Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Subas Chandra Rout

Others

3  

Dr Subas Chandra Rout

Others

ସାୟାହ୍ନରେ ତାରୁଣ୍ୟ

ସାୟାହ୍ନରେ ତାରୁଣ୍ୟ

6 mins
7.3K


କଲେଜରେ ପଢ଼ିବା ଦିନର ତିନି ଜଣ ଘନିଷ୍ଠ ସାଙ୍ଗ ଜୀବନର ସାୟାହ୍ନରେ ଏକ ସ୍ଥାନରେ ପୋଷ୍ଟିଂ ହେବା ଏକ ସୁନ୍ଦର ଯୋଗାଯୋଗ ଥିଲା । ଡିଏସପି ସାମୁଏଲ ନାଏକ, ଏଡିଏମ ବିକ୍ରମ ସାଏ ଓ ଡିଏଫଓ ସୁମନ ରାଓ ବିଭିନ୍ନ ବିଭାଗରେ ଚାକିରି କରୁଥିଲେ ମଧ୍ୟ ଅତୀତର ସୁମଧୁର ଜୀବନ ଭୁଲିନଥିଲେ । କର୍ମମୟ ଜୀବନରୁ ଟିକିଏ ଛୁଟି ପାଇ ଆନନ୍ଦ ଅନୁଭବ କରିବାକୁ ଜୁନ ମାସର ଏକ ରବିବାର ଦିନ ବିକ୍ରମ ସାରଙ୍କ ବସାରେ ବନ୍ଧୁ ମିଳନ କରିବାକୁ ସ୍ଥିର ହୋଇଥିଲା ।

           ବୈଠକ ରୁମଟି ସୁନ୍ଦର ଭାବରେ ସଜା ହୋଇଥିଲା । ବଡ଼ ବଡ଼ ଫୋଟୋ କାନ୍ଥରେ ଟଙ୍ଗା ହୋଇଥିଲା । ଗୋଟେ ଏସି ବି ଲାଗିଥିଲା । ଜଣେ ପରେ ଜଣେ ଦୁଇ ବନ୍ଧୁ ଆସି ପହଞ୍ଚିଗଲେ । ପରସ୍ପର ସହ ହାତ ମିଳେଇ ଅଭିବାଦନ କରି ଚୌକିରେ ବସିଲା ପରେ ଲସି ଆସିଗଲା । ସମସ୍ତେ ଟିକିଏ ଟିକିଏ ଲସି ପିଉଥାନ୍ତି । ବିକ୍ରମ ବାବୁ କଥା ଆରମ୍ଭ କଲେ, “ଆରେ ସୁମନ, କେମିତି ଅଛ ? ଜଙ୍ଗଲରେ କିଛି ଶିକାର କରୁଛ କି ନା ?” ସୁମନ କହିଲେ, “ଭାଇ, ଜଙ୍ଗଲରେ ଶିକାର କରିବା ତ ବେଆଇନ ହୋଇଗଲା । ଏହି ଆଇନ ଆଗତ ହେବା ପୂର୍ବରୁ ଜଙ୍ଗଲ ବିଭାଗ ଅଫିସରମାନେ ହରିଣ ମାଂସ ଖାଇ ଖାଇ ଚିଟା ହୋଇଯାଉଥିଲେ । ସେଦିନ ଆଉ ଅଛି କି ? ଆଜିକାଲି ଅତି ବେଶୀରେ ଠେକୁଆ ବା ଜଙ୍ଗଲି କୁକୁଡ଼ା ଗୋଟେ ଗୋଟେ ମିଳୁଛି । ପରବର୍ତ୍ତୀ ଥର ପାଇଲେ ଆପଣଙ୍କ ଘରକୁ ପଠେଇଦେବି ।”

           ବିକ୍ରମ ବାବୁ କହିଲେ, “ଆରେ ଭାଇ, ନାଇଁମ ଏମିତି କହିଦେଲି । କିଏ ଯଦି ଜାଣିବ, ଏଡିଏମ ଘରକୁ ଡିଏଫଓ ମାଂସ ପଠଉଛନ୍ତି, ତେବେ ଖବର କାଗଜବାଲାଙ୍କୁ ଗୋଟେ ଛପେଇବା ପାଇଁ ଭଲ ଖୋରାକ ମିଳିଯିବ । ଥାଉ ସେସବୁ । ମଣିଷକୁ ଖଣ୍ଡାଧାରରେ ଚାଲିବାକୁ ପଡ଼ୁଛି । ଆଉ କଅଣ ଇଂରାଜୀ ଜମାନା ଅଛି ଯେ ମନ ଇଚ୍ଛା ବନ୍ଧୁକ ଧରି ଜଙ୍ଗଲରେ ପଶି ହରିଣ, ସମ୍ବର ଓ କୁଟୁରା ଆଦି ଯେତେ ଇଚ୍ଛା ମାରି ଖାଅ ଓ ଖୁଆଅ । ସାମୁଏଲ ବାବୁ ପୋଲିସିଆ ଲୋକ, ସେ ନିଶ୍ଚୟ ଶିକାର କରୁଥିବେ ।”

           ସାମୁଏଲ ବାବୁ କହିଲେ, “ହଁ ଭାଇ, ଶିକାର କରେ, କିନ୍ତୁ କେବଳ ଚଢ଼େଇ ଶିକାର କରେ ।” ଆଗ୍ରହ ସହକାରେ ଅନ୍ୟ ଦୁଇଜଣ ଅନେଇଲେ ତାଙ୍କୁ । ବିକ୍ରମ ବାବୁ କହିଲେ, “କହ ଭାଇ, କେମିତି ମାରୁଛ ।” ସାମୁଏଲ ବାବୁ ଆରମ୍ଭ କଲେ, “ଦିନେ ମୋ ସ୍ତ୍ରୀ କହିଲା, “ବନ୍ଧୁକ ଧରି ଯଦି ଗଣ୍ଡଗୋଳିଆ ଲୋକଙ୍କୁ ମାରିଲ, ତାହେଲେ ମାନବ ଅଧିକାର ଡିପାର୍ଟମେଣ୍ଟର କୋପଦୃଷ୍ଟିରେ ପଡ଼ିବ । ଜଙ୍ଗଲରେ ଯାଇ ହରିଣ ମାରିଲେ ଜଙ୍ଗଲ ବିଭାଗ ଲୋକ ବାନ୍ଧିନେବେ । କଥାରେ କହନ୍ତି, ଚାକିରି କରିବ ପୁଲିସି, ମାଛ ଖାଇବ ଇଲିଶି । ସେଇ ଲୋଭରେ ମୁଁ ତୁମକୁ ବାହା ହେଇଥିଲି । ଇଲିଶି କଣ କେରାଣ୍ଡିଟିଏ ବି ମାଗଣା ମିଳୁନି । ପାଟିଟା ପିତା ଲାଗିଲାଣି । କିଛି ନହେଲେ ଚଢ଼େଇ ଦୁଇ ଚାରିଟା ହେଲେ ଶିକାର କରି ଆଣ, ସଜ ମାଉଁସ ଖାଇବା । ଏତିକି ଯଦି ନକରିପାରିବ, ତେବେ କି ପୋଲିସ ହେଇଛ ମ !” କଅଣ କରିବି, ସ୍ତ୍ରୀ କଥା ଶୁଣି ମୋ ପୁଲିସିଆ ମରଦାନି ଜାଗିଉଠିଲା । ଘରୋଇ ବନ୍ଧୁକ ଧରି ବାହାରି ପଡ଼ିଲି । ଜଙ୍ଗଲ ପାଖ ଗୋଟିଏ ପଡ଼ିଆରେ ଠିଆହୋଇ ଅପେକ୍ଷା କଲି । 

           ଅଧ ଘଣ୍ଟେ ଠିଆ ହେବା ପରେ ଦେଖିଲି ଦଳେ ହରଡ଼ ଚଢ଼େଇ ଧାଡି ହୋଇ ଦୂରରୁ ମୋ ଆଡ଼କୁ ଉଡ଼ି ଆସୁଛନ୍ତି । ସଭା ଆଗରେ ଥିବା ଚଢ଼େଇ ଅଳ୍ପ ଉଚ୍ଚରେ ଉଡ଼ୁଥିଲା, ତା ପଛ ଚଢ଼େଇ ତାଠୁ ଟିକିଏ ଅଧିକ ଉଚ୍ଚତାରେ ଥିଲା ଓ ତା ପର ଚଢ଼େଇ ତାଠୁ ଟିକିଏ ଉଚ୍ଚରେ

ଥିଲା । ଏମିତି ଧାଡ଼ି ହୋଇ ତଳୁ ଉପର ଦିଗକୁ ଏକା ଧାଡ଼ିରେ ଥିଲେ । ସେ ଦୃଶ୍ୟ ଅତି ସୁନ୍ଦର ଦେଖାଯାଉଥିଲା । ମୋର ମନେ ହେଲା, ଠିକ ମୋ ମୁଣ୍ଡ ଉପର ଦେଇ ସେମାନେ ଉଡ଼ିଆସିବେ । ବନ୍ଧୁକ ବାଗେଇ ଧରିଲି । ମୋ ମୁଣ୍ଡ ଉପର ଦେଇ ଉଡ଼ିଗଲା ବେଳକୁ ଟ୍ରିଗର ଦବେଇ ଦେଲି । ସଭା ତଳେ ଥିବା ଚଢ଼େଇଟା ବୁଲି ବୁଲି ଖସିପଡିଲା । ମୁଁ ଦୌଡ଼ି ଯାଇ ତାକୁ ବ୍ୟାଗରେ ରଖିଲି । ରଖି ସାରିଲା ପରେ ଦେଖିଲି, ଆଉ ଟିକିଏ ଦୂରରେ ଆଉ ଗୋଟେ ଖସି ପଡିଲା । ଖୁସିରେ ତାକୁ ବି ବ୍ୟାଗରେ ପୁରେଇଲି । ଦେଖିଲି, ଆଉ ଗୋଟେ ଆଗରେ ଖସୁଛି । ଏମିତି ଗୋଟେ ପରେ ଗୋଟେ ସାତଟା ଖସିଲେ । ମନ ଆନନ୍ଦରେ ଗୋଟିଏ ଗୁଳିରେ ସାତଟି ପକ୍ଷୀ ମାରି ଘରକୁ ଫେରିଲି । ଏଇଟା ଗୋଟେ ରେକର୍ଡ । ଗିନିସ ରେକର୍ଡ ବୁକରେ ମୋ ନାଁ ରଖିବାକୁ ଲେଖିଛି ।

-- “ଡିଏଫଓ କହିଲେ, “ଆଚ୍ଛା, ଗୋଟେ ଗୁଳିରେ ସାତଟା ପକ୍ଷୀ କେମିତି ମଲେ ?”

-- “କେମିତି ଆଉ କଅଣ ? ସେମାନେ ଧାଡ଼ି ବାନ୍ଧି ଯାଉଥିଲେ । ଗୁଳିଟା ଗୋଟେ ପରେ ଗୋଟେ ସମସ୍ତଙ୍କୁ ବିଦ୍ଧ କରି ଚାଲିଗଲା ।” 

-- “ଡିଏଫଓ ବାବୁ କହିଲେ, ବାଃ, କି ସୁନ୍ଦର ଲକ୍ଷ ଆପଣଙ୍କର !”

           ଏହା ପରେ ସମସ୍ତେ ଏଡିଏମଙ୍କ ମୁହଁକୁ ଅନେଇଲେ । ଡିଏଫଓ କହିଲେ, “ଆପଣଙ୍କ ଜୀବନର କିଛି କଥା କୁହନ୍ତୁ ।” ବିକ୍ରମ ବାବୁ ତାଙ୍କର କଥା ଆରମ୍ଭ କଲେ:- “ମୁଁ ଗୋଟେ ଜାଗାରେ ଏଇ ଏଡିଏମ ପୋଷ୍ଟରେ ଥିଲି । ଥରେ ୨ ଦିନ ଧରି ସେଠାରେ ପ୍ରବଳ ଝଡ଼ ବର୍ଷା ହେଲା । ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଲା । ସେଇ ସହରରେ ହଇ ଚଇ ଖେଳିଗଲା । ଅଧିକାଂଶର ସ୍ଥାନ ପାଣିରେ ବୁଡ଼ିରହିଲା । ନାଳ ପାଣି ରାସ୍ତାରେ ଚାଲିଲା । ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ଶାସନ କଳର ନିଷ୍କ୍ରିୟତା ବିଷୟ ବାହାରିଲା ।

           ମୁଁ କର୍ମଚାରୀଙ୍କୁ ଧରି ସେହି ଜାଗାକୁ ସରଜମିନ ତଦନ୍ତ କରିବାକୁ ଗଲି । ଦେଖିଲି, କୌଣସି କାରଣରୁ ଗୋଟିଏ ଜାଗାରେ ରାସ୍ତା ତଳେ ଥିବା ଟନେଲର ଅବରୋଧ ହୋଇଯାଇଛି । ସେଥିଯୋଗୁ ବର୍ଷା ପାଣି ସେପଟେ ନିଷ୍କାସନ ନହୋଇପାରି ଜମି ରହିବା ଫଳରେ ଏହି ଦଶା ହୋଇଥିଲା । ମୁଣ୍ଡେ ଉଚ୍ଚର ପାଣି ଜମିଥିବା ଯୋଗୁ ସେଠାକୁ କେହି ଯାଇପାରୁନଥିଲେ । ତେଣୁ ଗୋଟେ କ୍ରେନ ମଗାଗଲା । ସେହି କ୍ରେନ ସାହାଯ୍ୟରେ ସେହି ଟନେଲ ଭିତରରେ ଥିବା ଗୋଟାଏ ବିରାଟ ଗୋଲାକାର ଜିନିଷ ଟଣା ହୋଇ ଆସିଲା । ତା’ପରେ ଜଳ ନିଷ୍କାସନ ହୋଇଯିବାରୁ ଅବସ୍ଥା ସୁଧୁରି ଗଲା । ସେଇ ଗୋଲାକାର ଜିନିଷ ଗୋଟିଏ ଅଖା କନାଦ୍ଵାରା ବନ୍ଧା ହୋଇଥିଲା । ଅଖା କନାକୁ ମୋ ଆଗରେ ଖୋଲାଗଲା । ଦେଖିଲା ବେଳକୁ ତା ଭିତରେ ଗୋଟେ ବିରାଟ ପ୍ଲାଷ୍ଟିକ ଗୋଲାକାର ଡବା ଅଛି ଓ ସେଇ ଡବା ଭିତରେ ଗୋଟିଏ ଲଣ୍ଠନ ଜଳୁଛି ।” ସମସ୍ତେ ଆଁ କରି ଅନେଇଥାଆନ୍ତି ।       

           ଡିଏସପି ସାମୁଏଲ ବାବୁ ଏତିକି ବେଳେ ମୁରୁକି ହସି କହିଲେ, “ଏଡିଏମ ସାର, ଲଣ୍ଠନଟା ଟିକିଏ ଲିଭାନ୍ତୁ, ବହୁତ ଜଳିଲାଣି ।” ଏଡିଏମ ସାର ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ଆପଣ ଆଗ ଗୋଟିଏ ପକ୍ଷୀ ଛାଡ଼ି ଅନ୍ୟ ସବୁ ପକ୍ଷୀଙ୍କୁ ଉପରକୁ ଉଡ଼ିବାକୁ ଛାଡ଼ିଦିଅନ୍ତୁ, ମୁଁ ସଙ୍ଗେ ସଙ୍ଗେ ଲଣ୍ଠନ ଲିଭେଇ ଦେବି ।” ସବୁ ସାଙ୍ଗମାନେ ଏକାବେଳେ ହୋ ହୋ ହୋଇ ହସି ଉଠିଲେ । ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେଇ ପିଲା ଦିନର ଚପଳତା ଓ ତାରୁଣ୍ୟ ସେମାନଙ୍କ ମୁହଁରେ କ୍ରୀଡ଼ା କରୁଥିଲା । କହିବା ବାହୁଲ୍ୟ ମାତ୍ର, ଏ ପର୍ଯ୍ୟନ୍ତ ଗୁଳିଖଟି ମାତ୍ର ଚାଲିଥିଲା, କଥାରେ କୌଣସି ସତ୍ୟତା ନଥିଲା ।

           ଏତିକି ବେଳେ ଏଡିଏମଙ୍କ ପୁଅ ଶ୍ରୀତମ ଆସି ସେଠାରେ ପହଞ୍ଚିଲା । ବୟସ ପ୍ରାୟ ୧୬ ବର୍ଷ । ଏଡିଏମଙ୍କ ସାଙ୍ଗମାନଙ୍କୁ ନମସ୍କାର କରି ସାରିବା ପରେ କହିଲା, “ବାପା, ମୁଁ ଅଜା ଘରୁ ଆସିଲି । ସେ ତାଙ୍କ ଅନୁଭୂତିର ଗୋଟିଏ ଭଲ ଗପ କହିଲେ । ଶୁଣିବ, କହିବି ? ସମସ୍ତେ ଶ୍ରୀତମ ମୁହଁକୁ ଅନେଇଲେ । ଏଡିଏମ କହିଲେ, "ହଁ ବାବା କହା ।"

           ଅଜା ଚାକିରି କରୁଥିଲାବେଳେ ଥରେ ଟୁର କରିବା ନିମନ୍ତେ ଗୋଟିଏ ଜଙ୍ଗଲିଆ ଜାଗାକୁ ଟ୍ରେନରେ ଯାଇ ଡାକ ବଙ୍ଗଳାରେ ରାତିରେ ରହିଲେ । ଅଧ ରାତିରେ ନିଘୋଡ଼ ନିଦରେ ଶୋଇଥିଲେ । ଗୋଟାଏ ବିକଟାଳ ଶବ୍ଦ ଶୁଣାଗଲା । ଜଙ୍ଗଲ ଜାଗା । ବହୁତ ଡର ଲାଗିଲା । ଜହ୍ନ ରାତି ଥିଲା । ଝରକା ଫାଙ୍କରେ ଦେଖିଲେ, ପଲେ ହାତୀ ଆସି ବୋବଉଛନ୍ତି । ଡାକ ବଙ୍ଗଳା ଆଡକୁ ସେମାନେ ମାଡ଼ି ଆସିଲେ । ଗୋଟେ ହାତୀ କବାଟକୁ ଧକ୍କା ମାରିଲା । କବାଟଟା ଚାରି ଖଣ୍ଡ ହୋଇ ଭାଙ୍ଗିଗଲା । ହେଲେ ହାତୀ ଘର ଭିତରକୁ ପଶିପାରିଲାନି । କାରଣ କବାଟ ଫାଙ୍କଟା ଛୋଟ ଥିଲା ଓ ସେ ଘରେ ପନ୍ଦର ଇଞ୍ଚିଆ ମୋଟା କାନ୍ଥ ଦିଆଯାଇଥିଲା । ହାତୀ ଯେତେ ଚେଷ୍ଟା କଲେ ମଧ୍ୟ କାନ୍ଥ ଭାଙ୍ଗିଲାନି । ତାଙ୍କୁ କିଛି ଖାଇବାକୁ ମିଳିଲାନି । ଏଣେ ଅଜା ଭୟରେ ଥରି ଥରି ହନୁମାନ ଚାଳିଶା ଜପ କରିବାକୁ ଲାଗିଲେ । 'ଜୟ ହନୁମାନ ଜ୍ଞାନ ଗୁଣ ସାଗର, ଜୟ କପିଶ ତିହୁ ଲୋକ ଉଜାଗର । ସବ ସୁଖ ଲହୈ ତୁମହାରୀ ଶରନା, ତୁମ ରକ୍ଷକ କାହୁ କୋ ଡର ନା' ।” କିଛି ସମୟ ପରେ ହାତୀ ଦଳ ଚାଲିଗଲେ । ରାତିଯାକ ଅଜା ଶୋଇପାରିଲେନି । ସକାଳ ହେଲା ପରେ ଫେରିଆସିବା ନିମନ୍ତେ ସେ ପାଖ ରେଳ ଷ୍ଟେସନକୁ ଗଲେ । ବାଟରେ ଦେଖିଲେ, ରେଳ ଲାଇନକୁ ହାତୀମାନେ ରାଗରେ ବଙ୍କା କରିଦେଇଛନ୍ତି । ଚିନ୍ତା ପଡିଗଲା ଅଜାଙ୍କର, ଘରକୁ ଫେରିବେ କେମିତି । ଆଉ ଭଙ୍ଗା ଡାକ ବଙ୍ଗଳାରେ ରହିବା କଥା ଭାବିଲା ବେଳକୁ ରୁମ ଟାଙ୍କୁରି ଉଠୁଥାଏ । ଶେଷରେ ଚାଲି ଚାଲି ପାଖ ଷ୍ଟେସନକୁ ଗଲେ । ଏଡିଏମଙ୍କ ଛଡ଼ା ସମସ୍ତେ ଆଁ କରି ରହିଥାଆନ୍ତି । 

           ଏଡିଏମ କହିଲେ, “ହଇରେ, ଅଜା ତୋତେ ଓଲା ବନେଇଦେଲେ । ଗୋଟେ ଅଣ୍ଡିରା ହାତୀର ଓଜନ ପ୍ରାୟ ୫୪୦୦ କେଜି, ମାଈ ହାତୀ ଓଜନ ତାର ଅଧା । ଗୋଟେ ଟ୍ରେନର ଓଜନ ପ୍ରାୟ ୫୦୦,୦୦୦ ରୁ ୬୦୦,୦୦୦ କେଜି । ରେଳ ଲାଇନ ଉପରେ ଟ୍ରେନ ଗଲେ ବଙ୍କା ହେଉନି, ଆଉ ହାତୀ କେମିତି ବଙ୍କା କରିଦେବ ? ତୋ ଅଜା ଥଟ୍ଟା ମଜ୍ଜା କରିବାରେ ପାରଙ୍ଗମ । ତୁ ତାଙ୍କ କଥା ବିଶ୍ଳେଷଣ କରିପାରିଲୁନି ।” ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ଶ୍ରୀତମ ଲାଜରେ ମୁଣ୍ଡ କୁଣ୍ଡଉ କୁଣ୍ଡଉ କହିଲା, "ହେ, ମୋ ଅଜା ଏଡ଼େ ଗୁଲିଆ ବୋଲି ମୁଁ କେମିତି ଜାଣିବି ! ମୁଁ ଜାଣେ, ବଡ଼ ମଣିଷ ସବୁବେଳେ ସତ କଥା କହନ୍ତି ।” ଏତିକି ବେଳେ ଡିଏଫଓ ବାବୁ ଏଡିଏମଙ୍କୁ କମେଣ୍ଟ ମାରି କହିଲେ, "ଯେମିତି ଏଡିଏମ, ସେମିତି ତାଙ୍କ ଶ୍ଵଶୁର । ଭଲ ଜୋଇଁ ଶ୍ଵଶୁର ମେଳ ଜୁଟିଛି ।" ଜୋରଦାର ହସର ଫୁଆରା ରୁମ ସାରା ଖେଳିଗଲା ।

           ଡିଏସପି ବାବୁ କହିଲେ, “ବାବା ଶ୍ରୀତମ, ମଣିଷର ଶରୀର ବୃଦ୍ଧ ହୋଇଯାଏ, ମନ ସର୍ବଦା ଅଳ୍ପ ବୟସରେ ରହେ । ବଡ଼ ହେଲେ ଜାଣିପାରିବୁ ।” 


Rate this content
Log in