ସୁରକ୍ଷା କବଚ
ସୁରକ୍ଷା କବଚ
ଭାବନାର ଅସରନ୍ତି ସୁଅ ଭିତରେ ପହଁରି ପହଁରି ଯାଏ କନୁମୁନ୍ ।ଭାବନା ତାର ରଙ୍ଗୀନ ।ଚଳନ୍ତା ଟ୍ରେନ ଭିତରେ ସେ ଆଉ ତାର ମାଆ ଲିପିକା ଦେବୀ ।
କୁନମୁନ୍ ।
ବୟସ ୨୦ବର୍ଷ, ଯୌବନର ଉତ୍ତାଳ ତରଙ୍ଗର ଢେଉ ଅଙ୍ଗେ ଅଙ୍ଗେ ଖେଳିଯାଉଛି ।ଉଦ୍ଧତ ଯୌବନ ଆଗରେ ସବୁକିଛି ତାକୁ ଫିକା ଫିକା ଲାଗୁଛି ।ସବୁ ଠିକ୍ କଥା ଗୁଡା ଭୁଲର ଖମ୍ଭପ୍ରାୟ ସମ୍ମୁଖରେ ଦଣ୍ଡାୟମାନ କୁନମୁନ୍ ଆଖିଆଗରେ ।ଚପଳମତି ବୟସରେ ଭୁଲ ଠିକ୍ ହିସାବ କରିବାକୁ ସମୟ ନାହିଁ ।ପ୍ରତିଶୋଧ ପରାୟଣା ହୋଇ ଘର ଛାଡିଛି ।
ଘର କହିଲେ ବାପା, ମାଆ ଆଉ ସେ ନିଜେ ।ବାପା ଉଚ୍ଚ ପଦସ୍ଥ ଅଫିସର ନହେଲେ ବି ଆର୍ଥିକ ପରିସ୍ଥିତି ସ୍ଵଛଳ ।
ଲିପିକା ଦେବୀ ଉଗ୍ର ଆଧୁନିକା ।ଘରର ପରିବେଶ ଠାରୁ ବେଶ୍ ସ୍ଵଛାଚାରିତା ପ୍ରକୃତି। ବେଶଭୂଷା,ପରିପାଟି ଯୁବ ମନଲୋଭା ।ବୟସ ୪୦ ଉପରେ ହେଲେ ବି ପୁରୁଷ ମାନଙ୍କୁ ଆକୃଷ୍ଟ କରି ପୋଷା ମନେଇ ବିଲେଇ କରି ରଖିବା ତଥା ସେମାନେ ନିକଟରୁ ଅର୍ଥ ଆତ୍ମସାତ କରିବା ଚକ୍କର ରେ ସର୍ବଦା ଥାନ୍ତି ।ନୂଆ ନୂଆ ପୁରୁଷ ବନ୍ଧୁ ସୃଷ୍ଟି କରିବା ସହ ସେମାନଙ୍କ ସାନ୍ନିଧ୍ୟ ଲାଭ କରିବାର ଲାଳସାରେ ସବୁବେଳେ ମସଗୁଲ ଥାନ୍ତି ।ଆଉ ତାଙ୍କ ପଥର ପଥିକ ଭାବେ ଝିଅକୁ ବି ସାମିଲ କରିଥାନ୍ତି ।ଅନେକ ପୁରୁଷ ପିଲାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି ।କ୍ଲବ ଯାଇ ଅନୈତିକ କାର୍ଯ୍ୟ ରେ ଲିପ୍ତ ରହିବାକୁ ଶିଖାନ୍ତି ।ଦିନଦିନ ଧରି ନୂଆ ନୂଆ ପୁରୁଷ ବନ୍ଧୁଙ୍କ ସହ ଦିଲ୍ଲୀ ବମ୍ବେ ଭଳି ଯାଗାକୁ ଯାଇ ହୋଟେଲରେ ମଉଜ ମସ୍ତି କରିବାର ସୁଯୋଗ ଦିଅନ୍ତି ।ପ୍ରଥମେ ପ୍ରଥମେ ଅଡ଼ୁଆ ଲାଗୁଥିଲେ ବି କୁନମୁନ୍ ପାଇଁ ଏସବୁ ଅଭ୍ୟାସରେ ପରିଣତ ହୋଇଗଲାଣି ।ମାଆ ପରି ସ୍ଵେଛାଚାରୀ ହେବାକୁ ବେଶୀ ପସନ୍ଦ କଲାଣି ।ବାପାଙ୍କ କଥା ତା ପାଇଁ ସମ୍ପୂର୍ଣ୍ଣ ବେକାର ବୋଲି ଧରିନେଲାଣି ।
ବିଜୟ ଜେନା କୁନମୁନ୍ ର ବାପା ।ବେଶ୍ ଶାନ୍ତ,ଶିଷ୍ଟ,ନମ୍ର,ଭଦ୍ର ।ପତ୍ନୀ ଲିପିକାର କାର୍ଯ୍ୟ କଳାପ ଭଲ ଲାଗୁ ନଥିଲେ ବି ପାଟିତୁଣ୍ଡ ନକରି ଅନେକ ବୁଝାନ୍ତି ।ହିନ୍ଦୁ ଘରର ନାରୀ ମାନେ ଲକ୍ଷ୍ମୀ ରୂପା ।
କେଶ,ବେଶ,ବୋଧ,ବ୍ୟବହାର,
ଏ ଚାରିଟି ନାରୀର ଅଳଙ୍କାର ।
ଏକଥା ବାରମ୍ବାର ଚେତାବନୀ ଦେଇଛନ୍ତି ।ଦୀର୍ଘ ୨୦ବର୍ଷର ବୈବାହିକ ଜୀବନ କାଳ ଭିତରେ ନାନା ପ୍ରକାର ଅଶାନ୍ତି ବାତାବରଣ କୁ ଭେଦି ଶାନ୍ତି ରଖିବାର ପ୍ରୟାସ ରେ ବିଫଳ ମନୋରଥ ନେଇ ପ୍ରତିବାଦ ର ସ୍ଵର ଉଠେଇଲେ ।ସେହି ପ୍ରତିବାଦ ତାଙ୍କ ଘରପାଇଁ ଏକ ବିରାଟ ମହାବାତ୍ୟା ରୂପ ଧାରଣ କଲା ।ଶେଷରେ ଲିପିକା ଦେବୀ ଛାଡ଼ପତ୍ର ଦେଇ ବାହାରି ଆସିଲେ ଘରୁ ।ଆସିବା ବେଳେ ସାଥିରେ କୁନମୁନ୍ କୁ ବି ନେଇଆସିଲେ ।ଟ୍ରେନ ରେ ବସି ବସି କୁନମୁନ୍ ଭାବନା ରାଜ୍ୟରେ ଘୁରିବୁଲୁଛି ।ନିଜ ଘରଠାରୁ ୪୦୦କିଲୋମିଟର ଦୂରକୁ ମା ସହ ପଳାଇ ଆସିଲା ।
ରୂପକୁ ସଜାଇ ରୂପ ବଜାରରେ ନିଜକୁ ୨୦ବର୍ଷର ଝିଅ କରିନେଲେ ଲିପିକା ଦେବୀ ।ଭଡାରେ ଘରଟିଏ ନେଲେ ।ଏ ଅଫିସ ସେ ଅଫିସ ବୁଲି ବୁଲି ନାମକୁ ମାତ୍ର ଚାକିରି ଖଣ୍ଡିଏ କଲେ ।ଦରମା ମାସକୁ ୫ହଜାର ଟଙ୍କା ମାତ୍ର ।ହେଲେ ଆଖିରେ ଅନେକ କୂଟଚିନ୍ତା ।ବଡ଼ବଡ଼ ବାବୁ ମାନଙ୍କୁ ଅକ୍ତିଆର କରିବା ନିଶା ।ବହୁ ପୁରୁଷର ଶଯ୍ୟା ସଙ୍ଗିନୀ ହେବାର କାମନା ।କିଛି ଦିନ ଭିତରେ ନିଜ କାମରେ ସଫଳ ହୋଇଗଲେ ।ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ ଆୟତକୁ ନେଇଗଲେ ।ସବୁଦିନ ତାଙ୍କ ସହିତ ଶାରୀରିକ ସମ୍ପର୍କ ଭଳି ଅନୈତିକ କାମ କଲେ ।ଯାହା କୁନମୁନ୍ ଆଖିରେ ଧରା ପଡିଯାଇଥିଲା । ମାଆର ଏଭଳି କୁତ୍ସିତ ରୂପ ଝିଅ କେବେ ଦେଖିନଥିଲା ।
ସେଦିନ ହଠାତ ଘର ଭିତରକୁ ପଶି ଆସୁଆସୁ ,ଗୋଟିଏ ଖଟରେ, ପୁଣି ଅସଂଯତ ଅବସ୍ଥାରେ..... ।
ଛି ଛି ଛି ।
ମାଆ ବୋଲି ବଡ଼ ପାଟିରେ ଚିତ୍କାର କଲା ।ଲିପିକା ଦେବୀ ଠୋ କରି ଗୋଟିଏ ଥାପଡ଼ ମାରିଲେ ଝିଅ ଗାଲକୁ ।
କାହିଁକି ଏମିତି ପାଟି କରୁଛୁ ।
ନିଜ ଇଛାରେ ରହିବା ।ଫୁର୍ତ୍ତି କରିବା, ଆଉ ମନଇଚ୍ଛା ଉପଭୋଗ କରିବା ।କେହି ନାହାନ୍ତି ଏଠି ଆମକୁ ବାଧା ଦେବାକୁ ।ବୋକିଟା ।ଏକଥା ନ ବୁଝି ପାଟି କରୁଛୁ ।
ଧେତ୍,ସବୁ ବେକାର କରିଦେଲୁ ।ନେ ଏଠି ବଢିଆ ମାଲ୍ ଅଛି ।ମାରିଦେ ଟିକେ ।ଟେନସନ ଫ୍ରି ହେଇଯିବୁ ।
ମାଆ କୁ ଖୁବ୍ ଗାଳିଗୁଲଜ କରି ଘରୁ ବାହାରିଗଲା କୁନମୁନ୍ ।ସେଦିନ ପାଖରୁ ସେ ଘରଟା ଏକରକମ ବାଈଜୀକୋଠି ପାଲଟି ଗଲା ।ସନ୍ଧ୍ୟା ୫ ଟା ପରେ ଭିଡ଼ ଜମିଯାଏ ।ଅସ୍ଥିର ହୋଇଯାଏ କୁନମୁନ୍ ।
ଏଥର ବୁଝିପାରୁଛି ତା ବାପା କାହିଁକି ପ୍ରତିବାଦ କରନ୍ତି ।ପ୍ରତିଶୋଧ ପରାୟଣା ବଶତଃ ଚାଲିଆସିଲା ସତ ।କିନ୍ତୁ ସେଦିନ ର ବାପାଙ୍କ କଥା ଗୁଡିକ କର୍ଣ୍ଣ ପଟଳରେ ଢାଏଁ ଢାଏଁ ହୋଇ ଏବେ ବି ବାଜି ଯାଉଥାଏ ତାର ।ଝିଅର ଭବିଷ୍ୟତ କୁ ଲକ୍ଷ୍ୟ କରି ବାପା କେତେ ଯେ ଯତ୍ନ ବାନ ।ସେକଥା ମର୍ମେ ମର୍ମେ ଅନୁଭବ କରୁଛି କୁନମୁନ୍ ।
କେତେ ବୁଝାଇଛନ୍ତି କୁନମୁନ୍ କୁ ।ମା’ର କୁପରାମର୍ଶ ନ ଶୁଣିବା ପାଇଁ ।ମା କଥା କେବେ ମାନିବୁନି ବୋଲି କେତେ କହିଛନ୍ତି ।ଏକାନରେ ପୁରେଇ ସେ କାନରେ ବାହାର କରିଦେଇଛି ସେ ।ନୀଚ୍ଚ ମନା କହି ଗାଳିଦେଇଛି ବାପାଙ୍କୁ ।
ଆଜି ଭାବିଲେ ଆଉ କଣ ଲାଭ ।ଏ ଘର ଆଉ ଘର ବୋଲି ଲାଗେନି ।ଦିନସାରା ବାହାରେ ରହି ରାତି ଦି ଘଡିକୁ ଆସେ ।ସେଥିରେ ପୁଣି ମା ଗରାଖ ବସେଇ ଦେଇଥାଏ ।
ଦିନେ ମାଆକୁ ବୁଝେଇ କହିଲା, ମାଆ ମୁଁ ବିବାହ ଯୋଗ୍ୟା ହେଲିଣି ।ସେ କଥା ଟିକିଏ ଚିନ୍ତା କର ।ଖାଲି ଏମିତି ଏମିତି କଣ ବଞ୍ଚିବା ।
ଝିଅର ଏକଥା ଶୁଣି ମାଆ ମନେ ମନେ ବରପାତ୍ର ସନ୍ଧାନରେ ରହିଲା ।ଦିନେ ଏକଥା ସେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କହିବାରୁ, ସେ କୁନମୁନ୍ କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ।
ଦିନ ବାର ଠିକ୍ ହେଲା ।କିନ୍ତୁ ଏସବୁ କଥା ଯେତେବେଳେ କୁନମୁନ୍ ଜାଣିଲା, ରୋକଠୋକ୍ ମନା କରିଦେଲାଯେ ସେ ବୁଢାକୁ ବିବାହ କରିବନି ।
କଣ କହିଲୁ,ତୁ ତାଙ୍କୁ ବାହା ହେବୁ ନାହିଁ ।କଣ ହେଇଛି କି?
ତତେ ଟିକେ ଲଜ୍ଜା ଲାଗୁନାହିଁ ।୫୦ ବର୍ଷର ବୁଢା ସହ ମୋ ବାହାଘର କରିବାକୁ ଚାହିଁଛୁ ।କାହିଁକି ମୋତେ କଣ ପୁଅ ଅଭାବ ହେବେ ।
କଣ କହିଲୁ ।ବୁଢା, ଆଲୋ ଲାଉ ବୁଢା ନା କଖାରୁ ବୁଢା ।ଆଲୋ ପୁରୁଷ ପୁଅର ବୟସ ଗୋଟେ କଣ ।ତୁ ତାଙ୍କୁ ହିଁ ବାହାହେବୁ ।ତୋତେ ଜବରଦସ୍ତ ମୁଁ ତାଙ୍କ ସହିତ ବାହା କରିବି ।
ମାଆ ଝିଅ ବହୁତ କଳି ଗୋଳ କଲେ ।ରାତି ୮ଟା ବାଜିଲାଣି ।ମାଆ ଅନ୍ୟ ଏକ ପୁରୁଷ ସହ ଘରେ କବାଟ ବନ୍ଦକରି ରହିଥାଏ ।ଏହି ସୁଯୋଗରେ କୁନମୁନ୍ ଖସି ପଳାଇ ଆସିଲା ।କେମିତି ଏଭଳି ନାରକୀୟ ଯନ୍ତ୍ରଣା ରୁ ମୁକ୍ତି ପାଇବ,ସେକଥା ଚିନ୍ତା କରି କରି ଅଣନିଶ୍ଵାସୀ ହୋଇ ଦୌଡ଼ି ଦୌଡ଼ି ବାଟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ପାଖରୁ ଜଣେ ମହିଳା ଅନୁଷ୍ଠାନର ମୁଖ୍ୟ ଫୋନ ନମ୍ବର ନେଇ ଫୋନ କରି ନିଜ ଦୁଃଖ କାହାଣୀ କହିଲା ।ମୁଖ୍ୟ ଜଣକ ତାର କଥା ଶୁଣି ତତ୍ କ୍ଷଣାତ୍ ଝିଅଟି ପାଖରେ ପହଞ୍ଚି ତା ପାଖରୁ ସବୁ କଥା ଶୁଣି, ସେ ନର୍କ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ନିଜ ସହ ନିଜ ବାସଭବନ କୁ ନେଇ ଆସିଲେ ।କାରଣ ସେତେବେଳେ ଥିଲା ରାତି ସମୟ ।ଏ ସମୟରେ ପୋଲିସ କିମ୍ବା କୌଣସି ସୁରକ୍ଷିତ ସ୍ଥାନ ପର୍ଯ୍ୟନ୍ତ ଯିବା ପାଇଁ ଭିତରେ ହୁଏତ ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଯାଇଥାନ୍ତା ।ତେଣୁ ଅନନ୍ୟୋପାୟ ନ ପାଇ ସଂଗଠନର ମୁଖ୍ୟ ନିଜ ସହ ଝିଅଟିକୁ ନିଜ ଘର ଭଳି ସୁରକ୍ଷିତ ସ୍ଥାନକୁ ନେଇ ଆସିଲେ ।ପରଦିନ କନ୍ୟା ମଙ୍ଗଳ କେନ୍ଦ୍ର ରେ ଛାଡି ଦେଲେ ।
ଏଣେ ଝିଅର ମାଆ ନାମ୍ନୀ ମହିଳା ଜଣକ ବୃଦ୍ଧଙ୍କ ସହାୟତାରେ ଅନ୍ୟ ଏକ ସଂଗଠନକୁ ଯାଇ ଏ ସଂଗଠନର ମୁଖ୍ୟଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ନାନା ପ୍ରକାର ମିଛ କଥା କହିଲେ ।
ବର୍ତ୍ତମାନ ଏ ଦୁଇ ସଂଗଠନ ପରଷ୍ପର ବିରୋଧୀ ହୋଇ ଜଣେ ଅନ୍ୟ ଜଣେ ସଂଗଠନର ମୁଖ୍ୟଙ୍କ ନାମରେ ଥାନାରେ ଏତଲା ଦେଇଦେଲେ ।
ବର୍ତ୍ତମାନ ସହର ଖାଲି ଉଠିଲା ଆଉ ପଡିଲା ।ହେଲେ ଏ ମଧ୍ୟରେ ସେହି ସହୃଦୟ ମୁଖ୍ୟ ଜଣକ ଝିଅଟିକୁ ପୋଲିସ, ସ୍ଵେଛାସେବୀ ସଂଗଠନ ଓ ଆଇନଜୀବୀଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଦେଲେ ।ମୋଟାମୋଟି କହିବାକୁ ଗଲେ ଝିଅଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଗଲା ।ଆଉ ଝିଅଟି ମଧ୍ୟ ଏଭଳି ବିପର୍ଯ୍ୟୟ ପରିସ୍ଥିତି ରୁ ନିଜକୁ ସୁରକ୍ଷିତ କଲା ।ହେଲେ ଏସବୁ ପଛରେ କେବଳ ଜଣକର ହାତ ଥିଲା ।ସେ ହେଲେ କୁନମୁନ୍ ର ବାପା ।
ତାଙ୍କ ପାଖରୁ ମାଆ ଝିଅ ଦୁହେଁ ପଳାଇ ଆସିବା ପରେ ଏଭଳି କିଛି ଦୁର୍ଘଟଣାକୁ ଆଶଙ୍କା କରି ସେ ମଧ୍ୟ କୁନମୁନ୍ ଆସିଥିବା ସହରକୁ ନିଜ ଚାକିରୀ ସ୍ଥାନାନ୍ତରିତ କରି ଆଣିଥିଲେ ।ଆଉ ସେମାନଙ୍କ ଉପରେ କଡା ନଜର ରଖିଥିଲେ ।ପ୍ରତିଟି ମୂହୁର୍ତ୍ତରେ ଗୋଡେଗୋଡେ ବିପର୍ଯ୍ୟୟକୁ ଏଡାଇ ଚାଲିଥିଲେ ।ଝିଅ ପାଇଁ ଖାଲି ନୁହେଁ ,ପିଲାମାନଙ୍କ ପାଇଁ ବାପା ହେଲେ ହିମାଳୟ ପର୍ବତ ସଦୃଶ ।ନିଜ ଜୀବନ ବିନିମୟରେ ପିଲାମାନଙ୍କୁ ସୁଖ ଶାନ୍ତି ଦେଇ ଚାଲନ୍ତି ।ଘରର ସଦର ଦରଜା ହୋଇଯାଆନ୍ତି ।ସେଥିପାଇଁ ତ ସେ ଆକାଶ ଠାରୁ ବଡ଼ ।ଆଉ ସେ ହେଲେ ବାପା ।ପିଲାମାନଙ୍କର ସୁରକ୍ଷା କବଚ ।
ପ୍ରଣତି ମହାପାତ୍ର
ବାଲେଶ୍ଵର