Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଗ୍ୟ, ସମୟ ଓ ସତ୍ୟ
ଭାଗ୍ୟ, ସମୟ ଓ ସତ୍ୟ
★★★★★

© sasmita sahoo

Inspirational Tragedy

6 Minutes   275    10


Content Ranking

......ସଞ୍ଜୟ ଏକ ଘରୋଇ କମ୍ପାନୀରେ ସମ୍ବଲପୁରରେ ଚାକିରୀ କରନ୍ତି । ତା ସହିତ ସେ ଏକ ଖେଳାଳି ମଧ୍ୟ । କ୍ରିକେଟରେ ଭାରି ରୁଚି ଖାଲି ସମୟରେ କିମ୍ବା ଛୁଟି ସମୟରେ କ୍ରିକେଟ ଖେଳିବାରେ ସମୟ ଅତିବାହିତ କରନ୍ତି । ଲମ୍ବା ଓ ଦୃଢ ଶରୀର । ସବୁବେଳେ ଚଳଚଂଚଳ । ଘର ହେଉ କି ଅଫିସ । ସମସ୍ତଙ୍କ ସହ ଭଲ ସମ୍ପର୍କ । ଘରେ ବାପା ମା' ସାନ ଭାଇ ଅଜୟ, ସ୍ତ୍ରୀ ରିତା ଆଉ ୩ ମାସର ପୁଅ ରିଷି । ବେଶ ହସ ଖୁସିର ପରିବାରଟିଏ । ବାପା ଅବସର ପ୍ରାପ୍ତ ଶିକ୍ଷକ । ଅବସର ପରେ ନିଜକୁ ବ୍ୟସ୍ତ ରଖିବାକୁ ଘର ପାଖରେ ଗୋଟିଏ ଛୋଟ ତେଜରାତି ଦୋକାନ ଟିଏ ଖୋଲି ବସିଛନ୍ତି ।

......୨୦୧୫ ମସିହା ଘଟଣା ଦିନ ଏଗାରଟା ,ହଠାତ ସଂଜୟକୁ ଜରୁଆ ଜରୁଆ ଲାଗିଲା । ଅଫିସରୁ ଘରକୁ ଚାଲି ଆସିଲେ, ଆଉ ଚୁପ ଚାପ ଘୋଡେଇ ହୋଇ ଶୋଇ ପଡିଲେ । ପତ୍ନୀ ଆସି ଦେଖିଲେ ଜ୍ୱରରେ ଦେହରେ ଖଇ ଫୁଟୁଛି । ସଂଗେ ସଂଗେ ଶଶୁରଙ୍କୁ କହିଲେ, ଆଉ ସେ ତାଙ୍କୁ ଡାକ୍ତରଖାନା ନେଇ ଚାଲିଗଲେ । ସେଠାରେ ଡାକ୍ତର ତାଙ୍କୁ ଚେକଅପ କଲା ପରେ କିଛି ମେଡ଼ିସିନ ଲେଖିଦେଲେ । ଆଉ ତାହା ନେଇ ବାପା ପୁଅ ଘରକୁ ଫେରିଲେ । କିଛି ଦିନ ପରେ ଠିକ ହୋଇ ଗଲେ ଏବଂ ଅଫିସ ଯିବାକୁ ଲାଗିଲେ ସଞ୍ଜୟ । ଏମିତି କିଛି ଦିନ ଅଫିସ ଗଲାପରେ ଦିନେ ପେଟ ଉପର ଭାଗରୁ କାହିଁକି କେଜାଣି କିଛି କଷ୍ଟ ଅନୁଭବ କଲେ , ତଥାପି କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ସବୁକୁ ଭୃକ୍ଷେପ କରି ନଥିଲେ ।

.....ଦିନେ ଖରା ବେଳେ ଖଟ ଉପରେ ସଞ୍ଜୟ ଶୋଇ ଥିଲେ । ଆଉ ସେଇ ସମୟ ରେ ପତ୍ନୀ ରିତା ଦେଖିଲେ ସ୍ୱାମୀଙ୍କ ପେଟରେ , ବାଦାମୀ ରଙ୍ଗର ଗୋଲ ଗୋଲ ପରି କିଛି ଚିହ୍ନ ଦେଖା ଯାଉଛି । ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ସେ ସଂଗେ ସଂଗେ ସ୍ୱାମୀକୁ ଏ ବିଷୟରେ ପଚାରିଲେ । ହେଲେ ସଞ୍ଜୟ ବି ଏ ବିଷୟରେ କିଛି ଜାଣି ନ ଥିଲେ । ପରିବାରର ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହେଲା । ଶେଷରେ ସାନ ଭାଇ ଅଜୟ ତାଙ୍କର ଜଣେ ବନ୍ଧୁକୁ ନେଇ ଭାଇକୁ ଧରି ଚାଲିଗଲେ କଟକ ବଡ ଡାକ୍ତରଖାନା । ସେଠି ସଞ୍ଜୟକୁ ଡାକ୍ତର ଦେଖିଲା ପରେ କିଛି ରକ୍ତ ପରୀକ୍ଷା ପାଇଁ ଲେଖିଦେଲେ । ସେମାନେ ପାଥୋଲୋଜି ରେ ସବୁ ପରୀକ୍ଷା କରି ରିପୋର୍ଟ ନେଇ ଡାକ୍ତରଙ୍କ ପାଖକୁ ଫେରୁ ଫେରୁ ଦିନ ୨ ଟା ।

......ଡାକ୍ତର ତନ ତନ କରି ରିପୋର୍ଟ ପଢିଲା ପରେ ତାଙ୍କୁ ସଂଗେ ସଂଗେ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲ ନେଇ ଯିବାକୁ ପରାମର୍ଶ ଦେଲେ । ଆଉ କହିଲେ ,-“ରୋଗୀର ଅବସ୍ଥା ଭଲ ନାହିଁ, ବ୍ଳଡ଼ କ୍ୟାନ୍ସର- ଶେଷ ଅବସ୍ଥା” । କାଳ ବିଳମ୍ବ ନ କରି ଅଜୟ ମୁମ୍ବାଇ ଯିବାକୁ ବ୍ୟବସ୍ତା କଲେ । ତତ୍କାଳ ଭୁବନେଶ୍ୱରରୁ ଉଡ଼ାଜାହାଜ ମାଧ୍ୟମରେ ମୁମ୍ବାଇ ଯାତ୍ରା କଲେ । ଦୁଇ ଭାଇଙ୍କୁ ଏୟାରପୋର୍ଟ ରେ ଛାଡି ,ତାଙ୍କର ବନ୍ଧୁ ଫେରି ଆସିଲେ ସମ୍ବଲପୁର । ଅଜୟ ଯିବା ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ଏ ବିଷୟରେ ଘରେ ଜଣାଇବାକୁ ମନା କରିଥିଲେ । ମୁମ୍ବାଇ ଗଲା ପୂର୍ବରୁ ରିତାଙ୍କର ବଡଭାଇ ରାକେଶଙ୍କୁ ଅଜୟ ତାଙ୍କର ଆସିବା କଥା ଫୋନ ରେ ଜଣାଇ ଥିଲେ ।

...... ରିତାଙ୍କର ବଡ ଭାଇ ମୁମ୍ବାଇରେ ରୁହନ୍ତି ସେ ସବୁ କଥା ଜାଣିଲା ପରେ ତାଙ୍କୁ ଆଣିବା ପାଇଁ ଏୟାରପୋର୍ଟ ଗଲେ । ରାକେଶଙ୍କ ସାଙ୍ଗରେ ଥାନ୍ତି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ । ଉଡ଼ାଜାହାଜ ଅବତରଣ କଲା ରାତି ୯ଟାରେ । ଗେଟ ବାହାରେ ରାକେଶ ବାବୁ । ଅଜୟ ହୁଇଲ ଚେୟାରରେ ବଡ ଭାଇକୁ ବସେଇ ଆଣୁ ଥାନ୍ତି । ଦୂରରୁ ଲାଗୁନଥାଏ ଏ ସଞ୍ଜୟ ବୋଲି, ରାକେଶ ବାବୁ ଆଶର୍ଯ୍ୟ ହୋଇ ଗଲେ ,ଏତେ ଶୀଘ୍ର ସଞ୍ଜୟର ଏ କି ଅବସ୍ଥା । ସମୟ ନଷ୍ଟ ନ କରି ଟାକ୍ସିରେ ହସ୍ପିଟାଲ ଆଡକୁ ଚାଲିଲେ । ସେଠାରେ ପହଂଚି ସଞ୍ଜୟର ମେଡିକାଲ ଫାଇଲ ଡାକ୍ତରଙ୍କୁ ଦେଖାଇଲେ ।

.. ଡାକ୍ତର ଦେଖିଲା ପରେ କହିଲେ,- ସରି, କେଶ ବହୁତ ସିରିଅସ କିନ୍ତୁ ବେଡ଼ ଖାଲି ନାହିଁ । ଗୋଟେ ସପ୍ତାହ ପରେ ଆସନ୍ତୁ ।

....ସମସ୍ତେ ଚିନ୍ତାରେ ପଡି ଗଲେ ସେତିକି ବେଳେ, ରାକେଶ ବାବୁଙ୍କର ବନ୍ଧୁ କହିଲେ ଆଉ ଗୋଟିଏ ଭଲ ହସ୍ପିଟାଲ ଅଛି ସେଠାକୁ ନେଇକି ଯିବା । ସେଇୟା ହେଲା ,ସେଠାରେ ସେମାନେ ଡାକ୍ଟରଙ୍କ ସହ କଥାବାର୍ତ୍ତା କରି ଆଡମିଟ କରାଇ ଦେଲେ । ଦିନକୁ ଦିନ ସଞ୍ଜୟଙ୍କର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଥାଏ । ସବୁଦିନ ବ୍ଳଡ୍ଡ ଆଉ ପ୍ଲେଟଲେଟ ଦିଅ। ଚାଲିଥାଏ । ଦୀର୍ଘ ୫ ଦିନ ଚିକିତ୍ସା ହେଲା । କିଛି ପରିବର୍ତ୍ତନ ନାହିଁ, ଆହୁରି ଗୁରୁତର ହେବାରେ ଲାଗିଥାଏ ଅବସ୍ଥା । ସେ ବେଡ଼ ରେ ପଡି ରହି ଥାନ୍ତି ନ। କଥା ବାର୍ତ୍ତା ନ। ଖିଆ ପିଆ ନ। କାହାକୁ ଚିହ୍ନି ପ।ରୁଥାନ୍ତି ।

....ଶେଷକୁ ୬ଷ୍ଠ ଦିନ ସଞ୍ଜୟ ବାବୁ ସବୁଦିନ ପାଇଁ ଆଖି ବୁଜି ଦେଲେ । ପ୍ରାୟ । ୪ /୫ ଲକ୍ଷ ତାଙ୍କ ଖର୍ଚ୍ଚ କରା ଗଲା । କିଛି ଲାଭ ହେଲାନି ।

...ଏବେ କ’ଣ କରାଯିବ ଓଡିଶା କେମିତି ସଞ୍ଜୟଙ୍କର ମୃତ ଶରୀର ନେଇକି ଯିବେ । ଏହା କାଠିକର ହୋଇ ପଡିଲା ଶେଷରେ ସମସ୍ତଙ୍କର କହିବ। ଅନୁଯାୟୀ ସଞ୍ଜୟଙ୍କର ଶବ ସଂସ୍କାର ମୁମ୍ବାଇରେ କରି ଦିଆଗଲା ,ଆଉ କେବଳ ତାଙ୍କର ଅସ୍ଥି ନେଇ ଓଡିଶା ଆସିଲେ ରାକେଶ ଓ ଅଜୟ ।

....ସେ ଦିନ ଥିଲା ସାବିତ୍ରୀ ଅମାବାସ୍ୟା ସମୟ ସକାଳ ୧୧ଟା ୩୦ ,ରିତା ନୂଆ ବୋହୁ ପରି ସଜ ବାଜ ହୋଇ ଭୋଗ ଥାଳି ଧରି ବାହାରିଛି , ପୂଜା କରିବାକୁ ମନ୍ଦିର । ସ୍ୱାମୀର ଦୀର୍ଘାୟୁ କାମନା କରିବ । ସିନଥିରେ ନାଲି ସିନ୍ଦୁର ,ହାତରେ ନାଲି ଶଙ୍ଖା, ମଥାରେ ସିନ୍ଦୁର ଟୋପା, ପାଦରେ ଅଳତା ତା ସାଙ୍ଗକୁ ନାଲିଆ ପାଟ୍ଟ ଖୁବ ସୁନ୍ଦର ଦିଶୁଥାଏ । ଠିକ ସେତିକି ବେଳେ ଦିଅର ଅଜୟ ଓ ବଡ ଭାଇ ରାକେଶ ପହଂଚିଗଲେ । ସେମାନଙ୍କ ମୁହଁ କଳା ପଡିଯାଇଛି, ଲାଗୁଛି ଯେମିତି ୪ /୫ ଦିନ ହେଲା ଖାଇ ନାହାନ୍ତି କି ଶୋଇ ନାହାନ୍ତି । ରିତା ସାମ୍ନାରେ ଦୁଇ ଜଣ ମୁଣ୍ଡ ତଳକୁ କରି ଠିଆ ହୋଇ ଗଲେ । ରିତାକୁ ଭାରି ଅଡୁଆ ଲାଗିଲା । ଏପଟ ସେପଟକୁ ଦି ଚାରି ଥର ବୁଲି ଦେଖିଲ। ।

--ଆରେ ଅଜୟ ତୁମ ଭାଇ କୁଆଡେ ଗଲେ ?

--ତୁମେ ତ କହୁଥିଲ ଭାଇ ଭଲ ଅଛନ୍ତି ।

--ଆଉ ଭାଇ ତୁ କ’ଣ ଅବେଳରେ ?

ସମସ୍ତେ ନିରବ କାହା ମୁହଁ ରୁ ଶବ୍ଦ ଟିଏ ବାହାରୁ ନ ଥାଏ । ସେତିକିବେଳେ ଶାଶୁ ଆସି ପଚାରିଲେ,-

--କିରେ ଅଜୁ ସଂଜୁ କାଇଁ ?

--ତୁମେ ଆସିଲ ଅଥଚ ସେ କୁଆଡେ ଗଲା ?

--ଆଜି ସାବିତ୍ରୀ ବ୍ରତ ବୋହୁ ପୂଜା ପରେ ,ତାକୁ ବନ୍ଦାପନା କରି ସାରିଲେ ତ ପାଣି ମୁନ୍ଦିଏ ପିଇବ ?

--କାଇଁ ମୋ ପୁଅ ?

ବାସ ,ଆଉ କ’ଣ ଭୋ ଭୋ ହୋଇ କାନ୍ଦି ଉଠିଲେ ଅଜୟ ଆଉ ରାକେଶ ବାବୁ । ରାକେଶ ବାବୁଙ୍କ ହାତରେ ଅସ୍ଥି ମାଠିଆ ଦେଖି , ଶଶୁର ବୁଝିଗଲେ ପୁଅ ଆଉ ନାହିଁ । ସେଇଠି ମୁର୍ଚ୍ଛା ହୋଇ ପଡି ଗଲେ । ଆଉ ରିତ।ଙ୍କର ଶାଶୁ ବି ସଂଜ୍ଞା ହୀନ ହୋଇ ଟଳି ପଡିଲେ ଚାରି ଆଡେ ହାହାକାର ମଚିଗଲା । ରିତା ଖୁଣ୍ଟଟା ପରି ଠିଆ ହେଇ ଥାଏ । ଭୋଗ ଥାଳି ଟା ହାତରୁ ପଡି ଚାରିଆଡେ ଫଳଫୁଲ ସବୁ ବିଞ୍ଚି ହୋଇଗଲା ।

କ୍ଷଣିକ ଭିତରେ ସବୁ ଚୁରମାର ହୋଇଗଲା । ପାଖ ପଡୋଶୀ ଜମା ହୋଇ ଗଲେ । ସମସ୍ତଙ୍କର ମୁହଁରୁ ଗୋଟିଏ କଥା ଆଜି ଭଳି ଦିନରେ ବୋହୂଟା ବିଧବା ହୋଇ ଗଲା । କି ଦୁଃର୍ଭାଗ୍ୟ ହୀନକପାଳୀ ଟା । କୁନି ପୁଅ ସେତବେଳକୁ ଛ’ ମାସର । ସମସ୍ତଙ୍କର କାନ୍ଦ ଶବ୍ଦ ଶୁଣି ଚିତ୍କାର କରି ଉଠିଲା । ରାକେଶ ବାବୁ ଛୁଆ ଟିକୁ କୋଳେଇ ନେଲେ । ରିତା ମୁକ ପାଲଟି ଯାଇ ଥାଏ । ଆଖିରୂ ଲୁହ ଧାର ବହି ଯାଉଛି, ପାଟିରୁ ଶବ୍ଦ ବାହାରୁନି ।

.....ରିତାର ବାପା ମା, ଏ ଖବର ଜାଣିଲା ପରେ ଅଧର୍ଯ୍ୟ ହୋଇ ପଡିଲେ । ମା' ମୁଣ୍ଡ ବାଡେଇଦେଲେ ଦାଣ୍ଡ ପିଣ୍ଡାରେ । ବାପାଙ୍କର ଛାତି ଭିତରଟା କ’ଣ ହୋଇ ଗଲ। ଥମ କିନା ବସି ପଡିଲେ । ଧୀରେ ଧୀରେ ବନ୍ଧୁବାନ୍ଧବ ଆସି ପହଁଚିଲେ । ସମସ୍ତେ ରିତାକୁ ଦେଖି ବିକଳ ହୋଇ କାନ୍ଦୁଥାନ୍ତି ।

... ରିତା ର ବୟସ ମାତ୍ର ୨୩ ବର୍ଷ । ଏକୁଟିଆ କେମିତି ବଂଚିବ କୁନି ପୁଅଟିକୁ ନେଇ, ସମସ୍ତଙ୍କର ଗୋଟିଏ ଚିନ୍ତା । କମ ବୟସର ଝିଅଟା, ଲମ୍ବା ଜୀବନ କେମିତି କାଟିବ । ଛୁଆଟା ବାପା ଛେଉଣ୍ଡ ହେଇ ଗଲା । ଏ ସବୁ କଥା ଶୁଣି ଶୁଣି ରାକେଶ ବାବୁ ମନେ ମନେ କ’ଣ ଭାବି ଯାଉଥାନ୍ତି ।

.....ନିର୍ଦ୍ଧିଷ୍ଟ ସମୟରେ ଦଶାହ ,ଏକାଦଶାହ କର୍ମ ସରିଗଲା । ରାକେଶ ବାବୁ ମୁମ୍ବାଇ ଫେରି ଆସିଲେ କାରଣ, ସେଠାରେ ରିତାର ଧଳା ଶାଢ଼ୀ ,ଖାଲି ହାତ ଆଉ ଶୂନ୍ୟ ମଥା ତାଙ୍କୁ ବିଚଳିତ କରୁଥିଲା ।

....ଠିକ ୬ ମାସ ପରେ ରାକେଶ ବାବୁ ରିତା ଘରକୁ ଆସିଲେ । ରିତାର ଶଶୁର ,ଦିଅର ଆଉ ସଞ୍ଜୟଙ୍କର ବଡ ବାବୁ ଙ୍କ ସାଙ୍ଗରେ ବସି ରିତାର ଭବିଷ୍ୟତ ବିଷୟରେ ଆଲୋଚନା କଲେ । ରିତାକୁ କେମିତି ନୂଆ ଜୀବନ ମିଳିବ । ପୁଣି ସେ ଖୁସିରେ ରହିବ । କୋଳରେ ବର୍ଷକର ପୁଅ ,ତେଣୁ ସେ ଅଜୟ ସହ ରିତାର ପ୍ପୁନର୍ବିବାହ ପାଇଁ ପ୍ରସ୍ତାବ ରଖିଲେ । ଅଜୟକୁ ସଞ୍ଜୟଙ୍କ ବଡ ବାବୁ ସଞ୍ଜୟ ଚାକିରୀରେ ରଖିବାକୁ କଥା ଦେଲେ । ଅଜୟଙ୍କ ବାପା ମା’ଙ୍କୁ ବହୁତ ବୁଝାସୁଝା କଲା ପରେ ସେମାନେ ବି ବୁଝିଲେ । ଶେଷରେ ଅଜୟ କିଛି ସମୟ ମାଗିଲେ ଏ ବିଷୟରେ ଚିନ୍ତା କରିବାକୁ ।

.....ଠିକ ୨ ମାସ ପରେ ଅଜୟ ଫୋନ କରି ରାକେଶ ବାବୁଙ୍କୁ ଜଣାଇଲେ ,ସେ ପ୍ରସ୍ତାବରେ ରାଜି ଅଛନ୍ତି । ତା ପରେ ସଞ୍ଜୟ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପରେ ପରେ, ପୁରୀ ରେ ଅଜୟ ଆଉ ରିତାଙ୍କର ବୈଦିକ ରୀତିରେ ବିବାହ ସମାପ୍ତ ହେଲ। ।

ସମୟରେ ତାଳେ ତାଳେ ରିତା ଆଉ ଅଜୟ ପଛ କଥା ଭୁଲି ପରସ୍ପରକୁ ଆପଣେଇ ସାରିଛନ୍ତି । ଜନ୍ମ ମୃତ୍ୟୁ ତ ରହିଛି ତାହା ସତ୍ୟ, ଆଉ ତାକୁ ଗ୍ରହଣ କରିବାକୁ ପଡିବ । କିନ୍ତୁ ତା ସହିତ ଆମେ ଶିକ୍ଷିତ ସମାଜର ଉଚ୍ଚ ଚିନ୍ତାଧାରା ଯୁକ୍ତ ଜଣେ ଜଣେ ନାଗରିକ । ତେଣୁ ପୁରୁଣା ରୀତି କୁ ନ ଧରି ମଣିଷର ଜୀବନର ମୂଲ୍ୟକୁ ବୁଝିବା । ବିଧବା ବୋଲି ଜଣେ ପୁନର୍ବିବାହ କରି ପାରିବନି ଏହା ଠିକ ନୁହେଁ । ଯଦି ଜଣେ ପୁରୁଷ ନିଜ ସ୍ତ୍ରୀକୁ ହରାଇଲା ପରେ ଦ୍ୱିତୀୟ ବିବାହ କରୁଛି ତେବେ ନାରୀ କାହିଁକି ନୁହେଁ ? ଆମକୁ ନାରୀକୁ ବି ସେତିକି ଅଧିକାର ଦେବାକୁ ପଡିବ ।

.....ଏବେ ରିତା ଆଉ ଅଜୟଙ୍କର ଗୋଟିଏ ପୁଅ ,ପ୍ରୀତ । ଅଜୟ ଦି ପୁଅ ଆଉ ସ୍ତ୍ରୀଙ୍କୁ ନେଇ ବେଶ ଖୁସିରେ ଅଛନ୍ତି ।

.....ସମୟ ଓ ଭାଗ୍ୟକୁ କେହି ଅଟକେଇ ପାରିବେନି । ଯେତେବେଳେ ଯାହା ହେବାର ଥିବ ତାହା ନିଶ୍ଚୟ ହେବ । ଆମେ ନିମିତ୍ତ ମାତ୍ର ବାକି ସବୁ ଉପରବାଲାର ଖେଳ । ଆଉ ଏହା ହିଁ ସତ୍ୟ ।

......ଦୁର୍ଭାଗ୍ୟ ଯେ କେତେବେଳେ ସୌଭାଗ୍ୟ ରେ ପରିଣତ ହୋଇ ଯିବ, କେହି କହି ପାରିବେନି । ଆଜି ଉଜୁଡି ଯାଇଥିବା ସଂସାରଟ। ଖିଲ ଖିଲ ହୋଇ ହସୁଛି । ଆଉ ସେଇ ଲୋକ ଆଜି କହୁଛନ୍ତି ରିତାର କି ସୌଭାଗ୍ୟ । ଏ ସବୁ ସେହି କାଳିଆର ଆଶୀର୍ବାଦ ।

(ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ରର )

ଭାଗ୍ୟ ସମୟ ସତ୍ୟ

Rate the content


Originality
Flow
Language
Cover design

Comments

Post

Some text some message..