Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Abstract

2  

Golak Bihari Sahoo

Abstract

ଅଧିକାର

ଅଧିକାର

3 mins
7.1K


ଅଧିକାର

ଗୋଲକ ବିହାରୀ ସାହୁ

          ବିଶ୍ଵନାଥଙ୍କର ତିନି ଭାଇ ଏବଂ ଗୋଟିଏ ଭଉଣୀ । ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ । ବାପା ଦୋକାନ ବ୍ୟବସାୟ କରି ସଂସାର ଚଲାନ୍ତି । ବିଶ୍ଵନାଥ କଲିକତାରେ ଚାକିରି କରନ୍ତି । 

          ବଡ ଦୁଇଭାଇ ବିବାହ କଲାପରେ ନିଜ ସ୍ତ୍ରୀ ଓ ଶାଶୂଶ୍ଵଶୁରଙ୍କ ମନ୍ତ୍ରଣାରେ ବାପମା'ଙ୍କଠାରୁ ଅଲଗା ହୋଇ ରହିଲେ । ନିଜର ଆୟକୁ ବାପମା' ଓ ଭାଇଭଉଣୀମାନଙ୍କ ପାଇଁ ଖର୍ଚ୍ଚ ନକରି ସଂପୂର୍ଣ୍ଣ ନିଜର କରି ରଖିଲେ । ବିଶ୍ଵନାଥଙ୍କ ଚିନ୍ତାଧାରା ଅଲଗା ଥିଲା । ସେ ବାପମା', ଭାଇଭଉଣୀଙ୍କୁ ନେଇ ଆନନ୍ଦିତ ହେଉଥିଲେ । ତେଣୁ ସେମାନଙ୍କ ଜଞ୍ଜାଳ ମୁଣ୍ଡାଇବାକୁ ସେ ପଛାଇଲେ ନାହିଁ । ପ୍ରତିମାସରେ ଦରମା ପାଇ ବାପାଙ୍କ ପାଖକୁ ନିୟମିତ ଭାବେ ଟଙ୍କା ପଠାଉଥିଲେ । ଭଉଣୀର ବାହାଘରକୁ ଆର୍ଥିକ ସହାୟତା କଲେ ଏବଂ ବାପମା'ଙ୍କ ଶ୍ରଦ୍ଧା ଭାଜନ ହେଲେ । ସମୟକ୍ରମେ ମା'ଙ୍କର ଦେହାନ୍ତ ହେଲା । କିଛିବର୍ଷ ପରେ ବାପା ବି ଇହଧାମ ତ୍ୟାଗ କଲେ । 

          ବାପାଙ୍କର କ୍ରିୟାକର୍ମ କରିବାକୁ ବିଶ୍ଵନାଥ ଗାଁକୁ ଆସିଲେ । କ୍ରିୟାକର୍ମ ଶେଷ ହେବାର ପରଦିନ । ଆସିଥିବା ବନ୍ଧୁବାନ୍ଧବମାନେ ଯେ ଯାହାର ଗାଁକୁ ଗଲେଣି । କେବଳ ଭଉଣୀ ଓ ଭିଣୋଇ ଅଛନ୍ତି । ବଡ ଦୁଇଭାଇ ବିଶ୍ଵନାଥକୁ କହିଲେ- "କ୍ରିୟାକର୍ମ ତ ଶେଷ ହେଲା । ତୁ କଲିକତା ପଲାଇ ଯିବୁ । କେବେ ଆସିବୁ ଠିକ୍ ନାହିଁ । ଆଜି ସବୁ ଭାଇମାନେ ବସି ବାପାଙ୍କର ସଂପତ୍ତି ବାଡିକୁ ଭାଗ କରିନେବା । ଆଜି ସଂଧ୍ୟାବେଳେ ଆମେ ସମସ୍ତେ ବସି ଫଇସଲା କରିନେବା ।" 

          ବିଶ୍ଵନାଥ ଏଭଳି ପ୍ରସ୍ତାବ ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ବାପାଙ୍କ ବିୟୋଗରେ ଦୁଃଖ ମନରୁ ଯାଇନି । କ୍ରିୟାକର୍ମ କାଲି ଶେଷ ହେଲା । ବଡ ଦୁଇଭାଇ ନିଜେ ରୋଜଗାରକ୍ଷମ ହୋଇ ସୁଖରେ ରହିଲେ । ସାନଭାଇ ରୋଜଗାରକ୍ଷମ ହୋଇନାହିଁ । ବାପମା' ଯିବାପରେ ଭାଇମାନଙ୍କର ପ୍ରଥମ କର୍ତ୍ତବ୍ୟ କିଭଳି ସାନଭାଇକୁ ନିଜଗୋଡରେ ଠିଆକରାଇବା । ସେଥିପାଇଁ ଚିନ୍ତା ନକରି ବଡ ଭାଇମାନେ ଯେଯାହାର ଖଲି ସିଇଂ ଲାଗିବାରେ ଲାଗିଲେ । ବାପମା' ଓ ଛୋଟ ଭାଇଭଉଣୀଙ୍କର କୌଣସି ଯତ୍ନ ଓ ଦାୟିତ୍ଵ ନେଲେନାହିଁ । ଏପରିସ୍ଥଳେ ବାପାଙ୍କ ମୃତ୍ୟୁ ପରେପରେ ତୁରନ୍ତ ସଂପତ୍ତି ଭାଗକରି ନେବାର ପ୍ରସ୍ତାବ ଦେବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦାୟକ । ବିଶ୍ଵନାଥ ଏପରି ପ୍ରସ୍ତାବ ଶୁଣି ମର୍ମାହତ ହେଲେ ଏବଂ ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବେ ଠିକ୍ କରିପାରିଲେନାହିଁ ।

          ସଂଧ୍ୟାବେଳକୁ ଭାଇମାନେ ଆସି ଘେରିବସିଲେ ।ବିଶ୍ଵନାଥ ଈଶ୍ଵରଙ୍କ ଉପରେ ଆସ୍ଥା ରଖି ସତ୍ ବୁଦ୍ଧି କାମନା କଲେ । ବଡ ଦୁଇଭାଇ ପ୍ରଶ୍ନ କଲେ- "ବାପା ମୃତ୍ୟୁ ବେଳକୁ କ'ଣ କ'ଣ ଧନସମ୍ପତ୍ତି ଛାଡିଯାଇଛନ୍ତି ? ବାପା ଆଜିପର୍ଯ୍ୟନ୍ତ କେଉଁ ଭାଇମାନଙ୍କୁ କ'ଣ କ'ଣ ଦେଇଛନ୍ତି ? ବାପାଙ୍କ ବାକ୍ସରେ କ'ଣ ସବୁ ଥିଲା ? ମା'ଙ୍କର ହାର ଏବଂ ନୋଥ କିଏ ରଖିଛି ? ବାପା ବିକିଥିବା ଜମି ଜାଗାର ଟଙ୍କା କ'ଣ କଲେ, ଇତ୍ୟାଦି, ଇତ୍ୟାଦି ।"

          ବିଶ୍ଵନାଥ ନିରବରେ ସବୁ ଶୁଣୁଥାନ୍ତି । ପୁଣି ବଡଭାଇ କହିଲେ- "ମୁଁ ବଡ ଭାଇ । ବାପାଙ୍କ ପରେ ମୁଁ ମୁରବି । ମୋ କଥା ସମସ୍ତେ ମାନି ଚଳିବେ । ମୁଁ କାହାପ୍ରତି ଅନ୍ୟାୟ ହେବାକୁ ଦେବିନି । ବାପାଙ୍କର ଏକ ଏକର ପଦା ଜମି । ସେଥିରୁ ୧୦ ଡିସିମିଲି ଅଧିକ ଜାଗା ମୁଁ ଜ୍ୟେଷ୍ଠାଂଶ ହିସାବରେ ପାଇବି । ବାକିଜାଗାକୁ ସମାନ ଚାରି ଭାଗ କରି ଦେବା । କାଗଜ କଲମ ଆଣ । ଏବେ ରାଜିନାମା ଲେଖି ସମସ୍ତେ ସ୍ଵାକ୍ଷର କରିବା ।"

          ବିଶ୍ଵନାଥଙ୍କ ମନରେ ଦୁଃଖର କୋହ ଆଉ ଚାପି ହୋଇ ରହିପାରିଲାନାହିଁ । ସେ କମ୍ପିତ ଗଳାରେ କହିଲେ- "ଭାଇ, ତୁମେ କେଉଁ ଅଧିକାରରେ ଏସବୁ କହୁଛ । ଚାଳିଶି ବର୍ଷ ହେଲା ତୁମେ ଦୁଇଜଣ ବଡଭାଇ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ଅଲଗା ହୋଇ ରହିଲ । ବାପମା', ସାନଭାଇ ଭଉଣୀମାନଙ୍କ କୌଣସି ଦାୟିତ୍ଵ ନେଲନାହିଁ । ବାପା ରୋଗଶଯ୍ୟାରେ ପଡିଥିବା ସମୟରେ ଆସି କୌଣସି ସେବାଯତ୍ନ କଲନାହିଁ । ଆର୍ଥିକ ସହାୟତା କରିବା ଦୂରେଥାଉ ସୁବିଧାଅସୁବିଧା ସମୟରେ ବାପମା'ଙ୍କ ପାଖରେ ଠିଆହୋଇଥିଲେ ବାପାମା' କେତେ ଖୁସି ହୋଇଥାନ୍ତେ । ସେମାନେ ବଞ୍ଚିଥିବା ଅବସ୍ଥାରେ ତୁମେ ଦୁଇ ବଡପୁଅଙ୍କ ଉପରେ ଅସନ୍ତୁଷ୍ଟ ରହି ଶେଷରେ ସଂସାର ତ୍ୟାଗ କଲେ । ତାଙ୍କର ଆତ୍ମା ଏବେବି ଏହିଠାରେ ହୁଏତ ଘୁରି ବୁଲୁଥିବ ଏବଂ ତୁମର ବିଚାର ଆଲୋଚନା ଶୁଣୁଥିବ । ଯେଉଁଠି ପୁଅର କର୍ତ୍ତବ୍ୟ କରିବାରେ ତୁମେ ଅସଫଳ, ସେଠାରେ ଅଧିକାରର ପ୍ରଶ୍ନ ଆସିଲା କୁଆଡୁ ? ଏ ସଂପତ୍ତିବାଡିରେ ତୁମର କୌଣସି ଅଧିକାର ନାହିଁ ।"

          ବଡ ଦୁଇଭାଇ ପୁଣି ତର୍କ କଲେ । ପୁଅ ହିସାବରେ ଆମର ଏ ସଂପତ୍ତିରେ ଅଧିକାର ଅଛି । ତୁ କେମିତି ସମ୍ପତ୍ତିରୁ ଭାଗ ଦେବୁନି ଆମେ ଦେଖିବୁ । ବିଶ୍ଵନାଥ କହିଲେ- "ପୁଅ ହିସାବରେ କେବଳ ଜନ୍ମ ନେଇଗଲେ ସଂପତ୍ତି ଉପରେ ଅଧିକାର ଆସି ଯାଏନି । ପୁଅ ହିସାବରେ କର୍ତ୍ତବ୍ୟ କରିବାକୁ ପଡେ । ବିନା କର୍ତ୍ତବ୍ୟରେ ଅଧିକାର ସାବ୍ୟସ୍ତ କରାଯାଏନି । ତେଣୁ ମୁଁ ଏବେ ସଂପତ୍ତି ଭାଗବଣ୍ଟନ ଉପରେ କୌଣସି ରାଜିନାମାରେ ସ୍ଵାକ୍ଷର କରିପାରିବିନାହିଁ । ପୁନଶ୍ଚ ସାନଭାଇ ଏବେ ରୋଜଗାରକ୍ଷମ ନୁହେଁ । ତୁମେ ବଡଭାଇ ହିସାବରେ ସାନଭାଇକୁ କ'ଣ ସାହାଯ୍ୟ ସହଯୋଗ କରି କିଭଳି ଆତ୍ମନିର୍ଭରଶୀଳ କରାଇବ ସେକଥା ପ୍ରତି ପ୍ରଥମେ ଧ୍ୟାନ ଦିଅ । ଭଉଣୀ ପ୍ରତି ଭାଇର ଯାହା କର୍ତ୍ତବ୍ୟ ତାହା ସଂପାଦନ କର । ତା'ପରେ ସଂପତ୍ତି ଭାଗବଣ୍ଟନ ବିଷୟ ବିଚାର ଆଲୋଚନା ହେବ।"

          ବଡ ଦୁଇଭାଇଙ୍କ ପାଖରେ କୌଣସି ଉତ୍ତର ନ ଥିଲା । ସେମାନେ ଚାଲିଗଲେ । ବିନା ଝଗଡ଼ାଝାଟିରେ ଆଲୋଚନା ସମାପ୍ତ ହୋଇଥିବାରୁ ବିଶ୍ଵନାଥ ଈଶ୍ଵରଙ୍କୁ କୃତଜ୍ଞତା ଜଣାଇଲେ । 

 

**********

 

 

 

 


Rate this content
Log in

Similar oriya story from Abstract