Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିନ୍ନ ଏକ ବହୁରୂପି
ଭିନ୍ନ ଏକ ବହୁରୂପି
★★★★★

© Jyotiranjan Sahu

Others

5 Minutes   337    5


Content Ranking

॥ ଭିନ୍ନ ଏକ ବହୁରୂପି ॥

ଏ କଥାଟି ଲେଖିବା ଆଗରୁ ମୋ ମନରେ ନାଚିଯାଉଛି ମୋ ପିଲାଦିନର ସେହି ସ୍ମୃତିସବୁ ଯାହା ଆଉ କେବେ ମୋ ଜୀବନରେ ଫେରିବ ନାହିଁ । ମୁଁ ଟିକିଏ ଏମିତି ହିଁ ଆଜ୍ଞା ; ମାନେ ଟିକିଏ ଫ୍ଲାସବେକ୍ କୁ ଚାଲିଗଲେ ଆଉ ସେଠାରୁ କିଛି ସମୟ ପାଇଁ ଫେରିପାରେନାହିଁ । କେମିତି ଫେରିବି କହିଲେ ! ସେହିଠାରେ ହିଁତ ମୁଁ ଖୋଜିପାଏ ମୋ ପିଲା ଦିନର ସାଙ୍ଗ ସାଥୀ ମାନଙ୍କୁ ; ଭେଟହୁଏ ମୋ ପିଲାଦିନ ସହ । କେବେ ଖାଲି ପାଦରେ ଏ ବିଲରୁ ସେ ବିଲ , ଏ ଆଡି ରୁ ସେ ଆଡି ଦେଇ ଦୌଡି ଦୌଡି ଗୁଡିଉଡା ତ କେବେ ଫଟା ସାଇକେଲ ଟାୟାର ସହ ନିଜେ ଟାୟାର ହୋଇ ଗଡୁଥାଏ ଗାଁର ମୋରମ ସଡକଟା ଉପରେ । ମୋତେ ଅନେକ ପ୍ରଶ୍ନ କରନ୍ତି ' ହୋଇରେ ! ତୁ ଖାଲି ଫ୍ଲାସବେକ୍ ରେ ସାଙ୍ଗ ସହ ମିଶୁଛୁ , କେବେ ପ୍ରେଜେଣ୍ଟ ଷ୍ଟାଟସ୍ ଟା ଅପଡେଟ୍ କର ' ! ମୁଁ ଏହାର କୌଣସି ପ୍ରତ୍ୟୁତ୍ତୋର ନଦେଇ ଖାଲି ଛୋଟିଆ ହସଟିଏ ହସିଦିଏ । କଣ ଆଉ ଉତ୍ତର ଦେବି ! କେମିତି କହିବି ଯେ ଏହା ଭିତରେ ଆମ ମୁହଁଟା ଲୁଚିସାରିଲାଣି ଗୋଟିଏ ମୁଖା ପଛରେ । ଯେଉଁ ମୁଖାଟା ପଛରେ ଏ ଚେହେରାଗୁଡା ସବୁ ଧୀରେ ଧୀରେ କେମିତି ଭୟଙ୍କର ହୋଇଉଠୁଛି । ସେଇଥିପାଇଁ ମୁଁ ଫେରିଯାଏ ମୋ ପିଲାଦିନକୁ । ପୁଣିଥରେ ଚିହ୍ନିବାକୁ ଚେଷ୍ଟାକରେ ନିଜକୁ ଆଉ ମୋ ସାଙ୍ଗ ମାନଙ୍କୁ । ଖୋଜିବୁଲେ ସେହି ସରଳ ମନ ଭିତରେ ଲୁଚିଥିବା ଆତ୍ମିୟତାକୁ । ଆଜି ସମୟ ଯେ ଖାଲି ବଦଳି ଯାଇଛି ତା ନୁହେଁ ବରଂ ସମୟ ସହ ତାଳଦେଇ ବଦଳିଯାଇଛି ଆମ ମାନସିକତା । ସମୟର ଜଟିଳ ପ୍ରବାହଟା ପରସ୍ତ ପରସ୍ତ କରି ଭିନ୍ନ ଏକ ମୁଖାରେ ଆଚ୍ଛାଦିତ କରିସାରିଲାଣି ଆମ ପରିଚୟ ଆଉ ବ୍ୟକ୍ତିତ୍ବକୁ । ଆଜି ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଖୋଲିପାରୁନାହୁଁ ସେ ମୁଖାଟିକୁ । ସେ ମୁଖା ପଛରେ ରହିରହି ଆମେ ଜଣେଜଣେ ବହୁରୂପି ପାଲଟିଗଲେଣି । ଆମେ ପିଲାବେଳେ ଦେଖିଥିବା ରଙ୍ଗବୋଳା ବହୁରୂପିର ମୁଖାଟା ସିନା ସହଜରେ ଖୋଲିଯିବ କିନ୍ତୁ ସମୟ ସଜାଇ ଦେଇଥିବା ବହୁରୂପିର ମୁଖାଟା ଏତେ ସହଜରେ ଖୋଲିନଥାଏ । ହେଲେ ମୋ କାହାଣୀର ବହୁରୂପିଟା ଟିକିଏ ଭିନ୍ନ । କାହିଁକିନା ଏ ବହୁରୂପିର କାହାଣୀଟା ଆରମ୍ଭ ହୁଏ ଆଜିକୁ ଷାଠିଏ ବର୍ଷ ପୂର୍ବରୁ । ଡଷ୍ଟରରୁ ଝଡିପଡିଥିବା ଚକ୍ ଗୁଣ୍ଡରେ ମୁହଁକୁ ରଙ୍ଗେଇ ଦେଇ ସାଙ୍ଗମାନଙ୍କୁ ଭୟଭୀତ କରାଇବାର ବୃଥା ପ୍ରୟାସ ପାଇଁ ଗୋଟିଏ ଦୁଇଟା ବେଗୁନିଆ ବାଡି ଭାଙ୍ଗିଦେଉଥିଲେ ସାର୍ ତା ପିଠିରେ । ହେଲେ ମାଡକୁ ଖାତିର୍ ନକରି ସେ ପ୍ରତିଦିନ ସଜାଇହେଉଥାଏ ଭିନ୍ନ ଭିନ୍ନ ଚରିତ୍ରରେ । ତାର ଏହି ଅଭ୍ୟାସଟା ହିଁ ତାକୁ ବହୁରୂପିର ପରିଚୟ ଦେଇଥିଲା ସାଙ୍ଗମାନଙ୍କ ଗହଣରେ । ସେବେଠାରୁ ବାପ ଛେଉଣ୍ଡ ରାମୁର ନାଁଟା ଲୁଚିଗଲା ବହୁରୂପିର ନାଁଟା ତଳେ ।

ସେହି ସମୟରେ ଯେତେବେଳେ ବହୁରୂପିଟିଏ ଗାଁ ଗାଁ ବୁଲି ନିଜ ଭିନ୍ନ ଭିନ୍ନ ଚରିତ୍ରକୁ ନ୍ୟାୟ ଦେବାକୁ ଚେଷ୍ଟା କରୁଥିଲା , ସେତେବେଳେ ରାମୁ ସହ ଗାଁର ଅନେକ ପିଲା ସେ ବହୁରୂପି ପଛେପଛେ ତାକୁ ଅନୁସରଣ କରୁଥିଲେ । ହେଲେ ଅନୁସରଣ କରୁକରୁ ରାମୁ କେତେବେଳେ ବହୁରୂପିକୁ ଅନୁକରଣ କରିବସିଲା ସେଇଟା କାହାରି ମନେନାହିଁ । ତେବେ ତାର ବହୁରୂପି ଅଭିନୟଟା ଥିଲା ଖୁବ୍ ଜୀବନ୍ତ । ସେ ଯେତେବେଳେ ସାଙ୍ଗ ମାନଙ୍କର ମେଳିରେ ପହଞ୍ଚିଯାଉଥିଲା ସେତେବେଳେ ସଭିଁକଂ ମୁହଁରେ ଖେଳିଯାଉଥିଲା ଚେନାଏ ହସ ଆଉ ସେହି ଗୋଟିଏ ବାକ୍ୟ " ହେଇରେ ବହୁରୂପି ଆସିଗଲା ! ବହୁରୂପି " । ଆଉ ଏହି କଥା ଶୁଣି ସିଏ କେବେ ରାଗିଥିବାର କାହାରି କାହିଁ ମନେନାହିଁ । ରାମୁର ସବୁ ସାଙ୍ଗ ତାକୁ ବହୁରୂପି ବୋଲି ଡାକୁଥିଲାବେଳେ ସେମାନଙ୍କ ଭିତରୁ ଜଣେ ଥିଲା ଯିଏ ତାକୁ କେବେ ବହୁରୂପି ଡାକିବାର କେହି ଶୁଣିନାହାନ୍ତି । ସେ ହେଉଛି ରାଜୁ । ରାଜୁ ହେଉଛି ରାମୁର ଜଣେ ଭଲ ସାଙ୍ଗ । ଦୁହେଁ ଗାଁର ପାଣି ପବନ ଧୂଳି ମାଟିରେ ସାଙ୍ଗ ହୋଇ ବଢିଛନ୍ତି । ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ସବୁବେଳେ ସାଥୀ ହୋଇ ଛିଡା ହୋଇଛନ୍ତି । କେବେ ନଈରୁ ମାଛ ଧରୁଧରୁ ପେଟେ ପାଣି ପିଇ ପକାଇଛନ୍ତି ତ କେବେ କାହା ବାଡିରୁ ଆମ୍ବ, ପିଜୁଳି ଚୋରିକରୁକରୁ ଗଛରୁ ପଡି ଗୋଡ ହାତ ଭାଙ୍ଗିଛନ୍ତି । ଏହିଭଳି ଜୀବନର ଚଲାବାଟେ ଦୁହେଁ ସାଥୀ ହୋଇ ବିତାଇ ସାରିଲେଣି ଷାଠିଏଟି ବସନ୍ତ । ଧୀରେଧୀରେ ପଡିସାରିଲାଣି ସମ୍ପୂର୍ଣ୍ଣ ଶରୀରରେ ବର୍ଦ୍ଧକ୍ୟର ଛାପ । ଧୀରେ ଧୀରେ କଣ୍ଟକିତ ହୋଇଆସୁଥିବା ବାର୍ଦ୍ଧକ୍ୟର ଜୀବନ ପଥରେ ଚାଲିବା ପାଇଁ ଦୁହେଁ ଦୁହିଁଙ୍କର ପ୍ରେରଣାର ଉତ୍ସ । ଜଣେ ଆଉ ଜଣକୁ ଦେଖିଦେଲେ ଆତ୍ମବିଶ୍ବାସରେ ଚାଲିଯାଏ ଥକା ପାଦରେ ଆଉ ଦୁଇ ପାହୁଣ୍ଡ ଆଗକୁ । ଏହା ଭିତରେ ସମୟର ସୁଅଟା ଭସାଇ ନେଇଛି ରାମୁ ଓ ରାଜୁର କିଛି ସାଙ୍ଗମାନଙ୍କୁ । ଆଉ ଏହି କିଛିଦିନ ହେବ ରାମୁର ଦେହଟା ବି ଭଲ ନାହିଁ । ରାଜୁ ମଝିରେ ମଝିରେ ଭଲ ମନ୍ଦ ବୁଝିଦେଇଯାଏ । ପିଲା ଦିନୁ ବାପ ଛେଉଣ୍ଡ ପୁଣି ଅବିବାହିତ ରାମୁ , ମା' କୁ ମଧ୍ୟ ହରାଇବା ପରଠାରୁ ତାର ଭଲ ମନ୍ଦ ବୁଝିବାକୁ ତାପାଖରେ ରାଜୁ ଅଛି । ଗାଁ ରେ କେହି ଯଦି ତାର ହାଲଚାଲ୍ ପଚାରେ , ସେ ତୁରନ୍ତ କହିଦିଏ " ଆରେ ମୋର କଣ ହେବ ! ରାଜୁ ଅଛି ପରା । ସିଏ ଥାଉ ଥାଉ ମୋର କି ଚିନ୍ତା " ! ହେଲେ ଆଜି ସକାଳୁ ସକାଳୁ ରାଜୁର ମନଟା କାହିଁକି କେଜାଣି ଜମାରୁ ଭଲ ଲାଗିଲାନି । ସେଇଥିପାଇଁ ସକାଳୁ ଉଠି ରାଜୁ ଧୀରେ ଧୀରେ ପାଦ ବଢାଇଲା ରାମୁ ଘରକୁ । କିଛି ଦୂର ଗଲା ପରେ ରାଜୁର ନଜର ପଡିଲା ରାମୁ ଘର ସାମନାଟା ଖୁବ୍ ଜନଗହଳି । ଭୟ ଆଉ ଆଶଙ୍କା ଭିତରେ ରାଜୁ ଯାଇ ପହଞ୍ଚିଲା ରାମୁ ଘରେ । ଦେଖିଲା ସାଙ୍ଗ ତାର ଚିର ନିଦ୍ରାରେ । ବାକ୍ ଶୂନ୍ୟ ରାଜୁର ଚାରିପଟେ ଅନ୍ଧକାର ଖେଳିଗଲା । ଆଖି ବନ୍ଦକରି କାନ୍ଥକୁ ଆଉଜି ହୋଇ ତଳେ ବସିଗଲା ରାଜୁ । ଏତିକିବେଳେ ତଳ ସାହି ବଣିଆ ଘର ପୁଅ ଆସି କହିଲା" ବାପା ସମୁଦି ଘରୁ ଫେରୁଛନ୍ତି । ସିଏ ନଆସିବା ପର୍ଯ୍ୟନ୍ତ ଦାଦାଙ୍କୁ ନେବେନି " । ଏତିକି ବେଳେ ଭିଡ ଭିତରୁ ହରି ସାହୁ କହିଲା " ହଁ ହଁ ! ଭାଈକୁ ଏବେ କେହି ନେବନାହିଁ । ମୋ ପୁଅ କଟକରୁ ଆସୁଛି । ଆରେ ଏହାରି ପାଇଁତ ସିଏ ଡାକ୍ତର ହେଲା । ମୋ ପୁଅ ପଢିବ ବୋଲି ପରା ଜମି ଦୁଇ ମାଣ ବିକିଦେଇଥିଲା । ସିଏ କହିଛି ଦାଦାକୁ ଶେଷ ଥର ନିଶ୍ଚୟ ଦେଖିବ " । ପୁଣି କିଏ ଜଣେ କହିଲା " ଆରେ ସିଏ ତ ମୋର ଭଗବାନ ରେ ! ମୋତେ ରକ୍ତ ଦେଇ ମୋ ଜୀବନ ବଞ୍ଚେଇ ଥିଲା ସିଏ । ମୋର ଏ ଜୀବନଟା ତାହାରି ଦାନ " । ଏହିଭଳି କିଏ କହୁଥାଏ ' ଇଏ ମୋ ପୁଅ ଠୁ ବଳି' ; କିଏ କହୁଥାଏ 'ମୋ ବାପା ମୋ ପାଇଁ ଯାହା କରି ନାହାନ୍ତି ମୋ ରାମୁ ଦାଦା ମୋ ପାଇଁ କରିଛନ୍ତି ' ; ପୁଣି କେହି ସାଙ୍ଗ କହୁଥାଏ 'ଆରେ ଏ ବହୁରୂପିଟା ପାଇଁ ମୁଁ ନିଜ ଗୋଡରେ ଛିଡା ହେଲି । ବାହା ସାହା ହୋଇ ପିଲାକୁଂ ମଣିଷ କଲି । ମୋତେ ଟିକିଏ କାନ୍ଧେଇବାକୁ ଦେବରେ । ନହେଲେ ଏ ବହୁରୂପିଟା ପାଖରେ ମୁଁ ଋଣି ହୋଇରହିଯିବି ' । ଚୁପଚାପ୍ ଏହି କଥାସବୁ ଶୁଣୁଶୁଣୁ ଥରଥର ଗଳାରେ ଚିତ୍କାର କରି ରାଜୁ କହିଲା " ଆରେ ଏ ରାମୁ ! ତୋର କେତେ ରୂପ ରେ ! କେତେବେଳେ କାହାପାଇଁ ବାପ ହୋଇଯାଇଛୁ ତ କେତେବେଳେ ଦାଦା ! କାହାପାଇଁ ଦାତା ହୋଇଗଲୁ ତ ମୋ ପାଇଁ ମୋ ସାଙ୍ଗ ରାମୁ ହୋଇଗଲୁ ଆଉ ଏ ହରିଆ ! ଏ ହରିଆଟା ପାଇଁ ତ ତୁ ଭଗବାନ ହୋଇଗଲୁ ରେ ! କାହିଁ ମୁଁତ ତୋର ଏ ରୂପଗୁଡା ଆଗରୁ କେବେ ଦେଖିନାହିଁ । ତାମାନେ , ତୁ ଯାଉ ଯାଉ ମୋ ସାଙ୍ଗରେ ବି ଛଳନା କରିଦେଇଗଲୁ ! ଠିକ୍ କହୁଥିଲେ ସାଙ୍ଗମାନେ ଯେ ତୁ ଗୋଟିଏ ବହୁରୂପିଟା । ହେଲେ ମୁଁ ମାନୁନଥିଲି । କିନ୍ତୁ ଆଜି ମୁଁ ମାନିଯାଉଛି ତୁ ସତରେ ଗୋଟିଏ ବହୁରୂପିଟାରେ ! ଆଜି ତୁ ତୋର ବହୁରୂପି ନାଁଟାକୁ ସାର୍ଥକ କରିଦେଲୁ । ଏ ବହୁରୂପି ! ତୋର ଏଇଟା କେଉଁ ରୂପ ! ସତରେ ତୋର ଏ ରୂପଟା ଦେଖି ମୋତେ ଭାରି ଭୟ ଲାଗୁଛିରେ । ଏ ସାଙ୍ଗ! ଏଏଏ ... ଏତେ ଜୀବନ୍ତ ଅଭିନୟ କରନାରେ । ଏଥର ତ ଉଠିପଡ । ମୁଁ ମାନିଗଲି ତୁ ଗୋଟେ ବହୁରୂପି ବୋଲି । ମାନିଗଲି ସେଦିନର ସେ ଚକ୍ ଗୁଣ୍ଡରେ ନିଜକୁନିଜେ ସଜାଇ ହେଉଥିବା ବହୁରୂପିଟା ବାସ୍ତବ ଜୀବନରେ ବି ଗୋଟେ ବହୁରୂପି ବୋଲି । ଏ ବହୁରୂପି ଉଠୁ ; ଉଠୁ " । କିନ୍ତୁ ବହୁରୂପି ଆଜି ଶୋଇଥିଲା ନିଶ୍ଚଳ ହୋଇ । ସତେଯେପରି ଜୀବନ ସାରା ନାନାଦି ଚରିତ୍ରରେ ନିଜକୁ ଚିତ୍ରିତ କରି ଥକିପଡିଥିବା ବହୁରୂପିଟା ଆଜି ଯାଇଛି ତୃପ୍ତିର ନିଦ୍ରାରେ । କିଛି ସମୟ ପରେ ଶୁଭିଲା ରାମ ନାମ । ଚଳଚଞ୍ଚଳ ହୋଇଉଠିଲା ରାଜୁ । ଚିତାର ନିଆଁଟା ଆକାଶ ମୁହାଁ ହେଲା ଆଉ ତା ସହ ଦୀର୍ଘ ଶ୍ବାସଟେ ଶବ୍ଦର ରୂପନେଇ ରାଜୁ ମୁହଁରୁ ବାହାରି ଆସିଲା " ହେଇରେ ସଭିଁଏ ଦେଖ ! ଆମ ବହୁରୂପିଟା ଆମକୁ ଛାଡି ଚାଲିଗଲା..." ! ॥

॥ ଜ୍ୟୋତିରଞନ ସାହୁ ॥

jrs.2013rediffmail@gmail.com

ବହୁରୂପି ବ୍ୟକ୍ତିତ୍ବ ପବନ

Rate the content


Originality
Flow
Language
Cover design

Comments

Post

Some text some message..