ବୋଉ ଓ ଆଣ୍ଡ୍ରଏଡ୍ ଫୋନ୍
ବୋଉ ଓ ଆଣ୍ଡ୍ରଏଡ୍ ଫୋନ୍
ବୋଉ ଓ ଆଣ୍ଡ୍ରଏଡ୍ ଫୋନ୍
ଅମିୟ ବେଜ୍
ଘଟଗାଁ, କେନ୍ଦୁଝର
ବର୍ଷକ ପରେ ଆମେ ଛୁଟିରେ ଘରକୁ ଆସିଥିଲୁ । ବୋଉର ଗୋଡ ତଳେ ଲାଗୁନଥାଏ । ପୁଅକୁ ଧରି ସାହିଯାକ ବୁଲିଆସିଲା -"ଦେଖ ମୋ ବିଦେଶୀ ନାତି" କହି । ଭାବିଲି ଆମକୁ ପାଖରେ ପାଇ ବୋଉ କେତେ ଖୁସି ନହେଉଛି ସତେ ! କ'ଣ କରିବା ? କର୍ମ ତ ଅଲଗା କରିଦେଉଛି ସଭିଙ୍କୁ । ତେବେ ୟା'ର ଆଂଶିକ ସମାଧାନ କରିହେବ ଭାବି ବୋଉ ଲାଗି ଗୋଟେ ଆଣ୍ଡ୍ରଏଡ୍ ଫୋନ୍ ର ବ୍ୟବସ୍ଥା କରିଦେଲି । ଯେଉଁଥିରେ ସେ ଆମ ସହ ସିଧାସଳଖ ଲାଇଭ୍ ହୋଇପାରିବ । ଆସିବାଦିନ ଯାଏଁ ବୋଉକୁ ଫୋନ୍ ର ବ୍ୟବହାର ବାବଦରେ ଟ୍ରେନିଂ ଦେଇଦେଇ ତାକୁ ଅଭ୍ୟସ୍ତ କରାଇଦେଲି । ଏତେ ଖୁସି ଦେଖି ବାପା ମୁରୁକୁ ଥିଲେ ଖାଲି । ଫେରିବାବେଳେ ପୁଅ କହୁଥିଲା - "ଜେଜେ ଆମ ଘରକୁ ଆସିବ, ଇନ୍-ଭାଇଟ୍ ରହିଲା ।" ଅବୋଧ ବାଳକ ।
ମାସକେତେ ଖୁବ୍ ଚାଲିଲା ଫୋନ୍ ଫୋନ୍ ରେ । ସେପଟୁ ବୋଉ, ଏପଟେ ପୁଅ, କଡରେ ଆମେସବୁ । “ଟେଲିଫୋନ୍ ର ମଜା, ଶହେକୋଷରୁ ନାତି ସହିତ କଥାହେଉଛି ଅଜା” ଏବେତ ପରସ୍ପରକୁ ଦେଖାଦେଖି, ଖେଂଚାଖେଂଚି, କେତେ ରକମର ହସଖୁସି ସିଧାସଳଖ ଚାଲିଲା ଫି'ଦିନ ।
ଆରେ ! ଗୁରୁବାରଟାରେ ଏଯାଏଁ ବିଛଣା ଛାଡିନ ? ସେପଟୁ ବୋଉ ଦେଖିନେଲା ।
- ପିଲାଟାର ଥଣ୍ଡାରେ ମୁହଁ ଫୁଲିଗଲାଣି । ବାପାମା’ ଦି’ଟା ଚୁପ୍ ହେଇବସିଛ । ସୋରିଷ ତେଲରେ ରସୁଣ ଭଲକି ଫୁଟେଇ ପାଦତଳ ମାଲିସ୍ କର । ନା ନା, ଏବେ କର । ମୁଁ ଦେଖିବି ।
- ଠାକୁରଙ୍କୁ କ'ଣ ଟେବୁଲ ଉପରେ ରଖିଛ ? ପୂଜାଫୁଜା କରୁଛ କି ନାହିଁ ? ଏତେବଡ ଘର କିଣିଲୁ । ଠାକୁରଙ୍କ ପାଇଁ ଜାଗା ନାଇଁ ?
- ଭୂଆସୁଣୀଟା, ଘରଟାରେ ଏମିତି ଲଂଗୁଳି ହୋଇ ବୁଲୁଛୁ ?
- ବାପାଙ୍କ କଷ୍ଟ ବଢିଗଲାଣି । ଦେଖ୍ ! ରାତିସାରା କେମିତି ଧକଉଛନ୍ତି । ଏଥର ପଇସା ଯୋଗାଡ଼ କରି ଆସ୍ । ଅପରେସନ୍ ଟା ସାରିଦେବା ।
- ଦେଖୁନୁ ! ପଛ କାନ୍ଥଟା ଫାଟି କେମିତି ଆଁ କଲାଣି ?
କିଛି ଗୋଟେ କରିବାକୁ ହେବ ଏଥର । ମୁଁ ଆଇଟି ଇଂଜିନିୟର । ଭାରି ଦକ୍ଷ ବି । ବାପାଙ୍କ ଅପରେସନ୍ ପାଇଁ ବର୍ଷ ମଝିରେ ପୁଣି ଘରକୁ ଗଲି, ଏକୁଟିଆ । ଡାକ୍ତରଖାନାରେ ସବୁ ବ୍ୟସ୍ତ ଥିଲାବେଳେ ଚୁପ୍ କି ବୋଉର ଫୋନ୍ ଆଣି ଅସଜ କରିଦେଲି । ଢେର୍ ପରେ ସେ ଜାଣିଲା । ଭାରି ବ୍ୟସ୍ତ ହେଲା ।
- ମୋତେ ଦେଇ ଦେ । ଏଠି ହେବନି । ବାଂଗାଲୋରରେ ଠିକ୍ କରି ପଠେଇ ଦେବି । ତୁ ତୋ ପୁରୁଣା ନୋକିଆରେ କାମ ଚଳଉଥା ଏବେ । ବୋଉ ନିରୀହ । ଖାଲି ଗୁଁପୁଁ ହୋଇ କହୁଥିଲା
- ଟୋକାଟାକୁ ଟିକେ ଦେଖୁଥିଲି ....।।
*************