Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajabala Tripathy

Tragedy

4.0  

Rajabala Tripathy

Tragedy

ଅହ୍ୟସୁଲକ୍ଷଣୀ

ଅହ୍ୟସୁଲକ୍ଷଣୀ

4 mins
636


ଦାଣ୍ଡ ଦୁଆର ବାରଣ୍ଡା ଝାଡୁ କରୁ କରୁ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଣି ମୁହଁ ଟେକି ଚାହିଁଲେ ସୁଜାତା। ଖୁବ ଜୋରରେ ପାଦ ପକେଇ ପକେଇ ଆଗକୁ ମାଡି ଆସୁଛି ସରଳା।ପାଉଁଜିର ରୁଣୁଝୁଣୁ ସହ ହାତରେ ମେଞ୍ଚାଏ ନାଲି ନେଳି ରଙ୍ଗର ଚୁଡିର ଝଣ ଝଣ ମିଶି ଏକ ଅଦ୍ଭୁତ ଶବ୍ଦ ତୋଳୁଛି।ମଝି କପାଳରେ ଦାଉ ଦାଉ ଜଳୁଛି ବଡ଼ ଗୋଟେ ନାଲି ସିନ୍ଦୁର ଟୋପା।ଅଧା କପାଳ ଯାଏଁ ଲମ୍ବିଛି ସୀମାନ୍ତର ସିନ୍ଦୁର ଗାର।ପାଦରେ ଛମ ଛମ କରୁଥିବା ମୋଟା ମୋଟା ପାଉଁଜି।ପାଦ ଆଙ୍ଗୁଠି ରେ ଝୁଣ୍ଟିଆ, ବେକରେ ପେଟ ଯାଏଁ ଲମ୍ବିଥିବା ବଡ଼ ଗୋଟେ ମଙ୍ଗଳ ସୂତ୍ର ସହ ଆଉ ଏକ ସୁନାର ହାର।ସେ ହାର ରେ ବନ୍ଧା ହୋଇଥାଏ କଳା ମାଳିର ଛୋଟ ଛୋଟ ହାର ଗୁଡିଏ ଯାହା ପ୍ରତି ସାବିତ୍ରୀ ବ୍ରତରେ ଥର ଥର କରି ହାରଟିରେ ବନ୍ଧା ଯାଇଛି। ବାହୁ ରେ ଭିଡା ଯାଇଥାଏ ସୁଦଶା ବ୍ରତ ସହ ଆହୁରି କେତେ କଣ ବ୍ରତର ସୂତା।ସବୁକୁ ମିଶେଇଲେ ସୁଜାତଙ୍କ ଆଖିକୁ ଚକ ଚକ କରୁଥିବା ଦେବୀ ମେଢ଼ଟି ପରି ଦେଖାଯାଏ ସରଳା।ସୁଜାତାର ଘର ଆଗ ଦେଇ ଥରଟେ ବି ଆଖି ନ ଫେରେଇ ଚାଲିଗଲା ସରଳା। ବେଶ ଭଲରେ ବୁଝିଗଲେ ସୁଜାତା ସେଦିନର ଘଟଣାକୁ ଏବେ ବି ମନରେ ଧରି ବସିଛି ସରଳା।ସାହିର ଅନ୍ୟ ସବୁ ବିବାହିତା ମହିଳାଙ୍କ ପରି ଚୁଡି ସିନ୍ଦୁରରେ ନିଜକୁ ମଣ୍ଡଣୀ କରନ୍ତି ନାହିଁ ସୁଜାତା।ଦୁଇ ହାତରେ ଦୁଇ ପଟ ବଳା,ବେକରେ ସରୁ ସୁନା ଚେନ ଟେ କପାଳରେ ଛୋଟ ଗୋଟେ ବିନ୍ଦି ବାସ ଏତିକି।ହାତ ଭର୍ତି ଶଙ୍ଖା ତାଙ୍କୁ କାମ କଲା ବେଳେ ଭାରି ଅସୁବିଧା ଲାଗେ।ବାମପନ୍ଥୀ ଚିନ୍ତାଧାରାର ପରିବେଶରେ ବଢି ଆସିଥିବା ସ୍ୱାମୀ ଶୁଭକାନ୍ତଙ୍କ ପାଇଁ ବିବାହିତ ଜଣା ପଡିବା ପାଇଁ ନାରୀର ଶରୀର ରେ କୌଣସି ଏକ ବିଶେଷ ଚିନ୍ହର ପ୍ରୟୋଜନ ନାହିଁ।ଦୂର ସହରରେ ରହି ଇଂଜିନିୟରିଂ ପଢ଼ୁଥିବା ଶୁଭକାନ୍ତ ଙ୍କର ଏକ ମାତ୍ର ଗେଲ୍ଲୀ ଝିଅ ରୋଜି ତା ବାପା ଠାରୁ ମଧ୍ୟ ଅଧିକ ଖୋଲା ମନର।ପୂଜା ବ୍ରତ ଉପବାସ କଥା ଶୁଣିଲେ ଚିଡି ଯାଆନ୍ତି ଶୁଭକାନ୍ତ।ପରିବାର ର ସୁଖ ଶାନ୍ତି ମଙ୍ଗଳ ପାଇଁ, ସ୍ୱାମୀର ଆୟୁଷ ବଢ଼େଇବା ନାଁ ସ୍ତ୍ରୀର ଭୋକ ଶୋଷରେ ରହିବା କୌଣସି ପ୍ରୟୋଜନ ନାହିଁ ସିଧା ସିଧା କହନ୍ତି।ପରସ୍ପର ଭିତରେ ସ୍ନେହ ସମ୍ମାନ ଓ ବୁଝାମଣା ଏକ ସୁଖୀ ଶାନ୍ତିପୂର୍ଣ୍ଣ ପରିବାର ପାଇଁ ଦରକାର କେବଳ।ତାଙ୍କର ଯୁକ୍ତିଯୁକ୍ତ କଥା ସୁଜାତଙ୍କୁ ମଧ୍ୟ ଠିକ ଲାଗେ।ତେଣୁ ବିଶେଷ କିଛି ପୂଜା ବ୍ରତ ବା ଉପବାସ ହୁଏନି ତାଙ୍କ ଘରେ।କିନ୍ତୁ ପୂଜା ପାର୍ବଣ ରେ ଭଳି କି ପିଠା ପଣା କରିବାକୁ ଭୁଲନ୍ତି ନାହିଁ ସୁଜାତା।

ସୁଜାତାଙ୍କର ବିବାକ ବନ୍ଧନହୀନ ଜୀବନ ପାଇଁ ସେ ପାଲଟିଛନ୍ତି ସାହିର ନାରୀ ମହଲରେ ଏକ ମାତ୍ର ଭୃକୁଞ୍ଚନ ର କାରଣ। "ଯେତେ ପାଠ ପଢ଼ିଲେ କଣ ହେବ , ଆମର ସଂସ୍କୃତି ପରମ୍ପରା କୁ ଭୁଲି ଗଲେ ଚଳିବ କି।ଦେଖୁନ ମୋ ବୋହୁ କୁ ମାସକୁ ମାସ ଲକ୍ଷେ କମଉଛି, ଘରେ ଶଶୁର ଆଗରେ ମୁଣ୍ଡରୁ ଓଢଣା ଖସେନି କି ଯେତେ ଯାହା କହିଲେ ପାଟିରୁ ପଦଟିଏ ବହାରେନି।ଅଫିସରୁ ଫେରି ନଅ ତିଅଣ ଛଅ ଭଜା କରି ସ୍ୱାମୀକୁ ପରସି ଦିଏ।ଖାଲି ସେତିକି ନୁହେଁ, ସାବିତ୍ରୀ ବ୍ରତ ହେଉ ବା ମାଣବସା କେତେ ଭକ୍ତିରେ ନ କରେ ସିଏ।"ଗର୍ବରେ ଫାଟିପଡି ସୁଜାତା ଆଡକୁ ଇଙ୍ଗିତ କରି କହୁଥାନ୍ତି ମହାନ୍ତି ବାବୁଙ୍କ ସ୍ତ୍ରୀ।ସୁଜାତାର ମନେ ପଡିଗଲା ମହାନ୍ତି ବାବୁଙ୍କ ବୋହୁ ରଶ୍ମି ର ନିରୀହ ମୁହଁଟି।ବାହାଘର ପରେ ଶାଶୁ ସ୍ଵସୁରଙ୍କ ଚାକିରି ଛାଡିବା ଜିଦ୍ଦି ଆଗରେ ନିଜ ଚାକିରୀ କୁ ବଞ୍ଚେଇବାର ସାଲିସରେ ବାଛି ନେଇଛି ଏହି ପରି ଏକ ଜୀବନ। ଗୋତି ଶ୍ରମିକ ପରି ମୁହଁ ପୋତି ଅଫିସ ଆଉ ଘର ର ସବୁ କାମ କରିବା ବ୍ୟତୀତ ଆଉ କିଛି ବାଟ ନାହିଁ ତାର।କେବେ କେବେ ରଶ୍ମି ସହ ଦେଖା ହେଲେ ବେଶ ଭଲରେ ଦେଖି ପାରେ ସୁଜାତା, ରଶ୍ମିର ଢଳ ଢଳ ଆଖି ଦୁଇଟି କେତେ ଅକୁହା ବ୍ୟଥାରେ ଛଳ ଛଳ ହୋଇ ଉଠେ।ଛାତି ଭିତର ଟା ଭାରି ହୋଇ ଆସିଲା ସୁଜାତାଙ୍କର।

"ହେଇଟି ସୁଜାତା ଅପା, ବାହା ହେଲା ସ୍ତ୍ରୀ ମଥା କୁ ସିନା ସିନ୍ଦୁର ଗାର ଶୋଭା ପାଏ।ଖାଲି ସୁନ୍ଦର ନୁହେଁ ମ,ସ୍ୱାମୀ ର ମଙ୍ଗଳ ହୁଏ, ଘର ପରିବାରର ଉନ୍ନତି ହୁଏ।କାଳ କାଳରୁ ରହି ଆସିଛି ବା।ପୂଜା ବ୍ରତ ଉପବାସ ରେ ସ୍ୱାମୀର ଆୟୁଷ ବଢେ।ତାଙ୍କରି ଆଖି ଆଗରୁ ଜୀବ ଗଲେ ସିନା ଅହ୍ୟସୁଲକ୍ଷଣି ହେଇ ଏ ଦୁନିଆରୁ ତରି ଯିବୁ।ଦେଖୁନ ମୁକୁନ୍ଦ ମାହାନ୍ତି ସ୍ତ୍ରୀ କୁ ଏକା।କି ଭାଗ୍ୟ କରିଥିଲା।ସୁନ୍ଥା ରେ ଦାଉ ଦାଉ ସିନ୍ଦୁର ବାହାରେ ବାହେ ଶଙ୍ଖା ଘିନି ଅହ୍ୟ ଡେଙ୍ଗୁରା ବଜେଇ ଏ ଜଂଜାଳ ରୁ ମୁକ୍ତି ପାଇ ଗଲା ନା।ଏମିତିକା ମରଣ ଭାଗ୍ୟରେ ଥିଲେ ମିଳେ ବା"ଭକ୍ତି ଗଦଗଦ ହୋଇ କପାଳରେ ହାତ ଲଗେଇଲା ସରଳା।ସୁଜାତା ବେଶ ବୁଝିପାରିଲେ ସବୁତକ ଆକ୍ଷେପ କେବଳ ତାଙ୍କ ଉଦେଶ୍ୟ ରେ।ସରଳା ର ସ୍ୱାମୀ ସୁରେଶ ମୁନିସିପାଲିଟି ଅଫିସରେ କିରାଣୀ ଚାକିରୀ କରେ।ସାନ ସାନ ଦୁଇ ଝିଅ ଆଉ ଶ୍ୱଶୁର କୁ ନେଇ ତା ପରିବାର।ଘରେ ସବୁ ଦିନେ ଅଶାନ୍ତି।ସରଳା ଆଉ ତା ସ୍ବାମୀ ଭିତର ର କଥା କଟା କଟି ଘର ଦୁଆର ଡେଇଁ ବେଳେ ବେଳେ ବାହାର କୁ ବି ଛିଟିକି ଆସେ।ଆଜି ସାବିତ୍ରୀ କାଲି ରଜ, ପହରଦିନ ଧନ ତେରସ, ସ୍ତ୍ରୀର ଶାଢ଼ୀ ଆଉ ସୁନା କିଣାର ଦାବିରେ ଚାପି ହେଇ ପଡୁଥାଏ ସୁରେଶର ନହ ନହିକା ଦେହ।ଘର ଖର୍ଚ୍ଚ, ବନ୍ଧୁ ବାନ୍ଧବ ସହ ସରଳାର ଫର୍ମାଇସ ପୁରା କରୁ କରୁ ଋଣ ଭାରରେ ଆଣ୍ଠୁ ଯାଏଁ ପୋତି ହେଇ ଯାଇଛି ସୁରେଶ।ଅହର୍ନିଶ ଧଇଁ ପେଲିଲା ପରି ନହ ନହିକା ଦେହଟି ତାର ନଇଁ ଯାଏ। କେବେ କେମିତି ଦେଖା ହେଲେ ଲମ୍ବା ନମସ୍କାର ଟିଏ ପକାଏ।"

ଯଦି ମଥାରେ ମଥାଏ ସିନ୍ଦୁର ଲଗେଇ ପୂଜା ବ୍ରତ କଲେ ସ୍ୱାମୀର ଆୟୁଷ ବଢୁ ଥାନ୍ତା ତେବେ ଭାରତୀୟ ପୁରୁଷମାନେ ଦୁନିଆର ସବୁଠୁ ଆୟୁଷ୍ମ।ନ ବ୍ୟକ୍ତି ହେଇଥାନ୍ତେ।ଆଉ ବନାରସ ର ଘାଟରେ ସହ ସହ ବିଧବା ମାନଙ୍କୁ ଦେଖିବାକୁ ମିଳୁ ନଥାନ୍ତା।ଖାଲି ସିନ୍ଦୁର ଲଗେଇ ଉପବାସ କଲେ ସ୍ୱାମୀର ଆୟୁଷ ବଢେନି ସରଳା।ସ୍ୱାମୀକୁ ମାନସିକ ଶାନ୍ତି ଦେଲେ ତା ମନ କଥା ବୁଝିଲେ, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ପାଇବା ବୁଝାମଣା ଥିଲେ, ଖାଲି ସ୍ୱାମୀର ନୁହେଁ ସ୍ତ୍ରୀର ବି ଆୟୁଷ ବଢେ।କେବେ ବୁଝିବ ତୁମେ ମାନେ ଏସବୁ"ଟିକେ ଉଚ୍ଚ ସ୍ୱରରେ ଉତ୍ତର ଫେରେଇ ଘର ମୁହାଁ ହେଲେ ସୁଜାତା।ସେ ଜାଣିଥିଲେ ତାଙ୍କ ପଛରେ ସେ ଆଜିର ବୈଠକର ଖଲନାୟିକା ପାଲଟି ସାରିବେଣୀ।ମନଟା ଖଟ୍ଟା ହେଇଗଲା ତାଙ୍କର।ବିଶେଷ ଇଛା ନଥିଲେ ବି ଗୋଟିଏ ସାହିରେ ରହୁଥିବାରୁ କେବେ କେବେ ସେମାନଙ୍କ ସହ ମିଶିବାକୁ ପଡେ।ଅଂଶ ହେବାକୁ ପଡେ ସେମାନଙ୍କ ର ବୈଠକର।

"ଏ ଜିତା ଶୁଣିଲାଣି ବଡ଼ ଦୁଃଖ ଖବର।"ଶୁଭକାନ୍ତ ହଲେଇ ଦେଲେ ସୁଜାତାଙ୍କୁ। ରବିବାର ଖରାବେଳିଆ ଲାଗି ଆସୁଥିବା ଛାଇ ନିଦ ଚାଉଁ କିନା ଭାଙ୍ଗିଗଲା ସୁଜାତାଙ୍କ ର।ଧଡ଼କିନା ଉଠିବସିଲେ ଶେଯ ଉପରେ"କାହାର କଣ ହେଲା"।"ସରଳାର ସ୍ୱାମୀ ଫାଶୀ ଲଗେଇ ଦେଇଛି। ବୋଧ ହୁଏ ଜୀବନ ଆଉ ନାହିଁ।"ମୁହଁ ଥମ ଥମ କରି କହିଲେ ଶୁଭକାନ୍ତ।"କଣ କହୁଛ"ସତେକି ବୋମା ଟିଏ ଫୁଟିଗଲା ସୁଜାତାଙ୍କ ଛାତି ଭିତରେ।ଧାଇଁ ଗଲେ ବାହାର କୁ। ସରଳାର ଛାତି ଘର ଆଗରେ ଲୋକ ଭିଡ଼, ଘର ଭିତରୁ ସରଳାର ଚାପା କାନ୍ଦ ଶବ୍ଦ ଶୁଣି ଆଉ ଘର ଭିତରକୁ ଯିବାକୁ ଇଛା ହେଲାନି ସୁଜାତାଙ୍କ ର।"ଟଙ୍କା ସୁନା ପାଇଁ ମୋ ପୁଅକୁ ଶୋଷି ଶୋଷି ମାରିଦେଲା କାଳ ନାଗୁଣି ଟା।" କାନ୍ଦି କାନ୍ଦି ଲୋଟୁଥିଲା ସରଳାର ବୁଢା ଶଶୁର।ସବୁଦିନିଆ ଅଶାନ୍ତି ରୁ ତ୍ରାହି ପାଇଯାଇଥିଲା ସୁରେଶ।ହେଲେ ସରଳା, ତା ମଥା ସିନ୍ଦୁର,ହାତର ଶଙ୍ଖା, ବ୍ରତ , ଉପବାସ,ଅହ୍ୟ ସୁଲକ୍ଷଣି ର ସ୍ୱପ୍ନ ସବୁ କଣ ବ୍ୟର୍ଥ ହେଇଗଲା ତା ହେଲେ?ଛାତିର ଦୀର୍ଘଶ୍ଵାସ ସହ ଧୁଆଁ ପରି ଆକାଶରେ ମିଳେଇ ଗଲା ସୁଜାତାଙ୍କ ମନରେ ଉଠିଥିବା କେତୋଟି ପ୍ରଶ୍ନ।


Rate this content
Log in

Similar oriya story from Tragedy