Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Jagatabandhu Mohapatra

Inspirational

5.0  

Dr Jagatabandhu Mohapatra

Inspirational

ମାର୍ଗ

ମାର୍ଗ

5 mins
7.6K


ସ୍ନେହାଧୀନ ଭାନୁ ,

ନବ ବର୍ଷର ଶୁଭେଚ୍ଛା ଗ୍ରହଣ କରିବୁ I ହଁ, ଗଲା ଡିସେମ୍ବର ୨୮ ତାରିଖରେ ତୋର ଗ୍ରିଟିଂସ୍ କାର୍ଡ ଓ ଚିଠି ପାଇଲି I ଭାରି ଖୁସି ଲାଗିଲା, ତୋର ଈଶ୍ଵର ଭକ୍ତି ଦେଖି I ଈଶ୍ଵର ବିଶ୍ଵାସୀ ତୋ ପାଇଁ, ପୁଣି ତୋ ବୟସର ପିଲାଙ୍କ ପାଇଁ ଗୋଟିଏ ବଡକାମ I ତୋ ବୟସର କେତେଜଣ ପିଲା ଈଶ୍ଵର ବିଶ୍ଵାସୀ ! ଲେଖିଥିଲୁ ଈଶ୍ଵରଙ୍କୁ ପାଇବାର ମାର୍ଗ କ’ଣ କ’ଣ ସବୁ ଜାଣିବାକୁ I ଏ ବିଷୟରେ ଭିନ୍ନ ଭିନ୍ନ ମାର୍ଗ ଅଛି I ଏ ସମ୍ପର୍କରେ ଉତ୍ତର ଅଲଗା ଅଲଗା କରି ଦେବାକୁ ଭାବୁଥିଲି I ମାତ୍ର ସବୁକୁ ମିଶାଇ ଗୋଟିଏ ଉତ୍ତର ଦେଉଛି I

ତୁ ତ ଜାଣୁ , ସତ୍ୟ ହିଁ ଈଶ୍ଵର , ପ୍ରେମ ହିଁ ଈଶ୍ଵର , ଭକ୍ତି ହିଁ ଈଶ୍ଵର ଓ ଭାବନା ହିଁ ଈଶ୍ଵର I ସୃଷ୍ଟିର ସ୍ରଷ୍ଟା ଭଗବାନ ଅନନ୍ତ I ତାଙ୍କର ଅନ୍ତ ନାହିଁ I ସେ ସ୍ଥାଣୁ ନୁହଁନ୍ତି I ବରଂ ସେ ଗତିଶୀଳ I ସେହି ସର୍ବଶକ୍ତିମାନ , ଅଦ୍ଵିତୀୟ ପରାକ୍ରମଶାଳୀ ମହାରଥୀ ପ୍ରଭୁ କାଠ, ପଥର ଅବା ମାଟିର ମୂର୍ତ୍ତିରେ ନାହାଁନ୍ତି I ସେ ଆମ ଭାବନା ଓ ଭକ୍ତିରେ ବିରାଜମାନ କରିଥାନ୍ତି I

ଅନେକଙ୍କ ମତରେ ଦେବତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ପୂଜାପାଠ, ଯାଗଯଜ୍ଞ, ବଳି, ହୋମ, ପୂଜନ ଇତ୍ୟାଦି ଈଶ୍ଵର ପ୍ରାପ୍ତିର ଉପଯୁକ୍ତ ମାଧ୍ୟମ I

ଆଉ ଅନେକଙ୍କ ମତରେ ‘’ପ୍ରକୃତି ହିଁ ଭଗବାନ ‘’ I ଶୁଣିଥିବୁ ଲୋକମାନେ ସୂର୍ଯ୍ୟ , ଚନ୍ଦ୍ର , ଗ୍ରହ ,ବୃକ୍ଷ ଇତ୍ୟାଦିଙ୍କୁ ପୂଜା କରିଥାନ୍ତି I

ଚାର୍ବାକଙ୍କ ଦାର୍ଶନିକ ମତ ‘ଲୋକାୟତ’ ଏହାକୁ ଅଧିକ ପ୍ରମାଣିତ କରେ I ନିଜର ଇନ୍ଦ୍ରିୟ ଦ୍ଵାରା ଯାହା ଅନୁଭବ କରାଯାଇପାରେନା, ତାହାର ସତ୍ତା ନାହିଁ ବୋଲି ଯୁକ୍ତି ଉପସ୍ଥାପନା କରିଥିଲେ I

ଅନ୍ୟ କେତେକଙ୍କ ମତରେ “ମାନବ ସେବା ହିଁ ମାଧବ ସେବା” I ମଦର ଟେରେସାଙ୍କ ନାଁ ଶୁଣିଥିବୁ I ସାରା ବିଶ୍ଵରେ ମାନବ ସେବାର ସେ ଥିଲେ, ପ୍ରକୃଷ୍ଟ ଉଦାହରଣ I

ମହାବୀରଙ୍କ ନାଁ ଶୁଣିଥିବୁ, ସେ ଦେବତା ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଦର ପୂଜା ପଦ୍ଧତି ପରିତ୍ୟାଗ କରିବାକୁ ଉପଦେଶ ଦେଇଥିଲେ I ସେ କହିଥିଲେ, କୁକର୍ମ ନ କରି ଉତ୍ତମ ଜୀବନଯାପନ କରିବା ଉଚିତ୍ I ମୋକ୍ଷଲାଭ ନିମନ୍ତେ ଅହଂକାରକୁ ମନରୁ ଦୂର କରିବାକୁ ପଡିବ I ସତ ଚିନ୍ତା, ସତ ବାକ୍ୟ, ସତ କର୍ମ ହିଁ ନିର୍ବାଣ ପ୍ରାପ୍ତିର ମୂଳ ଆଦର୍ଶ I

ତେଜସ୍ଵୀ ବିବେକାନନ୍ଦଙ୍କର ଚିକାଗୋ ସମ୍ମିଳନୀରେ ବକ୍ତବ୍ୟ ‘’ବସୁଧେୈବ କୁଟୁମ୍ବକମ‘’ ଉକ୍ତିଟି ପ୍ରଣିଧାନ ଯୋଗ୍ୟ I ସାରା ବିଶ୍ଵବାସୀ ସମସ୍ତେ ଭାଇ ଭାଇ I ସମସ୍ତେ ଗୋଟିଏ ପରିବାରର ଭିନ୍ନ ଭିନ୍ନ ସଦସ୍ୟ I ଏହା ଭାବିଲେ ଓ କର୍ମ ଭାବନାର ଅନୁରୂପ ହେଲେ, ବାପୁଜୀ ଗାନ୍ଧିଜୀଙ୍କର ‘’ରାମରାଜ୍ୟ ‘’ ଗଠନର ଆଶା ସଫଳ ରୂପାୟନ ହୋଇପାରିବ I

ସ୍ଵଭାବ କବି ଗଂଗାଧର ମେହେରଙ୍କ ପଦଟି “ବିଶ୍ଵ ଦେଖ ମଧୁମୟ ରେ ଭାଇ ,ବିଶ୍ଵ ଦେଖ ମଧୁମୟ ‘’ I ସମସ୍ତଙ୍କୁ ଗୋଟିଏ ପରିବାରର ସମାନ ମନେ କରି, ନିଜ ପରର ବିଚାରକୁ ମନେ ନ କରି, ପକ୍ଷପାତ ନୀତିକୁ ନ ଧରି, ବିଶ୍ଵକୁ କୁଟୁମ୍ବମୟ, ମଧୁମୟ ଦେଖିଲେ, ତୁମେ ମହାନ ହେବ I

ଅନ୍ୟ କେତେକଙ୍କ ମତରେ ‘’କର୍ମ ହିଁ ଭଗବାନ‘’ କର୍ମ ମୁଖୀ ମାନବ ମହାନ କର୍ମରେ ସମୟ ବିନିଯୋଗ କଲେ, କୁକର୍ମ କରିବାକୁ ସମୟ ପାଇବନି ଏବଂ ସେ ଈଶ୍ଵରଙ୍କ ସଦଗତି ଲାଭ କରିପାରିବ I ସେମାନେ ସଠିକ କର୍ମ ଯୋଜନା, ସତ କର୍ମ ଇତ୍ୟାଦିକୁ ଭଗବାନଙ୍କୁ ପାଇବାର ମାର୍ଗ ବୋଲି ଯୁକ୍ତି ଉପସ୍ଥାପନା କରନ୍ତି I ଉତ୍ତମ କର୍ମ ହିଁ ମହାନ କର୍ତ୍ତବ୍ୟ, ମହାନ ଧର୍ମ, ମହାନ କର୍ମ, ମହାନ ଆଦର୍ଶ I

ଅନ୍ୟ କେତେକ ପଣ୍ଡିତମାନଙ୍କ ମତରେ ଜ୍ଞlନ ଓ ଭକ୍ତି ଦ୍ଵାରା ଈଶ୍ଵର ପ୍ରାପ୍ତି ହୁଏ I ଶଙ୍କର ଜ୍ଞାନକୁ ଭକ୍ତି ଠାରୁ ଅଧିକ ବୋଲି କହନ୍ତି I କିନ୍ତୁ ଦାକ୍ଷିଣାତ୍ୟର ସିଦ୍ଧସାଧକ ରାମାନୁଜ ଏହି ବକ୍ତବ୍ୟ ପ୍ରଦାନ କରିଥିଲେ ଯେ, ଭକ୍ତି ହିଁ ଈଶ୍ଵର ପ୍ରାପ୍ତିର ମୁଖ୍ୟ ମାର୍ଗ I ସେ ଜ୍ଞାନଠାରୁ ଭକ୍ତିକୁ ଅଧିକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ I

ମହାପ୍ରଭୁ ଚୈତନ୍ୟଙ୍କ ମତରେ ଭକ୍ତିର ସହ ଭଜନ ଓ କୀର୍ତ୍ତନ କଲେ, ଈଶ୍ଵରଙ୍କ ଶରଣାଗତି ଲାଭ ହୁଏ I ଉଚ୍ଚ ସ୍ଵରରେ ପ୍ରଭୁଙ୍କର ନାମ-ସଂକୀର୍ତ୍ତନ ହିଁ ତୁମକୁ ଈଶ୍ଵରଙ୍କ ଶରଣାଗତି କରାଇପାରିବ I ମଧ୍ୟଯୁଗୀୟ ଭକ୍ତି ଆନ୍ଦୋଳନର ପୁରୋଧାମାନେ ବାହ୍ୟାଚାରଠାରୁ ଅନ୍ତଃ ଶୁଦ୍ଧିକୁ ଅଧିକ ଧ୍ୟାନ ଦେଉଥିଲେ I ଭକ୍ତି ହିଁ ସର୍ବଶ୍ରେଷ୍ଠ ମାର୍ଗ ବୋଲି ସେ ମତ ପ୍ରଦାନ କରିଥିଲେ I

‘’ ଥିଲେ ଥାଉ ପଛେ ଗୁଣ ହଜାର; ଚରିତ୍ର ନ ଥିଲେ ସବୁ ଅସାର ‘’

ସେମାନଙ୍କ ମତରେ ବ୍ୟକ୍ତି ଯଦି ସୁଚରିତ୍ର ହୁଏ, ତା ହେଲେ ସେ ଯେ କୌଣସି କାର୍ଯ୍ୟ କରିବ ତାହା ନିଶ୍ଚିତ ସାଫଲ୍ୟ ମଣ୍ଡିତ ହେବ I କେବଳ ଚରିତ୍ରବାନ ମାନବ ଘୃଣା, ଦ୍ଵେଷ ତ୍ୟାଗ କରି ଗୋଟିଏ ସଂଘ ଅଧୀନରେ ସମବେତ ହୋଇ ସଂସାରର ମଙ୍ଗଳ ସାଧନ କରିପାରିବ I

ଦାଢିତ୍ୟଭକ୍ତିରୁ ଜଣାଯାଏ, ଯେ ଜଗତର ନାଥ ପ୍ରଭୁ ଜଗନ୍ନାଥ ହିଁ ଭକ୍ତି ମାଧ୍ୟମରେ ଭକ୍ତମାନଙ୍କୁ ଉଦ୍ଧାର କରିଥିଲେ I ଭଗବାନ ଜାତି, ଗୋତ୍ର, ଛୁଆଁ, ଅଛୁଆଁ ଇତ୍ୟାଦି କିଛି ଧରନ୍ତି ନାହିଁ I ନୀଚ କୂଳରେ ଜାତ ହୋଇ ଯେ, ଭଗବାନଙ୍କୁ ଭକ୍ତି କରି ଭକ୍ତ ହୋଇପାରିଲା, ସେ ହିଁ ମହାନ I ଦାସିଆ ବାଉରୀର ନଡିଆ ଗ୍ରହଣ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ଶବରୀ ବୃଭଙ୍ଗୀ ମଲ୍ଲିକାର ଅଇଁଠା ଗ୍ରହଣ, ଗଜରାଜର ଆକୁଳ ନିବେଦନ, ଏହାର ଜ୍ଵଳନ୍ତ ଉଦାହରଣ I

ମୋଟ ଉପରେ ପ୍ରଭୁ ଯେଉଁଠି ଭକ୍ତି, ଶ୍ରଦ୍ଧା ପାଆନ୍ତି ସେଠାରେ ବିରାଜିତ ହୁଅନ୍ତି I ସେ ତ ଦୟା ସାଗର I ସାଗର କହିଲେ ବି ତାଙ୍କର ଦୟାର କଳନା କରିହୁଏ ନାହିଁ , କାରଣ ତାଙ୍କର ଦୟାର କରୁଣା ସାଗରଠାରୁ ମଧ୍ୟ ଢେର ଅଧିକ I ମନରେ ଭକ୍ତି ନ ଥିଲେ, କେବଳ ବାହ୍ୟଚାର ପ୍ରତି ଦୃଷ୍ଟିଦେଲେ ଈଶ୍ଵରଙ୍କ ଶରଣାଗତି ଲାଭ କରିପାରିବ ନାହିଁ I ଇଶ୍ଵରଙ୍କ ପ୍ରାପ୍ତି ନିମନ୍ତେ ଶ୍ରଦ୍ଧା ହିଁ ଆଲୋକ ବର୍ତ୍ତିକା I ଈଶ୍ଵରଙ୍କ ଠାରେ ପୂର୍ଣ୍ଣ ଓ ଅତୁଟ ଶ୍ରଦ୍ଧା ରଖିବା ଉଚିତ I ଈଶ୍ଵରଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କଲେ, ଈଶ୍ଵରଙ୍କ ଶରଣାଗତି ଲାଭ କରିପାରିବ I

କଥାରେ ଅଛି, “ନିଶ୍ଵାସ ଉପରେ ବିଶ୍ଵାସ ନାହିଁ”, ଏହି ନିଶ୍ଵାସ ଉପରେ ବିଶ୍ଵାସ କରନାହିଁ I କାରଣ ଜୀବନ ହେଉଛି, କେତେକ କାଳର ସମଷ୍ଟି I ଯେତେ ଦିନ ଗଡି ଯାଉଛି, ଆମେ ମୃତ୍ୟୁ ପାଖକୁ ସେତେ ନିକଟତର ହେଉଛେ I ମୃତ୍ୟୁ ହିଁ ଜୀବନର ପ୍ରକୃତ ସତ୍ୟ I ତେଣୁ ଈଶ୍ଵରଙ୍କ ଉପରେ ସଂପୂର୍ଣ୍ଣ ବିଶ୍ଵାସ ରଖି ଆଗେଇବାକୁ ପଡିବ I ଏଣୁ ଈଶ୍ଵରଙ୍କ ଦିବ୍ୟ ନାମର ଶକ୍ତି ଓ ତାହାର ଅନୁଗ୍ରହ ଶକ୍ତିରେ ଗଭୀର ବିଶ୍ଵାସ ରଖିବା ଉଚିତ I

ଗୀତାରେ ବର୍ଣ୍ଣିତ ହୋଇଛି, ଈଶ୍ଵର ହିଁ ପିତା, ମାତା, ବନ୍ଧୁ, କୁଟୁମ୍ବ ସବୁ I ଏ ସଂସାରରେ ମୋହ ମାୟା ଗ୍ରସ୍ତ ସମସ୍ତ ସ୍ନେହ ବନ୍ଧନ ସମ୍ପର୍କ ଠାରୁ ଇଶ୍ଵର ବିଶ୍ଵାସ ଅଧିକ ମହତ୍ତ୍ଵ ରଖିଥାଏ I ଇଶ୍ଵର ବାସ୍ତବ ବନ୍ଧୁ, ସଖା ଓ ଦିଗ୍ ଦର୍ଶକ I ତେଣୁ ଭଗବାନ ଠାରେ ଅଟଳ ବିଶ୍ଵାସ ହିଁ ମାନବର ଶ୍ରେଷ୍ଠ ଭୂଷଣ I

ଭଗବାନଙ୍କର ଦିବ୍ୟ ନାମର ଶକ୍ତି ଅନନ୍ତ I ଭଗବାନଙ୍କ ନାମ ଜପ କରିବା ଉଚିତ I ଭକ୍ତି ଓ ପ୍ରେମ ପୂର୍ଣ୍ଣ ହୃଦୟର ସହ ପ୍ରାର୍ଥନା କରିବା ଉଚିତ I କାରଣ ନିଷ୍ଠାପର ଓ ପବିତ୍ର ହୃଦୟରେ କରାଯାଉଥିବା ପ୍ରାର୍ଥନାକୁ ଈଶ୍ଵର ଅବିଳମ୍ବେ ଶୁଣନ୍ତି I ଈଶ୍ଵରଙ୍କ ଠାରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହେବା ହିଁ ସର୍ବଶ୍ରେଷ୍ଠ ପ୍ରାର୍ଥନା I ଅତୀତରେ ଯାହା କିଛି ଘଟିଗଲା, ସେ ସମସ୍ତ ଇଶ୍ଵରଙ୍କ ଇଚ୍ଛାରେ ଘଟିଲା I ବର୍ତ୍ତମାନ ଯାହା କିଛି ଘଟୁଛି, ସେ ସମସ୍ତ ଇଶ୍ଵରଙ୍କ ଇଚ୍ଛାରେ ହିଁ ଘଟୁଛି I ଭବିଷ୍ୟତରେ ଯାହା କିଛି ଘଟିବ, ସେ ସମସ୍ତ ଇଶ୍ଵରଙ୍କ ଇଚ୍ଛାକ୍ରମେ ହିଁ ଘଟିବ I ତେଣୁ କୌଣସି ପରିସ୍ଥିତିରେ ବ୍ୟସ୍ତ, ବିବ୍ରତ, ଭୟଭୀତ, ବ୍ୟାକୁଳ ନ ହୋଇ କିମ୍ବା ହତୋତ୍ସାହ ନ ହେବା ଉଚିତ I ଇଶ୍ଵରଙ୍କ ଠାରେ ସର୍ବଦା ଭରସା ରଖି ସୁଖ ଓ ଶାନ୍ତିରେ ରହିବା ଉଚିତ I ଏହା ହିଁ ମାର୍ଗ I

ପିତା ହେଉଛନ୍ତି, ତୁମର ପ୍ରତ୍ୟକ୍ଷ ଈଶ୍ଵର I ମାତା ହେଉଛନ୍ତି, ତୁମର ଜୀବନ୍ତ ଈଶ୍ଵର I ଶିକ୍ଷକ ଓ ଗୁରୁ ହେଉଛନ୍ତି, ତୁମର ସାକ୍ଷାତ ଈଶ୍ଵର I ଦୁଃଖୀ ଭିକାରୀ ହେଉଛନ୍ତି, ତୁମର ଚଳମାନ ଈଶ୍ଵର I ଅତିଥି ହେଉଛନ୍ତି, ତୁମର ଦୃଶ୍ୟମାନ ଈଶ୍ଵର I ସଚରାଚର ପ୍ରIଣୀ ସମୂହ ତଥା ଏହି ବିଶାଳ ବିଶ୍ଵ ସମୂହ ହେଉଛନ୍ତି, ଈଶ୍ଵରଙ୍କ ବିବିଧ ରୂପ, ତେଣୁ ଶ୍ରଦ୍ଧା, ସମ୍ମାନ ଓ ପ୍ରେମର ସହ ସମସ୍ତଙ୍କର ସେବା କରିବା ଉଚିତ I

ଏତିକିରେ ରହୁଛି I ଏ ଚିଠିଟା ଟିକିଏ ବଡ ହୋଇଯାଇଛି I ମାତ୍ର ଏଥିରେ ତୋ ସମସ୍ତ ପ୍ରଶ୍ନର ଉତ୍ତର ରହିଛି I ଚିଠି ପାଇ ଶୀଘ୍ର ଚିଠି ଦେବୁ I ରହୁଛି I

ତୋର ଶୁଭାନୁଧ୍ୟାୟୀ

ଭାଇ

ଡାଃ ଜଗତବଂଧୁ ମହାପାତ୍ର

ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮


Rate this content
Log in

Similar oriya story from Inspirational