Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sagarika Mohanty

Others

3  

Sagarika Mohanty

Others

ଅନ୍ତର୍ଯ୍ୟାମୀ

ଅନ୍ତର୍ଯ୍ୟାମୀ

6 mins
7.7K


ଦୁଇ ଦିନ ହେଲାଣି ଭାବୁଛି , କଣ ଲେଖିବି ? କଳା ଠାକୁର ବିଷୟରେ ସଠିକ କୋଉ କଥାଟା ଲେଖିବି । ଏମିତି କୋଉ କଥା ଅଛି ମୋ ଜୀବନରେ , ଯୋଉଠି ତାର କରାମତି ସେ ଦେଖେଇ ନାହିଁ । ଭକ୍ତର ଭଗବାନ ସେ । ସମସ୍ତଙ୍କ ଅନ୍ତର କଥା ଜାଣି ପାରନ୍ତି । ସେଥିପାଇଁ ତାଙ୍କ ନାମ ଅନ୍ତର୍ଯ୍ୟାମୀ । ପ୍ରତିକ୍ଷଣରେ ଅନେକ ଘଟଣା ସେ ଘଟେଇ ଚାଲିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେସବୁକୁ ଅନୁଭବ କରିବାକୁ ଆମେ ଅକ୍ଷମ । ଫଳ ସ୍ୱରୂପ ଆମେ ଅଯଥା ଗୁଡାଏ କଷ୍ଟ ପାଉ । ମୋ ଜୀବନରେ ମଧ୍ୟ ଏମିତି କିଛି ମହତ୍ୱପୂର୍ଣ୍ଣ ଘଟଣା ଘଟିଥିଲା , ଯାହା ମୁଁ ଏଠି ଉଲ୍ଲେଖ କରିବାକୁ ଚାହେଁ ।

ତିରିଶ ବର୍ଷ ତଳର ଘଟଣା । ମୋ ବାପାଙ୍କୁ କ୍ୟାନ୍ସର ହେଇଥାଏ । ଆମ ଘରେ ସବୁବେଳେ ବିଷାଦପୂର୍ଣ ପରିବେଶ । ଘରକୁ ଯିଏ ଆସୁଥାନ୍ତି ସ୍ୱାନ୍ତନାମୂଳକ କଥାବାର୍ତ୍ତା କରୁଥାନ୍ତି । ବିଭିନ୍ନ ପରାମର୍ଶ ଦେଉଥାନ୍ତି ।

ବାପା ଜଣେ ଭଲ ବ୍ୟବସାୟୀ ଥିଲେ । ତେଣୁ ସବୁବେଳେ ତାଙ୍କ ସଙ୍ଗସାଥୀ ମାନଙ୍କର ଭିଡ ଲାଗି ରହିଥାଏ । ଯିଏ ଯାହା ବ୍ରତ ଓପାସ କହୁଥାଏ , ମୋ ମାଆ ସେସବୁକୁ ଖୁବ ନିଷ୍ଠାର ସହକାରେ ପାଳନ କରୁଥାଏ । ଭଲ ଭଲ ଡାକ୍ତର ମାନଙ୍କ ପାଖରେ ଚିକିତ୍ସା ଚାଲିଥାଏ । ବାପାଙ୍କ ସ୍ୱାସ୍ଥ କେତେବେଳେ ଭଲ ହେଉଥାଏ , ପୁଣି କେତେବେଳେ ବହୁତ ଖରାପ ହେଇ ପଡୁଥାଏ । ଚିକିତ୍ସା ବହୁତ ଦିନ ଧରି ଚାଲି ଥିବାରୁ ସବୁ ଜମା ପୁଞ୍ଜି ସରିବା ଉପରେ ଥାଏ । କିନ୍ତୁ ମାଆର ମନୋବଳ ଜମାରୁ ଭାଙ୍ଗୁନଥାଏ ।

ସେ ଭାବୁଥାଏ , କାଳିଆକୁ ଜୀବନ ସାରା ଏତେ ଡାକିଛି , ଏତେ ପୂଜା କରିଛି , ସେ ନିଶ୍ଚୟ ତା ଶଙ୍ଖା ସିନ୍ଦୁରକୁ ରକ୍ଷା କରିବେ । ସବୁଦିନେ ରାତି ଚାରିଟାରୁ ଉଠି , ଗାଧୁଆ ପାଧୁଆ ସାରି ଫୁଲ ତୋଳେ । ଘରେ ପୂଜା କରି ସାରି ଖାଲି ପାଦରେ ଚାଲି ଚାଲି ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ତୁଳସୀ ଚଢେଇ ଆସେ । ତା ପରେ ଯାଇ ଖିଆପିଆ । ଏସବୁ ବାପାଙ୍କ ଦେହ ଖରାପ ପରେ ସେ ଆରମ୍ଭ କରିନଥିଲା । ମୂଳରୁ ତାର ଏଇ ପ୍ରକ୍ରିୟାଟା ଅଭ୍ୟାସଗତ ଥିଲା ।

ଆମ କଲୋନୀକୁ ଲାଗି ଗୋଟେ ଖାଲି ପଡିଆ ଥିଲା । ବାପା ଯେତେବେଳେ ଭଲ ଥିଲେ , ସେ କଲୋନୀର କିଛି ମୁରବି ଲୋକଙ୍କୁ ନେଇ ଗୋଟେ ଛୋଟିଆ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାର ଯୋଜନା କରିଥିଲେ । ମାଟି ଖୋଳାଖୋଳି କାମ ଆରମ୍ଭ ମଧ୍ୟ ହେଇଯାଇଥିଲା । ବାପା ଏବଂ ଅନ୍ୟମାନେ ମିଶି ଭୂମିପୂଜା ଏବଂ ଖଣ୍ଡେ ଖଣ୍ଡେ ଇଟା ବୋହି ସ୍ଥାପନା କାର୍ଯ୍ୟ ଆରମ୍ଭ ମଧ୍ୟ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ , ଅର୍ଥାଭାବରୁ ମନ୍ଦିର କାମ ଅଳ୍ପକିଛି ହେଇ ଅଟକି ଗଲା ।

ବାପା ମଧ୍ୟ ଅସୁସ୍ଥ ହେଇଗଲେ । ଆଉ ମନ୍ଦିର କଥା ବୁଝିବା ସମ୍ଭବ ହେଲା ନାହିଁ । ଅନ୍ୟମାନେ ମଧ୍ୟ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହି କିଛି ବୁଝିଲେ ନାହିଁ । ବାପା କିନ୍ତୁ ଦିନରାତି ଆଖିରୁ ଲୁହ ଝରାଇ ଚାଲିଥିଲେ । କହୁଥିଲେ , କାଳିଆ ପାଇଁ ଛାତଟିଏର ବନ୍ଦୋବସ୍ତ କରିପାରିଲି ନାହିଁ ।

ବାପାଙ୍କ ମନ କଥା ଜାଣିପାରି ମାଆ ସବୁଦିନ ସନ୍ଧ୍ୟା ବେଳେ ସେଇ ଅର୍ଦ୍ଧ ନିର୍ମିତ ମନ୍ଦିର ଆଗରେ ଦ୍ୱୀପ ଟିଏ ଜାଳିବାକୁ ଯାଏ , ଆଉ କାଳିଆ କୁ ସ୍ମରଣ କରି କହେ " ହେ ମହାବାହୁ , ବହୁତ ଡେରି ହେଇଗଲାଣି , ଏବେ ତୁମ ଭକ୍ତକୁ ଭଲ କରିବାର ସମୟ ଆସିଗଲାଣି । ନଚେତ ତୁମକୁ ନିଜେ ନିଜ ପାଇଁ ଛାତଟିଏ ଯୋଗାଡ଼ କରିବାକୁ ପଡିବ ।

ଦିନେ ବାପାଙ୍କର ଜଣେ ଦୂର ସମ୍ପର୍କୀୟ ଭିଣୋଇ ଆମ ଘରକୁ ଆସିଲେ । ସେ ମାଆକୁ କହିଲେ , ପଶ୍ଚିମବଙ୍ଗରେ ଜଣେ ବହୁତ ବଡ଼ କାଳୀ ସାଧକ ଅଛନ୍ତି । ସିଏ ବାପାଙ୍କ ପରି ବହୁତ ଲୋକଙ୍କୁ ଭଲ କରିସାରିଲେଣି । କିନ୍ତୁ ବହୁତ ଟଙ୍କା ଖର୍ଚ୍ଚ ହେବ ।

ମାଆ ବହୁତ ପଚାରିବାରୁ ସେ କୁଣ୍ଠାବୋଧ କରି କହିଲେ , ପଚାଶ ହଜାର ଖର୍ଚ୍ଚ ହେବ । ଏକଥା ଶୁଣି ମାଆର ହାଲୁକ ଶୁଖିଗଲା ।ସେତେବେଳେ ପଚାଶ ହଜାର ଟଙ୍କାର ମୂଲ୍ୟ ବହୁତ ବେଶି ଥିଲା । ଆଜି ତାର ମୂଲ୍ୟ ପାଖାପାଖି ପଚାଶ ଲକ୍ଷ ହେଇଥାନ୍ତା । ମାଆ କଣ କରିବ ଚିନ୍ତା କରିପାରୁନଥିଲା । ଦିନରାତି ଗୋଟିଏ କଥା ଚିନ୍ତା କରୁଥିଲା । କୋଉଠୁ ଏତେ ଟଙ୍କା ଆଣିବ ଆଉ ବାପାଙ୍କୁ ବଞ୍ଚେଇବ ।

ଏମିତି ଗୋଟେ ଘଡିସନ୍ଧି ମୁହୂର୍ତ୍ତରେ ସେ ଭଦ୍ରଲୋକଙ୍କ ପତ୍ନୀ , ମାନେ ମୋ ବାପାଙ୍କ କଲେଖାଯୋଖା ଭଉଣୀ ମାଆ କୁ ଆମ ଘର ବିକ୍ରୀ କରିବାକୁ ପରାମର୍ଶ ଦେଲେ । ଆଉ ସେ ଏଇ ବିପଦ ସମୟରେ ଆମ ଘର ନିଜେ କିଣିବେ ବୋଲି କହିଲେ । ଲକ୍ଷେ ଟଙ୍କାର ଘରକୁ ପଚାଶ ହଜାର ଟଙ୍କାରେ ବିକ୍ରି କରିବା କଥା ଶୁଣି ମାଆ ପୁରାପୁରି ଭାଙ୍ଗି ପଡ଼ିଲା । ସେମାନେ କହିଲେ , ଏତେ ଶୀଘ୍ର , ଏତେ ଗୁଡ଼ାଏ ଟଙ୍କା ଆଉ କେହି ଦେଇପାରିବେନି । ଆଉ ସେମାନେ ମଧ୍ୟ ଏତିକି ଟଙ୍କାରୁ ଅଧିକା ଦେଇ ପାରିବେନି ।

"ସ୍ୱାମୀ ବଞ୍ଚିଥିଲେ ଏମିତି କେତେ ଘର କରିପାରିବ ।" ସେମାନେ ଏମିତି କେତେ କଥା କହି ଘର ବିକ୍ରି କରି ବାପାଙ୍କୁ ନେଇ ପଶ୍ଚିମବଙ୍ଗ ଯିବା ନିହାତି ଜ଼ରୁରୀ ବୋଲି ପରାମର୍ଶ ଦେଲେ । ମାଆ ଅନନ୍ୟୋପାୟ ହେଇ ତାଙ୍କ କଥାରେ ରାଜି ହେଇଗଲା ।

ଆଖିରେ ଆଖିଏ ଲୁହ ନେଇ , ସଞ୍ଜ ବେଳେ ଜଗନ୍ନାଥଙ୍କ ଅଧାଗଢା ମନ୍ଦିର ଆଗରେ ଦ୍ୱୀପ ଜାଳି ଆକାଶକୁ ଚାହିଁ ହାତ ଯୋଡ଼ିଦେଲା , ଆଉ ତା ସ୍ବାମୀ , ପିଲା ମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ କୁ ସମର୍ପି ଦେଲା ସେଇ କଳା ଠାକୁରଙ୍କ ଚଉବାହାକୁ । " କାଳିଆ ରେ , ତୋ ମୁଣ୍ଡ ଉପରେ ବି ଛାତ ନାହିଁ , ଆଉ ମୋ ପିଲାଙ୍କ ମୁଣ୍ଡରୁ ବି କାଲିଠୁ ଛାତ ରହିବ ନାହିଁ । ଯାହା ହେଲେ ବି ମୋ ଶଙ୍ଖା ସିନ୍ଦୁର ରକ୍ଷା ପାଇଯିବ । ତା ପରେ ତୋ ଇଛା ।"

ସେଦିନ ରାତିରେ ଅନାହୁତ ଗୋଟେ ଘଟଣା ଘଟିଲା ।ଜଣେ ଭଦ୍ରଲୋକ ଆମ ଘରକୁ ଆସିଲେ । ସେ କହିଲେ , ସିଏ ସେ ଜାଗାକୁ ନୂଆ କରି ଏସ୍ଡ଼ିଓ ହେଇ ଆସିଛନ୍ତି । ବାପା କଟକରେ ପାଠ ପଢୁଥିଲା ବେଳେ ସେ ତାଙ୍କରି ହଷ୍ଟେଲ ରେ ରହି ପାଠ ପଢୁଥିଲେ । ସେ ସମୟରେ ତାଙ୍କ ପରିସ୍ଥିତି ବହୁତ ଖରାପ ଥିବାରୁ , ମୋ ବାପା କୁଆଡ଼େ ତାଙ୍କ ପରୀକ୍ଷା ଫିସ ଦେଇଥିଲେ । ସେ ତାପରେ ବାପାଙ୍କୁ ବହୁତ ଖୋଜିଥିଲେ । କିନ୍ତୁ ପାଇନଥିଲେ । ଏଠି ଆସିବାର କିଛି ଦିନ ଆଗରୁ କୌଣସି ସୂତ୍ରରୁ ବାପା ଏଠି ଅଛନ୍ତି ବୋଲି ଜାଣିପାରିଥିଲେ । ସେଥିପାଇଁ ତାଙ୍କୁ ଦେଖା କରିବାକୁ ଆସିଥିଲେ ।

ବାପା କିଛି ମନେ ପକେଇ ପାରୁନଥିଲେ । ତାଙ୍କୁ ଏସବୁ କାହାଣୀ ଶୁଣିବା ପରି ଲାଗୁଥିଲା ।

ବାପାଙ୍କ ସହ କଥାବାର୍ତ୍ତା କରି ସେ ତାଙ୍କ ମନ କଥା ଜାଣିପାରିଲେ । ଜଗନ୍ନାଥ ମନ୍ଦିର ନିର୍ମାଣର ସମସ୍ତ ଦାୟିତ୍ୱ ସେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଲେ । କହିଲେ , ବାପାଙ୍କ ସ୍ବପ୍ନ ପୁରା କରି ସେ କିଛି ମାତ୍ରାରେ ତାଙ୍କ ଋଣ ସୁଝି ପାରିବେ । ଘର ବିକ୍ରି କଥା ଶୁଣି ସେ ମଧ୍ୟ ଖୁବ ଦୁଃଖିତ ହେଲେ ।

ତା ପରଦିନ ମା ସଞ୍ଜ ଦ୍ୱୀପ ଦେବାକୁ ଗଲା ବେଳେ ଦେଖିଲା , ଯୋଉ ବନ୍ଧ ଉପରେ ସିଏ ଦ୍ୱୀପ ଜାଳେ , ସେଠି ଗୋଟେ ଲୋକ ବସିଛି । ମା ଚମକି ପଡି ଦୁଇ ପାଦ ପଛକୁ ଘୁଞ୍ଚିଗଲା । ମା କହେ , ସେ ଲୋକଟିର ମୁହଁ ଗୋଲ , ଆଖି ଦୁଇଟା ବଡ ବଡ , ଓଠରେ ସ୍ମିତ ହସ , ବିଲକୁଲ ମୋ କଳା ଠାକୁର ପରି । ମଠା ଧୋତି ପଞ୍ଜାବୀ ପିନ୍ଧିଥିଲା । ଏମିତି ଲୋକ ସେ ଆଗରୁ କେବେ ଦେଖିନଥିଲା ।

ସେ କହିଲା , " ମାଆ , ମୋତେ ଦେଖି ଡରି ଗଲ କି ? ମୁଁ ବହୁତ ଦୂରରୁ ଆସିଛି । ମୋ ସ୍ତ୍ରୀ କୁ କ୍ୟାନସର ହେଇଥିଲା। ଗୋଟେ ଲୋକର କହିବା ଅନୁସାରେ ମୁ ଧାର କରଜ କରି ପଚାଶ ହଜ଼ାର ଟଙ୍କା ଦେଇଥିଲି । ସିଏ ମୋତେ ପଶ୍ଚିମବଙ୍ଗ ର କୋଉ ଗୋଟେ ସାଧୁ ବାବାଠାରୁ ଔଷଧ ଆଣି ମୋ ସ୍ତ୍ରୀ କୁ ଦେଇଥିଲା । କହୁଥିଲା ସେଇଟା ହେଲା ସଂଜୀବନି । ମୋ ସ୍ତ୍ରୀ ତାକୁ ଖାଇଲେ ବଂଚିଯିବ । କିନ୍ତୁ ମୋ ସ୍ତ୍ରୀ ଗତ ସପ୍ତାହ ଆର ପାରିକୁ ଚାଲିଗଲା ।

ମୁଁ ବି କେତେ ମୂର୍ଖ । ଯାହା ତାହା କଥାରେ ପଡି ଟଙ୍କା ଗୁଡା ନଷ୍ଟ କଲି । ମୃତ୍ୟୁ ତ ସମସ୍ତଙ୍କୁ ଆସିବ । ତାର ସମୟ ଆଗରୁ ନିର୍ଦ୍ଧାରିତ ହେଇଥାଏ । କୌଣସୀ ଯୋଗୀ ବା ଓଝା ତାକୁ ଅଟକେଇ ପାରିବନି । ସେତିକି କଥା ମୁଁ ବୁଝି ପାରିଲିନି । "

ମା ତାଙ୍କ ସହ କଥାବାର୍ତ୍ତା ହେଇ ଜାଣିପାରିଲା ଯେ , ସେଇ ଠକ ଲୋକ ଜଣକ ହୋଉଛନ୍ତି ବାପାଙ୍କର ସେଇ ସମ୍ପର୍କୀୟ ଭିଣୋଇ । ଲୋକଙ୍କୁ ଠକିବା ତାଙ୍କର ପେଷା ।

କଥାବାର୍ତ୍ତା ମଝିରେ ମାଆ ସଞ୍ଜ ଦ୍ୱୀପ ଜାଳି ମୁଣ୍ଡିଆ ମାରିଲା । ମୁଣ୍ଡ ଉଠେଇଲା ବେଳକୁ ସେଠି ସେ ଲୋକ ଜଣକ ନଥିଲା । ଆଶ୍ଚର୍ଯ୍ୟ ହେଇ ଏପଟ ସେପଟ ଖୋଜି ଆସିଲା । ଆରେ , ଲୋକଟା କିଛି ନକହି ଏମିତି କେମିତି ପବନରେ ମିଳେଇଗଲା ?

ଅନ୍ଧାର ମାଡି ଆସୁଥିଲା । ମାଆ ସହଳ ସହଳ ପାଦ ପକେଇ ଘରକୁ ଫେରିଲା । କାଳିଆ ଫୋଟୋ କୁ ଅନେଇ ବହେ କାନ୍ଦିଲା । କହିଲା , " ଠାକୁରେ , ମୋତେ ଗୋଟେ ବଡ ବିପଦରୁ ରକ୍ଷା କଲ । ମୋ ଛୁଆ ପିଲାଙ୍କୁ ଦାଣ୍ଡର ଭିଖାରୀ ହେବାରୁ ବଞ୍ଚେଇଦେଲ । "

ତା ପରଦିନ ମାଆ ଘର ନ ବିକିବାର ନିଷ୍ପତ୍ତି ନେଇଛି ବୋଲି ଭିଣୋଇ ମହାଶୟଙ୍କୁ ଖବର ପଠେଇ ଦେଲା ।

ସେକଥାର ଠିକ ଦୁଇ ଦିନ ପରେ ବାପାଙ୍କର ଦେହାନ୍ତ ହେଇଗଲା । ଆମ ମାନଙ୍କ ଭରଣ ପୋଷଣ ପାଇଁ , ମାଆ ବାପାଙ୍କ ବ୍ୟବସାୟକୁ ଆଉଥରେ ଚଳେଇବାକୁ ସ୍ଥିର କଲା । ତା ମନୋବଳ ଖୁବ ଦୃଢ ହେଇଯାଇଥିଲା । ସେ ଆଉ ଆଗ ପରି ଦୁର୍ବଳା ନାରୀ ହେଇ ନଥିଲା । ଏବେ ତା ଭିତରେ ବାପା , ମାଆ ଦୁଇଜଣଙ୍କର କର୍ତ୍ତବ୍ୟ କରିବାକୁ ବଳ ଆସିଯାଇଥିଲା ।

ଏସ୍ଡ଼ିଓ ଏବଂ ସରକାରଙ୍କ ଠାରୁ କିଛି ସାହାଯ୍ୟ , ଏବଂ କଲୋନୀ ଲୋକ ମାନଙ୍କର ସହଯୋଗ ଯୋଗୁ , ଜଗନ୍ନାଥ ମନ୍ଦିର କାମ ଖୁବ ଶୀଘ୍ର ଆରମ୍ଭ ହେଇଗଲା । ମନ୍ଦିର ପ୍ରତିଷ୍ଠା ଦିନ ବି ମା ସେଇଠି ସଞ୍ଜ ଦେବାକୁ ଗଲା । ଜଗନ୍ନାଥଙ୍କ ଚକାଆଖି କୁ ଅନେଇ ହାତ ଯୋଡିଲା ।ଆଖିରୁ ଧାର ଧାର ଲୁହ । ଥରଥର କଣ୍ଠରେ କହୁଥାଏ , " ବାଃ ରେ ଦୁଷ୍ଟ , ତୋ ନିଜ ଛାତ ବି ତିଆରି କଲୁ ଆଉ ମୋ ଛୁଆଙ୍କ ଛପରକୁ ବି ରକ୍ଷା କଲୁ । ଏବେ ଶୀଘ୍ର ମୋ ପିଲାଙ୍କୁ ମଣିଷ କରି ମୋତେ ତାଙ୍କ ପାଖକୁ ଡାକି ନେଇଯା । ମୋ ଜୀବନ ଡଙ୍ଗାର ନାଉରୀ ହେଇଛୁ ଯେତେବେଳେ , ମୋ ମୃତ୍ୟୁ ର ଦିନ ବି ମୋତେ କହିଦେ । "

ଏତେ ବର୍ଷ ପରେ ବି ମାଆ ରାତି ଚାରିଟାରୁ ଉଠି , ପୂଜା ସାରି , ଖାଲି ପାଦରେ ଚାଲି ଚାଲି ସେଇ ଭାବ ବିନୋଦିଆକୁ ଦେଖିବାକୁ ଯାଏ । ସତରେ ଯେମିତି ଏତେ ବର୍ଷ ଭିତରେ ତାନ୍କ ଦୁହିଁଙ୍କ ସମ୍ପର୍କ ଆହୁରି ନିବିଡ଼ ହେଇଯାଇଛି ।


Rate this content
Log in