Debasish Samantaray

Others


4  

Debasish Samantaray

Others


ଛକିଶୂନ

ଛକିଶୂନ

9 mins 21K 9 mins 21K

ଛକିଶୂନ

ଦେବାଶିଷ ସାମନ୍ତରାୟ

ଚାରିଚାରିଟା ଆଖି, ଦୁଇଟା କ୍ୟାମେରାର ଲେନ୍ସର ଫୋକସରେ ଲୋକଟି ।

ଲୋକଟି କେତେବେଳେ ମରିବ?

ସେ ମରିବ ।

କାରଣ ସେ ଜଣେ ଚାଷୀ ।

ଚାଷୀ ବି ଜାଣିନଥିଲା ତାକୁ ମରିବାକୁ ହେବ, ଅକାଳମୃତ୍ୟୁ ଯୋଗରେ, ରୋଗବ୍ୟାଧି ନଥାଇ ।

ତା’ର ମରଣରେ ବାଜି ଲାଗିସାରିଥିଲା ।

ଜଣେ ନୁହଁ, ଦୁଇଜଣ ନୁହଁ, ଅନେକ ଜଣଙ୍କର ବାଜି ।

ତା’ର ମରଣକୁ ଅପେକ୍ଷା କରି ବସିଥିଲେ କିଛି ଲୋକ ।

ଜଣଙ୍କର ନୁହଁ, ଦୁଇଜଣଙ୍କର ନୁହଁ, ଅନେକ ଲୋକଙ୍କର ଅପେକ୍ଷା ।

ଶହେ, ହଜାରେ କି ଲକ୍ଷେ ଟଙ୍କାର ସେ ବାଜି ନଥିଲା ।

ଥିଲା କୋଟିକୋଟି ଟଙ୍କାର ।

ଚାଷୀ ଏଥିରେ ବଞ୍ଚିବ କେମିତି ?

ସେ ମରିବ, ତା ନିଜ ଇଚ୍ଛାରେ ନୁହେଁ । ହଜାର ହଜାର ଲୋକମାନେ ଯେମିତି ଚାହିଁବେ, ତାକୁ ମରିବାକୁ ହେବ ସେମିତି ।

ଘରେ ପଖାଳ ଖାଉଥିଲା ଚାଷୀ । ହାକୁଟି ମାରୁଥିଲା । ପତ୍ନୀକୁ ଗେହ୍ଲେଇ ହୋଇ କଥାବାର୍ତ୍ତା କରୁଥିଲା । ଛୁଆମାନଙ୍କୁ ବଡ଼ ହେଲେ ତା’ଠୁ ଅଧିକ ରୋଜଗାର କରି ଭଲରେ ରହିବାର ସ୍ୱପ୍ନ ଦେଖୁଥିଲା ।

ଚାଷୀ ତା’ର ବର୍ଗ, ତା’ର ସ୍ଥିତି ଅନୁମାନ କରିପାରୁ ନଥିଲା । ସେସବୁର ଆବଶ୍ୟକତା ବି ନଥିଲା । ଜୀବନକୁ ସେ ଯେମିତି ଜିଉଁଛି, ତାହା ଯେ ଚାକଚକ୍ୟ ଦିଶୁଥିବା ବାହ୍ୟ ଓ ଉନ୍ନତ ମନେହେଉଥିବା ଜୀବନଠୁ ଖୁବ୍ ସରଳ ଓ ଅତି ସହଜରେ ମିଳିବା ଦୁର୍ଲଭ, ଏକଥା ସେ ଜାଣି ନଥିଲା ।

ସେ ଏମିତି ଅନେକ ଜିନିଷ ଜାଣି ନଥିଲା ।

କାରଣ ସେ ଜଣେ ଚାଷୀ ।

ଦୁନିଆ କୋଉଆଡ଼େ କେମିତି ଯାଉଛି ସେ ଜାଣୁ ନଥିଲା । ଜାଣି ନଥିଲା । ତେଣୁ ଭଲରେ ଥିଲା ।

ସେ ଯାହା ଜାଣିଥିଲା, ଯାହା ସହ ତା’ର ଚିର ପରିଚିତି - ଚାଷଜମି । ସେ ଜାଣିଥିଲା, ମାଟିରେ କେମିତି ମିଶିବାକୁ ହୁଏ, ଆତ୍ମୀୟ ପରି ବ୍ୟବହାର ଓ ସ୍ପର୍ଶରେ ମାଟି କେମିତି ମା’ ହୋଇଯାଏ । ବଦଳରେ ନିଜ ବୁକୁରେ ଫସଲର ଭାଣ୍ଡ ଅଜାଡ଼ିଦିଏ ।

ରାତିରେ ଚାଷୀକୁ ପତ୍ନୀ ତେଲ ଘଷିଦିଏ, ଦରଜ ପେଣ୍ଡାରେ, ଗୋଡ଼ରେ, ହାତରେ ।

- କାହିଁ ମାଟିରେ ମାଟି ହୋଇ ମିଶିଯାଉଛ ?

- ଆଉ କ’ଣ କରିବି ?

- ସମସ୍ତଙ୍କ ପରି ଦୋକାନଟିଏ ଦେଉନ, ଏ ପାଣିକାଦୁଅରେ ଘାଣ୍ଟିହୁଅନ୍ତନି ।

- ସମସ୍ତେ ବେପାର ବଣିଜରେ ମାତିଲେ ଚାଷ କରିବ କିଏ ?

- ତୁମକୁ ବୁଝାଇହେବନି । ଲାଗିଥାଅ ସେ ମାଟିରେ ।

ଚାଷୀ ହସେ ।

ସେ ହସ ତା ପାରିଲାପଣିଆର ହସ ନୁହେଁ । ପୈତୃକ ସମ୍ପତ୍ତି ଚାଷଜମିକୁ ସେ ଅଣଦେଖା କରିନି । ବରଂ ସମ୍ଭାବନାର ରଜ୍ଜୁ ଭିତରେ ନିଜକୁ ବାନ୍ଧିରଖି ଖୁସି ହେଉଛି ।

ଚାଷୀ ସକାଳ ପାଇଲା ବେଳକୁ ହଳ ଯୋଚେ । କ୍ଷେତକୁ ଯାଏ । ମାଟିର ମୋହରେ ସେ ଆକୃଷ୍ଟ ହୁଏ । ପ୍ରଥମଥର ଓଦାମାଟିରୁ ଗଜା ଉଠି ମାଟିଆ ରଙ୍ଗର କ୍ଷେତ ସାବ୍ଜା ରଙ୍ଗରେ ବଦଳିଗଲାବେଳକୁ ଚାଷୀର ଛାତି କୁଣ୍ଢେମୋଟ ହୋଇଯାଏ । ନିଜ ଉପରେ କୋଉଠି ନା କୋଉଠି ବିଶ୍ୱାସ ଜମିଯାଏ ।

ନିଜ ଉପରେ ଢେର୍ ବିଶ୍ୱାସ ରଖିଥିବା ଚାଷୀର ମରଣକୁ ନେଇ ଅନେକଙ୍କର ଯୋଜନା ଓ ଷଡ଼ଯନ୍ତ୍ର !

ଚାଷୀ କିନ୍ତୁ ଏସବୁ ବୁଝେନି ।

ପତ୍ନୀ କୁହେ : ଜାଣିଛ ! ସମ୍ବଲପୁରର ଅତାବିରା ପାଖରୁ ଜଣେ ଚାଷୀ ଆତ୍ମହତ୍ୟା କଲା ।

ଚାଷୀ କୁହେ : ତୁମେ କେମିତି ଜାଣିଲ ଏତେ ଦୂରର ଖବର ?

ପତ୍ନୀ : ଟି.ଭି.ରୁ ।

ଚାଷୀ ପଚାରେ : ଆଉ ସବୁ କ’ଣ ଜାଣିଲ ?

ପତ୍ନୀର ଆଶ୍ୱାସନାର ସ୍ୱର : ଲାଗୁଚି, ସରକାର ଆଉ ଚୁପ୍ ହୋଇ ବସିବେନି । କୃଷିଋଣ ଛାଡ଼ କରିଦେବେ ।

ସତରେ । ଟି.ଭି.ରେ ସେକଥା କହୁଥିଲେ ! ଚାଷୀର ବିଶ୍ୱାସ ଆସେ । କିଛି ଗୋଟେ ହେବ ଏଥର ।

ଗଲା ଦୁଇବର୍ଷ ଧରି ସେ ନୟାନ୍ତ ହୋଇସାରିଲାଣି । ସେ କୃଷିଋଣ କରେ । ଆଶା ରଖେ ଫସଲ ଭଲ ହେବ । ଋଣକୁ ଋଣ ଶୁଝିଯାଇ କିଛି ରୋଜଗାର ଅର୍ଥ ସଞ୍ଚିପାରିବ, ଅନିଶ୍ଚିତ ଭବିଷ୍ୟତ ପାଇଁ ।

ପତ୍ନୀ ମନା କରେ : ଋଣ କରନି । ଯେତିକି ପାରୁଚ ନିଜ ଖର୍ଚ୍ଚରେ କର । ଫସଲ ବଢ଼େଇଦେଲେ ଲାଭ କ’ଣ ? ଯଦି ବୁଡ଼ିଯାଏ...?

ପ୍ରକୃତରେ ବି ଗଲା ଦୁଇବର୍ଷ ଫସଲରୁ କିଛି ମିଳିନି । ପ୍ରଥମ ବର୍ଷ ଜୋର୍ ରେ ବର୍ଷା ହୋଇ ପାଣି ଚରିଗଲା ତ ପରବର୍ଷ ଅନାବୃଷ୍ଟି ହୋଇ ମରୁଡ଼ି ।

ଜଣେ ଚାଷୀ କ’ଣ କରିପାରିବ ?

ଗୋଟେ ପରେ ଗୋଟେ ବୋଝ ଲଦିହୋଇଯାଉଛି ମୁଣ୍ଡରେ । ପ୍ରଥମ ବର୍ଷର ଫସଲହାନି ପରେ ଗାଁ ମହାଜନଙ୍କଠୁଁ ବି କିଛି ଆଣିଥିଲା ସୁଧରେ । ଆସନ୍ତା ବର୍ଷ ଅମଳ ପରେ ମୂଳ ସହ ସୁଧ ଏକାଥରକେ ଶୁଝିଦେବାର ପ୍ରତିଶ୍ରୁତି ଦେଇ ।

କ୍ରମାଗତ ଦୁଇବର୍ଷ ରୋଜଗାରହୀନ ହେଲେ ଏ ସମାଜରେ ଜଣେ ଯେତେ ସଞ୍ଚିତ ଧନ ରଖିଥାଉନା କାହିଁକି, ଦୋହଲିଯିବାକୁ ବାଧ୍ୟ ।

ଯେମିତି ଦୋହଲିଗଲା ଚାଷୀ । ତା’ର ବିଶ୍ୱାସ । ପରିବାରର ସ୍ଥିତି ।

ମହାଜନର ସୁଧ କେମିତି ଦିଆଯିବ ?

ପ୍ରଥମ ବର୍ଷ ଶୁଝି ନପାରିଲାବେଳେ ଦ୍ୱିତୀୟ ଥର ବହୁ ଅନୁନୟ ହୋଇ କହିଥିଲା- “ଆଜ୍ଞା ! ଭରସା ରଖନ୍ତୁ । ଏବର୍ଷ ସିନା ଫସଲ ଉଜୁଡ଼ିଗଲା, ଆରବର୍ଷକୁ ମୂଳ ସହ ସୁଧ ଦେଇଦେବି । ଏଇ ଗାଁ’ରେ ଆପଣଙ୍କ ପାଖରେ ତ ଘର କରିଛି । କୁଆଡ଼େ କ’ଣ ପଳେଇଯାଉଛି ?”

ମହାଜନ ବିଶ୍ୱାସକୁ ନେଇପାରୁ ନଥିଲା ।

ଚାଷୀର ପତ୍ନୀ ବି ଅନୁରୋଧ କଲା । ଚାଷୀ କହିଲା, “ବ୍ୟାଙ୍କ ଋଣ ଛାଡ଼ ହୋଇଗଲେ ଆମେ ଫେରେଇଦେବୁ ।”

ମହାଜନ କହିଲା- “ନା, ଏବେ ଦିଅ । ଯୋଉଠୁ ହେଲେ ଆଣି ଦିଅ ।”

ଚାଷୀର ପତ୍ନୀ ହାତରୁ ଖୋଲିଦେଲା ସୁନା ଚୁଡ଼ି ଦୁଇଟା । ବାହାଘର ବେଳେ ଆସିବା ସମୟରେ ବାପଘରୁ ପିନ୍ଧି ଆସିଥିଲା ଯେ, ପ୍ରଥମଥର ପାଇଁ ଏଇ ଅସମୟରେ ଖୋଲିବାକୁ ପଡ଼ିଲା ।

“ନିଅ ଆଜ୍ଞା, ଏଇ ଚୁଡ଼ି ନିଅ । ଆରବର୍ଷ ଯାଏଁ କିଛି କହିବେନି ।”

“ଚିପିଦେଲେ ଦବିଯାଉଛି । କେତେ ଚିନା ହେବ ? ହଉ ଛାଡ଼ । ଗାଁ ଭାଇ ତ । ଏଇବର୍ଷ ଛାଡ଼ିଦେଉଛି । ଆରବର୍ଷକୁ କିଛି ପେଖନା ଦେଖାଇବନି ।”

ସେଇ ବୋଝସବୁ ମୁଣ୍ଡାଇଛି ଚାଷୀ- ଫସଲହାନିଠୁ ନେଇ ମହାଜନୀ ଋଣ, ଯାନିଯାତ୍ରା ଖର୍ଚ୍ଚଠୁ ନେଇ ବନ୍ଧୁବେଭାର ସବୁର ଭାର ।

ସାହା କେବଳ ସେଇ ଗୋଟେ କ୍ଷେତ ।

ଚାଷୀର ଭରସା ଚାଷଜମିଗୁଡ଼ିକ ଧୋକା  ଦେବେନି । ସେ ସ୍ୱପ୍ନ ବି ଦେଖିପାରୁଛି ଋଣମୁକ୍ତ ହେବାର, ପତ୍ନୀର ସୁନାଚୁଡ଼ି ଫେରିପାଇବାର, ପିଲାମାନେ ତା’ଠୁ ଉନ୍ନତ କୌଶଳରେ କିଛି ଚାଷ କରି ଅଧିକ ଅର୍ଥ ରୋଜଗାର କରିବାର କି ସରକାରୀ ଚାକିରି କରି ଜୀବିକା ନିଭେଇବାର ।

ଚାଷୀ ପାଖକୁ ଆସୁଚି ପୁଣି ଅନେକ ପ୍ରସ୍ତାବ ।

“ଦେଖ, ତୁମେ ଏ ଅଞ୍ଚଳର ଜଣେ ଭଲ ଚାଷୀ । ଆମେ ତୁମର ଜମିକୁ ମଡେଲ୍ ରୂପେ ଜିଲ୍ଲାରେ ଦର୍ଶାଇବୁ ।”

“ମୋର ଲାଭ କ’ଣ ହେବ ?”

“ତୁମେ ସେଥିପାଇଁ ସରକାରୀ ପ୍ରୋତ୍ସାହନ ପାଇବ । କିଛି ଅର୍ଥରାଶି ମଧ୍ୟ ପାଇପାରିବ ।”

ଚାଷୀ ମନା କଲା ।

ସେ ଚିହ୍ନେ ସରକାରୀ କଳକୁ ଓ ନିୟମ କାନୁନ୍ କୁ ।

ଦୁଇବର୍ଷ ଧରି ଫସଲ ହେଉନି । ପେଟକୁ ଗଣ୍ଡେ ଖାଇବା ପାଇଁ କେତେବାଟ ଖୋଜାଯାଉଛି । ସରକାର କ’ଣ କରିପାରନ୍ତି ? ସବୁ କରିପାରିବାର କ୍ଷମତା ରଖୁଥିବା ସରକାର ବି ସାଧାରଣ ଜଣେ ମଣିଷଠାରୁ ନିଃସହାୟ ।

ଜଣେ ଅଫିସର ଆସି ତା ପାଖରେ ପହଞ୍ଚିଗଲେ ।

“ଆଜ୍ଞା । ମୋ ପାଖରେ କି କାମ ?”

“ଇନସୁରାନସ । ତୁମର ଚାଷକୁ ନେଇ ଆଉ କିଛି ବିପଦ ନାହିଁ ।”

“ବନ୍ୟା ଆସି ଧୋଇନେଇଯାଉ, ଆମେ ଦେବୁ । ବର୍ଷା ନହୋଇ ମାଟି ଫାଟି ଆଁ କରୁ, ଆମେ ଦେବୁ ।”

ଚାଷୀ ବୁଝିପାରିଲାନି- “ଏମାନଙ୍କର କାହିଁକି ଏତେ ଦରଦ ?”

“ସରକାର କେବେଠୁ ଏତେ ଚିନ୍ତା କଲେଣି ସାଧାରଣ ଜନତାଙ୍କ ପାଇଁ ?”

“ଚାଷୀ ପାଇଁ ଅନେକ ବ୍ୟବସ୍ଥାର ଘୋଷଣା, ସରକାରଙ୍କର ।”

“କିନ୍ତୁ ଏଇ ଚାଷୀଟି ମରିବାର ଷଡ଼ଯନ୍ତ୍ର ବି ରଚାଯାଇପାରେ !”

ଚାଷୀର ମରିବାର ଦିନ ନିର୍ଦ୍ଦିଷ୍ଟ ହୋଇସାରିଛି । ତା’ର ସବୁ ଖବର, ପାରିପାର୍ଶ୍ୱିକ ସ୍ଥିତି ବୁଝାଇ ଜଣାଯାଇଛି ବିଶାରଦଙ୍କୁ, ଯିଏ ରାଜଧାନୀରେ ବାତାନୁକୂଳିତ ବନ୍ଦ କୋଠରିରେ ବସି ନିର୍ଣ୍ଣୟ କରି କହିଛନ୍ତି- “ଏ ଚାଷୀ ଆଉ ବେଶିଦିନର ନୁହଁ ।”

ସେଇପରି କିଛି ସମ୍ବାଦ ପାଇବାକୁ ଆଶା ରଖିଥିବା ଅନେକ ଲୋକ ବି ଉତ୍-ଫୁଲ୍ଲିତ । ମରିବ । ଏଥର ମରିବ । ଚାଷୀ ମରିବ । ଆଉ ଆମ ସୁଖର ଦିନସବୁ ଖୁବ୍ ପାଖରେ ।

ତଳକୁ ତଳ ଦିନ ଗଣା ଚାଲିଛି । ଆଉ ସାତଦିନ, ଛଅ, ପାଞ୍ଚ... ଏଇ ଚାର୍... ତିନି... ଦୁଇ... ଓଃ ଏକ ଆଉ ଆଜିର ଲଗ୍ନ ।

ଚାଷୀ ବାପୁଡ଼ା କି ଜାଣେ, ତା’ର ଜୀବନ ଅପେକ୍ଷା ମରଣ ବି କାହା କାମରେ ଲାଗିପାରେ !

ତା’ର ସବୁ କାମ ଉପରେ ନଜର ରଖାଯାଇଛି । ଯେମିତି ସେ ଟିକିଏ ବାହାରକୁ ନଯାଇପାରେ । କିଛି ଗଡ଼ବଡ଼ ନହୋଇଯାଏ । ଏତେ ବଡ଼ ଯୋଜନାରେ । ହିସାବ ରଖାଯାଇଛି :

ସେ ଚାଷଜମିକୁ କେତେବେଳେ ଯାଉଛି ଓ ଫେରୁଛି । ଗଲାବେଳେ ତା’ର ମୁହଁ କେମିତି ଦିଶୁଚି । ଫେରିଲାବେଳକୁ ଫିକା ପଡ଼ୁଚି ନା ନାହିଁ । ବିଚାର କରାଯାଉଛି କୋଉ ସମ୍ଭାବନା ନେଇ ସେ ଯାଉଛି ଓ କୋଉ ଆଶଙ୍କାରେ ଦ୍ରବୀଭୂତ ହୋଇଯାଉଛି ।

ସେ ଗାଁ’ର ଲୋକମାନଙ୍କ ସହ କେମିତି ମିଶୁଚି, ଆଗରୁ ଯେପରି ହସଖୁସିରେ କଥା ହେଉଥିଲା, ଅନ୍ୟ ଲୋକମାନଙ୍କର ସୁଖଦୁଃଖରେ ନିଜକୁ ସାମିଲ୍ କରୁ୍ଥିଲା, ସେପରି ଆଗଭଳି କରୁଚି ନା ଦାଣ୍ଡପିଣ୍ଡାରେ ବସି ଭିତରେ କ’ଣ ଭାବିହେଉଛି ଓ ଶୁଖିଲା ଆକାଶକୁ ଅନେଇଦେଇ କିଛି ସମ୍ଭାବନାର ସନ୍ଧାନ ପାଉ ନଥିବାରୁ ଶାଙ୍କୁଡ଼ିଯାଉଛି ।

ହଁ ।

ତା ପାଇଁ ଅନେକ ଉପାୟ ତିଆରି କରାଯାଇଛି । ସେ ଉପାୟସବୁର ସଫଳ ରୂପାୟନ ପାଇଁ ଆଉ କିଛି ଉପାୟ ବି ଯୋଗାଡ଼ କରାଯାଉଛି ।

ଚାଷୀ ଏବେ ଫୋକସ୍ ରେ ।

ସେ ବଞ୍ଚିବାର ସ୍ୱପ୍ନ ଦେଖୁଥିବାରୁ ନୁହେଁ, ସେ ମରଣର ପାଖାପାଖି ହୋଇସାରିଛି, ଏପରି ଧାରଣାଟିଏ ଆସିଥିବାରୁ ।

ତା’ର ଚାରିପଟେ ଚାରିଟା ଆଖି ଘୂରିବୁଲୁଚି । ଜାଣିବାକୁ ପ୍ରତିଦିନରେ ଚାଷୀର ମାନସିକ ଅବସ୍ଥାର କେତେ ଅବନତି ଘଟୁଛି । ତା’ର ଅବନତି ରାଜଧାନୀରେ ପ୍ରସ୍ତୁତ କରାହୋଇଥିବା ଯୋଜନା ଅନୁସାରେ ତାଳମେଳ ଖାଉଚି ତ ? ନଚେତ୍ ଯୋଜନାର ରୂପରେଖ ବଦଳାଇବା ଦରକାର ।

ଚାଷୀର ପରିବାର ସହ ସମ୍ପର୍କଟିଏ ବି ନୂଆକରି ଯୋଡ଼ାଗଲାଣି, ଚାଷୀର ଖବର ନିର୍ଭୁଲ୍ ହେବା ପାଇଁ । ଚାଷୀର ବିଚାର କରିବାର କ୍ଷମତାକୁ ବି ମପା ସରିଲାଣି । ଜଣାଗଲାଣି କୋଉ ମାଡ଼ରେ ଚାଷୀ ଭାଙ୍ଗିଯାଏ ।

ସବୁ ଟିକିନିଖି ତଥ୍ୟ ପଠାଯାଉଛି, ଯୋଉଠୁ ନିୟନ୍ତ୍ରଣ କରାଯାଉଛି ଚାଷୀର ଭବିଷ୍ୟତକୁ ।

ବିଚରା ଚାଷୀ ଏସବୁ ଜାଣେନା- ସେ କୋଉ ଯୋଜନାର ଅଂଶ । ଆଧୁନିକ ସମାଜରେ ବଞ୍ଚିବାକୁ ହେଲେ କୋଉ ଯୋଜନା ତାକୁ କରିବାକୁ ହେବ, ନିଜ ପାଇଁ । ସେ ଜାଣେ ଏତିକି-

ସେ ଚାଷ କରିବ ।

ଦୁଇ ବାହୁରେ ତା’ର ବିଶ୍ୱାସ ।

ଭାଗ୍ୟବଳ ନୁହେଁ, କର୍ମଫଳରେ ତା’ର ଆସ୍ଥା ।

ସେ ଚିହ୍ନେ ନିଜର ପରିଶ୍ରମକୁ ।

ସରଳ ଉପାୟରେ ନୁହେଁ, କଷ୍ଟ-ଅର୍ଜିତ ଧନକୁ ନେଇ ବଞ୍ଚିଜାଣେ ।

ସେଥିପାଇଁ ସେ ଚାଷୀ ।

ବୋଧହୁଏ ଏଥିପାଇଁ କିଛି ଲୋକ ତା’ର ମରଣକୁ ଅପେକ୍ଷା କରି ବସନ୍ତି । ସହଜ ନିର୍ମାୟା ଲୋକଟିର ବିରୋଧରେ ଷଡ଼ଯନ୍ତ୍ର ଚାଲିପାରେ ।

ଟି.ଭି. ଚ୍ୟାନେଲ୍ ରେ, ଖବରକାଗଜରେ ଚାଷୀମୃତ୍ୟୁର ଅନେକ କାହାଣୀ । କିଛି ସତ ଆଉ କିଛି କଳ୍ପନାର ଫେଣ୍ଟାଫେଣ୍ଟି କିଛି ଚିତ୍ର ଆଉ କିଛି ତଥ୍ୟ ।

ଟି.ଭି. ଚ୍ୟାନେଲ୍ ର ଟି.ଆର୍.ପି. ବଢ଼େ- କିଏ କେତେ ଶୀଘ୍ର ଚାଷୀମୃତ୍ୟୁର ପ୍ରଥମ ଖବର ସଞ୍ଚାରଣ କରିପାରୁଛି । କାହାର ଦୃଷ୍ଟିକୋଣ, ସମ୍ବେଦନା କେତେ ତୀକ୍ଷ୍ଣ । କାହାର ପହଞ୍ଚ ଅଧିକ ।

କିଏ ସରକାରଙ୍କୁ ହଲଚଲ କରିପାରୁଛି ?

କୋଉ ବାଗରେ ପରିବେଷଣ କରିପାରୁଛି ?

ରାଜ୍ୟର ଦର୍ଶକମାନଙ୍କ ମନକୁ ଟାଣିଆଣିପାରୁଛି, ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧତା ଜଣାଇପାରୁଛି ।

ସେଇ ଟି.ଆର୍.ପି. ଦୌଡ଼କୁ ନେଇ ଅନେକ ଯୋଜନା । ଅନେକ ଘଣ୍ଟାଚକଟା । ବାଦବିବାଦ ।

ପ୍ରତିଦ୍ୱନ୍ଦ୍ୱୀ ଚ୍ୟାନେଲ୍ ମାନଙ୍କର ଚିନ୍ତାର କାରଣ ।

କେମିତି ଏଇ ଗୋଟିଏ ଚ୍ୟାନେଲ, ରାଜ୍ୟଯାକର ଖବର ପ୍ରଥମେ ପାଉଛି । ଚାଷୀ ଆତ୍ମହତ୍ୟା କରିବାର କେଇଘଣ୍ଟା ନ ଯାଉଣୁ, କୋଉ ଉପାନ୍ତ ଅଞ୍ଚଳରୁ ତା’ର ସବୁ ତଥ୍ୟ, ଆତ୍ମହତ୍ୟା ପଛର କାହାଣୀ ସଚିତ୍ର ଓ ସତଥ୍ୟ ସାରା ରାଜ୍ୟର ଦର୍ଶକଙ୍କ ସାମ୍ନାରେ ରଖିପାରୁଛି ।

କ’ଣ କରାଯାଇପାରେ ?

କୌଣସି ସୂତ୍ରଟିଏ ବାହାରିପାରୁନି ।

ଉପରିସ୍ଥ ଅଧିକାରୀମାନେ ଚ୍ୟାନେଲର ଖବରଦାତାମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇସାରିଲେଣି ।

ତୁମେ ଯଦି ଆମ ରାଜ୍ୟର ଆଗାମୀ ଚାଷୀମୃତ୍ୟୁର ଖବର ପ୍ରଥମେ ଯୋଗାଡ଼ ନକରିପାର, ଆମ ଚ୍ୟାନେଲରେ ତାହା ପ୍ରସାରିତ ହୋଇ ଯଦି ଚ୍ୟାନେଲର ଟି.ଆର୍.ପି. ନବଢ଼ିପାରିଲା, ତୁମକୁ ଚାକିରିରୁ ଛଟେଇ କରାଯିବ ।

କର୍ମକର୍ତ୍ତାମାନେ କ’ଣ କରିପାରିବେ ?

ଚାକିରି- ଟି.ଆର୍.ପି. ଚାଷୀମୃତ୍ୟୁର ଛକିଶୂନ ଖେଳରେ ଜିତିବାକୁ ହେଲେ ନୂତନ ରଣକୌଶଳ ଓ ଶେଷବାଜି ଆପଣେଇବା ଛଡ଼ା ଆଉ କିଛି ଗତ୍ୟନ୍ତର ନାହିଁ ।

ଚିହ୍ନଟ କରାଯାଇଛି ମରୁଡ଼ିପ୍ରବଣ ଅଞ୍ଚଳ ।

କୋଉ ଚାଷୀମାନେ ଋଣଗ୍ରସ୍ତ ।

କୋଉଠି ବଞ୍ଚିବାର ରାହା ଶୂନ ଓ ହତାଶାର ଶୂନ୍ୟଭୂମିରେ ଚାଷୀଟିଏ ନିରୁପାୟ ।

କାହା ଘରେ ଖାଇବାକୁ ମୁଠେ ନାହିଁ, ଯିଏ ମାଟିରୁ ସୁନା ଫଳେଇ ଜାଣିଛି; ଅଥଚ ପାରୁନି । ଯାହାର ପରିଶ୍ରମରେ ସବୁଲୋକ ଖାଇ ବଞ୍ଚୁଛନ୍ତି; ଅଥଚ ସିଏ ଖାଇବାକୁ ଚାଉଳ ମୁଠେ ନାହିଁ । ଆଉ ଉପରକୁ ମହାଜନର ଲାଠିମାଡ଼ । ବଜାରଭାଉର ଚଡ଼କ । ବିଚରା ପେଷିହୋଇଯାଇଛି ।

ଚ୍ୟାନେଲର ସମ୍ପର୍କରେ ଚାରୋଟି ଆଖି ।

ଚୁକ୍ତି ସରିଛି- ତୁମେ ଆମକୁ ଚାଷୀ ଚିହ୍ନଟ କରିଦିଅ । ପ୍ରତିଦିନର ଖବର ଆମକୁ ଦିଅ । ତା’ର ମରଣର କେଇମିନିଟ୍ ଭିତରେ ଆମ ଚ୍ୟାନେଲରେ ସଚିତ୍ର ସତଥ୍ୟ ପ୍ରସାରିତ ହୋଇଯାଉ । ମାଲେମାଲ କରିଦେବୁ । ଜୀବନରେ ଯେତିକି ରୋଜଗାର କରିପାରିବାର ସ୍ୱପ୍ନ ଦେଖି ନଥିବ, ତା’ଠୁ କାହିଁ କେତେଗୁଣରେ ଅଧିକ ଦେବୁ ।

ଚାଷୀ ଚିହ୍ନଟ ସରିଛି ।

ଚିହ୍ନଟ ପରେ ଗଣନା ବି ସରିଯାଇଛି- ଆଉ ଦିନ କେଇଟା ମାତ୍ର । ମାହେନ୍ଦ୍ର ମୁହୂର୍ତ୍ତକୁ କେବଳ ପ୍ରତୀକ୍ଷା ।

ଚାଷୀଘରୁ କଳହ ଶୁଭୁଚି । ପତ୍ନୀ ମୁଣ୍ଡପିଟି କାନ୍ଦୁଛି । ସନ୍ଧ୍ୟାବେଳକୁ ଚାଷୀଘରକୁ କିଏ ଜଣେ ଯାଉଛି, ଚାରିଆଖିର ଅନୁମାନ- ମହାଜନ ଆସିଛି ।

କାନଡେରି ଶୁଣିବାର ଚେଷ୍ଟା, ମହାଜନ କ’ଣ କହୁଚି ? ତା’ର ଗାଳିକୁ ସମ୍ଭାଳିପାରୁ ନାହାନ୍ତି ତ? ତେବେ ଆମ ପାଇଁ ଭଲ । ମହାଜନ ଧମକ ଦେଉଛି- “ମାସକ ଭିତରେ ଦୁଇବର୍ଷର ଚକ୍ରବର୍ତ୍ତୀ ସୁଧ ସହ ମୂଳଧନ ଫେରାଇ ନପାରିଲେ ତୋ ଘର କୋରକି କରିଦେବି ।”

ଚାରିଆଖି ଉଲ୍ଲସିତ ।

ସମୟ ପାଖେଇ ଆସୁଚି ।

ଆହୁରି ସତର୍କ ହୋଇ ପଦକ୍ଷେପ ନେବାକୁ ପଡ଼ୁଛି । ଚ୍ୟାନେଲକୁ ଖବର ଯାଉଛି । ସକାଳୁ ସାଇକେଲରେ ଚାଷୀ କୁଆଡ଼େ ବାହାରିଛି ? କୁଆଡ଼େ ?

ଚାରିଆଖିର ପିଛା ।

ପାଖ ସହରର ସାର କୀଟନାଶକ ଦୋକାନରେ ଚାଷୀ କ’ଣ ପଚାରି ବୁଝୁଚି । ପୁଡ଼ିଆ କିଣୁଚି ।

ସେଇଠୁ ଚ୍ୟାନେଲକୁ ଖବର- ସାର୍ ! କାଲି ହିଁ ଲଗ୍ନ । ଆପଣ ରେଡ୍ଡି ତ ? ଚାରିଟି ଆଖିକୁ ଏଭଳି ସୁଯୋଗ କେବେ ମିଳିନି ।

ଚାଷୀ ଫାଶରେ ପଡ଼ିସାରିଲାଣି ।

ସନ୍ଧ୍ୟା ଆଗରୁ ଆକାଶରେ ଘନେଇଆସିଲାଣି ମେଘ । ବର୍ଷା । ବର୍ଷା ହେବ । ଚାରିଆଖି ଆତଙ୍କିତ : ଗଲା, ସବୁ ଯୋଜନା ମାଟି ହୋଇଗଲା ।

ବନ୍ଧ୍ୟା ନାରୀ ପରି ବି ଏ ମେଘ !

ଘୋଟେଇବ, ଅଥଚ ବର୍ଷା ହେବନି ।

ଚାଷୀଟି ବି ଆତଙ୍କିତ : ଗଲା, ସବୁ ଯୋଜନା ମାଟି ହୋଇଗଲା ।

ସବୁଆଡ଼େ ଅଙ୍କକଷା- ଚାଷୀର, ଚାରିଆଖିର, ବିରୋଧୀ ଦଳର, ଚ୍ୟାନେଲମାନଙ୍କର ।

ସକାଳୁ ଚାଷୀ ବାହାରିଛି, ସବୁଦିନ ପରି, ତା କ୍ଷେତକୁ ।

ଶୁଖିଲା ଫଟାମାଟିରୁ କ’ଣ ଆଶା କରିପାରୁଚି ଚାଷୀ !

ଚାଷୀ ହାତରେ ବ୍ୟାଗ୍ ।

ବ୍ୟାଗ୍ ନେଇ ଚାଷୀ କୁଆଡ଼େ ଯାଉଛି ?

ଚାରିଆଖିର ଅନୁମାନ ତେବେ ମିଥ୍ୟା ନୁହେଁ- ଦାନାଦାର ନିହାତି ଥିବ ସେ ବ୍ୟାଗ୍ ରେ । ଆଗରୁ ଚାଷୀ ନଜାଣିପାରିଲା ଭଳି ନିରପେକ୍ଷ ଦୂରତ୍ୱରେ ଛପିକି ଅଛି ଦୁଇଟି କ୍ୟାମେରା- ଚାଷୀମୃତ୍ୟୁର ପ୍ରତିଟି ଦୃଶ୍ୟକୁ ଉଠାଇନେବା ଆଶାରେ ।

ଚାରୋଟି ଆଖିର ସତର୍କଦୃଷ୍ଟି ଚାଷୀ ଉପରେ ।

ଚାଷୀ ବ୍ୟାଗ୍ ରଖିଲା ।

ଶୁଖିଲା ମାଟିକୁ ହାତରେ କିଛି ସମୟ ଧରିଲା ।

ଉଜୁଡ଼ା ଫସଲ କ୍ଷେତକୁ ଚାହିଁଲା ।

ବ୍ୟାଗ୍ ଭିତରୁ ପୁଡ଼ିଆ କାଢ଼ିଲା ।

ଲଗ୍ନ ଏମିତି ହିଁ ଆସେ ।

ଚାଷୀ ଦାନାଦାର ଖାଇଲାନି । ତା ବ୍ୟାଗ୍ ରେ କିଛି ସାର ପୁଡ଼ିଆ ଥିଲା । କିଛି ଗଛର ଚାରା ବି ଥିଲା । ଚାଷୀ ସଯତ୍ନ ଗଛସବୁ ଲଗାଇଲା । ଯୋଉ ଦୁର୍ଦ୍ଦଶା ସେ ଆଜି ଭୋଗୁଛି । ଆଗାମୀ ପିଢ଼ିକୁ ସାମ୍ନା କରିବାକୁ ନପଡ଼ୁ ।

ତା’ର ବିଶ୍ୱାସ- ଗଛ ଲଗାଇଲେ ବର୍ଷା ଆପେ ହେବ ।

ତା’ର ଏପରି ବିଶ୍ୱାସ ।

କାରଣ ସେ ଜଣେ ଚାଷୀ ।

ଇ- ୩୯୫, ସେକ୍ଟର- ୬

ସିଡିଏ, କଟକ- ୧୪

*****


Rate this content
Originality
Flow
Language
Cover Design