Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅମୃତ ବର୍ଷା
ଅମୃତ ବର୍ଷା
★★★★★

© Soumya Shubhadarshinee

Others

6 Minutes   14.3K    22


Content Ranking

ପ୍ରତ୍ୟ୍ଶିତ ପ୍ରାପ୍ତି ସୁଖଦ , କିନ୍ତୁ ଅପ୍ରତ୍ୟାଶିତ ଭାବେ ଇପ୍ସିତ ବସ୍ତୁଟିଏ ମିଳିିଯିବାର ଆନନ୍ଦ ଅବର୍ଣ୍ଣନୀୟ!......

★★★★

ମେଘା ବହୁତ ଦିନ ହେବ କୈଳାସଗିରୀ ଯିବାର ଜିଦରେ। ଭଲ ପ୍ରାକୃତିକ ପରିବେଶ ଆଉ ଚମତ୍କାର ଅନୁଭୂତି ସମ୍ପନ୍ନ ସ୍ଥାନ। ବେଶି ଦୂର ମଧ୍ୟ ନୁହେଁ। ଏଇ ବିଶାଖାପାଟଣା , ଆମ ପଡୋଶୀ ଭାରି ନିକଟ।

ବାହାଘର ପରେ ଅବିନାଶଙ୍କୁ ଛୁଟି ମିଳିଲା ନାହିଁ। ମାର୍ଚ୍ଚ ମାସ ଇୟର୍ ଏଣ୍ଡିଂ ଲାଗି ପୁରା ବ୍ୟସ୍ତ ସିଡ୍ୟୁଲ୍ ଭିତରେ ରହିବାକୁ ହେଲା। ଏପଟେ ମେଘା ବି ନିଜ ପ୍ରୋଜେକ୍ଟ କାମରେ ବ୍ୟସ୍ତ ଥିଲା। ତେଣୁ ବାହାଘର ପରେ ବି ରହିଲା ଗୋଟେ ଦୂରତ୍ୱ। ଦୁହେଁ ସହଜ ହେବାର ସୁଯୋଗ ପାଇ ପାରିଲେ ନାହିଁ।

ମେଘା ନିଜ ପ୍ରୋଜେକ୍ଟ କାମ ସାରି ଏଇ ସପ୍ତାହେ ହେବ ଆସିଛି ରାଉଲକେଲା। ଏଇ ଯନ୍ତ୍ର ସହରର ଯାନ୍ତ୍ରିକତା ଭିତରେ ବିଚାରୀ ଅଣନିଶ୍ୱାସୀ ହେଇ ଯାଉଛି। ଅବିନାଶ ନିଜ ଅଫିସ ଆଉ ଟାର୍ଗେଟ ଭିତରେ ମଶଗୁଲ ଅଛନ୍ତି କିନ୍ତୁ ମେଘା ଯେ ଏକାକୀ !....

ଚିରାଚରିତ ରୁଟିନ୍ ଭିତରୁ ଟିକିଏ ନିଜକୁ ମୁକ୍ତ କରିବାର ଗୋଟେ ସୁଯୋଗ ଲୋଡ଼ା। ସେଇ ମୁହୂର୍ତ୍ତ ସବୁ ମନରେ ନୂତନ ଉର୍ଜା ଭରେ। ଛୋଟ ବିରତି ଗୋଟେ ବଡ଼ ଆଣ୍ଟି ଅକ୍ସିଡାଣ୍ଟ୍।ସବୁ ପ୍ରାଣ କୋଷକୁ ସତେଜ କରିବାର ଖୋରାକ। ଆଉ ପୁଣି ବାହାଘର ପରେ ଗୋଟେ ମଧୁଚନ୍ଦ୍ରିକାର ଅନୁଭବ ବି ତ ନିଆରା।

ମେଘା ବୁଝେ ଅବିଙ୍କର ବ୍ୟସ୍ତତା , କିନ୍ତୁ ମନ କି ବୁଝେ?.... ସେଥିପାଇଁ ଟିକେ ଜିଦ। ଲଙ୍ଗ୍ ପ୍ଲାନ୍ ସିନା ହେଇ ପାରିବ ନାହିଁ କିନ୍ତୁ ସପ୍ତାହ ଶେଷର ଦୁଇ ଦିନ ଭିତରେ ଛୋଟ ପ୍ରୋଗ୍ରାମ୍ ଟିଏ କରିବା ସମ୍ଭବ। ସେଥିପାଇଁ କୈଳାସଗିରୀ । ମେଘା ନେଟ୍ ଦେଖି ସବୁ ବୁକ୍ କରିନେଲା ଅବିନାଶଙ୍କୁ ଟିକେ ସର୍ପ୍ରାଇଜ୍ ଦେବାର ଝୁଙ୍କରେ।

ଗୋଟେ ସ୍ନିଗ୍ଧ ସନ୍ଧ୍ୟାରେ ଅବିନାଶଙ୍କୁ ପ୍ରୋଗ୍ରାମ୍ ସଂକ୍ରାନ୍ତରେ ଜଣେଇଲା। ଅବିନାଶ ଖୁବ୍ ଆନନ୍ଦିତ ହେଲେ ଏଇ ଉପକ୍ରମରେ। ଆଜିର ସ୍ମାର୍ଟ ସହଧର୍ମିଣୀ ସବୁ ପ୍ରସଙ୍ଗରେ ପେରଫେକ୍ଟ୍। ବ୍ୟସ୍ତ ଜୀବନର ଉପଯୁକ୍ତ ବୁଝାମଣା ଅଛି ମେଘାର । ଆବେଶରେ କହିଲେ ସେ , "ଥାଙ୍କୁ ଡିଅର"...

************

ଖୁବ୍ ସୁନ୍ଦର ପ୍ରସ୍ତୁତି ପର୍ବ ମେଘାର। ଫ୍ଲାଇଟ୍ ରେ ଟିକେଟ୍ ,ଭଲ ହୋଟେଲ ବୁକିଂ ଆଉ ଆନୁସଙ୍ଗିକ ସମସ୍ତ ବନ୍ଦୋବସ୍ତ ଥିଲା ପ୍ରଶଂସା ଉପଯୋଗୀ। କିନ୍ତୁ ଗୋଟିଏ ପ୍ରସଙ୍ଗରେ ଟିକେ ପରିବର୍ତ୍ତନ ଲୋଡ଼ା ଥିଲା। ଅବିନାଶଙ୍କ ଲାଗି ଅତି ଘନିଷ୍ଠ ବନ୍ଧୁଙ୍କ ଘରେ ଗୋଟିଏ ରାତିର ନିମତ୍ରଣ ବନ୍ଧୁ ମାଇକେଲ ଠାରୁ। ବିଶାଖାପାଟଣାରେ ରହୁଥିବା ବନ୍ଧୁର ଏଇ ଅନୁରୋଧ ଭାଙ୍ଗିବାର ତିଳେବି ଇଚ୍ଛା ନାହିଁ ଅବିନାଶଙ୍କର ।

ମେଘା ଜାଣେ ତାଙ୍କୁ , ଜଣେ ଖୁବ୍ ଭଲ ମଣିଷ ଭାବରେ। ତାଙ୍କ ପରିବାର ସହ କିଛି ମୁହୂର୍ତ୍ତ ଅତିବାହିତ କରିବା ଗୋଟେ ସୁନ୍ଦର ଅନୁଭବ ଦେବ ନିଶ୍ଚିତ।

ମେଘା ଏଇ ପ୍ରସ୍ତାବରେ ଖୁବ୍ ଆମୋଦିତ ହେଲା। ମାଇକେଲ ଆଉ ମ୍ୟାରୀଙ୍କ ସୁନ୍ଦର ସଂସାର ଭିତରେ କିଛି ମୁହୂର୍ତ୍ତ ନିଜକୁ ସାମିଲ କରିବାକୁ ପ୍ରସ୍ତୁତ ଆରମ୍ଭ କଲା।

*********

ଏୟାର୍ ପୋର୍ଟରୁ ଭବ୍ୟ ସମ୍ବର୍ଦ୍ଧନା ମିଳିଲା ବନ୍ଧୁଠାରୁ। ସସ୍ତ୍ରୀକ ଆସି ଉଭୟ ମେଘା ଆଉ ଅବିଙ୍କୁ ସୁନ୍ଦର ଫୁଲ ତୋଡା ଧରେଇ ପରିବେଶକୁ ଖୁବ୍ ରୋମାଣ୍ଟିକ କରିଦେଲେ ଦୁହେଁ। ସାଥିରେ ନେଇ ଆସିଲେ ଘରକୁ। ସୁନ୍ଦର ଭୋଜନର ସୁବନ୍ଦୋବସ୍ତ ଆଉ ଖୁବ୍ ଅମାୟିକ ସମ୍ଭାଷଣ ଭିତରେ ଥିଲା ଅତ୍ମୀୟତାର ପରଶ।

ସହରର ସବୁ ସୁନ୍ଦର ସ୍ଥାନ ବୁଲିବାର ବ୍ୟବସ୍ଥା କରିଥିଲେ ମାଇକେଲ। ରାମକୃଷ୍ଣ ବିଚ୍ ର ସନ୍ଧ୍ୟାରେ : ଆକ୍ୱା ମ୍ୟୁଜିୟମ, କ୍ରୁସୁରା ସବ୍ ମେରାଇନ୍, ପାଣି ପୁରି, ବିରିୟାନି ସବୁ ଥିଲା ଖୁବ୍ ଆମୋଦଦାୟୀ।

ପର ଦିନ ସକାଳୁ କୈଳାସଗିରୀ ଯିବାର ପ୍ଲାନ କରିଥିଲେ ଅବି ଆଉ ସହଯାତ୍ରୀ ସାଜିଲେ ମାଇକେଲ ଦମ୍ପତି।

********

ମେଘା ଖୁବ୍ ଉନ୍ମୁକ୍ତ ଚିନ୍ତାଧାରା ସମ୍ପନ୍ନ ଆଧୁନିକା, କିନ୍ତୁ ତଥାପି ହିନ୍ଦୁ ପରମ୍ପରା ପ୍ରତି ପ୍ରତିବଦ୍ଧ। ବେଶି ଯଦିଓ ନାହିଁ କିନ୍ତୁ ଟିକେ ସକାଳୁ ପୂଜା କରିବାର ଅଭ୍ୟାସ ରହିଛି। ତେଣୁ ଏଠି ଗୋଟେ ସମସ୍ୟା ଦେଖା ଦେଲା ପର ଦିନ ସକାଳେ ପୂଜା କରିବ କେଉଁଠି? ଟିକେ ଦୋ ଦୋ ପାଞ୍ଚ ହେଇ ଅବି ଙ୍କୁ କହିଲା , "ଏଇ ଚାଲ ତ' ପାଖ ମନ୍ଦିରରେ ଟିକେ ପୂଜା କରି ଆସିବି। ଇଚ୍ଛା ହେଉଛି ଶିବ ଦର୍ଶନ ପାଇଁ।" .....….

ଅବିନାଶ ବୁଝନ୍ତି ପୂଜାପାଠ କରିବା ମେଘାର ଦୁର୍ବଳତା। ବୋଉ ବି ଘରର ବୋହୁକୁ ଖୁବ୍ ତାଗିଦ କରି ଶିଖେଇଛି ସଂସ୍କାର। ଝିଅଟି ବିଶ୍ୱାସ କରେ ତେଣୁ ମନା କରିବାକୁ ଇଚ୍ଛା ହେଲାନି ଅବିଙ୍କର।

ମାଇକେଲ ଜଣେଇ ଦେଲେ ସୁନ୍ଦର ମନ୍ଦିର ଅଛି ଏଇ ନିକଟରେ। ଘର ବାଲକୋନିରୁ ହିଁ ଦିଶୁଥିଲା ତେଲେଗୁ ମନ୍ଦିରର କାରୁକାର୍ଯ୍ୟ। ମେଘା ଆମୋଦିତ ହେଲା। ଶିବ ଦର୍ଶନ ସବୁବେଳେ ଖୁବ୍ ଶୁଭଙ୍କର, ଏଇ ଅନୁଭବ ସାରା ଜୀବନ।

ଦୁହେଁ ପ୍ରସ୍ତୁତ ହେଇ ବାହାରି ଗଲେ ବାଇକ୍ ନେଇ। ସଜଳ ସକାଳର ପବନରେ ମିଠା ମହକ ଆଉ କୋମଳ ସ୍ପର୍ଶ। ଏମିତି ମୁହୂର୍ତ୍ତ ସବୁ ସତରେ ମହାର୍ଘ୍ୟ।

କିଛି ଦୁରଯିବା ପରେ ଆଉ ରାସ୍ତା ନାହିଁ। ଏବେ ପାହାଚ ଚଢା। ଜଣା ନଥିଲା ଦୁହିଁଙ୍କୁ। ଆଉ ପାହାଚ ବି କିଛି କମ ନୁହେଁ ପୁରା ଶହେ। ହେ ପ୍ରଭୁ ଏତେ ପାହାଚ କେମିତି ଚଢ଼ିବ ମଣିଷ? ପୁଣି କେତେ ସମୟ ଲାଗିବ। ଅବିଙ୍କ ଆଖିରେ ଅସମ୍ମତି ପୁରା ସ୍ପଷ୍ଟ। ଅସହାୟ ଲାଗିଲା ମେଘା ,ଏମିତି ଈଶ୍ୱରଙ୍କ ଦ୍ଵାରରୁ ଦର୍ଶନ ବିନା ଫେରିବାକୁ ଇଚ୍ଛା ନଥିଲା ତା'ର , କିନ୍ତୁ ଏତେ ପାହାଚ ଚଢି ଯିବାବି ସହଜ ନୁହେଁ, ସମୟ ଆଉ ସୁଯୋଗ ବିପରୀତ ଗତିରେ !!....

ଅବିନାଶ ଦେଖୁଥିଲେ ଝିଅଟି ବଡ଼ ଦ୍ଵିବିଧାରେ। ଫେରିବ କି ନାହିଁ ସିଦ୍ଧାନ୍ତ ନେବା କଷ୍ଟ। ମୁହୂର୍ତ୍ତେ ଚିନ୍ତା କଲେ ସେ ଆଉ କହିଲେ, "ଚାଲ ଯିବା ଟିକେ ଭିନ୍ନ ଭ୍ରମଣରେ ଈଶ୍ୱରଙ୍କ ନାଁରେ।"

ଅବିଙ୍କର ସମ୍ମତିରେ ମେଘାର ଆଖି ଯୋଡିକ ଖୁସିରେ ଚମକି ଗଲା। ଭାରି ଉଲ୍ଲସିତ ହେଇ ପାହାଚ ଚଢ଼ିବାକୁ ଲାଗିଲା ସେ। ଅବି ଟୋକି ଦେଲେ,

'' ଧୀରେ ଧୀରେ ପ୍ରଭୁ କୁଆଡେ ପଳେଇ ଯିବେନି , ତୁମେ କିନ୍ତୁ ପଡିଯାଇ ପାର"…..

ହସନ୍ତ ମୁହଁରେ ମେଘା ଗତି କମେଇ ନେଲା। କିଛି ବାଟ ପରେ ଥକି ଗଲେ ଦୁହେଁ । ବସିଗଲା ମେଘା ସେଇ ପାହାଡି ପାହାଚରେ । ଅବି ନେଇ ନେଲେ କିଛି ବିରଳ ଫୋଟୋ , ବନାନୀ ପ୍ରିୟାର ।

ମେଘା ମନେମନେ ଭାବୁଥିଲା ଶିବ ଶଙ୍କର ସଂସାର ତ୍ୟାଗୀ , ଯୋଗୀ, ସବୁବେଳେ ଏମିତି ପରିବେଶରେ। ହିମାଳୟ ଚୂଡ଼ାରେ ନିକାଞ୍ଚନରେ , ଧ୍ୟାନମଗ୍ନ। କିନ୍ତୁ ତାଙ୍କ ଦର୍ଶନରେ ମିଳେ ଅନନ୍ୟ ତୃପ୍ତି। ତାଙ୍କରି ନିର୍ଦ୍ଦେଶରେ ହିଁ ମିଳିଛି ଆଜିର ସୁଖଦ ମୁହୂର୍ତ୍ତ।

ଟିକେ ଉତ୍ସାହ , ଟିକେ କ୍ଲାନ୍ତି ଆଉ ହୃଦୟରେ ଭାବ ନେଇ ଆସିଲେ ଦୁହେଁ ପ୍ରଭୁଙ୍କ ନିକଟକୁ। ମେଘା ପ୍ରଭୁଙ୍କ ପାଇଁ ଭୋଗ, ଦୀପ, ଧୂପ ସଜେଇ ନେଲା ଗୋଟିଏ ବୁଢ଼ୀ ମାଉସୀ ଠାରୁ। କିନ୍ତୁ ବେଲ ପତ୍ର ନଥିଲା କେଉଁଠି। ସେମାନେ ମେଘାର ଭାଷା ବୁଝୁ ନଥିଲେ । ଅବି ବୁଝେଇଲେ ପ୍ରଭୁ ସବୁଥିରେ ଖୁସି । ଯେତିକି ମିଳିଛି ଢେର।

ମନ୍ଦିର ଭିତରେ ଗୋଟେ ଚମତ୍କାର ସାତ୍ଵିକ ପରିବେଶ। ଭୁରୁ ଭୁରୁ ଚନ୍ଦନର ସୁବାଷ ଆଉ ମହ ମହ ଧୂପ ଦୀପର ଆକର୍ଷଣ। ସେଠି ପାଦ ଦେବା କ୍ଷଣି ସବୁ କ୍ଲାନ୍ତି ଅପସରି ଗଲା। ଅପୂର୍ବ ପ୍ରଶାନ୍ତି ଭରି ଗଲା ମନ, ପ୍ରାଣ, ହୃଦୟରେ।

ସ୍ଵଚ୍ଛ, ପବିତ୍ର , ଶାନ୍ତ ପରିବେଶରେ ଦୁହେଁ ପହଁଚିଲେ ଈଶ୍ୱରଙ୍କ ପାଖରେ। କିନ୍ତୁ ସେଠାରେ ମିଳିଲା ଗୋଟିଏ ବିଚିତ୍ର ଅନୁଭବ। ପହଡ଼ ପଡି ଯାଇଛି ପ୍ରଭୁ ଦେଖା ଯାଉ ନାହାଁନ୍ତି। ମେଘାର ମନ ଦୁଃଖ ହେଇଗଲା , ନୀରବରେ ଦେଖିଲା ପ୍ରଭୁଙ୍କୁ ଆଉ ଟିକେ ଅବିଙ୍କୁ ! କିନ୍ତୁ ଏତେ ଶୀଘ୍ର ପହଡ ?......

ମେଘା ଇଚ୍ଛା କରୁଥିଲା ଟିକେ ବୁଝିବାକୁ ପହଡ କେବେ ଖୋଲିବ ହେଲେ କାହାକୁ ପଚାରିବ , ଲୋକ ବହୁତ କମ ଆଉ ପୂଜକ ବି ଅଦୃଶ୍ୟ ଥିଲେ। ସେମାନେ ତା' ଭାଷା ବି ବୁଝୁ ନଥିଲେ । ଖୁବ୍ ଅସହାୟ ଲାଗିଲା ତାକୁ। ଅବି କିନ୍ତୁ ଆଖିର ଈଶାରାରେ ଅପେକ୍ଷା କରିବାକୁ କହି ମନ୍ଦିର ପ୍ରାଙ୍ଗଣରେ ବସି ଗଲେ ନୀରବରେ। ଲାଗିଲା ଯେମିତି ହଜି ଗଲେ ସେଇ ପାହାଡ଼ି ପରିବେଶରେ। ମେଘା ବି ଚୁପ ଚାପ ବସି ଗଲା ଯୋଡ ହସ୍ତ ହେଇ।

................

ଈଶ୍ୱର ସର୍ବ ବ୍ୟାପକ , ତାଙ୍କୁ ମଣିଷ ନିର୍ଦ୍ଦିଷ୍ଟ ଭାବେ ମନ୍ଦିର , ଗୀର୍ଜା, ମସଜିଦ ଆଦି ଧର୍ମ ପୀଠରେ କାହିଁକି ଆବଦ୍ଧ କରେ ବୁଝନ୍ତିନି ଅବିନାଶ। କିନ୍ତୁ ଏଇ ଭାବରେ ହିଁ ସଭିଙ୍କ ବିଶ୍ୱାସ । ମେଘା ବିଚାରୀ କେମିତି ବାଦ ପଡିବ। ସବୁ ମୁହୂର୍ତ୍ତରେ ମନ୍ଦିର , ଈଶ୍ୱର, ଧୂପ ,ଦୀପ ପାଖରେ ଦୁର୍ବଳ ହେଇଯାଏ ମନ ତା'ର । ଏତେ କଷ୍ଟରେ ଈଶ୍ୱରଙ୍କ ଦ୍ବାରସ୍ଥ ହେଇ ଦର୍ଶନ ବିନା ଫେରିବାକୁ କଷ୍ଟ ହେବ ଖୁବ୍। ତେଣୁ ଟିକେ ଅପେକ୍ଷା କରିବାକୁ ଇଚ୍ଛା ଟିଏ ମନ ତଳେ ଥିବ । ସେଇ ଇଚ୍ଛା ଟିକୁ ସମ୍ମାନ ଦେଇ ବସିଥିଲେ ଅବିନାଶ।

ମେଘା କିନ୍ତୁ ଲୁହ ଛଳ ଛଳ ଆଖିରେ ଖୋଜୁଥିଲା ଶିବଶମ୍ଭୁଙ୍କ ଦିବ୍ୟ ସ୍ୱରୂପକୁ। ଜାଣେନା ସେ କାହିଁକି ଭରି ଯାଏ ଆଖି ତା'ର ଈଶ୍ୱରଙ୍କ ନିକଟରେ। ହୁଏତ ଅବିଶ୍ୱାସୀ ପୃଥିବୀରେ ସେଇ ଅଦୃଶ୍ୟ ସତ୍ତା ଉପରେ ହିଁ ଭରଷା ହୁଏ।

ମେଘା ଘଡି ଦେଖିଲା ୧୦:୩୦ ହେଇଗଲାଣି। କୈଳାସଗିରୀ ଯିବା ପାଇଁ ମାଇକେଲ ଓ ମ୍ୟାରୀ ପ୍ରତୀକ୍ଷିତ ଥିବେ। ନିଜ ମନକୁ ବୁଝେଇ ଯିବାକୁ ବାହାରିଲା ମେଘା ଅବିନାଶଙ୍କୁ ସାଥିରେ ନେଇ।

ଏଇ ପ୍ରତ୍ୟାବର୍ତ୍ତନର ଉପକ୍ରମ ବେଳେ ହଠାତ୍ ଘଣ୍ଟ ଘଣ୍ଟାର ଶବ୍ଦ ପ୍ରତିଧ୍ବନିତ ହେଲା, ଉପସ୍ଥିତ ଭକ୍ତ ମାନେ ପ୍ରଭୁଙ୍କ ଦ୍ୱାର ଦୁଇ ପାର୍ଶ୍ଵରେ ଧାଡି ବାନ୍ଧି ଠିଆ ହେଇଗଲେ। ମନ୍ଦିର ଗର୍ଭ ଗୃହରୁ ସ୍ତିମିତ ଆଲୋକର ଜ୍ୟୋତି ଉଜ୍ଜ୍ୱଳ ଦେଖାଗଲା। ପରଦା ଅପସରି ଗଲା ଧୀରେ ଆଉ ଦୃଶ୍ୟ ହେଲେ ଈଶ୍ୱର।

ଅନନ୍ୟ ଆନନ୍ଦରେ ଗଦଗଦ ହେଇଗଲା ମେଘା। ଦୁଇ ଚକ୍ଷୁ ମୁଦି ଅଜସ୍ର ଧନ୍ୟବାଦ ଦେଲା ଈଶ୍ୱରଙ୍କୁ, "ଶୁଣିଲ ପ୍ରଭୁ ବଡ଼ କରୁଣା ତୁମର। ରିକ୍ତ ହସ୍ତରେ ଫେରେଇ ଦେଲନି ଶିବଶମ୍ଭୁ ସେଥିପାଇଁ ତ' ତୁମେ ଆଶୁତୋଷ ।"

ଏଇ ଭାବନା ଭିତରେ ହଜି ଥିବା ମେଘା ସେ ପର୍ଯ୍ୟନ୍ତ ମୁଦିତ ଆଖିରେ , ଦେଖି ନଥିଲା ଈଶ୍ୱରଙ୍କୁ। ଆଖି ଖୋଲି କିନ୍ତୁ ବିମୁଗ୍ଧ ହେଇଗଲା।ସ୍ପନ୍ଦିତ

ହେଇଗଲା ସମଗ୍ର ସତ୍ତା। ଶିବଶମ୍ଭୁ ନଥିଲେ!......

ଦିବ୍ୟ ନୀଳକାନ୍ତି, ପୀତ ବସନ ପରିହିତ, ଚନ୍ଦନ ଚର୍ଚ୍ଚିତ, ସ୍ୱର୍ଣ୍ଣ ଆଭୂଷଣ ସଜ୍ଜିତ ଶ୍ରୀ ଵିଷ୍ଣୁଙ୍କ ଚତୁର୍ଦ୍ଧା ମୂର୍ତ୍ତି । ମହ ମହ ଅଗରୁ ସୁଗନ୍ଧ। ଶ୍ୱେତମଲ୍ଲୀ ମାଳରେ ପ୍ରଭୁଙ୍କ କୃଷ୍ଣ ରୂପ ଲାଗୁଥିଲା ଅବର୍ଣ୍ଣନୀୟ। ଶିବ ଦର୍ଶନ ଅଭିଳାଷ ନେଇ ଆସିଥିବା ମେଘା ଶ୍ରୀ ବିଷ୍ଣୁଙ୍କ ସମ୍ମୁଖରେ ଭାବ ମଗ୍ନ ହେଇଗଲା।

ନଟ ନାଗର ସତେ ସମ୍ମୋହକ। ରାଈ କିଶୋରୀ ସଜେଇ ନିଅନ୍ତି ପ୍ରତି ପ୍ରାଣକୁ। ମେଘା ହଜିଗଲା ତାଙ୍କ ଆକର୍ଷଣ ଭିତରେ। ମୁହୂର୍ତ୍ତକ ଲାଗି ବିସ୍ମୃତ ହେଇଗଲା ସବୁକିଛି।

ପ୍ରକୃତିସ୍ଥ ହେବା ପରେ ପୂଜାର ବିଧିରେ ଲାଗିଗଲେ ଅବିନାଶ ଆଉ ମେଘା। ସୁନ୍ଦର ଭାବେ ପୂଜକ ପୂଜାର୍ଚ୍ଚନା କଲେ। ଆଳତୀର ଉପକ୍ରମ ମଧ୍ୟ ଥିଲା ବିମୋହକ। ସେଠିକାର ପରମ୍ପରା ଅନୁସାରେ ସସ୍ତ୍ରୀକ ସବୁ ଭକ୍ତ ପୁଷ୍ପାଞ୍ଜଳି ଦେଇ ପ୍ରଭୁଙ୍କ ଚରଣ ସ୍ପର୍ଶ କଲେ।

ଅମୃତ ବର୍ଷାର ଅନୁଭବ ଥିଲା ଏଇ ଦର୍ଶନରେ।

ମେଘା ଫେରନ୍ତା ପଥରେ ଚିନ୍ତା କରୁଥିଲା। ଏଥିପାଇଁ ବୋଧେ ସେ ଚକ୍ରି। ଶିବଶମ୍ଭୁ ହେଇଥିଲେ କେବେ ଏପରି ପରୀକ୍ଷା କରି ନଥାନ୍ତେ!.......

କିନ୍ତୁ ଚକ୍ରିଙ୍କ ଅମୃତ ସ୍ପର୍ଶରେ ଗୋଟେ ଅନନ୍ୟ ପ୍ରାଣଶକ୍ତି ସଞ୍ଚରି ଯାଇଥିଲା ସବୁଠି। ମେଘା ଆଉ ଅବି ବି ଥିଲେ ସେଇ ସ୍ପର୍ଶରେ ତଲ୍ଲୀନ।...…

*ସୌମ୍ୟା*

ଅମୃତ ପ୍ରାପ୍ତି ଚମତ୍କାର

Rate the content


Originality
Flow
Language
Cover design

Comments

Post

Some text some message..