Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନ ଗହନର କଥା
ମନ ଗହନର କଥା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

5 Minutes   7.7K    18


Content Ranking


ଡକ୍ଟର ବିଦ୍ୟୁତ ପ୍ରଭା ମିଶ୍ର

ସ୍ୱାଧୀନ! ସ୍ୱାଧୀନ! ସବୁଆଡ଼େ ଆଜି ସନିଆ ଶୁଣୁଛି ଏହି ଶବ୍ଦଟିକୁ । ଆଜି ଅଗଷ୍ଟ ପନ୍ଦର । ସବୁଆଡ଼େ ଧୋବଧାଉଳିଆ ବାବୁମାନେ ସର୍ର ସାର୍ର ହୋଇ ତରବରିଆ ଭାବେ ଗାଡ଼ିରୁ ଓହ୍ଲେଇ ପଡ଼ି ପତାକା ଉତ୍ତୋଳନରେ ବ୍ୟସ୍ତ । ସବୁଆଡ଼େ ମାଇକି ଶବ୍ଦ ଫାଟିପଡ଼ୁଛି । କେଉଁଠି ବନ୍ଦେ ମାତରମ୍ ତ କେଉଁଠି ଜାତୀୟ ସଂଗୀତ ବୋଲା ଯାଉଛି । ପୁଣି ଭାରତମାତାକି ଜୟ ଧ୍ୱନିରେ ସମଗ୍ର ଭାରତବର୍ଷ ଦୋହଲି ଯାଉଛି । ଆଣ୍ଠୁ ଉପରକୁ ଗାମୁଛା ଖଣ୍ଡେ ପିନ୍ଧି ମୁଣ୍ଡରେ ଗାମୁଛା ବାନ୍ଧି ବିଲକୁ ଯାଉଥିବା ବାଟରେ ପୋଲିସ୍ ପଡ଼ିଆରେ ଏପରି ବିରାଟ ସଭାକୁ ଦେଖି ଅଟକିଗଲା ସନିଆ । ମାଇକ୍ ରେ ଆମ ମନ୍ତ୍ରୀ ସାହେବ କ’ଣ ସବୁ ଭାଷଣ ଦେଉଛନ୍ତି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ପ୍ୟାରେଡ଼୍ ରେ ବ୍ୟସ୍ତ, ପୋଲିସ୍ ବିଭାଗ ଆଜି ସଜାଗ ହୋଇ ଉଠିଛନ୍ତି । ଏସବୁ ଦେଖି ସନିଆ ଟିକେ ଅଟକି ଗଲା । ମନ୍ତ୍ରୀ ସାହେବ ବଡ଼ ଜୋରରେ ଭାଷଣ ଦେଉଛନ୍ତି । କରତାଳିରେ ଫାଟିପଡ଼ୁଛି ପଡ଼ିଆ । ଶହ ଶହ ଲୋକ ଭିଡ଼ରେ ଠେଲା ପେଲା ହୋଇ ଆଗକୁ ଯିବାରେ ବ୍ୟସ୍ତ, ମନ୍ତ୍ରୀଙ୍କୁ ପାଖରୁ ଦେଖିବା ପାଇଁ । ଏସବୁ ଦେଖି ହସ ଲାଗିଲା ସନିଆକୁ । ମନ୍ତ୍ରୀ ଉଚ୍ଚସ୍ୱରରେ କହୁଛନ୍ତି, ଆମେ ‘ଗରିବ ହଟାଅ’ ଅଭିଯାନ କରୁଛୁ । ଆମେ ଚାଷୀମାନଙ୍କୁ ଋଣଛାଡ଼ କରିଛୁ । ଇନ୍ଦିରାଆବାସ ଯୋଜନା କରିଛୁ । ଏ ସରକାର ଚାଷୀ ମୂଲିଆ ସବୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଦୁଇଟଙ୍କାରେ ଚାଉଳ ଯୋଗାଇ ଦେଇଛି । ବେକାରୀମାନଙ୍କୁ ଚାକିରି ଦେଇଛୁ । ତେଣୁ ଏ ସରକାର ଆପଣମାନଙ୍କ ସାହାଯ୍ୟ ନେଇ ଆସିଛି ପୁଣୀ ଆଗାମୀ ଦିନରେ ମଧ୍ୟ ଆପଣମାନଙ୍କର ସହଯୋଗ ଆମ ପାଇଁ ରହିଛି ଓ ରହିବ ମଧ୍ୟ । ମଝିରେ ମଝିରେ ମନ୍ତ୍ରୀ ମହୋଦୟ ସବୁ ଲୋକଙ୍କୁ ଚାହିଁ ହାତଯୋଡ଼ି ପକାଉଥିଲେ । ନମ୍ରତାର ବି ମୁଣ୍ଡ ଝିଙ୍କି ଯାଉଥିଲା ତଳକୁ । ଲୋକମାନେ ବି ମନ୍ତ୍ରୀଙ୍କ ଏତାଦୃଶ ବ୍ୟବାହାର ପାଇଁ ବେଶ୍ ସନ୍ତୁଷ୍ଟ ଥିବାର ଜଣାପଡ଼ୁଥିଲା କରତାଳିରୁ । ମଝିରେ ମଝିରେ ଚେଲାମାନେ ମନ୍ତ୍ରୀ ମହୋଦୟ କି ଜିନ୍ଦାବାଦ୍ । ଆମର ଭାଇ ତମର ଭାଇ ଅମୁକ ଭାଇ ଜିନ୍ଦାବାଦ୍ । ହସ ମାଡ଼ିଲା ସନିଆକୁ, ତଂଟିଫଟା ଶବ୍ଦ ତା ଭିତରେ ପୁଣି ଏ ଜିନ୍ଦାବାଦ୍ ଶୁଣି । ଭାବିଲା କାହିଁକି ଏମାନେ ତଂଟି ଫଟେଇ ଜିନ୍ଦାବାଦ୍ ଦେଉଛନ୍ତି? କ’ଣ ବା ଲାଭ ଏମାନଙ୍କର? ସତରେ କ’ଣ ଏମାନେ ମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଏତେ ସନ୍ତୁଷ୍ଟ ।

ମୋର ମନକୁ ମୁଁ ପଚାରେ ? କି ସ୍ୱାଧୀନ ଆମେ ? ସେଦିନ ଗାନ୍ଧିବୁଢ଼ା ଆଣ୍ଠୁ ଉପରକୁ ଲୁଗାଖଣ୍ଡେ ପିନ୍ଧି ଏ ଦେଶକୁ ଏକ ସୁନାର ଭାରତରେ ପରିଣତ କରିବାରେ ସ୍ୱପ୍ନ ଦେଖିଥିଲେ । ତାଙ୍କର ମୂଳ ଲକ୍ଷ୍ୟ ଥିଲା ସବୁଲୋକ ଗଣ୍ଡେ ଖାଇବାକୁ ଓ ଖଣ୍ଡେ ପିନ୍ଧିବାର ମୌଳିକ ଅଧିକାର ପାଇବେ । କିନ୍ତୁ ଆଜି ସେହି ସ୍ୱପ୍ନ ସବୁ ପାଣିଫୋଟକା ପରି ମିଳେଇ ଯାଇଛି । ଆଜି ଗାନ୍ଧିଙ୍କ କଥାକୁ କିଏ ବା ମନେ ପକାଉଛି? ଖାଲି ଏମିତିଆ ଦିନରେ ତାଙ୍କ ନାମରେ ଜୟ ଜୟକାର ଶୁଣାଯାଏ । ଆଜି ସ୍ୱାଧୀନ କେବଳ ଏଇ ଧୋବଧାଉଳିଆ ବାବୁମାନେ, ଯେଉଁମାନେ ଟଙ୍କା ଦେଇ ସ୍ୱାଧନତାକୁ ନିଜ ହାତମୁଠାରେ ରଖିପାରିଛନ୍ତି । କିନ୍ତୁ ମୋ ପରି ଲୋକ କି ସ୍ୱାଧୀନ ? ସେତେବେଳେ ଯେତିକି ଦାରିଦ୍ର୍ୟତା ଥିଲା ଆଜି ବି କିଛି କମିନି । ଏସନ ମୋର ପିଇସୀ ନାନୀ ଖାଇବାକୁ ଗଣ୍ଡେ ନ ପାଇ ମାତ୍ର କେଇ ଟଙ୍କା ରେ ନୂଆ ହୋଇ ଜନ୍ମ ହୋଇଥିବା କଅଁଳିଆ ପିଲାଟିକୁ ବିକିଦେଲା ଜଣେ ବାବୁଙ୍କ ହାତରେ । କେତେ କାରୁଣ୍ୟ ଥିଲା ସତେ ତା’ର ମୁହଁରେ ? ସେ କ’ଣ ସ୍ୱାଧୀନ ଭାବେ ଚାହୁଁନଥିଲା ତା’ର ପିଲାକୁ ମଣିଷ ପରି ମଣିଷଟେ କରି ଗଢ଼ିବାକୁ । ତା’ ପୁଅକୁ ପାଠ ପଢ଼େଇ ଅନ୍ୟ ପିଲାମାନଙ୍କ ପରି ଯୋଗ୍ୟ କରେଇବାକୁ । ସେ କ’ଣ ସ୍ୱପ୍ନ ଦେଖି ନଥିବ ନୂଆ କରି ଜନ୍ମ ହୋଇଥିବା ପିଲାଟିକୁ ନେଇ? କାନ୍ଦ କାନ୍ଦ ଲୁହ ଭିଜା ଆଖିରେ ସେ ବି ଟେକି ଦେଇଥିଲା ତା’ର ନବଜାତ ଶିଶୁଟିକୁ ମାତ୍ର କେଇ ଟଙ୍କାରେ, କାରଣ ସେ ଜାଣିଥିଲା ଅନ୍ୟ ଦୁଇଟା ପିଲାଙ୍କୁ ଗଣ୍ଡେ ଖାଇବାକୁ ଯେଉଁଠି ଦେଇପାରୁନି ସେଠି ଆଉ ଗୋଟିଏ ପିଲାକୁ ଏମିତି ଭୋକ ଉପାସରେ ମାରିବା ଅପେକ୍ଷା ବରଂ ଗଣ୍ଡେ ଖାଇ ବଂଚିଯିବା ପାଇଁ ସେ ସେଦିନ ଏପରି କରିବା ପାଇଁ ସଂକଳ୍ପ ନେଇଥିଲା କାରଣ ସେ ଜାଣିଥିଲା ଆମ ପରି ଲୋକମାନଙ୍କ ପାଇଁ ସ୍ୱପ୍ନ ଦେଖିବା ସବୁ ବିଫଳ । ପାଠ ପଢ଼େଇ ମଣିଷ କରିବା କଷ୍ଟସାଧ୍ୟ, ପାଠ ପଢ଼େଇବା ତ ଦୂରର କଥା ବଂଚିବା ପାଇଁ ଗଣ୍ଡେ ଖାଇବାକୁ ଦେବା ମଧ୍ୟ କଷ୍ଟସାଧ୍ୟ । ଏ ତ ଗଲା ଗରିବ ହଟାଅ ଅଭିଯାନର ଉଦାହରଣ । ମନ୍ତ୍ରୀ ମହୋଦୟ କହିଲେ ଆମେ ଗରିବ ହଟାଅ ଯୋଜନାରେ ସଫଳ ହୋଇଛୁ । ସେଥିରେ ଲୋକମାନଙ୍କର କରତାଳି ଥିଲା ସବୁଠୁ ଅଧିକ । ବୋଧହୁଏ ସବୁ ଗରିବ ହଟିଯାଇଛନ୍ତି ତାଙ୍କ ରାଜ୍ୟରୁ । ଆମ ପରି ଲୋକମାନେ ଯେଉଁମାନେ ଦିନରାତି ପାଣି, ଖରା, କାକରରେ ପଡ଼ି ଏ ମାଟି ମାଆର କ୍ଷେତରୁ ରକ୍ତ ନିଗାଡ଼ି ସୁନା ଫଳାଉଛନ୍ତି ପରିଶେଷରେ ନିଜ ଉପରୁ ଆସ୍ଥା ହରେଇ ଅଧିକ ଋଣଭାରରୁ ମୁକ୍ତି ପାଇଁ ଆତ୍ମହତ୍ୟାକୁ ହିଁ ବାଛି ନେଉଛନ୍ତି । ଏଇ କ’ଣ ଗରିବ ହଟାଅ ଯୋଜନା ? ଏଇ କଣ ସ୍ୱାଧୀନତା ? ଆଉ ରହିଲା ଇନ୍ଦିରା ଆବାସ ଯୋଜନା । ଯାହା ମନ୍ତ୍ରୀ ମହୋଦୟ କହିଲାବେଳେ ବେଶ୍ କରତାଳିରେ ଫାଟିପଡ଼ୁଥିଲା ଏ ପଡ଼ିଆଟି । ଆମ ଗାଁରେ ଯେତେ ଲୋକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା କଥା ସେତିକି ହୋଇ ପାରିନାହାନ୍ତି । କେତେଜଣ ଏହି ଯୋଜନାରେ ସରକାରଙ୍କଠାରୁ ଟଙ୍କା ପାଇଛନ୍ତି ? ଅନେକ କୋଠାଘର ଥିବା ଲୋକମାନେ ମଧ୍ୟ ବେଶ୍ ଲାଭଜନକ ହୋଇଛନ୍ତି ଏହି ଯୋଜନାରେ । ଏଇ କ’ଣ ସ୍ୱାଧୀନତା ? ଗଲା ପାଂଚବର୍ଷ ହେଲାଣି ମାଳତୀ ନାନୀ ଭତ୍ତା ପାଇଁ କେତେ ଏଇ ମନ୍ତ୍ରୀଙ୍କ ପାଖରେ କାକୁତିମିନତି ହୋଇ କହିଛି ପ୍ରତ୍ୟେକ ଥର ମନ୍ତ୍ରୀ କହିଛନ୍ତି ତୁମେ ପ୍ରକୃତରେ ପାଇବାର ଯୋଗ୍ୟ କି ନାହିଁ ଏକଥା ମୁଁ କାଗଜପତ୍ର ଦେଖିଲା ପରେ ହେବ । କିନ୍ତୁ ଯାହାର ପୁଅମାନେ ରୋଜଗାରିଆ, କୌଣସି ଅସୁବିଧା ନାହିଁ ଚଳିବାରେ ସେମାନେ ବି ବାର୍ଦ୍ଧକ୍ୟ ଭତ୍ତାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏଇ କ’ଣ ସ୍ୱାଧୀନତା ? ବିପିଏଲ୍ ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ମୁଁ କେତେ କାକୁତି ମିନତି ନ ହୋଇଛି ଏ ମନ୍ତ୍ରୀଙ୍କ ପାଖରେ, କିନ୍ତୁ ଆଜିଯାଏ ମଧ୍ୟ ହୋଇପାରିନାହିଁ । ଏଇ କ’ଣ ଗରିବ ହଟାଅ ଯୋଜନା ? ଏମିତି ସ୍ୱାଧୀନତା ଶବ୍ଦଟା ଗୁରେଇତୁରେଇ ହୋଇ ତା’ ମୁଣ୍ଡଟାକୁ ଖାଇଯାଉଥିଲା ସେଦିନ । ଇଆଡ଼େ ମନ୍ତ୍ରୀଙ୍କ ଭାଷଣ, ସିଆଡ଼େ ଠେଲାପେଲା । ମାଇକିର ଶବ୍ଦଟା ବି ତା’ କାନକୁ ଭାରି ଭୀଷଣ ଲାଗୁଥିଲା । କି ସ୍ୱାଧୀନତାର ଭାଷଣ ଏଠି ଚାଲିଛି ? ଯାହା ପାଇଁ ଏତେ ଆୟୋଜନ ? ଏତେ ଲୋକ ଏ ଭାଷଣକୁ ଶୁଣି ପିଇଗଲା ପରି ଚାହିଁଛନ୍ତି ।

ପଛକୁ ଟିକିଏ ଘୁଂଚିଗଲା ସନିଆ । ତା’ ଦେହରେ ବାଜିଲା କାହାର କଅଁଳିଆ ପରସ । ସେ କେହି ନୁହେଁ ତା’ର ସ୍ତ୍ରୀ ନିଉଛଣା ଭାଷଣ ଶୁଣୁଛ? କି ଯାଏ ଆମର ଏ ଭାଷଣରେ । ଭାଷଣରେ କ’ଣ ପେଟ ପୂରେ ? ଏଠି ଭାଷଣ ସବୁ ବାକ୍ୟ ଭିତରେ ରହିଯାଏ । ଗରୀବ ସେମିତି ଗରୀବ ହୋଇ ରହିଥାନ୍ତି । ଖଟିଖିଆ ସେମିତି ଆଜୀବନ ଖଟି ଖାଏ । ଚାଷୀ ସେମିତି ଲହୁଲୁହ ଢାଳି ସୁନାର କ୍ଷେତକୁ ଉଜୁଡ଼ିଯିବା ଦେଖି ବେକରେ ରସି ଦିଏ । ତଥାପି ଏ ବାବୁମାନେ ବରଷକୁ ଥରେ ଦୁଇଥର ଏମିତି ସଭା ସମିତିରେ ବଡ଼ ବଡ଼ ଭାଷଣମାନ ଦେଇଚାଲନ୍ତି ଓ ଲୋକମାନେ ଭୋକ ଉପାସରେ ପେଟରେ ଓଦାକନା ଲଦି ମଧ୍ୟ ଏ ଭାଷଣ ଶୁଣି ତାଳି ମାରନ୍ତି । ସେଦିନ ଯେଉଁ ସ୍ୱାଧୀନତା ପାଇଁ ଆମ ଦେଶର ମହାପୁରୁଷମାନେ ସ୍ୱପ୍ନ ଦେଖିଥିଲେ ଏଥଟା ସେଇଆ ନୁହେଁ । ଆମ ପାଇଁ ଏଠି କିଛି ବି ସ୍ୱାଧୀନ ନୁହେଁ । ଏଠି ଗରିବ ଆମେ ନିଜେ ସ୍ୱାଧୀନ ଭାବେ ବଂଚିବାର ପ୍ରୟାସ କରୁଛୁ । ଅଳ୍ପ ପଇସା ହେଲେ ବି ଆମ ମନରେ କୌଣସି କଳୁଷତା ନାହିଁ । ଆମ ଭିତରେ ନାଁ ଅଛି ଭିନ୍ନତା ନା ଅଛି ଭଲପାଇବାର ଆବିଳତା । ଏଠି ବଡ଼ବଡ଼ିଆମାନେ ପ୍ରେମ ନାମରେ ସ୍ତ୍ରୀକୁ ମଧ୍ୟ ଠକି ଚାଲନ୍ତି, ପଇସା ପାଇଁ ନିଜ ଲୋକର ମନରେ ବିଷ ଭରି କଷ୍ଟ ଦିଅନ୍ତି କିନ୍ତୁ ଆମ ଭଲପାଇବାରେ କେବେ ଆବିଳତା ନାହିଁ କି ଆମ ସମ୍ପର୍କରେ କେବେ ବାଧକ ନାହିଁ । ଭିଡ଼ ଭିତରେ ସନିଆ ପାଖକୁ ଆଉଜିଗଲା ଗୁରେଇ । ଟାଣିନେଲା ସନିଆକୁ କିଚିରି ମିଚିରି ହୋହାଲ୍ଲା ଶବ୍ଦ ଭିତରୁ । ବାହାରି ଆସିଲେ ସେମାନେ ଭିଡ଼ ଭିତରୁ । କେବଳ ସ୍ୱାଧୀନ ଭାବେ ଆଗକୁ ଚାଲୁଥିଲେ କ୍ଷେତକୁ ଯିବା ପାଇଁ ନା ମନରେ କିଛି କଷ୍ଟ ନା ଦୁଃଖ । ସ୍ୱାଧୀନ ଭାବେ ସେ ଜାଣିଛନ୍ତି ହାତରେ ଥିବା ଦାଆ ଓ କାଖରେ ପଖାଳ କଂସାକୁ । ମାଟି ଉପରେ ପାଦ ଦୁଇଟା ତରତର ଥିଲା ଓ ମୁଣ୍ଡ ଉପରେ ଆକାଶଟା ଯେମିତି ମାପୁଥିଲା ଏମାନଙ୍କର ସରଳତା ଓ ଭଲ ପାଇବାର ସ୍ୱାଧୀନତାକୁ... ।

ସ୍ୱାଧୀନ ସନିଆ ଭାଷଣ

Rate the content


Originality
Flow
Language
Cover design

Comments

Post

Some text some message..