ଫାଲତୁ ଖର୍ଚ୍ଚ
ଫାଲତୁ ଖର୍ଚ୍ଚ
“ଭାବୁଥିଲି ବାପାଙ୍କୁ ନେଇ ଟିକିଏ ବିଶାଖାପାଟନମ୍ ଯିବି। ତାଙ୍କର ଚଷମା ପାୱାର୍ ବଢ଼ିଛି କି କଣ, ସବୁବେଳେ କମ୍ପ୍ଳେନ୍ କରୁଛନ୍ତି ଆଖିକି ଦିଶୁନାହିଁ ବୋଲି। ସକାଳ ବେଳା ଖବର କାଗଜ ଖଣ୍ଡକ ପଢ଼ିବା ବି ମୁସ୍କିଲ୍ ହେଉଛି।” ମୋଠାରୁ ଏତକ ଶୁଣିଦେଇ ପତ୍ନି କହିଲେ “ହଁ, ବା ଏ ବୁଢ଼ା ବୟସରେ ଖବର କାଗଜ ପଢ଼ିଲେ କେତେ ନ ପଢ଼ିଲେ କେତେ? ଯୋଉ ତ ଖବର! ଅଧାରୁ ଅଧିକ ବିଜ୍ଞାପନ ଆର ଅଧେକ ସୁଦୁ ଡାହା ମିଛ। ଫାଲତୁଟାରେ ଏବେ ଏତେ ଖର୍ଚ୍ଚ କରିବ କିଆଁ?” ପତ୍ନିଙ୍କ ଠାରୁ ନୀତି ଉପଦେଶ ଦୁଇପଦ ଶୁଣିଲା ପରେ ଚୁପ୍ ଚାପ୍ ଜଳଖିଆ ସାରି ଅଫିସ୍ ଚାଲିଗଲି। ଅଫିସରେ ପହଞ୍ଚିଛି କି ନାହିଁ ପତ୍ନି ଫୋନ୍ କଲେ “ହଇହୋ ଶୁଣୁଛ, କୁନା ଆଉ ତା ସ୍ତ୍ରୀ ଆସିଛନ୍ତି (କୁନା ମୋର ଶ୍ୟାଳକ)। ତମେ କାଲି ପାଇଁ ଛୁଟି ନେଇ କାର୍.ଟିଏ ବୁକ୍ କର। କାଲିକି ସେମାନେ ଭଦ୍ରାଚଳମ୍ ବୁଲି ବାହାରିବେ।” ବ୍ୟବସ୍ଥା ନ କରି ମୋର ଆଉ କିଛି ଉପାୟ ଅଛି? କଣ କରିବି, ବୁଲିବା କଥା କହିଲେ ତ ଅଫିସର୍ ଛୁଟି ଦେବେ ନାହିଁ। ଅଗତ୍ୟା ଛୁଟି ଦରଖାସ୍ତରେ ଲେଖିଲି ବାପାଙ୍କର ଚକ୍ଷୁଚିକିତ୍ସା ପାଇଁ ବିଶାଖାପାଟନମ୍ ଯିବା କଥା। ବିନା ବାକ୍ୟବ୍ୟୟରେ ଛୁଟି ମଞ୍ଜୁର କରିଦେଲେ ଅଫିସର୍। ବାପାଙ୍କ ଆଖି ଦେଖେଇବା ବାବଦରେ ଯାହା ରଖିଥିଲି ବାଏଁ ବାଏଁ ଖର୍ଚ୍ଚ ହେଇଗଲା।
ଟି. ଦୁର୍ଗା ପ୍ରସାଦ ରାଓ