାଧା ଅନେଇ ବସୁଥିଲା କିଶନର ଆସିବା ବାଟକୁ।

  "ବୁଝିଲ ,ରାଧା ବୋଉ ?ଏଇ ମେହେନ୍ଦି ବାଲା ଟୋକାଟା ଆମ ରାଧାକୁ ପ୍ରେମଜାଲରେ

ଫସାଉନି ତ ?କି ବିଶ୍ୱାସ ଏ ବାରବୁଲା ଟୋକାଙ୍କୁ ଆଜିକାଲି ?"

ରାଧା ବୋଉ ଚିନ୍ତିତ ଦିଶିଲେ।

"ତମେ ମୋ ଠାରୁ ପଇସା କାହିଁକି ନେଉନ ?ବୋଉ ସନ୍ଦେହ କରୁଛି।"ହସିଦେଇ ସେଦିନ ରାଧା ପଚାରୁଥିଲା।

ନିଜ ଦୁଇ ହାତରେ ରାଧାକୁ ଧରି ,ତା କପାଳ ଓ ଗାଲରେ ଚୁମ୍ବନ ଆଙ୍କିଦେଇ କିଶନ କହିଲା," ଡବଲ ପଇସା ନେଉଛି ପରା।"

  ହାଠାତ୍ ସାମ୍ବାରେ ବାପାଙ୍କୁ ଦେଖି ରକ୍ତ ଶୁଖିଗଲା ରାଧା'ର।ବରଡ଼ା ପତ୍ରପରି ଥରୁଥିଲା ସେ।

  "ଶଳା,ଏତେ ସାହାସ ତୋର ?ମୋ ଝିଅକୁ ଛୁଇଁଲୁ ?" ଦୁଇ ଚାପୁଡା ମାରି ,ହାତରେ ଧରିଥିବା ଗାଈ ପଘାରେ ବାନ୍ଧିଦେଇଥିଲେ କିଶନକୁ।ପାଟି ଶୁଣି ଗାଁ ଲୋକ ସବୁ ଆସି ରୁଣ୍ଡ ହୋଇଯାଇଥିଲେ।

   ବାସ୍,କଣ ହେଲା କେଜାଣି ? ତା ପରଠୁ କିଶନ ଆଉ କେବେ ଗାଁକୁ ଆସିନି।ରାଧାକୁ ଚିଠି ବି ଦେଇନି।ଫୋନ୍ କରିନି।ପବନରେ ଯେମିତି ଉଭେଇ ଗଲା ସେ !

   ଦଶ ବର୍ଷ ପରେ ହାଠାତ୍ ବମ୍ବେର ଗୋଟେ ସପିଙ୍ଗ ମଲରେ କିଶନକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ରାଧା।ପୁଅକୁ ସ୍ୱାମୀକୁ ଧରାଇଦେଇ ସେ କହିଲା, "ମୁଁ ଟିକେ ମେହେନ୍ଦି ଲଗାଇବି।"

   କିଶନ୍ କୁ ଭଲ ଭାବରେ ଅନାଇଲା ରାଧା।ତା ଆଖିରେ ଲୁହ ଭରିଗଲା ।"ଓଃ, ଭଗବାନ !" ଅଜଣାତରେ ତା ପାଟିରୁ ବାହାରି ପଡ଼ିଲା।

କିଶନ ତାକୁ ଦେଖିଲା ।ଏକ ଶୁନ୍ୟ ଦୃଷ୍ଟିରେ।ସେ ପିନ୍ଧିଥିବା ପଞ୍ଜାବୀ ଭିତରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ତା' ର ଦୁଇ କଟା ହାତ।ନିଜ ମୁହଁରେ ମେହେନ୍ଦି କୋନ୍ ଧରି ତଥାପି ସୁନ୍ଦର ଡିଜାଇନ ଆଙ୍କୁଥିଲା ବୋଲି ବେଶ ଭିଡ଼ ଜମିଥିଲା ତା ପାଖରେ।

   ରାଧା ଚୁପକିନା ଠିଆ ହେଲା ପାଖରେ।

"ହାତ, ନା ପାଦରେ ମେହେନ୍ଦି ଲଗାଇବେ ମ୍ୟାଡମ ?" ଅପରିଚିତଙ୍କ ଭଳି ପଚାରୁଥିଲା କିଶନ।

   ରାଧା ନିଜ ଲେହେଁଗାକୁ ଅଳ୍ପ ଉଠାଇ କହିଲା,"ପାଦ"।

   ଭୁତ ଦେଖିଲା ଭଳି ଚମକି ପଡ଼ିଲା କିଶନ।ତା ପାଟିରୁ ମେହେନ୍ଦି କୋନ୍ ତଳେ ଖସି ପଡ଼ିଲା।ଆଖି ବୁଜିଦେଲା ସେ।

   ସାମ୍ନାରେ ଥିଲା, ରାଧା'ର ଦୁଇଟା ନକଲି ଗୋଡ଼।

 

ପ୍ରେମ ମେହେନ୍ଦି ସଂଜ୍ଞା

Rate the content


Originality
Flow
Language
Cover design

Comments

Post

Some text some message..