Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjita Mishr

Others Tragedy

3  

Ranjita Mishr

Others Tragedy

ବାପାଙ୍କ ଗାଳି

ବାପାଙ୍କ ଗାଳି

3 mins
7.3K


ମାଆ ଗାଳି ଦାଣ୍ଡ ଧୂଳି !

ଆଉ ବାପାଙ୍କ ଗାଳି ....?

ସେ ଗେହ୍ଲେଇ, ଅଝଟ ସାନଭଉଣୀ ବାପାଙ୍କର ଖୁବ୍ ଗେହ୍ଲା । ସବୁଦିନ ତା'ର ବଦମାସି ପାଇଁ କିଏ ନା କିଏ ବାପାଙ୍କଠୁ ଗାଳି ଶୁଣନ୍ତି ! ମା' ବି ବାଦ୍ ଯାଏନି ସେ ଗାଳିରୁ କେବେ କେବେ ।

ସେଦିନର ଘଟଣା ତ କିନ୍ତୁ ଖୁବ୍ ଆଚମ୍ଭିତ, ଆଘାତ ଦେଲା ପରି ଥିଲା। ଖୁବ ବେଶୀ ବଡ ଅଘଟଣଟିଏ ଘଟିଗଲା ପରି ଲାଗିଲା କାବ୍ୟାକୁ !

ସକାଳୁ ସକାଳୁ ସ୍କୁଲ ଯିବାକୁ ତରତର ହେଉଥିବା ବେଳେ, ଅଫିସ ଘରୁ ବାପା ଡାକିଲେ । ଘରଠୁ କିଛି ଦୂର ଛାଡି ରହୁଥିଲେ ସମ୍ପର୍କୀୟ ଜଣେ ଭାଇନା । ସେ ବାପାଙ୍କର ସହଯୋଗୀ ଭାବେ କାମ କରୁଥିଲେ । ତାଙ୍କୁ ଡାକି ଆଣିବାକୁ କାବ୍ୟାକୁ ପଠେଇଲେ ।

ସ୍କୁଲ ଡେରି ହେଇଯିବ ଭାବି, କାବ୍ୟା ମା'ଙ୍କୁ ଅନୁରୋଧ କଲା ବଡ ଭାଇନାଙ୍କୁ ପଠେଇବାକୁ, ବାପାଙ୍କ ଆଦେଶ ପାଳନ କରିବାକୁ ।

ମା'ଙ୍କ କହିବାରେ ଭାଇନା ବାହାରିଲେ ଯିବାକୁ । ଆଉ ସେତିକି ବେଳେ ସାନ ଭଉଣୀ ଜିଦ୍ଦି ଧରିଲା ସାଙ୍ଗରେ ଯିବ । ଭାଇନା ଜାଣିଥିଲେ, ବାଟରେ ହଇରାଣ କରିବ ଆଉ ସେ ସମ୍ପର୍କୀୟଙ୍କ ଘରୁ ସହଜରେ ଆସିବନି। ତାକୁ ଆଣିବାକୁ ପୁଣି ଯିବାକୁ ପଡ଼ିବ କି ଅପେକ୍ଷା କରିବାକୁ ପଡ଼ିବ ! ତାଙ୍କର ବି କଲେଜ ସମୟ ହେଉଥିଲା। ତେଣୁ ନେବାକୁ ମଙ୍ଗିଲେନି !

ବାସ୍, ଆରମ୍ଭ ହେଇଗଲା ସେ ରାହାବାଳିର ବୋବାଳି !

ତା' ଚିତ୍କାର ଶୁଣି ବାପା ଅଫିସ ଘରୁ ଦଉଡି ଆସିଲେ, ଭାବିଲେ କିଏ ତାକୁ ମାରିଛି ବୋଧେ !

ସବୁ କଥା ଶୁଣିବାକୁ ଧୈର୍ଯ୍ୟ ବି ନଥିଲା ତାଙ୍କର । ବାସ୍, କାହିଁକି କାବ୍ୟାକୁ ଦେଇଥିବା ଆଦେଶ କାବ୍ୟା ପାଳିଲାନି ଆଉ ଭାଇନାଙ୍କୁ ଯିବାକୁ କହିଲା ଭାବି, ଶକ୍ତ ଚାପୁଡ଼ାଟେ ବସେଇ ଦେଲେ ତା' ଗାଲରେ ! ପ୍ରଥମ ଥର ପାଇଁ ହାତ ଉଠିଥିଲା ବାପାଙ୍କର କାବ୍ୟା ଉପରେ, ଚାପୁଡ଼ାରେ କାନମୁଣ୍ଡା ଝାଇଁ ଝାଇଁ ଲାଗୁଥିଲା ତାକୁ !

କାଠ ହେଇ ଯାଇଥିଲା ସେ ଅଭିମାନରେ, କୋହ ଉଠୁଥିଲା, ଆଖିରୁ ଲୁହ ବନ୍ଦ ହେଉନଥିଲା !

ଗାଲରୁ ଝର ଝର ରକ୍ତ ବାହାରୁଥିଲା !

ବାପା କିନ୍ତୁ ଦେଖି ନଥିଲେ, କାର୍ଯ୍ୟ ବ୍ୟସ୍ତତା ନେଇ ପୁଣି ଅଫିସ ରୁମକୁ ଫେରି ଯାଇଥିଲେ ।

କାବ୍ୟାକୁ କିନ୍ତୁ ଲାଗୁଥିଲା, ସେ ବାପାଙ୍କ ସ୍ନେହର ଯୋଗ୍ୟ ନୁହଁ !

ନା, ଲାଗୁଥିଲା ଯେମିତି ପାଦ ତଳୁ ମାଟି ଖସିଯାଉଛି, ସବୁଆଡ଼ ଅନ୍ଧାର.. ଆଉ ଚୁର୍ ମାର୍ ହେଇଯାଉଛି କଅଁଳ ବିଶ୍ୱାସଟିଏ !

ଲାଗିଥିଲା ସେଦିନ କାବ୍ୟାକୁ, ଏକଦମ୍ ଅସହାୟ,ଅସ୍ତିତ୍ବହୀନ !

ଖୁବ୍ କଷ୍ଟରେ କୋହ ସମ୍ଭାଳି, ମା' ଗାଲରୁ ରକ୍ତ ପୋଛି ଦେଇଥିଲେ ।

ସାନ୍ତ୍ୱନା ଦେଇଥିଲେ, "ବାପା ଟେନସନରେ ଥିଲେ ବୋଧେ ।

ଭୁଲିଯା" ,ଆଉ ଖୁଆଇ ପିଆଇ ସ୍କୁଲ ପଠେଇଥିଲେ । ପୂରା ଦିନ ସ୍କୁଲରେ କାବ୍ୟା ଗୁମ୍ ସୁମ୍ ବସିଥିଲା ।

ସାଙ୍ଗମାନେ ବହୁତ ପଚାରୁ ଥିଲେ, 'ଦିଦି' ବି ପାଖକୁ ଡାକି ପଚାରିଲେ, କାହିଁକି ତା' ମୁହଁ ଆଜି ଏତେ ଶୁଖିଲା ଦିଶୁଛି ?

କାହାକୁ କିଛି କହି ନଥିଲା କାବ୍ୟା !

ଅକୁହା କୋହକୁ ନେଇ ଭାଙ୍ଗି ପଡୁଥିଲା ତା'ର କୋମଳ ହୃଦୟ !

ବାପା କ'ଣ ସତରେ ଏମିତି ନିଷ୍ଠୁର ହେଇପାରନ୍ତି !

ସ୍କୁଲରୁ ଫେରି ଚିରାଚରିତ ରୁଟିନରୁ ବ୍ୟତିକ୍ରମ କରି, ସାଙ୍ଗମାନଙ୍କ ସାଙ୍ଗେ ଖେଳିବାକୁ ନଯାଇ , ଛାତ ଉପରକୁ ଚାଲିଯାଇ ଥିଲା କାବ୍ୟା । ମଥା ଉପରର ବିଶାଳ ଆକାଶକୁ ଚାହିଁ ଭାବୁଥିଲା, କେତେ ଶୁନ୍ୟତା ସେ ଅସୀମତାରେ ! ସବୁକିଛିକୁ ଆବୋରି ଧରିଛି ସେ ବିଶାଳତା, କିନ୍ତୁ ଖୁବ୍ ନିର୍ଦ୍ଦୟ, କେତେବେଳେ କୋଉ ରୂପ ... ଠିକ ତା' ବାପାଙ୍କ ପରି !

ମା'ର ଶଙ୍ଖ ଫୁଙ୍କା ଶବ୍ଦରେ ଭାବନାର ଖିଅ ଛିଣ୍ଡି ଥିଲା ।

ତଳକୁ ଆସିଥିଲା ମୁହଁ ହାତ ଧୋଇ, ସଂଜ ଆରତି କରିବାକୁ।

ସବୁଦିନ ପ୍ରାର୍ଥନା ଗାଆନ୍ତି ସେମାନେ, " ଆହେ ଦୟାମୟ ବିଶ୍ୱ ବିହାରି...." । ଠାକୁରଙ୍କ ଫଟୋ ଦେଖିଲେ ସେ ଭାବେ ସତେ ଯେମିତି ବାପା, ମା' ଆଶୀର୍ବାଦ ମୁଦ୍ରାରେ ଅଙ୍କା ହେଇଛନ୍ତି ସେଠି ! ସେଦିନ କିନ୍ତୁ ଆଉ ଭରସା ହେଉ ନଥିଲା...।

କୋହ ମିଶା ସ୍ୱରରେ ପ୍ରାର୍ଥନା ଗାଉ ଗାଉ, ଟାଣି ହେଇ ଗାଲର ଖଣ୍ଡିଆରୁ ପୁଣି ରକ୍ତ ବାହାରି ଥିଲା ।

ପ୍ରାର୍ଥନା ସାରି ଦର୍ପଣ ଆଗରେ ଖଣ୍ଡିଆରେ ଡେଟଲ ଲଗେଇଲା ବେଳକୁ ବାପା ପଶି ଆସିଲେ ଘର ଭିତରକୁ । ଆଉ ତାଙ୍କ ଆଖି ପଡିଗଲା ଖଣ୍ଡିଆ ଉପରେ ! ଖୁବ୍ ବିଚଳିତ ହେଇ ପଚାରିଲେ କାବ୍ୟାକୁ, "ଆରେ ମା' , ତୋ' ଗାଲରେ ଖଣ୍ଡିଆ କେମିତି ହେଲା !"

ରାଗ ଫଣ ଫଣ ଆଉ ଉଠୁଥିବା କୋହ ସାଙ୍ଗେ କାବ୍ୟା ଅଭିମାନ କଣ୍ଠରେ କହିଥିଲା, " ଏମିତି କ'ଣ ବାପା ମାନେ ମାରନ୍ତି ? ଗାଲ ଫଟେଇ ଦିଅନ୍ତି ! ତୁମେ ମାରିକି ଭୁଲି ଗଲ ?"

କାବ୍ୟାର ଅଭିଯୋଗ ଶୁଣି,ହଠାତ ଲାଗିଲା ବାପା ଯେମିତି ଆକାଶରୁ ଖସି ପଡିଲେ !

ବାପାଙ୍କ ଆଖିରେ ଥିଲା ଦି' ଠୋପା ଲୁହ ଆଉ ଅବଶୋଷରେ ଭାଙ୍ଗି ପଡୁଥିଲା ଯେମିତି ହୃଦୟ ! ଖୁବ୍ ଅନୁତପ୍ତ ଥିଲା ତାଙ୍କ କଣ୍ଠସ୍ୱର ! କହିଥିଲେ, "ସତରେ ମୁଁ ମୋ ମା' କୁ ଏମିତି ମାରିଛି?

ଏତେ ନୃଶଂସ ଭାବେ ! ଆଜିଠୁ ପ୍ରତିଜ୍ଞା କରୁଛି କାହାକୁ ଆଉ ମାରିବିନି । ମୋର ଭୁଲ ହେଇ ଯାଇଛି ମା' ! "

ଆଉ କାବ୍ୟାକୁ ଆଦରରେ ଆଉଁସି ଦେଇଥିଲେ ।

ଗୋଟେ ମୁହୂର୍ତ୍ତରେ କାବ୍ୟାର ମୁହଁରୁ ଅଭିମାନର ବାଦଲ ଘୁଂଚି ଯାଇ ଆଶ୍ୱାସନାର ଉଜ୍ଜଳତା ଭରି ଯାଇଥିଲା !

ସେଦିନ ଲାଗିଥିଲା କାବ୍ୟାକୁ, ବାପାଙ୍କ ସ୍ନେହ ଆକାଶ ପରି ଗଭୀର ଆଉ ଆଶୀର୍ବାଦର ଅନନ୍ତ ଝର ! ସନ୍ତାନର ଦୁଃଖ ସାମ୍ନାରେ କେତେ ବିବଶ ହେଇ ଯାଆନ୍ତି, ଆଉ ନଇଁ ପଡ଼ିବାକୁ ପଛଘୁଞ୍ଚା ଦିଏନି ତାଙ୍କ ବିଶାଳ ଅସ୍ତିତ୍ବ !

ସତରେ, ତା' ପରଠୁ କାବ୍ୟା ଦେଖିଛି, ବାପା କାହାକୁ ମାରନ୍ତିନି ।

ରାଗିଲେ ଦାନ୍ତ କାମୁଡି ରହିଯିବେ, କିନ୍ତୁ ହାତ ଉଠେଇ ନାହାଁନ୍ତି ।

ସେଦିନ ଖୁବ୍ ଭଲ ଭାବେ ବୁଝିଥିଲା ବାପାଙ୍କୁ, ଆଉ ଜାଣିଥିଲା ତା' ପଛରେ ଶକ୍ତ କାନ୍ଥଟିଏ ହେଇ ସବୁଦିନ ଥିବ ବାପାଙ୍କର ଅସୀମ ସ୍ନେହ ଆଉ ତାଙ୍କ ଅଶୀର୍ବାଦ ସବୁଦିନ ହେବ ତା' ଜୀବନର ପାଥେୟ !

*********************

----- ରଞ୍ଜିତା ମିଶ୍ର ।


Rate this content
Log in