ସ୍ମୃତି ସେ ଦିନର
ସ୍ମୃତି ସେ ଦିନର
କିଛି ସ୍ମୃତି ଅନୁଭୂତିକୁ ନେଇ ଆମର ଏ ଜୀବନ ।
ସେ ଦିନର ସେହି ସ୍ମୃତି ମନେ ପଡିଲେ ମନକୁ ଆପେ ଆପେ ପ୍ରଶ୍ନ ଆସିଯାଏ ସତରେ ସେହି ଅଚିହ୍ନା ବ୍ୟକ୍ତି ଜଣକ ନିଜେ ବଡଠାକୁର ! ସେ କେଉଁ ବେଶରେ ଆସି ଆମକୁ ସାହାଯ୍ୟ କଲେ ତାହା ଖାଲି ମନରେ ପ୍ରଶ୍ନବାଚୀ ହୋଇରହି ଥିଲା ? ସେ ଦିନର ସେହି ସ୍ମୃତି ମନେ ପଡିଲେ ଆମ କାଳିଆ ସାଆନ୍ତ ପ୍ରତି ମନରେ ଅଗାଢ ଭକ୍ତି ଆପେ ଆପେ ଚାଲିଆସେ ।ମନେପଡେ ସେହି ରୂପ ବଦନ ।ସ୍ମିତ ହାସ୍ୟ ଚେହେରା, ଦିବ୍ୟଜ୍ୟୋତି ।
ଜାନୁଆରୀ ୧ ତାରିଖ ୨୦୧୯ ନୂଆବର୍ଷଦିନ କାଳିଆ ସାଆନ୍ତକୁ ଟିକେ ଦେଖିବାପାଇଁ ଇଛାହେଲା ।ନୂଆ ବର୍ଷରେ ତାଙ୍କ ଆଶୀର୍ବାଦ ମିଳିଲେ ବରଷଟି ଆନନ୍ଦରେ କଟିଯାଏ ବୋଲି ମନରେ ଭାରି ବିଶ୍ଵାସ ।ଆମେ ସ୍ଵାମୀ ସ୍ତ୍ରୀ ଦୁଇଜଣ ମନକଲୁ ଟିକେ ପୂରୀ ଯାଇ କାଳିଆକୁ ଦର୍ଶନ କରିବାକୁ ।କିନ୍ତୁ ଦିନବେଳା ପ୍ରବଳ ଭିଡ ହେତୁ ସନ୍ଧ୍ୟାରେ ଯିବାପାଇଁ ସ୍ଥିର କଲୁ ।ଘର ତୋ ମୋର ଭୁବନେଶ୍ଵର ସେଠୁ ପୂରୀ ଯିବାଟା ମଧ୍ୟ ସୁବିଧା । ୧ ତାରିଖ ଠିକ୍ ୫ଘଣ୍ଟ ସମୟରେ ସ୍ବାମୀ ସ୍ତ୍ରୀ ଦୁଇଜଣ ପୂରୀ ଅଭିମୁଖେ ବାହାରି ପଡିଲୁ ଆମ ସାଥିରେ ଥିଲେ ମୋର ବଡନାନୀ,ଭିଣୋଇଁ । ଆମେ ସମସ୍ତେ ସୁବିଧାରେ ପୂରୀରେ ପହଞ୍ଚିଗଲୁ ।
କିନ୍ତୁ ନୂଆବର୍ଷ ହେତୁ ବଡଦାଣ୍ଡରେ ପ୍ରବଳ ଭିଡ ଲାଗିଥାଏ ।ଠେଲା ପେଲା । ଚାରିପଟେ ବ୍ୟାରିକେଟ୍ ବନ୍ଧାହୋଇଥାଏ ।ଲମ୍ବା ଲାଇନ ।ବହୁତ ସମୟ ସେହି ଲାଇନରେ ଛିଡାହେବାପାଇଁ ପଡିଥିଲା ।କିନ୍ତୁ ମନରେ ସାହାସ ଥିଲା ଜଗାକୁ ଟିକେ ଦର୍ଶନ କରିବାକୁ ।ଏତେ ଲମ୍ବା ଲାଇନ ଥିଲା ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦୁଇଘଣ୍ଟା ଲାଗିଯାଇଥିଲା ।ମନରେ ଆପେ ଆପେ ଭକ୍ତି ଆସୁଥିଲା କେମିତି ଟିକେ ଭଲରେ ଦର୍ଶନ ମିଳନ୍ତା ।
ଏତେ ଘଣ୍ଟାର ଅପେକ୍ଷା ପରେ ସିଂହ ଦ୍ବାର ଦେଇ ମନ୍ଦିର ଭିତରେ ପ୍ରବେଶ କଲୁ ।ଅସହ୍ୟ ଭିଡ ଥାଏ ମନ୍ଦିର ଭିତରେ । ହରିବୋଲ,ହୁଳହୁଳି,ଜୟ ଜଗନ୍ନାଥ ଡାକରେ ପ୍ରକଂମ୍ପିତ ହୋଇଉଠୁଥିଲା । ପ୍ରଥମେ ଆମେ ବଟଗଣେଷ ଦର୍ଶନ କରି କଳପ ବୃକ୍ଷ ମୂଳେ ମୁଣ୍ଡିଆ ମାରି ମଗଂଳାଙ୍କୁ ନିଜର ଭକ୍ତିଭାବ ଜଣାଇ ,ମୁକ୍ତି ମଣ୍ଡପରେ ବସିଥିବା ବ୍ରାହ୍ମଣମାନଙ୍କଠୁ ଆଶୀର୍ବାଦ ନେଇ,ଆଦି ନୃସିଂହଙ୍କୁ ଘିଅ ଦୀପ ଦେଇ,ବିମଳାଙ୍କୁ ଦର୍ଶନ କଲୁ ।
ମାତା କମଳାଙ୍କ ନିକଟରେ ପଦ୍ମଫୁଲ ମାଳଟିଏ ଦେଇ ମାଙ୍କୁ ଭକ୍ତିପୂତ ଗୁହାରି କଲୁ ।ବ୍ରହ୍ମା ମନ୍ଦିର ନିକଟରୁ ପତିତ ପାବନକୁ ଦର୍ଶନ କରି କାଳିଆକୁ ଦର୍ଶନ କରିବା ପାଇଁ ଭିତରକୁ ପ୍ରବେଶ କଲୁ । ଠେଲା ପେଲା ଭିତରେ ପଶି ଗରୁଡ ସ୍ତମ୍ବକୁ ପ୍ରଥମେ କୁଣ୍ଡାଇ ଦେଇଥିଲୁ ।
ଅସହ୍ୟ ଗହଳି ଭିତରେ ଦର୍ଶନ କରିବାଟା କଷ୍ଟକର ବୋଧ ହେଉଥିଲା । ତଥାପି ଆମେ ସେହି ଗହଳି ଭିତରେ ପସି ପାଦ ଗୋଇଠି ଉପରକୁ ଉଠାଇ ଟିକେ କାଳିଆକୁ ଦର୍ଶନ କରିବାକୁ ଚେଷ୍ଟା କରୁଥିଲୁ । କାଳିଆର ଆଖି ଟିକେ ଦେଖାଗଲା ।ଆଉ ଟିକେ ସାଇଡ ହୋଇ ଗୋଇଠି ଉପରକୁ କରି ବଳିଆ,ସୁଭଦ୍ରାଙ୍କୁ ଦର୍ଶନ କଲୁ ।
କିନ୍ତୁ ନାନୀର ଉଚ୍ଚତା ଟିକେ କମ ଥିବା ଲାଗି ଦର୍ଶନ କରିବାରେ ଅସୁବିଧା ହେଉଥିଲା ।ଠିକ୍ ଏହି ସମୟରେ ଜଣେ ଅଚିହ୍ନା ଅପରିଚିତ ବ୍ୟକ୍ତି ଆସି ନାନିର ଦୁଇ ଗୋଡକୁ ଧରି ଉପରକୁ ଉଠାଇଦେଇଥିଲେ ।ଫୁଲ ପରି ତାକୁ ଉଠାଇଦେଇଥିଲେ ।ପୁଣି ପ୍ରଶ୍ନ କରିଥିଲେ ଦେଖିଲ ତ ଆମ କାଳିଆ ସାଆନ୍ତକୁ ? ନା ଆଉ ଥରେ ଉଠାଇଦେଖେଇ ଦେବି? ଭଲରେ ଦେଖିଲେ ତ? ଭଲରେ ଦର୍ଶନ କଲେ ତ?
ବାରମ୍ବାର ସେହି କଥା ପଚାରୁଥାନ୍ତି । ଆମେ ସମସ୍ତେ ସେହି ଅଚିହ୍ନା ଲୋକଙ୍କୁ ଦେଖି ହତବାକ ହୋଇଯାଇଥିଲୁ ।ସେହି ପ୍ରବଳ ଭିଡ ଭିତରେ ସେହି ଅପରିଚିତ ବ୍ୟକ୍ତି ଜଣକ କିଏ ? ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ସିଏ ଆମର କାଳିଆ ସାଆନ୍ତ ନୁହନ୍ତିତ ? ଏବେ ସେହି କଥା ଭାବିଲେ ଦେହରେ ଶିହରଣ ଖେଳିଯାଏ । କି ସୁନ୍ଦର ବେଶ ହୋଇଥାଏ ମହାପ୍ରଭୁଙ୍କର । ସେଦିନ ଥିଲା ଏକାଦଶୀ ।
ରତ୍ନସିଂହାସନରେ ବିଜେ ଚତୁଦ୍ଧାମୂର୍ତିଙ୍କୁ ଦର୍ଶନ କରି ଧନ୍ୟ ହେଲୁ ।
ଆମେ ସେଠି ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲୁ ।କିନ୍ତୁ ପାଇନଥିଲୁ ।ସିଏ ପରା ଅନାଥର ନାଥ ।ଜଗତ ଠାକୁର । ଭାବ ବିନୋଦିଆ ଠାକୁର । କରି କରାଉଥାଇ ତା ବିନୁ ଅନ୍ୟ ଗତି ନାହିଁ ।ସକଳ ସୃଷ୍ଟିର ଆଧାର ସେ ।ସେ ନିରାକାର ପରବ୍ରହ୍ମ ।ତା କରୁଣା ଅପାର । ସିଏ ପରା ଭକ୍ତର ଭଗବାନ । ସେହି ଦିନର ସ୍ମୃତି ମନରେ ସବୁବେଳେ ଏମିତି ରହିଯିଵ ସବୁଦିନ ପାଇଁ ।
ଏ ସ୍ମୃତି ଆଜି ମନେ ପଡିଲେ ଲାଗେ ସତରେ ସେହି କାଳିଆ ସାଆନ୍ତଙ୍କ ଆମ ଉପରେ ଅସୀମ କୃପା ରହିଅଛି ।ଧନ୍ୟ ପ୍ରଭୁ ଧନ୍ୟ ତୁମ ଲୀଳା ମାଧୁରୀ,ଭକତ ହିତ ପାଇଁ ସୃଷ୍ଟିରେ ତୁମର କେତେ ଯେ ଲୀଳା ରଚନା ତାହା ତୁମକୁ ଜଣା ପ୍ରଭୁ ।
ଭାଗବତରେ ପଦଟିଏ ଅଛି "ଏ ମନ ଖୋଜୁଥାଏ ଯାହା,କାଳ ପ୍ରାପତ ହୁଏ ତାହା । ସତରେ ମନେ ମନେ ମୁଁ କାଳିଆକୁ କେମିତି ଦର୍ଶନ କରିବି ବୋଲି ଭାବୁଥିଲି ।ସେ ଅନ୍ୟ ରୂପରେ ଆସି ସ୍ଵୟଂ ଦର୍ଶନ ଦେଇଥିଲେ ।
କଥାରେ ଅଛି, ଜୀବନର ପ୍ରତ୍ୟେକ ଦୋଛକିରେ ଭଗବାନ କୌଣସି ନା କୌଣସି ରୂପରେ ଆସି ସଠିକ୍ ରାସ୍ତା ଦେଖାଇଥାନ୍ତି ।ସେଦିନ ଜଗନ୍ନାଥଙ୍କ ଅଲୌକିକତାକୁ ନିଜେ ସ୍ଵଚକ୍ଷୁରେ ଦେଖିଥିଲୁ ।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ଵର