Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
Sesha dekha
Sesha dekha
★★★★★

© Lopamudra Mishra

Tragedy

10 Minutes   7.6K    26


Content Ranking

.... ଶେଷ ଦେଖା....

ଲୋପାମୁଦ୍ରା ମିଶ୍ର

ରୋଜାଲିନ ବାପା ମାଆଙ୍କର ଗୋଟିଏ ବୋଲି ଗେଲ୍ଲୀ ଝିଅ l

ବିଜୟ ଆଉ ସୋମାଙ୍କ ହୃଦୟର ସବୁତକ ସ୍ନେହଁ ଆଉ ଭଲପାଇବାକୁ ସମ୍ବଳ କରି ରୋଜା ଆଜି ଛଅବର୍ଷ ବୟସରେ ଉପନୀତ l କିନ୍ତୁ ତା ସଙ୍ଗେ ଖେଳିବା ପାଇଁ ଆଉ ଗୋଟେ ଭାଈ କି ଭଉଣୀ ତାର ନଥିବାରୁ ମାମା ପାପାଙ୍କ ଆଗରେ ସବୁବେଳେ ସେ ଅଭିଯୋଗ କରେ l ତା ସାଙ୍ଗମାନଙ୍କର ଭାଈ ଭଉଣୀଙ୍କୁ ଲୁଚେଇ କରି ନେଇଆସିବାର ବିଭିନ୍ନ ଉପାୟ ପାଞ୍ଚେ ଓ ପାପା ଙ୍କ ପାଖରେ ତାର ଉପାୟ ଗୁଡିକ ସବୁ କହେ l

ରୋଜା ସବୁଦିନ ସକାଳୁ ଉଠି ମାମାଙ୍କୁ ପଚାରେ, "ମାମା କେବେ ମୋର କୁନି ଭଉଣୀ କି ଭାଈ ଆସିବ?ମୁଁ ତା ସଙ୍ଗେ ଖେଳିବି l ତାକୁ ସାଙ୍ଗରେ ନେଇ ସ୍କୁଲ ଯିଵି l କେବେ ଆସିବ? କୁହନା ମାମା l କୁହ l"

ସୋମା ଙ୍କର ପ୍ରତିଦିନ ର କାମ ହେଲା ସକାଳୁ ରୋଜା ର ବିଭିନ୍ନ ଅଜବ ପ୍ରଶ୍ନ ର ଉତ୍ତର ଦେଇ ତାକୁ ସ୍କୁଲ ପାଇଁ ପ୍ରସ୍ତୁତ କରେଇବା l

ରବିବାର ସକାଳ l ରୋଜା ବେଡ ଛାଡ଼ିନି l ବିଜୟ ସକାଳୁ ବଜାର ବାହାରି ଯାଇଛନ୍ତି l ମାମା ରୋଜା କୁ ଉଠେଇବାକୁ ଗଲେ l ରୋଜା ମାମାଙ୍କ ବେକ ଚାରିପଟେ ନିଜ କୁନି ହାତଦୁଇଟି ଗୁଡେଇ ଦେଇ ପଚାରିଲା, "ମାମା ଆଜି ସ୍କୁଲ ଛୁଟି? ଆମେ କୁନି ଭାଈ ଆଣିବାକୁ ଯିବା କି? "l ସୋମା ରୋଜା ର ପ୍ରଶ୍ନ ର ଉତ୍ତର ଦେବାକୁ ଯାଉଛନ୍ତି ଡୋର ବେଲ ଟିଂ ଟିଂ ଶବ୍ଦ କରି ବାଜି ଉଠିଲା l ରୋଜା ଅଧୁଆ ମୁହଁରେ ବେଡ ରୁ ଡେଇଁ ପଡି ଦୌଡିଲା ଡୋର ପାଖକୁ l

ବିଜୟ ଙ୍କ ହାତରେ କୁନି ଗୁଲୁଗୁଲିଆ କୁକୁର ଛୁଆ ଟେ l କଳା ମଚମଚ ଦେହ l ଜୁଳୁ ଜୁଳୁ କରି ଅନେଇଛି l

--ପାପା ଇଏ କିଏ?

--ଇଏ ପା ଆମ ରୋଜାର ଫ୍ରେଣ୍ଡ l

--ସତରେ? ଇଏ ମୋ ସଙ୍ଗେ ଖେଳିବ?

--ହଁ ସତରେ l ଇଏ ରୋଜାର ଘରକୁ ରାସ୍ତା ଖୋଜୁଥିଲା ତ ମୁଁ ତାକୁ ନେଇଆସିଲି ରୋଜା ପାଖକୁ l

ରୋଜା ଖୁସି ହୋଇଯାଇ କୁକୁର ଛୁଆଟାକୁ ନିଜ ହାତକୁ ନେଇଆସିଲା l ସୋଫା ଉପରେ ବସିଯାଇ ତା ନରମ ଦେହ କୁ ଆଉଁଶିବାରେ ଲାଗିଲା l

ସୋମାଙ୍କର ଏ କୁକୁର ବିଲେଇ ପ୍ରତି ବଡ ଘୃଣା l ସେ ବିରକ୍ତି ରେ ଭ୍ରୁକୁଞ୍ଚନ କରି ପଚାରିଲେ,"ଏଇ !ୟାକୁ କୋଉଠୁ ଉଠେଇ ଆଣିଲ? ନେଇଯାଅ ଛାଡ଼ି ଆସିବ l"

ବିଜୟ ବାଁ ହାତରେ ଧରିଥିବା ପରିବା ବ୍ୟାଗଟା ତଳେ ରଖୁ ରଖୁ କହିଲେ, "ଆମ ଏଇ ଗଳି ପାଖେ ଏକା ବୁଲୁଥିଲା, ଦୁଇ ଚାରିଟା ବୁଲା କୁକୁର ତା ଆଡକୁ ଖେଦି ଆସୁଥିଲେ l ମୁଁ ସେ କୁକୁର ଙ୍କୁ ଗୋଡେଇ ୟାକୁ ନେଇଆସିଲି l"

"ହଁ, ଖୁବ ଭଲ କଲ ",କହିଦେଇ ସୋମା ରାଗ ଗରଗର ହେଇ କିଚେନ କୁ ପଳାଇଲେ l

ରୋଜା ଏବେ ତା କୁନି ସାଙ୍ଗଟି ସହ ନିଜର ସବୁତକ ସମୟ ବିତେଇ ଦେଉଛି l ସ୍କୁଲ ରେ ସବୁ ସାଙ୍ଗପିଲା ଙ୍କୁ ତା ନୂଆ ଫ୍ରେଣ୍ଡ କଥା କହିସାରିଲାଣି l କୁନି ମାଈ କୁକୁର ଛୁଆ ଟିର ସୁନ୍ଦର ନାଁ ଟିଏ ଵି ସେ ଦେଇସାରିଲାଣି l 'ରାଲି' l ରୋଜା ର ଭଉଣୀଟିଏ ହୋଇଥିଲେ ସେ ଏହି ନାଁଟା ତାକୁ ଦେଇଥାନ୍ତା ବୋଲି ମନସ୍ଥ କରିଥିଲା l ଘରେ ରାଲି ର ରହିବା ଖାଇବା ର ସୁବନ୍ଦୋବସ୍ତ କରାହେଇଛି l ବିଜୟ ନିଜେ ରାଲି କୁ ଗାଧୋଇ ଦିଅନ୍ତି l ପାପା ଙ୍କୁ ପଚାରି ରୋଜା ନିଜେ ରାଲି କୁ ବେଳେ ବେଳେ ଖୁଆଏ l

ରୋଜା ଆଉ ଅଳ୍ପ ଟିକେ ବଡ ହେବା ଯଥେଷ୍ଟ ଆଗରୁ ରାଲି ଖୁବ ଛୋଟ ରୁ ବଡ ହେଇଗଲା l ରୋଜା ସ୍କୁଲ ରୁ ଫେରି ଆଗ ରାଲି କୁ ହିଁ ଖୋଜେ l ସକାଳୁ ରାତି ଯାଏ ରାଲି ଆଉ ରାଲି l ଯେମିତି ତା ଦୁନିଆଁ ରେ ଆଉ କାହାରି ଉପସ୍ଥିତି ମୂଲ୍ୟହୀନ,ଗୁରୁତ୍ୱବିହୀନ l ରାଲି ମଧ୍ୟ ରୋଜା ର ସ୍କୁଲ ଫେରନ୍ତା ରାସ୍ତା କୁ ଅପେକ୍ଷା କରି ସେମିତି ପୋର୍ଟିକୋ ଉପରେ ବସିରହିଥାଏ l ରୋଜା କୁ ଦେଖିପକେଇଲେ ଉଠିପଡି ଲାଞ୍ଜ ହଲାଏ l ରୋଜା ପାଖରେ ଗେଞ୍ଜି ହୋଇପଡ଼ି ନିଜର ଖୁସି ଜାହିର କରେ l

ରୋଜା ଆଉ ଏବେ ସୋମାଙ୍କୁ ଭାଈ କି ଭଉଣୀଟିଏ ଆଣିବାକୁ କୁହେନାହିଁ l ସୋମା ମନ ଭିତରେ ଟିକେ କଷ୍ଟ ପାଆନ୍ତି l ତାଙ୍କର ଇଚ୍ଛାହୁଏ ରୋଜା ତାଙ୍କୁ ସେଇଟି ମାଗୁ l

ରାଲି ର ଥରେ ଦେହ ଖରାପ ହେଲା l ଗୋଟିଏ ଜାଗାରେ ଶୋଇକି ରହିଲା l ମୁଣ୍ଡ ଉଠେଇଲା ନାହିଁ l ରୋଜା ସହ ଖେଳିଲା ନାହିଁ l ରୋଜା ବ୍ୟସ୍ତ ହୋଇ ପାପାଙ୍କୁ କହିଲା ତାକୁ ଡାକ୍ତର ଦେଖେଇବାକୁ l ନିକଟସ୍ଥ ପଶୁଚିକିତ୍ସାଳୟ କୁ ନେଇ ରାଲି ର ଉପଯୁକ୍ତ ଚିକିତ୍ସା କରାଗଲା l ଔଷଧ ଦିଆଗଲା l ସୋମା ରୋଜା କୁ ରାଲିର ପାଖକୁ ଛାଡୁନଥିଲେ, କାଳେ ତାର କିଛି ଅସୁବିଧା ହେଇଯିବ l ପଶୁଜାତି, କଷ୍ଟରେ ଥିଲେ ଆକ୍ରମଣ ଵି କରିପାରନ୍ତି l

ସକାଳୁ ମାମା ନଉଠେଇଲେ ବିଛଣା ଛାଡୁନଥିବା ରୋଜା କିନ୍ତୁ ସେଦିନ ଭୋରୁ ନିଜେ ନିଜେ ଉଠି ବାଥରୁମ ର ଟ୍ୟାପ ଖୋଲି ଆପେ ଗାଧୋଇ ପଡିଲା l ତାପରେ ଠାକୁର ଘର କବାଟ ଖୋଲି ଭିତରକୁ ଯାଇ ଠାକୁର ଙ୍କ ପାଖରେ ଅଳି କଲା, "ଠାକୁରେ !ମୋ ସାଙ୍ଗ କୁ ଜଲଦି ଭଲ କରିଦିଅ l ସେ ମୋ ସାଙ୍ଗରେ ନଖେଳିଲେ ମୋତେ ଭଲ ଲାଗୁନି l ତାକୁ ଭଲ କରିନପାରିଲେ ମୋ ଦେହ ଵି ଖରାପ କରିଦିଅ" l ରୋଜା

ଠାକୁରଙ୍କ ପାଖରୁ ସିନ୍ଦୂର ଟିପିଏ ଆଣି ରାଲି ର ମୁଣ୍ଡ ରେ ଲଗାଉଥିଲା ମାମା ପାପା ଆସି ଦେଖିପକେଇଲେ l ରୋଜାର ନିରୀହପଣ କୁ ଦେଖି ସୋମା ଓ ବିଜୟଙ୍କ ଆଖିରୁ ଵି ପାଣି ଗଡି ଆସିଲା l

ଔଷଧଟା କାମକଲା l ରାଲି ଦୁଇଦିନ ପରେ ଉଠି ଚଲାବୁଲା କଲା l ପୂର୍ବ ପରି ଖିଆ ପିଆ କଲା l ରୋଜା ସାଙ୍ଗରେ ଖେଳିଲା l ରୋଜା ଏବେ ଖୁବ ଖୁସି l ସେଦିନ ରୋଜା ସ୍କୁଲ ରୁ ଫେରି ରାଲି କୁ ଵିସ୍କିଟ ଖୁଆଉଥିଲା l ମାମା କେତେ ଡାକିଲେଣି ସ୍କୁଲ ଡ୍ରେସ ବଦଳେଇ ଫ୍ରେସ ହେଇଯିବା ପାଇଁ l 'ଆଉ ଟିକେ ଆଉ ଟିକେ' କହି ରୋଜା ଖେଳ ରେ ମାତିଯାଇଛି l ରୋଜା ହଠାତ 'ଓ ଓ ' କରି ଦୁଇଟି ଶବ୍ଦ କଲା l ସୋମା ଦୌଡି ଆସିଲେ l ଚଟାଣ ସାରା ବାନ୍ତି l ଲାଲ ରଙ୍ଗ ର ବହଳ ବାନ୍ତି l ରୋଜା ର ଆଖିରୁ ପାଣି ବାହାରି ଆସୁଛି l ସୋମା କୋଳ କରି ନେଇଗଲେ ଝିଅ କୁ l

--ମୁଁ କହୁଛି ସେ କୁକୁର କୁ ଏ ଘରୁ ହଟାଅ l ତାରି ପାଇଁ ଛୁଆ କୁ ମୋର ଆଜି ଇନଫେକ୍ସନ ହେଇଗଲାଣି l

ସୋମା ରାଗ ଅଭିମାନ ଆଉ କୋହ ମିଶା କଣ୍ଠ ରେ ବିଜୟ ଙ୍କୁ ଉଦେଶ୍ୟ କରି କହୁଛନ୍ତି l

ରୋଜା ନିସ୍ତେଜ ହୋଇ ବେଡ ରେ ଶୋଇଛି l ଡାକ୍ତର କହୁଛନ୍ତି ପରୀକ୍ଷାଟେ କରେଇ ନେବାକୁ l

ଆଜି ରୋଜାର ରିପୋର୍ଟ ବିଜୟ ଙ୍କ ହାତରେ l ସୋମା କାନ୍ଦି କାନ୍ଦି ଆଖି ଫୁଲେଇ ଦେଲେଣି l ବିଜୟ ସ୍ଥାଣୁ l ରାଲି କିଛି ବୁଝିପାରୁନି l ଗୋଟିଏ ଜାଗାରେ ମୁହଁ ଲାଞ୍ଜ କୁ ଯାକି ପେଟେଇ ପଡିଛି l

ଆଜି ରୋଜା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରେ ଭର୍ତ୍ତି ହେବାକୁ ଯିବ l ସେ ଯେ ଭୟଙ୍କର ରକ୍ତ କର୍କଟ ରେ ଆକ୍ରାନ୍ତ ସେ କଥା ଏଇ ବକଟେ କୁନି ଝିଅ କାହିଁକି ଵା ବୁଝିବ?

--ପାପା ମୁଁ କଣ ଆଉ ସ୍କୁଲ ଯିବିନି?

--ହଁ ମା ଯିବୁ l ଆଗ ଦେହ ଠିକ ହେଇଯାଉ ତାପରେ ଯିବୁ l

--ପାପା ରାଲି ଵି ମୋ ସହ ହସ୍ପିଟାଲ ଯିବ l ସେ ମତେ ଛାଡ଼ି ଏକା ରହିପାରିବନି l

--ତୁ ତା ପାଇଁ ବ୍ୟସ୍ତ ହୋନା ମା l ଆଜି ଜେଜେ ଜେଜେମାଆ ଆସିଲେ ତା କଥା ବୁଝିବେ l

--ନାଇଁ ପାପା ମୁଁ ତାକୁ ନଦେଖିଲେ ଭଲ ହେବିନି l ମୁଁ ତାକୁ ସାଙ୍ଗରେ ନେଇକି ଯିଵି l

--ମୋ ସୁନା ଝିଅ ଟା ପା ! ମୋ କଥା ମାନେ l ସେ ଏବେ ଏଇଠି ଥାଉ l ମୁଁ କାଲି ଆସି ନେଇଯିବି l

--ପାପା ମାମା ! ଆମେ ହସ୍ପିଟାଲ ରେ କେତେଦିନ ରହିବା କି? ମତେ ସେଠି ଡ଼କ୍ଟର ଅଙ୍କଲ ଇଞ୍ଜେକ୍ସନ ଲଗେଇଦେବେ କି?

ବିଜୟ ସୋମା ଦୁହିଁଙ୍କ ଆଖିରେ ଲୁହ l କି ଜବାବ ଦେବେ ସେମାନେ, ଯେବେ କି ସେ ନିଜେ ମଧ୍ୟ ଉତ୍ତର ଟା ଜାଣନ୍ତିନି l

ରାଲି, ରୋଜା କୁ ଘରେ ନଦେଖି ଗୁମସୁମ ହୋଇ ବସିରହେ l କେବେ କେବେ ସ୍କୁଲ ବସର ଶବ୍ଦକୁ ବାରି ପୋର୍ଟିକୋ କୁ ଲାଞ୍ଜ ହଲେଇ ଦୌଡିଯାଏ l ପୁଣି ଫେରିଆସି ସିଡ଼ି ତଳେ ମୁହଁ ଓହଳେଈ ପଡ଼ିରହେ l ରୋଜା ର ଘରେ ଏବେ ଜେଜେମାଆ ଆଉ ଜେଜେ ଆସି ରହୁଛନ୍ତି l ବିଜୟ ଅଫିସ ରୁ ଫେରି ସିଧା ହସ୍ପିଟାଲ ଚାଲିଯାଆନ୍ତି l ପାପାଙ୍କୁ ଏକା ଆସିଥିବା ଦେଖି ରୋଜା ପ୍ରତ୍ୟେକ ଦିନ ରାଲି କଥା ପଚାରେ l

ରୋଜା ର ଦେହ ସାରା ଘିମିରି ପରି ନାଲି ନାଲି ଦାଗ ହୋଇଗଲାଣି l ଓଜନ କମି କମି ଯାଉଛି l ମୁଣ୍ଡରେ ଆଗ ପରି ସୁନ୍ଦର କଳା ମଚ ମଚ ରେଶମୀ କେଶ ଆଉ ନାହିଁ l ଆଖି ଭିତରକୁ ଗଳି ଗଲାଣି l ଦିନେ କଣ୍ଢେଇ ପରି ଦିଶୁଥିବା ଓ ସୁନ୍ଦର ଡୌଲ ଡାଉଲ ଥିବା ଝିଅଟି ଆଜି କ୍ଷୀଣକାୟ ହୋଇଯାଇଛି l ତାର ଏ ରୂପ ଆଉ କଷ୍ଟ କୁ ଦେଖିଲେ ଯେ କେହିବି ଆଖିରୁ ଅଶ୍ରୁ କୁ ବୋହିଯିବାରୁ ଅଟକାଇ ପାରିବନି l ଏବେ ବେଶୀ କଷ୍ଟ ହେଲେ ରୋଜା ମାମାଙ୍କୁ ଜାବୁଡି ଧରି କହେ, "ମାମା ! ମତେ ଜଲଦି ଠିକ କରି ମୋ ରାଲି ପାଖକୁ ନେଇଯାଅ l ମତେ ଏଠି ଭଲ ଲାଗୁନି l ମୁଁ ବହୁତ ଦିନ ହେଲା ତା ସହ ଖେଳିନି l"

ବିଜୟ ଆଜି ଅଫିସ ରୁ ଆସିଲା ବେଳକୁ ଘରକୁ ଯାଇ ରୋଜା ର ସ୍କୁଲ ବ୍ୟାଗ ଟା ନେଇଆସିଥିଲେ l ସେ କହିଥିଲା ଆଣିଆସିବାକୁ l

--ପାପା ମିସ ସେଦିନ ଫ୍ରେଣ୍ଡ ଉପରେ ଇଂଲିଶ ଏସେ ଲେଖିବାକୁ କହିଥିଲେ l ମୁଁ ତ ଆଉ ସ୍କୁଲ ଯାଉନି l ମୁଁ ଏଠି ଲେଖିଦେବି ତୁମେ ନେଇ ମିସଙ୍କୁ ଦେଖେଇଦେବ l

ରୋଜା ଥର ଥର ହାତରେ ଇଂରାଜୀରେ ଖୁବ କଷ୍ଟ ରେ ଚାରି ପାଞ୍ଚ ଧାଡ଼ି ଲେଖିଲା l ସବାଉପରେ "Rali, my best friend " ଲେଖି ତା 'ତଳେ ଗାରଟିଏ ଟାଣିଦେଲା l

ଏଇ କିଛିଦିନ ହେବ ରୋଜା ଆଗ ଅପେକ୍ଷା ଟିକେ ସୁସ୍ଥ ଅନୁଭବ କରୁଛି l ଯେଉଁମାନେ ତାକୁ ଭେଟିବାକୁ ଆସୁଛନ୍ତି ସମସ୍ତଙ୍କ ସହ ସେ ଖୁସି ଖୁସି କଥା ହେଉଛି l ତା ବେଡ ରୁ ଉଠିଯାଇ ହସ୍ପିଟାଲ ଭିତରେ ଟିକେ ବୁଲା ବୁଲି କରୁଛି l ପାପାଙ୍କୁ ଜିଦ୍ଦି କରି କହୁଛି ତାକୁ ଘରକୁ ନେଇ ରାଲି ସହ ଦେଖାକରେଇ ଆଣିବାପାଇଁ l

ରୋଜା ଭର୍ତ୍ତି ହେଇଥିବା ରୁମ ପାଖକୁ ଲାଗି ଆଉଗୋଟେ ରୁମ ରେ ତିନିଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ରୋଜା ବୁଲି ବୁଲି ଏବେ ସେଇଠିକୁ ଚାଲିଯାଉଛି l ଗୋଟେ ଅଠର ଉଣେଇଶ ବର୍ଷ ର ପିଲାର ପାଟିରେ କଣ ଗୋଟେ ଘାଆ ହୋଇଛି l ସେ କଥା କହିପାରୁନି l ପାଟି ଅପରେସନ ହୋଇ ବ୍ୟାଣ୍ଡେଜ ବନ୍ଧା ହୋଇଛି l ପାଖରେ କେହି ନାହାଁନ୍ତି l ରୋଜା ଯାଇ ତାରି ବେଡ କଡ଼ରେ ବସେ l ବହୁତ କଥା କହେ l ସେ କିଛି ଉତ୍ତର ଫେରେଇପାରେନି l

ରୋଜା ତାକୁ କହେ

-ମୋ ଭଉଣୀ ଏଠି ଭର୍ତ୍ତି ହେଇଛି l ମୁଁ ତାକୁ ଜଗିବାକୁ ଆସିଛି l ସେ ବହୁତ ଜଲଦି ଠିକ ହେଇଯିବ l ତାପରେ ଆମେ ଆମ ଘରକୁ ପଳେଇବୁ l ଜାଣିଛ ମୋର ଗୋଟେ ସାଙ୍ଗ ଅଛି l ତା ନାଁ ରାଲି l ସେ ବହୁତ କ୍ୟୁଟ l ମତେ ଖୁବ ଭଲପାଏ l ଆମେ ଗଲେ ସାଙ୍ଗ ହୋଇ ବହୁତ ଖେଳିବୁ l ତୁମ ନାଁ କଣ?ଓହ! ତୁମେ ତ କିଛି କହିପାରୁନ l ମୁଁ ତୁମକୁ ରିଲୁ ଡାକିବି? ହଉ ଠିକ ଅଛି l ରିଲୁ ! ତୁମେ ମୋର ଫ୍ରେଣ୍ଡ ହେବ l ହାତ ଆଗକୁ ଆଣ l ତୁମେ ଭଲ ହେଇଯାଅ ଆମ ଘରକୁ ଯିବ l ମୁଁ ରାଲି ସହ ତୁମକୁ ଦେଖା କରେଇଦେବି l

ପିଲାଟି ରୋଜା ର କୁନି ହାତରେ ବହୁ କଷ୍ଟରେ ନିଜ ହାତକୁ ଥୋଇ ନିଜର ସହମତି ଜଣାଏ l

ରୋଜା ପାଇଁ ପାପା ପ୍ରତିଦିନ ଆଣି ଆସୁଥିବା ଫୁଲ ରୁ ଗୋଟାଏ ଧରି ରୋଜା ଧୀରେ ଧୀରେ ବେଡ ରୁ ଉଠି ବାହାରକୁ ବାହାରିଯାଏ l ମାମା ପଚାରିଲେ କହେ, "ଯାଉଛି ନୂଆ ଫ୍ରେଣ୍ଡ ରିଲୁ କୁ ଏଇଟା ଦେଇଆସିବି l" ରୋଜା ର ସେହି ନୂଆଫ୍ରେଣ୍ଡ ରିଲୁ ମଧ୍ୟ ରୋଜା ର ଫୁଲ କୁ ପ୍ରତ୍ୟେକ ଦିନ ଅପେକ୍ଷା କରି ରହିଥାଏ l ଆବିଳତା ବିହୀନ ନିରୀହ ଭଲପାଇବା ହିଁ ପ୍ରକୃତ ବନ୍ଧୁତା l ସେପରି ବନ୍ଧୁ ମହାନ ଓ ସେ ବନ୍ଧୁତ୍ୱ ସଦା ବନ୍ଦନୀୟ l

ରୋଜା ର ଆତ୍ମବିଶ୍ଵାସ ଭରା କଥା ଶୁଣି ରିଲୁ ଧୀରେ ଧୀରେ ସୁସ୍ଥ ହେଉଛି, ରୋଜା କିନ୍ତୁ ଖୁବ ଦୁର୍ବଳ ହେଇପଡୁଛି l ସଜଫୁଟା ଗୋଲାପ ପରି ସୁନ୍ଦର କଅଁଳ ମୁହଁ ଟି ଶୁଖି ଏକବାର ଝାଉଁଳି ପଡ଼ିଲାଣି l ରିଲୁ ର ଆଜି ପାଟି ରୁ ବ୍ୟାଣ୍ଡେଜ ଖୋଲା ହେବ ଆଉ ସେ ଏବେ ସ୍ୱାଭାବିକ କଥା କହିପାରିବ ବୋଲି ଡାକ୍ତରମାନେ କହୁଛନ୍ତି l କିନ୍ତୁ ଦୁଇଦିନ ହେଲା ରୋଜା ଆଉ ବେଡ ରୁ ଉଠୁନି l ସୋମା ତା ମୁଣ୍ଡ ପାଖେ ବସି ସେଇମିତି ତା ସଳିତା ପରି ପତଳା ରୋଗୀଣା ଦେହଟାକୁ ସାଉଁଳାଉଛନ୍ତି l ଆଖିରୁ ଲୁହ ଝରି ଲୁଗା ପଟା ଓଦା ହେଇଯାଉଛି l ବିଜୟ ସୋମା ଙ୍କ ସହ ନଜର ମିଶେଇ ପାରୁନାହାଁନ୍ତି l ସୋମାଙ୍କ ଆଖିରୁ ଦୁଇଟୋପା ଅଶ୍ରୁ ନିଗିଡି ରୋଜା ର ଗାଲରେ ପଡିଲା l

--ମାମା ତୁମେ କାନ୍ଦୁଚ ଅ.. ... କାଇଁ.. କାଇଁକି? କନ୍ଦନାଆ ଆ... ଆ.. ଉଁ.. ମୋ ରାଲିଇ .. ଇଇ.. ଇଁ.. ଇଁ.. କାଇଁ.. କାଇଁ..? ରାଲି..ରାଲି କୁ ଆଣ..ସେ ଆସିଲେ ମୁଁ ଉଁ ଉଁ.. ଭଲ ହେଇଯିବି l ରାଲି.. ମୋଁ ସାଙ୍ଗ.. ଆଁ.. ମୋ ପାଖକୁ.. ଉଁ..

ସାହସୀ ରୋଜା ନିଜ ଶରୀରରେ ଭୀଷଣ ଯନ୍ତ୍ରଣା ସତ୍ୱେ ମଧ୍ୟ ପାପା ମାମା ଙ୍କ ଆଖି ର ଲୁହ କୁ ଦେଖିବାକୁ ଚାହୁଁନି l କୁନି ଦେହରେ ଅସମ୍ଭବ ପୀଡା l କଅଁଳିଆ ଚର୍ମତାର ସତେଜତା ହରେଇଛି l କୁନି ଶରୀର ଟି ଆହୁରି କ୍ଷୀଣ ହୋଇ ହସ୍ପିଟାଲ ବେଡ ସହ ଏକଦମ ମିଶିଯାଉଛି l

ରୋଜା ପାଟି ଖୋଲିଲା ମାତ୍ରେ ହିଁ ରାଲି କୁ ଖୋଜୁଛି l ବିଜୟ ଆଉ ସହି ପାରିଲେନାହିଁ l ଘରକୁ ଯାଇ ତାଙ୍କ ବାପା ମାଆ ଙ୍କ ସମେତ କୁକୁର ରାଲି କୁ ସାଙ୍ଗରେ ଧରି ଆସିଲେ l

ବିଜୟ ଙ୍କ ମାଆ କହୁଥିଲେ କୁକୁର ଟା ଦୁଇ ଚାରିଦିନ ହେଲା କୁଆଡେ ପାଟି ରେ କିଛି ଦେଉନି l ସେଇମିତି ପୋର୍ଟିକୋରେ ବସିରହି ରାସ୍ତାକୁ ଅନେଇରହୁଛି l ରାଲି ନଖାଇ ନପିଇ ଅନେକ ଝଡି ଯାଇଛି l

ଜେଜେ, ଜେଜେମାଆ ଓ ରାଲିକୁ ଦେଖି ରୋଜା ଖୁବ ଖୁସୀ ହୋଇଗଲା l ବେଡ ରେ ଉଠି ବସିଲା l ମାମାଙ୍କୁ ଭରା ଦେଇ ଉଠିପଡିଲା l ଆସ୍ତେ କରି ବେଡ ରୁ ଓଲ୍ହାଇ ତଳକୁ ଆସିଲା l ଧୀରେ ଧୀରେ ରାଲି ପାଖକୁ ଗଲା l ତା ସାଙ୍ଗ ରାଲି ପାଖକୁ l ଅନେକ ଦିନର ବିଚ୍ଛେଦ ପରେ ଆଜି ତା ସହ ଦେଖା l ରାଲି କୁ ଆଉଁଶି ପକାଇ ବହୁ କଷ୍ଟ ରେ କହିଲା, "ମୁଁ ଗଲେ ଖେଳିବା l ତୁ କାଇଁକି କିଛି ଖାଉନୁ? "

ରୋଜା ବୁଲି ପଡି ପୁଣି ପଛ କୁ ଆସିଲା l ବେଡ କଡ଼ରୁ ବିସ୍କୁଟ ପ୍ୟାକେଟ ଟେ ଆଣି ଦୁଇଟି ବିସ୍କୁଟ କାଢି ରାଲି କୁ ଖୁଆଇଲା l ରାଲି ତିନିଦିନ ପରେ ଆଜି କିଛି ଖାଇଲା l ରୋଜା ର ଆଜିର ଏହି ଚଞ୍ଚଳ ବ୍ୟବହାର ଦେଖି ସୋମା ଓ ବିଜୟଙ୍କୁ ଟିକେ ଆଶ୍ଵସ୍ତ ଲାଗୁଥିଲା l

ଦିଦି ଜଣେ ଆସି କୁକୁର କୁ ସେଠୁ ବାହାର କରିନେବା ପାଇଁ ନିର୍ଦେଶ ଦେଲେ l ରୋଜା ରାଲି କୁ ଆହୁରି ଟିକେ ନିବିଡ ଭାବେ ଧରି ନେଲା, ତାପରେ ଛାଡିଦେଲା l ରାଲି ବୋଧେ ଯିବାକୁ ଚାଁହୁନଥିଲା l ଗାଡି ଭିତରକୁ ଗଲାନି l ସେଇଠି ସେମିତି ହସ୍ପିଟାଲ ଆଗରେ ବସିରହିଲା l

ରୋଜା ସମସ୍ତଙ୍କ ସହ ପଦେ ପଦେ କଥା କହି ମାମାଙ୍କୁ କହିଲା ତାକୁ ଶୋଇପକେଇବା ପାଇଁ l ସୋମା ତା ମୁଣ୍ଡ ଟିକୁ ନିଜ କୋଳକୁ ନେଲେ l ରୋଜା ତା ମାମାଙ୍କ ହାତକୁ ଖୁବ ଜୋର ରେ ନିଜର ସମସ୍ତ ବଳ ଖଟେଇ ଜାବୁଡି ଧରିଲା ଆଉ ତାଙ୍କରି କୋଳରେ ଆଖିବୁଜି ଦେଲା l ସବୁ ଶେଷ l ସୋମା ବିରାଟ ଏକ ଚିତ୍କାର କରିଉଠିଲେ l ରୋଜା ଅସମ୍ଭଵ ଯନ୍ତ୍ରଣା ରେ ମୁହଁଟିକୁ ବିକୃତ କରି ମାମା ର କୋଳରେ ପଡିଯାଇଛି l

ବାହାରୁ ଗୋଟେ କୁକୁର ର ବିକଳ କାନ୍ଦଣା ଭିତରକୁ ପଶି ଆସିଲା l କୁକୁର କାନ୍ଦଣା ଭାରି ଅଶୁଭ l ଲୋକେ ପିଟି ପିଟି ହସ୍ପିଟାଲ ଆଗରୁ ସେହି ଅଲକ୍ଷଣା କୁକୁର କୁ ବାହାର କରିଦେଲେ l

ଆଜି ଦେବାଶିଷ, ରୋଜା ଯାହାର ନାମ ରଖିଥିଲା ରିଲୁ ଗୋଟେ ଫୁଲ ତୋଡ଼ା ଧରି ତା କୁନି ସାଙ୍ଗ ଟିକୁ ଭେଟିବାକୁ ଆସିଛି l ପଚାରି ବୁଝିନେଇଛି ରୋଜାର କୋଉ ଭଉଣୀ ନୁହେଁ ବରଂ ସେ ନିଜେ ହିଁ ଏଠି ରୋଗୀ l ଦେବାଶିଷର ମୁଖଗହ୍ୱର କ୍ୟାନ୍ସର ଅସ୍ତ୍ରୋପ୍ରଚାର ସଫଳ ହୋଇଛି l

ଦ୍ୱାର ମୁହଁ ରେ ଫୁଲ ଗୁଚ୍ଛ ଟି ଧରି ଠିଆ ହୋଇ ଭିତରକୁ ଦେଖିଲା, ରୋଜା ଚିରନିଦ୍ରା ରେ l ଫୁଲଗୁଡିକ ଆପେ ଆପେ ହାତରୁ ଖସି ଯାଇ ତଳେ ଅଜାଡି ହୋଇପଡିଲେ l ସାଙ୍ଗ ଟି କିଛି ନକହି ଚାଲିଗଲା l ଏମିତି ବନ୍ଧୁ ଆଉ କଣ ଜୀବନେ କେବେ ମିଳିପାରେ??

ଦୁଇ ବନ୍ଧୁଙ୍କ ଉପରେ ଅଜସ୍ର ସ୍ନେହଁ ଓ ଭଲପାଇବା ନିର୍ମଳ ମନରେ ଢlଳିଦେଇ କୁନି ଝିଅଟି ନିର୍ଦ୍ୱନ୍ଦ ରେ ଶୋଇଗଲା l

ରାଲି ଯେ ସେହିଦିନ ହସ୍ପିଟାଲ ଆଗରେ ବିରାଟ ଏକ ଚିତ୍କାର କରିଥିଲା ତାପରେ ତା ଭୁକିବା କେହି ଶୁଣି ନାହାଁନ୍ତି କି ତାକୁ ମଧ୍ୟ ଆଉ କେହି ଦେଖିନାହାଁନ୍ତି l

କେହି କେହି କହନ୍ତି ରୋଜାର ଘର ପଛପଟେ ଯେଉଁଠି ରୋଜର ଅନ୍ତିମ ସତ୍କାର ହୋଇଥିଲା, ବେଶୀ ରାତି ହେଲେ କାଳିଆ କୁକୁର ଟେ ଆସି ବସେ ଓ ଖୁବ ଧୀରେ ଧୀରେ କାହାକୁ କିଛି କହିଲା ପରି ଭୁକେ l ସକାଳୁ କିନ୍ତୁ କୁଆଡେ ଯାଏ କେହି ତାର ଟେର ପାଆନ୍ତି ନାହିଁ l

ରୋଜା ଯେ ନିଜ ବନ୍ଧୁ ସହ ଶେଷଦେଖା କରି କହିଥିଵା କଥାଟି ରଖିପାରିନି, ସେହି କଥାର ଜବାବ ମାଗିବାକୁ ବୋଧେ ସେ ଆସେ l ଧୀରେ ଧୀରେ ଭୁକି ପଚାରେ, ତା ସହ ପୁଣି ଖେଳିବା ପାଇଁ କାହିଁକି ଭଲ ହେଇ ଆଉ ଫେରିଲା ନାହିଁ???

**********ଲୋପାମୁଦ୍ରା ମିଶ୍ର **********

ବନ୍ଧୁ ଝିଅ ଭଉଣୀ

Rate the content


Originality
Flow
Language
Cover design

Comments

Post

Some text some message..