Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଧର୍ମ ବିତ୍ତ
ଅଧର୍ମ ବିତ୍ତ
★★★★★

© ଓଡିଆ ଗଳ୍ପ

Classics

11 Minutes   7.4K    16


Content Ranking

ବିଜେ ନରହରିପୁର ଶାସନ ମୁଣ୍ଡ ସାହାଲା ଘରକୁ ଛାଡ଼ି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ ତିନି ପଟରେ ପାଞ୍ଚସାଲି, ଦଶସାଲି, ମଧ୍ୟଭଳି ଅତି ପୁରୁଣା ବୁଢ଼ା, ଗଣତିରେ ଶହେ ସାତ ନଡ଼ିଆ ଗଛ । ଏଗୁଡ଼ିକ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକସଙ୍ଗରେ ତୋଳା ଯାଇ ଭାଗପିଛେ ବାଣ୍ଟ ହୁଏ ।

ସକାଳ ଓଳି ବେଳ ଘଡ଼ିକ ସମୟରେ ନଡ଼ିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣ ଗୋସାଇଁ ବିଜେ ହୋଇଛନ୍ତି । ପୁରୁଖା ପୁରୁଖା ଭଳି ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର-ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆ ପତ୍ରବୁଣା ଚଟେଇରେ ବସିଛନ୍ତି, ଆଉ ଅନ୍ୟମାନଙ୍କର ଭୂମ୍ୟାସନ । ସାନ ପିଲାଗୁଡ଼ାକ ସକାଳୁ ଗାଁ ଦାଣ୍ଡରେ ନଡ଼ିଆ ବୁରେଇ ତଳେ ଧାଁ ଦଉଡ଼ ହୋଇ ହୋ’ ହା’ ପାଟିକରି ଖେଳୁଥାନ୍ତି, ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ । ଯୋଡ଼ିକୁ ଯୋଡ଼ି, ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସାଇଁମାନଙ୍କ ସଭା ଦେଖୁଛନ୍ତି । ସେମାନେ ବି ମନ ମଧ୍ୟରେ ଯେମନ୍ତ ବୁଝିଛନ୍ତି, ଆଜି ଗାଁରେ ଭାରି ଗୋଟାଏ କ’ଣ ହେବ । ଶାସନ ଗୋସାଇଁମାନଙ୍କୁ ଛାଡ଼ି ଆହୁରି ବି ଆଠ ଦଶ ଜଣ ଦୂରଦୂରାନ୍ତର ଗାଁରୁ ଗୋସାଇଁମାନେ ଆସି ଉପସ୍ଥିତ, ବିପଦ୍‌ଗ୍ରସ୍ତ ବନ୍ଧୁମାନଙ୍କୁ ସଙ୍ଖୁଳିବା ପାଇଁ ଆସିଛନ୍ତି । ଭେଣ୍ଡିଆ ଜଗୁ ପତିଏ ଦୁଇ ଗୋଡ଼ ପାପୁଲିରେ ଗୋଟିଏ ପଥର କୁଣ୍ଡି ଯାକି ଧରି ମୁଣ୍ଡ ପୋତି ଗୋଟାଏ ନାସଘୋଟା ବାଡ଼ିରେ ଘଡ଼ର ଘଡ଼ର କରି ନାସ ଘୋଟୁଥିଲେ । ଘୋଟା ହୋଇଗଲା । ଆଗେ ମୁରବି ଭଳିଆ ଲୋକଙ୍କ ଆଗରେ, ପଛନ୍ତେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ । ସମସ୍ତେ ଟିପେ ଟିପେ ନାସ ନେଇ ସୁଁ- ସୁଁ କରି ନାକ ଦୁଇ ପୁଡ଼ାରେ ଗୁଞ୍ଜି ଦେଲେ ।

ନାସ ସୁଙ୍ଗାସୁଙ୍ଗି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ରେ ପଚାରିଲେ, “ମାମୁଁ ! କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଦେହକର ।” (ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ୱିବେଦୀଙ୍କ ଭଣଜା, ଏଣ୍ଟ୍ରାନ୍ସ ପାସ, ଗୋଟାଏ ମାଇନର୍ ସ୍କୁଲ୍‌ର ହେଡ଼ମାଷ୍ଟର । ମାମୁଁଙ୍କ ବିପଦ କଥା ଶୁଣି ଆଉ ଆଉ ବନ୍ଧୁଙ୍କ ପରି ସଙ୍ଖୁଳି ଆସିଛନ୍ତି ।)

ଦ୍ୱିବେଦୀଏ କହିଲେ, “ନାହିଁ ନାହିଁ ବାପା । ମୋ ଅଙ୍ଗିତା ଯୋଡ଼ାଏ ପଇସା ବି ନୁହେଁ । ବାପା ତାଙ୍କ ମଝିଆଁ ଝିଅ ତାରା ନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ ଶହେ ଟଙ୍କା ଖଣ୍ଡେ ତାଳପତ୍ର ଗୁଜା ଲେଖି- ଦେଇ ଆଣିଥିଲେ । ତହିଁ ଆର ବରଷ ପଞ୍ଚାଶଟି ଟଙ୍କା ଘେନି ସାହୁ ପାଖକୁ ଗଲେ, ମନରେ କରିଥିଲେ, କଳନ୍ତର ଛିଡ଼ାଇ ଦେଇ ମୂଳକୁ ବାକି ପୈଠ କରି ଦେବେ । ମହାଜନ ଟଙ୍କା ଦେଖି ଜିଭ କାମୁଡ଼ି ପକାଇ କହିଲା, “ଏ-ଏ କଣ ଗଦେଇ କକେଇ ? ଶୁଣିଲି, ତୁମେ ପରା ଧାନ ବିକି ଏ ଟଙ୍କା ରଖିଛ । ରାମ-ରାମ-ରାମ ! ଏଟା କି କଥା ! କୁଟୁମ୍ୱଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କ’ଣ ବିକନ୍ତି ! କେତେ ବା ଧାନ ପାଇଛ- ଉଠାଅ, ଉଠାଅ- ଟଙ୍କା ଉଠାଅ ! ତୁମେ ମୋ କୁଳପୁରୋହିତ, ସହଜରେ ଧର୍ମର କକେଇ, ଟଙ୍କାଟା ତୁମ ପାଖରେ ଥିଲେ ଯେ, ମୋ ପାଖରେ ଥିଲେ ସେ । ଯାଅ ଯାଅ, ଏହି ଟଙ୍କାରେ ଧାନ କିଣିପକାଅ । ନାହିଁ ନାହିଁ, ଗାଁରେ ଦଶ ଯଜମାନ ଘରେ ବ ହାନହଣା ପଡ଼ିଗଲା ତ ଏକାଦିନକରେ ଟଙ୍କା ପୈଠ ।’ ବାପା ତ ଥିଲେ ମରହଟିଆ ସାଦାସିଧା ଲୋକ, ସାହୁର ମିଠା କଥାରେ ଏକାବେଳକେ ତରଳି ଗଲେ । ବାପା କିଆଁ, ତୁମେ ଯାଅ ନା, ଶୁଣିବ, କେଡ଼େ ମିଠା କଥା କେତେ ନିର୍ମାୟା କଥା- ମନରେ କରିବ ଏହାପରି ସରଳ, ପରୋପକାରୀ, ଧାର୍ମିକ ଲୋକ ଜଗତରେ ନାହିଁ । ଏଇ ଯେ ତୁମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥୀଏ, ଭୀମପାଢ଼ୀଏ, ସମସ୍ତଙ୍କର ଠିକ୍ ଏହିପରି ହାଲ । ଝିଅ ପୁଅ ବିଭାକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର ତିରିଶ ତିରିଶ ମାଣ ଶାସନ ଭାଗ ଜମି ଆମ ଜମି ସହିତ ଏକା ତାରିଖରେ କଟକ ଜଜ କୋର୍ଟରେ ନିଲାମ ହୋଇ ଯାଇଛି, ଗୋରୁ ଖୋଜରେ ଖୋଜେ ବି ଜମି କାହାରି ନାହିଁ । ଆହୁରି ବି ଛ’ଜଣ ମହାଜନଠାରୁ କରଜା ଖାଇଥିଲେ, ମୂଳକଳନ୍ତରରେ ବୁଡ଼ି ରହିଲେଣି । ସେମାନଙ୍କର ବି ଆଉ ବର୍ଷେ ଛ’ମାସ ବାଦେ ଜମିବାଡ଼ି ଗଲା ପରି । ତୁଚ୍ଛା ଏହା ଶାସନରେ ! ଏ ଅଞ୍ଚଳ ଦଶଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡେ ଦେଖିଲା ତ, ଶୁଙ୍ଗି ଶୁଙ୍ଗି ବୁଲୁଥିବ । କାହାରି ଦରକାର ପଡ଼ିଲେ ରାତି ଅଧରେ ଟଙ୍କା ଗଣି ଦେବ । ଥରେ ଯଦି ଟଙ୍କା ତା’ ଘରୁ ଉଠାଇଲ ତ, ତିନିପୁରୁଷରେ କ’ଣ ଶୁଝୁଛି । କଳନ୍ତରର କଳନ୍ତର, ତହିଁର କଳନ୍ତର ଲଟ ଲାଗି ରହିଛି । କାରଣଗୁଡ଼ାକ ବି ସେହିପରି ମିଳି ଯାଇଛନ୍ତି । କିଏ ପାଞ୍ଚଟଙ୍କା ପୈଠ କଲା ତ, ପାଞ୍ଜିରେ ବସିଲା ଦେଢ଼ ଟଙ୍କା । ହଁ, କ’ଣ କହୁଥିଲି, ବାପା ତ ତା’ କଥାରେ ଭୁଲି ଟଙ୍କା ବାହୁଡ଼ାଇ ଆଣି ପୁଣି ଧାନ କିଣି ଥୋଇଲେ । ତହିଁ ଆର ବରଷ କତିରୁ ପାଣି ହେଲା ଛିନ୍‌ଛୋଟ, ଧାନ ଭଲ ଫଳିଲା ନାହିଁ । ସେହି ସମୟରେ ପୁଣି ତୁମ ସର ମାଉସୀର ବିଭା ସମୟ ଉପସ୍ଥିତ । ୯ ବର୍ଷ ପୁରି ଯାଉଛି “ଦଶ ବର୍ଷା ତୁ କନ୍ୟକା” ବିଭା ନ ଦେଲେ କନ୍ୟାଦାନ ଫଳ ନାହିଁ । ବାପା ଯାଇ ସାହୁ ଦୁଆରେ ହାଜର । ସାହୁ ତ ଘାଲେଇ ପଡ଼ି ବେଳ ଉଣ୍ଡୁଥିଲା, ଦାଉ ପଡ଼ିଗଲା । ସାହୁ କଅଁଳେଇ କଅଁଳେଇ ମୁରକି ମୁରକି ହସି କହିଲା, “ହେଉ ହେଉ, କକେଇ, ଘେନି ଯାଅ- ଏ ଘର ଟଙ୍କା ସେ ଘରକୁ ଯିବ, କଥା କ’ଣ ? ଆହେ ଛାମୁକରଣେ, ଅଇଲ, କକେଇ କିଛି ଟଙ୍କା ଧାର ନେବେ । ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲ ।’ ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, “ଆଗ ଟଙ୍କା ମୂଳ କଳନ୍ତର ମିଶି ହେଲା ଅଢ଼େଇଶ, ହାଲକୁ ଶଏ ନେଲେ ହେବ ସାଢ଼େ ତିନିଶ ଟଙ୍କା ।’ ଟଙ୍କା ଶୁଣି ବାପା ଚମକି ପଡ଼ିଲେ । ସାହୁ ବାପାଙ୍କ ମନ କଥା ବୁଝି ପାରି କହିଲା, “ହେଉ-ହେଉ, କକେଇ ଚିନ୍ତା କ’ଣ ? ଦେବା ନେବା ବେଳ ତ ଅଛି । ଆପଣ ମୋ କୁଳ ପୁରୋହିତ, ଦେବାବେଳେ ଦିଶ’ ଶହେ ଛାଡ଼ ନେଇଗଲେ ମୋର କ’ଣ ସରିଯିବ ?’ ବିଭାଲଗ୍ନ ଆଉ ଆଠ ଦିନ, ଟଙ୍କା ନ ହେଲେ ନହେଁ । ବାପା ସାହୁ କଥାରେ ହଁ ମଣିଲେ, କହିଲେ, “ହେଉ, ଗୁଜା ଲେଖାଯାଉ ।’ ସାହୁ ଦଣ୍ଡେଯାଏ ଗୁମ୍ ମାରି ବସି କହିଲା, “ବୁଝିଲେ କକେଇ, ଏଇଟା ହେଲା କଳିକାଳ, ଏ ଗୁମାସ୍ତା କରଣଗୁଡ଼ାଙ୍କୁ ପରତେ ନାହିଁ । ଗୁଜା କେତେବେଳେ କ’ଣ କରି ପକାଇବେ, ମୋତେ ପଛନ୍ତେ ଆପଣ ଦୋଷ ଦେଉଥିବେ । ଟଙ୍କାଟା ଗୋଟାଏ ଟିପ କରି ରେଜେଷ୍ଟରୀ କରି ପକାଇଲେ ଭଲ ହେବ, କାହାରି ଉଁ ଚୁଁ କରିବାର ବାଟ ନ ଥିବ । ଏଥିରେ କେତେ ବା ଖରଚ ? ଖରଚଟା କ’ଣ ଆପଣ ଉଛୁଣିକା ଘରୁ ଆଣି ଦେଉଛନ୍ତି ?” ଟିପ ଲେଖାପଢ଼ା ରେଜଷ୍ଟରୀ ହୋଇଗଲା । ଯାହା ହେବାର ତ ହେଲା, ଟଙ୍କା ଦିଅ । ଟଙ୍କା ଗଣି ଦେବାକୁ କ’ଣ ନା ଟ୮୭ । “କି ହୋ ଟଙ୍କା ଉଣା କିଆଁ ?’ ଗୁମାସ୍ତା ବୁଝାଇ ଦେଲା, “ସିନ୍ଦୁକ ପୂଜା ଶତକରା ଯୋଡ଼ାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ ଦୁଇ ଟଙ୍କା, ଲକ୍ଷ୍ମୀନାରାୟଣ ବାଳଭୋଗ ଦୁଇ ଟଙ୍କା, ରେଜେଷ୍ଟରୀ ଖର୍ଚ୍ଚ, ଗୁମାସ୍ତା କଟକ ଖୋରାକି ସବୁ ସବୁ ରକମ ମିଶାଇ ସାଢ଼େ ଛ’ଟଙ୍କା । ଗାଏ ସବୁ ପଦକୁ ବାରଟଙ୍କା ଆଠଅଣା । ପୁରୋହିତେ, ଆପଣ ତ ଜଣେ ପଣ୍ଡିତ, ଏତିକି ବୁଝି ପାରୁ ନାହାନ୍ତି ? ଆପଣ ତ ରୋଜିନା କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କଣ ଟଙ୍କାଏ ମଷାଏ ହଉ ହୁଡ଼ିକରି ନେଲେ ସାନ୍ତଙ୍କ ଗନ୍ତାଘର ପୂରିଯିବ ?” ତମସୁକ ରେଜେଷ୍ଟରୀ ପାଖରୁ ଚାରିବର୍ଷ କାଳ ସେଥିର କିଛି ନାମ ଚର୍ଚ୍ଚା ନାହିଁ । ବାପା ତା’ ଦୁଆରକୁ ଗଲେ ଭକ୍ତି କ’ଣ ଦେଖିବ ! “କକେଇ ! ଆପଣ ଅଇଲେ, ଓଳଗି-ଓଳଗି, ଆରେ ପିଢ଼ାଟା ଦେ’ରେ, ଆରେ ପାଦଧୂଆ ଜଳ ଦେ’ରେ ଡାକ ପଡ଼ିଯିବ । ଗଲା ତେରସ୍ତା ବାପାଙ୍କର ଯେମିତି ବିଯୋଗ ହୋଇଯାଇଛି, ମହାଜନକୁ ତ ପଡ଼ିଗଲା ପୋ’ବାର । ମୂଳ କଳନ୍ତର ଭିଡ଼ି ଦେଇ ବାରଶ କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ୍ ଦାଏର କରିଦେଲା । ମୁଁ ଯାଇ ମହାଜନ ପାଖରେ ପଡ଼ିଲି । କହିଲା, “ଆରେ ଭାଇ ଦିବୁ ଗୁମାସ୍ତାମାନେ ମୋ ଅଜାଣନ୍ତରେ ନାଲିସ୍ କରି ଦେଇଛନ୍ତି । ଯା’ ଯା’, ତୁ ହାକିମ ପାଖରେ ଟଙ୍କାଟା ମାନିଆ, ପଛରେ ବୁଝାସୁଝା ହେବ ।” ମୋ ମନଟା ଛିଳଉଥାଏ । କଟକ ଯିବାକୁ ମନ ବଳୁ ନଥିଲା, ଡରରେ ଯାଇ ତା’ ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ୍ ଦେଇ ଆସିଲି । ଏହିଟା ହେଲା ଗଲା ବରଷ କଥା । ମୁଁ ଆଉ କିଛି ଜାଣେ ନାହିଁ । କେତେବେଳେ ଡିଗ୍ରୀ ହେଲା, କେତେ ଟଙ୍କା ଡିଗ୍ରୀ ହେଲା, ଆଉ କଣ ହେଲା ମୋତେ କିଛି ଜଣାନାହିଁ । ଶୁଣିଲି, ଗଲା ମକର ମାସ ସାତ ଗିନରେ ମୋର ଚାରି ପାଞ୍ଚ ହଜାର ଟଙ୍କାର ସମ୍ପତ୍ତି ସାତଶହ ଟଙ୍କାରେ ନିଲାମ ହୋଇଗଲା । ମହାଜନ ଆପେ ନିଲାମ ଧରିଛି । ତା’ ଗୁମାସ୍ତା କହେ, “ମୋ ଉପରେ ଆହୁରି ଛ’ଶହ ଟଙ୍କା ପାଉଣା ।” ଆମର ଶାସନ ପାଣିଗ୍ରାହୀ ଭାଗ ପଚାଶ ମାଣ, ତା’ ମଧ୍ୟରେ ଏହି ଯେ ଦକ୍ଷିଣ ଦିଗରେ କିଆ ବଣଟା ଦେଖୁଛ, ସେହିଟା ଏକଚକିଆ ପନ୍ଦରମାଣ ମାଳ ଜମି- ଭାରି କଳିନ୍ଦ । ମୁଁ ବୁଝୁଛି, ଏ ଜମିଟା ଉପରେ ତା’ର ଦଶ ପନ୍ଦର ବରଷ ହେଲା ନଜର ପଡ଼ିଲାଣି । ଯେବେ ଏ ଗାଁକୁ ଆସେ, ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲି ବୁଲି ଦେଖେ- କେତେ ଧାନ ଫଳେ, କି ଧାନ ଦିଅ, ଦଶ ଥର କରି ପଚାରିବ । ମୋ ମନ ହେଲେ ଛିକଉଥାଏ । ବିଚାର କରେ- କହ, ଭଲାରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛି କିଆଁ । ଆଉ ପାଞ୍ଚ ଜଣ ମହାଜନଙ୍କର ଠିକ୍ ଆମ ମାମଲା ପରି ଡିଗ୍ରୀ କରି ଜମିବାଡ଼ି ସବୁ ନିଲାମ କରି ନେଇଛି ।

ଲକ୍ଷ୍ମଣ ମିଶ୍ରେ କହିଲେ, “ମୁଁ ଦେଖୁଛି, ଏଇଟା ସାଇଲକ୍ ।” ଭାଗବତ ପତିଏ କହିଲେ, “ନା ନା, ସେଇଟା ଏ ସାଇ ଲୋକ ନୁହେଁ, ତା’ ଘର ମକ୍ରାମପୁର- ଏ ଗାଁକୁ ଦେଢ଼କୋଶ ଦୂର ନଈକୂଳରେ ।” ଲକ୍ଷ୍ମଣ ମିଶ୍ରେ କହିଲେ, “ନାହିଁ ନାହିଁ, ମୁଁ ସେ କଥା କହୁନାହିଁ, ବିଲାତରେ ଗୋଟାଏ ଏହି ରକମ କଳନ୍ତରଖିଆ ଲୋକ ଥିଲା, ନା ନାମ ସାଇଲକ୍ ।” ତିରେଇ ତିହାଡ଼ିଏ କହିଲେ, “ସେ ଯାହାହେଉ, ଏବେ ଉପାୟ କ’ଣ ?” ଲକ୍ଷ୍ମଣ ମିଶ୍ରେ ମହାଜନମାନଙ୍କୁ ଅନାଇ ହାତ ଯୋଡ଼ି ଭୂଇଁରେ ମୁଣ୍ଡ ଲଗାଇ କହିଲେ, “ଗୋସାଇଁ ମହାପ୍ରଭୁମାନେ ! ମୁଁ ପିଲାଟା, ମୋ ଅପରାଧ ଘେନିବେ ନାହିଁ, ଗୋଟାଏ କଥା କହିବି, ଏଥିରେ ସାହୁର କିଛି ଦୋଷ ନାହିଁ, ଆପଣମାନଙ୍କ ମୂର୍ଖପଣ ! ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି ।” ବୁଢ଼ା ଅନନ୍ତ ପାଢ଼ୀଏ ଟିକିଏ ଉଷ୍ଣ ଭାବରେ କହିଲେ, “ହୋଇ ହେ ଲକ୍ଷ୍ମଣ ! ଆମ୍ଭମାନଙ୍କର ପାପ କ’ଣ ? ମୂର୍ଖପଣ କ’ଣ ଦେଖିଲ ?”

ଲକ୍ଷ୍ମଣ ମିଶ୍ରେ ପୁଣି ଦଣ୍ଡବତଟାଏ କରି କହିଲେ, “ଅଜା ସାଆନ୍ତେ ! ମୋ ଉପରେ ଖପା ହେଲେ ପରା । ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି ଦେଇ କହିଥିଲେ, ଆପଣମାନେ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନା କରିବେ, ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରିବେ । ତାହା କରୁଛନ୍ତିଟି କି । ବୋଲନ୍ତୁଭଲା ଏଡ଼େ ବଡ଼ ଶାସନଟାରେ ଗୋଟାଏ ବୋଲି ଚୌପାଢ଼ୀ ନାହିଁ । ତୁଚ୍ଛା ନାସ ଶୁଙ୍ଗି ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟିବେ । ଦାତାଙ୍କୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ ଥାଉ, ପବିତ୍ର ବ୍ରାହ୍ମଣ କୁଳରେ ଜାତ ହୋଇ କେତେ ଜଣ ତ୍ରିକାଳ ସନ୍ଧ୍ୟାରେ ଗାୟତ୍ରୀ ଜପ ସନ୍ଧ୍ୟାବନ୍ଦନାଦି ନିତ୍ୟକର୍ମ କରନ୍ତି । ଏଇଟା କ’ଣ ପାପ ନୁହେଁ ? ଆଉ ଗୋଟାଏ କଥା, କୁଆଡୁ ଶୁଝିବେ ଭାବନା ନାହିଁ, ଧାଇଁ ଯାଇ ମହାଜନ ଦୁଆରେ ଗୁଜା ଲେଖି ବସିବେ, ପୁଅ ଝିଅ ବିଭାଘରକୁ ଆପଣା ବଡ଼ପଣ ଦେଖାଇବା ଲାଗି ଅକାରଣ ଟଙ୍କାଗୁଡ଼ାଏ ସାରିବେ । ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ, ସେ ମୂର୍ଖ ନୁହେଁ ତ ଆଉ କ’ଣ ? ଏହି ଦେଖନ୍ତୁ, ଅତି ପବିତ୍ର ଶାସନଭାଗ ଭୂମିରେ ବାର ଜାତି ତେର ଗୋଲା ଅଧିକାରୀ ହୋଇ ବସିଲେଣି । ଏହା ଆପଣମାନଙ୍କ ପାପ ଆଉ ମୂର୍ଖତାର ଫଳ ନୁହେଁ କି ? ଆପଣମାନେ ତ ଦୁଃଖ ଦୁର୍ଦ୍ଦଶାକୁ ଲୋଡ଼ି ଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ ?”

ମାଧ ପାଣିଏ କହିଲେ, “ଲକ୍ଷ୍ମଣ ଯାହା କହିଲେ ସତ, ଷୋଳପଣି ସତ । ହେଲେ ଏଣିକି ଯାହା ଗୋଟାଏ ବୁଝିସୁଝି କରାଯିବ, ବର୍ତ୍ତମାନ ଉଦ୍ଧାର ପାଇବାର ବାଟ କ’ଣ ?”

ଲକ୍ଷ୍ମଣ ମିଶ୍ରେ- “ଆପଣମାନେ କ’ଣ ଉପାୟ ସ୍ଥିର କରିଛନ୍ତି ?”

ଆନନ୍ଦ ମିଶ୍ରେ- “ଆମ୍ଭେମାନେ କିଏ, ମାଲି ମାମଲା କିଏ ? କର୍ମ କର୍ମାଣି କଥା ବୋଲ, ଦଶ ଜଣ ବାହାରି ପଡ଼ିବୁ ।”

ଲକ୍ଷ୍ମଣ ମିଶ୍ରେ- “ମାମୁଁ ! ଜମି ନିଲାମ ବାଦେ ସାହୁ ପାଖକୁ ଯାଇଥିଲେ, କ’ଣ କହିଲା ?”

ଦିବାକର ଦ୍ୱିବେଦୀ- “ଯାଇଥିଲି । ଦଶଥର ଗଲିଣି, ଭେଟ ମିଳେ ନାହିଁ । ବାଧିକା ପଡ଼ିଛି, କଥା ବୋଲି ପାରିବ ନାହିଁ, ବାହାନା କରି ଶୋଇ ପଡ଼େ- ନୋହିଲେ ବାଡ଼ପଛ ବାଟେ ଆଉ ଗାଁକୁ ବାହାରି ଯାଏ । ମୋ କନ୍ଦା କଟା ଦେଖି ସାହୁଆଣୀ କମଳା ଆଉ ତାଙ୍କ ପୁଅ ବିଦ୍ୟାଧର ଦୁହେଁଯାକ କାନ୍ଦି ପକାନ୍ତି । ମୋତେ ବହୁତ ବହୁତ ଆଶ୍ୱାସ ଦେଇ କହିଛନ୍ତି, ମୋ ଜମି ମୋତେ ଦିଆଇ ଦେବେ । କେଜାଣି କପାଳରେ କ’ଣ ଅଛି ? ମା’ ପୁଏ ଦୁହେଁଯାକ ଏକା ଯେପରି ଦୟାଳୁ ସେହିପରି ଧାର୍ମିକ, କାହାରୁ ଦୁଃଖ ଦେଖି ପାରନ୍ତି ନାହିଁ । କୁବେର ସାହୁଟା ଯେପରି ନିଷ୍ଠୁର ସେହିପରି କୃପଣ- ହାତରୁ ପାଣି ଗଳିବ ନାହିଁ । ହେଲେ ମା’ ପୁଅଙ୍କ ଆଗରେ କେହି ଓପାସ ରହିପାରେ ନାହିଁ । ସାହୁଟା କରଜା ଟଙ୍କା ଲାଗି କାହାରି ଘରଦ୍ୱାର ନିଲାମ କରିନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧାନ ଦେଇ ତା’ କୁଟୁମ୍ୱ ପୋଷନ୍ତି ।”

ଲକ୍ଷ୍ମଣ ମିଶ୍ରେ- “ଗୋଟାଏ ଆଶା ଅଛି ସତ, ହେଲେ ସେଥିକି ନିର୍ଭର କରି ରହିବାଟା ନିରାପଦ କଥା ନୁହେଁ । ଆପଣାର ବି ଗୋଟାଏ ବାଟ କାଟି ଚାଲିବା ଉଚିତ୍ । ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ । ମାମୁଁ ! ତୁମେ କହୁଛ, ପାଞ୍ଚହଜାର ଟଙ୍କାର ମାଲ ସାତଶ ଟଙ୍କାରେ ନିଲାମ କରି ନେଇଛି । ଏହି କଥା ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ଦରଖାସ୍ତ କର । କିଛି ଖରଚପତ୍ର କଲେ ତେର ଦିନଯାଏ ମାମଲା ତାରିଖ ଗଡ଼ଯିବ । ଏଣେ ତୁମେ ମା’ ପୁଅ ଦୁହିଁଙ୍କ ଧରି ପଡ଼ିଥାଅ । ଆଜିକା କଥା କାଲିକି ଅନ୍ତର, ଏଥିରେ ମଧ୍ୟରେ ଆଉ ଗୋଟାଏ କିଛି ବାଟ ଫିଟି ଯାଇପାରେ ।”

ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନ ଭାରି ଆନନ୍ଦରେ ଏକାବେଳକେ ପାଟି କରି କହିଲେ, “ଦୀର୍ଘଜୀବୀ ହୁଅ, ରାଜରାଜେଶ୍ୱରୋ ଭବ !” ନୋହିଲେ କ’ଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢ଼ିଛ । ଦେଖତ, ଆମେ ଏତେଗୁଡ଼ାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, କିଛି ବାଟ ଦିଶୁ ନଥିଲା, ପିଲାଟି କିମିତିକା ଗୋଟାଏ ବାଟ କାଢ଼ି ପକାଇଲା ।

ବୁଢ଼ା ଦନେଇ ମହାପାତ୍ର ଟାଣରେ ଦୁଇ ଟିପ ନାସ ଶୁଙ୍ଘି ଦେଇ ଖନେଇ ଖନେଇ କହିଲେ, “ବୁଝିବା ହେଲେ ମହାଜନ ଗୋସଇଁମାନେ,

ଅଧର୍ଧ ବିତ୍ତ ବଢ଼େ ବହୁତ ।

ଯିବାବେଳେ ଯାଏଁ ମୂଳ ସହିତ ।

ସମସ୍ତେ ତ ଜାଣୁଛ, ତାହାର ସବୁ ଧନଗୁଡ଼ାକ ତଣ୍ଟିଚିପା ମଣିଷରକ୍ତ । ମହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ବସିଲା । ଯିମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେହିଦିନୁ ତ ବଢ଼ିଯାଉଛି, ଆଉ କ’ଣ ? ଏହି ଯେ କୁବ୍ରାଘର ଦେଖୁଛ, ସେଇଟା ତା’ ନିଜ ଘର ନୁହେଁ । ଭୀମସାହୁ ବୋଲି ଜଣଙ୍କର ଘର । ଭୀମାଟା ବି ଥିଲା କୁବ୍ରାକୁ ବଳି ତଣ୍ଟିଚିପା ସାହୁକାର ବୋଲି ସରିଛି । ପୁଅ ଝିଅ ଘରେ କିଛି ନ ଥିଲା ଗୋଟାଏ ପୋଷା ପୁଅ କରିଥିଲା ଯେ, ସେଟା ମଦ ଖାଇ ଗେଞ୍ଜଇ ଖାଇ ମଲା । କୁବ୍ରା ତା’ ଜାତି ପୁଅ ଲଗ୍ନିକ କେହି ନୁହେଁ, ତା’ ଘରେ କାରବାରିଆ ଥିଲା । ଭୀମାକୁ ଯିମିତି ଆଖି ବୁଜିଛି, କୁବ୍ରା ଚାକର ବାକର ସମସ୍ତଙ୍କୁ ହାତ କରି ଓକିଲ ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା । ପାପୀଟାର ଧନ ପାଣି ପରି ବଢ଼ିଯାଉଛି, ଏବେ ଜାଣ ଠକ୍ କରି ଛିଡ଼ି ପଡ଼ିବ । ଦେଶଯାକ ସନ୍ତାଇ ମାରିଲାଣି, ହଜାର ହଜାର ଲୋକଙ୍କ ଆତ୍ମା କାନ୍ଦୁଛି, ଯାହାର ସେ କିଛି କରି ନାହିଁ, ସେ ବି ଗାଳି ଦେଉଛି । ଏହି ମୋ କଥା ବୁଝ ନା, ପୁଅ ବିଭାକୁ ପଚାଶ ଟଙ୍କା କରଜ ଆଣିଥିଲି, ପନ୍ଦର ବର୍ଷରେ ତୁଚ୍ଛା କଳନ୍ତର ଅଢ଼େଇଶ ଟଙ୍କା ଶୁଝିଛି, ପାଞ୍ଚ ଥର ଟିପ ବଦଳାବଦଳ କରି ଶେଷରେ ନାଲିଶରେ ପାଞ୍ଚଶ ଟଙ୍କା ଡିଗ୍ରୀ କରି ମୋର ତିରିଶ ତିରିଶ ମାଣ ଜମି ନିଲାମ କରିନେଲା । ତେତିକି ଥିଲା କୁଟୁମ୍ୱଙ୍କ ଭରସା । ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଭରସା ନାହିଁ ଦିନ ରାତି ଆତ୍ମାପୁରୁଷ କାଉଳି ହେଉଛ, ଆଖିରୁ ପାଣି ଶୁଖୁ ନାହିଁ । ଏହି ପଞ୍ଚ ପରମେଶ୍ୱର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି, “ଆଝୁଁ ତିନି ପକ୍ଷ, ତିନି ମାସ, ତିନି ବରଷ ମଧ୍ୟରେ ତାହାର ସର୍ବନାଶ ହେବ । ଏହା ଯଦି ନ ହୁଏ, ମୁଁ ଆବ୍ରାହ୍ମଣ, ଏ ବ୍ରହ୍ମଗଣ୍ଠି ଛିଡ଼ାଇ ପକାଇବି ।’ ସେ ତ ତେର ଦିନ ଆଗରୁ ଯାଇଥାନ୍ତା, କେବଳ ମା’ ପୁଅଙ୍କ ଧର୍ମରୁ ବର୍ତ୍ତି ରହିଛି ।”

ଲକ୍ଷ୍ମଣ ମିଶ୍ରେ- “ମାମୁଁ ! ସାହୁଆଣୀ ଆଉ ବିଦ୍ୟାଧର ପାଖୁ ଯିବା ଆସିବା କରୁଛନ୍ତି ତ ? ସେହିମାନଙ୍କୁ ଧରି ପଡ଼ିଥାନ୍ତୁ ।”

ମାମୁଁ- “ହଁ ବାପା ! ମୋର ଆଉ ଉପାୟ କ’ଣ ? ଦିନେ ଦି’ଦିନ ବାଦେ ସେମାନଙ୍କ ପାଖକୁ ଯାଏ । ମୋର ତ ଗୋରୁ ବାଛୁରୀ ଘରତଳ ଜମି ସୁଦ୍ଧା ନିଲାମ ହୋଇଯାଇଛି, ଆଉ ଉପାୟ କିଛି ନାହିଁ । ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ । ସେହି ତ କୋଡ଼ିଏ ନଉତି ଧଆନ ଆଉ ପାଞ୍ଚଟା ଟଙ୍କା ଦେବାରୁ ଆଜିଯାଏ ଚଳୁଛି । କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି । ସେ ତ ମୋତେ ଟାଣ ଜବାବ୍ ଦେଇ କହିଲା, “ନନା ! କାନ୍ଦ ନା, ଯେପରି ହେଉ ତୁମ ଜମି ତୁମକୁ ଦେବି । ମୁଁ ବାହାଘରରୁ ବାହୁଡ଼ି ଆସିବାଯାଏ ସତାର କର । ତୁମେ ତ ଆମ କୁଳ ପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ ।” ଶୁଣିଛି ମୋ ଶ୍ୱଶୁରର ଦଶ ଲକ୍ଷ ଟଙ୍କାର ବିଷୟ, ସେ ବି ତୁମକୁ ଅବଶ୍ୟ ଭଲ ରୂପେ ମେଲାଣି ଦେବେ ।”

କୁବେର ସାହୁ କହେ, “ମୋର କରଜା କଳନ୍ତରକୁ ଲୋଡ଼େ କିଏ ? ମୋର ଗଡ଼ଜାତ ଥାଉ । ଗଡ଼ଜାତ ସୋନପୁରଠାରୁ ଦଶପଲ୍ଲା ଯାଏ ତାହାର ଦଶ ପନ୍ଦରଟା ଗୋଦାମ । ଫି ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ, ତା’ର ନିଜର କୋଡ଼ିଏ ସରିକି ବାରଗୋଡ଼ିଆ, ପନ୍ଦର ଗୋଡ଼ିଆ କୁଶୁଳି, ଚକ୍ ଚକ୍ ନାଆ ଅଛି । ବର୍ଷାଦିନେ ସେଥିରେ ସରକ ନେ ଆଣ କରେ । ନା ଛାଡ଼ି ଖରାଦିନରେ ସରକ ନେ ଆଣ କରିବା ସକାଶେ ପାଞ୍ଚ ପାଞ୍ଚ ବୋଡ଼ିଆ ଯୋଡ଼ାଏ ଥୋରି ବଳଦ ଅଛି ।”

ବୌଦ ଏଲାକା ହରିହରପୁର ଗୋଟିଏ ବଡ଼ ମହାଜନୀ ଗାଁ- ଠିକ୍ ମହାନଦୀ କୂଳରେ । ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ । ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ । ନାମର ଉପଯୁକ୍ତ ମଧ୍ୟ ଗୁଣ । ଲୋକଟି ବଡ଼ ଧାର୍ମିକ, ସତ୍ୟବନ୍ତ । ପାଞ୍ଚ ସାତ ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁର ବାଡ଼ି, ସଦାବର୍ତ୍ତ । ସାହୁ ବୁଢ଼ା ହୋଇ ପଡ଼ିଲାଣି, ଆଉ ଏବେ ବେପାର ବଣିଜରେ ମନ ନାହିଁ । ସବୁବେଳେ ପୂଜା ପାଠ ହରିନାମ ଭଜନରେ ଲାଗିଥାଏ । ସାହୁ ଅପୁତ୍ରିକ, ଗୋଟିଏ ବୋଲି ଝିଅ, ନାମ ପଦ୍ମାବତୀ- ବୟସ ପନ୍ଦର ଯାଇ ଷୋଳ ପଶିଛି । ପାଟକ ଜାତିରେ ଏତେ ବଡ଼ ଅଭିଆଡ଼ୀ କନ୍ୟା ଘରେ ରଖିବାକୁ ମନା । ସାହୁର ଇଚ୍ଛା ଗୋଟିଏ ଘର ଜୁଆଁଇ ରଖିବ । ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, କନ୍ୟା ଘରେ ରହିଛି । କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ । କୁବେରର ନଜର ପଡ଼ିଲା, ଯୁଧିଷ୍ଠିର ଧନଟା କିମିତି ଘରେ ପଶେ । ସେ ଭଲ କରି ଜାଣେ ଯୁଧିଷ୍ଠିର ଘର ଜୁଆଁଇ ରଖିବ, ଅନ୍ୟଆଡ଼େ କନ୍ୟାକୁ ବିଭା ଦେବ ନାହିଁ । ତା’ ମନକଥା ମନରେ ଥାଏ ।

କୁବେର ବର୍ଷକୁ ଥରେ ସୋନପୁରଆଡ଼କୁ କୋଠି ତନଖି କରିବାକୁ ଯାଏ । ଦୁଇବର୍ଷ ଭିତରେ ଦୁଇ ତିନିଥର କରି ଯା’ ଆସ କରୁଛି । ସୋନପୁର ଯିବାବେଳେ ନାଆ ହରିହରପୁର ଗାଁ ଚଳବାଟରେ ଯାଏ । ଦୈବାତ୍ ସେହି ଗାଁ ପାଖରେ ସଞ୍ଜ ହୋଇ ପଡ଼େ । କୁବେର ଗାଁ ପାଖ ନଦୀର ଆର କୂଳରେ ନାଆ ଖଟାଇ ରୋଷେଇ ବାସ କରେ । କୁବେର ଘରେ କେବେ ସନ୍ଧ୍ୟା କ ହରିନାମ କରିବାର କେହି ଦେଖି ନାହିଁ । ଗୋଟାଏ ବଡ଼ କୋଥଳି ସଙ୍ଗରେ ଘେନି ଯାଇଥାଏ, ନଦୀକୂଳରେ ମେଲାଇ ଦେଇ ରାତି ଛ’ ଘଡ଼ିଯାଏ ଆଖି ବୁଜି ବସି ଜପ କରେ । ତେତିକିବେଳେ ଚାରିଆଡ଼କୁ ଅନାଇ ତୁନି ତୁନି କାରବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚଳେ । ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେ ବେଳେ ଘଣ୍ଟା ବଜାଉ ଥାଏ ।

ନରହରିପୁର ଗୁମାସ୍ତା ରାଜରାଜେଶ୍ୱରୋ

Rate the content


Originality
Flow
Language
Cover design

Comments

Post

Some text some message..