Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାଲା ମା
କାଲା ମା
★★★★★

© Lopamudra Mishra

Tragedy

5 Minutes   14.1K    14


Content Ranking

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର

ମୁଁ ସେତେବେଳେ ବହୁତ ସାନ ଥିଲି l ସ୍କୁଲ ଯିବାକୁ ଆଦୌ ପସନ୍ଦ କରୁନଥିଲି l ସବୁବେଳେ ବିଭିନ୍ନ ବାହାନା ଖୋଜୁଥିଲି ସ୍କୁଲ ନଯିବା ପାଇଁ l ଆମ ଗାଁ ଆରମ୍ଭରେ ଥିବା ଶିବ ମନ୍ଦିର ପଛପଟେ ଏକ ପରିତ୍ୟକ୍ତ ନୁଆଁଣିଆ ଚାଳଘର ଥିଲା l ସେହି ଘରେ ଜଣେ ବୃଦ୍ଧା ମହିଳା ରହୁଥିଲେ, ତାଙ୍କୁ ଗାଁଲୋକ କାଲାମା ଡାକୁଥିଲେ କାରଣ ତାଙ୍କ ପୁଅର ନାଁ ଥିଲା କାଲା ଓ ସେ ସତରେ ମଧ୍ୟ କିଛି ଶୁଣିପାରେନାହିଁ l କାଲା ମଧ୍ୟ କିଛି କଥା କହିପାରେନି କିନ୍ତୁ ତା ନାଁ କାଲା ଓ ଜଡ଼ା ନହୋଇ ଖାଲି କାଲା ଥିଲା l

ଗାଁ ଲୋକଙ୍କ କଥା ଅନୁସାରେ କାଲାମାଙ୍କର ଅନେକ ଅଜବ ଅଭ୍ୟାସ ସବୁଥିଲା ଯେମିତିକି ଖରାପ ନଜର ପକେଇ କାହାର ମୋଟା ପିଲାକୁ ପତଳା କରିପକେଇବା, ତାଙ୍କ ଖରାପ ନଜର ପଡି଼ବାମାତ୍ରେ ସ୍ତ୍ରୀଲୋକଙ୍କ ସୁନ୍ଦର ଶାଢ଼ୀ ଚିରି ନଷ୍ଟ ହେଇଯିବା , କାହାର ଶରୀରରେ ହେଇଥିବା ଘା' ଉପରେ କୁଦୃଷ୍ଟି ନିକ୍ଷେପ କରି ସେ ଘା' ର ଆକାର ବଡ କରିପକେଇବା, କାହାର ଖାଇବା ଉପରେ ନଜର ପକାଇ ତାକୁ ପେଟ ଟଣା ବା ବାନ୍ତି ରୋଗ ଦେଇ ପକେଇବା ଇତ୍ୟାଦି ଅନେକ ଅନିଷ୍ଟକାରୀ ଗୁଣ ଥିଲା ତାଙ୍କର l କାଲାମା ଏହିସମସ୍ତ ଅଦ୍ଭୁତ ଗୁଣର ଅଧିକାରୀ କହି ଗାଁଲୋକ ତାଙ୍କୁ ଡାହାଣୀର ଆଖ୍ୟା ଦେଇଥିଲେ l ମୋତେ କାଲାମା ନାମ୍ନୀ ଡାହାଣୀଙ୍କର ଘା' ର ଆକାର ବଡ କରିବା ଗୁଣ ଟା ବିଶେଷ ଆକର୍ଷିତ କରିଥିଲା l ମୁଁ ଚାଁହୁଥିଲି ଖେଳୁ ଖେଳୁ ମୋ ଗୋଡ /ହାତରେ ହେଉଥିବା ଛୋଟ ଛୋଟ ଖଣ୍ଡିଆର ଆକାରକୁ ସେ ତାଙ୍କ ନଜର ପକେଇ ଖୁବ ବଡ ଘା' ରେ ପରିଣତ କରିଦିଅନ୍ତୁ, ଯେମିତି ସେ ଘା' ଟା ଜଲଦି ନଶୁଖିବ ଆଉ ମତେ ମୋ ମାଆ କିଛି ଦିନ ପାଇଁ ସ୍କୁଲ ଛାଡିବନି l ମୁଁ ସବୁବେଳେ ସେହି ଚେଷ୍ଟାରେ ଥାଏ କେମିତି ମୋ ଶରୀରରେ ହେଉଥିବା କୁନି କୁନି କ୍ଷତକୁ କାଲାମାଙ୍କ ନଜର ସାମ୍ନାକୁ ଆଣିପାରିବି l ଯେବେ ବି ମୋର ହାତ କିମ୍ବା ଗୋଡରେ ଆଘାତ ଲାଗି କିଛି ବି ଛୋଟମୋଟ କ୍ଷତ ହେଉଥିଲା ମୁଁ ସେହି ଶିବ ମନ୍ଦିର ପଛପଟକୁ ଦୌଡ଼ି ଯାଉଥିଲି ଆଉ ବହୁତ ଚେଷ୍ଟା କରୁଥିଲି ମୋ କ୍ଷତ ଆଡକୁ କାଲାମାଙ୍କ ଦୃଷ୍ଟି ଆକର୍ଷଣ କରେଇବା ପାଇଁ l ମାତ୍ର ପ୍ରତ୍ୟକ ଥର ମୋ ମା 'ର ଦୃଷ୍ଟି ସେହି ସବୁ ଖଣ୍ଡିଆ ଉପରେ ପଡୁଥିଲା ଓ ମାଆ ସେ ସବୁଥିରେ ଔଷଧ ଲଗେଇ ଭଲ କରିଦେଉଥିଲା l ସବୁଥର ମୁଁ ବଞ୍ଚିତ ହେଉଥିଲି କୁଦୃଷ୍ଟି ପ୍ରାପ୍ତ ହେବାରୁ l ବହୁତ ଥର ଭାବିଛି କାଲାମା ମୋ ଉପରେ ନଜର ପକେଇ ମତେ ଜର ଦେଇଦିଅନ୍ତେ କି l ମୋ ସାଙ୍ଗ ମାନେ କହନ୍ତି ସେ କାଳେ କେବଳ ମୋଟା ଓ ଡୌଲ ଡାଉଲ ପିଲାଙ୍କୁ ନଜର ପକାଇ ଜର କରାଇ ପତଳା କରିଦିଅନ୍ତି l ତେଣୁ ମୁଁ ମୋର ଦୁର୍ବଳ ଶରୀରକୁ ଦୃଷ୍ଟିରେ ରଖି ଜର ପାଇବାର ଆଶା ବୃଥା ବୋଲି ମାନିନେଇ କେବଳ ଘା' ପାଇଁ ଆଶାବାଦୀ ରହି ଚେଷ୍ଟା ଅବ୍ୟାହତ ରଖିଲି l

ଅନେକ ଦିନ ପରେ ଥରେ ମୁଁ କବାଡି ଖେଳୁ ଖେଳୁ ଖୁବ ଜୋରରେ ପଡ଼ିଗଲି ଓ ମୋ ଆଣ୍ଠୁରେ ଗୋଟେ ବଡ କ୍ଷତ ହୋଇ ବହୁତ ରକ୍ତ ଝରିଲା l ମୁଁ ମାଆକୁ ମୋ ଆଣ୍ଠୁ ନଦେଖାଇ ଚୁପଚାପ ରହିଲି l ସେତେବେଳକୁ ମୁଁ ଅପେକ୍ଷାକୃତ ବଡ ହେଇସାରିଥାଏ ଓ ମୋର କାଲାମାଙ୍କ ଦ୍ୱାରା ଘା' ବଡ କରିବାର ଇଛା ଠାରୁ ତାଙ୍କ ଡାହାଣୀ ପଣିଆର ପରୀକ୍ଷା ନେବାର ଆଗ୍ରହଟା ଅଧିକ ଥାଏ l ସବୁବେଳେ ମୁଁ ସେହି ସୁଯୋଗର ଅପେକ୍ଷାରେ ଥିଲି କେମିତି ସଫଳ ପରୀକ୍ଷା କରିପାରିବି ଆଉ ଏହି ଆଣ୍ଠୁ ଖଣ୍ଡିଆ ମତେ ସୁବର୍ଣ୍ଣ ସୁଯୋଗ ପରି ଲାଗିଲା l ଖଣ୍ଡିଆ ହେବାର ପରଦିନ ସ୍କୁଲରୁ ଆସି ଖାଇସାରି ନ ଶୋଇ ସମସ୍ତ ସାହସ ସଞ୍ଚୟ କରି କାଲାମା ଘର ଆଡକୁ ଗଲି l ବୃଦ୍ଧା ସେତେବେଳେ ତାଙ୍କ ମାଟି ପିଣ୍ଡାରେ ବସି ବିଞ୍ଚଣା ବୁଣୁଥିଲେ l ମତେ ଦେଖି କହିଲେ "ହଇ ଲୋ ନିପା (ମୋ ନାଁ ଲିପା କୁ ଆମ ଗାଁ ରେ ଅପଭ୍ରଂଶ କରି କେହି କେହି ନିପା କହନ୍ତି ) କି ଲୋ? ଖରାବେଳାଟାରେ ନଶୋଇ କୁଆଡେ ବୁଲୁଛୁ? " ମୁଁ କହିଲି "ବୁଢୀମା ମୁଁ ଆମ୍ବ ଝଡ଼େଇକି ଖାଇବାକୁ ତୋଟାକୁ ଯାଇଥିଲି l ବହୁତ ଶୋଷ ଲାଗିଲା ତ ତୁମ ଘରକୁ ପାଣିପାଇବାକୁ ଚାଲିଆସିଲି l ସେ ମତେ ବସିବାକୁ କହି ବଡ ଆଗ୍ରହର ସହ ପାଣି ଆଣି ପିଆଇଲେ l ସେ ମତେ ମୋ ଜେଜେମାଆ କଣ କରୁଥିଲେ, ମୁଁ ସ୍କୁଲରୁ ଆସି କଣ ଖାଇଲି, କେତେ କ୍ଲାସରେ ପଢ଼ିଲିନି ଏମିତି ବହୁତ ପ୍ରଶ୍ନ ପଚାରିଲେ l ଏମିତି କଥା ହେଉ ହେଉ ମୁଁ ତାଙ୍କୁ ମୋ ଆଣ୍ଠୁର ଘା ଟା ଦେଖେଇଲି l ସେ ମୋ ଆଣ୍ଠୁ ଦେଖି ଭୀଷଣ ରାଗିଲେ l କହିଲେ "ତୋ ମାଆ ଦେଖିଛି ଟି ଏ ଘା'? କିଛି ମଲମ ଫଲାମ ଲଗେଇ ଦେଇନାହାନ୍ତି? କଣ ହେଲାଣି ସେ ଗୋଡ଼ ? ତୁ ରହ ମୁଁ ଗୋଟେ ବଢିଆ ମଲମ ଆଣୁଛି l" ଏହା କହି ସେ ତାଙ୍କ ଛୋଟ ନୁଆଁଣିଆ ଘର ଭିତରକୁ ପଶିଗଲେ l ମୁଁ ଭାବିଲି ଡାହାଣୀ ବୁଢୀକୁ ବୋଧେ ମୋ ଘା' ବାସ୍ନା ହେଲା ଆଉ ସେ ଭିତରକୁ ଯାଇଛି କିଛି ଅସ୍ତ୍ର ଶସ୍ତ୍ର ଆଣି ମୋ ଘା କୁ କାଟିଖାଇବ l କାହିଁକି ଆସୁଥିଲି ଭାବିକି କାନ୍ଦ କାନ୍ଦ ହେଇଗଲି l ସେ ଆସିବା ଆଗରୁ ଦୌଡ଼ି ପଳେଇଆସିବି ବୋଲି ଉଠି ଠିଆ ହୋଇଛି ତାଙ୍କ ପୁଅ କାଲା ଆସି ଠାରିକି କହିଲା ବସ ମାଆ ଆସୁଛି l ସେହି ସଙ୍ଗେ ସଙ୍ଗେ ବୃଦ୍ଧା ପାଣି ଆଉ ମଲମ ଧରି ଆସିଲେ l ମତେ ବସାଇ ଅତି ଯତ୍ନରେ ମୋ ଆଣ୍ଠୁକୁ ସଫା କରି ଗୋଟେ ବ୍ରାଉନ ରଙ୍ଗର ମଲମ ଲଗେଇଦେଲେ l କହିଲେ "ବୁଝିଲୁ ନିପା ଏହିଟା ବଢିଆ ମଲମଟିଏ l ଆର ସପ୍ତାହରେ ମୋ ହାତ କଟିଯାଇଥିଲା ମୁଁ ମେଡିକାଲରୁ ଆଣି ଲଗେଇଥିଲି, ଝଅଟି ଶୁଖିଗଲା ମୋ ଘାଆ l ଏଇଟା ନେ ତୋ ମାଆକୁ ଦେବୁ l କହିବୁ ଦିନକୁ ଦୁଇଥର ଆଣ୍ଠୁ ସଫା କରି ଲଗେଇଦେବ ଜଲଦି ଘାଆ ଶୁଖିଯିବ l"

ମୁଁ ଘରକୁ ଆସି ମାଆକୁ ମୋ ଘା ଦେଖେଇଲି ଓ ମୁଁ କାଲାମା ପାଖକୁ ଯାଇଥିଲି ଆଉ ସେ ଡାହାଣୀ ନୁହେଁ ବୋଲି କହିଲି l ମାଆ ମତେ ବହେ ଛେଚିଲା ଓ ଗୋଟେ ଝାଡ଼ୁଆଣି ସାତ ପାହାର ଦେଲା ମୋ ଉପରୁ କାଲାମାର ନଜରକୁ ବାହାର କରି ଫିଙ୍ଗିଦେବା ପାଇଁ l

ଏହାର କିଛି ଦିନ ପରେ ମୋ ଘା' ଶୁଖିଗଲା କିନ୍ତୁ କାଲାମାଙ୍କୁ ଜର ହେଲା l ଭୀଷଣ ଜର l ସେ ତାଙ୍କର ସେହି ଝାଟିମାଟି ସନ୍ତସନ୍ତିଆ ଘରେ ପଡି ପଡି ମରିଗଲେ l ତାଙ୍କ ମୁକ ବଧିର ପୁଅ କିଛି ବୁଝିପାରିଲାନି l ଗାଁ ଲୋକ ବି ଭାବିଲେ ଡାହାଣୀଟା ମରିଗଲେ ଗାଁ ବେଶୀ ସୁରକ୍ଷିତ ରହିବ l ସେ ଚାଲିଗଲେ ଗୋଟେ ଡାହାଣୀର କଳଙ୍କ ମୁଣ୍ଡେଇ ଯିଏ କେବେ ବି ଡାହାଣୀ ନଥିଲେ l କେହି ବି ହେଇପାରେ ନା l ସେତେବେଳେ ମୁଁ ଛୋଟ ଥିଲି ବୁଝିପାରୁନଥିଲି ମଣିଷର ଏମିତି ଡାହାଣୀ ରୂପନଥାଏ l ମାତ୍ର ଅନ୍ୟମାନେ କେମିତି ବିଶ୍ୱାସ କରୁଥିଲେ ଜଣଙ୍କୁ ଅନ୍ୟ କାହାର ଅପରିଷ୍କାର ଘାଆ ବି ଲୋଭନୀୟ ଲାଗିପାରେ, କେମିତି କେହି ଜଣେ ନିଜ ନଜରରେ ଆଉ କାହାର ପୋଷାକକୁ ନଷ୍ଟ କରିଦେଇପାରେ, କାହାର ନଜର ଏତେ ତୀବ୍ର ଯେ ସେ ଆଉ କାହାକୁ ଦେଖିଦେଇ ବି ଜର ଝାଡ଼ା ବାନ୍ତି ଦେଇପାରେ...?? କେମିତି ???

କେବଳ କାଲାମା ନୁହଁନ୍ତି ସାରା ବିଶ୍ୱରେ ଏମିତି କେହି ନଥିବେ l ଏମିତି ରେ ତ କାଲାମାଙ୍କୁ କମ ଦିଶୁଥିଲା l

ସେଦିନ ମୁଁ ଗୋଟେ ଡାହାଣୀର ସନ୍ଧାନରେ ଯାଇ ଜଣେ ମମତାମୟୀ ଦେବୀଙ୍କୁ ପାଇଥିଲି l ସେଦିନ ତାଙ୍କ ନଜର ତ ମୋ ଉପରେ ଲାଗିନଥିଲା ବୋଧେ ମୋ ନଜର ତାଙ୍କ ଠାରେ ଲାଗିଗଲା l ସେ ସ୍ନେହମୟୀ ନାରୀ ଜଣଙ୍କ ଡାହାଣୀର କଷ୍ଟଦାୟକ ଜୀବନ କଟାଇ ଚାଲିଗଲେ l କାଲା ବି କିଛି ଦିନ ପରେ କୁଆଡେ ଚାଲିଗଲା ଯେ ତାକୁ ଆଉ କେହିଦେଖିନାହାନ୍ତି l କାଲାମା ଗଲା ପରେ ବି ତାଙ୍କ ନାଁ ରୁ ସେ ଡାହାଣୀ ଶବ୍ଦଟି ଉଠିନାହିଁ l ସେ ଜଣେ କୋମଳ ହୃଦୟା ନାରୀ ଥିଲେ l କେହି ଜଣେ ବି ତାଙ୍କ ନିର୍ମଳତାକୁ ବୁଝିପାରିଲେନି l

ଏମିତି ଭାବେ ଜଣେ ନିରୀହ ଡାହାଣୀର ଅନ୍ତ ହେଇଗଲା l

ମୁଁ କିନ୍ତୁ ମୋର ଶେଷ ଯାଏ କାଲାମାଙ୍କର ମୋ ପ୍ରତି ଶ୍ରଦ୍ଧାକୁ ଭୁଲିବିନି l

-ଲୋପାମୁଦ୍ରା ମିଶ୍ର -

ସ୍କୁଲ କାଲାମା ଡାହାଣୀ

Rate the content


Originality
Flow
Language
Cover design

Comments

Post

Some text some message..